ଆତ୍ମାରାମ-ଅଭିରାମ

 

 

 

 

 

 

 

 

 

 

 

ଆତ୍ମାରାମ ଅଭିରାମ

ଗୋରାଚାନ୍ଦ ମିଶ୍ର

 

ଫୁଲ ନା ଢେଲା.....

 

ପ୍ରାୟ ତେପନ ସପ୍ତାହ ପ୍ରଜାତନ୍ତ୍ର ‘ସାପ୍ତାହିକୀ’ର ଧର୍ମସ୍ତମ୍ଭରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ବୁଲାଚଲା କଲେ । ସପ୍ତାହକୁ ମାତ୍ର ଗୋଟିଏ ପୃଷ୍ଠା ଗୋଟିଏ ଗୋଟିଏ ଅଧ୍ୟାୟ । ସଂକ୍ଷିପ୍ତ ତେଣୁ ବିକ୍ଷିପ୍ତ–ଶିଶୁ ଓଠରୁ ଦରୋଟି ଭାଷା, ଖଣ୍ଡି ଖଣ୍ଡିକିଆ କଥା ଭଳି । କେଉଁଠି ପୁନରାବୃତ୍ତି ତ କେଉଁଠି ଅତ୍ୟୁକ୍ତି ।

 

ବହିର ନାଁ‘ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ’ ନ କରି ଭାବିଲି କେବଳ ଗୋଟିଏ ଶବ୍ଦ ‘ଆତ୍ମାରାମ’ ଯଥେଷ୍ଟ ।

 

‘ସାପ୍ତାହିକୀ’ରେ ଏ ଲେଖା ଚାଲିଥିବାବେଳେ ଗୁଡ଼ିଏ ଚିଠିରେ ୟା ଲେଖ, ତା’ ଲେଖ ବୋଲି ନିର୍ଦ୍ଦେଶ ମିଳୁଥିଲା । ଲେଖା ବନ୍ଦ ହୋଇଯିବା ମାତ୍ରେ ଦୂରଭାଷ ଯନ୍ତ୍ର ଓ ପତ୍ର ମାଧ୍ୟମରେ କିଏ କେତେ କଣ କହିଗଲେ ।

 

ଦେଖାଯାଉ ‘ଆତ୍ମାରାମ-ଅଭିରାମ’ ବହି ଆକାରରେ ପ୍ରକାଶ ପରେ ଫୁଲ ମିଳୁଚି କି ଢେଲା ମିଳୁଚି...

 

ରାମନବମୀ

 

ଅପ୍ରେଲ, ୨୦୦୦

ଗୋରାଚାନ୍ଦ ମିଶ

Image

 

ସୂଚୀପତ୍ର

 

୧.

ଅନୁଭବକୁ ସତ୍ୟ କହି

୨.

ଠାକୁରଙ୍କୁ ମୋଟେ ବିଶ୍ଵାସ କର ନାହିଁ

୩.

ବାଜା ବାଜୁଥବ, ହୁଳହୁଳି ପଡ଼ୁଥବ

୪.

ବାଳୁଙ୍ଗା ଅଭିରାମ

୫.

ସେ ତୋର ନୁହଁ କି ମୋର ନୁହଁ

୬.

ବିନୋରିଙ୍କ ମୁଢ଼ି ଚୋରି ଲୀଳା

୭.

ବାକି ତ କିଛି ନାହିଁ

୮.

ଯେଡ଼େ ଭକ୍ତ, ତେଡ଼େ ମୁକ୍ତି

୯.

ଖାଣ୍ଡବ ବନରେ ଅଭିରାମ

୧୦.

ଖେଳ କରନ୍ତି ଦିନ ରାତି

୧୧.

ତୁମେ ମଣିଷ ନୁହଁ, ଠାକୁର

୧୨.

ଭାବ ଭୁଞ୍ଜିବା ପାଇଁ...

୧୩.

ମାଗୁର ମାଛର ଝୋଲ୍‍

୧୪.

ସିଦ୍ଧଗିରିରୁ ଚଟକଳ

୧୫.

କୁଣ୍ଠାତୀତ ବୈକୁଣ୍ଠ

୧୬.

ଦିନରେ ଶ୍ରମିକ, ରାତିରେଶିକ୍ଷକ

୧୭.

ଯେତେ କର୍ମ, ସବୁ ଧରମ କରମ

୧୮.

ଯିଏ ଧରିଛନ୍ତି, ତାଙ୍କୁ ଧର

୧୯.

ମୋର ପାପ ଗୁଡ଼ିକ ଧନ୍ୟ

୨୦.

ଗୁରୁ ଶିଷ୍ୟ ଅଭିନୟ

୨୧.

ବିନା ‘ଅତି’ ରେ ‘ପ୍ରୀତି’ ହୁଏନା

୨୨.

ଅଭଡ଼ା ଭିତରେ ଦାନ୍ତକାଠି, ଗୁଡ଼ାଖୁ

୨୩.

କାହାଠୁ ଗାଳି ତ କାହାଠୁ ମାଳି

୨୪.

କିନ୍ତୁ ଲୁଣ ପଡ଼ିନି

୨୫.

ସାରୀ କହିଲା ଯା’ ଯା’

୨୬.

ଅଭିରାମଙ୍କ ଷଣ୍ଢ ଲଢ଼େଇ

୨୭.

ଏଇଟା କଣ ଆଲାସ୍କା

୨୮.

କାଣିଚାଏ ମାତ୍ର...

୨୯.

ପତ୍ର ମିଳିଲା ପାତ୍ରୀକି

୩୦.

ଭକ୍ତ ଭଗବାନ ଟଣାଟଣି

୩୧.

ବାହାରେ ଷଣ୍ଢ, ଭିତରେ ସାପ

୩୨.

ତୁମେ କଣ ମନୁଷ୍ୟ ?

୩୩.

ଭାଗ୍ୟବତୀ ହୃଦୟବତୀ

୩୪.

ଏହି ସାତପଦ ପରମ ସମ୍ପଦ

୩୫.

ଦୋଷରୁ ଶୋଷ

୩୬.

ଚିନ୍ତନର ମନ୍ଥନରୁ ‘ବିଶ୍ୱମ୍ଭର’

୩୮.

ତେଣୁ ମୁଁ ସଦାନନ୍ଦ ବ୍ରତ !

୩୯.

ଟଙ୍କା ପାଞ୍ଚ ହଜାର ସିମେଣ୍ଟ ପଚିଶ ବସ୍ତା

୪୦.

ମୁକ୍ତିରେ ନ ବଳେ ମୋ ମତି

୪୧.

ନାହୁଁ କି ତୋ ତାଲିକାରେ ?

୪୨.

କଙ୍କାଳରେ ନନ୍ଦପିଟା ଛାଟ

୪୩.

ମୁହୂର୍ତ୍ତକର ଉଦ୍ୱେଳନ

୪୪.

ଶେଷୁଦେବଙ୍କ ମାଆ ନୀଳାମ୍ମା

୪୫.

ପଳା ପଛକୁ ନ ଚାହିଁ

୪୬.

ସବୁ ଚାଖି ଚାଖି ‘ଚଖା’

୪୭.

‘ନେତି’ର ଇତି ହେଲେ ‘ପ୍ରୀତି’

୪୮.

ଠାକୁରଙ୍କ ସେବାନନ୍ଦ ପ୍ରସାଦ

୪୯.

ମଜୁରୀ ମତେ ଦିଅ

୫୦.

ସତେ ଠାକୁର ! କଣ ନ କର ।

୫୧.

ପ୍ରମାଦରୁ ପ୍ରମୋଦ

୫୨.

ମଣିଷ, କାମନା ଯୋଗୁଁ ବିମନା

୫୩.

ସଭା ସାଙ୍ଗ ହେଲା

Image

 

‘ଅନୁଭବ’କୁ ସତ୍ୟ କହି

 

କହି...

 

‘‘କଳି ଯହିଁ ରହେ, କାଳିଆ ତହିଁ ରହନ୍ତି ନାହିଁ । କହୁଚି, ହିଂସାକୁ ହୃଦୟେ ସ୍ଥାନ ନ ଦିଅ କେହି ।’ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଏହି ଦିବ୍ୟବାଣୀ । ଇଏତ ବାଣୀ ନୁହେଁ, କଳିହତ ମନୁଷ୍ୟ ପାଇଁ ଏହିପରି ଅଭିରାମଙ୍କ ଲକ୍ଷ ଲକ୍ଷ ଅମୋଘ ଅକାଟ୍ୟ ବାଣ । ଦୂରଗାମୀ କ୍ଷେପଣାସ୍ତ୍ର ।

 

ହଂସର ବିଶେଷତ୍ଵ, ସେ ଦୁଧରୁ ପାଣିକୁ ଅଲଗା କରିଦିଏ । ଦୁଧ ଯିଏ । ପାଣି ପଡ଼ି ରହେ । ଯିଏ କ୍ଷରକୁ ଅକ୍ଷରଠୁ ଅଲଗା କରିଦେଇପାରେ, ଆବିଳତାକୁ ବର୍ଜନ କରି ଯିଏ କେବଳ ଅନାବିଳ ତଥା ନିର୍ମଳକୁ ଗ୍ରହଣ କରିଥାଏ, ଆସକ୍ତିରୁ ଅନାସକ୍ତିକୁ ଉଠିଥାଏ, ସାଧାରଣ ସରଳ ଭାଷାରେ ସେ ପରମହଂସ । ସେ ସଂସାର ଭିତରେ ରହି ସାଧାରଣ ମନୁଷ୍ୟ ଭଳି ଲୀଳା ଖେଳା କଲେ ମଧ୍ୟ ସଂସାର ତାକୁ ସ୍ପର୍ଶ କରି ନଥାଏ ।

 

‘ବାଣୀ’ ବିଭିନ୍ନ ଭାବରେ ବିଭିନ୍ନ ଲୋକଙ୍କ ମୁହଁରୁ ବାହାରେ । ସ୍ଫୁରିତ ହୁଏ । କିଏ ମୌନ ରହି ମଧ୍ୟ ଠାରିଠୁରି, ନାନା ପ୍ରକାରର ଇଙ୍ଗିତରେ କଥା କହେ । କଥାରେ ଲଥା ଭଳି ନାନା ବ୍ୟଥା ମଧ୍ୟ ଥାଏ । ମହାପୁରୁଷମାନଙ୍କ କଥା ତଥା ବାଣୀର ଠାଣି ଅଲଗା । ସିଏ ଏକ ସ୍ୱତନ୍ତ୍ର ଭାଷା । ଏହି ଭାଷାକୁ ବ୍ୟାକରଣ, ପ୍ରକରଣ, ସନ୍ଧି, ସମାସ ଆଦିଦ୍ୱାରା ଖଣ୍ଡନ ଓ ମଣ୍ଡନ କରିବା ବୃଥା ପ୍ରୟାସ ମାତ୍ର । ଯେଉଁ ଭାଷା ସାଧାରଣ ଲୋକଙ୍କ ଦୂହୟକୁ ସ୍ପର୍ଶ କରେ, ଯେଉଁ ଭାଷା ଆଖୁ ଲୁହ ଖସାଇ ଦେଇପାରେ, ଯେଉଁ ଭାଷା ହୃଦୟକୁ ଆନନ୍ଦରେ ଉଲ୍ଲସିତ, ପୁଲକିତ କରିଦେଇପାରେ, ତାହାହିଁ ଲୋକଭାଷା । ମହାପୁରୁଷଙ୍କ ଭାଷା । ଭଗବତ ଭାଷା ।

 

ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ବାଣୀର ଠାଣି ଅଲଗା । ଯେଉଁମାନଙ୍କୁ ଶିକ୍ଷିତ ସମାଜ ମୂର୍ଖ, ଅଶିକ୍ଷିତ, ସରଳବିଶ୍ଵାସୀ, ଅନ୍ଧ, ମୂକ, ବଧୂର କହି ପାଦରେ ଆଡେଇ ଦେଇଥାଏ, ଠାକୁର ଅଭିରାମ ପରମହଂସଙ୍କ ବାଣୀ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ ।

 

ତାଙ୍କ ବାଣୀରେ ଯେଉଁ ‘ଅକ୍ଷେପ’, ତାହା ପ୍ରତିପକ୍ଷର ହୃଦୟକୁ ବିଦୀର୍ଣ୍ଣ କରିଥିଲା ସତ, କିନ୍ତୁ ସେଥିରେ ନିହିତ ଥିଲା ନିତ୍ୟ ‘ସତ୍ୟ’ ।

 

‘‘କହଇ ଅଭିରାମ ବାଇ

‘ଅନୁଭବ’କୁ ସତ୍ୟ କହି ।’’

 

ଏହି ‘ଅନୁଭବ’ରୁ ଯେଉଁ ‘ଭାବ’ର ଉଲ୍ଲାସ, ତାକୁ କେହି କେହି ଅତି ତୀବ୍ର, ତୀକ୍ଷ୍ଣ, ଉତ୍କଟ ବୋଲି ପ୍ରତିପାଦନ କରୁଥିଲେ ମଧ୍ୟ ତା’ର ଉଦ୍ଦେଶ୍ୟ, ଭଗବାନଙ୍କ ସହିତ ଏକାକାର ହେବା । ଭଗବାନଙ୍କ ସାକ୍ଷାତକାର ଲାଭ କରି, ତାଙ୍କ ସହିତ ଆଳାପ କରିବା । ବହୁ ଗବେଷକ, ବ୍ୟାଖ୍ୟାକାର ଓ ପ୍ରବଚକ ତାଙ୍କ ସମ୍ପର୍କରେ ବହୁ ଆଲୋଚନା କରିଚନ୍ତି । କିନ୍ତୁ ‘ନେତି, ନେତି’ରେ ରହିଚନ୍ତି । ପ୍ରୀତିର ଭିତ୍ତିଭୂମିକୁ କେହି ସ୍ପର୍ଶ କରି ପାରିନାହାଁନ୍ତି ।

 

ଅସଂଖ୍ୟ ଭଜନ, ଜଣାଣ । କବି, ଲେଖକ, ତାଙ୍କୁ ଭୂଷିତ କରାଯାଇ ପାରିବ, ତାହା ସ୍ଥିର କରିବା ଗାୟକ, କେଉଁ ବିଶେଷଣରେ ସହଜ ନୁହେଁ । ତାଙ୍କର ରଚନା ଲାଗି ଭକ୍ତମାନଙ୍କ ମଧ୍ୟରୁ କେହି କେହି ‘ଭାବବିଳାସ’ ‘ଭାବ-ବିଭୂତି’, ‘ଭାବ–ମହିମା’ ଆଦି ଶବ୍ଦ ପ୍ରୟୋଗ କରିଥାଆନ୍ତି । ବାସ୍ତବରେ ଏହି ‘ଭାବ’ ହିଁ ପ୍ରେମର ଅଭିବ୍ୟକ୍ତି । ଏହି ପ୍ରେମ ଅବ୍ୟକ୍ତ । ଅକଳନ । ଅବର୍ଣନୀୟ । ଅଚିନ୍ତନୀୟ ।

 

କଳିକାଳ ସହିତ ଅଭିରାମଙ୍କ କେଳି ବେଶ୍ କଉତୁକିଆ । ତାଙ୍କ ‘କଳିଭାଗବତ’ ସେହି କୌତୁକର ଜ୍ଵଳନ୍ତ ଦୃଷ୍ଟାନ୍ତ । ‘ମନ’କୁ ନରପତି ଆସନରେ ବସାଇ ତା’ ସହିତ ଯେଉଁ ଆଳାପର କଳାପ ମେଲିଚନ୍ତି, ତାହା ହିଁ ଯୁଗଧର୍ମର ଏକ ଦର୍ପଣ । ‘ବୈଷ୍ଣବ ଜନ ତୋ ତେନେ କହିୟେ’’ ର ରଚୟିତା ଭକ୍ତପ୍ରବର ନରସିଂହ ମେହଟାଙ୍କ ଭଳି ଅଭିରାମ ପରମହଂସ ‘ବୈଷ୍ଣବ’ର ପରିଚୟ ଦେଇ କହିଚନ୍ତି–‘‘ଶ୍ରୀଗୁରୁ କୃଷ୍ଣ ବଇଷ୍ଣବ, ନ କର ଭିନ୍ନ ଭିନ୍ନ ଭାବ ।’’ ଯାହାଠି କ୍ରୋଧ ନଥାଏ, ସେ ହେଉଚି ପ୍ରକୃତ ବୈଷ୍ଣବ । ତା’ର ଗତି ଠିକ୍ ସର୍ବତ୍ୟାଗୀ ଫକୀରଙ୍କ ଭଳି । ଜିତେନ୍ଦ୍ରିୟ ।

 

କଥାରେ କୁହାଯାଏ–‘ବାରଜାତି ତେର ଗୋଲା,, ବୈଷ୍ଣବ ହେଲେ ସବୁ ଗଲ ।’’ ଠାକୁର ଅଭିରାମ ସେହି କଥାକୁ ତାଙ୍କ ରଚନାରେ ପ୍ରକାଶ କରିଚନ୍ତି । ବୈଷ୍ଣବଙ୍କର ଜାତି ପାତି କିଛି ନାହିଁ । ସେ ଗୃହସ୍ଥ ହୋଇଥାଉ କିମ୍ବା ତ୍ୟାଗୀ ବୈରାଗୀ ହୋଇଥାଉ, ତା’ର କର୍ମ ହିଁ ସବୁ କିଛି । ‘କର୍ମ’ ହିଁ ବୈଷ୍ଣବ । ମଣିଷର ଗୁଣକୁ ପୂଜା କର, କୁଳକୁ. ନୁହଁ । ଯାହା ହୃଦୟରେ ଅହଂକାର ଭରପୂର,ସେ ଯେତେ ମାଳା ତିଳକ ଡୋର କୌପୁନୀ ଧରିଲେ ମଧ୍ୟ ସେ ବୈଷ୍ଣବ ପଦବାଚ୍ୟ ହୋଇ ନପାରେ ।

 

ଦିବସେ କାଟୁଥିବ ଚିତା

ରାତ୍ରକୁ ଖୋଜୁଥି ମାତା

ତାହାକୁ ନ ଯିବୁ ବିଶ୍ଵାସ

ସେ ନୁହେଁ ପ୍ରଭୁଙ୍କର ଦାସ

 

ଅଭିରାମଙ୍କ ରଚନା ପରିହାସରେ ରସାଣିତ । ଯଥା–

 

କଳିର କି କହିବି ଗୁଣ

ଗୁରୁ ହୋଇବେ ପଣପଣ

ଶିଷ୍ୟ ତ ଗୋଟିଏ ନଥିବ

ସର୍ବେ ହୋଇବେ ଗୁରୁଦେବ

 

ଏହି ତଥାକଥିତ ଗୁରୁମାନଙ୍କର ଏକମାତ୍ର ଧାନ ଧାରଣା–ଧନ ଠୁଳ କରିବା । ଧନୀ ମାନୀମାନଙ୍କୁ ବାଛି ବାଛି ସେମାନେ ଶିଷ୍ୟ କରିବେ–କେବଳ ଟଙ୍କା ସୁନା ପାଇବା ଆଶାରେ । ଧନୀମାନଙ୍କ ସ୍ଵଭାବ ସମ୍ପର୍କରେ ଅଭିରାମ କହିଚନ୍ତି–ଯାହା ପାଖରେ ଧନ, ସେ ଅନ୍ୟାୟକୁ ହିଁ ନ୍ୟାୟ ବୋଲି ବିଚାର କରିଥାଏ ।

 

ଯତିଏ ନ ହୋଇବେ ସତୀ

ନିତ୍ୟେ ଲୋଡିବେ କାମପ୍ରୀତି

 

ସେମାନଙ୍କ ମୁହଁରେ ମିଠା କଥା । କିନ୍ତୁ ହୃଦୟରେ କେବଳ ବିଷ । ଗରଳ । ଏହି ବିଷକୁ ନିର୍ବିଷ କରିବା ପାଇଁ, ଗରଳକୁ ଅମୃତରେ ପରିଣତ କରିବା ନିମନ୍ତେ ଠାକୁର ଅଭିରାମ ପରମହଂସ ‘ପବିତ୍ର ଜଳ’’ ର ବ୍ୟବସ୍ଥାପତ୍ର କରିଯାଇଚନ୍ତି–ଯାହାକି ତ୍ରିକାଳର ମହୌଷଧୂ । ତାଙ୍କ ଭାଷାରେ—

 

‘‘ପବିତ୍ର ଜଳ କହିଲେ, ତୀର୍ଥ ଜଳ ନୁହେଁ କି ଗଙ୍ଗା ଜଳ ନୁହେଁ । ପବିତ୍ର ଜଳ ହେଉଚି ନୟନର ଲୋତକ । ଯେତେ ଯେଉଁଠୁ ଜଳ ଆଣି ଠାକୁରଙ୍କ ଚରଣ ଧୋଇଲେ ମଧ୍ୟ ସେଇଟା ଧୋଇବା ହେଲା ନାହିଁ । ଭକ୍ତ ଯେତେବେଳେ ଭଗବାନଙ୍କ ଭାବରେ, ନେତ୍ର ଜଳରେ ଠାକୁରଙ୍କ ପାଦପଦ୍ମ ଧୋଇଦିଏ, ସେତେବେଳେ ଯାଇ ସେ ପାଦ ଧୁଆ ହୁଏ । ପ୍ରେମ ଭାବରେ ଯେତେବେଳେ ଭକ୍ତନେତ୍ରରୁ ଲୋତକ ଝରିପଡେ, ସେଥ୍ରେ ଜନ୍ମ ଜନ୍ମର ପାପ ଧୋଇ ହୋଇଯାଏ ।’’

 

‘ନାମ ନେଇଗଲେ କେହି ଭକ୍ତ ହୋଇ ଯାଆନ୍ତି ନାହିଁ କି, କେହି ଟେକାଟେକି କରି କହିଲେ ଭକ୍ତ ହେଇ ହେବ ନାହିଁ । ତମ କର୍ମ ତମକୁ ଚିହ୍ନାଇବ । ଅନ୍ତରରେ ଯଦି ସେ ଜିନିଷଟି ଦାଉ ଦାଉ ଜଳୁଥିବ, ତେବେ ସିନା ଭକ୍ତ ! ନୋହିଲେ ସେପରି ନାଆଁକୁ ଭକ୍ତ ତ ସମସ୍ତେ ।’

Image

 

ଠାକୁରଙ୍କୁ ମୋଟେ ବିଶ୍ଵାସ କର ନାହିଁ

 

ଭକ୍ତ କୌଣସି ରାଜ୍ୟ, ଦେଶର ସୀମାରେ ଆବଦ୍ଧ ନୁହନ୍ତି । ସେ ସମଗ୍ର ବିଶ୍ୱର । ତେଣୁ ତାଙ୍କୁ ଏ ରାଜ୍ୟ,ସେରାଜ୍ୟର‘ମହାପୁରୁଷ’ବୋଲି କହିବା ଠିକ୍ ନୁହଁ ।

 

‘‘ବେଦ ପଢ଼ି ପଢ଼ି ବୁଢ଼ା ଯିବ ହୋଇ

ମୁକ୍ତି ନ ମିଳଇ ଗୁରୁକୃପା ବିନା

କହେ ଅଭିରାମ ବାଇ-’’

 

‘‘ଠାକୁରଙ୍କୁ ମୋଟେ ବିଶ୍ଵାସ କର ନାହିଁ । କହୁଚି, ସେ କାହାର ନୁହନ୍ତି । ଯେତେବେଳ ଯାଏଁ ତୁମର ଭାବ, ଭକ୍ତି ଖୁବ୍ ଆଣ୍ଟ, ସେ ତୁମର ଗୋଟାପଣେ । ସେଥୁରୁ ଟିକିଏ ଊଣା ହେଲେ ତୁମେ ତାଙ୍କର କିଏ ? ବୃନ୍ଦାବତୀ-ଭାବରେ ତାଙ୍କୁ କାନ୍ଧରେ ବସାଇ ଥିଲେ, ଟିକିଏ ‘ମୁଁ’ କାର ଭାବ ଆସିଲାରୁ, ଦୁଲୁକିନା ତଳେ କଚାଡ଼ିଦେଲେ । ତେଣୁ ତାଙ୍କୁ କି ବିଶ୍ଵାସ ? ନିଜ କର୍ମକୁ ସବୁବେଳେ ଦେଖ, ସେଥ‌ିରେ ଟିକିଏ ଅଡୁଆ ଦେଖ‌ିଲେ, ତୁମକୁ କଢିଦେବେ ଯେ !’’

 

ବାଇ, ବାୟା, ପାଗଳା, ଘୁଙ୍ଗା, ମୂକ ଓ ମୌନୀ ଇମିତି ଓଡ଼ିଶାରେ ବହୁ ମହାପୁରଷ, ମହାତ୍ମାଙ୍କ ନାଆଁ । ଭକ୍ତମାନେ ଯେଉଁ ନାଆଁ ଧରି ଡାକନ୍ତୁ ନା କାହିଁକି, ସେମାନେ ଆଦରରେ ଗ୍ରହଣ କରି ନିଅନ୍ତି । କିଏ ଗୋଡ଼ତଳେ ପଡ଼ି ଠାକୁର, ଠାକୁରାଣୀଙ୍କ ଭଳି ସେମାନଙ୍କ ପୂଜା କରନ୍ତି ତ,କିଏ ଟେକା, ପଥର ଫିଙ୍ଗନ୍ତି, ଗାଳି ଦିଅନ୍ତି, ଭଣ୍ଡ ଭାଣ୍ଡ କହି ତଣ୍ଡ ଦଣ୍ଡ ଦିଅନ୍ତି; ସବୁ ସେମାନେ ପିଲାଙ୍କ ‘ଅଝଟ’ ଭାବରେ ‘ଭାବ’ଝୁଲିରେ ଗୋଟେଇ ନିଅନ୍ତି । ସମସ୍ତଙ୍କୁ ନିଜର ପ୍ରଶସ୍ତ ଦରଦୀ ହାତରେ କୁଣ୍ଢାଇ ପକାନ୍ତି । ସାମାନ୍ୟ ସ୍ପର୍ଶ ଟିକିଏ ପାଇ ସମସ୍ତେ କୃତକୃତ୍ୟ ହୁଅନ୍ତି । କୋଟି ଜନ୍ମର ପାପରୁ ଉଦ୍ଧାର ପାଇ ଉଶ୍ୱାସ ହୁଅନ୍ତି ।

 

ଭଣ୍ଡ ଅନେକ । କିନ୍ତୁ ସେମାନଙ୍କ ଭାଣ୍ଡ ସବୁବେଳେ ଖାଲି I ସେମାନଙ୍କ ଭାଣ୍ଡରେ ‘ଭଲ’ ପଡ଼ିବା ମାତ୍ରେ ତଳକୁ ଖସି ପଡେ । ଉଭେଇ ଯାଏ । ସେମାନେ ତିଷ୍ଠି ପାରନ୍ତି ନାହିଁ । ଯେଉଁମାନେ ଭଣ୍ଡବାବାଙ୍କ ଭେଳିକିରେ ଫଶି ଯାଆନ୍ତି, ସେଇମାନେ ହିଁ କାମନା ବାସନା ପୂର୍ଣ୍ଣ ନ ହେଲେ, ଭଣ୍ଡାମିର ସୀମା ଟପି ଗଲେ, ତାକୁ ମୂଳପୋଛ କରି ଦେଇଥାଆନ୍ତି । ଏପରି ଘଟଣା ଶତସହସ୍ର । ତୁଣ୍ଡରେ ଭଗବାନ, ମନରେ ସଇତାନ । ଜପତି ଈଶ୍ଵର, ଈଶ୍ୱର । କାର୍ଯ୍ୟରେ ତସ୍କର । କହେ ଅଭିରାମ ବାଇ–

 

‘‘କଳିରେ ବହୁତ ଦୁଷ୍ଟ ହୋଇଚନ୍ତି ମେଳ

ତେଣୁ ଶ୍ରୀମୁଖ ବଚନ ମଣିବେ ସେ ଖେଳ ।’’

 

ସମସ୍ତେ ମନେ ମନେ ଭାବନ୍ତି, ମୁଁ ସବୁଠୁ ବିଚକ୍ଷଣ । ଠାକୁର ପରମହଂସଙ୍କ ବାଣୀ–‘ସଂସାର କ୍ଷେତ୍ରରେ ଯାହାସବୁ ବିଚକ୍ଷଣତା, ସେ ସବୁ ଭଗବାନ ଦିଗରେ ମୂଲ୍ୟହୀନ । ଯିଏ କଳାକୁ ଧଳା କରି ପାରୁଚି, ତାକୁ ସମସ୍ତେ କହୁଚନ୍ତି ବିଚକ୍ଷଣ ବୃଦ୍ଧି । ଭାରି ପାରିଲା ପଣିଆ ତ ! କିନ୍ତୁ ଯେତେ କୁହ, ଏ ଚାଲାଖି, ଏ ବିଚକ୍ଷଣ ବୁଦ୍ଧିରୁ କଣ ଲାଭ ହୁଏ ? ବିଚକ୍ଷଣ କିଏ ? ଭଗବାନ ନାନା ପ୍ରଲୋଭନ-ଜାଲ ବିସ୍ତାର କରିଛନ୍ତି । ଯେପରି ସମସ୍ତେ ସେଇଥ୍ରେ ପଡ଼ି ଲଟପଟ ହେଉଥ‌ିବେ ! ତାଙ୍କୁ ଯେପରି କେହି ନ ଖୋଜିବେ । ଯେଉଁମାନେ ପ୍ରକୃତରେ ଚାଲାଖି, ସେମାନେ ଏ ଜାଲର ରହସ୍ୟ ଟିକକ ବୁଝିବାରେ ସମର୍ଥ ହୁଅନ୍ତି । ଚତୁରତା ସହ ଧୀରେ ଧୀରେ ଖସି ଆସି ମାଲିକ ପାଖରେ ହାଜର ହୁଅନ୍ତି । ସେହିମାନଙ୍କୁ ଦେଖି ଭଗବାନ ପ୍ରସନ୍ନ ହୁଅନ୍ତି । ଆଉ ନ ହେଲେ ସଂସାର କ୍ଷେତ୍ରରେ ଏ ଚାଲାଖି କେଉଁ କଡାର ! କାଉ ଭାବେ ସେ ଅତି ଚତୁର, କିନ୍ତୁ ସକାଳୁ ଉଠି ବିଷ୍ଠା ଖୋଜି ବୁଲେ ।’’

 

ଠାକୁର ଅଭିରାମ ପରମହଂସ ସାଧୁ ଥିଲେ କି ସନ୍ଥ ଥଲେ, ତାହା କୌଣସି ଶବ୍ଦ ମାଧ୍ୟମରେ ନିର୍ଣ୍ଣୟ କରାଯାଇ ନପାରେ । ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କୁ ଦର୍ଶନ କରିବାମାତ୍ରେ ଏପରି ଅଭିଭୂତ ହୋଇ ପଡ଼ିଥିଲେ ଯେ ସେ ତାଙ୍କ ‘ଗୀତା-ପ୍ରବେଶ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-‘‘ସେ ଲୋକଙ୍କର ଲୋକ । ଦର୍ପୀ, ଦାୟିକ, ପଣ୍ଡିତଙ୍କର ନୁହଁନ୍ତି । ତାଙ୍କ ମୁଖପଦ୍ମର ନିର୍ଗଳିତ ଜୀବ-ପରମତତ୍ତ୍ୱ ସଂକେତରେ ଶୁଣିବାକୁ ଲୋକେ . ତୃଷିତ । ସେ ଏ ଭୂ ମିର ଧର୍ମନେତା ।’’

 

ତାଙ୍କ ସମ୍ପର୍କରେ ବହୁ ମନୀଷୀଙ୍କ ବହୁମତ । ଅନେକ ମଧ୍ୟରେ ଏକ, ଅସଂଗତି ମଧ୍ୟରେ ସଂଗତି, ବିରୋଧ ମଧ୍ୟରେ ସମନ୍ଵୟ ତାଙ୍କ ଦର୍ଶନର ସାରମର୍ମ ।

 

ଚାନ୍ଦା ମାଗିବା ବା କୌଣସି ପ୍ରକାର ପରୋକ୍ଷ ବା ପ୍ରତ୍ୟକ୍ଷରେ ଅର୍ଥ ସାହାଯ୍ୟ ଭିକ୍ଷା କରିବା ଏବଂ ଆତ୍ମପ୍ରଚାରର ବିରୋଧୀ ଥିଲେ ସେ । କହୁଥିଲେ, ଗର୍ଭଣା ସଂକ୍ରାନ୍ତ ଆସିଲେ ଯେପରି ଧାନଗଛରେ ଥୋଡ ବାହାରି ପଡେ, ସେହିପରି ଯଥା–ସମୟରେ ଭକ୍ତଙ୍କ ହୃଦୟରେ ପ୍ରେରଣାଦାତା ଭଗବାନ ପ୍ରେରଣାଦାନ କରିବେ । ଭଗବାନ ପ୍ରଚାରକ ନ ହୁଅଁନ୍ତି ।

Image

 

‘ବାଜା ବାଜୁଥୁବ, ହୁଳହୁଳି ପଡ଼ୁଥ‌ିବ’

 

କିଶୋର ଅଭିରାମ । ପିତା ସତ୍ୟବାଦୀ ପଟ୍ଟନାୟକଙ୍କ ଅକାଳ ମୃତ୍ୟୁ ହେଲା । ମାତା ରାଧାଦେବୀ ପୁଅ ଲାଗି ଚିନ୍ତିତ । ପିଲାର ମନ ଘର ଧରୁନି । କେତେବେଳେ ସପ୍ତାହେ ତ କେତେବେଳେ ମାସ ମାସ ଧରି ଅଭିରାମ ଉଭାନ । ଅନ୍ତର୍ଦ୍ଧାନ । ଗ୍ରାମ ପୁରୀ ଜିଲ୍ଲା, କଣାସ ଅଞ୍ଚଳରେ କରମଳାର ଭୋଇପଡ଼ା । ଦିନେ ସତ୍ୟବାଦୀ ଗାଁ ମଶାଣିରେ ଚାରିଖଣ୍ଡ ସିଝୁଡାଳ ପୋତିଦେଲେ । ଗାଁଲୋକଙ୍କୁ, ସାଙ୍ଗ ସାଥୀମାନଙ୍କୁ କହିଲେ, ଦିନ ଆସିବ, ଏହି ମଶାଣି ହେବ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ତୁମମାନଙ୍କ ଏହି ଚଗଲା ‘ଅଭି’ ପାଖକୁ ଲକ୍ଷ ଲକ୍ଷ ଲୋକ ଆସିବେ । ତାକୁ ପୂଜା କରିବେ । ଇଏ ହେବ ଶ୍ରୀଶାନ୍ତି ଆନନ୍ଦାଶ୍ରମ । ଶାନ୍ତି ଧାମ । ଏ ପୀଠର କାନ୍ତି ବଦଳିଯିବ । ଶ୍ରୀକାନ୍ତ ହେବ । ମାଆ ରାଧାଦେବୀକୁ କହିଥିଲେ, ତୁ ତୋ ଅଭିର ସବୁ ଲୀଳା ଦେଖିବୁ ।

 

ପୁଅ ତୁଣ୍ଡରୁ ରାଧାଦେବୀ ନାନା କଥା ଶୁଣନ୍ତି । ଅନ୍ୟମାନେ ଖୁସି ହୁଅନ୍ତି । କିନ୍ତୁ ମାଆଙ୍କ ଏକମାତ୍ର ଚିନ୍ତା, ପିଲା ତାଙ୍କର ହାତଛଡ଼ା ହୋଇଯିବ ! ଉଦାସିଆ ମନ । ଗାଁକୁ ସାଧୁ ସନ୍ନ୍ୟାସୀ ଆସିଲେ, ଅଭି ସେମାନଙ୍କ ପାଖରେ ହାଜର । ସେମାନଙ୍କ ସହିତ ନାନା ନିଗୂଢ ତତ୍ତ୍ୱ ଆଲୋଚନା । ଇମିତି ସ୍ୱଭାବ ଥିଲା ସିଦ୍ଧାର୍ଥଙ୍କର । ଗୌତମ ବୁଦ୍ଧଙ୍କର । ତେଣୁ ତାଙ୍କ ବାପମାଆ ସିଦ୍ଧାର୍ଥଙ୍କୁ କିଶୋର ବୟସରୁ ବିବାହ କରାଇ ଦେଇଥୁଲେ ଯଶୋଧାରାଙ୍କ ସହିତ । ସିଦ୍ଧାର୍ଥ ଏକ ପୁତ୍ର ସନ୍ତାନର ଜନକ ମଧ୍ୟ ହୋଇଥିଲେ । କିନ୍ତୁ ପିତା, ମାତା, ସ୍ତ୍ରୀ, ପୁତ୍ର କେହି ତାଙ୍କୁ ବାନ୍ଧି ରଖି ପାରି ନଥିଲେ । ଘର ଛାଡ଼ି ପଳାଇଥିଲେ । ପରବର୍ତ୍ତୀ କାଳରେ ବୈରାଗ୍ୟ ସହିତ ତାଙ୍କର ବିବାହ ହୋଇଥିଲା । ବୈରାଗ୍ୟ ଗର୍ଭରୁ ଜାତ ହୋଇଥିଲେ ବହୁ ସାନ । ‘କାମନାର ବିନାଶରେ ଦୁଃଖର ବିନାଶ’–ଏହି ସିଦ୍ଧାନ୍ତ ହିଁ ସିଦ୍ଧାର୍ଥଙ୍କର ବହୁ ସନ୍ତାନଙ୍କ ମଧ୍ୟରୁ ଗୋଟିଏ । ‘ଅହିଂସା ପରମୋ ଧର୍ମ’–ଆଉ ଏକ ସନ୍ତାନ ।

 

ସେହିଭଳି ଅଭିରାମ । ମାଆ ରାଧାଦେବୀ ପୁଅର ମନକୁ ସଂସାର ଭିତରେ ବାନ୍ଧି ରଖୁବାକୁ ଚାହିଁଲେ । ‘ଅଭି’ କି କହିଲେ, ବାପା ତ ଚାଲିଗଲେ । ମୋ ସଂସାର ଉଜୁଡିଗଲା । ଉଜୁଡା ସଂସାର ସଜାଡିବା ପାଇଁ ତୁ ହିଁ ଏକମାତ୍ର ଭରସା । ତୁ ବାହା ହେଲେ ହିଁ ମୋର ସାହା ହୋଇ ପାରିବୁ । ରାହା ହୋଇ ରହିବୁ ।

 

ଅଭି ମାଆକୁ କହିଲେ, ‘ବିବାହ ବେଳେ ବାଜା ବାଜିବ ତ ?’ ମାଆ ମନେ ମନେ ଭାବିଲେ, ଅଭି ରାଜି । ପୁଅକୁ କହିଲେ, କେତେ ବାଜା ବାଜିବ । ହୁଳ ହୁଳି ପଡ଼ିବ । ‘ହଁ ବାହା ହେବି’ ବୋଲି କହିଦେଲେ ଝିଅ ବୁଝିବି, ବାଜାବାଲାକୁ ଏବେଠୁ ବହିନା ଦେଇଦେବି ।

 

ଅଭିରାମ କହିଲେ, ‘ତୁ ଯେଉଁ ବିବାହ କଥା କହୁଚୁ, ସେଥ୍ରେ ଥରେ କେବଳ ବାଜା ବାଜିବ, ହୁଳ ହୁଳି ପଡ଼ିବ । ମୁଁ ସେଥ‌ିରେ ରାଜି ନୁହଁ । ତୁ ମୋ କଥାରେ ରାଜି ହୋଇ ଯା’ ଦେଖି, ମୁଁ ଇମିତି ବିବାହ କରିବି ଯେ ପ୍ରତିଦିନ ବାଜା ବାଜୁଥି, ହୁଳହୁଳି ପଡ଼ୁଥି । ଇମିତି ପକ୍କାବେଦୀ କରିଦେବେ ଯେ ଚିରଦିନ ଅଭଙ୍ଗା ହୋଇ ରହିଥ‌ିବ । ସେ ବେଦୀରେ କେତେ ବରକନ୍ୟା ଆସି ବସିବେ, ରସିବେ,ରସେଇବେ । ରସାନନ୍ଦ ପାନ କରି ବିଭୋଳ ହେବେ । କେତେ ଆସିବେ, କେତେ ଯିବେ । ‘ବଡ଼ଭକ୍ତ’ବୋଲି ବାହାଦୂରୀ ନେବେ । କେତେ ଦିନ ରହି ଦୂରେଇ ଯିବେ । ଇମିତି ଆସୁଥୁବେ,ଯାଉଥ‌ିବେ, ଆନନ୍ଦାଶ୍ରମରେ କେବଳ ଆନନ୍ଦର ବିବାହଭୋଜି ଲାଗି ରହିଥ‌ିବ ।

 

ମାଆ ରାଧାଦେବୀ ନୀରବ । ପ୍ରଶ୍ନୋତ୍ତର ଶେଷ । ହୁଏତ ରାଧାଦେବୀ ସେଦିନ ମର୍ମେ ମର୍ମେ ଅନୁଭବ କରିଥିବେ, ଯାହାକୁ ସେ ପିଲାଟିଦିନୁ ‘ବିନୋରୀ’ ବୋଲି ଡାଲି ଆସଚନ୍ତି, ସେ କେବଳ ତାଙ୍କର ନୁହଁନ୍ତି, ସବୁରି । ସମସ୍ତଙ୍କର ଠାକୁର । ସମସ୍ତଙ୍କ ଅଭିରାମ । ଶ୍ୟାମଳ, କୋମଳ ନୟନାଭିରାମ । ସ୍ଵୟଂ ରାମ ଓ କୃଷ୍ଣ ।

 

ପୁରୀ ଜିଲ୍ଲା I ଥାନା ବ୍ରହ୍ମଗିରୀ । ଲୁଣାନଦୀ କୂଳରେ ଏକ ଛୋଟ ଗାଁ । କରମଳା (ଭୋଇପଡା) । ଏଠି ସତ୍ୟବାଦୀ ପଟ୍ଟନାୟକଙ୍କ ଘର । (ବାବାଜୀ ଚକ୍ରଧର ଦାସ ‘ସତ୍ୟବାଦୀ ପୃଷ୍ଟି ବୋଲି ଉଲ୍ଲେଖ କରିଛନ୍ତି । ) ସତ୍ୟବାଦୀ ଥିଲେ ଜଣେ ପଣ୍ଡିତ । ଜ୍ୟୋତିର୍ବିଦ । ତ୍ରିକାଳଜ୍ଞ । ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ସେ ଗଣନା-ଦର୍ପଣରେ ଦେଖ ପାରୁଥିଲେ । ସତ୍ୟବାଦୀଙ୍କ ସହଧର୍ମିଣୀ ରାଧା ଦେବୀ । ଧର୍ମପ୍ରାଣ । ନିଷ୍ପାବତୀ । ଏହି ରାଧାଦେବୀଙ୍କ ତୃତୀୟ ଗର୍ଭରୁ ଅଭିରାମଙ୍କ ଜନ୍ମ । ୧୯୦୪ ଜାନୁଆରୀ ୧୮ । ସେଦିନ ମାଘ ମାସ । ତ୍ରିବେଣୀ ଅମାବାସ୍ୟା । ଠିକ୍ ଏହାର ପୂର୍ବଦିନ ରାଧାଦେବୀ ସ୍ଵପ୍ନରେ ଦେଖିଥିଲେ ଏକ ଅପୂର୍ବ, ଲାବଣ୍ୟମୟ ରୂପ । ଗଳାରେ ବୈଜୟନ୍ତୀ ମାଳା । ଶିଖିଚୂଳ । ଦେହରେ ପୀତାମ୍ବର । ମହାମୁନି କଶ୍ୟପଙ୍କ ସ୍ତ୍ରୀ ଅଦିତି ପୟୋବ୍ରତ କରି ପାଇଥିଲେ ଭଗବାନଙ୍କୁ ବାମନ ରୂପରେ । ସେହିଭଳି ରାଧାଦେବୀ ପୟୋବ୍ରତ କରି ପାଇଲେ ମହାପୁରଷ ଅଭିରାମଙ୍କୁ ।

 

ସତ୍ୟବାଦୀଙ୍କ ସମ୍ପର୍କୀୟ ଅଜୁର୍ନ ପଟ୍ଟନାୟକ । ସ୍ତ୍ରୀ ସୁବ୍ରତା । ନିଃସନ୍ତାନ । ଭଗବାନଙ୍କ ନିର୍ଦ୍ଦେଶରେ ବସୁଦେବ ଦେବକୀଙ୍କ ଅଚେତ ଅବସ୍ଥାରେ, ଶ୍ରୀକୃଷ୍ଣ ଜନ୍ମ ହେବାମାତ୍ରେ ନେଇଯାଇଥିଲେ ନନ୍ଦଙ୍କ ଘରକୁ । ଯଶୋଦାଙ୍କ କୋଳରେ ଭଗବାନଙ୍କୁ ରଖି ଦେଇ ଆସିଥ୍‌ଲେ । ତେଣୁ କିଶୋର ବୟସ ଯାଏଁ ଶ୍ରୀକୃଷ୍ଣ ବଢ଼ିଥିଲେ ନନ୍ଦ ଯଶୋଦାଙ୍କ ପୁଅ ଭାବରେ । ଏଠି ମଧ୍ୟ ସେହି ସଂଯୋଗ । ସେହି ଅବସ୍ଥା । ଅର୍ଜୁନ ଓ ସୁବ୍ରତାଙ୍କ ପାଳିତ ପୁତ୍ର ହୋଇଥିଲେ ଅଭିରାମ । ଦୁଇଘରର ପୁଅ ହୋଇ ଚାରିଜଣଙ୍କ ସ୍ନେହ ପାଇ ଆସିଥିଲେ ସେ ।

 

ଅଭିରାମ ଭୂମିଷ୍ଠ ହେବାର ଚତୁର୍ଥ ଦିବସରେ ଜଣେ ସାଧୁ ପହଞ୍ଚିଲେ ସତ୍ୟବାଦୀଙ୍କ ଘରେ । ତାଙ୍କର ଲକ୍ଷ୍ୟ ଥିଲା ଭଗବାନଙ୍କୁ ମଣିଷ ରୂପରେ ଦର୍ଶନ କରିବା । ପିଲାଟିକୁ ଦେଖି କହିଥିଲେ, ଇଏ ସାଧାରଣ ମଣିଷ ନୁହଁ, ଅସାଧାରଣ । ‘ଅଭିରାମ’ ଏହି ସାଧୁଦତ୍ତ ନାମ । ଭଗବାନଙ୍କ ଅପୂର୍ବ ଦିବ୍ୟଲୀଳା । ନିଜେ ଆସିଥିଲେ, ନିଜର ନାମକରଣ ଲାଗି । ଭଗବାନ ନିଜ ସହିତ ନିଜେ ଖେଳନ୍ତି–ନାନା ଭାବରେ । ନାନା ରୂପରେ । ଏ ଖେଳ ଲାଗି ରହିଛି ସୃଷ୍ଟିର ଆରମ୍ଭରୁ-। ଇଏ ନିତ୍ୟଲୀଳା । ଅନିତ୍ୟର ନିତ୍ୟ ଅଭିନୟ । ସେ କେତେବେଳେ କାହା ଦେଇ ଆସଛି, କେତେବେଳେ କାହା ସହିତ ଖେଳନ୍ତି, କାହାକୁ ହସାନ୍ତି, କନ୍ଦାନ୍ତି–ତାହା କଳନା କରିବା ଅସମ୍ଭବ । ସେ ନିଜେ ହିଁ ଭକ୍ତ । ନିଜେ ହିଁ ଭଗବାନ । ତେଣୁ ମହାମହିମ ଯୀଶୁ ଖ୍ରୀଷ୍ଟ ପ୍ରଥମେ କହିଥିଲେ, ମୁଁ ଭଗବାନଙ୍କ ପୁତ୍ର । ପରବର୍ତ୍ତୀ କାଳରେ କହିଥିଲେ, ପିତା ଯିଏ, ପୁତ୍ର ସିଏ । ଶ୍ରୀରାମକୃଷ୍ଣ ପରମହଂସ ମଧ୍ୟ କହିଥିଲେ, ଯିଏ ରାମ, ସିଏ କୃଷ୍ଣ । ମୁଁ ସେହି ରାମକୃଷ୍ଣ । ସେହିଭଳି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ । ‘ଠାକୁର’, ‘ଅଭିରାମ’, ‘ପରମହଂସ’–ସେହି ଏକ । ଅଭିନ୍ନ ତତ୍ତ୍ୱ । ଭେଦ ନାହିଁ, ଅଭେଦ । ଜୀବ ଓ ଈଶ୍ୱର ପରସ୍ପରର ପରିପୂରକ । ଅଭେଦ୍ୟ । କିନ୍ତୁ ମାୟାଗ୍ରସ୍ତ ମନୁଷ୍ୟ ମନରେ ସବୁବେଳେ ସେହି ସନ୍ଦେହ, ସେହି ପ୍ରଶ୍ନ—ମାନବ ମାଧବ ହେବ କିପରି ? ଅସମ୍ଭବ । ତେଣୁ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଚନ୍ତି–‘‘ ଅବଜାନନ୍ତି ମାଂ ମୂଜା ମାନୁଷୀ ତନୁମାଶ୍ରିତମ୍ । ପରଂଭାବ ମଜାନନ୍ତେ ମମ ଭୂତମହେଶ୍ଵରମ୍ । (୯/୧୧)

 

ଅର୍ଥାତ୍–ମୁଁ ସର୍ବବିଦ୍ୟମାନ । ସମଭାବାପନ୍ନ । ତଥାପି ଲୋକେ ଭାବନ୍ତି ଯେ ମୁଁ ଏ ଦେଶ ବା ସେ ଦେଶର ଲୋକ । ମୁଁ ସମଗ୍ର ଜୀବ-ଜଗତରେ ଆତ୍ମା । ତଥାପି ଲୋକେ ଭାବନ୍ତି, ମୁଁ ସେ ଦେଶ, ସେ ଭାଷାର ଲୋକ ହୋଇଥିବାରୁ ନିଜ ଦେଶ ଓ ଭାଷା ଏବଂ ନିଜ ଆତ୍ମୀୟ ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ପ୍ରତି ପକ୍ଷପାତ କରୁଚି । କ୍ରୋଧବଶତଃ ଅନ୍ୟର ଅନିଷ୍ଟ କରୁଚି । ଲୋକଙ୍କ ମନର ପ୍ରକୃତି ଯାହା, ସେ ସବୁ ମୋ ପ୍ରତି ଆରୋପ କରିଥାଆନ୍ତି । ଯେ ହେତୁ ସେସବୁ ଗୁଣ ନିଜଠି ରହିଛି, ତେଣୁ ମୋର ମଧ୍ୟ ସେ ସବୁ ଗୁଣଥବ ବୋଲି ଅଜ୍ଞାନ ଯୋଗୁଁ ବିଶ୍ୱାସ କରନ୍ତି । ସେମାନେ କୌଣସି ମୁର୍ତିକି ଦେଖିଲେ, ଏହା ଭଗବାନଙ୍କ ମୁଭି ମନେ କରି ହାତଯୋଡି ଭକ୍ତିର ସହିତ ପୂଜା କରିଥାଆନ୍ତି । ମୂର୍ତ୍ତି ଭାଙ୍ଗିଯିବା ମାତ୍ରେ ଭାବନ୍ତି,ଭଗବାନ ଅନ୍ତର୍ଦ୍ଧାନ ହୋଇଗଲେ । ସେମାନେ ମତେ ସାକାର ତଥା ସାଧାରଣ ମଣିଷଟିଏ ଭାବି–ମଣିଷ ଯାହା କରେ ତାହା କରୁଚି ବୋଲି ଭାବିଥାଆନ୍ତି । ଏହି ଭୌତିକ ଜ୍ଞାନ ହିଁ ସତ୍ୟଜ୍ଞାନଠାରୁ ସେମାନଙ୍କୁ ଦୂରେଇ ରଖିଥାଏ ।

Image

 

ବାଳୁଙ୍ଗା ଅଭିରାମ

 

ନିଜ ସ୍ୱଭାବ ସମ୍ପର୍କରେ ଠାକୁରେ ଲେଖୁଛନ୍ତି–‘ଏଡେ ବାଳୁଙ୍ଗା ଯେ ଅଭିରାମ ବାଇ । ମାତା ପିତାଙ୍କୁ ଡାକେ ଭଉଣୀ ଭାଇ ।’’ ଜୀବ ପ୍ରଭୁଙ୍କ ସହିତ ଏକାକାର ହୋଇଗଲେ, ତା’ମୁହଁରୁ, ତା’ଲେଖନୀରୁଏହିଭଳି ‘ଭାବ’ରସ୍ରୋତଛୁଟେ । ଭାବର ପ୍ଳାବନରେ ସବୁ ପାବନ । ପ୍ରକାଣ୍ଡ ବୃକ୍ଷଠୁ ଆରମ୍ଭକରି କାଠିକୁଟା ପର୍ଯ୍ୟନ୍ତ ଭାବର ପ୍ରଖର ସ୍ରୋତରେ ଭାସି ଭାସି ଯାଆନ୍ତି ଅନନ୍ତ ମହୋଦଧିରେ ଲୀନ ହେବାପାଇଁ । ନିଶ୍ଚିହ୍ନ ହେଇଯିବା ଲାଗି । ନିଶ୍ଚିନ୍ତ ହେବାପାଇଁ ।

 

‘ସତ୍ୟ ନାରାୟଣ ହିଁ ମୋର ସ୍ଵାମୀ । ତାଙ୍କ ବ୍ୟତୀତ ମୁଁ ଅନ୍ୟ କୌଣସି ଦେବ ଦେବୀଙ୍କୁ ଜାଣେନା । ସେ ଯେଣୁ ମୋର ସ୍ଵାମୀ ତେଣୁ ମୁଁ ସ୍ଵାମୀଙ୍କର । ସଂସାରରେ କାହାକୁ ମୋର ଡର ଭୟ ନାହିଁ । ମୁଁ କାହାକୁ ସ୍ତବ କରୁନି କି କାହାକୁ ନିନ୍ଦା କରୁନି । ସମସ୍ତେ ମୋର ଭାଇ ଭଉଣୀ । ମା’କୁ ପତ୍ନୀକି ଯିଏ ଭଉଣୀ, ବାପକୁ ଭାଇ ବୋଲି ଡାକୁଚି, ସେ ବାଳୁଙ୍ଗା ନୁହଁ ତ ଆଉ କଣ ? ସ୍ତ୍ରୀ, ପୁରୁଷ, କ୍ଲବ–ତିନି ଲିଙ୍ଗ ଅଭିରାମ ଦୃଷ୍ଟିରେ ଏକ ଓ ସମାନ । ସେହିଭଳି ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ଆଦି ସବୁ ଧର୍ମ. ସବୁ ସମ୍ପ୍ରଦାୟ, ସବୁ ମତ ସମାନ । ମାନ ଅପମାନରେ ମନ ନାହିଁ । ସ୍ଵର୍ଗ, ନର୍କ କଣ ସେ ଜାଣେନା । ଧନ ରତ୍ନରେ ଅଭିରାମର କୌଣସି ପ୍ରୟୋଜନ ନାହିଁ ।

 

 

ସାଂସାରିକ ଦୃଷ୍ଟିରୁ ସେ ଦରିଦ୍ର । କିନ୍ତୁ ସତ୍ୟନାରାୟଣଙ୍କୁ ସେ ଗଣ୍ଠିଧନ କରିଥିବାରୁ ଅଭିରାମ ସବୁଠୁ ବଡ଼ ଧନୀ । ପାଠ ପଢ଼ିଲେ ପଣ୍ଡିତ ହୋଇଥାଆନ୍ତି, କିନ୍ତୁ ଅପଢ଼ା ପଢ଼ି ଅଭିରାମ ମୁର୍ଖମତି । ‘ଲେଖା’କୁ ନ ପଢ଼ି ସେ ଅଲେଖ ବା ଅଲେଖାକୁ ପଢ଼ି ପଢ଼ି ସେ ବାଇ ।

 

ଅତି ସୁନ୍ଦର, ସରଳ ସାବଲୀଳ ଭାଷାରେ ‘ଶ୍ରୀ ଅଭିରାମର ସ୍ୱଭାବ’’ ପଦ୍ୟରେ ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି–‘‘ ଅଭିରାମ ମନେ ଥାଉ ବା ନଥାଉ|ସ୍ୱାମୀଙ୍କ ମନରେ ଅଭିରାମ ଥାଉ ।’’

 

୪୮ଟି ଛୋଟ ବଡ଼ ଗ୍ରନ୍ଥ ଏବଂ ୫୬୩ଟି ଜଣାଣ, ଭଜନର ରଚୟିତା ଠାକୁର ଅଭିରାମ ପରମହଂସ ସ୍ଵୟଂ ଥିଲେ ସତ୍ୟନାରାୟଣ । ସତ୍ୟ ଓ ନାରାୟଣଙ୍କ ଜୀବନ୍ତ ପ୍ରତୀକ । ରାମାନନ୍ଦ ଓ ରାୟ ରାମାନନ୍ଦ ଦୁଇ ବନ୍ଧୁ । ଅଭିରାମ ରାମାନନ୍ଦଙ୍କ ବଂଶୋଦ୍ଭବ । ‘କଳି ଭାଗବତ’ ଗ୍ରନ୍ଥରେ ସେ ସତ୍ୟର ଉଦ୍‌ଘାଟନ କରିବାକୁ ଯାଇ ଏକବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏହି ଗ୍ରନ୍ଥର ଅନ୍ତର୍ନିହିତ ତତ୍ତ୍ୱକୁ ଉପଲବ୍ଧି ନ କରି ତତ୍କାଳୀନ ଶାସକ ବ୍ରିଟିଶ ସରକାର ତାଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରିଥିଲେ । ବ୍ରିଟିଶ ଇଜ୍‌ଲାସରେ ଅଢେଇ ମାସ ଧରି (୨୯.୯.୩୪ ରୁ ୧୩.୧୨.୩୪ ପର୍ଯ୍ୟନ୍ତ) ଅଭିଯୋଗର ବିଚାର ଚାଲିଥିଲା । ଅଦାଲତରେ ଏହି ବିଚାର ବେଳେ ଠାକୁରେ ଉପସ୍ଥିତ ହେଉଥିଲେ । ତାଙ୍କ ଦର୍ଶନ ପାଇବା ପାଇଁ ଅଦାଲତ ବାହାର ଭିତର ଲୋକରଣ୍ୟ ହୋଇ ପଡ଼ୁଥିଲା । ହାକିମ ଥିଲେ ଡିକ୍ସନ ସାହେବ । ଜଣେ ସାଧୁ ସନ୍ଥ ସନ୍ନ୍ୟାସୀଙ୍କ ବିରୁଦ୍ଧରେ ରାଜଦ୍ରୋହ ଅଭିଯୋଗ ! ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଇଏ ଏକ ଅପୂର୍ବ ଐତିହାସିକ ମାମଲା । ପଣ୍ଡିତ ନୀଳକଣ୍ଠ ଦାସ, ବିଶ୍ୱନାଥ ଦାଶ, କଲିକତା ବିଶ୍ୱବିଦ୍ୟାଳୟ ଓଡିଆ ସାହିତ୍ୟ ପ୍ରଫେସର ପଣ୍ଡିତ ବିନାୟକ ମିଶ୍ର ବିଶେଷଜ୍ଞ ଭାବରେ ସାକ୍ଷ୍ୟ ଦେବାକୁ ଆସୁଥିଲେ । ପୁରୀର ବିଶିଷ୍ଟ ଓକିଲ ଜଗବନ୍ଧୁ ସିଂହ ଠାକୁରଙ୍କ ଲେଖାର ଅର୍ଥ କରିବାକୁ ଆସୁଥିଲେ । ‘ନ୍ୟୁ ଓଡ଼ିଶା’’ ଏବଂ ଦୈନିକ ପତ୍ରିକା ‘ଆଶା’ର ସଂପାଦକ ଶ୍ରୀ ଶଶିଭୂଷଣ ରଥଙ୍କ ପ୍ରେସରେ ‘କଳି ଭାଗବତ’ ଛପା ଯାଇଥିବାରୁ ଶ୍ରୀରଥଙ୍କୁ ମୁଦାଲାଭୁକ୍ତ କରାଯାଇଥିଲ । । ଶ୍ରୀ ରଥଙ୍କ ତରଫରୁ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଏବଂ ଠାକୁରଙ୍କ ତରଫରୁ ମକଦ୍ଦମା ଲଢୁଥିଲେ ଶ୍ରୀ ରମଣ ମୂର୍ତ୍ତି । ପରିଶେଷରେ ଠାକୁରଙ୍କୁ ରାଜଦ୍ରୋହୀ ବୋଲି ଦୋଷୀ ସାବ୍ୟସ୍ତ କରାଗଲା । ଏକବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହେଲା । ମାତ୍ର ତାଙ୍କୁ ସାଢେ ସାତମାସ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିଥିଲା ।

 

ପରବର୍ତ୍ତୀ କାଳରେ ପଣ୍ଡିତ ନୀଳକଣ୍ଠ ଦାସ ଲେଖୁଥିଲେ–(‘ଗୀତା ପ୍ରବେଶ’ ୩୨୦ ପୃଷ୍ଠା ଦ୍ରଷ୍ଟବ୍ୟ) ।

 

‘...ବେଶ୍ ଲକ୍ଷ୍ୟ କରିବା କଥା । ସେଇ ଯୁବକ ସନ୍ନ୍ୟାସୀ ଦିନ ପରେ ଦିନ କଚେରୀରେ ଠିଆ ହୋଇଚନ୍ତି । ଦୀର୍ଘକାଳ ଜେଲ ଯିବେ ବୋଲି ଜାଣନ୍ତି । ମାତ୍ର ମୁଖରେ ସର୍ବଦା ସେଇ ସ୍ୱଚ୍ଛନ୍ଦ ସ୍ମିତ ରେଖା । ପରିଧାନରେ କଷାୟ ପଟ୍ଟବସ୍ତ୍ର ଓ ଦୁଇଟି କଠଉ । ଗୋଟାଏ ବେଳେ କଚେରୀରୁ ଫେରି ଦୁଇଖଣ୍ଡ ରୁଟି ଖାଆନ୍ତି । ଲୋକଟିକୁ ଦେଖ‌ିଲେ ଆଦର ତଥା ଭକ୍ତ ମନକୁ ହୁଏ ।

 

‘‘ବ୍ୟକ୍ତିତ୍ୱବାନ ମନସ୍ୱୀ ସେ ଯୁଦକ ସାଧୁଟି ମନରୁ ଯିବାର ବସ୍ତୁ ନୁହେଁ । ବିପଦ ହିଁ ଯୋଗୀର ତଥା ମନୁଷ୍ୟର ପରୀକ୍ଷାସ୍ଥଳ । ଉତ୍କଳର ସଂସ୍କୃତି ଧାରାର ପ୍ରତୀକ, ଯଥାର୍ଥରେ ପୁରାଣ ପ୍ରବାହର ଅବତଂସ ।

 

‘ହେଲେ ହେଁ ଯୁବକ ସାଧୁ ଏ ଦେଶର ପରମ୍ପରାରେ ନିଜକୁ ମିଶାଇ ଦେଇଚନ୍ତି । ସେ ଲୋକଙ୍କର ଲୋକ; ଦର୍ପୀ, ଦାୟିକ ପଣ୍ଡିତ ଶିକ୍ଷିତଙ୍କ ଲୋକ ନୁହଁନ୍ତି । ଦେଶର ପଲ୍ଲୀ ତାଙ୍କର ରାଜ୍ୟ । ସେଠାରେ ତାଙ୍କ ମୁଖପଦ୍ମ ନିର୍ଗଳିତ ଜୀବ-ପରମ-ତତ୍ତ୍ୱ ତାଙ୍କ ସଙ୍କେତରେ ଶୁଣିବାକୁ ଲୋକେ ତୃଷିତ । ସେ ଏ ଭୂମିର ଧର୍ମନେତା । କାହାରି ଧର୍ମ ବା ବିଶ୍ଵାସରେ ବିରୋଧ ବା ବିରାଗ ତାଙ୍କର ନାହିଁ । ସେ ଏକା ଧର୍ମରେ, ଆଚାରରେ ଯଥାର୍ଥ ସାମ୍ୟ ଓ ସମାଧାନର ଜୀବନ୍ତ ବିଗ୍ରହ । ଏ ଦେଶ ସଂସ୍କୃତି ଏ ଯୁଗରେ ସେ ଉଦାହରଣ ମାତ୍ର ହେଲେ ହେଁ ମହୀୟାନ । ସାମ୍ୟ ଧର୍ମ ସମାଧାନର ଏହିପରି ଜୀବନ୍ତ ଓ ଜ୍ଵଳନ୍ତ ଜ୍ୟୋତିମାନେ ଏ ଦେଶ ସଂସ୍କୃତିର ଯଥାର୍ଥ ମେରୁଦଣ୍ଡ ।’’

 

‘କଳି ଭାଗବତ’ରେ ଠାକୁରେ କଳିମଞ୍ଜି ବୁଣିଥିଲେ ବୋଲି ବ୍ରିଟିଶ୍ ସରକାର କଳନା କରିଥିଲେ । ଏ ‘କଳି’ ହେଉଚି କେତୋଟି ଶବ୍ଦ । ଯଥା–ବ୍ରିଟିଶ, ବିଦେଶୀ, ପଞ୍ଚମ ଜର୍ଜ, ୟୁରୋପିଆନ, ମହାତ୍ମା, ମୋହନ, ଗୋରା, ପଲଟନ୍‌, ସ୍ୱରାଜ, ସତ୍ୟାଗ୍ରହ, ଅନ୍ୟାୟ ଇତ୍ୟାଦି । ‘କଳି ଭାଗବତ’ରେ ଠାକୁରେ ଲେଖୁଥିଲେ–

 

ପାଞ୍ଚ ମନଟି ଯା’କୁ କହି

ପଚିଶ ପ୍ରକୃତିଟି ଏହି

।।

ଏହିଟି ବିଦେଶୀ ଅଟନ୍ତି

ସ୍ୱରାଜ ଉଜାଡ଼ିଣ ଦ୍ୟନ୍ତି

।।

ଯେହୁ ଅଟେ ମହତ୍ ଆତ୍ମା

ସେହିଟି ଅଟଇ ମହାତ୍ମା

।।

ପଚିଶଙ୍କର ସଙ୍ଗେ ଖେଳି

ବ୍ରିଟିଶ ରାଜା ମହାବଳୀ

।।

ନିଷ୍କରେ ଯେଣୁ ନିଏ କର

ଅନ୍ୟାୟ ହେଉଚି ତାହାର

।।

ଯେତେକ ସତ୍ୟାଗ୍ରହୀ ଥିଲେ

ମହାତ୍ମା ସଙ୍ଗେ ସାଙ୍ଗ ହେଲେ

।।

ମହାତ୍ମାଙ୍କର ବାକ୍ୟ ଯେହି

ବିତଦେଶୀ ନ ମାନନ୍ତି କେହି

।।

ତେବେ ତ ଲାଗିବ କନ୍ଦଳ

ବିଶ୍ଵ କରିବେ ଆଦି ମୂଳ

ଲାଗିବ ଭାରତର ନାଟ

ନ ରହେ ଭାରତ ସମ୍ରାଟ

।।

ଯୁରୋପିଆନ୍ ଯିବେ ଛାଡ଼ି

ମୋହନ ସିନା ଦେବେ କାଢ଼ି

।।

ବିଦେଶୀ ହେଲେଣି ବିଶେଷି

ହାତରୁ ଯାଏ ଧନ ଖସି

।।

ବେଳ ହେଲାଣି ଆସି ଶେଷ

ବିଦେଶୀ ଯାନ୍ତୁ ଯେଝା ଦେଶ

।।

 

ଆଧ୍ୟାତ୍ମିକ ତତ୍ତ୍ଵର ପୁଟ ଦେଇ ଠାକୁରେ ସ୍ଵାଧୀନତା ସଂଗ୍ରାମର ଯେଉଁ ଚିତ୍ର ଆଙ୍କି ଥିଲେ, ବ୍ରିଟିଶ୍ ସରକାରଙ୍କ ପକ୍ଷରେ ତାହା ଦୃଷ୍ଟିକଟୁ ହୋଇ ପଡ଼ିଥିଲା । ‘କଳି ଭାଗବତ’ ବାଜ୍ୟାପ୍ତି ହେଲା । ସେ ଗୋରା ବିଚାରପତିଙ୍କ ଦ୍ୱାରା ରାଜଦ୍ରୋହୀ ସାବ୍ୟସ୍ତ ହେଲେ ।

Image

 

‘ସେ ତୋ’ର ନୁହ କି ମୋ’ର ନୁହଁ

 

‘ଅଙ୍କ ? ଗଣିତ ? ମୋ ଦେଇ ହେବନି । ଗୋଟିଏ ତ ଏକ । ଏକମେବ ଦ୍ୱିତୀୟ ନାସ୍ତି । ଏକରେ ପୁଣି ମିଶାଣ, ଫେଡ଼ାଣ, ଗୁଣନ ହରଣ–ଏସବୁ କାହିଁକି ? ଏକ ହିଁ ପୂର୍ଣ୍ଣ । ପୂର୍ଣ୍ଣମିଦଂ । ଗୁଣିଲେ, ଫେଡ଼ିଲେ–ସେହି ଏକ I ପରିପୂର୍ଣ୍ଣ ସେ ।’’

 

ରାମକୃଷ୍ଣ ପରମହଂସ ଏହି ଅଙ୍କ-ପଙ୍କରେ ଗୋଳେଇ ପୋଳେଇ ହେବାକୁ ଚାହିଁଲେ ନାହିଁ । ଅଙ୍କରେ ହିଁ ବସ୍ତାନୀ ବନ୍ଧା ହୋଇଗଲା । ଅବଧାନକୁ ସାବଧାନ କହି ପାଠପଢ଼ା ସାରିଦେଲେ । ଚାଟଶାଳୀ ତାଙ୍କୁ ବିଦାୟୀ ନମସ୍କାର ଜଣାଇଲା । ଯିଏ ବହୁ ଜନ୍ମ ଜନ୍ମାନ୍ତର ଧରି ସବୁ ପାଠ ପଢ଼ିସାରି ସଂସାରକୁ ଆସିଚି, ତା’ ପାଇଁ ଆଉ ପାଠ ? ରାମକୃଷ୍ଣ ତଥା କୃଷ୍ଣବଳରାମ ସାନ୍ଦିପନୀଙ୍କ ପାଖକୁ ଯାଇଥିଲେ, ନାଆଁକୁ ମାତ୍ର ଖଡିଛୁଇଁବା ପାଇଁ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଅଲଗା । ଏପରି ଗୁରୁଦକ୍ଷିଣା ଦେଇ ଆସିଲେ, ଯାହା କେହି ଦେଇନି, କିମ୍ବା ଦେଇ ପାରିବନି । ଧରି ଆସିଲେ ପାଞ୍ଚଜନ୍ୟ ଶଂଖ । ସେହ ଶଂଖ ହିଁ ମହାଭାରତ ଯୁଦ୍ଧର ସମସ୍ତ ତୁମୁଳ ଶବ୍ଦକୁ ସ୍ତବ୍ଧ କରି ପକାଇଥିଲା ।

 

ଅଭିରାମଙ୍କୁ ମାଆ ବାପା ଶ୍ରଦ୍ଧାରେ ଡାକୁଥିଲେ ‘ବିନୋରି’ । ଅର୍ଜୁନ ଓ ସୁବ୍ରତା ନନ୍ଦ ଯଶୋଦାଙ୍କ ଭୂମିକା ଗ୍ରହଣ କଲେ ଅଳ୍ପ କେତେବର୍ଷ । ମାତ୍ର ଦୁଇ ତିନିବର୍ଷ । ବିନୋରିର ବିନୋଦ ଦେଖିବା ପାଇଁ ଏ ଦୁହେଁ ରହିଲେ ନାହିଁ । ଡକାଡକି ହୋଇ ଦୁହେଁ ଆରପୁରକୁ ଚାଲିଗଲେ । ବିନୋରି ଏମାନଙ୍କୁ ମନେ ମନେ ବହୁତ ଝୁରିଲେ । ଝଡ଼ିବା, ଝରିବା ଓ ଝୁରିବା ମନୁଷ୍ୟ ଜୀବନର ଗୋଟିଏ ଗୋଟିଏ ଝୁଲଣ ଲୀଳା । ବିନୋରି (ଅଭିରାମ) ଫେରି ଆସିଲେ–ଦେବକୀଙ୍କ କୋଳକୁ । ନିଜ ମାଆ ରାଧା ଦେବୀ, ବାପା ସତ୍ୟବାଦୀଙ୍କ ପାଖକୁ ।

 

ଅର୍ଜୁନ ଓ ସୁବ୍ରତାଙ୍କ ଧନସମ୍ପତ୍ତି ଥିଲା । ବିନୋରି ତାଙ୍କରି ପାଖରେ ଅଲିଅଳରେ ବଢ଼ିଥିଲେ । କିନ୍ତୁ ସତ୍ୟବାଦୀଙ୍କ ଅବସ୍ଥା ସେପରି ସ୍ୱଚ୍ଛଳ ନଥିଲା । ଜମିବାଡ଼ି ବହୁତ କମ୍ । ଗାଁ ଅବଧାନ ହୋଇ ଏବଂ କୋଷ୍ଠି ଜାତକ ଆଦି ଲେଖୁ ସାମାନ୍ୟ ରୋଜଗାର କରୁଥିଲେ । ସେଥ‌ିରେ ଦି’ ପ୍ରାଣୀଙ୍କ ଗୁଜରାଣ ମେଣ୍ଟି ଯାଉଥିଲା । ପରେ ସତ୍ୟବାଦୀ ଗଞ୍ଜାମର ଏକ ଗାଁରେ ଶିକ୍ଷକତା କରୁଥିଲେ । ରାଧାଦେବୀ ରହୁଥିଲେ ଗାଁ କରମଳାରେ । ସତ୍ୟବାଦୀ ଯାହା ପଠାଉଥିଲେ, ସେତିକିରେ ଚଳୁଥିଲେ ।

 

ଏବେ ବିନୋରିର ଭାର । ତାକୁ ମଣିଷ କରିବାକୁ ପଡ଼ିବ । ସତ୍ୟବାଦୀ ସାଙ୍ଗରେ ପୁଅକୁ ନେଇଗଲେ, ଗଞ୍ଜାମକୁ । ଚାଟଶାଳୀରେ ବିନୋରୀର ଖୁବ୍ ସୁନାମ । ଓଡିଆ ସାହିତ୍ୟ ଓ ସଂସ୍କୃତି ଆଦି ବିଷୟରେ ବିନୋରି ପ୍ରଥମ । କିନ୍ତୁ ଅଙ୍କ ବେଳକୁ ବିନୋଟି ସମସ୍ତଙ୍କ ପଛରେ । କରଣ ଘରର ପିଲା । ହିସାବ କିତାବ,ଜମି ମାପଜୁପ କାମ ପାଇଁ ଅଙ୍କ ନିହାତି ଦରକାର ।

 

ଓଡିଆ ସାହିତ୍ୟ, ସଂସ୍କୃତ ପାଠରେ କଣ ପଇସା ଆସିବ ? ସେ ସବୁ କାମ ବ୍ରାହ୍ମଣଙ୍କର । ବ୍ରାହ୍ମଣ ନିରକ୍ଷର ହେଲେ କଣ ହେଲା, ବାପା, ଅଜାଙ୍କଠୁ ଶୁଣି ଶୁଣି ପଚାଶ ଶହେ ଖଣ୍ଡେ ଶ୍ଳୋକ ମୁଖସ୍ଥ କରିଦେଲେ ହେଲା ରୋଜଗାର ! କିନ୍ତୁ ଅଭିରାମ କରିବ କଣ ? ସେ କର୍ମକାଣ୍ଡରେ ପ୍ରକାଣ୍ଡ ବୃକ୍ଷ ହେଲେ କଣ ହେବ, ଫଳ ଘର ଶୂନ୍ୟ ! ନିର୍ଗନ୍ଧାଇବ କିଂଶୁକା । ସତ୍ୟବାଦୀଙ୍କ ବଡ଼ ଚିନ୍ତା, ବିନୋରି ଗଣିତରେ ଉପରକୁ ଉଠିବ କିପରି ? ଅଙ୍କର ଆତଙ୍କ ତା’ ମନରୁ ଯିବ କିପରି ?

 

ଦିନେ ଅଙ୍କ କଷିବାରେ ବିନୋରିର ଭୁଲ ହେଲା । ବାପାଙ୍କଠୁ ମାଡ଼ ଖାଇଲେ । ଏହି ମାଡ଼ ହିଁ ବିନୋରିଙ୍କୁ ନିଜ ବାଟରେ ଚାଲିବା ପାଇଁ ଚେତେଇ ଦେଲା । ଏଇ ମାଡ଼ ହିଁ ତାଙ୍କୁ ମନେ ମନେ କହିଲା, ତୁ ତ ଆସିବୁ କୋଟି କୋଟି ଲୋକଙ୍କୁ ଗାଡରୁ ଉଦ୍ଧାର କରିବା ପାଇଁ, ମନର ଭଙ୍ଗାହାଡ଼କୁ ଯୋଡିବା ପାଇଁ, ଏଠି ବସି ବସି ବୃଥା ସମୟ ନଷ୍ଟ କରୁଚୁ କାହିଁକି ? ପାଠକୁ ତ ଛୁଇଁଦେଲୁ; ସେତିକି ଯଥେଷ୍ଟ । ଯା’ ଚାଲି ଯା’, ଯେଉଁଠୁ ଆସିବୁ ସେଇଠିକି ! ତୋ ପୀଠ, ତୋ ତୁଠ ତତେ ଅପେକ୍ଷା କରି ରହିଛି l ଘାଟରେ ନାଆ ଲାଞ୍ଚି ।

 

ଗଞ୍ଜାମର ଏକ ଅପନ୍ତରାଜାଗା । ସମସ୍ତଙ୍କ ଆଖ୍ୟାରେ ଧୂଳି ଦେଇ ବିନୋରି ପାଠପୀଠକୁ ଛାଡ଼ି ଚାଲିଗଲେ । ବାପା ସତ୍ୟବାଦୀ କିମ୍ବା ସାଙ୍ଗ ସାଥି କେହି ଜାଣି ପାରିଲେ ନାହିଁ, ବିନୋରି ଗଲା କୁଆଡେ ? ବିନୋରି ଚାଲି ଚାଲି ଚାଲିଆସିଲେ ନିଜ ଗାଁ କରମଳା । ଗାଁରେ ତାଙ୍କର ଦୁଇ ତିନିଚାରି ବଖରା ଘର । ପୁଅ ଆସିଚି ବୋଲି ରାଧାଦେବୀ ମଧ୍ୟ ଜାଣି ପାରିଲେ ନାହିଁ । ଗୋଟିଏ କୋଠରୀରେ ପଶି ବସି ରହିଲେ ସେ ଘର ଭିତରେ । ଭିତରୁ କବାଟ ବନ୍ଦ । ଏ ଘରଟିକୁ ରାଧାଦେବୀ କେବେ ଯାଆନ୍ତି ନାହିଁ । ଯିବା ଦରକାର ହୁଏନି ।

 

ସିଆଡ଼େ ବାପା ସତ୍ୟବାଦୀ ଓ ସାଙ୍ଗ ସାଥିମାନେ ବିନୋରି (ଅଭିରାମ)ଙ୍କୁ ଖୋଜିବାରେ ବ୍ୟସ୍ତ । ଗାଁର ଘଞ୍ଚବୁଦା, ଗାଡ଼ିଆ ପୋଖରୀ ଆଦି ସବୁଆଡେ ଖୋଜାଗଲା । କୌଣସି ଖୋଜ୍ ଖବର ମିଳିଲାନି । ସତ୍ୟବାଦୀ ନିରାଶ, ନିରୂପାୟ ହୋଇ ନିଜ ଗାଁ ଘରକୁ ଆସିଲେ । ସ୍ତ୍ରୀ ରାଧାକୁ ପଚାରିଲେ, ବିନୋରି ଘରକୁ ଫେରି ଆସିନି ତ ! ରାଧାଦେବୀଙ୍କ କାନ୍ଦବୋବାଳି କହିଲେ ନସରେ । ପୁଅ ଘରକୁ ଆସିଥିଲେ, ସିଏ ତ ଜାଣି ଥାଆନ୍ତେ ! କୁଉଠି କୂଅ ପୋଖରୀରେ ବୁଡି ଗଲାକି ! ଆଉ କୁଆଡେ ପଳେଇଲା କି ! ନାନା ଚିନ୍ତା ! ଘର ସାରା ଖୋଜା ସରିଲାଣି । ହଠାତ୍ କାହାର ଆଖ୍ୟାରେ ପଡ଼ିଲା, ଗୋଟିଏ ଘରର କବାଟ, ଭିତରୁ ବନ୍ଦ ! ବିନୋରି ବିନୋରି ବୋଲି ବାପ, ମାଆ ଓ ଗାଁ ଲୋକେ ବହୁତ ଡାକିଲେ । କବାଟ ବାଡେଇଲେ । ତଥାପି କୌଣସି ସ୍ଵର ଶବ୍ଦ ନାହିଁ ।

 

ଛପର ଘର । ସତ୍ୟବାଦୀ ଛାତ ଉପରକୁ ଉଠିଲେ । ଉପରୁ ବାଉଁଶ ଓ ନଡ଼ା ଉଲାଗିଲେ । ଦେଖିଲେ ବାଳକ ଅଭିରାମର ବିଶ୍ୱରୂପ । ଏହି ରୂପକୁ ଦେଖିଥିଲେ ଅର୍ଜୁନ, ମହାଭାରତ ଯୁଦ୍ଧବେଳେ, ଗୀତା ଗୀତ ହେବାବେଳେ । ବିନୋରି ଘର ଭିତରେ ବସିଚି ପଦ୍ମାସନରେ । ତା’ ମୁଣ୍ଡଟା ଆସି ଲାଗିଚି ଛାତକୁ । ପ୍ରକାଣ୍ଡକାୟ ତା’ ଶରୀର । ଧ୍ୟାନସ୍ଥ ଅଭିରାମ । ରାଧାଦେବୀଙ୍କ ଅଲିଅଳ ବିନୋରି । ଶୋକସନ୍ତପ୍ତ ସତ୍ୟବାଦୀ ପୁତ୍ରର ସତ୍ୟ ରୂପକୁ ଦେଖି ନିର୍ବାକ । ନିଷ୍ପନ୍ଦ । ଯେତିକି ଶୋକ, ସେତିକି ଅଶୋକ । ଆନନ୍ଦରେ ତାଙ୍କ ଆଖୁ ଧାର ଧାର ହୋଇ ଲୁହ ଝରିବାରେ ଲାଗିଲା ।

 

ଛାତରୁ ତଳକୁ ଓହ୍ଲାଇ ଆସିଲେ ସତ୍ୟବାଦୀ’ । ସ୍ତ୍ରୀ ରାଧା ଦେବୀଙ୍କୁ କହିଲେ, ସେ ‘ତୋ’ର’ ନୁହଁ କି ‘ମୋର’ ନୁହଁ । ପୟୋବ୍ରତ କରି ହେ ରାଧେ ! ତୁମେ ସ୍ଵୟଂ ବିଷ୍ଣୁଙ୍କୁ ପୁତ୍ର ରୂପରେ ପାଇଚ । ଗାଇଲେ–‘ନୁହନ୍ତି ମାନବ ଏ ଯେ ଭବଭୟହାରୀ । ଭାବିବା ଜନକୁ ଦୃଶ୍ୟ ନୁହନ୍ତି କାହାରି ।’’

 

‘କାତବ କାନ୍ତା କସ୍ତେ ପୁତ୍ର, ସଂସାରୋୟମତୀବ ବିଚିତ୍ର ।’’ ବିଚିତ୍ର ଏ ସଂସାର । କିଏ ସ୍ତ୍ରୀ,କିଏ କାହାର ପୁତ୍ର !’ ସବୁ ମାୟାର କାୟା ବିସ୍ତାର । ମୋହ ମାୟା ମିଦମ ହିତ୍ଵା । ପିତା ହେଲେ କଣ ହେଲା, ସତ୍ୟବାଦୀ ପୁତ୍ରର ବିଶ୍ୱରୂପ ଦେଖି ଭକ୍ତ ପାଲଟି ଯାଇଚନ୍ତି । ସ୍ତବ ପାଠ ଚାଳିଚି ସ୍ୱତଃସ୍ଫୁର୍ଣ ଭାବରେ । ଅଭିରାମଙ୍କ ଧାନ ଭାଙ୍ଗିଚି । ସେ ଲୁଚିବା ଛଳରେ ଘରର ଗୋଟିଏ କୋଣରେ ଠିଆ ହୋଇ ପଡ଼ିଚନ୍ତି ।

 

ଯେଉଁ କବାଟକୁ ବାଡ଼େଇ ବାପା ମାଆ ଓ ସାହି ପଡ଼ିଶା ନୟାନ୍ତ, ସେ କବାଟ ଆପେ ଆପେ ଖୋଲି ଯାଇଚି । ଦୌଡ଼ି ଯାଇଚନ୍ତି ରାଧାଦେବୀ ପୁଅ ପାଖକୁ । କୋଳାଗ୍ରତ କରି ନେଇ ବାହୁନି ବାହୁନି ସେ ଯାହା ସବୁ କହିଚନ୍ତି, ସିଏ ବି ‘ସ୍ତବ’ ପାଲଟି ଯାଇଚି । ହଜିଲା ବାଛୁରୀକୁ ଗାଈ ପାଇବା ମାତ୍ରେ ଚାଟିବା ଭଳି ରାଧାଦେବୀ ବିନୋରିକୁ ଆଉଁସା ଆଉଁସି କରିବାରେ ଲାଗିଚନ୍ତି । ବିନୋରି କେତେଦିନ ଧରି ଅଖୁଆ, ଅପିଆ ! ଧ୍ୟାନସ୍ଥ ଅବସ୍ଥାରେ ସେ ଯେପରି ଅମୃତପାନ କରି ଲାଗିଚନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ସବଳ । ଦେହରେ ଦୁର୍ବଳତାର କୌଣସି ଲକ୍ଷଣ ନାହିଁ । ଜ୍ୟୋତିର୍ମୟ ମୁଖମଣ୍ଡଳ । ତଥାପି ମାଆ ରାଧାଦେବୀଙ୍କ ଦୃଷ୍ଟିରେ ପୁତ୍ର ତାଙ୍କର ଶୁଷ୍କ । ମଳିନ । ପୁଅକୁ ଖୁଆଇ ପିଆଇ ସୁସ୍ଥ କରାଇଚନ୍ତି ସେ ।

 

ସତ୍ୟବାଦୀ ପ୍ରକୃତ ସତ୍ୟକୁ ଉପଲବ୍ଧି କଲେ । ମନେ ମନେ ଭାବିଲେ, ପୁଅକୁ ଆଉ ସେ ପାଠ ପଢ଼ିବା ପାଇଁ ବଳେଇବେ ନାହିଁ । ତାଙ୍କର ହୃଦ୍‌ବୋଧ ହେଲା ଯେ ପୁଅ ଅଭିନ୍ନ (ଅଭିରାମ) ଇଚ୍ଛା କଲେ, ସବୁ କରିପାରେ । ପାଠ ତା’ ପକ୍ଷରେ ଶୁଖୁଲା କାଠ ମାତ୍ର

Image

 

ବିନୋରିଙ୍କ ମୁଢ଼ି ଚୋରି ଲୀଳା

 

‘ଲହୁଣୀଚୋର, କ୍ଷୀରଚୋର ଏବଂ ପରିଶେଷରେ ‘ଚିତ୍ତଚୋର’’ ଭାବରେ ବାଳକୃଷ୍ଣଙ୍କ ଦୁର୍ନାମ । ଏହି ଦୁର୍ନାମ ହିଁ କୃଷ୍ଣ ଚରିତ୍ରର ସୁନାମ । ସବୁ ମହାପରୁଷଙ୍କ ବାଲ୍ୟସୁଲଭ ଚପଳତା ହିଁ ସେମାନଙ୍କର ବିଶେଷତ୍ୱ । ଭକ୍ତ ଏହି ଚପଳତାକୁ ବିଭିନ୍ନ ମାଧ୍ୟମରେ ଆସ୍ୱାଦନ କରି ଆନନ୍ଦ ଲାଭ କରିଥାଏ । ଏହି ଚରିତ୍ରକୁ ଯିଏ ଯେତେ ଆଲୋଚନା କରିଥାଏ, ତା ହୃଦୟ ସେତିକି ଆନନ୍ଦରସରେ ସିକ୍ତ ହୋଇ ଉଠେ । ‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ ।’’ ଭଗବାନଙ୍କୁ ଯିଏ ଯେଉଁ ଭାବରେ ଭଜନ କରେ, ଭଗବାନ ତାକୁ ସେହି ରୂପରେ ଅନୁଗ୍ରହ କରି ଥାଆନ୍ତି ।

 

ଶ୍ରୀକୃଷ୍ଣଙ୍କ ବ୍ରଜଲୀଳା ପରି ଅଭିରାମଙ୍କ ଅଭିନ୍ନ କରମଳା ବାଳ-ଲୀଳା । ସେ ପିଲାଦିନେ ଥିଲେ ମୁଢ଼ି ଚୋର । ଶ୍ରୀକୃଷ୍ଣ ମା’ ଯଶୋଦାଙ୍କଠୁ ଲବଣୀଚୋରି ଲାଗି ଗାଳି ଶୁଣୁଥିଲେ । ଏହି ଗାଳି ଥିଲା ଅବାବାକୁ ସାଧ୍ୟ କରିବା ଲାଗି । ଏହି ଗାଳିରେ ପରିପୂର୍ଣ ଥିଲା ବାତ୍ସଲ୍ୟରସ । ବିନୋରି ବା ଅଭିରାମଙ୍କ ଏହି ମୁଢ଼ି ଚୋରି ଲୀଳା ଥିଲା ଜଣେ ମୁଢ଼ିବାଲି (ଗୁଡ଼ିଆଣୀ)ଙ୍କୁ ବାତ୍ସଲ୍ୟ ରସରେ ଆପ୍ୟାୟିତ କରିବା ଲାଗି ।’’ତଥି ଉପରେ ତଥ୍ମାନ ଥୋଇ, ତଥି ଉପରେ ଉଠିଲେ ମାଧୋଇ’’ ଭଳି ସିଡ଼ି ଉପରେ ସିଡ଼ିମାନ ଡ଼େରି, ଭାଡି (ସଙ୍ଗା) ଉପରେ ଉଠିଲେ ବିନୋରି ।’’

ଭକ୍ତ ବାବାଜୀ ଶ୍ରୀ ଚକ୍ରଧର ଦାସ ଠାକୁରଙ୍କ ଚରିତାମୃତ ପୁସ୍ତକରେ ଏହି ମୁଢ଼ିଚୋରି ଲୀଳା ବର୍ଣ୍ଣନା କଲାବେଳେ ଆନନ୍ଦ-ବିଭୋର ହୋଇ ପଡ଼ିଚନ୍ତି ।

 

କରମଳା-ଭୋଇପଡ଼ା ଗାଁର ଘଟଣା । ଗାଁର ଜଣେ ଗୁଡ଼ିଆଣୀ । ମୁଢ଼ି ଉଖୁଡ଼ା ବିକି ଗୁଜରାଣ ମେଣ୍ଟାଏ । ଘରେ ସେ ଏକା । ଦିନଯାକ ଘରେ ରହେ । କେବଳ ଗାଧୁଆ ପାଧୁଆ ଲାଗି ବାହାରକୁ ଯାଏ । ଘର ମେଲା । ଏବକାଳ ଭଳି ଚୋରି ଡ଼କାୟତି ସେତେବେଳେ ନଥିଲା I ମଣିଷ ମନରେ ଥିଲା ପାପ ଭୀତି, ଈଶ୍ୱର ପ୍ରୀତି । ଏହି ଭୀତି ହୃଦୟରେ ଈଶ୍ୱର-ପ୍ରୀତିରୁ ସଂଭୂତ । ଗୁଡ଼ିଆଣୀ ଘରୁ ବାହାରିବା ମାତ୍ରେ ବିନୋରି (ଅଭିରାମ) ତା’ ଘରେ ପଶେ । ମୁଢ଼ି ଉଖୁଡ଼ା ଯାହା ପାଏ ଖାଏ । ଅଣ୍ଟିରେ ଥୋଡ଼ା ଭର୍ତ୍ତିକରେ । ବାହାରକୁ ଆସି ସାଙ୍ଗ ପିଲାଙ୍କୁ ବାଣ୍ଟେ । ମୁଢ଼ିବୁଢ଼ୀ ଘରକୁ ଆସି ଦେଖେ ମୁଢ଼ି ଉଖୁଡ଼ା ଘର ସାରା ବିଞ୍ଚିହୋଇ ପଡ଼ିଚି । ବଢ଼ାରୁ ଅଧାଅଧି ଗାଏବ । ବୋଧହୁଏ

 

ବିରାଡ଼ିର ଏ କାଣ୍ଡ ବୋଲି ଗୁଡ଼ଆଣୀ ମନେ ମନେ ଭାବେ । ବଢ଼ାଟା ତଳେ ଥିବାରୁ ସିନା ବିରାଡ଼ିର ଉତ୍ପାତ । ତା’ ଆରଦିନ ସେ ମୁଢ଼ି ଭର୍ତ୍ତି ବଢ଼ାକୁ ନେଇ ସିଡ଼ି ପକାଇ ଘର ଉପର ସଙ୍ଗା ବା ଭାଡ଼ି ଉପରେ ରଖୁଦିଏ । ନିଶ୍ଚିନ୍ତରେ ଯାଏ ପୋଖରୀକି ଗାଧୋଇବା ପାଇଁ । ବିନୋରି ଓର ଉଣ୍ଡି ଘର ଭିତରେ ପଶେ । ଦେଖେ, ମୁଢ଼ି ଉଖୁଡ଼ା ହାଣ୍ଡି ତଳେ ନ ରହି ରହିଚି ଭାଡ଼ି ଉପରେ । ସିଡ଼ି ଆଣି ବିଜୋରି ଭାଡ଼ି ଉପରକୁ ଉଠେ । ଆରାମରେ ମୁଢ଼ି ଓ ଉଖୁଡ଼ା ଖୁଆ ଚାଲେ I ତଳକୁ ମଧ୍ୟ କିଛିଟା ଫିଙ୍ଗାଯାଏ । ବିନୋରି ତଳକୁ ନ ଓହ୍ଲେଇ ସେହି ଭାଡ଼ି ଉପରେ । ବୁଢ଼ୀ ଘରକୁ ଆସି ଦେଖେ ଯଥା ପୂର୍ବଂ ତଥା ପର । ବିରାଡ଼ିଟା ତା’ ସହିତ ବାଦ ସାଧୁଚି ବୋଲି ବିରକ୍ତିରେ ସେ ମନେ ମନେ ରାମ୍ପୁଡ଼ି ବିଦାରି ହୁଏ । ଆଜି ତତେ ଦେଖି ଦେବି ବୋଲି କହି ଖଣ୍ଡିଏ ବାଡ଼ି ଆଣେ । ସିଡ଼ି ଆଣିବ ବୋଲି ଯାଏ । କିନ୍ତୁ ସିଡ଼ି ତା ଯାଗାରେ ନଥାଇ ଦେଖେ ସିଡ଼ି ପଡ଼ିଚି ଭାଡ଼ିକି । ହାତରେ ବାଡ଼ି ଧରି ବୁଢ଼ୀ ସିଡ଼ି ଉପରକୁ ଉଠିବା ମାତ୍ରେ ଭାଡ଼ି ଉପରୁ ଅଭିରାମଙ୍କ ତୁଣ୍ଡରୁ ଶୁଭେ ମ୍ୟାଉଁ ମ୍ୟାଉଁ ।

 

ବୁଢ଼ୀ ସିଡ଼ି ଉପରକୁ ଉଠୁଚି । କହୁଚି–ଆଜି ତୋର ଦଫା ରଫା କରିଦେବି । ଅଭିରାମ ଉପରେ ଥାଇ ବୁଢ଼ୀର ଆଖୁକୁ ଦେଖାଇ ମୂତନ୍ତି । ଏକେ ତ ବୁଢ଼ୀର ଆଖୁକୁ ଭଲ ଦେଖାଯାଏନା । ସେଥିରେ ପୁଣି ମୂତ ପଡ଼ି–ଦୁଇଟିଯାକ ଆଖି ବନ୍ଦ । ଉପରକୁ ଉଠି ଦେଖେ–ବିରାଡ଼ି ନୁହଁ–ଏଇଟା ମଣିଷ । ରାଧାର ପୁଅ ବିନୋରି । ତା’ ପାଟିରେ ମୁଢ଼ି ଉଖୁଡ଼ା । ବୁଢ଼ୀ କି ଚିଡ଼େଇବା ପାଇଁ ଖତେଇ ହୁଅନ୍ତି । ବୃଢ଼ୀ ଅଭିରାମକୁ ଧରିବାକୁ ଗଲାବେଳେ ଭାଡ଼ିରୁ ଡ଼େଇଁ ସେ ଚମ୍ପଟ । ସିଡ଼ିକୁ ଘୁଞ୍ଚାଇ ନେବାରେ ବୁଢ଼ୀ ରହେ ଭାଡ଼ି ଉପରେ । ବୁଢ଼ୀ ବଡ଼ ପାଟିରେ ଡ଼ାକନ୍ତି–ଆଲୋ ଏ ରାଧା, କୁଉଠି ଅଛୁ ଶୀଘ୍ର ଆ, ଦେଖ ତୋ ବିଜେରିର କାରବାରକୁ । ହୁଣ୍ଡା ଟୋକା । ମତେ ନିଇତି ଆସି ହଇରାଣ କରୁଚି । ମୁଢ଼ି ଉଖୁଡ଼ା ଗୋଟେ ବି ରଖୁନି । କେତେ ସହିବି । ଭାବିଥୁଲି— ବିରାଡ଼ି ଖାଉଚି–ଆଜି ଦେଖିଲି, ଇଏ ତୋ ପୁଅର ନାଟ !

 

ଅଭିରାମଙ୍କ ଘରକୁ ଲାଗି ଗୁଡ଼ିଆଣୀର ଘର । ଗରିବ ବୁଢ଼ୀ । ଅଭିରାମଙ୍କ ମାଆ ରାଧାଦେବୀ, କେତେବେଳେ ଚାଉଳ ଗଣ୍ଡେ ତ କେତେବେଳେ ପନିପରିବା ଦେଇଥାଆନ୍ତି । ବୁଢ଼ୀର ପାଟି ଶୁଣି ଦୌଡ଼ି ଆସନ୍ତା ରାଧା ଦେବୀ । ଦେଖନ୍ତି । ବୃଢ଼ୀ ଅଛି ଭାଡ଼ି ଉପରେ । ରାଧା,ପଚାରନ୍ତି ସିଡ଼ି ନ ପକାଇ ତୁମେ ଭାଡ଼ି ଉପରକୁ ଗଲ କିମିତି ? ବୁଢ଼ା କହେ, ସିଡ଼ି ଆଣି ପକା, ମୁଁ ତଳକୁ ଓହ୍ଲାଏ, ତୋ ପୁଅର ଗୁଣ ଗାଇବି । ରାଧା ଦେବୀ ସିଡ଼ି ଆଣି ଭାଡ଼ିକୁ ଡ଼େରନ୍ତି । ବୁଢ଼ୀ ତଳକୁ ଓହ୍ଲାଏ । କହେ, ଦେଖିଛ ରାଧା ! ଏ ବାଡ଼ିକୁ ଦେଖିଛୁ । ଏଥ‌ିରେ ତୋ ପୁଅର ମୁଣ୍ଡ ଫଟାଇ ଦେଇଥାଆନ୍ତି । ହାତଗୋଡ଼ ଭାଙ୍ଗି ଦେଇଥାଆନ୍ତି । ପିଲାଟା ଭାଡିରୁ ଡ଼େଇଁ ଖସିଗଲା । ନଇଲେ....

 

ବୁଢ଼ୀ ରାଧାଦେବୀଙ୍କୁ କହେ ତୋ ପୁଅଟାକୁ ଆକଟ କର । ଆଜି ମୋ ଘରେ ପଶି ମୁଢ଼ି ଖାଇଲା, କାଲି ଆଉ କା ଘରେ ପଶି ଆଉ କଣ ଚୋରି କରିବ । ମୁଁ ବୋଲି ଛାଡ଼ଦେଲି । ଆଉ କିଏ ହୋଇଥିଲେ,କଣ ଯେ କଣ ହୁଅନ୍ତାଣି । ଖାଲି ମୁଢ଼ି ତ ଖାଇଲା ନାହିଁ, ଇମିତି ଅସନା କାମ କଲା–ମୁହଁରେ ଧରି ହେଉନି । ଅସନା କାମ କଣ କଲା ବୋଲି ରାଧାଦେବୀ ପଚାରିବାରେ–ବୁଢ଼ୀ ଲୁଗାପଟାକୁ ଦେଖାଇ କହିଲା–ଦେଖ, ମୋ ଆଖୁକି ଦେଖାଇ ମୁତିଦେଲା । ଆଖୁ ବୁଜି ହୋଇଗଲା–ତା’ ସାଙ୍ଗକୁ ମୋ ଦିହସାରା ତୋ ପୁଅର ମୃତ ! ଛି,ଛି ।

 

ଯାହା ହେଉ ରାଧା ସେଦିନ ଅବସ୍ଥାକୁ ସମ୍ଭାଳି ନେଲେ । ବୁଢୀର ଯାହା କ୍ଷତି ହୋଇଚି, ତାକୁ ପୂରଣ କରିଦେବେ ବୋଲି କହିଲେ । ପୁଅକୁ ତିଆରିଲେ । ଇମିତି କାହାର ଚୋରି ହାରି କରିବୁନି ବୋଲି କହିଲେ । ଅଭିରାମ କହିଲେ, କଥା ଦେଉଚି, ଚୋରି କରିବନି କି ଦୁଷ୍ଟାମି କରିବିନି–କିନ୍ତୁ ଗୋଟିଏ କଥା ମୋର ରଖୁବ । କଥାଟି କଣ ବୋଲି ମାଆ ପଚାରିବାରେ, ଅଭିରାମ କହିଲେ–‘ମୁଁ ଗୋଟିଏ ଘର ଭିତରେ ତାଲା ବନ୍ଦ କରିଦେଇ ତିନିଦିନ ରହିବି । ମତେ କେହି ଡାକିବ ନାହିଁ । କବାଟ ଖୋଲିବାକୁ ଚେଷ୍ଟା କରିବନି । ତିନିଦିନ ପରେ ମୁଁ ନିଜେ ବାହାରି ଆସିବି ।’’

Image

 

ବାକି ତ କିଛି ନାହିଁ !!

 

ଅବୁଝା ପିଲାକୁ ବୁଝାଇଲା ଭଳି ତ ଠାକୁରେ ସବୁ ବୁଝେଇ ଦେଇ ଯାଇଚନ୍ତି । ବାକି ତ କିଛି ନାହିଁ, ତଥାପି ‘ତାଙ୍କୁ’ ଲୋକେ ବୁଝନ୍ତୁ ବୋଲି ଆମେ ଲେଖୁଚୁ । ସେ ଗୀତରେ କହିଚନ୍ତି, ଗାଇଚନ୍ତି, ଆମେ କେବଳ ତାଙ୍କର ଗାହାଣ ବା ଗାଆଣ ସାଜିବୁ । ସେ ଅପ୍ରକଟରେ ଥାଇ ବୋଲ୍ ଡାକିବାରେ ଲାଗିଚନ୍ତି, ଆମେ ତାଥେଇ ତାଥେଇ ନାଚିବାରେ ଆନନ୍ଦ ପାଉଚୁ । ନିଜେ କୁଉଠୁ ଆସିଲେ, କୁଉଠିକି ଗଲେ, ଯିବା ପରେ ସେ କୁଉଠି ରହିଚନ୍ତି–ସବୁ ତାଙ୍କ ସାହିତ୍ୟରେ ସାଇତା ହୋଇ ରହିଛି । ନିଜ ବଂଶାବଳୀଠୁ ଆରମ୍ଭ କରି, ନିଜର ଚରିତ୍ର, ନିଜର ନାମ ଧାମ, କାମ, ପ୍ରେମ, ନୀତି, ପ୍ରୀତି, ଗତି, ପ୍ରକୃତି ସବୁ ତାଙ୍କ ଲେଖା କୋଥଳିରେ ଠୁଳ । ସେ, ଏପରି ବଟୁଆ ସଜାଡି ଦେଇ ଯାଇଚନ୍ତି, ସେଥିରେ, ଗୁଆ, ପାନ, ଚୂନ, ଅଳେଇଚ, ଲବଙ୍ଗ, ଗୁଆକାତି ସବୁବେଳ ପାଇଁ ମହଜୁଦ । ବଟୁଆ ଫିଟାଅ, ଯାହାର ଯାହା ଇଚ୍ଛା, ସାଦାପାନ, ଗୁଣ୍ଡିପାନ, ନିଜେ ନିଜେ ସଜାଡ଼ି ଖାଅ । ଖାଲି ଖାଇ ଦେଲେ ହେବନି, ନିଜକୁ ମଣିଷ ଭଳି ସଜାଡ଼ । ‘ମୁଁ ତ ଅମଣିଷ ନୁହଁ, ମଣିଷ ‘ବୋଲି ଖାଲି କହିଦେଲେ ହେବ ନାହିଁ । ଭିତରୁ ପଶୁତ୍ୱକୁ ନ ହଟାଇଲା ପର୍ଯ୍ୟନ୍ତ, ତୁମେ କି ମଣିଷ ? ଠାକୁର ଅଭିରାମ ପରମହଂସଙ୍କ ଶରୀରଟା ସିନା ଚାଲି ଯାଇଛି, ଅଭିରାମ ରହିଛନ୍ତି ଭକ୍ତଙ୍କ ହୃଦୟରେ । ଅଭିରାମଙ୍କ ଅବିରାମ ଅବସ୍ଥାନ ସେଇଠି; ଯେଉଁଠି ମନ ନିର୍ମଳ, ସ୍ୱଚ୍ଛ, ଷଡ଼ରିପୁଙ୍କ ବପୁ ଯେଉଁଠି ବିଲୁପ୍ତ । ସେ ଭକ୍ତକୁ ଚେତାଇ ଦେଇ କହିଛନ୍ତି–

 

ପାଶେ ପାଶେ ଅଛନ୍ତି ମୋ ପଙ୍କଜ ଆଖି

ମୋ ପ୍ରାଣ ଈଶ୍ୱରକି ॥ ପଦ ॥

ଗାଈ ପଛେ ଯେହ୍ନେ ବସ୍ ଥାଇ

ଭକ୍ତ ପଛେ ତେହ୍ନେ ଭାବଗ୍ରାହୀ

ଗାଈଠାରୁ ଯଦି କ୍ଷୀର ସରିଯାଏ

ବସ୍ଥା ଆଉ କାହିଁ ଗୋଡ଼ାଏ କି !

 

ପିତା ସତ୍ୟବାଦୀଙ୍କ ଆଦେଶ ଅଭିରାମ ଯାହା କହିବ, ଯାହା କରିବ, କେହି ତାକୁ ବାଧା ଦେବନାହିଁ । ଚାଳକଣା କରି ଘର ଭିତରେ ଅଭିରାମଙ୍କର ବିଶ୍ୱରୂପ ଦର୍ଶନ କରିବା ଦିନଠୁ ପୁଅ ପ୍ରତି ପିତାଙ୍କର ଭକ୍ତିଭାବ ଗାଢ଼ରୁ ପ୍ରଗାଢ଼ତର ହୋଇ ଉଠିଚି । ପାଟିକୁ ଆଁ କରି ଯଶୋଦାଙ୍କୁ ଶ୍ରୀକୃଷ୍ଣ ବିଶ୍ୱରୂପ ଦେଖାଇଥିଲେ । ଯଶୋଦା ସେତେବେଳେ ହୋଇ ଉଠିଥିଲେ ‘ଯଶୋମତି’ । କିନ୍ତୁ ପରମୁହୂର୍ତ୍ତରେ ସେ ଯେଉଁ ଯଶୋଦାକୁ ସେହି ଯଶୋଦା । କଳାକାହ୍ନୁ ର ମାଆ । ସତ୍ୟବାଦୀ ସିନା ପୁଅକୁ ଦେଖିବା ଭଳି ଦେଖିଲେ, କିନ୍ତୁ ସେ ପର୍ଯ୍ୟନ୍ତ ମାଆ ରାଧାଦେବୀ ପୁଅ ବିନୋରିର ‘ଅଭିରାମ’ ରୂପ ଦର୍ଶନ କରି ନ ଥିଲେ ।

 

ମାଆ ରାଧାଦେବୀ କଥା ଦେଇଚନ୍ତି, ଅଭିରାମ ରହିବେ ତିନିଦିନ ଧରି ଘର ବନ୍ଦକରି । ଖୁଆ ,ପିଆ, ଝାଡ଼ା, ପରିସ୍ରା, ଦାନ୍ତଘଷା, ଗାଧୁଆ ପାଧୁଆ ସବୁ ବନ୍ଦ । ମଣିଷର ଯେଉଁ ସବୁ ନିତ୍ୟକର୍ମକୁ ନେଇ ଜୀବନଯାପନ, ସେ କର୍ମ ହାତରେ ହାତକଡ଼ି । ସବୁ ନିଷିଦ୍ଧ । ସବୁ ଅବରୁଦ୍ଧ ।

 

ଅଭିରାମ ଘର ଭିତରେ ଯୋଗାସନରେ ଧ୍ୟାନସ୍ଥ । ଭିତର, ବାହାର ବନ୍ଦ । ରାଧାଦେବୀ ଯେତେହେଲେ ମାଆ । ମାତୃପ୍ରାଣା । ମନରେ ନାନା ଆଶଙ୍କା । କିନ୍ତୁ ନିରୂପାୟା । ପୁଅର କଥାକୁ ଅମାନ୍ୟ କରି ପାରିଲେନି । ଦିନେ ପୁଅ ବିନୋରି ନିର୍ଦ୍ଦିଷ୍ଟ ଘର ଭିତରକୁ ଗଲେ । ମାଆଙ୍କୁ କହିଲେ, ବାହାରୁ, କବାଟ ବନ୍ଦ କରିଦେବା ପାଇଁ । ବିଚାରି ରାଧାଦେବୀ ପୁଅର ଆଦେଶ ପାଳନ କଲେ । ପୁଅ ରହିଲା ଘର ଭିତରେ ।

 

ଦିନେ ଗଲା, ଦୁଇଦିନ ଗଲା । ବିନୋରି (ଅଭିରାମ) ଙ୍କୁ ନଦେଖି କେବଳ ମାଆ କାହିଁକି, ସାଇ ପଡ଼ିଶାର ଝିଅ ବୋହୂ ମାନେ ବିକଳ । ଅଭିରାମଙ୍କ ଚଗଲାମିରୁ ସେମାନେ ଆନନ୍ଦ ପାଉଥିଲେ । ଠିକ୍ ବୃନ୍ଦାବନର ଗୋପୀମାନଙ୍କ ଭଳି I ଦୁଧ, ଦହି, ଲହୁଣୀ ଚୋରିରୁ ସେମାନେ ‘ଚିଦାନନ୍ଦ’ର ଆନନ୍ଦ ଆହରଣ କରୁଥିଲେ । ସେହିଭଳି କରମଳା ଦାଣ୍ଡରେ ଅଭିରାମର ଅନୁପସ୍ଥିତି ପରିସ୍ଥିତିକୁ ଅସ୍ତବ୍ୟସ୍ତ କରି ପକାଇଲା । ସମସ୍ତେ ଆସି ରାଧାଦେବୀଙ୍କ ଘରେ ରୁଣ୍ଡ । କିଲୋ ତୋ ପୁଅ ବିନୋରି ଗଲା କୁଆଡ଼େ ? ମୁଢ଼ିବୁଢ଼ୀର ଆପରିରୁ କଣ ଏ ବିପତ୍ତି !

 

ରାଧାଦେବୀ କହିଲେ, ବିନୋରି ପରା ‘ଯୋଗ’ କରୁଛି I କବାଟ କିଳି ଭିତରେ ରହିଛି । ମନା କରିଚି, କବାଟ ଖୋଲିବା ପାଇଁ । ଦି ‘ ଦିନ ହେଲାଣି । କଣ୍ଟ ଦେଇଚି, ତିନି ଦିନ ରହିବ । ତା’ ପରେ ସେ ଆପେ ଆପେ ଘରୁ ବାହାରକୁ ଆସିବ ! ଆଗରୁ କବାଟ ଖୋଲିଦେଲେ, ତା’ ଯୋଗରେ ବିଘ୍ନ ଆସିବ । ତା’ ଛଡ଼ା ଘରୁ ବାହାରିଲେ କାହା ଘରେ ପଶି କଣ ନା କଣ କରି ବସିବ, ତାକୁ ସମ୍ଭଳିବ କିଏ ? ବାପା ତ ଯାଇ ଗଞ୍ଜାମରେ । ଶିକ୍ଷକ ସେ ।

 

ଗାଁ ମାଇପେ ଇଆଡୁ ସିଆଡୁ ନାନା କଥା କହିଲେ । ସେମାନେ ଭାବିଲେ, ମୁଢ଼ିବୁଢ଼ୀ ଗୁଡ଼ିଆଣୀର ଏ ନାଟ ! କବାଟ ଖୋଲିବେ ବୋଲି ସେମାନେ ରାଧା ଦେବୀଙ୍କ ଉପରେ ଚାପ ପକାଇଲେ । ରାଧାଦେବୀ ବାଧ୍ୟ ହୋଇ ତାଲା ଖୋଲିଲେ । ହେଲେ କ'ଣ ହେବ କବାଟ ତ ଭିତରୁ ବନ୍ଦ ! ଗାଁ ସ୍ତ୍ରୀ ଲୋକଙ୍କ ତୁଣ୍ଡରୁ ନାନା ଅକଥ ! ଶୁଣାଗଲା । କିଏ କହିଲା, ଆଲୋ ରାଧା ! ଆଉ ତୋ ପୁଅ ଜୀବନରେ ନ ଥ‌ିବ । ନ ଖାଇ, ନ ପିଇ ବାଳୁତ ପିଲାଟା କଣ ଆଉ ବଞ୍ଚି ରହିଥ‌ିବ ?

 

ରାଧାଦେବୀ ଆଉ ସମ୍ଭାଳି ପାରିଲେ ନାହିଁ । ସିଡ଼ି ପକାଇ ସତ୍ୟବାଦୀଙ୍କ ଭଳି ସେ ଚାଳ ଉପରକୁ ଉଠିଲେ । ଚାଳ ଉଲାରି ଭିତରକୁ ଦେଖିଲେ । ଦେଖ‌ିଲେ, ପୁଅର ମୁଣ୍ଡଟା ଚାଳ ଉପରକୁ ଉଠି ଆସିଚି । ଗୋଡ଼ ଦିଇଟା ତଳେ । ରାଧାଦେବୀ ଭାବିଲେ ବିନୋରି ଦଉଡ଼ି ଦେଇ ଆତ୍ମହତ୍ୟା କରି ଦେଲାକି ! କିନ୍ତୁ ସିଏତ କହୁଥିଲା, ଆତ୍ମହତ୍ୟା ମହାପାପ ! ରାଧାଦେବୀଙ୍କ ମୁଣ୍ଡ ଘୂରିଗଲା । ସିଡ଼ି ଉପରୁ ତଳକୁ କିମିତି ଖସିଲେ, ତାଙ୍କର ଆଉ ହେତୁ ନାହିଁ । ଅଚେତ୍ ସେ । ଗାଁ ଲୋକେ ତାଙ୍କ ମୁଣ୍ଡରେ ପାଣି ଛିଞ୍ଚି ସଚେତ କରାଇଲେ । ଅଭିରାମ ଆତ୍ମହତ୍ୟା କରିଦେଇଚି ବୋଲି ଗାଁ ସାରା ପ୍ରଘଟ ହୋଇଗଲା । ଶହ ଶହ ଲୋକ ଆସି କବାଟ ବାଡ଼େଇଲେ । ଅଭିରାମ, ଅଭିରାମ ବୋଲି ବଡ଼ ପାଟିରେ ବହୁତ ଡାକିଲେ ।

 

ପାଟିତୁଣ୍ଡରେ ଅଭିରାମଙ୍କ ଧ୍ୟାନ ଭଗ୍ନ । ସେ କବାଟ ଖୋଲିଲେ । ହସ ହସ ମୁହଁ । ପୂର୍ବ ଅପେକ୍ଷା ସେ ଅଧ‌ିକ ସୁସ୍ଥ ସବଳ । ବାହାରକୁ ଆସି ପଚାରିଲେ-ହେଇଚି କଣ ? ପାଟିତୁଣ୍ଡ, ହଟ୍ଟଗୋଳ କାହିଁକି ? ଲୋକେ ଅଭିରାମଙ୍କୁ ଅଭିରାମ ରୂପରେ ଦେଖି ଖୁସି ।

Image

 

ଯେଡ଼େ ଭକ୍ତ, ତେଡ଼େ ମୁକ୍ତି

 

ବେଦରେ ବହୁ କଥା କୁହାଯାଇଚି । ‘ବେଦ ଶବ୍ଦଟିର ସାଧାରଣ ଅର୍ଥ ନିଜକୁ ନିଜେ ଜାଣ । ପ୍ରଥମେ ନିଜର ପରିଚୟ ପାଅ, ତା’ ପରେ ଅନ୍ୟର ପରିଚୟ ଆପେ ଆପେ ପାଇ ପାରିବ । ବେଦ କଥାତ ‘ଧର୍ମ’ ହେଉଚି ‘ଆଚରଣ ବିଧି’ । ଏହି ବିଧ ଦୁଇଟି । ‘ପ୍ରବୃତ୍ତି’ ଓ ‘ନିବୃତ୍ତି’ । ‘ପ୍ରବୃତ୍ତି’ ବାହ୍ୟିକ, ‘ନିବୃତ୍ତି’ ଆଭ୍ୟନ୍ତରୀଣ । ଅନ୍ତରର । ‘ପ୍ରବୃତ୍ତି’ ସାଂସାରିକ ଜ୍ଞାନ, ନିବୃତ୍ତି ଆତ୍ମଜ୍ଞାନ । ଭୋକ ହେବା ମାତ୍ରେ ପ୍ରବୃରି କହେ, ଯାହା ପାଉଛି ଖାଇ ଯାଅ । ପ୍ରଥମେ ଭୋକ ମେଣ୍ଟାଅ । କିନ୍ତୁ ନିବୃତ୍ତି କହେ ହଁ, ଖାଇବୁ ଯେ ଯାହା ରୁଚିକର, ତୃପ୍ତିକର, ସ୍ୱାସ୍ଥ୍ୟଲାଗି ଯାହା ଭଲ, ଦେହ ଲାଗି ଯାହା କ୍ଷତିକାରକ ନୁହଁ, ସେହିଭଳି ଖାଦ୍ୟ ଖାଅ I ତେଣୁ ପ୍ରବୃତ୍ତି ମାର୍ଗ ମନକୁ ବାଟବଣା କରିଦେଇଥାଏ, ବୃଦ୍ଧିକି ବିଭ୍ରାନ୍ତ କରିଦେଇଥାଏ, ବୃଦ୍ଧିକ ବିଭ୍ରାନ୍ତ କରିଦେଇଥାଏ । ମନକୁ ଭଗବାନ ଅଭିମୁଖୀ ହେବାମାତ୍ରେ ପଛରୁ ଟାଣି ଆଣିଥାଏ । କିନ୍ତୁ ନିବୃତ୍ତି ମାର୍ଗରେ କେବଳ ଥାଏ ‘ଭାବ’ । ଏହି ମାର୍ଗ କେବଳ ଭଗବାନଙ୍କ ଆଡ଼ିକି ।

 

ଠାକୁର ଅଭିରାମ ପରମହଂସ ‘ଭକ୍ତମାନଙ୍କ ପ୍ରତି ଉପଦେଶ’ ପ୍ରସଙ୍ଗରେ ଏହି ‘ପ୍ରବୃତ୍ତି’ ଓ ‘ନିବୃତ୍ତି’ କଥାଟି ସରଳ ସୁନ୍ଦର ଭାବରେ ବୁଝାଇ ଦେଇଛନ୍ତି । ‘ମୁଁ ଘର ଛାଡ଼ି ଚାଲିଯିବି, ମତେ ଆଉ କେହି ଅଟକେଇ ରଖି ପାରିବନି, ମୁଁ ଯେଉଁଥି ପାଇଁ ଧରାଧାମକୁ ଆସିଚି, ସେଇଥି ପାଇଁ ବେଳ ହୋଇ ଗଲାଣି ବୋଲି ନିଜ ମାଆ ରାଧାଦେବୀଙ୍କୁ କହିଲା ବେଳେ ମଧ୍ୟ ଏହି ପ୍ରବୃତ୍ତି ଓ ନିବୃତ୍ତି ତତ୍ତ୍ୱଟିକୁ ବୁଝାଇଛନ୍ତି । କଥାରେ କୁହାଯାଏ ଅସାର ସାର ସଂସାର, ସାର ଶ୍ଵଶୁର ମନ୍ଦିର । ଅଭିରାମଙ୍କ ଭାଷାରେ ସାର ଶ୍ୱଶୁର ମନ୍ଦିର ନୁହଁ । ସାର ଈଶ୍ୱର ମନ୍ଦିର । ‘ପ୍ରବୃତ୍ତି’ ବାଲାଙ୍କ ପାଇଁ ଶ୍ୱଶୁର ମନ୍ଦିର । ନିବୃତ୍ତି ବାଲାଙ୍କ ପାଇଁ ଈଶ୍ୱର ମନ୍ଦିର ।

‘ଭାବ’ ହିଁ ସର୍ବସାର । ଠାକୁରେ କହିଛନ୍ତି, ଅଷ୍ଟଗୁଜରୀ କୀର୍ତ୍ତନରେ ଯେଉଁ ‘ଭାବ’ର ଉଦ୍ରେକ ହୋଇଥାଏ, ସେହି ସୂତ୍ରରେ ଉଠାଇଲେ ଯାଇ ‘ବାସୁଦେବ’ ଉଠିବେ । ଘଟ ବା ପ୍ରାଣ କୁ ‘ନିତ୍ୟଚେତା’ କହି ଶ୍ରୀହରିଙ୍କି ଉଠାଅ । ସେ ଭକ୍ତପ୍ରିୟ । ତାଙ୍କୁ ଉଠେଇ ଜାଣିଲେ ସେ ଉଠିବେ । ଦେହ-ସଂସାରକୁ ଭୁଲି ଯାଇ ଶ୍ରୀହରିଙ୍କି ଉଠାଅ । ଦେହବୋଧ ଥ‌ିବା ଯାଏଁ ହରିଙ୍କି ଉଠାଇ ପାରିବ ନାହିଁ । (ଅର୍ଥାତ ସମ୍ପୂର୍ଣ ଆତ୍ମ ସମର୍ପଣ କର । ଏହାହିଁ ଗୋପୀଭାବ) ତ୍ରିଭୁବନକୁ ଶୂନ୍ୟ ମଣିଲେ ଦୟାମୟ ଉଠିବେ । ବିଷୟ ଅର୍ଥାତ୍‌ ‘ପ୍ରବୃତ୍ତି’ର ଆଖ୍ୟାଠାରୁ ସେ ବହୁ ଦୂରରେ । ମନରେ ବିଷୟ ଜଂଜାଳକୁ ରଖୁ ଶହ ଶହ ଦୂରବୀକ୍ଷଣ ଯନ୍ତ୍ରରେ ଦେଖ‌ିଲେ ମଧ୍ୟ ତାଙ୍କୁ ଦେଖି ପାରିବ ନାହିଁ । ନିର୍ବିଷୟୀ ଦୃଷ୍ଟିରେ ଦେଖ‌ିଲେ ସେ ତୁମ ପାଖେ ପାଖେ । ଉଦାହରଣ ଦେଇ ଠାକୁରେ କହିଛନ୍ତି, ଦର୍ପଣ ଦେହରୁ ପାରା ଛାଡ଼ିଗଲେ, ମୁହଁ ଦିଶେ ନାହିଁ, ପାରା ଲାଗିଲେ ନିଜ ମୁହଁଟିର ରୂପ ସ୍ପଷ୍ଟଭାବରେ ଦେଖାଯାଇଥାଏ । ଆଖିରେ ଅଞ୍ଜନ ଲାଗିଲେ ମଳିଧୂଳି କିଛି ରହେନା । ସଂସାର ଆସ୍‌ରେ ଅଞ୍ଜନ ନଥିବାରୁଏତେ କଳି ତକରାଳ, ଗୋଳମାଳ ଇତ୍ୟାଦି ।

 

ପ୍ରେମ ଭକ୍ତି ହିଁ ଶ୍ରୀହରିଙ୍କି ପ୍ରସନ୍ନ କରିବା ଲାଗି ଏକମାତ୍ର ଶକ୍ତି । ଭକ୍ତମାନଙ୍କୁ ଉପଦେଶ ଦେଇ ଠାକୁରେ କହିଛନ୍ତି–

 

‘ନେତ୍ରକୁ ଅଞ୍ଜନ ମିଳିଲେ

ଆଉ ନ ରହେ ଦୁଃଖ

ଅଞ୍ଜନ ନେତ୍ରରେ ଲଗାଅ

ଦିଶିବେ ଶ୍ରୀପଦ୍ମ ମୁଖ ।

ବେନି ନେତ୍ର ମଧ୍ୟ ଭ୍ରୂଲତା

ପରେ ଅଛି ଅଞ୍ଜନ

ଅଞ୍ଜନ ଲଗାଇ ଦେଖ ହୋ

ବିଜେ ଗର୍ବଗଞ୍ଜନ ।

 

ଠାକୁରଙ୍କ ପ୍ରତିପଦରେ ଦର୍ଶନ । ପ୍ରତି ଶବ୍ଦରେ ତତ୍ତ୍ୱ । ନିଗୂଢ଼ ତତ୍ତ୍ୱକୁ ସେ ସରଳ ଭାବରେ ବୁଝାଇଛନ୍ତି । ନେତ୍ର ବା ଦୃଷ୍ଟି ଅଥୟ ଚଞ୍ଚଳ ଥିବାଯାଏଁ ମଳ ସ୍ଥିର ରହି ତ ଥାଏ । ଧେୟ ହେଲେ ଯାଇ ମନ ଥୟ ହୁଏ । ମନ ଥୟ ହେଲେ ଇନ୍ଦ୍ରିୟ ସ୍ଥିର । ଇନ୍ଦିର ସ୍ଥିର ହେଲେ ‘ପ୍ରକୃତି’ ଶାନ୍ତ ନିଷ୍ଫଳ । ମନକୁ ଥୟ କଲେ, ତାଙ୍କୁ ଆଉ ଭଜିବାକୁ ପଡ଼େନା କିମ୍ବା ଖୋଜିବାକୁ ପଡ଼େନା । ସେ ଆପେ ଆପେ ଧରା ଦିଅନ୍ତି । ଧ୍ୟାନସ୍ଥ ହୁଅ । ଧେୟ ଆସିଯିବ । ନାରାୟଣଙ୍କ ଆଗମନରେ ସମସ୍ତ ଆଶାର ପୂରଣ I ପରିପୂର୍ଣ୍ଣ ।

 

ଗୀତାରେ ଯେଉଁ ‘ନିଷ୍କାମ’ କର୍ମ କଥା କୁହାଯାଇଚି, ଠାକୁରେ ତାଙ୍କ ଭାଷାରେ କହିଛନ୍ତି କର୍ମ କର, ଫଳ ଆଶା କରନାହିଁ । କର୍ମ ନକରି ଆଶା କରିବା ନିଷ୍ଫଳ । ମୂଲ ନ ଲାଗିଲେ ମଜୁରୀ କିଏ କଣ ଦେଇଥାଏ ? କର୍ମ ହିଁ ନିର୍ମଳ ଭକ୍ତି । ଶାସ୍ତ୍ରରେ ବହୁ ବଡ଼ ବଡ଼ କଥା କୁହାଯାଇଚି–ଯ ଥା ସାରୂପ୍ୟ, ସାଲୋକ୍ୟ, ସାନ୍ନିଧ୍ୟ, ସାଜୁଯ୍ୟ ଇତ୍ୟାଦି । ଏ ଅଭିଳାଷ ନ ରଖି ନବଧା ଭକ୍ତି ସୂତ୍ରକୁ ଧର । ଯେଡ଼େ ଭକ୍ତ ତେଡ଼େ ମୁକ୍ତି–ଏଥ‌ିରେ ସନ୍ଦେହ ନାହିଁ । କର୍ମ କରି,ଫଳଟିକୁ ହରିଙ୍କି ଦେଇଦିଅ । କିନ୍ତୁ ଫିଙ୍ଗି ଫୋପାଡ଼ିଲା ଭଳି ‘ଦେବା’ ଟା ଦେବା ନୁହଁ । ଏଥିଲାଗି ଆବଶ୍ୟକ ଭକ୍ତି ସହିତ ଶ୍ରଦ୍ଧା । ସେ ଫଳ ଗ୍ରହଣ କରିବା ମାତ୍ରେ, ତୁମ ମନରୁ ଭୟ ତୁଟିଲା ବୋଲି ଜାଣ ।

 

ଗୃହୀ ଅବା ତ୍ୟାଗୀ ଉଭୟଙ୍କ ପାଇଁ ମୁଁ କହୁଚି । ଏ ଜନ୍ମ ଦୁର୍ଲ୍ଲଭ । ଯାହା କରିବା କଥା ଏହି ଜନ୍ମରେ ହିଁ କରିଦିଅ । ଏ ସୁଯୋଗ ଆଉ ମିଳିବ ନାହିଁ । ନାରାୟଣ ସମସ୍ତଙ୍କ ଦେହରେ ବିଦ୍ୟମାନ । ସେ ନର ନାରାୟଣ । ସେ ସ୍ୱାମୀ ଶ୍ରୀ ସତ୍ୟନାରାୟଣ । ନାରାୟଣ ସ୍ୱାମୀ I ସେ ଭକ୍ତ ଗୃହକୁ ଆସନ୍ତି ‘ଭାବ’ ର ଭୋଜନ କରିବା ଲାଗି । ଯିଏ ଯେତିକି ଯୋଗ୍ୟ, ତା’ ସହିତ ସେ ସେହିଭଳି ଭାବେ ଖେଳିଥାଆନ୍ତି । ଭାଗବତରେ ଶ୍ରୀକୃଷ୍ଣ କହିଛନ୍ତି’’ମନ ତୋହର ନିଜ ଗୁରୁ । ଉଦ୍ଧବ କେତେ ତୁ ପଚାରୁ’’ । ‘କଳିଭାଗବତ’ରେ ଠାକୁର ଅଭିରାମ ପରମହଂସ କହିଛନ୍ତି–‘ମନ ଅମନ ସ୍ଥିର ଯେଣୁ । ମୋହର ଗୁରୁ ମୁହିଁ ତେଣୁ ।’’

Image

 

ଖାଣ୍ଡବ ବନରେ ଅଭିରାମ

 

ପିତା ସତ୍ୟବାଦୀଙ୍କର ଅକାଳରେ କାଳ ହେଲା । ମହାଯାତ୍ରା ପୂର୍ବରୁ ପୁଅ ଅଭିରାମକୁ ପାଖକୁ ଡାକିଲେ I କହିଲେ, ଜଣେ ଜ୍ୟୋତିଷୀ ଭାବରେ ମୁଁ ତୋର ଭବିଷ୍ୟତ କଣ ଜାଣେ । ତୁ ମୁମୂର୍ଷୁ ସନାତନ ଧର୍ମକୁ ପୁନର୍ଜୀବିତ କରିବୁ । ତୋତେ ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେବା ଅଧିକାର ମୋର ନାହିଁ । ଏତିକି ମାତ୍ର କହି ରଖୁତି, କରମଳା ଗାଁର ମଣାଣି ମଝିରେ ମୁଁ ଏକ ସିନ୍ଦୂଗଛ ଲଗେଇଛି । ସେହି ପୀଠଟି ହିଁ ହେବ ତୋର ଗୁପ୍ତ ବୃନ୍ଦାବନ ।

 

ଅଭିରାମଙ୍କ ବଡ଼ଭାଇ ଲୋକନାଥ । ସେ ବାପାଙ୍କ ଭଳି ଜଣେ ଶିକ୍ଷକ । ଘରର ଦାୟିତ୍ଵ ଏବେ ତାଙ୍କ ଉପରେ । ଲୋକନାଥ ଓ ମା’ ରାଧାଦେବୀ ବହୁତ ଚେଷ୍ଟା କଲେ ଅଭିରାମଙ୍କୁ ସଂସାର-ଡ଼ୋରିରେ ବାନ୍ଧି ରଖୁବା ପାଇଁ, କିନ୍ତୁ କେହି ପାରିଲେ ନାହିଁ । ଅଭିରାମଙ୍କର ସବୁବେଳେ ଏକମାତ୍ର କାମ ଧାନ, ଭଜନ, ପ୍ରାର୍ଥନା । ସାହିପଡ଼ିଶାର ଲୋକେ ରାଧାଦେବୀଙ୍କୁ କହିଲେ, ପୁଅକୁ ବାହା କରେଇ ଦିଅ । ତା’ ମନ ବଦଳିଯିବ । ଘରେ ମନ ଲାଖି ରହିବ । ରାଧାଦେବୀ ସେ ଚେଷ୍ଟା କରି ମଧ୍ୟ ବିଫଳ ହେଲେ ।

 

ଦିନେ ଅଭିରାମ ମାଆଙ୍କୁ କହିଲେ, ‘ମୁଁ ଆଉ ଘରେ ରହିବି ନାହିଁ । ଘର ବାଡ଼ିପଟେ ମୋ ପାଇଁ ଘରଟିଏ କରିଦେ ମୁଁ ସେଇଠି ରହିବି । ମୋ କଥା କେହି ବୁଝିବା ଦରକାର ନାହିଁ ମୁଁ ସମ୍ପୂର୍ଣ୍ଣ ସ୍ଵାଧୀନ ହେବି । କାହା ଉପରେ ନିର୍ଭର କରିବି ନାହିଁ । ହଁ ନିର୍ଭର କରିବି ଜଣଙ୍କ ଉପରେ–ସେ ହେଉଚି ସ୍ୱାମୀ ସତ୍ୟନାରାୟଣ ।

 

ରାଧାଦେବୀ ନାଚାର । ଇଆଡ଼େ ମନ ଭିତରେ ରହିଛି ତାଙ୍କ ସ୍ଵାମୀ ସତ୍ୟବାଦୀଙ୍କ କଥା । ସେ ସ୍ଵର୍ଗୀୟ ହେଲେ କଣ ହେଲା ତାଙ୍କ ନିର୍ଦ୍ଦେଶକୁ ସେ ଅମାନ୍ୟ କରିପାରିବେ ନାହିଁ । ସତ୍ୟବାଦୀ କହିଯାଇଚନ୍ତି–ଅଭି ଯାହା କହିବ, ସେଥ‌ିରେ କେହି ବାଧା ଦେବ ନୀହିଁ । ସେ ଯାହା କହିବ, ତା’ କରିବାକୁ ହିଁ ପଡ଼ିବ । ତେଣୁ ରାଧାଦେବୀ ପୁଅ ପାଇଁ ତୋଳିଦେଲେ ଏକ ଆଶ୍ରମ ଗୃହ–ଘରଠୁ ଅଲୁଦୂରରେ, ନିଜର ଭୂସମ୍ପତ୍ତି ଉପରେ ।

 

ଅଭିରାମ ଅଲଗା ଘରଟିଏ ପାଇ ଖୁସି । ସେଇଠି ଚାଲିଲା ତାଙ୍କର ସାଧନା । ଭଜନ, କୀର୍ତ୍ତନ, ଧ୍ୟାନ ଧାରଣା ଆଦି । ଦିନେ ଧ୍ୟାନସ୍ଥ ଅବସ୍ଥାରେ ସେ ଦେଖ‌ିଲେ ଏକ ନିଛାଟିଆ ଜଙ୍ଗଲ । ଜଙ୍ଗଲରେ ନାନା ବୃକ୍ଷ, ତରୁଲତା । ଶାନ୍ତ ଶୀତଳ ପରିବେଶ । କିନ୍ତୁ ଏ ଜଙ୍ଗଲ, ତାଙ୍କର ଆଶ୍ରମଠୁ କେତେ ଦୂର ? ମନ ଭିତରେ ଜଙ୍ଗଲ ସାଫ । ମନ ନିର୍ମଳ ସ୍ଵଚ୍ଛ । ସେ ସେହି ଅରଣ୍ୟ ଧନକୁ ଲକ୍ଷ୍ୟ କରି ଚାଲିଲେ ଆଗକୁ ଆଗକୁ I ପଦଯାତ୍ରା ଆରମ୍ଭ । ଅଳ୍ପ କେତେଦିନ ପରେ ସେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲେ । ଜାଣିଲେ, ଏହି ଜାଗାଟିର ନାମ ଖାଣ୍ଡବ ବନ । ଆଖପାଖରେ ପୁରପଲ୍ଲୀ ଶୂନ୍ୟ । ଏହାହିଁ ତାଙ୍କ ଦୃଷ୍ଟିରେ ତପୋଚନ । ତପୋବନରେ ତପସ୍ୟା ଚାଲିଲା । ଖରା, ବର୍ଷା, ଶୀତ, ଆଦି ତାଙ୍କ ତପସ୍ୟାର ପାଦତଳେ ମୁଣ୍ଡ ନୁଆଁଇଲେ । ଦେହବୋଧ ବୋଲି କିଛି ରହିଲା ନାହିଁ । ସମ୍ପୂର୍ଣ୍ଣ ସମର୍ପଣ । ଦେହରେ ଖଣ୍ଡିଏ କୌପୀନ ଓ ଖଣ୍ଡିଏ ଗାମୁଛା ।

 

ଏକ ଆମ୍ବଗଛ ମୂଳରେ ଅଭିରାମ ଧ୍ୟାନମଗ୍ନ । ପ୍ରକୃତି ତାଙ୍କୁ ଅପ୍ରକୃତିସ୍ଥ କରିବା ଲାଗି ବହୁ ଉଦ୍ୟମ କଲା ସଡ ପାରିଲା ନାହିଁ । ମେଘର ବଜ୍ର ଗମ୍ଭୀର ଶବ୍ଦ, ବିଦ୍ୟୁତଚ୍ଛଟା, ପ୍ରଚଣ୍ଡ ବାତ୍ୟା । ତଥାପି ଅଟଳ, ଅଦିଚଳିତ ଅଭିରାମ । ନିକଟରେ ଏକ ଜଳାଶୟ । ଘନଘୋର ରାତ୍ରିରେ ସେଠାକୁ ଆସନ୍ତା ଜଳପାନ କରିବା ଲାଗି ନାନା ହିଂସ୍ର ଜନ୍ତୁ । ଅହିଂସାର ଜୀବନ୍ତମୂର୍ତ୍ତି ଅଭିରାମ । ହିଂସା ତାଙ୍କୁ ସ୍ପର୍ଶ କରି ପାରେନା । ହିଂସ୍ର ତାଙ୍କ ପାଖକୁ ଆସେ–କିନ୍ତୁ ତାଙ୍କୁ ଆଘ୍ରାଣ କରିବା ମାତ୍ରେ ତା’ର ପାଶବିକ ପ୍ରବୃତ୍ତି ଲୋପ ପାଏ । ହିଂସ୍ର ହୁଏ ଅହିଂସ୍ର । ସେ ଧ୍ୟାନସ୍ଥ ଅବସ୍ଥାରେ ନିଜ ଦିବ୍ୟ ଚକ୍ଷୁରେ ଦେଖନ୍ତି ଏକ ଅନିନ୍ଦ୍ୟ ସୁନ୍ଦରୀ ଲାବଣ୍ୟମୟୀ ରୂପସୀ ଆସି ତାଙ୍କ ଆଗରେ ଠିଆ । ତପଃ ଭଗ୍ନ କରିବା ଲାଗି ଏହି ସ୍ୱପ୍ନ ସୁନ୍ଦରୀର ମଧ୍ୟ ପ୍ରବଳ ଉଦ୍ୟମ । ଅଭିରାମ ଏହି ଲଳନାକୁ ‘ମା’ ବୋଲି ସମ୍ବୋଧନ କରିବା ମାତ୍ରେ ମହାମାୟାଙ୍କ ମାୟା ବାତ୍ସଲ୍ୟ ରସରେ ରଞ୍ଜିତ ହୋଇପଡ଼େ । ସେ ସ୍ଵପ୍ନରୁ ଅପସାରିତ ହୁଅନ୍ତି । ସୂକ୍ଷ୍ମ ରୂପ ହଟିଯାଏ । ମା’ ଆସନ୍ତି ଜୀବନ୍ତ ସ୍ଥୂଳ ରୂପରେ ।

 

ମା’ଙ୍କ ସହିତ ଅଭିରାମଙ୍କ ଆଳାପର କଳାପ ଧୀରେ ଧୀରେ ଖୋଲେ । ମା’ଙ୍କୁ ପାଖରେ ତଥା ସମ୍ମୁଖରେ ପାଇ ଅଭିରାମ ଅଭିଭୂତ ! ଭକ୍ତି ଭାବରେ ତାଙ୍କ କଣ୍ଠ ଗଦ୍ ଗଦ୍ । ପ୍ରଶ୍ନ କରନ୍ତି, ତୁମେ କିଏ ? ତୁମର ପରିଚୟ ? ମୁଁ ତୁମର ଅବୁଝା, ଅଲିଅଳ ପିଲା I ତୁମରି ସନ୍ତାନ । କପଟ ନ ରଖି କହ ମା’ ତୁମେ କି ? ଏହି ଅଧମ, ନିର୍ବୋଧ, ନିର୍ବେଦ ଛୁଆଟା ପାଖରେ କୌଣସି କୁଣ୍ଠା ରଖନି ।

 

ମା’ ଅଭିରାମଙ୍କ ଅପାର, ନିଷ୍କପଟ ଭକ୍ତି, ଶ୍ରଦ୍ଧା କହନ୍ତି, ଆରେ ଅଭି, ମୁଁ ତୋର ମାଆ, ଗୁରୁ ସବୁ କିଛି । ମୁଁ ବନଦେବୀ, ବନଦୁର୍ଗା, ବଣ ଠାକୁରାଣୀ I ଗୁରୁଙ୍କ କୃପା ଓ ନିଷ୍ଠାରେ ତୁଷ୍ଟ, ସନ୍ତୁଷ୍ଟ । ମୋ ନାଆଁ ‘ପୌର୍ଣ୍ଣମାସୀ’ । ବିନା ସାଧନା ନିଷ୍ଫଳ, ।

 

ନିଷ୍କ୍ରିୟ । ଜଗତକୁ ଯେତେ ଅବତାର ଆସିଛନ୍ତି–ରାମ, କୃଷ୍ଣ ଆଦି ସମସ୍ତେ ଗୁରୁକୃପା ଲାଭ କରିଛନ୍ତି । ତୁ ମଧ୍ୟ ସେହିମାନଙ୍କ ମଧ୍ୟରୁ ଜଣେ । କେବଳ ମାନବ ନୋହୁଁ । ମହାମାନବ । ସ୍ଵୟଂ ବ୍ରହ୍ମ । ମୁଁ ଆଜିଠୁ ତୋର ‘ଗୁରୁ’ ହେଲି । ମୋ’ ଠୁ ଶକ୍ତି ପାଇ ତୁ ହେବୁ ଶକ୍ତିଶାଳୀ । ଏହି ଶକ୍ତି ହିଁ ହେବ ତୋର ଜ୍ଞାନ, କର୍ମ ଓ ଭକ୍ତି । ମୁଁ ଯାହା ଯେତେବେଳେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେବି, ତୁ ତାହା ଜନସମାଜରେ ବିତରଣ କରିବୁ । ଅଜ୍ଞାନକୁ ଜ୍ଞାନଦେବୁ, ଅକର୍ମାକୁ କର୍ମତତ୍‌ପର କରିବୁ, ଅଭକ୍ତକୁ ଦେବୁ ଭକ୍ତି । ଯେତେ ଅବତାର ଧରାଧାମରେ ଅବତୀର୍ଣ୍ଣ ହୋଇଚନ୍ତି, ଜାତି ଧର୍ମ ନିର୍ବିଶେଷରେ, ସମସ୍ତଙ୍କୁ ସମାନ ଭାବରେ ମୁଁ ନିଜ ବିଭୂତିରେ ବିଭାବିତ କରିଆସିଛି । ମୁଁ ଯାହା ଲୌକିକ ଭାବରେ ଦିଏ, ତାହା ଅଲୌକିକ । ଏହି ଅଲୌକିକତା ହିଁ ଚମତ୍କାରିତା । ମିରାକଲ । କାମନା ଜର୍ଜରିତ କାନ୍ଦୁରା ଅଝଟ ଶିଶୁସୁଲଭ ମନୁଷ୍ୟ ପକ୍ଷରେ ଏହି ଅଲୌକିକତା ଗୋଟିଏ ଗୋଟିଏ ଡଉଲଡାଉଲ କଣ୍ଢେଇ ବା ଖେଳନା ଭଳି । ଏହାର ଅନ୍ୟନାମ ଲୀଳା । ତୁ ହେବୁ ଲୀଳାମୟ ପରମହଂସ ।

Image

 

ଖେଳ କରନ୍ତି ଦିନ ରାତି

 

ବ୍ରହ୍ମ ଓ ଶକ୍ତି । ବେଦାନ୍ତର ଚରମ ତତ୍ତ୍ୱ ବ୍ରହ୍ମ । ତନ୍ତ୍ରର ଚରମତତ୍ତ୍ୱ ଶକ୍ତି । ସାଧାରଣତଃ ଯିଏ ଶକ୍ତି-ପୂଜକ ତାକୁ ତାନ୍ତ୍ରିକ କୁହାଯାଏ । ‘ତାନ୍ତ୍ରିକ’ ଶବ୍ଦଟି ମନରେ ଭୟ ସୃଷ୍ଟି କରେ । ଗୁଣିଗାରେଡ଼ି ଆଦି ନାନା କୁତ୍ସିତ କ୍ରିୟାକୁ କେହି କେହି ‘ତାଲିକାଭୁକ୍ତକରିଥାଆନ୍ତି । କୌଣସି କୌଣସି ‘ବାବା’ କୌଣସି ଅଲୌକିକ ଲୀଳା ପ୍ରଦର୍ଶନ କଲେ, ଏହି ଲୀଳାକୁ ମଧ୍ୟ ତନ୍ତ୍ରର କାର୍ଯ୍ୟ ବୋଲି ଦର୍ଶାଯାଇଥାଏ । ଆଧ୍ୟାତ୍ମିକତା ଦିଗରେ ଯିଏ ଯେତେ ଉଚ୍ଚକୁ ଉଠୁନା କାହିଁକି, ସେ କାମନା ଚରିତାର୍ଥ ଲାଗି କୌଣସି କୁତ୍ସିତ କାର୍ଯ୍ୟ କଲେ, ତା’ ପ୍ରତି ଘୃଣାଭାବ ଜାଗ୍ରତ ହେବା ସ୍ଵାଭାବିକ । କେହି କେହି କାମିନୀ, କାଞ୍ଚନ ଓ କାଦମ୍ବରୀ (ମଦ) ର ବଶୀଭୂତ ହୋଇ ପଡ଼ିଥାଆନ୍ତି ।

 

ଠାକୁରଙ୍କୁ ପୁରୁଷ, ଠାକୁରାଣୀଙ୍କ ସ୍ତ୍ରୀ ମନେ କରି ଶାସ୍ତ୍ର ଦୁଇଟି ବିଭାଗ କରିଆସିଛି । ପୁରୁଷ ଓ ପ୍ରକୃତି I ତାନ୍ତ୍ରିକମାନେ ଠାକୁରାଣୀ ଆରାଧନା କରି ସିଦ୍ଧି ଲାଭ କରିଥାଆନ୍ତି । ଏହି ସିଦ୍ଧି କ୍ରମଶଃ ବିହୀନ ହୋଇପଡ଼େ । ଗୁଡ଼ିଏ ଚମତ୍କାରିତା ପ୍ରଦର୍ଶନ କରିବାରେ କ୍ରମଶଃ ସିଦ୍ଧି ଅସିଦ୍ଧ ହୋଇପଡ଼େ । ଶିବଠାରୁ ଶକ୍ତି ବିଚ୍ଛିନ୍ନ ହୋଇପଡ଼ଛି । ଶିବ ଶବ ପାଲଟନ୍ତି ।

 

ଯେହେତୁ ଅଭିରାମ ପରମହଂସ ମା’ ପୌଣ୍ଡିମାସୀଙ୍କୁ ନିଜର ଗୁରୁ କରିଥିଲେ, ମାଆଙ୍କ ଦ୍ଵାରା ଦୀକ୍ଷିତ ହୋଇଥିଲେ, ତେଣୁ ସେ ଜଣେ ତଥାକଥ୍ତ ତାନ୍ତ୍ରିକ ହୋଇଥବେ ବୋଲି ଧାରଣା କରିବା ଅନୁଚିତ । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ଭାଷା ଓ ‘ଭାବ’ରେ ମାଆଙ୍କୁ ସ୍ତୁତି କରିଛନ୍ତି, ଅଭିରାମ ପରମହଂସ ଠିକ୍ ସେହି ଭାଷା ଓ ଭାବରେ ମାଆ ପୌର୍ଣ୍ଣମାସୀଙ୍କୁ ପ୍ରାର୍ଥନା କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି, କ୍ଵଚିଦୂପି କୁମାତା ନ ଭବତି । ମାତା ବା ମାଆ କେବେହେଲେ ‘କୁ’ ବା ଖରାପ ହୋଇ ନ ପାରନ୍ତି । ଠାକୁର ଅଭିରାମ ଗାଇଚନ୍ତି—

 

ଶୁଣ ଆଗେ କୃପାମୟୀ,

କୁନନ୍ଦନ ଯଦି ହୋଇ

କୁମାତା କେବେ ନୋହିବ,

କହୁଅଛି ସତ୍ୟ କରି ।

 

ମାଆଙ୍କର ବହୁ ନାମ । ଈଶ୍ଵରୀ, ଶୁଭଙ୍କରୀ, ଲକ୍ଷ୍ମୀ, ସରସ୍ୱତୀ, ପାର୍ବତୀ, ବୃନ୍ଦାବତୀ, ରାସେଶ୍ୱରୀ, ସାବିତ୍ରୀ, ବାସୁମତୀ ଇତ୍ୟାଦି ଇତ୍ୟାଦି ।

 

ମା’ ପୌର୍ଣ୍ଣମାସୀଙ୍କୁ ବନଦୁର୍ଗା ରୂପରେ ପ୍ରତ୍ୟକ୍ଷ କରିଛନ୍ତି ଅଭିରାମ । ତାଙ୍କୁ ସ୍ତୁତି କରିଛନ୍ତି । ତାଙ୍କ ମୁହଁରେ ଶକ୍ତିର ଭୂୟସୀ ପ୍ରଶଂସା । ତାଙ୍କ ପାଇଁ ବହୁ ବିଶ୍ଳେଷଣ ।

 

ବେଦର ଅନ୍ୟ ନାମ ‘ନିଗମ’ । ଭାଗବତକୁ, ନିଗମ ବୃକ୍ଷରୁ ତଳେ ପଡ଼ୁଥିବା ସୁମିଷ୍ଟ, ସୁସ୍ଵାଦୁ ରସମୟ ଫଳ ବୋଲି କୁହାଯାଇଚି । ବେଦ ସେହି ନିଗମ । ତନ୍ତ୍ରର ଅନ୍ୟନାମ ଆଗମ । ଦୁଇଟିଯାକ ଶବ୍ଦର ଅର୍ଥ ଏକ I ଯେଉଁଥୁରୁ ଜ୍ଞାନ ନିର୍ଗତ ହେଉଟି ବା ଆସୁଅଛି (ଆଗମ) । ସେହି ମୂଳ ତତ୍ତ୍ଵଟି ହେଉଚି ଈଶ୍ୱର ଓ ଈଶ୍ୱରୀ । ଉଭୟ ଜ୍ଞାନ, କର୍ମ ଓ ଭକ୍ତିର ମୂଳାଧାର ।

 

ଅଭିରାମ ପରମହଂସ ଠାକୁରାଣୀ ବା ବନଦୁର୍ଗାଙ୍କୁ ଗୁରୁ ଭାବରେ ଗ୍ରହଣ କଲେ, ସେହି ଶକ୍ତିର ପ୍ରେରଣାରେ । ମୂଳରୁ ସେ କହିଚନ୍ତି ‘ଅନୁଭବ’କୁ ସତ୍ୟ କହି । ବ୍ରହ୍ମ, ଈଶ୍ଵର ବା ଭଗବାନ, ଆତ୍ମାଆଦି ସାଧାରଣତଃ ଅନୁ ଭବର ଅତୀତ । ଏଥିଲାଗି ବହୁ ଯୁକ୍ତି, ବହୁ ତର୍କ । ଭଗବାନଙ୍କ ଅସ୍ତିତ୍ୱକୁ ତୀକ୍ଷ୍ଣ ଯୁକ୍ତି ଖଡ଼ଗରେ ଖଣ୍ଡିତ କରାଯାଇପାରେ । କିନ୍ତୁ ଶକ୍ତି ବା ଶକ୍ତିବାଦ ଅଖଣ୍ଡନୀୟ । ‘ଶକ୍ତି ନାହିଁ’ ବୋଲି ଅସ୍ୱୀକାର କରିବା ଲାଗି ମଧ୍ୟ ଶକ୍ତି ଦରକାର । ଏଥିଲାଗି ବୁଦ୍ଧି, ବିଚାର ଓ ବାକ୍‌ଶକ୍ତିର ଦ୍ୱାରସ୍ଥ ହେବାକୁ ପଡ଼ିଥାଏ । ତେଣୁ ଶକ୍ତିବାଦର ଖଣ୍ଡନ ଲାଗି ଯାହାକୁ ଆଶ୍ରୟ କରାଯାଏ, ତା’ ନାଆଁ ମଧ୍ୟ ଶକ୍ତି । ଠାକୁର ଅଭିରାମ ଗାଇଛନ୍ତି

 

‘‘ସର୍ବଶକ୍ତି ରୂପା ତୁହି ବୋଲାଉଛୁ କୃପାମୟୀ

ତୁମ ବିନା ସର୍ବବିଶ୍ଵ ଶବ ତୁଲ୍ୟ ଗୋ ସୁନ୍ଦରୀ ।

 

ଅଭିରାମଙ୍କୁ ଗୁରୁ ସନ୍ଧାନ କରିବାକୁ ପଡ଼ିନାହିଁ । ମାଆ ରୂପରେ ସଂସାରର ସମସ୍ତ ବାତ୍ସଲ୍ୟରସକୁ ଠୁଳ କରି ବନଦେବୀ ଅଭିରାମଙ୍କୁ ମନ୍ତ୍ରୀପଦେଶ ଦେଇଛନ୍ତି । ତା’ ପରେ ଅଭିରାମ ଠାକୁର ପାଲଟି ଯାଇଛନ୍ତି । ସତ୍ୟବାଦୀ ଓ ରାଧାଦେବୀଙ୍କ ପୁତ୍ର ତାଲିକାରୁ ତାଙ୍କ ନାଆଁ କଟିଯାଇଛି । ତାଙ୍କ ନାଆଁ ଦରଜ ହୋଇଚି ଠାକୁର ତାଲିକାରେ । ମହାପୁରୁଷ, ପରମହଂସ ଧାଡ଼ିରେ ।

 

ମା’ ପୌର୍ଣ୍ଣମାସୀ ଅଭିରାମଙ୍କୁ କୋଳାଗ୍ରତ କରି ନେ ଇଛନ୍ତି । ତାଙ୍କୁ ରାହାସ ବା ରାସ ଦେଖାଇଛନ୍ତି । ଏହି ଦର୍ଶନ, ସ୍ପର୍ଶନ ମନ୍ତ୍ରୀପଦେଶଠୁ ବଳି ପଡ଼ିଛି । ଅଭିରାମଙ୍କୁ ମା’ ନାନା ଭାବରେ ପରୀକ୍ଷା କରିବା ପରେ ଯାଇ ଦୀକ୍ଷିତ କରିଛନ୍ତି । ମନ୍ତ୍ର ଓ ମୈଥୁନ ଅତ୍ୟନ୍ତ ଗୋପନୀୟ । କିନ୍ତୁ ମା’ ଯେତେବେଳେ ତା’ ଯୋଗ୍ୟ ସନ୍ତାନଙ୍କୁ ଆପ୍ୟାୟିତ କରିବାକୁ ଚାହିଁଛନ୍ତି, ସେତେବେଳେ ମନ୍ତ୍ରର ଗୋପନୀୟତା ବୋଲି କିଛି ରହିନାହିଁ । ବନଦେବୀ କହିଛନ୍ତି–

 

ଏପରି ରାଧାକୃଷ୍ଣ ଗତି

ଖେଳ କରନ୍ତି ଦିନ ରାତି

।।

 

ପୂର୍ବଜନ୍ମର ସୁକୃତି ଥିଲେ, ସେହି ଭାଗ୍ୟବାନ ହିଁ ଏହି ଖେଳ ଦେଖି ପାରିବ । ଅଗମ୍ୟକୁ ଗମନ କଲେ ଯାଇ ଜ୍ୟୋତିବ୍ରହ୍ମକୁ ଦେଖି, ସେହି ଜ୍ୟୋତି ମଧ୍ୟରେ ସଂଜ୍ୟୋତି, ତହିଁ ରହିଚି ‘ବ୍ରହ୍ମମୂର୍ତ୍ତି’ । ଏ ବ୍ରହ୍ମ ବିରାଟ ସ୍ୱରୂପ । ତା’ରି ଭିତରେ ବିରାଜମାନ ବିଶ୍ୱରୂପ । ସେଠାରେ ଚାଲିଚି ନିତ୍ୟରାସ । ସେ ଯେଉଁ ବିରାଟ ବିଶ୍ୱରୂପ–ସେ ନିରାକାର ହୋଇ ଚଉଷଠି ନାୟିକାଙ୍କ ସହିତ ବିହାର କରି ଥାଆନ୍ତି । ବଂଶୀଧାରୀଙ୍କ ଏହି ବିହାର ହିଁ ରାସ ବା ରାହାସ । ତାଙ୍କ ପାଖରେ ଚଉଷଠି ନାୟିକା ଗାୟତ୍ରୀ ସ୍ୱରୂପରେ ପ୍ରକଟିତ ।

Image

 

‘ତୁମେ ମଣିଷ ନୁହଁ, ଠାକୁର !”

 

ଚିତ୍ତ ଯେତେବେଳେ ‘ତାଙ୍କଠି’ ଯୁକ୍ତ ହୋଇଥାଏ, ସେତେବେଳେ ସେ ମୁକ୍ତ । ଏହି ମୁକ୍ତ ଅବସ୍ଥାରେ ସାଧକ ଯାହା ଇଛାକରେ ତା’ ପାଏ । କିନ୍ତୁ ମୁକ୍ତ ହେବା ସହଜସାଧ୍ୟ ନୁହେଁ । ଗୋଟିକ ପରେ ଗୋଟିଏ ପାହାଚ ଚଢ଼ିବାକୁ ପଡ଼େ । ପ୍ରଥମେ ଶ୍ରଦ୍ଧା, ତା’ପରେ ସାଧୁସଙ୍ଗ, ନିଷ୍ଠା, ଅନର୍ଥରୁ ନିବୃତ୍ତି, ଅନାସକ୍ତି ଭାବ, ତା’ପରେ ପ୍ରେମ । ସସଙ୍ଗଡେ, ନିଃସଙ୍ଗତଂ, ନିଃସଙ୍ଗ(ନିର୍ମୋହତ୍ଵ, ନିର୍ମୋହତ୍ତ୍ଵ-ଜୀବନମୁକ୍ତା । ସତ୍ ସଙ୍ଗ କରି କରି ସେ ହୁଏ ଅନାସକ୍ତ । ଅନାସକ୍ତିରୁ ମୋହଶୂନ୍ୟ । ତା’ପରେ ଜନ୍ମ ମରଣରୁ ମୁକ୍ତି ବା ନିର୍ବାଣ । ଏସବୁ ହେଉଛି ଭକ୍ତି-ସାଧନାର ବିଭିନ୍ନ ସ୍ତର । ପ୍ରେମଭକ୍ତି ହିଁ ମହାଶକ୍ତିମତୀ ।

 

ଅଭିରାମଙ୍କ ପ୍ରେମ ଭକ୍ତିରୁ ହିଁ ମହାଶକ୍ତିମତୀ ମା’ ପୌର୍ଣମାସୀଙ୍କ ଉପସ୍ଥିତି । ମା’ ଅଭିରାମଙ୍କୁ କୋଳରେ ବସାଇ ନିରାକାରକୁ ସାକାର ରୂପରେ ଦେଖାଇଛନ୍ତି । ସେ ଶରୀରସ୍ଥ ସ୍ଵର୍ଗଦ୍ଵାର ଖୋଲିଦେଇ ଅଭିରାମଙ୍କୁ ଦେଖାଇଚନ୍ତି ସେହି ଶରୀରସ୍ଥ ନିତ୍ୟରାସ । ଏ ରାସ ଯେପରି ରହସ୍ୟମୟ, ସେହିଭଳି ମଧୁମୟ । ମଧୁବାତା ରତାୟତେ, ମଧୁ କ୍ଷରନ୍ତି ସିନ୍ଧବ I ସ୍ଥଳ ମଧୁ, ଜଳ ମଧୁ । ଅଧର ମଧୁରଂ, ବଚନ ମଧୁରଂ । ପୌର୍ଣ୍ଣମାସୀ ଗୁରୁ ରୂପରେ ଆସି ଅଭିରାମଙ୍କୁ ଏକାକ୍ଷର ମନ୍ତ୍ରୀପଦେଶ ଦେଇ ନିରାକାରକୁ ସାକାରରେ ଦର୍ଶନ କରାଇଛନ୍ତି । ସେହି ଧ୍ୟାନମଗ୍ନ ଶରୀର ଭିତରେ ହିଁ ଅଭିରାମଙ୍କର ପୌŠମାସୀଙ୍କ ସହିତ ଆଳାପ । ମାଆ ସହିତ ସନ୍ତାନର ଆଳାପ ଭଳି ।

 

ଧ୍ୟାନଭଙ୍ଗ ପରେ ଅଭିରାମ ଦେହରେ ପ୍ରବଳ ଉତ୍ତେଜନା । ଅସହ୍ୟ ଜ୍ଜଳନ । ଶରୀରସ୍ଥ ଯନ୍ତ୍ରଣାର ଉପଶମ ଲାଗି ସେ ଦୌଡ଼ି ଯାଇଚନ୍ତି ନିକଟତମ ଏକ ଜଳାଶୟକୁ । ବହୁ ସମୟ ଧରି ରହିଚନ୍ତି ଶୀତଳ ଜଳ ଭିତରେ । ତଥାପି ଜ୍ଜଳନର ପ୍ରକୋପ ଅସହ୍ୟ । ମନ ଭିତରେ ନିରାକାରର ସାକାର ଧାଁ ଧପଡ଼ । ଅଭିରାମ ପୁଣି ଧ୍ୟାନସ୍ଥ । ଦେହର ପୋଡ଼ାଜଳା ଧୀରେ ଧୀରେ ଶାନ୍ତ ହୋଇ ଆସିଚି । ସ୍ୱଭାବିକ । ଦେହରେ ଖଣ୍ଡିଏ କୌପୀନ ଓ ଗାମୁଛା । ବସିଲେ ଗଛମୂଳେ ।

 

ହଠାତ୍ ତାଙ୍କ କାନରେ ପଡ଼ିଲା ନାନା ବାଇଦ ବାଜଣାର ଧ୍ୱନି । ନିର୍ଜନ ବନବନାନୀ ମୁଖରିତ । ତାଙ୍କର ମନେ ହେଲା ନାଦ ରୂପରେ ବ୍ରହ୍ମ ଯେପରି ତାଙ୍କ ଭିତରେ ଧୀରେ ଧୀରେ ପ୍ରବେଶ କରିବାରେ ଲାଗିଚି । ସେ ନାଦ ତ କେବଳ ହୃଦୟ ଭିତରେ ଅନୁରଣିତ, ଗୁଜରିତ ହେବା କଥା । କିନ୍ତୁ ଏ ଧ୍ୱନି ତ ସାଧାରଣ । ଲୌକିକ । ସେହି ଧ୍ଵନିର ମୂଳକୁ ଖୋଜି ଖୋଜି ସେ ପହଞ୍ଚିଲେ ଉତ୍ସବ ମୁଖରିତ ସ୍ଥଳରେ ।

 

ଆଜି ଦୋଳ ପୂର୍ଣ୍ଣିମା । ଉତ୍ସବର ଆନନ୍ଦ ଉପଭୋଗ କରୁଥିବା ଲୋକଙ୍କଠାରୁ ଅଭିରାମ ଜାଣିଲେ ଦ୍ୱାପର ଯୁଗରେ ପଞ୍ଚପାଣ୍ଡବ ଠିକ୍ ଏହି ଜାଗାରେ ଦୋଳୋତ୍ସବ ପାଳନ କରିଥିଲେ । ଗିରିଜନ ଆଦିବାସୀମାନେ ସେ ପରମ୍ପରା ରକ୍ଷା କରି ଆସୁଚନ୍ତି । ପୂଜାମଞ୍ଚରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ପଞ୍ଚପାଣ୍ଡବଙ୍କ ମୂର୍ତ୍ତି । ଅଭିରାମ ସେଠାରେ ସମବେତ । କାହା ସହିତ କଥାବାର୍ତ୍ତା କଲେ ନାହିଁ I କେବଳ ମୂର୍ତ୍ତିଗୁଡ଼ିକୁ ଦର୍ଶନ କରି ଫେରିଗଲେ ଗଛମୂଳକୁ । ସେ ମାଘ ପୂର୍ଣ୍ଣମୀଠାରୁ ଫାଲ୍‌ଗୁନ ଦୋଳ ପୂର୍ଣ୍ଣମୀ ମାସେ ପର୍ଯ୍ୟନ୍ତ ରହିଥିଲେ ସମାଧିରେ ।

 

ଅଭିରାମଙ୍କ ସଙ୍କଳ୍ପ ଆଉ ବର୍ଷେ କାଳ ଏହି ଜଙ୍ଗଲରେ ବୁଲିବେ । ଘରପାଖ ଆଶ୍ରମକୁ ଫେରିବେ ନାହିଁ । ବାଘ, ଭାଲୁ, ସାପ ଆଦି ହିଂସ୍ର ଜନ୍ତୁଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀମାନେ ହିଁ ହେଲେ ତାଙ୍କର ଘନିଷ୍ଠ ବନ୍ଧୁ । ସେମାନଙ୍କୁ ସ୍ନେହ ଦେଇ ସ୍ନେହ ପାଇଲେ । ଖାଦ୍ୟ ସେହି ଜଙ୍ଗଲୀ ଫଳମୂଳ । ପାନୀୟ ଝରଣାର ନିର୍ମଳ ଜଳ ।

 

ଚାହୁଁ ଚାହୁଁ ବର୍ଷେ ଅତିବାହିତ । ବର୍ଷ ଶେଷକୁ ମାତ୍ର ଆଉ ଆଠଦିନ ବାକି I ହଠାତ୍ ଜଣେ ବୁଢ଼ା କନ୍ଧ ସହିତ ଭେଟ ହେଲା । ଅଭିରାମଙ୍କୁ ଦେଖି ସେ ଅଭିଭୂତ ଭାବିଲା ଏ ଲୋକଟା ମଣିଷ ନା ଦେବତା ! ଇନ୍ଦ୍ର ନା ଚନ୍ଦ୍ର ? ଅଭିରାମଙ୍କ ପାଖକୁ ଗଲା । ପଚାରିଲା–ତୁମେ କିଏ ?

 

ଅଭିରାମ କହିଲେ, ସ୍ଥିର ଚିତ୍ତରେ ମତେ ଦେଖ । ନିରୀକ୍ଷଣ କର, ଜାଣି ପାରିବ ମୁଁ କିଏ ? କନ୍ଧ ଘଡ଼ିଏ କାଳ ଅପଲକ ନେତ୍ରରେ ଚାହିଁ ରହିଲା ଅଭିରାମଙ୍କୁ । ଦେଖିଲା ମୁରଲୀଧର ଶ୍ରୀକୃଷ୍ଣଙ୍କୁ । ଭଗବାନ ଅର୍ଜୁନଙ୍କୁ ଦିବ୍ୟଚକ୍ଷୁ ଦେଇ ଦେଖାଇଥିଲେ ବିଶ୍ୱରୂପ । ବିଶ୍ୱରୂପ ଦେଖି ସଖା ଅର୍ଜୁନ ଭୀତତ୍ରସ୍ତ ହୋଇପଡ଼ିଥିଲେ । କିନ୍ତୁ ଅଭିରାମଙ୍କ ଏ ରୂପରେ ଭୟ ନଥିଲା । ଥିଲା ଅଭୟ । ମଧୁର ମନୋହର, ଶ୍ୟାମଳ କୋମଳ ନୟନାଭିରାମ ସେ ରୂପ ।

 

ଶୈଳ ନିବାସୀ କନ୍ଧବୁଢ଼ା ହୃଦୟରେ ଆନନ୍ଦ-କଲ୍ଲୋଳ । ତା’ ମୁହଁରୁ, ଆପେ ଆପେ ବାହାରି ଆସିଲା–ତୁମେ ତ ମଣିଷ ନୁହଁ’’ଠାକୁର’’ । ସେ ଦିନଠୁ ଅଭିରାମ ହୋଇଗଲେ ସତ ସତ ଠାକୁର । ଠାକୁର ଅଭିରାମ । କନ୍ଧର ଚକ୍ଷୁ ଯୁଗଳରେ ଲୋତକର ପ୍ଲାବନ । କହିଲା, ତୁମକୁ ଆଉ ଛାଡ଼ିବି ନାହିଁ । ମୋର ପତ୍ର କୁଡ଼ିଆକୁ ଚାଲ । ସେଇଠି ରହିବ । ଖାଲି ମୁଁ ନୁହଁ, ଆମେ ଯେତେ ଏ ଜଙ୍ଗଲରେ ରହିଚୁ, ସମସ୍ତେ ତୁମର ସେବା କରିବେ । ତୁମକୁ ପୂଜା କରିବେ । ଆମେ ଏ ଯାଏଁ ପଥରକୁ, ଗଛବୃଛ, ଡ଼ାଳପତ୍ରକୁ ପୂଜା କରି ଆସିଛୁ । ଆଜି ଆମେ ଜୀବନ୍ତ ଠାକୁରକୁ ପାଇଚୁ–ଆମଭଳି ଜଣେ ମଣିଷ ରୂପରେ । ଆହା କି ରୂପ ! ଦେଖି ଏ ଆଖୁ ସାର୍ଥକ ହେଲା । ଆଖି ଲାଖି ରହିଲା, ସେହି ବଂଶୀଧାରୀ ପାଖରେ । ଆମେ ହିଁ ତାକୁ ମୟୂରଚୂଳ ଦେଇଚୁ । ଆମେ ହିଁ ଦେଇଚୁ ବନଫୁଲର ମାଳା । ଆମର ବନମାଳୀ ସେ ।

 

ଅଭିରାମ କହିଲେ, ତୋର ମୋର, ତୁମ ଜାତି ସହିତ ମୋର ସମ୍ପର୍କ ଏବର ନୁହଁ, ବହୁ କାଳରୁ । ତ୍ରେତା ଯୁଗରେ ତୁମର ଶବରୀ ହାତରୁ କୋଳି ଖାଇଚି, ଦ୍ୱାପରରେ ଇମିତିକା ଜଙ୍ଗଲରେ, ଗାଇବାଛୁରୀ ଚରାଇବାବେଳେ ତୁମମାନଙ୍କ ସହିତ ମିଶିଚି । ତୁମମାନଙ୍କ ହାତରୁ କନ୍ଦମୂଳଠୁ ଆରମ୍ଭ କରି ବଣଫଳମୂଳ ବହୁତ ଖାଇଚି । ମୁଁ ସର୍ବଦା ବନବାସୀ । ବିଶ୍ଵାବସୁର ଅଟଳ ବିଶ୍ୱାସ ମୋ ପ୍ରତି । ମତେ ସେ ଲୁଚାଇ ରଖୁଥିଲା ଏକ ଗହନ ବନ ଭିତରେ । ଜଗନ୍ନାଥେ ତା ଠାକୁର, ତା’ ଦିଅଁ । ଏବେ ବି ତୁମ ବଂଶର ଦଇତାପତିଙ୍କ ହାତରେ ମୁଁ ନଅଦିନ ଧରି ବନ୍ଧା । ସେମାନଙ୍କ ଠେଲାପେଲା ମତେ ଲାଗେ ଜରରୁ ଉଠି ଘୋଳାବିନ୍ଧା ହେଉଥ‌ିବା ଗୋଡ଼ହାତ ମୋଡ଼ା ମଚଳା ଭଳି ।

Image

 

ଆତ୍ମାରାମ-ଅଭିରାମ

‘‘ଭାବ’ ଭୁଞ୍ଜିବା ପାଇଁ...'

 

ଗୁହ ବା ଗୁହକ । ରାମାୟଣର ଏକ ବିଶିଷ୍ଟ ଚରିତ୍ର । ନିଷାଦ ରାଜା । ଶୃଙ୍ଗବେରପୁର ତାଙ୍କର ରାଜଧାନୀ । ଶ୍ରୀରାମଙ୍କ ବନବାସ ଆରମ୍ଭରେ ଏହି ଗୃହକଙ୍କ ସହିତ ପ୍ରଥମ ସାକ୍ଷାତ । ଶ୍ରୀରାମ ତାଙ୍କ ସ୍ତ୍ରୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ଆସିଚନ୍ତି ଶୁଣି ଗୁହକଙ୍କର ଆନନ୍ଦ କହିଲେ ନ ସରେ । ସେ ବହୁ ମିଠା ଫଳମୂଳ ସହିତ ଶ୍ରୀରାମଙ୍କୁ ପାଛୋଟିବା ପାଇଁ ଗଲା I ଶ୍ରୀରାମ ତାକୁ ଦେଖିବା ମାତ୍ରେ ଆନନ୍ଦରେ କୁଣ୍ଡେଇ ପକାଇଲେ । ଏ ଦୁହଁଙ୍କ ମିଳନର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ I ମଣିଷର ଭୋଗ ବିଳାସ ଲାଗି ଯାହା ଯାହା ଦରକାର ଆଦିବାସୀ ଶବର ରାଜା ଗୁହକ ଶ୍ରୀରାମଙ୍କ ପାଇଁ ସବୁ ବ୍ୟବସ୍ଥା କରିଥିଲା । କିନ୍ତୁ ଶ୍ରୀରାମ ବନ୍ଧୁ ଗୁହକକୁ କହିଲେ,ମୁଁ ଏବେ ସନ୍ନ୍ୟାସୀ । ମତେ ଚଉଦବର୍ଷ କାଳ ତପସ୍ୱୀ ଜୀବନ ଯାପନ କରିବାକୁ ପଡ଼ିବ ।

 

ହଜାର ହଜାର ବର୍ଷ ପରେ ଅଭିରାମ ରୂପରେ ଶ୍ରୀରାମଙ୍କ ଭେଟ ସେହି ଗୃହକର ବଂଶଧର ବନବାସୀ କନ୍ଧବୁଢ଼ା ସହିତ । ସେ ଅଭିରାମଙ୍କୁ ଦେଖି ଦେଖି ମନେ ମନେ ଭାବି ନେଇଥିଲା ‘ଇଏ ମୋର ସେହି ଶ୍ରୀରାମ’ । ସେ ଅଭିରାମଙ୍କୁ ପାଛୋଟି ନେଇଥୁଲା ତା’ର ପତ୍ର କୁଡ଼ିଆକୁ । ଠାକୁରେ ଆଗରୁ ତାକୁ ମୁରଲୀ ମନୋହର ରୂପରେ ଦର୍ଶନ ଦେଇଥିଲେ । ଅଭିରାମ କହିଥିଲେ, ତୋ ଘରକୁ ଯିବି ଯେ ତୁ ଯାହା ଦେଖନ୍ତୁ, ଆଉ କାହାକୁ କହିବୁ ନାହିଁ । କହିଲେ, ଭବିଷ୍ୟତରେ ଚାହିଁଲେ ମଧ୍ୟ ସେ ସୁଦର୍ଶନର ଦର୍ଶନ ଆଉ ପାଇବୁ ନାହିଁ ।

 

ନିରୀହ ଗିରିଜନ କନ୍ଧ । କହିଥୁଲା, ତୁମେ ଏଣିକି ମୋର ହୃଦୟ ମନ୍ଦିରରେ ପୂଜା ପାଇବ । ମୋର ପ୍ରାଣର ଠାକୁର ଭାବନ୍ତର । ଯାହା ଦେଖିଲି, କଥା ଦେଉଚି, ଆଉ କାହାକୁ କହିବି ନାହିଁ ।

 

ଠାକୁରେ ଗଲେ କନ୍ଧ ଘରକୁ । କନ୍ଧ ପଲ୍ଲୀର ପିଲାଠୁ ବଡ଼ ପର୍ଯ୍ୟନ୍ତ, ପୁରୁଷ ସ୍ତ୍ରୀ ସମସ୍ତେ ଘେରିଗଲେ ଅଭିରାମଙ୍କୁ । କନ୍ଧବୁଢ଼ା ଠାକୁରଙ୍କୁ ନେଇ ବସାଇଲା ଏକ ବାଘ ଛାଲ ଉପରେ । ବସିବାମାତ୍ରେ ଠାକୁରେ ଧାନ୍ନସ୍ଥ । ବାହାରେ ସେ ‘ଅଭି’, ଭିତରେ ସେ ରାମ । ମନେ ମନେ ସେ ଭାବିବାକୁ ଲାଗିଲେ, ଜଙ୍ଗଲ ଭିତରେ ବର୍ଷେ କଟାଇବି ବୋଲି ସ୍ଥିର କରିଥିଲି I ବର୍ଷ ପୂରିବାକୁ ଆଉ ସାତଦିନ ବାକି । ଏତିକିରେ କଣ ବନବାସର ପୃଷ୍ଠଚ୍ଛେଦ ପଡ଼ିଯିବ ? ହେଉ ମା’ ପୌଣ୍ଣମାସୀ ବନଦୁର୍ଗାଙ୍କର ଯାହା ଇଚ୍ଛା । ସେ ଗୁରୁ । ମୁଁ ଶିଷ୍ୟ ।

 

ଇଆଡ଼େ କନ୍ଧବୁଢ଼ାର ଭାବନା, ଠାକୁରେ ତ ଏଯାଏଁ ଉପବାସୀ । ସେ ହାତଯୋଡି କହିଲା, ଠାକୁରେ ଆମ ଘରେ ଭୋଜନ କରିବା ହେବେ । ନ ଖୁଆଇ ମୁଁ ଛାଡ଼ିବି ନାହିଁ । ଠାକୁରେ ସଙ୍ଗେ ସଙ୍ଗେ ଗୀତରେ ଭକ୍ତକୁ କହିଲେ–

 

‘‘ଯାହାର ହୃଦୟ ନିର୍ମଳ ପ୍ରଭୁ ବସିବେ ତହିଁ

ଭକତ ଗୃହକୁ ଆସନ୍ତି ‘ଭାବ’ ଭୁଞ୍ଜିବା ପାଇଁ ।

 

‘ଭାବ’ର ଅଭାବ ଘଟିଲେ ସବୁର ଅଭାବ । ଭଗବନ ‘ଭାବ’କ ହିଁ ଗ୍ରହଣ କରିଥାଆନ୍ତି । ତାଙ୍କର ଅନ୍ୟନାମ ଭାବବିନୋଦିଆ । ଭାବଗ୍ରାହୀ । ଗୀତରେ ସେ କହିଛନ୍ତି–

 

ପତ୍ର ପୁଷ୍ପ ଫଳ ତୋୟାଂ ଯୋ ମେ ଭକ୍ତ ପ୍ରଯଶ୍ଚତି

ତଦହଂ ଭଲ୍ୟୁପହୃତାଶ୍ମାମି ପ୍ରଯତାତ୍ମନଃ । (୯/୨୬)

 

‘‘ଯେ ପ୍ରକାର ଫଳ ହେଉନା କାହିଁକି,ଭକ୍ତ ଆନନ୍ଦ ଉଲ୍ଲାସରେ ମତେ ଅର୍ପଣ କରିବାମାତ୍ରେ ମୁଁ ଦି’ହାତ ବଢ଼ାଇ, ଫଳ ଉପରେ କଠିନ ଚୋପା ଥିଲେ ମଧ୍ୟ ତାକୁ ନ ' ଛଡାଇ ଖାଇ ପକାଏ । ଭକ୍ତିର ସହିତ ଭକ୍ତ ଯଦି ମତେ ଫୁଲଟିଏ ଅର୍ପଣ କରେ, ତାକୁ ଆଘ୍ରାଣ କରି ଫିଙ୍ଗି ଦିଏନା, ସାଇତି ରଖେ । ଏପରିକି ସେ ଫୁଲ ହେଲା କି ଫଳ ଦେଲା, ଦେଖିବାକୁ ମୋର ତର ସହେନା । ଭକ୍ତର ଭକ୍ତିରେ ମୁଁ ଏତେ ଖୁସି ହୋଇପଡ଼େ ଯେ ଅତି ବିହ୍ୱଳ ଭାବରେ ଫଳକୁ ତ ଖାଏ, ସେ ଦେଇଥିବା ଫୁଲକୁ ମଧ୍ୟ ସମୟେ ସମୟେ ଖାଇପକାଏ ।

 

‘ଇଏ ତ ଗଲା ଫୁଲଫଳ । ଭକ୍ତ ପତ୍ରଟିଏ ଦେବାମାତ୍ରେ ଏହା ସଜ ହେଉ କି ବାସି ଶୁଖିଲା ପତ୍ର ହେଉ, ଭୋକିଲା ଲୋକ ଅମୃତ ପାଇବାମାତ୍ରେ ଯେପରି ତୃପ୍ତି ଲାଭ କରେ, ମୁଁ ସେହିଭଳି ଅତି ଆନନ୍ଦରେ ସେ ପତ୍ରକୁ ମଧ୍ୟ ଖାଇ ପକାଏ । ଏପରି ମଧ୍ୟ ହୋଇପାରେ ଯେ ଭକ୍ତ ପକ୍ଷରେ ପତ୍ର ମଧ୍ୟ ଯୋଗାଡ଼ କରିବା ସମ୍ଭବ ହୋଇ ନପାରେ । କିନ୍ତୁ ଜଳର ତ ଅଭାବ ହୁଏନା । ଭକ୍ତ ଏଥୁରୁ ଟୋପାଏ ମଧ୍ୟ ଅର୍ପଣ କଲେ, ବୈକୁଣ୍ଠକୁ ବଳି ଆତିଥ୍ୟ, କୌସ୍ତୁଭଠୁ ବଳି ଉତ୍କଳ ଆଭୂଷଣ ମିଳିଲା ବୋଲି ମୁଁ ଆନନ୍ଦରେ ଗ୍ରହଣ କରେ । ସେ ଆଞ୍ଜୁଳାଏ କିମ୍ବା ବିହୁଏ ଜଳ ଦେଇପାରେ, କିନ୍ତୁ ମୁଁ ମନେକରେ ସେ ମୋ ଲାଗି କ୍ଷୀର ସମୁଦ୍ରର ଅପାର ମନୋହର ଶଯ୍ୟା ସଜେଇଚି । ମୁଁ ମନେ କରେ, ସେ ମୋ ପାଇଁ କର୍ପୂର, ଚନ୍ଦନ, ଅଗୁରୁ ଇତ୍ୟାଦି ସୁଗନ୍ଧିର ମହାମେରୁ ରଚନା କରିଚି,ଦୀପମାଳା ପରିବର୍ତ୍ତେ ସୂର୍ଯ୍ୟଙ୍କ ଦ୍ୱାରା ମୋର ଆରତି କରୁଚି,...ତେଣୁ ମୁଁ କେବଳ ଭକ୍ତର ଭକ୍ତିକୁ ଜାଣେ । ତା’ଭିତରେ ଛୋଟ ବଡ଼ କିଛି ଦେଖେନା । ମୁଁ ତା’ର ‘ଭାବ’କୁ ହିଁ ଦେଖେ ।”

 

ଠାକୁର ଅଭିରାମ ପରମହଂସ ସେଦିନ କନ୍ଧ ବୁଢ଼ାର ଭକ୍ତ ଓ ଭାବକୁ ହିଁ ଦେଖିଥିଲେ । କହିଥିଲେ, ତୋ ଘରେ ନଖାଇ ଫେରିଯିବି କିପରି ?

 

ଗିରିଜନ କନ୍ଧ । ସେମାନଙ୍କ ଖାଦ୍ୟ ଶାଗ ପଖାଳ । ମାଣ୍ଡିଆ ଓ ସଲପ ଜାଉ । ସଲପ ଗଛର ଛେଲିକି ଗୁଣ୍ଡ କରି ପାଣିରେ ଗୋଳେଇ ଖାଆନ୍ତି । ଘରର ରନ୍ଧାଖାଦ୍ୟ ନ ପରଷି କନ୍ଧବୁଢ଼ା ଠାକୁରଙ୍କ ପାଖରେ ଆଣି ରଖୁ–ସେହିଥ୍‌ ଗୁଣ୍ଡଗଣ୍ଡେ । ମାଟି କଳସୀରେ ଜଳ । ଠାକୁରେ କହିଲେ, ୟାକୁ କିପରି ରନ୍ଧାଯାଏ ମୁଁ ଜାଣେନି । ଘରେ ଥ‌ିବା ରନ୍ଧା ଖାଦ୍ୟ କିମ୍ବା ଏସବୁକୁ ରାନ୍ଧି ଆଣ,ଆନନ୍ଦରେ ଖାଇବି ।

 

କନ୍ଧ ପରଷିଲା ତା’ ରନ୍ଧାଖାଦ୍ୟ । ଠାକୁରେ ଖାଇଲେ । ପରମ ତୃପ୍ତି ଲାଭ କଲେ । ଏଉଡି ମାରିବା ମାତ୍ରେ ସମବେତ କନ୍ଧ କନ୍ଧୁଣୀମାନେ ଜୟଧ୍ୱନିକରି ଖଣ୍ଡମଣ୍ଡଳ କମ୍ପେଇ ଦେଲେ । ଠାକୁରଙ୍କ ତୃପ୍ତିରେ ପଲ୍ଲୀବାସୀ ସମସ୍ତେ ତୃପ୍ତ ।

 

ଠାକୁରେ ବିଦାୟ ନେବାକୁ ବାହାରିବା ମାତ୍ରେ ସମଗ୍ର କନ୍ଧ ପଲ୍ଲୀରେ କାନ୍ଦବୋବାଳି ପଡ଼ିଗଲା । ସତେକି ନିଜର ଅତି ଆତ୍ମୀୟ ସ୍ୱଜନଙ୍କୁ ବିଦାୟ ଦେଉଛନ୍ତି ସେମାନେ । କନ୍ଧବୁଢ଼ା କାନ୍ଦି କାନ୍ଦି ନୟାନ୍ତ I ଲୁହ ଝରି ଝରି ତା' ଆଖୁ ଯେପରି କଳା ପଡ଼ିଗଲା । ଠାକୁରଙ୍କୁ କୁଣ୍ଢେଇ ସେ ବିକଳରେ କାନ୍ଦି କାନ୍ଦି କହିଲା, ଆଉ କଣ କେବେ ସେ ଅପରୂପ ରୂପକୁ ଦେଖିବି !

 

ଭକ୍ତଙ୍କ କାତର କ୍ରନ୍ଦନରେ ଠାକୁରଙ୍କ ଚକ୍ଷୁ ଯୁଗଳ ମଧ୍ୟ ଲୁହ ଛଳ ଛଳ ହୋଇ ପଡ଼ିଲା । ସେ ନିଜକୁ ସମ୍ଭାଳି ନେଇ କହିଲେ, ଯେତେବେଳେ ଡାକିବ, ମୁଁ ଆସିବି । ମୁଁ ସର୍ବଦା ତୁମର ଅତି ପାଖରେ । ସନ୍ନିକଟରେ । ବାହାରେ ଯିମିତି, ଅନ୍ତରରେ ସିମିତି ।

 

ବିଦାୟ ନେଲେ ଅଭିରାମ । କନ୍ଧ ପଲ୍ଲୀରୁ । ଭକ୍ତପ୍ରବର ଗୁହକ ବଂଶଧର କନ୍ଧବୁଢ଼ା ପାଖରୁ ।

Image

 

ମାଗୁର ମାଛର ଝୋଲ୍...

 

ଯିଏ ‘ଗୁରୁ’ କରେ ନାହିଁ, ଗୁରୁଦୀକ୍ଷା ନିଏ ନାହିଁ, ତାକୁ ‘ଅଣଗୁରିଆ’ କୁହାଯାଏ । ଆଧ୍ୟାତ୍ମିକ ମାର୍ଗରେ ଏହି ଗୁରୁକରଣ ନିତାନ୍ତ ଆବଶ୍ୟକ । ଶ୍ରୀକୃଷ୍ଣ ଥିଲେ ନଚ ରୂପରେ ନାରାୟଣ । ତଥାପି ତାଙ୍କୁ ଗୁରୁ କରିବାକୁ ପଡ଼ିଥିଲା । ସାନ୍ଦିପନୀଙ୍କୁ ସେ ଗୁରୁ ଭାଦରେ ଗ୍ରହଣ କରିଥିଲେ ।

 

ଗୁରୁ ଓ ଶିଷ୍ୟ ସମ୍ପର୍କ ଘନିଷ୍ଠ । ଗୁରୁଙ୍କୁ ମାତାପିତା ଓ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଆସନ ଦିଆଯାଇଥାଏ । ଗୁରୁଶିଷ୍ୟ ପରସ୍ପରକୁ ପରୀକ୍ଷା କରିଥାଆନ୍ତି । ଆଚାର, ବ୍ୟବହାର, ବଚନ, ସମ୍ଭାଷଣ, ସବୁ ଦିଗରୁ ଏ ପରୀକ୍ଷା କରାଯାଏ । ଋଷିମାନେ ଯଜ୍ଞ କଲାବେଳେ ପ୍ରଶ୍ନ ଉଠିଥିଲା, ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏହି ତିନି ଠାକୁରଙ୍କ ମଧ୍ୟରୁ ଶ୍ରେଷ୍ଠ ଭାବରେ ବରଣ କରାଯିବ କାହାକୁ ? ବ୍ରହ୍ମାପୁତ୍ର ଭୃଗୁଙ୍କୁ ପଠାଯାଇଥିଲା ଶ୍ରେଷ୍ଠ ଆସନ ପାଇବା ପାଇଁ ଯୋଗ୍ୟ କିଏ ପରୀକ୍ଷା କରିବା ପାଇଁ । ଏହି ପରୀକ୍ଷାରେ ବ୍ରହ୍ମା ଓ ମହେଶ୍ଵର ଅକୃତକାର୍ଯ୍ୟ ହେଲେ–ସେମାନଙ୍କ ଦର୍ପ,ଅସଦାଚରଣ ଯୋଗୁଁ । ନାରାୟଣ ଶହେରୁ ଶହେ ନମ୍ବର ରଖି କୃତକାର୍ଯ୍ୟ ହେଲେ ନିଜର ଭଲ ଆଚରଣ ଯୋଗୁଁ । ସେ ଶ୍ରେଷ୍ଠ ବିବେଚିତ ହେଲେ ।

 

ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ନିଜର ଗୁରୁ କରିବା ଲାଗି ଯାଇଥିଲେ ତୋତାପୁରୀ ବାବାଜୀଙ୍କ ପାଖକୁ । ତୋତାପୁରୀ ସେତେବେଳେ ଧୂନି ଜାଳି ବସିଥିଲେ । ହଠାତ ଜଣେ ଗଞ୍ଜଡ଼ ତା’ ଚିଲମ୍‌ରେ ନିଆଁ ଭର୍ତ୍ତି କରିବା ପାଇଁ ଆସିଲା ଧୂନି ପାଖକୁ । ଧୂନି ପାଖରେ ଥ‌ିବା ତୋତାପୁରୀଙ୍କ ଚିମୁଟାରେ ସେ ଧୂନିରୁ ଖଣ୍ଡିଏ ରଡ଼ନିଆଁ ଆଣି ତା’ ଚିଲମରେ ଭର୍ତ୍ତି କଲା । ତୋତାପୁରୀଙ୍କ ଧ୍ୟାନ ଭଙ୍ଗ ହୋଇ ପଡ଼ିଲା । ସେ କ୍ରୋଧରେ ଜଳି ଉଠିଲେ । ଚିମୁଟା ଧରି ବାଡେଇବାକୁ ଗୋଡ଼େଇଲେ ଗଞ୍ଜଡ଼କୁ । ରାମକୃଷ୍ଣ ଲକ୍ଷ୍ୟ କଲେ ତୋତାପୁରୀଙ୍କଠି କ୍ରୋଧ ପ୍ରବଳ । ଭାବିଲେ, ଲଏ ମୋ ଗୁରୁ ହେବା ପାଇଁ ଉପଯୁକ୍ତ ନୁହଁନ୍ତି । ଗଞ୍ଜଡ଼କୁ ଲକ୍ଷ୍ୟକଲେ ସେ ନିର୍ବିକାର । ତୋତାପୁରୀ ସିନା ରାଗିଲେ, ଗଞ୍ଜଡ଼ଠି କୌଣସି ପ୍ରତିକ୍ରିୟା ନାହିଁ । ତା’ ଚିଲମକୁ ନିଆଁ ମିଳିଗଲା । ସେ ଗୋଟିଏ ଗଛମୂଳେ ବସି ଫୁଙ୍କିବାରେ ଲାଗିଚି–ପୁଳାକୁ ପୁଳା । ରାମକୃଷ୍ଣ ଭାବିଲେ ଗଞ୍ଜଡ଼ ହେଲେ କଣ ହେଲା,ଗଞ୍ଜେଇ ଫୁଙ୍କିଲା ବେଳେ ତା’ର ଦେହବୋଧ, ସଂସାର ବୋଧ ବୋଲି କିଛି ନାହିଁ । ଏହିଭଳି ଲୋକ ହିଁ ଗୁରୁ ହେବା ପାଇଁ ଉପଯୁକ୍ତ ।

 

ଠାକୁର ଅଭିରାମ ପରମହଂସ କନ୍ଧ ପାଖରୁ ବିଦାୟ ନେଲେ । ବନବାସର ବାକି ସାତଦିନ ସମାପ୍ତ । ଧ୍ୟାନସ୍ଥ ହେଲେ ସେ । ମା’ ପୌର୍ଣ୍ଣମାସୀ ବନଦୁର୍ଗାଙ୍କୁ ଆବାହନ କଲେ । ମା’ ପହଞ୍ଚିଲେ ତାଙ୍କ ଅଲିଅଳ ଅଭି ପାଖରେ । ଅଭିରାମ କହିଲେ,ତୁମେ ମୋର ଗୁରୁ ବୋଲି କହିଲେ, କେହି ସ୍ୱୀକାର କରିବେ ନାହିଁ । ତୁମର ମୋର ସଂପର୍କ ଅଲୌକିକ ସ୍ତରରେ । କିନ୍ତୁ ମୋର ଲୌକିକ ଗୁରୁ ଆବଶ୍ୟକ । ମାଆ କହିଲେ, ସେ ବ୍ୟବସ୍ଥା ମୁଁ ଆଗରୁ କରି ରଖୁ । ତୋ ଗୁରୁ ହାଡ଼ି ଦାସ । ହାଡ଼ିବନ୍ଧୁ ଦାସ କଟକ ଜିଲ୍ଲା ଜଲୌକ ନିକଟ ସିଦ୍ଧଗିରିରେ ମଠ କରି ରହିଛନ୍ତି । ତାଙ୍କ ନାମାନୁସାରେ ଏହି ହାଡ଼ିହାସ ମଠ ବାଳାଶ୍ରମ । ସେ ହେବେ ତୋ ଗୁରୁ । ଉପଯୁକ୍ତ ଶିଷ୍ୟ ବ୍ୟତୀତ ସେ କାହାକୁ ଦୀକ୍ଷା ଦେଇ ନ ଥାଆନ୍ତି । ପୌର୍ଶ୍ୱମାସୀ ବାଟ ବତେଇ ଦେଇ ଅନ୍ତର୍ଦ୍ଧାନ ହେଲେ ।

 

ଅଭିରାମ ଠାବ କଲେ ହାଡ଼ିବନ୍ଧୁଙ୍କ ସିଦ୍ଧଗିରି ମଠକୁ । ସେତେବେଳକୁ ତାଙ୍କର ବୟସ ମାତ୍ର କୋଡ଼ିଏ ବର୍ଷ । ଯୁବକ । ଶିକ୍ଷାଦୀକ୍ଷା ପାଇଁ ପ୍ରାର୍ଥୀ ହେଲେ ହାଡ଼ିବନ୍ଧୁଙ୍କ ନିକଟରେ । ସନ୍ଥ ହାଡ଼ିଦାସ ଅଭିରାମଙ୍କ ନାମ,ଧାମ, ଅତୀତ, ବର୍ତ୍ତମାନ ସବୁ ବିଷୟ ପଚାରି ବୁଝିଲେ । କହିଲେ, ଶିକ୍ଷା ଦୀକ୍ଷା ପାଇଁ ତୋ ବୟସ ପାକଳ ହୋଇନାହିଁ । ବୁଦ୍ଧି କଷି, ‘ଅବସ୍ଥାରେ ଅଛି । ଅପେକ୍ଷା କର । ଆଶ୍ରମରେ ରହ । ସେବା ପୂଜା କର । ଅଭିରାମ ଆଜ୍ଞା ପାଳନ କଲେ । ହାଡ଼ିଦାସ ଜଣେ ସିଦ୍ଧ ସନ୍ଥ । ତ୍ରିକାଳଜ୍ଞ । କେତେଦିନ ପରେ ହାଡ଼ି ଦାସ ଅଭିରାମଙ୍କୁ କହିଲେ, ତୁ ଆଗରୁ ଏକାକ୍ଷର ମନ୍ତ୍ରରେ ଦୀକ୍ଷିତ ହୋଇ ସାରିବୁ । ଏକଥା ମୁଁ ଜାଣେ । କେବଳ ଆସିଚୁ ମୋ'ଠୁ ଶିକ୍ଷା ନେବା ଲାଗି । କିନ୍ତୁ ବେଳକାଳ ଦେଖି ଶିକ୍ଷାରମ୍ଭ କରାଯିବ ।

 

ଅଭିରାମ ସାମାନ୍ୟ ଯୁକ୍ତି ଛଳରେ କହିଲେ, ଶିକ୍ଷାନେବାରେ ବୟସର ସମ୍ବନ୍ଧ କଣ ? ଧ୍ରୁବ, ପ୍ରହ୍ଲାଦ ତ ବାଳୁତ ଅବସ୍ଥାରେ ଭଗବାନଙ୍କୁ ପାଇଥିଲେ । ମୋ ପ୍ରତି ଆପଣ ଛଳନା କରୁ ନାହାଁନ୍ତି ତ ?

 

ସନ୍ଥ ହାଡ଼ିଦାସ ହସିଲେ । କହିଲେ, ତୁ ଦିନେ ମୋ ପାଖକୁ ଆସିବୁ, ଏ ଖବର ମୁଁ ପାଇଚି–ଅଚ୍ୟୁତାନନ୍ଦଙ୍କ ମାଳିକାରୁ । ଅଳ୍ପଦିନ ପରେ ତତେ ଦୀକ୍ଷା ଦିଆଯିବ । ଅଭିରାମ ସେବା ପୂଜାରେ ଅଗ୍ରଣୀ ହୋଇ ଉଠିଲେ । ସାଙ୍ଗ ଶିଷ୍ୟମାନେ ଅଭିରାମଙ୍କୁ ନ ଦେଖିଲେ ବାଇ ହୋଇ ଯାଉଥିଲେ । ଅଳ୍ପଦିନ ପରେ ଅଭିରାମ ଗୁରୁ ଦୀକ୍ଷା ଲାଭ କଲେ । ଏକାକ୍ଷର ମନ୍ତ୍ରରେ ଦୀକ୍ଷିତ ହେଲେ । ହାଡ଼ିଦାସ ଜାଣିଥିଲେ ଅଭିରାମ ମନୁଷ୍ୟ ନୁହେଁ ଦେବତା । ସେ ଅଧିକାଂଶ ସମୟ ଧ୍ୟାନସ୍ଥ ରହୁଥିଲେ । ତାଙ୍କ ଧ୍ୟାନାବସ୍ଥାକୁ ଲକ୍ଷ୍ୟ କରି ଦିନେ ଗୁରୁ ପଚାରିଲେ ତୁ ତ ଧାନ ଯୋଗରେ ସିଦ୍ଧ । ମତେ କଣ ଆସିଥୁ ପରୀକ୍ଷା କରିବା ପାଇଁ ? ହାଡ଼ି ଦାସ କହିଲେ, ବହୁ ଶିଷ୍ୟ କରିଚି କିନ୍ତୁ ତୋ ଭଳି ଶିଷ୍ୟ ଏକ ଓ ପ୍ରଥମ । ତୋରିଦ୍ୱାରା ମୋର ଗୁରୁପଣ ସାର୍ଥକ ହେଲା ।

 

ଅଭିରାମ ଗୁରୁଙ୍କ କେତେକ କାର୍ଯ୍ୟକୁ ଭଲ ପାଉ ନଥିଲେ । କିନ୍ତୁ ମନ ଖୋଲି କହୁ ନ ଥିଲେ । ହାଡ଼ି ଦାସଙ୍କ ପାଖକୁ କେହି ଶିକ୍ଷା ନେବାକୁ ଆସିଲେ ବାବା କହୁଥିଲେ, ଏକ ଯୋଡ ପାଟ ଲୁଗା, ସୁନାର ଲେଖନୀ, ଦକ୍ଷିଣା ଅଠର ଟଙ୍କା, ଧୂପ ନୈବେଦ୍ୟ ଆଦି ଉପକରଣ ଆଗେ, ତାକଢପରେ ଶିକ୍ଷା । ଗରିବ ଲୋକେ ଏସବୁ ଯୋଗାଡ଼ କରି ନ ପାରି ହତାଶରେ ଫେରି ଯାଉଥିଲେ । ତା’ଛଡା ବାବା ନିଜ ହାତରେ ମାଗୁର, କଉମାଛ ମାରି, ରୋଷେଇ କରି ଖାଉଥିଲେ । ରଜ, ତମଃ ବା ତାମସ ଏହି ଦୁଇଟି ଗୁଣର ମୁର୍ତ୍ତିମନ୍ତ ପୂଜକ ଥିଲେ ସେ । ମୋଟାମୋଟି ଭାବରେ ବାବା ହାଡ଼ି ଦାସ ଥିଲେ ଜଣେ ଅବଧୂତ । ଭଲ ମନ୍ଦର କୌଣସି ବାଛ ବିଚାର ତାଙ୍କଠି ନଥିଲା ।

 

ଦିନେ ଅଭିରାମ ସାହସ କରି ପଚାରିଲେ, ମନ୍ତୋପଦେଶ ଭଳି ଅମୂଲ୍ୟଧନ ତ ଦେଲେ । ସେହି ଅମୂଲ୍ୟଧନରେ ମୂଲ୍ୟର ମିଶ୍ରଣ କାହିଁକି ? ଆପଣ ନିଜ ହାତରେ ମାଛ ମାରି ଭୋଜନ କରୁଚନ୍ତି କିପରି ?

 

ଏତିକିରେ ବାବା ହାଡ଼ିବନ୍ଧୁ ଦାସ କ୍ରୋଧରେ ଜଳି ଉଠିଲେ । କହିଲେ, ତୁ ଶିଷ୍ୟ ହୋଇ ଗୁରୁର ‘କର୍ମ’କୁ ଘୃଣା କଲୁ । ତୋର ଏହି ମଠରେ, ଆଶ୍ରମରେ ଆଉ ସ୍ଥାନ ନାହିଁ । ତୁ ମୋର ସିଦ୍ଧଗିରି ଆଶ୍ରମ ଛାଡ଼ି ବାହାରି ଯାଆ ।

 

କିନ୍ତୁ ଗୁରୁଙ୍କ ଆଦେଶକୁ ଲଂଘନ କଲେ ଅଭିରାମ । କହିଲେ, ଶିଷ୍ୟଙ୍କ ଦୃଷ୍ଟିରେ ଗୁରୁ ହିଁ ଭଗବାନ । କାମ, କ୍ରୋଧ, ଲୋଭ, ମାୟା, ହିଂସା, ଦ୍ୱେଷ, ଆଦି ଆପଣଙ୍କୁ ସ୍ପର୍ଶ କରି ନ ପାରେ । ମୋ ପ୍ରତି ଏପରି କ୍ରୋଧ ପ୍ରକାଶ କରି ମତେ ଆଶ୍ରମରୁ ତଡ଼ିଦେଲେ କଣ ଆପଣଙ୍କ ମଙ୍ଗଳ ହେବ ? ମତେ କ୍ଷମା କରନ୍ତୁ । ଏ ସିଦ୍ଧଗିରି ଆଶ୍ରମରେ କଣ ମୋର ଅଧିକାର ନାହିଁ !

 

(ବାବାଜୀ ଚକ୍ରଧର ଦାସଙ୍କ ଲିଖୁତ’’ଠାକୁରଙ୍କ ଚରିତାମୃତ’’ ପୁସ୍ତକରୁ ଏସବୁ ତଥ୍ୟ ସଂଗୃହିତ । କିନ୍ତୁ ଠାକୁରଙ୍କ ଜୀବଦ୍ଦଶାରେ ତାଙ୍କ ସହିତ ଯେଉଁ ସନ୍ୟାସୀମାନେ ଥିଲେ, ସେମାନେ କହନ୍ତି, ଠାକୁରେ ଅବଶ୍ୟ ହାଡ଼ିଦାସଙ୍କ ସିଦ୍ଧଗିରି ଆଶ୍ରମରେ କେତେଦିନ ରହିଥିଲେ, କିନ୍ତୁ ହାଡ଼ିଦାସଙ୍କଠାରୁ ସେ ଦୀକ୍ଷାଗ୍ରହଣ କରିଥିବା କଥା ଠାକୁରଙ୍କ ତୁଣ୍ଡରୁ ସେମାନେ କେବେ ଶୁଣି ନ ଥିଲେ । ଚକ୍ରଧର ବାବା ଠାକୁର ହାଡ଼ିଦାସକୁ ଦୀକ୍ଷାଦେଇଥିବା କଥା କେଉଁଠୁ ଓ କିପରି ଜାଣିଲେ, ତାହା ଏକ ପ୍ରଶ୍ନବାଚୀ !)

Image

 

ସିଦ୍ଧଗିରିରୁ ଚଟକଳ

 

ମାଗୁର ମାଛ ଝୋଳରୁ କଥା ଉଠି ଉଠି ଗଲା କାଣି ଆଙ୍ଗୁଠିରେ ପର୍ବତ ଟେକିବା ପର୍ଯ୍ୟନ୍ତ । ଆପଣ ଜଣେ ସିଦ୍ଧ ପୁରୁଷ, ସାଧୁ ସନ୍ଥ ନିଜ ହାତରେ ମାଛ ମାରି ଆମିଷ ଭକ୍ଷଣ କରୁଛନ୍ତି କିପରି ? ଏତିକି ମାତ୍ର ଅଭିରାମଙ୍କ ପ୍ରଶ୍ନ ଗୁରୁଦେବ ବାବା ହାଡ଼ିଦାସଙ୍କୁ । ବାବା ଉତ୍‌କ୍ଷିପ୍ତ । ସଙ୍ଗେ ସଙ୍ଗେ ତାଙ୍କ ସିଦ୍ଧଗିରି ଆଶ୍ରମରୁ ବାହାରିଯିବା ପାଇଁ ଅଭିରାମଙ୍କୁ ତାଙ୍କର ନିର୍ଦ୍ଦେଶ ! ଶିଷ୍ୟ ଅଭିରାମ କ୍ଷମାଭିକ୍ଷା କଲେ । କିନ୍ତୁ ଆଶ୍ରମରେ ରହିବାର ‘ଅଧିକାର’ ତାଙ୍କର କଣ ନାହିଁ–ପ୍ରଶ୍ନ କରିଦେବାରେ ବାବା ହାଡ଼ି ଦାସ କହିଲେ, ଯଦି ତୁ ଆଶ୍ରମର ଅଂଶୀ–ତା’ହେଲେ ତତେ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡ଼ିବ । ସର୍ଭଟି ହେଉଛି ‘ଏକଦଣ୍ଡ’ ପାଇଁ ଏହି ସିଦ୍ଧଗିରି(ପାହାଡ଼)କୁ ତୁ କାଣି ଆଙ୍ଗୁଠିରେ ଟେକି ଧରିବୁ । ବାଳକାଳରେ ବାଳକୃଷ୍ଣ ଯେପରି ଗୋବର୍ଜନ ଗିରିକି ଟେକି ଧରିଥିଲେ ସିମିତି ।

 

ଅଭିରାମ କହିଲେ, ଗୁରୁକୃପା ହେଲେ ଅସମ୍ଭବକୁ ସମ୍ଭବ କରାଯାଇପାରେ । ପଙ୍ଗୁ ଲଂଘୟତେ ଗିରି–ଯତ୍ କୃପା ତମହଂ ବନ୍ଦେ, ପରମାନନ୍ଦ ମାଧବ । ସେତେବେଳେ ନିଜର ଧୃଷ୍ଟତା ଲାଗି କ୍ଷମାଭିକ୍ଷା କରିଥିଲି, ଏବେ ‘କୃପା’ ଭିକ୍ଷା କରୁଚି । କ୍ଷମା ଓ କୃପା ମିଳିଗଲେ କାଣିଆଙ୍ଗୁଠିରେ ଦଣ୍ଡେ ମାତ୍ର କ'ଣ ସାତଦିନ ଧରି ଟେକି ଧରି ପାରିବି ।

 

ବାବା ହାଡ଼ିଦାସଙ୍କର ମନରେ ଅଭିରାମଙ୍କ ପ୍ରତି କ୍ରୋଧ ଶାନ୍ତ ହୋଇ ନଥାଏ । ଭିତରେ ଭିତରେ କୁହୁଳୁଥାଏ । ମନେ ମନେ ଭାବିଲେ, ଅଭିରାମର ସାହସ ତ କମ୍ ନୁ ହଁ ! ସେ ଶିଷ୍ୟକୁ କ୍ଷମା ଓ କୃପାଦାନ କରିବେ କଣ ତାଙ୍କୁ ଅପମାନିତ କରିବା ପାଇଁ ଚାହିଁଲେ । ଆଶ୍ରମ ନିକଟରେ ଗୋବିନ୍ଦପୁର ଗାଆଁ । ସେଠାର ଲୋକଙ୍କୁ ଡକାଇଲେ । ବହୁ ଲୋକ ସମବେତ ହେଲେ । ବାବା ହାଡ଼ି ଦାସ ସମସ୍ତଙ୍କୁ ବଡ଼ପାଟିରେ କହିଲେ, ଅଭିରାମ ନାମକ ମୋର ଜଣେ ଶିଷ୍ୟ ଆଜି ଏକ ଚମତ୍କାରିତା ଦେଖାଇବ । ସେ କାଣି ଆଙ୍ଗୁଠିରେ ଏଠା ସିଦ୍ଧଗିରି ପାହାଡ଼କୁ ଦଣ୍ଡକାଳ ଟେକି ଧରିବ । ଲୋକେ ଏ ଘୋଷଣାରେ କୌତୂହଳୀ ହୋଇ ଉଠିଲେ । ନାନା କଥା କୁହାକୁହି ହେଲେ ।

 

ଅଭିରାମ ହସି ହସି ଉପସ୍ଥିତ ଲୋକଙ୍କୁ କହିଲେ, ତୁମେମାନେ ଯେଉଁ କାର୍ଯ୍ୟ ଦେଖିବାକୁ ଆସିଚ, ସେ କାର୍ଯ୍ୟ ତ୍ରେତା ଯୁଗରେ, ଦ୍ଵାପର ଯୁଗରେ ହୋଇଚି । ରାମ-ରାବଣ ଯୁଦ୍ଧ ବେଳେ ଇନ୍ଦ୍ରଜିତର ଶକ୍ତିଭେଦ ଯୋଗୁଁ ଲକ୍ଷ୍ମଣ ଅଚେତ ହୋଇ ପଡ଼ିଲେ । ତାଙ୍କ ଚେତା ଫେରାଇ ଆଣିବା ଲାଗି ରାମଭକ୍ତ ହନୁମାନ ବିଶଲ୍ୟକରଣି ଗଛ ସହିତ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ନେଇ ଆସିଥିଲେ । ଦ୍ଵାପର ଯୁଗରେ ଗୋବର୍ଦ୍ଧନ ଗିରିକି ଶ୍ରୀକୃଷ୍ଣ ଟେକି ଧରିଥିଲେ । ଆଜି ଏହି ସିଦ୍ଧଗିରି ଟେକା ବ୍ୟାପାର ଗୁରୁଶିଷ୍ୟଙ୍କ ମଧ୍ୟରେ ସୀମିତ । ଶିଷ୍ୟ ଟେକିବେ, ଗୁରୁ ଦେଖ‌ିବେ । ଟେକା ହେଲା କି ନାହିଁ, ଗୁରୁ ହିଁ ଜାଣିବେ ।

 

କହୁ କହୁ ଅଭିରାମ କିଛି ସମୟ ଧ୍ୟାନସ୍ଥ ରହିଲେ । ସାଧାରଣ ଲୋକେ ଅସାଧାରଣ ଘଟଣାକୁ ଅପେକ୍ଷା କରି ରହିଲେ । ଗିରିଟେକା ତତ୍ତ୍ଵଟି ବୁଝିବା ପାଇଁ ସେମାନେ ଅକ୍ଷମ । ଧ୍ୟାନଭଙ୍ଗ ହେବା ପରେ ଅଭିରାମ ସେମାନଙ୍କୁ ବୁଝାଇଁ ଦେଇ କହିଲେ–‘ପ୍ରତ୍ୟେକ ଜୀବର ଶରୀରରେ ବ୍ରହ୍ମାଣ୍ଡ ପୁରି ରହିଛି । ବ୍ରହ୍ମାଣ୍ଡ ମାଳ ମାଳ ହୋଇ, କଳନା କରି ନ ପାରଇ । ଏହି ବ୍ରହ୍ମାଣ୍ଡ ଭିତରେ ରହିଛି ନଦ, ନଦୀ,ଗିରି, କାନନ, ବନ ଉପବନ, ପୁଷ୍କରିଣୀ ଇତ୍ୟାଦି । ମସ୍ତକ ବା ମଥା ହେଉଚି ସିଦ୍ଧଗିରି । ଯେଉଁମାନେ ଧ୍ୟାନଯୋଗର ସାଧକ ସେମାନେ ଶିର୍ଷା ବା ସିଦ୍ଧଗିରି ପର୍ଯ୍ୟନ୍ତ ଯାଇ ବ୍ରହ୍ମପୁରୁଷଙ୍କୁ ଦର୍ଶନକରି ସିଦ୍ଧିଲାଭ କରନ୍ତି । ତେଣୁ ମସ୍ତକ ହେଉଚି ସିଦ୍ଧଗିରି ।

 

ଅଭିରାମ ଲୋକଙ୍କୁ କହିଲେ, ସିଦ୍ଧଗିରି ଏଠି ଅଛି ବୋଲି ଭାବନି । ଏହି ଗିରି କେଉଁଠି ଜାଣିବାକୁ, ଅନୁଭବ କରିବାକୁ ହେଲେ, ଉପଯୁକ୍ତ ଶିଷ୍ୟ ହେବାକୁ ପଡ଼ିବ । ଗୁରୁଙ୍କ ପାଦତଳେ ନତମସ୍ତକ ହେବ । ନମ୍ର, ବିନୀତ ଭାବରେ କୃପାଭିକ୍ଷା କରିବ ।

 

ନିଗୁଢ଼ ତତ୍ତ୍ୱ । ଏଥିଲାଗି କଠୋର, ନିଷ୍ଠାପର ସାଧନା ଦରକାର । ଏ ଧନ୍ଦାରେ କିଏ ପଶୁଚି, ଏସବୁ ସାଧୁ ସନ୍ନ୍ୟାସୀମାନଙ୍କର କାମ ଭାବି ଲୋକେ ଯିଏ ଯାହା ବୁଝିଲା, ସେତିକିରେ ସନ୍ତୁଷ୍ଟ ହୋଇ ନିଜ ନିଜ ଘରକୁ ଫେରିଲେ । କିନ୍ତୁ ବାବା ହାଡ଼ିଦାସଙ୍କ ହାଲ୍‌କ ଶୁଖୁଆସିଲା । କ୍ରୋଧ ଶାନ୍ତ ହେଲା । ଅଭିରାମଙ୍କ ତୁଣ୍ଡରୁ ‘ଗିରିଧରା’ ତତ୍ତ୍ୱଟି ଶୁଣି ତୃପ୍ତ ହେଲେ । ଅଭିରାମଙ୍କୁ ଖୁସିରେ କୁଣ୍ଢେଇ ପକାଇଲେ l ଆଶୀର୍ବାଦ କଲେ I କହିଲେ, ନିଜ କର୍ମକ୍ଷେତ୍ରକୁ ଯାଅ । କ୍ଷେତ୍ରଜ୍ଞ ଭାବରେ ଲୋକଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କର ।

 

ପୁଣି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ ହେଲେ ଅଭିରାମ । ମନ ଭିତରେ କୌଣସି ସମସ୍ୟା ଉପୁଜିବା ମାତ୍ରେ, ଅଭିରାମ ସ୍ମରଣ କରନ୍ତି ମା’ ପୌର୍ଣ୍ଣମାସୀଙ୍କୁ । ସେ ତାଙ୍କଠି ଶକ୍ତିରୂପେଣ, ମାତୃରୂପେଣ ସଂସ୍ଥିତା । କିଛିବାଟ ଯିବା ପରେ ସେ ଏକ ଗଛମୂଳେ ବସି ଧ୍ୟାନମଗ୍ନ ହୋଇ ପଡ଼ିଲେ । ପୌର୍ଣମାସୀ ତାଙ୍କୁ ଦେଇଥିବା ମନ୍ତ୍ର ସ୍ମରଣ କରିବାମାତ୍ରେ ମା’ ଅ ! ସିଗଲେ । ଅଭିରାମ କହିଲେ, ଗୁରୁ କରିବା ଲାଗି ଯେଉଁଠିକି ପଠାଇଥିଲ, ଗଲି । ସେଠି ରହିଲି । ଦୀକ୍ଷିତ, ଶିକ୍ଷିତ ହେଲି । ଏବେ କରିବି କଣ ?

 

ପୌର୍ଣ୍ଣମାସୀ କହିଲେ, ଏଣିକି ପ୍ରଦେଶ ବାହାରକୁ ଯିବାକୁ ପଡ଼ିବ । ତୁ ଏବେ ଗୁରୁ । ତୋ’ର ଶିଷ୍ୟ ଦରକାର । ତୋର ପାର୍ଷଦ ଅନ୍ତରଙ୍ଗ ଭକ୍ତମାନେ ଅଛନ୍ତି–କଲିକତାର ସଂକ୍ରାଏଲି ନାମକ ଏକ ଜାଗାରେ । ସେମାନେ ଚଟକଳ ବା ଝୋଟକଳର ଶ୍ରମିକ । ତତେ ଦେଖିବା ମାତ୍ରେ ଆନନ୍ଦରେ ନାଚି ଉଠିବେ । ଭକ୍ତ ହେବେ । ତୋ ସେବା ପୂଜା କରିବେ । ତୋର ବାଣୀର ପ୍ରଚାର ହେବ ସେମାନଙ୍କ ମାଧ୍ୟମରେ ।

 

ସେତେବେଳେ ଓଡ଼ିଶାରୁ ବହୁ ଓଡ଼ିଆ ବେକାର ଯୁବକ କାମ ନ ପାଇ ବର୍ମା ପଳାଉଥିଲେ । ଆଉ କେତେକ ଯାଉଥିଲେ କଲିକତା-ଚଟକଳରେ କାମ କରିବା ପାଇଁ । ବିଶେଷତଃ ପୁରୀ ଜିଲ୍ଲାର ବହୁ ଓଡିଆ ଥିଲେ ଝୋଟକଳର ଶ୍ରମିକ । ଏମାନଙ୍କ ମଧ୍ୟରୁ କେହି କେହି ଅଭିରାମଙ୍କ ବାଲ୍ୟାବସ୍ଥାର ଅଲୌକିକ-ଲୀଳା ଶୁଣିଥିଲେ । ପରସ୍ପର ମଧ୍ୟରେ ଅଭିରାମଙ୍କ ଏହି ଲୀଳାର ଚର୍ଚ୍ଚା ହେଉଥିଲା । ତା’ଛଡା ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ଆବିର୍ଭାବ ପରେ ବଙ୍ଗଳାରେ ଭକ୍ତି ଓ ପ୍ରେମମାର୍ଗର ପ୍ଲାବନ ଛୁଟିଥିଲା । ଘରେ ଘରେ ନାମସଂକୀର୍ତ୍ତନ । ଶ୍ରୀମନ୍ ଗୌରାଙ୍ଗ ମହାପ୍ରଭୂ ପୁରୀରେ ଦୀର୍ଘ ଅଠର ବର୍ଷ ଧରି ରହି ଉତ୍କଳୀୟ ମାନଙ୍କୁ ମଧ୍ୟ ଏହି ପ୍ରେମ–ଭକ୍ତିରେ ଉଦ୍‌ବୁଦ୍ଧ କରାଇଥିଲେ । ତେଣୁ ଅଭିରାମଙ୍କୁ ନିଜ ମନଗୁରୁ ହିଁ ବାଟ କଢେଇ କଢେଇ ନେଇଥୁଲା କଲିକତାର ସଂକ୍ରାଏଲି ପର୍ଯ୍ୟନ୍ତ । ଏ ଜାଗାଟି ଗଙ୍ଗାନଦୀ କୂଳରେ !

Image

 

କୁଣ୍ଠାତୀତ ବୈକୁଣ୍ଠ !

 

ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ହାସଲ ଲାଗି ମଣିଷ କଠୋର ପରିଶ୍ରମ କରେ । ଧ୍ୟାନ, ତପସ୍ୟା, ସେବା, ପୂଜା, ବ୍ରତ ଉପବାସ ମଧ୍ୟ ପରିଶ୍ରମ ସାପେକ୍ଷ । କେହି କେହି କୁସ୍ରାଧନା କରି ଶରୀରକୁ କଷ୍ଟ ଦେଇଥାଆନ୍ତି । ଭୀଷଣ ଯନ୍ତ୍ରଣା ଭୋଗନ୍ତି । ମାନସିକ ଚିନ୍ତା ସବୁଠୁ ବଡ଼ ପରିଶ୍ରମ । ଚିନ୍ତା ଚିତା ଦ୍ୱୟର୍ମଧେ ଚିନ୍ତା ଏବ ଗରିୟସି ଆଧ୍ୟାତ୍ମିକଗର୍ବ ଯେପରି ବିପଜ୍ଜନକ, କ୍ଷତିକାରକ, ସେହିଭଳି ଆଧ୍ୟାତ୍ମିକ କାମନା ମଧ୍ୟ । ବହୁ ସାଧୁ ସନ୍ୟାସୀ ଆଧ୍ୟାତ୍ମିକ ଶିଖରକୁ ଉଠିବା ପାଇଁ ପାହାଚ ପରେ ପାହାଚ ଉଠନ୍ତି, ଅଧାବାଟ ଯାଇ ତଳକୁ ଖସି ପଡ଼ନ୍ତି । ଏହି ପତନର ଅନ୍ୟନାମ ହତାଶା । ଏହା ତୀବ୍ର ହୋଇ ଉଠିଲେ ସେମାନେ ‘ଆତ୍ମହତ୍ୟା’ କରନ୍ତି । ଏ ଘଟଣାର ବହୁ ଜ୍ୱଳନ୍ତ ଉଦାହରଣ ରହିଛି ।

 

ଠାକୁର ଅଭିରାମ ପରମହଂସ ପୌର୍ଣ୍ଣମାସୀଙ୍କ ନିର୍ଦ୍ଦେଶମତେ ଗଲେ କଲିକତାର ସଂକ୍ରାଏଲିକି । ଆଗରୁ ଜଣେ ଭକ୍ତ ଆସି ଏଠି ଗୋଟିଏ ଘରଭଡା ନେଇ ରହୁଥିଲେ । ତାଙ୍କ ନାଆଁ ବୈକୁଣ୍ଠ । ବୈକୁଣ୍ଠଙ୍କର ଏଠି ଏକମାତ୍ର କାମ ଥିଲା, ପ୍ରତିଦିନ ଗଙ୍ଗାସ୍ନାନ କରି ଭଗବାନଙ୍କୁ ଧ୍ୟାନ କରିବେ । ଏକମାତ୍ର ଲକ୍ଷ୍ୟ ବା କାମନା, ଭଗବାନଙ୍କ ଦର୍ଶନ ପାଇବେ । ଇମିତି କେତେ ଦିନ ବିତି ଗଲାଣି । ବୈକୁଣ୍ଠ ମନେ ମନେ ପଣ କରିଛନ୍ତି–ଯଦି ଆଜି ଦର୍ଶନ ନ ମିଳେ, ସେ ପ୍ରାଣ ବିସର୍ଜନ କରିବେ । ତେଣୁ ହାତରେ ଏକ ତୀକ୍ଷ୍ଣ ଛୁରୀ ଧରି ସେ ବସିଛନ୍ତି ସ୍ଥାନରେ । ମୁଦ୍ରିତ ଚକ୍ଷୁ । ହଠାତ୍ ତାଙ୍କ ମନଶ୍ଚକ୍ଷୁରେ ସେ ଦେଖ‌ିଲେ ଚତୁଦ୍ଦିଗ ଆଲୋକିତ । ଜଣେ ଦୀପ୍ତିମାନ ପୁରୁଷ ତାଙ୍କ ଆଡ଼କୁ ଧୀରେ ଧୀରେ ଆଗେଇ ଆସୁଚନ୍ତି । ସେ ମହାପୁରୁଷ ତାଙ୍କ ପାଖକୁ ଲାଗି ଆସିବା ମାତ୍ରେ ବୈକୁଣ୍ଠଙ୍କ ଧ୍ୟାନ ଭଙ୍ଗ ହୋଇଗଲା । ଦେଖିଲେ, ସାମନାରେ ଦଣ୍ଡାୟମାନ ତାଙ୍କ ଆତ୍ମାରାମ ଅଭିରାମ ।

 

ଅଭିରାମ ପଚାରିଲେ, ତୁମେ କାହାକୁ ଖୋଜୁଚ ? ବୈକୁଣ୍ଠ କହିଲେ, ଭଗବାନଙ୍କୁ ।

 

ପ୍ରଶ୍ନ :–ତାଙ୍କୁ ପାଇବା ପାଇ ଛୁରା କଣ ଦରକାର ?

 

ଉତ୍ତର :–ନ ପାଇଲେ ଆତ୍ମହତ୍ୟା କରିବା ପାଇଁ ।

 

ସଂସାରରୁ ବିଦାୟ ଆତ୍ମଘାତକମାନେ ଭୂତପ୍ରେତ ହୋଇଥାଆନ୍ତି । ଦୁର୍ଲ୍ଲଭ ଆତ୍ମାକୁ ନିଜ ଶରୀରରୁ ବାହାର ଠାକୁର ଅଭିରାମ କହିଲେ, ଆତ୍ମା ହିଁ ଭଗବାନ । ଆତ୍ମହତ୍ୟାଠୁ ବଳି ପାପ ନାହିଁ । କରିଦେବାରେ ସେମାନେ ଅଶରୀରୀ । ଆଉ ଶରୀର ନେଇ ଜନ୍ମ ହୁଅନ୍ତି ନାହିଁ । ପୋକମାଛି, କୀଟପତଙ୍ଗ ଭଳି ବାୟୁମଣ୍ଡଳରେ ଛାଇଭଳି ଘୂରି ବୁଲନ୍ତି । ତୁମର ‘ଭାବ’ର ଅଭାବ ଯୋଗୁ ସମସ୍ତ ସାଧନା ନିରର୍ଥକ । ‘ଭାବ’ର ସୂତ୍ର ହେଉଚି ଆତ୍ମଜ୍ଞାନ । ସେ ଭାବଗ୍ରାହୀ । ଆନ୍ତରିକ ଭାବ ଥିଲେ ଭାବଗ୍ରାହୀ ତୁମ ପାଖକୁ ଟାଣି ହୋଇ ଆସିସାରନ୍ତେଣି । ଭକ୍ତ ଓ ଭଗବାନ–ଗାଈ ବାଛୁରୀର ସମ୍ପର୍କ । କ୍ଷୀର ପାଇବା ଲାଗି ବାଛୁରୀ ଗାଈ ପଛେ ପଛେ ଗୋଡାଇଥାଏ । ସେହିଭଳି ‘ଭାବ’ ଗ୍ରହଣ ଲାଳସାରେ ଭଗବାନ ଗୋଡାଇଥାଆନ୍ତି ଭକ୍ତର ପଛେ ପଛେ ।

 

ସନାତନ ସାରଥି ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ କହି ବା ଭଳି ଠାକୁରେ କହୁଚନ୍ତି ସଖା ବୈକୁଣ୍ଠଙ୍କୁ । ତାଙ୍କ କୁହା ବୈକୁଣ୍ଠଙ୍କୁ ମୋହଗ୍ରସ୍ତ କରି ପକାଇଲା । ହଠାତ୍ ସେ ମୋହମୁକ୍ତ ହୋଇ ଦେଖିଲେ, ତାଙ୍କୁ ଯିଏ କହୁଚନ୍ତି–ସେ ଅଭିରାମ ନୁହଁନ୍ତି, ସାକ୍ଷାତ ଭଗବାନ ଶ୍ରୀରାମ । ଜ୍ୟୋତିର୍ମୟ ମୁଖମଣ୍ଡଳ I ବୈକୁଣ୍ଠ ପ୍ରଶ୍ନ କଲେ, ତୁମେ ତ ମହାମାନବ । ସାଧାରଣ ମାନବ ନୁହଁ, ସ୍ଵୟଂ ମାଧବ । ଶୀଘ୍ର ପରିଚୟ ଦିଅ ନଚେତ୍ ଶୀଘ୍ର ସାମନାରୁ ହଟିଯାଅ । ମତେ ମୋ ପଣରକ୍ଷା କରିବାକୁ ଦିଅ । ପ୍ରାଣତ୍ୟାଗ ହିଁ ଶ୍ରେୟ ।

 

ଅଭିରାମ ଲକ୍ଷ୍ୟ କଲେ ବୈକୁଣ୍ଠର ବ୍ୟାକୁଳତା ପାକଳ ହୋଇ ଆସିଲାଣି । କହିଲେ, ଆଖୁ ବୁଜ, ପୂର୍ବଭଳି ଧ୍ୟାନସ୍ଥ ହୁଅ । ‘ମୁଁ କିଏ’ର ପରିଚୟ ପାଇ ପାରିବ । ବୈକୁଣ୍ଠ ଆଖବୁଜି ରହିଲେ । କିଛି ସମୟ ପରେ ସେ ଯେଉଁ ‘ଅପରୂପ’କୁ ରୂପରେ ଦେଖିବାକୁ ଚାହୁଁଥିଲେ, ସେ ତାଙ୍କ ଆଖି ଆଗରେ ସ୍ପଷ୍ଟ ପ୍ରତିଭାତ । ଅନୁପମ, ଅପରୂପ ସ୍ୱୟଂ ନାରାୟଣ ତାଙ୍କ ଆଗରେ ଦଣ୍ଡାୟମାନ । ଚତୁର୍ଭୁଜରେ ଶଂଖ, ଚକ୍ର, ଗଦା, ପଦ୍ମ । ବୈକୁଣ୍ଠଙ୍କ ଶରୀର ରୋମାଞ୍ଚ ହୋଇପଡ଼ିଲା । ଅଭିରାମ କହିଲେ, ବୈକୁଣ୍ଠ ! ବୈକୁଣ୍ଠପୁରୀରେ ବୈକୁଣ୍ଠଙ୍କୁ ଦେଖିଲ ତ !

 

ବୈକୁଣ୍ଠ ଫେରି ଆସିଲେ ସ୍ୱାଭାବିକ ଅବସ୍ଥାକୁ I ସେ ଅଭିରାମଙ୍କ ପାଦତଳେ ଲୋଟି ପଡ଼ିଲେ । କହିଲେ, ତୁମେ ହିଁ ମୋର ଅସାବଧନର ଧନ । ଆଜୀବନ ଏହି ପାଦପଦ୍ମ ସେବା ପୂଜାରୁ ଯେପରି ମୁଁ ବଞ୍ଚିତ ନ ହୁଏ !

 

ଠାକୁରେ କହିଲେ, ତୁମେ ହିଁ ପ୍ରକୃତ ବୈକୁ I କୁଣ୍ଠାତୀତ ବୈକୁଣ୍ଠ । ସେ ବୈକୁଣ୍ଠଙ୍କୁ ଭକ୍ତିମାର୍ଗରୁ ଜ୍ଞାନମାର୍ଗକୁ ଆଣି କହିଲେ, ବୈକୁଣ୍ଠର ସ୍ଥାନ ହେଉଚି ଭକ୍ତର ହୃଦୟ ।’’ନାହଂ ତିଷ୍ଠାମି ବୈକୁଣ୍ଠ, ମୁନିନାଂ ହୃଦୟେ ନଚ । ମଦ୍‌ଭକ୍ତା ଯତ୍ର ଗାୟରି ତତ୍ର ତିଷ୍ଠାମି ନାରଦ !’’

 

ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଘଟିଲା ପତିତପାବନୀ ମା’ ଗଙ୍ଗା ତୀରରେ । ଠାକୁରେ ବୈକୁଣ୍ଠଙ୍କୁ କହିଲେ, ମୁଁ ଏଣିକି ତୁମ ହୃଦୟରେ ରହିଲି । ରହିବି ହୃଦୟ ସ୍ଵଚ୍ଛ ନିର୍ମଳ ଅନାବିଳ ଥ‌ିବାଯାଏଁ । ତୁମର ମୋର ଅବିଚ୍ଛେଦ୍ୟ ଅଙ୍ଗ । ତୁମେ ଯେଉଁଠି ଯେଉଁ ଅବସ୍ଥାରେ ରହିବ,ଠାକୁରେ ଅବିକଳ ସେହିପରି ରହିବେ ।

 

ବୈକୁଣ୍ଠ ଅଭିରାମଙ୍କୁ ସାଙ୍ଗରେ ନେଇ ଗଲେ ସଂକ୍ରାଲି ଚଟକଳ ନିକଟ ତାଙ୍କ ଭଡାଘରକୁ । ଠାକୁରଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କଲେ । ବିଶ୍ରାମ ନେବା ପାଇଁ ସୁବ୍ୟବସ୍ଥା କରିଦେଲେ ।

Image

 

ଦିନରେ ଶ୍ରମିକ, ରାତିରେ ଶିକ୍ଷକ

 

କଲିକତାର ସଂକ୍ରାଏଲି । ଚଟକଳ । ଏଠି ଓଡିଆ ଶ୍ରମିକ ଅନେକ । ଭକ୍ତ ବୈକୁଣ୍ଠଙ୍କ ସହିତ ଅଭିରାମଙ୍କ ଏଇଠି ମିଳନ । ବୈକୁଣ୍ଠ ଶିକ୍ଷା ଓ ଦୀକ୍ଷା ଲାଭ ଲାଗି ଉତ୍କଣ୍ଠିତ । ବ୍ୟାକୁଳ । ଆଧ୍ୟାତ୍ମିକ ପାଠଶାଳା, ଚାଟଶାଳୀରେ ବୈକୁଣ୍ଠଙ୍କ ଖଡିଛୁଆଁ ହେବ । ଖଡିଛୁଆଁ ପର୍ବଠୁ ବଳି ଏକ ପବିତ୍ର କର୍ମ । ଧର୍ମ, ମର୍ମ, କର୍ମ ଏକାକାର । ବୈକୁଣ୍ଠ ମନ୍ତୋତ୍ସବ ଲାଗି ସମସ୍ତ ଉପଚାର, ଉପାଦାନ ଅଳ୍ପ ସମୟ ଭିତରେ ଯୋଗାଡ଼ କରିଦେଲେ । ଶୁଦ୍ଧାସନରେ ବସିଲେ । ଠାକୁରେ ବୈକୁଣ୍ଠଙ୍କୁ ମନ୍ତ୍ରୀପଦଦେଶ ଦେଲେ । ମନ୍ତ୍ର ଭିତରେ କି ଯନ୍ତ୍ର ଖଞ୍ଜା ହୋଇଥଲା କେଜାଣି, ମୁହୂର୍ଭକରେ ବୈକୁଣ୍ଠଙ୍କ ଅନ୍ତର୍ଦେଶ ଆଲୋଡ଼ିତ ହୋଇ ଉଠିଲା । ଭିତର ବାହାର ଚତୁର୍ଦ୍ଦିଗ ନାଦବ୍ରହ୍ମର ତୁମୁଳ ନିନାଦରେ ନିନାଦିତ । ମୁଖରିତ । ବୈକୁଣ୍ଠ ସମ୍ପୂର୍ଣ୍ଣ ପରିବର୍ତ୍ତିତ । ଚଟକଳର ଶ୍ରମିକଭାଇଙ୍କ ମଧ୍ୟରୁ କେହି କେହି ସେଠି ଉପସ୍ଥିତ ଥିଲେ । ସେମାନେ ଲକ୍ଷ୍ୟ କଲେ, ବୈକୁଣ୍ଠ ‘ବାବୁ’ ଏବେ ଯିମିତି ‘ବାବା’ ପାଲଟିଯାଇଛନ୍ତି ।

 

ବୈକୁଣ୍ଠଙ୍କ ମନ ଭିତରେ ଏହି ପରିବର୍ତ୍ତନର ଆବର୍ତ୍ତନ ଚାଲିଥିବାବେଳେ ଠାକୁରେ ପ୍ରଶ୍ନ କଲେ, ବାପ ବୈକୁଣ୍ଠ ! ମୁଁ ତୁମର କିଏ ? ବୈକୁଣ୍ଠ ପିଲାଙ୍କ ଭଳି ରୋଟି ଭାଷାରେ କହିଲେ, ଆପଣ ମୋର ଗୁରୁଦେବ । ମୁଁ ଆପଣଙ୍କ ଶିଷ୍ୟ । ଠାକୁରେ କହିଲେ, ମନେରଖ—

 

ମନ୍ତ୍ର ମୂଳ ଗୁରୁ ବାକ୍ୟ

ନମୂଳ ଗୁରୁ ପାଦ

।।

ପୂଜା ମୂଳ ଗୁରୁ ମୂର୍ତ୍ତି

ମୋକ୍ଷ ମୂଳ ଗୁରୁ କୃପା

।।

 

ମା’ ପୌର୍ଣମାସୀ ଅଭିରାମଙ୍କୁ ପଠାଇଛନ୍ତି ଚଟକଳର ଓଡିଆ ଶ୍ରମିକମାନଙ୍କ ପାଖକୁ । ଖାଲି ଚୁପଚାପ୍ ବସିବା ପାଇଁ ନୁହଁ କିମ୍ବା ମାଳାଗଡ଼େଇଦା ପାଇଁ ନୁହଁ । ତାଙ୍କର କାମ ଅଶିକ୍ଷିତଙ୍କୁ ଶିକ୍ଷିତ କରିବା ।

 

ବୈକୁଣ୍ଠ ଯେଉଁଠି ଘରଭଡା ନେଇ ରହୁଥିଲେ, ସେଠା ସାହିପଡ଼ିଶା ଲୋକେ ମଧ୍ୟ ଓଡ଼ିଆ । କେହି କେହି ଜାଣିଥିଲେ ବୈକୁଣ୍ଠ ଜଣେ ଯୁବକ ସନ୍ନ୍ୟାସୀଙ୍କଠୁ ମନ୍ତ୍ର ନେଇଛନ୍ତି । ଏହି ମନ୍ତ୍ରଦାତା ଶ୍ରୀଗୁରୁଙ୍କୁ ଦେଖିବା ପାଇଁ ଧୀରେ ଧୀରେ କେତେକ ଲୋକ ଆସିଲେ । ଠାକୁରଙ୍କ ସହିତ କଥାବାର୍ତ୍ତା କଲେ । ଠାକୁରେ କହିଲେ, ସେ ଆସିଚନ୍ତି ଏଠି ଏକ ଚାଟଶାଳୀ ଖୋଲିବା ପାଇଁ । ଲୋକଙ୍କୁ ପାଠ ପଢ଼େଇବା ପାଇଁ । ସମସ୍ତେ ଶ୍ରମିକ । ଦିନଯାକ କଠୋର ପରିଶ୍ରମ । ଘରକୁ ଫେରି ଗଣ୍ଡେ କଣ ଖାଇ ଶୋଇପଡ଼ନ୍ତି । ପୁଣି ସକାଳୁ ସକାଳୁ ସେମାନଙ୍କ ଯାତ୍ରା ଚଟକଳକୁ । ଚଟକଳର ମାଲିକ ଗୋରା ସାହେବ ।

 

ଠାକୁରେ କହିଲେ, ଅକ୍ଷର ପରିଚୟ ଲାଗି ପାଠପଢ଼ା ନ ହୋଇ ରାତିରେ ପୁରାଣ ପଢ଼ା ହେବ । ଘଣ୍ଟେ ହେଉ କି ଦି’ ଘଣ୍ଟା ହେଉ । ସମସ୍ତେ ଶୁଣିବେ । ଖୁସି ହେବେ । ଆନନ୍ଦ ପାଇବେ । ଲୋକେ ରାଜି ହେଲେ । ତା’ ଆରଦିନଠୁ ପ୍ରତିଦିନ ରାତିରେ ବିଭିନ୍ନ ପୁରାଣ ପଢ଼ାଗଲା । ଠାକୁରଙ୍କ ସୁଲକିତ କଣ୍ଠସ୍ୱରରେ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ପଡ଼ିଲେ । ଠାକୁରେ ଖାଲି ପୁରାଣ ପାଠ କରୁ ନଥିଲେ, ପାଠର ସାରାଂଶ କହୁଥିଲେ । ଓଡିଆ ଶ୍ରମିକଭାଇମାନଙ୍କ ମଧ୍ୟରୁ ଜଣକ ପରେ ଜଣେ ଟାଣି ହୋଇ ଆସିଲେ ।

 

ଶ୍ରମିକଙ୍କ ମଧ୍ୟରେ ଆଲୋଚନା ହେଲା । ସମସ୍ତେ ମିଶି ସ୍ଥିର କଲେ ଶିକ୍ଷକଙ୍କୁ କିଛି ପାରିଶ୍ରମିକ ଦେବେ । ତାଙ୍କର ତ ପୁଣି ପେଟପାଟଣା ଅଛି । ସିଏ ତ ସବୁବେଳେ ବୈକୁଣ୍ଠଙ୍କ ଉପରେ ନିର୍ଭର କରିବେନି । ଶ୍ରମିକଙ୍କ ମଧ୍ୟରୁ କେତେଜଣ ସହେବ ମାଲିକଙ୍କୁ ଭେଟିଲେ । ଅଭିରାମଙ୍କୁ କାମ ଦେବାକୁ ଅନୁରୋଧ କଲେ । ସେତେବେଳେ ରସି ବଳିବା ଲାଗି ଜଣେଲୋକ ଦରକାର ହେଉଥିଲେ । ସାହେବ ଅଭିରାମଙ୍କୁ ଡାକି ସେହି କାମରେ ନିଯୁକ୍ତ କଲେ । ମଜୁରି ସପ୍ତାହରେ ପାଞ୍ଚଟଙ୍କା । ଗୋଟିଏ ପେଟ ପୋଷିବା ପାଇଁ ଇଏ ଯଥେଷ୍ଟ ।

 

ଅଭିରାମ ହେଲେ ‘ଦିନରେ ଶ୍ରମିକ, ରାତିରେ ଶିକ୍ଷକ ।’ ଯେଉଁମାନେ ରାତିରେ ପଢ଼ିବାକୁ ଆସୁଥିଲେ, ସେମାନେ ଲକ୍ଷ୍ୟ କରୁଥିଲେ, ଅଭିରାମ ମାଳା ଗଡେଇବାରେ ଲାଗିଛନ୍ତି । ପୁରାଣପଢ଼ା ଆରମ୍ଭ କଲେ-ମାଳାଗଡେଇବା କାମ ବନ୍ଦ ରହେ । ଦିନେ ଛାତ୍ରମାନେ ପଚାରିଲେ, ମାଳା ଗଡଉଚନ୍ତି କାହିଁକି ? ଠାକୁରେ କହିଲେ, ତୁମେମାନେ ପ୍ରତିଦିନ ଭାଗବତ ଶୁଣୁଚ, ମୁଁ ଯାହା ବୁଝାଇଚି ବୁଝୁଚ୍ । କିନ୍ତୁ ଈଶ୍ଵରଙ୍କ ପ୍ରତି ତୁମମାନଙ୍କର ଅଟଳ ବିଶ୍ୱାସ ଆସିଲାଣି କି ?

 

ସମସ୍ତେ ନିରୁତ୍ତର । ଈଶ୍ୱରବିଶ୍ଵାସ କମ୍ କଥା ନୁହଁ । ଏଥ‌ିପାଇଁ କେତେ ଯୋଗୀ ମୁନି କଠୋର ତପସ୍ୟା କରିଛନ୍ତି । କରୁଛନ୍ତି । ତଥାପି ସେମାନଙ୍କ ମନରେ ଈଶ୍ୱର ଭିତ୍ତି ପଡ଼ିପାରି ନାହିଁ । ଭିଭି ବା ମୂଳଦୁଆ ଟାଣ ନ ହେଲେ ଉପରେ ଘର କରି କି ଲାଭ ? ଘର ତ ଅଳ୍ପ ଦିନରେ ଭୁଶୁଡି ପଡ଼ିବ ।

 

ତେଣୁ ଅଭିରାମ ପ୍ରଥମେ ଲୋକଙ୍କୁ ଈଶ୍ୱରଙ୍କ, ପରିଚୟ କରିବା ଲାଗି ଉଦ୍ୟମ କଲେ । କହିଲେ, ପୁତ୍ରର ଉତ୍ପ ଲାଗି ପିତା ଆବଶ୍ୟକ । ସେହିଭଳି ବିଶ୍ଵସୃଷ୍ଟି ଲାଗି ଯିଏ ମୂଳ କାରଣ ସିଏ ହିଁ ଈଶ୍ୱର । ପରମେଶ୍ୱର । ଏହା ହିଁ ନିରାଟ ସତ୍ୟ ।

 

ସତ୍ୟକୁ ପୁତ୍ର ପ୍ରାୟେ ମଣ

ସତ୍ୟକୁ ଦିଅ ଚୁମ୍ବ ଦାନ

।।

ସତ୍ୟକୁ କୋଳେ ଥାଅ ଧରି

ସତ୍ୟକୁ ଧରି ଭଜ ହରି

।।

 

ଠାକୁର ଶ୍ରୀ ଅଭିରାମ ଏହିପରି ତତ୍ତ୍ୱବାଣୀକୁ ଗୀତ ଆକାରରେ ଅନର୍ଗଳ ଗାଇ ଯାଉଥିଲେ । ତାଙ୍କର ଭାଷା ଏପରି ସରଳ ଥିଲା ଯେ ଅବୋଧ ବୋଲି କିଛି ରହୁ ନଥିଲା । ତଥାପି ସେ ମଝି ମଝିରେ ଛାତ୍ରମାନଙ୍କୁ ପଚାରୁଥିଲେ, ବୁଝିବା ପାଇଁ ଆଉ କିଛି ବାକି ଅଛି କି ?

Image

 

‘ଯେତେ କର୍ମ, ସବୁ ଧରମ କରମ’

 

ଜଣେ ବେପାରୀ । ଘୋଡ଼ା ଉପରେ ଲଦି ଜିନିଷ ନିଅନ୍ତି । ଗାଁ ଗାଁ ବୁଲନ୍ତି । ପସରା ମେଲି ବିକନ୍ତି । ରାତି ହେଲେ ଏଠି ସେଠି ବିଶ୍ରାମ ନିଅନ୍ତି । ଦିନେ ସେ ଗୋଟିଏ ଗାଁ ପାଖ ମନ୍ଦିରକୁ ଗଲେ ବିଶ୍ରାମ ପାଇଁ । ମନ୍ଦିରର ବିରାଟ ବେଢ଼ା । ମନ୍ଦିରକୁ ଯାଇ ଦେଖ‌ିଲେ, ଘୋଡ଼ାକୁ ବନ୍ଧା ଯାଉଥ‌ିବା ଦଉଡ଼ିଟି ପାଖ ଗାଁରେ ଛାଡ଼ି ଦେଇ ଆସିଚନ୍ତି । ଘୋଡ଼ା ବେକରେ ଦଉଡ଼ି ବାନ୍ଧି, କୌଣସି ଗଛ ମୂଳରେ ତାକୁ ବନ୍ଧାଯାଏ । ରାତିରେ ଗାଁକୁ ଫେରି ଦଉଡ଼ିଟି ଆଣିବା ସମ୍ଭବ ନୁହଁ । ଅନ୍ଧାର ରାତି । ମନ୍ଦିରର ପୂଜକଙ୍କୁ କହିଲେ, ଦଉଡ଼ି ଥୁଲେ ଖଣ୍ଡିଏ ଦିଅ, ରାତିପାହିଲେ ଫେରାଇ ଦେବି । ପୂଜକ ପଚାରିଲେ, ରାତିରେ ଦଉଡ଼ି କଣ ଦରକାର ? କଣ ବେକରେ ଦଉଡ଼ି ଦେଇ ମରିବା ପାଇଁ ? ବେପାରୀ କହିଲା, ଘୋଡ଼ାକୁ ବାନ୍ଧିବି । ନଚେତ ରାତିରେ କୁଆଡ଼େ ପଳେଇବ । କାହା ବାଡ଼ିରେ ପଶି, ଗଛପତ୍ର ଉଜାଡ଼ି ଦେବ । ମନ୍ଦିର ବେଢ଼ାରେ ମଧ୍ୟ ସେପରି ଉତ୍ପାତ କରିପାରେ ।

 

ପୂଜକ ହସି ହସି କହିଲେ, ଆରେ ବୋକା ! ବେପାରୀ ସିନା, ଅସଲ ବେପାର ଜାଣିନୁ । ଘୋଡ଼ାକୁ ବାନ୍ଧିବା ପାଇଁ ଦଉଡ଼ି ଦରକାର ହେବନି । ଘୋଡ଼ାକୁ ଯେଉଁ ଗଛମୂଳେ ବାନ୍ଧିବାକୁ ଚାହୁଁଚୁ, ଅଢ଼େଇ ଅଡ଼େଇ ନେ । ତା’ ବେକ ଚାରିପଟେ ଦଉଡ଼ି ବାନ୍ଧିବା ଭଳି ହାତକୁ ବୁଲେଇ ଆଣ । ଦେଖି’ ଘୋଡ଼ା ଯେଉଁଠି ଥ‌ିବ ସେଇଠି ରହିଥବ । ଘୋଡ଼ା ଜାଣିବ ଯେ ତା’ ବେକରେ ଦଉଡ଼ି ବନ୍ଧା ହୋଇଚି । ତୁ ଆରାମରେ ଠାକୁରଙ୍କ ଭୋଗ ଖାଇ ଶୋଇପଡ଼ । ନିଧକ୍ । ସକାଳ ହେଲେ ଘୋଡ଼ାର ବେକ ଚାରିପଟେ ହାତ ବୁଲେଇ ଆଣିବୁ । ଘୋଡ଼ା ଜାଣିବ ଯେ ତା’ ବେକରୁ ଦଇଡ଼ି ଫିଟାଇ ଦିଆଗଲାଣି ।

 

ବେପାରୀ ସେୟା କଲା । ସେହିଭଳି ମାୟା । ଠାକୁର ଅଭିରାମ ପରମହଂସ ତାଙ୍କ ପ୍ରଥମ ଶିଷ୍ୟ ବୈକୁଣ୍ଠଙ୍କୁ ତାଙ୍କର ଲିଖି ଯେଉଁ ପ୍ରଥମ ଭଜନଟି ଶୁଣାଇଥିଲେ–ସେଥ‌ିରେ ସେ କେହିଥିଲେ–

 

ସ୍ଵକୀୟ ମାୟା ଶକ୍ତିରେ ମୁଁ ହୋଇଅଛି ଆବୃତ୍ତ ।

ତୁମେତ ଆବୃତ୍ତ ନୁହଁ ହେ ମୋର ହୃଦୟନାଥ !

 

ଜୀବ ବା ମନୁଷ୍ୟ ମାୟାଦଉଡ଼ିରେ ନିଜକୁ ନିଜେ ବାନ୍ଧି ରଖୁ । ସେ ବନ୍ଧା ହେବାରେ ଅଭ୍ୟସ୍ତ । ବାହାରୁ କେହି ଆସି ତାକୁ ବାନ୍ଧି ପକାଇନି । ବନ୍ଧନ ତା’ ଲାଗି ସୁଖକର ।

 

ଠାକୁରେ ଏହି ଭଜନରେ ଶ୍ରୀକୃଷ୍ଣଙ୍କୁ କଳ୍ପତରୁ, ଜଗଦଗୁରୁ ଆଦି ନାନାଶବ୍ଦରେ ସମ୍ବୋଧନ କରି କହିଚନ୍ତି, ତୁମେ ମାର ବା ତା’ର–ତୁମର ଶରଣରେ ହିଁ ରଖ । ତୁମେ ହିଁ ମୋର ଆଶ୍ରୟସ୍ଥଳ । ହେ ମୂରଲୀପାଣି, ମତେ ଆଣି ମତ୍ନଗର୍ଭରେ ରଖୁବା ଦିନଠୁ ‘ମୁଁ ତୁମ୍ଭର’’ । ତୁମେ ପଛେ ମତେ ତୁମ ମନରୁ ପାଶୋରି ଦିଅ, କିନ୍ତୁ ମୋ ମନରେ ରହିଥାଅ । ହେ ଭକ୍ତପ୍ରିୟ ଭଗବାନ–ଆଜି ନହେଲେ କାଲି ଦିନେ ହେଲେ ତ ମତେ ସଂଖୋଳିବ ।

 

ଜଣେ ଅବୁଝା ଅଭକ୍ତକୁ ଭଣ୍ଡେଇବାକୁ ଯାଇ ନାରଦ ବଡ଼ ଅଡୁଆରେ ପଡ଼ିଥିଲେ । ନାରଦ ନାରାୟଣ ନାରାୟଣ ଉଚ୍ଚାରଣ କରି ଯାଉ ଯାଉ ଜଣେ ନିପଟ ପାଉଁଳିଆ ଭକ୍ତ ତାଙ୍କ କଛାକୁ ଧରି ପକାଇଲା । କହିଲା, ତୋ ନାରାୟଣକୁ କୁଉଠି କେତେବେଳେ ପାଇବି କହ, ନଚେତ ତତେ ଛାଡ଼ିବି ନାହିଁ । ନାରଦ ତା’ କବଳରୁ ଉଦ୍ଧାର ପାଇଦା ଲାଗି ଏକ ଉପାୟ ପାଞ୍ଚିଲେ । ଦେଖ‌ିଲେ, ସାମନାରେ ଏକ ବିରାଟ ତେନ୍ତୁଳିଗଛ । ଲୋକଟିକୁ କହିଲେ, ତୁ ଏହି ତେନ୍ତୁଳି ଗଛ ଚାରିପଟେ ନାରାୟଣ, ନାରାୟଣ, କହି ବୁଲୁଥା । ଗଛର ସବୁ ପତ୍ର ଯେତେବେଳେ ଝଡ଼ିଯିବ, ସେତେବେଳେ ତୁ ନାରାୟଣଙ୍କ ପାଇବୁ । ଲୋକଟି ନାରଦଙ୍କ କଥାକୁ ସତ ମଣିଲା । ନାରଦ କହିବା ଅନୁସାରେ ନାରାୟଣ ନାରାୟଣ ଜପି ଗଛଟିକୁ ଦିନରାତି ପରିକ୍ରମା କରିବାକୁ ଲାଗିଲା । ତା’ର ଦୃଢ଼ ବିଶ୍ୱାସ ଯେ ଦିନେ ନା ଦିନେ ଗଛର ସବୁ ପତ୍ର ଝଡ଼ିବ ଏବଂ ସେ ନାରାୟଣଙ୍କ ଦର୍ଶନ ନିଶ୍ଚିତ ଭାବରେ ପାଇବ ।

 

ଏହାକୁ କୁହାଯାଏ ଅଚଳା ଭକ୍ତି । ଅଟଳ ବିଶ୍ୱାସ । ସେହିଭଳି ଠାକୁର ଅଭିରାମ ପରମହଂସଙ୍କ ନିବେଦନ’’ଦିନେ ତ ହେଲେ ମତେ ସଂଖୋଳିବ’’

 

ବୈକୁଣ୍ଠଙ୍କ ପରେ ଚକ୍ରଧର, ପ୍ରଭାକର, କଣ୍ଡୁରୀ ଓ ଜଗନ୍ନାଥ–ଠାକୁରଙ୍କ ଶିଷ୍ୟ ହେଲେ । ସମସ୍ତେ ଚଟକଳ ବା ଝୋଟକଳର ଶ୍ରମିକ । ଯୁବକ । ଠାକୁରଙ୍କ ରାତି ଚାଟଶାଳୀର ଚାଟ ହେଲେ ଜଣକ ପରେ ଜଣେ । ଏହି ଚାଟଶାଳୀର ପାଠ ଅ, ଆ, ଇ, ଈ, ଆଦି ଅକ୍ଷର ପରିଚୟ ନୁହଁ, ଇଏ ଆତ୍ମପରିଚୟର ପାଠ । ଏ ପାଠରେ କାଠ ମଧ୍ୟ ଜୀଅନ୍ତା ମଣିଷ ଭଳି କଥା କହିପାରେ, ଦେଖାରେ, ଶୁଣିପାରେ । ଯୁବକ ଭକ୍ତମାନେ ଗୁରୁଙ୍କ ନିକଟରେ ଅଳି କରିଥାଆନ୍ତି । ଦିନେ ଏହି ଅଳିରୁ ବାହାରିଲା ମାଳି । ଶିକ୍ଷକ ଠାକୁରେ ମାଳି ଗଡ଼ଉଥ‌ିବା ପିଲାଙ୍କ ଆଖରେ ପଡ଼ିଲା । ସମସ୍ତେ କୌତୁହଳୀ ହେଲେ, ଏ ମାଳି ଗଡ଼ାଟି କଣ ? ମାଳି ଗଡ଼େଇଲେ ଲାଭ କଣ ? ସମସ୍ତେ ସମସ୍ତରରେ ଦାବୀ କଲେ, ଆପଣ ଆମକୁ ମାଳିଜପା ମନ୍ତ୍ର ଦିଅନ୍ତୁ । ଆମର ଗୁରୁ ହୁଅନ୍ତୁ ।

 

ଠାକୁରେ ପ୍ରଥମେ ଟିକିଏ ହସିଲେ । କହିଲେ, ବହୁଦିନ ଧରି ତୁମେମାନେ ଭାଗବତ ଶୁଣି ଆସୁଚ । ଖାଲି ତ ଶୁଣିଲେ ହେବ ନାହିଁ, ଭଗବତ ବିଶ୍ୱାସ ହେଲାଣି କି ? ପ୍ରଥମେ ଈଶ୍ଵର କଣ ଜାଣ, ତା’ ପରେ ମନ୍ତ୍ର ଗ୍ରହଣ କରିବ । ଠାକୁରେ କହିଲେ, ପ୍ରତ୍ୟେକ କାର୍ଯ୍ୟର କିଛି ନା କିଛି କାରଣ ରହିଛି । ସେହିଭଳି ସୃଷ୍ଟିର ମୂଳ କାରଣ ଈଶ୍ୱର । କୌଣସି କାରଣରୁ ହିଁ ଭଗବାନ ମତେ ତୁମମାନଙ୍କ ପାଖକୁ ପଠାଇଛନ୍ତି । ନଚେତ ମୁଁ କିଏ, କଲିକତାର ଏହି ଚଟକଳ ଅଞ୍ଚଳ କିଏ ? ସେ ମତେ ରସି ବଳିବା କାମରେ ନିଯୁକ୍ତ କରିଚନ୍ତି, ରସି ବଳୁଚି, ରାସ ବା ରାହାସ କଥା ଭାବୁଚି । ରସି ଭିତରେ ମୁଁ ରସରାଜଙ୍କୁ ଦେଖୁଚି ।

 

ହଠାତ୍ ଭକ୍ତ ଚକ୍ରଧର ପ୍ରଶ୍ନ କଲେ, ଚାରିଆଡ଼େ ହୁରି ପଡ଼ିଚି, ଧର୍ମ କର, ଧର୍ମ ଆଚରଣ କର, ଧର୍ମ କଥା କହ, ଏ ଧର୍ମ ଜିନିଷଟି କଣ ?

 

ଠାକୁରେ ବିତ୍ପତି ସହିତ ଏହି ଶବ୍ଦଟିର ବ୍ୟାଖ୍ୟା କଲେ । ଧର୍ମ କୁ ନେଇ ଗୀତ ରଚନା କଲେ । କଥା ଓ ଗୀତରେ ଭକ୍ତମାନଙ୍କୁ ବୁଝାଇ କହିଲେ–

 

ଧର୍ମ ବୋଇଲେ ବୁଝିବୁ ଏକ ଭଗବାନ

ଯେତେ କର୍ମ କର ସବୁ ଧର୍ମର କରମ ।

X X X

ଯେଉ ନୀତି କଲେ ସମାଜ ଶୃଙ୍ଖଳାରେ ରହଇ

ସେଇଟି ହେଲା ମୂଳ ଧର୍ମ,ସ୍ଵାମୀ ଅଛନ୍ତି କହି ।

 

ଧର୍ମ ସହିତ ନୀତି ଘନିଷ୍ଠ ଭାବରେ ସମ୍ପୃକ୍ତ । ଯାହାର ଧର୍ମଜ୍ଞାନ ଅଛି, ସେ ନିଶ୍ଚିତ ଭାବରେ ନୀତିବାନ, ନୀତି ପରାୟଣ ।

 

ସାଧାରଣତଃ ପ୍ରବଚନରେ ବହୁ ମିଠା ମିଠା କଥା କୁହାଯାଇଥାଏ । ଶ୍ରୋତା ମିଠା ଚାଖେ । ଉଦ୍‌ବୁଦ୍ଧ ହୁଏ । ମନେ ମନେ ପଣ କରେ,ସତ କହିବ, ପାପ କାର୍ଯ୍ୟ କରିବ ନାହିଁ । ପିତା ମାତାଙ୍କୁ ଭଲପାଇବ । ବିବାହ କରିବ ନାହିଁ । ବିବାହ ଅର୍ଥ ସଂସାର ଜଞ୍ଜାଳ । ଏସବୁ ଭାବପ୍ରବଣତାର ପରିପ୍ରକାଶ । ଠାକୁରଙ୍କ ଛାତ୍ରମାନଙ୍କ ମନରେ ଏପରି ଭାବର ଉଦ୍ରେକ ହୋଇଥିଲା ।

 

ଠାକୁରଙ୍କ କଥାରେ ଚାଟଶାଳୀର ଶ୍ରମିକ ଯୁବକ ଚାଟମାନେ ଇମିତି ଉଦ୍‌ବୁଦ୍ଧ ହୋଇ ପଡ଼ିଲେ ଯେ ଅଡ଼ିବସି କହିଲେ, ଆମର ଖାଲି ଶିକ୍ଷା ନୁହେଁ । ଦୀକ୍ଷା ଦରକାର । ଶପଥ କରି କହୁଚୁ–ଆମେ କେହି ବାହାଟାହା ହେବୁନି । ଘର ସଂସାର କରିବୁନି । ଦୀକ୍ଷା ନଦେଲେ ମଧ୍ୟ ମନ୍ତ୍ର ଶିକ୍ଷା ଦିଅ, ମାଳିଗଡ଼ା ଶିଖାଇ ଦିଅ । ଏଣିକି ସଂଜବେଳେ ଚୁପ୍ ଚାପ୍ ବସି ଈଶ୍ୱରଙ୍କ ନାମ ଜପିବୁ ।

 

ଠାକୁରେ ପ୍ରସନ୍ନ ହେଲେ । ସେ ଜାଣିଥିଲେ ଯେ କେବଳ ଭକ୍ତମାନଙ୍କ ପାଇଁ ସେ ଶ୍ରମିକ ସାଜିଚନ୍ତି । ସ୍ଥିର ହେଲା–ଆସନ୍ତା କାଲି ଛାତ୍ରମାନଙ୍କୁ ଏକାକ୍ଷର ମନ୍ତ୍ରରେ ଦୀକ୍ଷିତ କରାଯିବ ।

Image

 

‘ଯିଏ ଧରିଛନ୍ତି, ତାଙ୍କୁ ଧର’

 

ଗୁରୁ ଗ୍ରହଣ ସମ୍ପର୍କରେ ସବୁ ଶାସ୍ତ୍ର,ଋଷି, ମହର୍ଷି,ସନ୍ଥ, ମହାପୁରୁଷଙ୍କର ମତ ଏକ । ତତ୍ତ୍ୱ ଓ ଭଗବତ୍ ତତ୍ତ୍ୱ ଏକ । ସର୍ବଦେବମୟୋଗୁରୁ । ତନ୍ତ୍ରମତରେ ଗୁରୁ ଓ ଉପଗୁରୁର ଯେଉଁ ବିଧାନ ରହିଛି, ସେ ଯାହା, ଦୀକ୍ଷା ଗୁରୁ ଓ ଶିକ୍ଷାଗୁରୁ ତାହା । ଦୀକ୍ଷା ଗୁରୁ ଏକ । ସେ ଭିନ୍ନ କିମ୍ବା ବହୁ ହୋଇପାରନ୍ତି ନାହିଁ । କିନ୍ତୁ ଶିକ୍ଷାଗୁରୁ ଅନନ୍ତ । ଅବଧୂତ ଦତ୍ତାତ୍ରେୟ ଯେଉଁ ଚବିଶଗୁରୁ କରିଥିଲେ, ସେମାନେ ସମସ୍ତେ ଥିଲେ ଶିକ୍ଷାଗୁରୁ । ସେ ସେମାନଙ୍କ ଠୁ କେବଳ ଭଲକଥା ହିଁ ଶିକ୍ଷା କରିଥିଲେ । ଖରାପ କଥା ନୁହଁ । ଚୋରି, ଡକାୟତି, ରାହାଜାନି ପ୍ରଭୃତି ନାନା ନିଷିଦ୍ଧ କାର୍ଯ୍ୟ ଆଦି ଶିଖେଇବା ଲାଗି ମଧ୍ୟ ‘ଗୁରୁ’ ରହିଛନ୍ତି । କିନ୍ତୁ ଏଭଳି ଗୁରୁ ମନୁଷ୍ୟ ପଦବାଚ୍ୟ ନୁହନ୍ତି । ଏମାନେ ରାକ୍ଷସ ପ୍ରବୃତ୍ତିର ଲୋକ । ମନୁଷ୍ୟ ଦେହଧାରୀ ପଶୁ । ଏମାନଙ୍କଠି ମାନବିକତା ନଥାଏ, ଥାଏ ପାଶବିକତା । ତେଣୁ ଶାସ୍ତ୍ରବାକ୍ୟ ହେଉଚି–‘ମହାଜନୋ ଯେନ ଗତଃ ସ ପନ୍ଥା’’ । ଏମାନେ କେବଳ ‘ଜନ’ ନୁହନ୍ତି, ସମସ୍ତ ପ୍ରକାରର ମହତ୍ତ୍ୱ ପରିପୂର୍ଣ୍ଣ ‘ମହା’ ଜନ । ଦକ୍ଷ, ପରାଶର, ବ୍ୟାସ, ନାରଦ, ବଶିଷ୍ଠ, ଯାଜ୍ଞବଳ୍‌କ୍ୟ, ମନୁ ପ୍ରଭୃତି ସମସ୍ତେ ମହାଜନ । ତେଣୁ ନିର୍ଦ୍ଦିଷ୍ଟ ଜଣେ ମହାତ୍ମାଙ୍କୁ ଆଶ୍ରୟ କରିବା ଦରକାର । କର୍ଣ୍ଣରେ ମନ୍ତ୍ର ପ୍ରଦାନର ଉଦ୍ଦେଶ୍ୟ ହେଉଛି ଯେପରି ଏହା ଅନ୍ୟ କାହାକୁ ଶୁଣା ନଯାଏ । ଅନ୍ୟର ଶ୍ରୁତିଗୋଚର ନ ହୁଏ । ଦକ୍ଷିଣ କର୍ଷ ବା ଡାହାଣ କାନରେ ହିଁ ମନ୍ତ୍ର ପ୍ରଦାନ କରାଯାଇଥାଏ । କାରଣ ଏହି କାନ ସର୍ବଦା ପବିତ୍ର । ଶାସ୍ତ୍ର ମତରେ ଦକ୍ଷିଣ କର୍ଣ୍ଣ ଗଙ୍ଗାଦେବୀଙ୍କ ନିବାସ । ପବିତ୍ର ବସ୍ତ୍ର ରଖୁବା ଲାଗି ପବିତ୍ର ସ୍ଥାନ ଅବଶ୍ୟକ ।

 

କଲିକତା ସାଂକ୍ରୋଲିଠାରେ କେତେଜଣ ଛାତ୍ର ଠାକୁର ଅଭିରାମ ପରମହଂସଠାରୁ ମନ୍ତ୍ର ଗ୍ରହଣ ଲାଗି ବ୍ୟାକୁଳ । ଏଇଠୁ ଆରମ୍ଭ ହେବ ଠାକୁରଙ୍କ ଶିଷ୍ୟ ଗ୍ରହଣ ଜୟଯାତ୍ରା । ଅଭିଯାନ । ଏହି ଉଦ୍ଦେଶ୍ୟରେ ହିଁ ସେ ଗୁରୁ ପୌର୍ଣ୍ଣମାସୀଙ୍କ ଦ୍ୱାରା ପ୍ରେରିତ ହୋଇ ଆସିଚନ୍ତି ଓଡ଼ିଶା ଛାଡ଼ି କଲିକତାକୁ ।

 

ସମୟ ନିର୍ଦ୍ଦିଷ୍ଟ । ସକାଳ ନଅଟା । ଧୂପ, ଦୀପ, ପୁଷ୍ପ ଚନ୍ଦନର ଆୟୋଜନ । ଠାକୁରେ ଛାତ୍ରମାନଙ୍କୁ କହିଲେ, ଯେଉଁମାନେ ମନ୍ତ୍ର ଗ୍ରହଣ ଲାଗି ଆଗ୍ରହୀ, ସମସ୍ତେ ଚାଲ ଏକ ନିଭୃତ କୋଠରୀକି ।

 

ମନ୍ତ୍ର ତ ନିଆଯିବ । ଏତେ ଲୁଚାଛପା କାହିଁକି ? କେହି କେହି ଏହି ପ୍ରଶ୍ନ କଲେ । ଠାକୁରେ କହିଲେ, ଶାସ୍ତ୍ରରେ ନିଷେଧ ଅଛି ଯେ ଆୟ (ନିଜ ରୋଜଗାର), ବିତ୍ତ (ଧନ), ଗୃହଛିଦ୍ର, ମନ୍ତ୍ର ଗ୍ରହଣ, ମୈଥୁନ, ଭେଷଜ (ଔଷଧ), ତପ, ଦାନ ଓ ଅପମାନ ଏହି ନଅଟି ବିଷୟ (ଆୟର୍ବିଣଂ ଗୃହଚ୍ଛିଦଂ ମନ୍ତ୍ର ମୈଥୁନଂ ଭେଷଜଂ । ତପଃ ଦାନ ଅପମାନ ନବ କର୍ମାଣି ଗୁପ୍ତୟେଙ) ଗୁପ୍ତ ରଖାଯିବା ଆବଶ୍ୟକ ।

 

ଠାକୁରେ ଏହି କଥାକୁ ଟିକିଏ ବିସ୍ତୃତ ଭାବରେ କହିଲେ । ମାୟାମୟ ସଂସାର । ସମସ୍ତ କାରବାର ବଡ଼ ବିଚିତ୍ର । ଶଙ୍କରଚାର୍ଯ୍ୟଙ୍କ ଭାଷାରେ ସଂସାରୋୟମତୀବ ବିଚିତ୍ର । ଦଳେ ଆସ୍ତିକ, ଦଳେ ନାସ୍ତିକ । କେତେବେଳେ କାହାର ଦଳ ବ ଢ଼ିଥାଏ ତ କାହାର ଦଳ କମି ଆସିଥାଏ । କମିବାବାଲା ଉପରେ ବଢ଼ିବାବାଲା ମାଡ଼ି ବସନ୍ତି । ଠିକ୍ କୁସ୍ତି କସରତ ଭଳି । ଭଗବାନଙ୍କ ଅସ୍ତିତ୍ୱ ଯେଉଁମାନେ ମାନନ୍ତି ନାହିଁ, ଭଗବାନଙ୍କ ନିନ୍ଦା କରନ୍ତି, ସେମାନେ ନାସ୍ତିକ । ନିଜକୁ ସେମାନେ ହେତୁବାଦୀ, ରାସ୍‌ନାଲିଷ୍ଟ୍ ବୋଲି କହିଥାଆନ୍ତି । ମନୁଷ୍ୟ ରୂପରେ ଭଗବାନଙ୍କ ଅବତରଣକୁ ସେମାନେ ନାନା ଯୁକ୍ତି ବଳରେ ଖଣ୍ଡନ କରିଥାଆନ୍ତି । ଏମାନେ କଡ଼ା କଠୋର ବିଜ୍ଞାନୀ । ଆଉ ଦଳେ ଅଛନ୍ତି କଡ଼ା ଆସ୍ତିକ । ଈଶ୍ୱର ନାହାନ୍ତି କହିଲେ, ଏମାନେ ଖଣ୍ଡା ଧରି ଦଣ୍ଡାୟମାନ ହୋଇ ପଡ଼ନ୍ତି । ଦାଣ୍ଡରେ ଗଡ଼ାଗଡ଼ି ହୁଅନ୍ତି । ଖଣ୍ଡିଆ ଖାବରା ହୁଅନ୍ତି । ମରନ୍ତି । ଧର୍ମ ଭିତରେ ଅଧର୍ମ !

 

ସଂପ୍ରଦାୟରେ ଲାଗିଛି ସିନା କଳିଗୋଳ

ଧର୍ମ ନୀତି ନଥ‌ିବାରୁ ହୁଅଇ କନ୍ଦଳ ।

ଯିଏ ଧରିଚନ୍ତି ତୋତେ ତୁହି ତାଙ୍କୁ ଧର

ଧର୍ମକୁ ସବୁ କରମ ସମର୍ପଣ କର । (ଅଭିରାମ)

 

ଆଉ ଗୋଟିଏ କଥା । ମାରଧର ଯାହା କିଛି କର–ଏହି ଦୁଇଗୋଷ୍ଠୀ ରହିବେ ହିଁ ରହିବେ । ଜଗତରେ ସମସ୍ତେ ଯଦି ଭଗବତ୍ ଆଶ୍ରିତ ହୋଇ ପଡ଼ନ୍ତେ, ତାହା ହେଲେ ତ ଭଗମାନଙ୍କୁ ବାରମ୍ବାର ବିଭିନ୍ନ ରୂପରେ ଧରାଧାମକୁ ଆସିବାକୁ ପଡ଼ନ୍ତା ନାହିଁ । ଆସିବା ଯିବାରେ ତାଙ୍କୁ ଏତେ ସମୟ ବ୍ୟୟ କିମ୍ବା ପରିଶ୍ରମ କରିବାକୁ ପଡନ୍ତା ନାହିଁ । ଠାକୁରେ ଦୀକ୍ଷାଗ୍ରାହା ଛାତ୍ରମାନଙ୍କୁ ଶିକ୍ଷାଦେଇ କହିଲେ, ପିଲେ ! ସାବଧାନ, ଯେଉଁ ଦଳକୁ ଶାନ୍ତି, ଦୟା, କ୍ଷମା ଆଦି ଗୁଣପ୍ରିୟ ନୁହନ୍ତି, ସେମାନେ ଏଭଳି ଗୁଣାଳଙ୍କୃତମାନଙ୍କୁ ନାନା ଭାବରେ ଭୟଭୀତ କାରାଇବେ । ଆମ ବାଟ ଧର ନଚେତ ଦାରିଦ୍ର୍ୟ ପଞ୍ଚାକ୍ଷର ମନ୍ତ୍ରକୁ ଜପ କର ବୋଲି କହିବେ । କିନ୍ତୁ ମରିଯିବ ପଛେ ଡ଼ରିଯିବ ନାହିଁ । ତୁମମ୍ମାନଙ୍କ ଲାଗି ଗୁରୁକୃପା ସବୁବେଳେ ସହାୟକ । ଏହି ଦୁଷ୍ଟମାନଙ୍କ ସଂହାର ଲାଗିତ ଭଗଦାନ ଗୁରୁ ରୂପରେ ଆସିଥାଆନ୍ତି ।

 

ଆଉ ଗୋଟିଏ କଥା ମନେ ରଖ । ପୂର୍ବ ଜନ୍ମର କର୍ମ ହିଁ ଏ ଜନ୍ମରେ ‘ଭାଗ୍ୟ’ରେ ପରିଣତ ହୋଇଥାଏ ! କର୍ମକୁ କର୍ମ ଲାଗି ରହିଥାଏ ... କର୍ମ ଅନୁସାରେ ଫଳ । ଚକ ଦର୍ଶନ କହେ, ପରଜନ୍ମ ବୋଲି କିଛି ନାହିଁ । ବିହତ ଭସ୍ମ ପାଲଟିଯାଏ । ମାଟିରେ ମିଶିଯାଏ, ଏ ଶରୀର ଯାଇ ଆଉ ଏକ ଶରୀର ଆସିବ କୁଆଡ଼ୁ ? ଋଣଂ କୃତ୍ୱା ଘୃତଂ ପିଵେତ୍ । ତେଣୁ ଋଣ କର ! ସୁଖ ଉପଭୋଗ କରିଯାଅ । ଆରାମ କର । ମସ୍ତି କର ! ଚାର୍ବାକପ୍ ପୃଥ‌ିବୀରେ ଅନେକ । ଶାସ୍ତ୍ର କହେ–

 

ଅନ୍ତେ ଯହିଁ କି ଜୀବ ଯିବ

ତାହା ନ ଜାଣେ ବ୍ରହ୍ମା ଶିବ

।।

 

ଏହାର ନାନା ଅର୍ଥ । ଅର୍ଥରୁ ଅନର୍ଥ ସୃଷ୍ଟି ହେବାରେ ଲାଗିଚି । କୁହାଯାଉଛି ପୂର୍ବ ଜନ୍ମରେ ମୁଁ କଣ ଥୁଲି, କଣ କରୁଥୁଲି, ସାପ ଥୁଲି ଦି ବେଙ୍ଗ ଥିଲି, ଏ ଜନ୍ମରେ ଯଦି ଜାଣି ପାରୁନି, ତାହାହେଲେ ପରଜନ୍ମ ବା ପୁର୍ନଜନ୍ମ ଅଛି ବୋଲି ବିଶ୍ଵାସ କରିବି କିପରି ?

 

ଏହାର ଉତ୍ତରରେ ପ୍ରଶ୍ନ କରାଯାଏ ଯେ ଯଦି କାହାକୁ ପଚରାଯାଏ ଆଠଦିନ ତଳେ ସକାଳ ଆଠଟା ବେଳେ ତୁମେ କଣ କରୁଥିଲ, କଣ ଭାବୁଥିଲ କହି ପାରିବ ?

 

ଦିନଲିପି ଲେଖୁଥିବା ଲୋକ କହିବ, ହୁଏତ ମୁଁ ଡାଏରୀରେ ଲେଖୁ ଥାଇପାରେ, ଦେଖିଲେ କହିବି । ସେତେବେଳେ ଯଦି ସେପରି ମନେରଖୁ ଭଳି ଘଟଣା ଘଟି ନଥବ,ତା’ହେଲେ ଡାଏରୀରେ ଲେଖା ନଥବ । ତେଣୁ କହିବା ସମ୍ଭବ ନୁହଁ । ଯେଉଁ ମଣିଷ ଆଠଦିନ ପୂର୍ବର ଘଟଣା ମନେ ରଖି ନ ପାରେ, ତା’ର ପୂର୍ବଜନ୍ମର କଥା ମନେ ରହିବ କିପରି ? ଯାହାର ମସ୍ତିଷ୍କ ଉର୍ବର, ସ୍ମୃତିଶକ୍ତି ତୀକ୍ଷ୍ଣ ସେପରି ଜାତିସ୍ମରମାନଙ୍କର ହିଁ ମନେ ରହିଥାଏ । ମହାପୁରୁଷମାନେ ଜଣେ ଜଣେ ଜାତିସ୍ମର । ସେମାନେ ପୂର୍ବଜନ୍ମ କଥା ଯେପରି ଜାଣିପାରନ୍ତି, ପରଜନ୍ମରେ କଣ ହେବେ, ଜାଣିପାରନ୍ତି । ଏପରି ଅନେକ ଘଟଣା ଇତିହାସରେ ଲିପିବଦ୍ଧ । ଏବେ ବି ଏପରି ମନୁଷ୍ୟ ପୃଥ‌ିବୀରେ ଅଛନ୍ତି ।

Image

 

ମୋର ପାପଗୁଡ଼ିକ ଧନ୍ୟ !

 

ପାପପୁଣ୍ୟର ସଜ୍ଞା ନିରୂପଣ ସହଜ ନୁହଁ । ଏହା ଗୋଟିଏ ମୁଦ୍ରାର ଦୁଇପାଖ । ଠିକ୍ ଅନ୍ଧାର ଓ ଆଲୁଅ ଭଳି । ସଂସାରରେ ଏପରି କୌଣସି ମନୁଷ୍ୟ ନାହିଁ–ଯିଏ କି ମୂଳରୁ ଶେଷ ଯାଏଁ ନିଷ୍ପାପ । ସାଧୁ, ସନ୍ଥ, ମହାପୁରଷଙ୍କ ଜୀବନ ମଧ୍ୟ ଅଳ୍ପ ବହୁତେ ପାପସ୍ପର୍ଶରେ କଳୁଷିତ । କିଏ ମିଛ କହି ପାପ କରୁଚି ତ କିଏ ହିଂସା କରି ପାପର ଶୀକାର ହେଉଚି । ସ୍ଵାମୀ ବିବେକାନନ୍ଦ ଜଣେ ବିଦେଶିନୀ ବୃଦ୍ଧାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ,’’ମୋର ପାପଗୁଡିକ ଧନ୍ୟ । ପାପ ମାଧ୍ୟମରେ ହିଁ ମୁଁ ପୁଣ୍ୟ ଶିଖୁଚି । ମୁଁ ଆଜି ଯାହା ହୋଇଚି, ତା’ ପଛରେ ମୋର ସମସ୍ତ ପାପ ଓ ପୁଣ୍ୟର ଫଳ ରହିଛି । ଏବେ ମୁଁ ପୁଣ୍ୟର ପ୍ରଚାରକ ।’’

 

ସେହିଭଳି ଦାରିଦ୍ର୍ୟ । ସ୍ୱାମିଜୀ ଯୁବକମାନଙ୍କୁ ଆହ୍ଵାନ କରି କହିଥିଲେ, ‘ତୁମେମାନେ ଧନୀ ଓ ବଡ଼ଲୋକଙ୍କ ମୁହଁକୁ ଚାହିଁ ରହ ନାହିଁ । ଦରିଦ୍ରମାନେ ହିଁ ଚିରକାଳ ଜଗତରେ ମହତ ଓ ବିରାଟ କାର୍ଯ୍ୟମାନ ସମ୍ପନ୍ନ କରିଛନ୍ତି ।’’

 

କଲିକତା ଚଟକଳରେ ଯେଉଁ ଓଡ଼ିଆ ଶ୍ରମିକମାନେ କାମ କରୁଥିଲେ, ସେମାନେ ଧନୀ ନଥିଲେ । ସମସ୍ତେ ଥଲେ ଦରିଦ୍ର ଶ୍ରେଣୀର । ଖଟୁଥିଲେ । ପରିବାରର ଭରଣପୋଷଣ କରୁଥିଲେ । ଧନୀର ଚିନ୍ତା ଅଧ୍ୱକ ଧନୀ ହେବା ପାଇଁ । ସେମାନଙ୍କ ଈଶ୍ୱର ଭାବନା ନଥାଏ I ଲକ୍ଷ୍ମୀ ସେମାନଙ୍କ ପାଖରେ ଥିବାବେଳେ ନାରାୟଣ ରହନ୍ତି ଦରିଦ୍ରଙ୍କ ପାଖରେ । ସେମାନେ ଧନଲକ୍ଷ୍ମୀ । ଏମାନେ ଦରିଦ୍ର ନାରାୟଣ ।

 

ଠାକୁର ଅଭିରାମ ପରମହଂସ ସେହି ଦରିଦ୍ର ଶ୍ରମିକଙ୍କ ପାଖରେ ରହି ଶ୍ରମିକ ପାଲଟି ଯାଇଥିଲେ । ସେମାନଙ୍କୁ ଆପଣାର କରି ନେଇଥିଲେ । ଭକ୍ତଙ୍କ ପାଖକୁ ଭଗବାନଙ୍କ ଦୌଡ଼ ଲାଗି ରହିଛି ସୃଷ୍ଟିର ଆରମ୍ଭରୁ । ଭକ୍ତ ପାଦେ ଆଗେଇ ଆସିଲେ, ଭଗବାନ ତା’ ଆଡ଼କୁ ଚାରିପାଦ ଆଗେଇ ଆସନ୍ତି । ଯେତେବଳେ ମିଳନ ଘଟେ ସେତେବେଳ ଭକ୍ତ ଓ ଭଗବାନ ଏକାକାର ।

 

ଆଜି ମନ୍ତ୍ରଦାନର ଦିବସ । ମୂହୂର୍ଣ ଆସନ୍ନ । ସମସ୍ତ ଆୟୋଜନ ସମ୍ପନ୍ନ ଓ ସମ୍ପୂର୍ଣ୍ଣ । ନିଭୃତ କକ୍ଷ । ଭକ୍ତ ଓ ଭଗବାନଙ୍କ ମିଳନ ପୀଠ । ଏହି କକ୍ଷ ହିଁ ପରମ ତୀର୍ଥ । ଠାକୁରେ ବୁଝେଇ କହିଲେ, ଏ ମନ୍ତ୍ରର ନାମ ‘ଏକାକ୍ଷର’ । ଏହାର କ୍ଷର ବା କ୍ଷୟ ନାହିଁ । ତେଣୁ ଅ-କ୍ଷର । ଅକ୍ଷତ । ଠାକୁରେ କହିଲେ, ଏହା ମାଳି ଗଡ଼େଇବା ମନ୍ତ୍ର ନୂହଁ । ଏହି ମନ୍ତ୍ର ଅଖଣ୍ଡ । ଅକଳନୀୟ । ଅନିର୍ବଚନୀୟ । ଜୀବ ଓ ପରମଙ୍କର ଖେଳ ସୂତ୍ର । ଲୀଳାକ୍ଷେତ୍ର । ପ୍ରତ୍ୟେକ ଶରୀର ଚକ୍ରରେ ଅନବରତ ଚାଲିଚି ଭଜନ I କୀର୍ତ୍ତନ ଓ ନର୍ଜନ । ପ୍ରତିଚକ୍ରରେ ଦେବତାମାନଙ୍କ ନିବାସ । ଏ ବ୍ରହ୍ମାଣ୍ଡ ମଧ୍ୟରେ ଯାହା ଦେଖିଚି, ଶୁଣୁଚ, ଯେଉଁ ଦେବଦେବୀଙ୍କ ପୂଜା ଉପାସନା କରୁଚ, ସମସ୍ତେ ଏହି ଶରୀର ଭିତରେ ହିଁ ବିଦ୍ୟମାନ ।

 

ମନରେ ପ୍ରେମଭାବ ପ୍ରଗାଢ଼ ହେଲେ, ଶରୀରତତ୍ତ୍ଵକୁ ଉପଲବ୍ଧି କରି ପାରିବ । ପ୍ରେମର ଅର୍ଥ ଅନାବିଳ ବିଶୁଦ୍ଧ ଭାବରେ ଭଲ ପାଇବା । ରାସ ବା ରାହାସ ମଧ୍ୟରେ ବଜ୍ର ବୃନ୍ଦାବନରେ ଗୋପୀମାନେ ‘ପ୍ରେମ’ ବଳରେ ହିଁ ରସାନନ୍ଦଙ୍କୁ ପାଇ ପାରିଥିଲେ । ଏହା ସ୍ୱାର୍ଥପର ଜୀବ ପକ୍ଷରେ ପାଇବା ସମ୍ପୂର୍ଣ୍ଣ ଅସମ୍ଭବ । ପ୍ରେମ ଅନ୍ଧ । ପ୍ରେମ କୁଳ, ଶୀଳ, ଜାତି, ବିଦ୍ୟା, ରୂପଗୁଣ, ଭଲମନ୍ଦ ବିଚାର କରି ଜାଣେନା । ପ୍ରେମ-ଯୋଗ, ତପ, ଧ୍ୟାନ, ଜ୍ଞାନ, ଭଜନ, ସାଧନ ଦେଖେନା । ପ୍ରେମ ଚାହେଁ ପ୍ରାଣ । ପ୍ରେମ ଆତ୍ମସମର୍ପଣ କରିବାକୁ ଭଲପାଏ । କୌଣସି ପ୍ରତିଦାନ ଚାହେଁନା । ଏହା ସ୍ୱତଃ ମିଳେ ।

 

ଠାକୁରେ କହିଲେ, ବୀର ହନୁମାନ କହୁଥିଲେ, ମୁଁ ତିଥି, ବାର, ନକ୍ଷତ୍ର, ଗୋତ୍ର, ପ୍ରବର,ସୂତ୍ର ଆଦି କିଛି ଜାଣେନା । ଜାଣେ କେବଳ ଶ୍ରୀରାମଙ୍କୁ । ଏହା ହିଁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ–ଭାବ ।

 

ପଢ଼ିବା ଅପେକ୍ଷା ଶୁଣିବା ଭଲ । ଶୁଣିବା ଅପେକ୍ଷା ଦେଖିବା ଭଲ । ଗୁରୁଙ୍କ ମୁଖରୁ ଆକାରରେ ଉଡ଼ିଯାଏ । ପାଞ୍ଜିରେ ଲେଖା ଅଛି, ଏ ବର୍ଷ ଜଳ କୋଡ଼ିଏ ଭାଗ । କିନ୍ତୁ ଶୁଣିଲେ, ଧାରଣା ବେଶୀ ହୁଏ । ଶାସ୍ତ୍ରରେ ଥିବା ଅସାର ଭାବତକ ପାଛୁଡ଼ି ହୋଇ ତତ୍ତ୍ୱ ପାଞ୍ଜିକୁ ଚିପୁଡିଲେ ଟୋପାଏ ବି ଜଳ ବାହାରେନି । ସେହିଭଳି ଶାସ୍ତ୍ର ।

 

ସେଦିନ ଏକାକ୍ଷର ମନ୍ତ୍ର ପ୍ରଦାନ ଥିଲା ଏକ ମହୋତ୍ସବର ମୁହୂତ୍ତ । କାରଣ ମନ୍ତ୍ର ଗ୍ରହିତାଙ୍କ ମନରେ ଚାଲିଥିଲା ଉତ୍ସାହର ଅପୂର୍ବ ଅନ୍ତଃସ୍ରୋତ । ଠିକ୍ ଫଲଗୁ ଧାରାଭଳି । ଏହା ଭିତରେ ରହିଥିଲା.ଅଚିନ୍ତ୍ଯଭେଦାଭେଦ ତର୍‌ । ଠାକୁରେ ସରଳ ଭାଷାରେ ବୁଝାଇ ଦେଇ କହିଥିଲେ–

 

ଭକତ ନଥିଲେ ଭଗବାନ ବୋଲି

ସେ କିମ୍ପା କହନ୍ତା ମତେ ?

ବୁଝିଲେ ତ ଭକ୍ତ, ଭକ୍ତ ମୋର ଭାବ

କେତେ ବୁଝାଇବି ତୋତେ ?

ଭାବ ମୋର ଭକ୍ତ ଭକ୍ତ ମୋର ଭାବ

କେବଳ ମୋ ଲୀଳା ଏଇ

ଭକ୍ତ ଭାବ ଯେଣୁ ଗ୍ରହଣ କରଇ

ତେଣୁ ନାମ ଭାବଗ୍ରାହୀ ।

 

ପ୍ରଥମ ଶିକ୍ଷା ପାଇଥିଲେ ବୈକୁଣ୍ଠ । ୟା’ ଭିତରେ ତାଙ୍କୁ ଅନ୍ୟମାନେ ବୈକୁଣ୍ଠ ବାବା ବୋଲି ସମ୍ବୋଧନ କରୁଥିବା ଲକ୍ଷ୍ୟ କରାଗଲା । ଅନ୍ୟମାନଙ୍କୁ ମନ୍ତ୍ର ଦେବା ସମୟରେ ବୈକୁଣ୍ଠ ମଧ୍ୟ ଉପସ୍ଥିତ ଥିଲେ । ଠାକୁରେ ବୈକୁଣ୍ଠଙ୍କୁ ପଚାରିଲେ, ତୁ କଣ ଶିକ୍ଷା ପାଇଚୁ କହ । ବୈକୁଣ୍ଠ କହିଲେ, ମୂଳ ହେଉଚି ଗୁରୁକୃପା ।

 

ଗୁରୁକୃପା ବୋଲି ଖାଲି ମୁହଁରେ କହିଦେଲେ ହୁଏନା । ଏହି କୃପା ଲାଭ ଲାଗି ଗୁରୁପୂଜା ଆବଶ୍ୟକ । ତେଣୁ ବାରମାସ ଭିତରେ ଗୋଟିଏ ପୂର୍ଣିମାର ନାମ ଗୁରୁ ପୁର୍ଣିମା । ପୂର୍ଣ୍ଣ ଓ ପୁଣ୍ୟରୁ ପୂର୍ଣ୍ଣିମା । ତେଣୁ ମନ ମୁନ ଚଇତନ ଲଗାଇ ଗୁରୁ ଉପାସନା ଆବଶ୍ୟକ । ଗୀତାରେ କୁହାଯାଇଛି ‘ତଦ୍ୱିଦ୍ଧି ପ୍ରଣିପାତେନ ପରିପ୍ରଶ୍ଳେନ ସେବୟା ।’’ ଏଠାରେ ‘ପରିପ୍ରଶ୍ନ’ ଶବ୍ଦଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଗୁରୁଙ୍କ ସନ୍ତୋଷ ବିଧାନ ହେବାଭଳି ପ୍ରଣିପାତ କରିବ, ସେବା କରିବ । କୌଣସି ଅବାନ୍ତର ପ୍ରଶ୍ନ ନ କରି ଯଥାର୍ଥ ପ୍ରଶ୍ନ କରିବ । ଏ ସମ୍ପର୍କରେ ଗୋଟିଏ କଥା ରହିଛି ।

 

ଜ୍ୱାଇଁ ଗଲା ଶ୍ୱଶୁରଘରକୁ ପ୍ରଥମ ପାଳି ! ଗଲାବେଳେ ମାଆ କହିଥିଲା ଅକୁ ଶ୍ୱଶୁରଙ୍କ ସହିତ ଭଲରେ କଥାବାର୍ତ୍ତା କରିବୁ । ନମ୍ର ଭାବରେ । ଏଣୁ ତେଣୁ ଆଜେ ବାଜେ କଥାବାର୍ତ୍ତା କରିବୃନି । ଜାଇ ଶୁମ୍ପୁରଙ୍କ ସହିତ ପ୍ରଥମ ଦେଖାରେ ପ୍ରଶ୍ନ କଲା–ବାହା ହୋଇଚନ୍ତି ? ନିତାନ୍ତ ଅବାନ୍ତର ପ୍ରଶ୍ନ । ଏହା ପ୍ରଶ୍ନ ହୋଇପାରେ । କିନ୍ତୁ ପରିପ୍ରଶ୍ନ ନୁହେଁ ।

 

ସେଦିନ ଗୁରୁପୂଜା ଲାଗି ବୈକୁଣ୍ଠ ବାଦା ସମସ୍ତ ଆୟୋଜନ କଲେ । ଠାକୁରଙ୍କୁ ଆସନରେ ବସାଇ ଷୋଡ଼ଶ ଉପଚାରରେ ପୂଜା କଲେ | ଆରତି ଆରମ୍ଭ ହେବା ମାତ୍ରେ ଦୀପଜ୍ୟୋତିରେ ଚତୁର୍ଦ୍ଦିଗ ଆଲୋକିତ, ସୁରଭିତ । ଭକ୍ତମାନେ ଦେଖିଲେ, ଏକ ଅପୂର୍ବ ଦୃଶ୍ୟ । ଠାକୁରେ ଅଭିରାମଙ୍କ ଶରୀର ବଦଳରେ ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ ମୁରଲୀଧର ଶ୍ରୀକୃଷ୍ଣ । ତ୍ରିଭଙ୍ଗ ଠାଣି । ଅଧରରେ ମୁରଲା ବାଙ୍କବିହାରୀ । ଭକ୍ତମାନଙ୍କ ଚକ୍ଷୁ ଆନନ୍ଦାଶୁରେ ଦିଗଳିତ । ଦୁର ସୁତ । ସମସ୍ୱରରେ ଉଚ୍ଚାରିତ ହେଲା, ହରିବୋଲ, ହରିବୋଲ ଧ୍ୱନି । ଏହି ଧ୍ଵନି ସହିତ ମୂରଲୀ ଧ୍ୱନି ସମତାଳରେ ପ୍ରତିଧ୍ଵନିତ । ଉକ୍ତମାନେ ବିହ୍ୱଳିତ । ସମସ୍ତଙ୍କର ସଂଜ୍ଞାହୀନ ଅବସ୍ଥା । କିଛି ସମୟ ପରେ ସେ ରୂପ ଅପସାରିତ । ପ୍ରସାରିତ ସେହି ଅଭିରାମ ରୂପ | ଏହା ହିଁ ଗୁରୁ କୃପା । ଗୁରୁ ଅନୁକମ୍ପା । ଗୁରୁଙ୍କ କରୁଣା । ବାଞ୍ଛାକଳ୍ପତରୁ ସେ ।

Image

 

ଗୁରୁ ଶିଷ୍ୟ ଅଭିନୟ

 

କଲିକତା ସଂକ୍ରାଏଲ (ସଂକ୍ରାଲି) ଚଟଳଳର ଶ୍ରମିକମାନଙ୍କ ମାଷ୍ଟ୍ରେ ଅଭିରାମ । ସେ ଥିଲେ ରାତିବେଳିଆ ମାଷ୍ଟ୍ର । ନୈଶ ବିଦ୍ୟାଳୟର । ଏହି ମାଷ୍ଟ୍ରଗିରିରୁ ହିଁ ବାବାଗିରିର ଆରମ୍ଭ । ସେତେବେଳକୁ ଅଭିରାମ ୨୦/୨୧ ବର୍ଷର ଯୁବକ । ଢେଙ୍କାନାଳିଆ ବୈକୁଣ୍ଠ ଘଟଣାକ୍ରମେ ଆଗରୁ ଯାଇ ରହିଥିଲେ ଓଡ଼ିଆ ଶ୍ରମିକଙ୍କ ଗୋଠ ଭିତରେ । କିନ୍ତୁ ସେ ଶ୍ରମିକ ନଥୁଲେ । ଭଗବାନ ଯେପରି ତାଙ୍କୁ ସେଠାକୁ ପଠାଇଥିଲେ ଆଗରୁ ଲାଇନ୍ କ୍ଲିଅର ବା ପଥ ପରିଷ୍କାର କରି ରଖୁବାକୁ–ଏକ୍ସପ୍ରେସ ଟ୍ରେନ୍‌ର ଶୁଭାଗମନ ଲାଗି । ଅପେକ୍ଷା କଲେ ବୈକୁଣ୍ଠ ବହୁଦିନ ଧରି–ସେ ଗାଡ଼ିକୁ । ଅପେକ୍ଷା କରିକରି ତାଙ୍କ ମନ ଭିତରେ ଉପେକ୍ଷାର ମାତ୍ରା ଅତି ତୀବ୍ର ହୋଇ ଉଠିଲା । ଗାଡ଼ିର ଦେଖା ନାହିଁ । ସିଗ୍‌ନାଲ୍ ପଡ଼ୁନାହିଁ । ଗାଡ଼ିର ଦ୍ୱିସିଲ୍ ମଧ୍ୟ ଶୁଣାଯାଉ ନାହିଁ । ତାଙ୍କ ମନ ଭିତରେ ଉଠୁଥ‌ିବା ସବୁଜ ସଙ୍କେତ କ୍ରମଶଃ ଲାଲ ହୋଇ ଉଠିଲା । ଗୋଟିଏ ହାତରେ ଗୀତଗୋବିନ୍ଦ, ନୃସିଂହ ପୁରାଣ ଅନ୍ୟ ହାତରେ ତୀକ୍ଷ୍ଣ ଛୁରୀ I ମନରେ ସଂକଳ୍ପ–ଆତ୍ମହତ୍ୟା କରିବେ । ଛୁରୀ ଉତ୍ତୋଳନ କରିବା ମାତ୍ରେ ସ୍ଵିସିଲ୍ ବାଜି ଉଠିଲା । କ୍ଷିପ୍ରଗାମୀ ଗାଡ଼ି ଅସିଗଲା । ବୈକୁଣ୍ଠଙ୍କ ହାତରୁ ଖସି ପଡ଼ିଲା ତୀକ୍ଷ୍ଣ ଛୁରୀକା । ଅଭିରାମଙ୍କ ପ୍ରେମକୋମଳ–କମନୀୟ ମୁଖମଣ୍ଡଳର ଅଭିନବ ଜ୍ୟୋତିରେ ବୈକୁଣ୍ଠଙ୍କ ଅନ୍ତର୍ଦେଶ ଉଦ୍‌ଭାସିତ, ଆଲୋକିତ ହୋଇ ଉଠିଲା ।

 

ଗୁରୁ ପାଇଗଲେ ଶିଷ୍ୟକୁ I ଶିଷ୍ୟ ପାଇଗଲେ ନିଜ ମନଲାଖି ଗୁରୁଙ୍କୁ । କୁଣ୍ଠିତ ବୈକୁଣ୍ଠ ଉଠିଗଲେ ଅକୁଣ୍ଠିତ ବୈକୁଣ୍ଠଧାମର ଶୀର୍ଷ ଦେଶକୁ । ଗୁରୁ-ଶିଷ୍ୟ ସମ୍ପର୍କ ଏକ ନିଗୂଢ଼ ପ୍ରଗାଢ଼ ତତ୍ତ୍ଵ । ଠିକ୍ ଭକ୍ତ ଓ ଭଗବାନଙ୍କ ‘ଅଭେଦ’ ତତ୍ତ୍ୱଭଳି । ବୈକୁଣୁ ଏକଦା ଥିଲେ ବହୁ ପାର୍ଥିବ ସମ୍ପଭିର ଅଧିକାରୀ । ପରିବାରରେ ଥିଲେ ଏକା । ପିତାମାତା ଆଗରୁ ଚିରବିଦାୟ ନେଇ ଚାଲି ଯାଇଥିଲେ ପରପାରକୁ । ଛାଡ଼ି ଯାଇଥିଲେ ବହୁ ଭୂସମ୍ପତ୍ତି । ବୈକୁଣ୍ଠ ସବୁ ଜଳାଞ୍ଜଳି ଦେଇଥିଲେ । ଦୀନ ଦରିଦ୍ର ଗାଁଲୋକଙ୍କୁ ସବୁ ବାଣ୍ଟି ଦେଇ ଅଜ୍ଞାତ ପଥର ଯାତ୍ରୀ ହୋଇଥିଲେ ସେ । ଏପରି ତ୍ୟାଗୀ କଳିଯୁଗରେ କ୍ୱଚିତ ଦେଖିବାକୁ ମିଳିଥାଏ ।

 

ଏହି ସେହି ବୈକୁଣ୍ଠ । ଗଙ୍ଗାକୂଳରେ ଆତ୍ମହତ୍ୟା କରୁ କରୁ ‘ପରମ ଆତ୍ମୀୟ’କୁ ପାଇଲେ । ଅଭିରାମଙ୍କ ପ୍ରଥମ ଦୀକ୍ଷିତ ଶିଷ୍ୟ ହେଲେ ବୈକୁଣ୍ଠ । ସେଦିନଠୁ ହେଲେ ବୈକୁଣ୍ଠବାବା । ସଂକ୍ରାଏଲରୁ ସଶିଷ୍ୟ ଅଭିରାମ ଆସିଲେ ପୁରୀ ଶ୍ରୀକ୍ଷେତ୍ର । ଏହା ହିଁ କ୍ଷେତ୍ରଜ୍ଞର କ୍ଷେତ୍ର । ଭେକ ନେବା ଲାଗି ବୈକୁଣ୍ଠଙ୍କ ମନର ଭୋକ ଥିଲା ପ୍ରବଳ । ଠାକୁରେ କହିଥିଲେ, ଚାଲ ବାବା ଆନନ୍ଦ ବଜାରକୁ । ସେଇଠି ସମସ୍ତଙ୍କର ସମସ୍ତ ପ୍ରକାରର ଭୋକ ମେଣ୍ଟିଥାଏ । ପେଟେ ପେଟେ ଆନନ୍ଦ ପାନ ଓ ସେବନ କରିବା ପରେ ହିଁ ଭେକ ପ୍ରଦାନ । ରୂପ ସାଗରରେ ଡୁବିଲେ ଯାଇ ଅରୂପର ଅପରୂପ ଦର୍ଶନ ।

 

ପୁରୀରେ ବୈକୁଣ୍ଠଙ୍କୁ ଠାକୁରେ ‘ଭେକବାନା’ ଦେବାପରେ ତାଙ୍କୁ ନେଇଗଲେ ସ୍ଵଧାମ କରମଳା । ଆଗରୁ ଠାକୁରେ ବୈକୁଣ୍ଠଙ୍କୁ ଦେଇଥିଲେ କର୍ଣ୍ଣମନ୍ତ । ସେ ମନ୍ତ୍ର ଗୋପନୀୟ । କିନ୍ତୁ ପୁରୀ-କରମଳା ଯିବା ବାଟରେ ଯେଉଁ କର୍ଣ୍ଣମନ୍ତ୍ରଦେଲେ, ତାହା ଥିଲା ଖୋଲମ୍ ଖୋଲା । ପ୍ରକାଶ୍ୟ । କହିଲେ, ବାବା ବୈକୁଣ୍ଠ ! କରମଳା ଭୋଇପଡ଼ା ଆମ ଗାଁ । ସେଠି ମତେ ସମସ୍ତେ ଡ଼ାକନ୍ତି ଅଭି । ଅଭିନ୍ନ । କଥାରେ ଅଛି ଗାଁ କନ୍ୟା ସିଂଘାଣୀ ନାକି । ମୁଁ ତ ସେଠି ଠାକୁର ହୋଇ ପାରିବିନି । ତୁ ହେବୁ ଗୁରୁ, ମୁଁ ହେବି ତୋର ଶିଷ୍ୟ ।

 

ବୈକୁଣ୍ଠ ବଡ଼ ଅଡ଼ୁଆରେ ପଡ଼ିଗଲେ । ଏହି ଅଭିନୟ କରିବା ଅତ୍ୟନ୍ତ କଷ୍ଟକର । କାରଣ ଗୁରୁ ହେଲେ, ଶିଷ୍ୟ ନିଶ୍ଚୟ ତାକୁ ମୁଣ୍ଡିଆ ମାରିବ । ଶିଷ୍ୟ ଯେଉଁ ଆଚରଣ କରିବ, ସେ ଆଚରଣର ପ୍ରକରଣ ତାଙ୍କୁ ଭୀଷଣ ବାଧ୍ୱ । ଇଏତ ଆତ୍ମହତ୍ୟାଠୁ ବଳି ମହାପାତକ । କିନ୍ତୁ ଗୁରୁଙ୍କ ନିର୍ଦେଶ ମାନିବାକୁ ଶିଷ୍ୟ ବାଧ୍ୟ । ଗୁରୁ ପରମ୍ପରାରେ ଇଏ ଏକ ବିଷମ ବ୍ୟତିକ୍ରମ ହେଲେ ମଧ୍ୟ ଶିଷ୍ୟ ବୈକୁଣ୍ଠ ନାଚାର । ଶେଷରେ ସ୍ଥିର ହେଲା ଯେ ଶିଷ୍ୟ ଗୁରୁଙ୍କୁ ମୁଣ୍ଡିଆ ମାରିବେ ନାହିଁ ।

 

କରମଳାରେ ପହଞ୍ଚିଲେ ଗୁରୁ ଶିଷ୍ୟ । ଏଇଠୁ ଆରମ୍ଭ ହେଲା ଏକ ନୂତନ ନାଟକ । ଅଭିନୟ । ଅଭିରାମ ଗାଁ ଲୋକଙ୍କୁ କହିଲେ, ବୈକୁଣ୍ଠବାବା ମୋର ଗୁରୁ । ମୁଁ ଏତେ ଦିନ ଧରି ଗୁରୁ ସନ୍ଧାନରେ ଲାଗି ରହିଥିଲି । ବିଭିନ୍ନ ରାଜ୍ୟ ବୁଲି, ଏହାଙ୍କୁ ଗୁରୁ କଲି । ଗୁରୁଙ୍କୁ ସାଙ୍ଗରେ ନେଇ ଆସିଲି । ନାଟକର ପରଦା ଉଠିଲା । ବୈକୁଣ୍ଠବାବା ଗୁରୁ ଆସନରେ ଆସୀନ । ଶିଷ୍ୟ ଅଭିରାମ ତାଙ୍କୁ ପୂଜା କଲେ । ଆରତି ଆଦି କଲେ । କୈଳାସର ଭୋଳାନାଥ ଶିବ ତପସ୍ୟାରେ ବସିବା ଭଳି ବୈକୁଣ୍ଠବାଦା ନୀରବରେ ବସି ରହିଲେ । ଗୁରୁ ନିଶ୍ଚଳ । ଶିଷ୍ୟ ଚଞ୍ଚଳ । ଗୁରୁ ନିଦାବିଷ୍ଣୁ, ଶିଷ୍ୟ ଚଳନ୍ତି ବିଷ୍ଣୁ । ନିଭୃତରେ କେହି ଉଠି ନଥ‌ିବାବେଳେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଆଳାପ ହୁଏ । ବେଶୀ ନୁହେଁ, ଦି’ ଚାରିପଦ କଥା ।

 

ଆଜିକାଲିର ଉଦ୍ଭଟ ନାଟକ ଭଳି ଇଏ ଏକ ନାଟକ । ପ୍ରକୃତରେ ଗୁରୁ କିଏ, ଶିଷ୍ୟ କିଏ, ଅନ୍ୟମାନେ ଜାଣିବାର କୌଣସି ଉପାୟ ନାହିଁ । ପାଲା ଚାଲିଚିତ ଚାଲିଚି । ସେଥ‌ିରେ ଅନ୍ୟମାନେ ମୁଣ୍ଡ ପୂରାଇବେ କାହିଁକି ? ଇଆଡ଼େ ଗୁରୁଶିଷ୍ୟର ଉତ୍କଟ ଅଭିନୟ । ସିଆଡ଼େ ଗୁରୁ ଭୂମିକାରେ ଅଭିନୟ କରୁଥିବା ବୈକୁଣ୍ଠନାଥ ମଣୋହି ପ୍ରସ୍ତୁତ କରନ୍ତି ନିଜ ହାତରେ । ସେ ରାନ୍ଧିଲେ ଯାଇ ଠାକୁରେ ସେବା କରନ୍ତି । ଠାକୁରେ ଇଆଡ଼େ ସିଆଡ଼େ କୁଆଡ଼େ କେତେବେଳେ ଯାଆନ୍ତି, ତା’ର କୌଣସି ଠିକ୍ ଠିକଣା ନଥାଏ । ପ୍ରତିଦିନ ନିଜେ ଭିକ୍ଷା କରନ୍ତି । ଯେଉଁଦିନ ସେ ନିଜ ମାଆ ରାଧାଦେବୀଙ୍କ ପାଖକୁ ଭିକ୍ଷା କରିବାକୁ ଗଲେ, ସେ ଏକ ଅପୂର୍ବ ଦୃଶ୍ୟ । ଅତି କରୁଥ । ରାଧାଦେବୀଙ୍କ ଆସ୍‌ରେ ଲୋତକର ବନ୍ୟା । ବୁଦ୍ଧଦେବଙ୍କ ପରମ ଶିଷ୍ୟ ପରମ ଭିକ୍ଷୁ ସାରିପୁର । ସନ୍ନ୍ୟାସୀ ହେବା ପରେ ମାଆଙ୍କ ପାଖକୁ ଭିକ୍ଷା ମାଗିବାକୁ ଯିବାବେଳେ ଏପରି ଦୃଶ୍ୟ ସୃଷ୍ଟି ହୋଇଥିଲା ସେହିଦିନ ।

 

ଠାକୁରେ ବୈକୁଣ୍ଠବାବାଙ୍କ ଶିଷ୍ୟ ସାଜି ଭିକ୍ଷା ମାଗି ମାଗି ଫେରନ୍ତି ବହୁ ବିଳମ୍ବରେ । ଗୁରୁ ଭୂମିକାରେ ଅଭିନେତା ବୈକୁଣ୍ଠବାବା ରନ୍ଧାରନ୍ଧି ସାରି ଅପେକ୍ଷା କରି ରହି ଥାଆନ୍ତି ଶିଷ୍ୟର ଆଗମନକୁ । ଦିନେ ଠାକୁରେ ନିଜେ ଏହି ନାଟକର ଡ୍ରପସିନ୍ ପକାଇଦେଲେ ନିଜ ହାତରେ । ସିଏ ଏକ ଅଲୌକିକ ଲୀଳା ।

 

ମଠ ପାଖରେ ଶିବ ମନ୍ଦିର । ବୈକୁଣ୍ଡବାବା ଠାକୁରଙ୍କୁ ସେହି ମନ୍ଦିରରେ ଅପେକ୍ଷା କରି ରହିଛନ୍ତି । ସୁଶୀତଳ ପବନର କୋମଳ ସ୍ୱର୍ଶରେ ତାଙ୍କ ଆଖିକୁ ନିଦ ଆସିଯାଇଚି । ଠାକୁରେ କୁଆଡ଼େ ଗଲେ କେଜାଣି, ତିନିଦିନ ହେଲା ଆସି ନାହାନ୍ତି । ବୈକୁଣ୍ଠବାବା ବ୍ୟସ୍ତ । ଚିନ୍ତିତ । ସେ ଶୋଇଥ‌ିବା ଅବସ୍ଥାରେ ଦେଖିଲେ, ତାଙ୍କ ପାଖରେ ଦୁଇଟି ବାଳକ, ବାଳିକା । ବୈକୁଣ୍ଡବାବା ପଚାରିଲେ–ତୁମ ଦୁହିଁଙ୍କ ନାଆଁ କଣ ? ବାଳକ କହିଲା, ମୋ ନାଆଁ ଶିବ । ବାଳିକା କହିଲା, ମୁଁ ପାର୍ବତୀ I ଆମେ ଚାରିଆଡ଼େ ବୁଲୁ । ବୈକୁଣ୍ଡବାବା ପଚାରିଲେ–ଆମ ଠାକୁରଙ୍କୁ ଦେଖିଚ ? ପିଲା ଦୁଇଟି କହିଲେ–ହେଇଟି ପରା ଆସୁଚନ୍ତି । ଦେଖିନ !

 

ବୈକୁଣ୍ଠବାବା ଧଡ଼ପଡ଼ ହୋଇ ଉଠି ପଡ଼ିଲେ । ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଏକାଠି କଲେ । କୀର୍ତ୍ତନ ମଣ୍ଡଳୀ ସହ ଗଲେ ଠାକୁରଙ୍କୁ ପାଛୋଟି ଆଣିବା ପାଇଁ । ଦୀର୍ଘଦିନ ପରେ ଠାକୁରଙ୍କ ସହିତ ସାକ୍ଷାତ । ଶିଶୁ ତା’ ମାଆକୁ ପାଖରେ ପାଇଲେ ଯେପରି ବୈକୁଣ୍ଠବାବାଙ୍କ ସେହି ଅବସ୍ଥା । ଗୁରୁଶିଷ୍ୟଙ୍କ ଅଭିନୟ ଓଲଟ ପାଲଟ ହୋଇପଡ଼ିଲା । ଭାବୋଚ୍ଛଳ ହୃଦୟ । ବନ୍ଧ ଭାଙ୍ଗିଗଲା । ବୈକୁଣ୍ଠବାବା ଦୌଡ଼ି ଯାଇ ଲମ୍ବଦଣ୍ଡା ହୋଇ ପଡ଼ିଗଲେ ଗୁରୁଙ୍କ ପାଦତଳେ । ସାଷ୍ଟାଙ୍ଗ ପ୍ରଣିପାତ । ନାଟକ ଶେଷ । ଠାକୁରେ ଯେଉଁ ଗୁରୁଙ୍କୁ ସେହି ଗୁରୁ । ବୈକୁଣ୍ଠ ଯେଉଁ ଶିଷ୍ୟକୁ ସେହି ଶିଷ୍ୟ ।

Image

 

ବିନା ‘ଅତି’ରେ ‘ପ୍ରୀତି’ ହୁଏନା

 

ମୁହଁଟି ଯିମିତି, କାମ ମଧ୍ୟ ସିମିତି । ସବୁ କାମରେ ମାଙ୍କଡ଼ାମି । ସମସ୍ତେ ତାଙ୍କୁ ଡ଼ାକୁଥିଲେ ବୈକୁଣ୍ଠ ଗୋସେଇଁ । ସମ୍ପୃଷ୍ଠ ଅବଧୂତ । ପୂର୍ବ ବୈରାଗ୍ୟ । ଖାଦ୍ୟ ଅଖାଦ୍ୟ ବାଛ ବିଚାର ନାହିଁ । ଶ୍ରୀରାମଙ୍କ ପାଖରେ ହନୁମନ୍ତ । ଭକ୍ତବୀର ହନୁମାନ । ଥରେ ହନୁମାନ ମା’ ସୀତାଙ୍କ ଫରୁଆ ଫିଟେଇ, ସବୁତକ ସିନ୍ଦୂର ନିଜ ମୁହଁରେ ବୋଳି ପକାଇଥିଲେ । ସେହିଭଳି ବୈକୁଣ୍ଠ ଗୋସେଇଁଙ୍କ କାମ । ମଠଘର କାନ୍ଥ ପାଖରେ ଗୁଡ଼ିଏ ଗ୍ରାମଦେବତୀଙ୍କ ମୂର୍ତ୍ତି I ସମସ୍ତଙ୍କ ମୁହଁରେ ସିନ୍ଦୂର । ବୈକୁଣ୍ଠ ଗୋସେଇଁ ଦିନେ ମୂର୍ତ୍ତିଗୁଡ଼ିକ ମୁହଁରୁ ଖପରାରେ ସବୁ ସିନ୍ଦୂର ରାମି ନେଲେ । ନିଜ ମୁହଁରେ ବୋଳିଲେ । ଗ୍ରାମଦେବତୀଗୁଡ଼ିକୁ ତକିଆ କରି ଆରାମରେ ଶୋଇଲେ । ଦିନବେଳା । ଗାଁ ଲୋକେ ଦେଖି ଠାକୁରଙ୍କୁ କହିଲେ । ଠାକୁରେ ବୈକୃଷ୍ଣଙ୍କୁ କହିଲେ, ହଇରେ, ଏମାନେ ପରା ଠାକୁରାଣୀ ! ଲୋକେ ଏମାନଙ୍କୁ ପୂଜା କରନ୍ତି । ତୁ ତକିଆ କରି ଶୋଉଚୁ ! ଛି

 

ଠାକୁରେ ଯେତେ ବୁଝେଇଲେ, ଯେତେ ଗାଳି ଦେଲେ ବି ବୈକୁଣ୍ଠଠି ତିଳେ ପ୍ରତିକ୍ରିୟା ହୁଏନି । ତେଣୁ ଲୋକେ କହନ୍ତି, ଗୋଟାଏ ଜୋକର । ମଣିଷ ନୁହେଁ, ଚିଡ଼ିଆଖାନାର ଜୀବ । ହନୁ ମାଙ୍କଡ଼ । ସଂସାର ଭିତରେ ଅଛନ୍ତି ବୋଲି ତିଳେ ବି ଅନୁଭବ ନାହିଁ । ସଂସାରରେ ଥାଇ ଅସଂସାରୀ । ଅଦ୍ଭୁତ ଜୀବ । ହଳାହଳ ବି ତାଙ୍କ ପେଟରେ ଜୀର୍ଣ୍ଣ । ଶିବ ମନ୍ଦିର ପାଖରେ କନିଅର ଗଛ । ଗଛରୁ ଝଡ଼ି ଜନିଅର ମଞ୍ଜି ତଳେ ପଡ଼େ । ବୈକୁଣ୍ଠ ଗୋସେଇଁ ସେ ମଞ୍ଜି ଆଣନ୍ତି । ମନ୍ଦିର ପିଣ୍ଡାରେ ଛେଚନ୍ତି । ଶସ ବାହାର କରନ୍ତି । ତେନ୍ତୁଳି, ଗୁଡ଼ ଦେଇ ସେ ଶସରେ କରନ୍ତି ଆମ୍ବିଳ । ଠାକୁରଙ୍କୁ ଖାଇବାକୁ ଦିଅନ୍ତି । ନିଜେ ଖାଆନ୍ତି । ଲୋକେ ଦିନେ ଦେଖିଲେ, କିନିଅର ଫଳକୁ ଶସ କଢ଼ାଯାଉଚି । ଠାକୁରଙ୍କ କାନକୁ ଗଲା । ଠାକୁରେ ବୈକୁଣ୍ଠକୁ ବୁଝାଇ କହିଲେ, କିରେ ତୁ ମତେ ବିଷ ରାନ୍ଧି ଖୁଆଉଛୁ ? ଭକ୍ତି-ଭାବରେ ବିଷ ପାଲଟେ ଅମୃତ ।

 

ବୈକୁଣ୍ଠ ଗୋସେଇଁ ଚୁପ୍ ! ଠାକୁରଙ୍କ କୃପାରୁ ସବୁ ପାର୍ । ଅଜ୍ଞାନ ଶିଶୁ । ଭଗବାନ ହିଁ ସହାୟ । ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ମା’ କାଳୀଙ୍କୁ ବାରମ୍ବାର କହୁଥିଲେ, ମା’ଗୋ ! ଆମାକେ ଶିଶୁର ମତନ୍ ଅଜ୍ଞାନ କରେ ରାଖୋ । ଜ୍ଞାନ ଦାଓନା । ସେହିଭଳି ଠାକୁର ଅଭିରାମ ପରମହଂସ ତାଙ୍କର ପଟ୍ଟଶିଷ୍ୟ ବୈକୁଣ୍ଠକୁ ରଖୁଥିଲେ ଠିକ୍ ଶିଶୁଟିଏ ଭଳି । ବୟସରେ ଯୁବକ । କିନ୍ତୁ କାମରେ ଠୁମକୋ ଚଲତ ରାମଚନ୍ଦ୍ର ଭଳି । ସର୍ବଦା ଶିଶୁ ଅବସ୍ଥା । ନିଷ୍କପଟ । ନିରୀହ । ନିର୍ବିକାର ।

 

ଠାକୁରଙ୍କ ଅନୁଗତ ଶିଷ୍ୟ । ରୋଷେୟା I ଶିଷ୍ୟ ନ ରାନ୍ଧିଲେ, ଠାକୁରଙ୍କ ଅହ୍ମଣିଆ ଓ ମଣୋହି ବନ୍ଦ ! ହାଣ୍ଡି ତ ହାଣ୍ଡି । ରାନ୍ଧିବା ପାଇଁ ପାତ୍ର ଦରକାର । ବୈକୁଣ୍ଠ ଗୋସେଇଁ ଥରେ ଥରେ ମଶାଣିରେ ଗଡ଼ୁଥବା ହାଣ୍ଡି ଖପରା ଗୋଟେଇ ଆଣନ୍ତି I ସେଥ୍ରେ ରୋଷେଇ କରନ୍ତି । ମଶାଣିର ଦରପୋଡ଼ା କାଠ ମଧ୍ୟ ନେଇ ଆସନ୍ତି । ସେଥରେ ଜାଳେଣି କାମ ହୁଏ । ଏସବୁ କାରବାର ଦେଖି ମଠରେ ପ୍ରସାଦ ସେବନ କରିବାକୁ ଲୋକେ କୁଣ୍ଠିତ ହେଲେ । ତା’ପରେ ମଶାଣି ହାଣ୍ଡି ଆଣିବା ବନ୍ଦ ହୋଇଗଲା । କିନ୍ତୁ ଗୁରୁ ଶିଷ୍ୟ, ଠାକୁରେ ଓ ବୈକୁଣ୍ଠ ବାବା ଏକାନ୍ତରେ ଏକାଠି ହେଲେ ବେଶ୍ ମଜା ହୁଏ । ଠାକୁରେ ଯାହା କହନ୍ତି, ଭୁଲ୍ ହେଉ ବା ଠିକ୍ ହେଉ, ମନକୁ ପାଉ ନ ପାଉ ସବୁଥିରେ ସମ୍ମତ । ହଁ ହଁ । ଠିକ୍ ଠିକ୍ ।

 

ଥରେ ଶ୍ରୀକୃଷ୍ଣ, ସଖା ଅର୍ଜୁନଙ୍କ ସହିତ ବାହାରେ ବୁଲୁଥିଲେ । ଶ୍ରୀକୃଷ୍ଣ ଗୋଟିଏ ଚଢ଼େଇକି ଦେଖେଇ କହିଲେ, ଦେଖି ସଖା, କି ସୁନ୍ଦର ଚଢ଼େଇଟିଏ ! ନୀଳବର୍ଣ୍ଣର । ଅର୍ଜୁନ କହିଲେ, ସତେ ତ ଚଢେଇଟା ନୀଳବର୍ଷର । ଭାରି ସୁନ୍ଦର । ଶ୍ରୀକୃଷ୍ଣ କହିଲେ, ନା, ନା, ଚଢ଼େଇଟି କଳା । ଅର୍ଜୁନ କହିଲେ, ହଁ ତ କଳା I ଶ୍ରୀକୃଷ୍ଣ କହିଲେ, ନା ଲାଲ । ଅର୍ଜୁନ କହିଲେ ଆରେ ହଁ ତ ଲାଲ । ଶ୍ରୀକୃଷ୍ଣ କହିଲେ, କିହୋ ଚଢ଼େଇକି ଦେଖି କହୁଚ ନା, ମନକୁ ମନ କହି ତାଲିବ । ମୁଁ ନୀଳ କହିଲେ ନୀଳ, କଳା କହିଲେ କଳା, ଲାଲ କହିଲେ ଲାଲ ।

 

ଅର୍ଜୁନ କହିଲେ, ମୋ ଦେଖା, ଅଦେଖାରେ କଣ ଅଛି ? ତୁମେ କହୁଚ ବୋଲି ମୁଁ କହୁଚି । ତୁମ ମୁହଁରୁ ଯାହା ବାହାରେ, ତା' ନିଶ୍ଚିତ ଭାବରେ ସତ୍ୟ । ଅସତ୍ୟ ହୋଇ ନପାରେ । ମୁଁ ସତ୍ୟକୁ ଜାଣେ । ତୁମେ ଚାହିଁବା ମାତ୍ରେ କଳାକୁ ଧଳା କରି ଦେଇପାର ।

 

ଏହାକୁ କୁହାଯାଏ ଆନୁଗତ୍ୟ । ବୈକୁଣ୍ଠ ଗୋସେଇଁଙ୍କ ସେପରି ଭାବ । ହନୁମାନଙ୍କ ସର୍ବଦା ଦୃଷ୍ଟି ଶ୍ରୀରାମଙ୍କ ପାଦକୁ ! ସେହିଭଳି ଦୈକୁଣ୍ଠଙ୍କ ଦୃଷ୍ଟି ଶ୍ରୀ ଅଭିରାମଙ୍କ ପାଦପ୍ରତି । ସେ ପୂଜାରୀ, ପୂଝାରୀ–ନିତ୍ୟ ସେବଳ ସେ ।

 

ବାଳକ ବୟସରେ ମଧ୍ୟ ଠାକୁରଙ୍କ ଯେଉଁ ଅଭ୍ୟାସ, ଯୁବକ ବୟସରେ ମଧ୍ୟ ସେୟା । ପିଲାଦିନେ ଗୋଟିଏ ଘରେ ପଶି ମା’ଙ୍କୁ କହୁଥିଲେ, ବାହାରୁ ତାଲାବନ୍ଦ କରିଦେବା ପାଇଁ ! ଦୁଇଦିନ ଧରି ଘର ଭିତରେ ସେ କଣ କରୁଥିଲେ ତାଙ୍କୁ ହିଁ ଜଣା । ଏବେ ମା'ଙ୍କ କାମ ବୈକୁଣ୍ଠ ଗୋସେଇଁଙ୍କର । ମଠ ସାହିରେ ଠାକୁରେ ନିଜ ଗୋଟିଏ ଗୁମ୍ଫାଘର କରିଥିଲେ | ମନ ଉଠିଲା ତ ସେ ଘରେ ପଶ । ଘଣ୍ଟା ଘଣ୍ଟା ଧରି ସେ ଘରେ ରହୁଥିଲେ । ବୈକୁଣ୍ଠଙ୍କୁ କହୁଥିଲେ, ଗୁମ୍ଫା ପ୍ରବେଶଦ୍ଵାରରେ ମାଟି ଲେସି ଦେବାକୁ I ଆଜ୍ଞାଧୀନ ଶିଷ୍ୟ ମାଟି ଚକଟି ଲେସି ଦେଉଥ‌ିଲେ । ଗୁରୁଙ୍କ ଆଦେଶ, କାହାକୁ କହିବୁନି ! ଲୋକେ ଆସି ଠାକୁରଙ୍କୁ ଖୋଜୁଥିଲେ ! ବୈକୁଣ୍ଠଙ୍କୁ ପଚାରୁଥିଲେ, ଠାକୁର ଗଲେ କୁଆଡ଼େ ? ବୈକୁଣ୍ଠ ଚୁପ୍ । ସତେ ଯେମିତି ସେ ତାଙ୍କ ତୁଣ୍ଡଗୁମ୍ଫାରେ ନିଜେ ମାଟି ଲେସି ଦେଇଛନ୍ତି । ଲୋକେ ବ୍ୟସ୍ତ ବିବ୍ରତ ହେଲେ, ବୈକୁଣ୍ଠ ଆଙ୍ଗୁଠିରେ ଠାରି ଗୁମ୍ଫା ଦ୍ୱାରକୁ ଦେଖାଇ ଦେଉଥିଲେ । ଥରେ ଥରେ ଠାକୁରେ ଗୁମ୍ଫା ଭିତରେ ଦିନରାତି ଚବିଶ ଘଣ୍ଟା ରହି ଯାଉଥିଲେ । ନିବୁଜ ଗୁମ୍ଫା । ନିଶ୍ୱାସ ନେବା ପାଇଁ ବାଟ ନାହିଁ । ତା’ ଭିତରେ ଠାକୁରଙ୍କ ତପସ୍ୟା !

 

କରମଳା ଶାନ୍ତିଧାମ ପରିସରଟି ଛୋଟ ହେଲେ ମଧ୍ୟ ଏକ ବିରାଟ ସାମ୍ରାଜ୍ୟ । ସାମ୍ରାଜ୍ୟର ସମ୍ରାଟ ଥିଲେ ଠାକୁର ଅଭିରାମ ପରମହଂସ । ତାଙ୍କ ଭକ୍ତମାନେ ନାନା ଭାବରେ ଚିତ୍ରଣ କରୁଥିଲେ । ଯେଉଁମାନେ ଅନ୍ୟମାନଙ୍କ ଅନୁଭୂତି–ଅନୁରଞ୍ଜିତ ରଚନାକୁ ‘ଅତିରଞ୍ଜିତ’ ବୋଲି କହିଥାନ୍ତି, ସେମାନେ ନିଜ ଗୁରୁଙ୍କ ଲୀଳାଖେଳାକୁ ଏପରି ରଞ୍ଜିତ କରି କହିଥାଆନ୍ତି ଓ ଲେଖୁଥାଆନ୍ତି ଯେ ‘କଳ୍ପନା’ କହେ ‘ମତେ ବହୁତ ଘୋରିଲଣି, ଆଉ ଘୋରନି, ମୋ ଭଣ୍ଡାରକୁ ସାରି ଦିଅନି । ବିନା ‘ଅତି ‘ରେ ‘ପ୍ରୀତି’ ହୁଏନା l ଇତିହାସ, ପୁରାଣ, କାବ୍ୟ କବିତା ମହାପୁରୁଷମାନଙ୍କ ଜୀବନ-କାହାଣୀ, ସେମାନଙ୍କ ମହିମା, ବିଭୂତିର ପ୍ରଚାର, ପ୍ରସାର, ରାମଙ୍କଠାରୁ ଆରମ୍ଭ କରି କୃଷ ପର୍ଯ୍ୟନ୍ତ; ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଜୋରାଷ୍ଟ୍ରର ଏବଂ ହଜାର ହଜାର ସନ୍ଥ, ସନ୍ନ୍ୟାସୀଙ୍କ ଜୀବନକୁ କେନ୍ଦ୍ର କରି ଯେତେ ‘ରଚନା’ ହୋଇଛି ସବୁଠି ରହିଛି ‘ଅତିରଞ୍ଜନ’ ର କାଞ୍ଚନ ।

ଏହି କାଞ୍ଚନକୁ ଆହରଣ, ସଂରକ୍ଷଣ କରାଯାଇ ବିହନ ବ.ଣା ଚାଲିଚି । ଗଛ ହେଉଚି । ଫଳ ଫଳୁଚି । ଲୋକେ ତାକୁ ଖାଇ ଆନନ୍ଦ ପାଉଚନ୍ତି । ସେହି ଫଳରୁ ପୁଣି ବିହନର ପୁନରାବୃତ୍ତି । ଅତିରଞ୍ଜନରେ ଜୀବନ ପ ରିପୁଷ୍ଟ ହୋଇ ଚାଲିଚି । ହେତୁବାଦୀମାନେ ଏହି ଅତିତଞ୍ଜନକୁ ଘୃଣା କରି ଆସିଚନ୍ତି । ଧ୍ଵର, ତିରସ୍କାର କରିଥାଆନ୍ତି ଅତ୍ୟନ୍ତ କଠୋର, ନିର୍ମମ ଭାଷାରେ । ତିରସ୍କାର, ପୁରସ୍କାର, ନିନ୍ଦା-ପ୍ରଶଂସା ଚାଲି ଆସିଚି ସମାନ୍ତରାଳ ଭାବରେ–ସୃଷ୍ଟିର ଆରମ୍ଭରୁ । ଠାକୁର ରାମକୃଷ୍ଣ ପରମହଂସଠାରୁ ଆରମ୍ଭ କରି ଠାକୁର ଅଭିରାମ ପରମହଂସ ପର୍ଯ୍ୟନ୍ତ, କେହି ଏଥୁରୁ ବାଦ ପଡ଼ି ନାହାଁନ୍ତି ।

Image

 

ଅଭଡ଼ା ଭିତରେ ଦାନ୍ତକାଠି, ଗୁଡ଼ାଖୁ

 

ଠାକୁର ଅଭିରାମଙ୍କ ମା’ ରାଧାଦେବୀ । ବୁଢୀ ବୟସ । ବିଧବା । ସବୁ ପର୍ବପର୍ବାଣୀ ବ୍ରତ ଉପବାସ ନିଷ୍ଠାର ସହିତ କରନ୍ତି । କାର୍ତ୍ତିକ ମାସରେ ହବିଷ୍ୟ । ଅପରାହ୍ନରେ ବେଳାଏ ଖୁଆ । ପୁଅ ଅଭିରାମ ତ ପାଖରେ । ପୁଅଠୁ ଶପଥ କରେଇ ନେଇଚନ୍ତି, ତୁ ସନ୍ନ୍ୟାସୀ ତ ହେଲୁ, କୌପୀନ ପିନ୍ଧିଲୁ, ଗୋଟିଏ ସତ୍ୟ କର, ତୁ ମୋ ପାଖ ଆଖରେ ହିଁ ରହିବୁ । ତେଣୁ ଠାକୁର ନିଜ ଗାଁ କରମଳାରେ ହିଁ ମଠ ବା ଆଶ୍ରମ କଲେ । ବାପା ସତ୍ୟବାଦୀ ମଶାଣି ଭୂଇଁରେ ସିଝୁ ଗଛ ପୋତି ଦେଇଥିଲେ । କହିଥିଲେ, ଏଇଠି ହେବ ତୋରି ଆଶ୍ରମ । ତୋ ବିଶ୍ରାମ ପୀଠ ।

 

ଠାକୁରେ କଲିକତା ଚଟକଳ ସଙ୍ଗ୍ରାଏଲରୁ ବୈକୁଣ୍ଠଙ୍କୁ ସାଙ୍ଗରେ ଧରି ଆସିଥିଲେ । ବୈକୁଣ୍ଠ ଆଜୀବନ ତାଙ୍କର ସଙ୍ଗୀ ହୋଇ ରହିଥିଲେ । ଠାକୁରଙ୍କ ଅପ୍ରକଟ ପରେ ଆଶ୍ରମ ଶାନ୍ତଧାମର ପ୍ରଥମ ଆଚାର୍ଯ୍ୟ ହୋଇଥିଲେ ବୈକୁଣ୍ଠ ଗୋସାଇଁ । ଗୋସାଇଁରୁ ଆଚାର୍ଯ୍ୟ

 

ମା’ ରାଧାଦେବୀ କାର୍ତ୍ତିକ ମାସରେ ଦିନେ ପୁଅ ବିନୋରୀ (ଅଭିରାମ )କୁ କହିଲେ, ପୁରୀ ଶ୍ରୀ ମନ୍ଦିରରୁ ଗଣ୍ଡେ ଅଭଡ଼ା ମଗେଇ ଆଣନ୍ତୁ କି ସେବା କରନ୍ତି । ମା’ଙ୍କର ତୁଣ୍ଡରୁ ଯାହା ବାହାରେ ପୁଅ ଅଭିରାମ ଅକ୍ଷରେ ଅକ୍ଷରେ ପାଳନ କରିଥା’ନ୍ତି । ଅଭିରାମ ପଠାଇଦେଲେ ଅନୁଗତ ଶିଷ୍ୟ ବୈକୁଣ୍ଠଙ୍କୁ । ଲକ୍ଷ୍ମଣଙ୍କ ପ୍ରତି ମେଘନାଦର ଶକ୍ତିଭେଦବେଳେ ହନୁମାନଙ୍କୁ ଶ୍ରୀରାମ ପଠାଇଥିଲେ ବିଶଲ୍ୟକରଣି ଗଛ ଆଣିବା ପାଇଁ । ହିମାଳୟର ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଏ ଗଛ । କେଉଁଟା ବିଶଲ୍ୟକରଣି ଗଛ ଚିହ୍ନି ନଥୁଲେ ଆଞ୍ଜନେୟ ହନୁମାନ । ସମଗ୍ର ପାହାଡ଼ଟାକୁ ଟେକି ନେଇ ଆସିଥିଲେ । ସେହିଭଳି ଶିଷ୍ୟ ବୈକୁଣ୍ଠ ପୁରୀକି ଯାଇ ନେଇ ଆସିଲେ ମହାପ୍ରସାଦ କୁଡ଼ୁଆ । ରଖୁଦେଲେ ଠାକୁରଙ୍କ ପାଖରେ । ଠାକୁରେ କୁଡୁଆକୁ ଦେଖି ଅବାକ୍ । କିରେ ଇଏ କଣ ? କୁଡୁଆ ଭିତରେ ଅନ୍ନ, ଡ଼ାଲି, ଦାନ୍ତକାଠି, ଗୁଡ଼ାଖୁ–ସବୁ ଗୋଳିଆ ଗୋଳେଇ ହୋଇ ରହିଛି । ଅଭଡ଼ା ଫୋପଡ଼ା ହେଲା । ଆଉ ଜଣଙ୍କୁ ପୁରୀ ପଠାଯାଇ ଅଭଡ଼ା ଅଣାଗଲା । ଇଏ ସେହି ବୈକୁଣ୍ଠ ।

 

ଆଉ ଦିନେ । କୌଣସି ଭକ୍ତ ଆଣି ଦେଇଥଲେ ଗୁଡ଼ିଏ ରସଗୋଲା । ରହି ରହି ରସଗୋଲା ଫିମ୍ପି ମାରିଗଲା । ଠାକୁରେ ବୈକୁଣ୍ଠଙ୍କୁ କହିଲେ, ନେ, ବାହାରେ ଫିଙ୍ଗି ଦେ । ବୈକୁଣ୍ଠ ରସଗୋଲାତକ ଗଛମୂଳେ ପୋତି ଦେଇ ଆସିଲେ । ପ୍ରତିଦିନ ପାଣି ଦେଲେ । ଭବିଲେ, ରସଗୋଲା ମଞ୍ଜି ପୋତା ହୋଇଛି, ଗଛ ଉଠିବ, ପୁଣି ରସଗୋଲା ଫଳିବ ।

 

ଦିନେ ବୈକୁଣ୍ଠ ଇଞ୍ଜିନିୟର ବି ହୋଇଥିଲେ । ଜଣେ ଭକ୍ତ ଦେଇଥିଲେ ଗୋଟିଏ ଫ୍ଲାସ୍ । ଚାହା, କଫି କିମ୍ବା ଗରମ ପାଣି ରଖୁ, ତିନି ଚାରିଘଣ୍ଟା ଗରମ ରହିବ ବୋଲି । ଫ୍ଲାସ୍‌ର ଉପର ଠିପିଟା ଖରାପ ହୋଇଗଲା । ବୈକୁଣ୍ଠଙ୍କ ଚିନ୍ତା–ନୂଆ ଠିପି ବସାଇବା ପାଇଁ । ପାଳଧୁ ଆ କାଠ ଖଣ୍ଡେ ଚାଞ୍ଚ୍ ଠିପି କରାଗଲା । ଫ୍ଲସ୍ ମୁହଁରେ ଭର୍ତ୍ତି କରି ବାବୁ ବୈକୁଣ୍ଠ ଉପରୁ ବାଡ଼େଇଲେ । ଫୁସ୍ ଫାଟି ଢ଼େ । ଭୀଷଣ ଶବ୍ଦ । ଠାକୁରେ ବିଶ୍ରାମ କରୁଥିଲେ । ଉଠି ପଡ଼ିଲେ I ବୈକୁଣ୍ଠଙ୍କ ଇଞ୍ଜିନିୟରିଙ୍ଗ୍ ବୁଦ୍ଧିକୁ ହସ ମାଧ୍ୟମରେ ବେଶ ତାରିଫ କଲେ I ଶିଷ୍ୟ ଖୁସ୍ ।

 

ଠାକୁରେ ଏହି ଶିଷ୍ୟଙ୍କୁ ସବୁବେଳେ ଖୁସ୍ ମିଞ୍ଜାସରେ ରଖୁଥିଲେ । ଯାହା ପାଉଥିଲେ, ସବୁ ଦେଉଥିଲେ ବୈକୁଣ୍ଠକୁ l ବୈକୁଣ୍ଠଙ୍କ ହାତରେ ଭଣ୍ଡାର ଘରର ଚାବି । ତାଙ୍କ ହାତରେ ଚାବି ଥୁଲା ସତ କୌଣସି ଜିନିଷ ଉପରେ ତାଙ୍କର ଦାବୀ ନଥିଲା ।

 

ସାଂସାରିକ ଜ୍ଞାନ ବିଲ୍‌କୁଲ ନ ଥିଲା । ତା’ର ସୁଯୋଗ ନେଉଥିଲେ ତଥାକଥିତ ଭକ୍ତମାନେ । ବୈକୁଣ୍ଠବାବାଙ୍କୁ ଠକି ଠାକି କିଏ କଣ ନେଇ ଯାଉଥିଲେ ।

 

ଦିନେ ଠାକୁରେ ଏହି ଶିଷ୍ୟଙ୍କ ସାଙ୍ଗରେ ଯାଇଥିଲେ–ତାଙ୍କର ମୂଳ ତପସ୍ୟା ପୀଠ ଖାଣ୍ଡବଦନକୁ । ସେ ଯେଉଁଠି ବସି ଧାନ କରୁଥିଲେ, ବୈକୁଣ୍ଠ ସେହି ସ୍ଥାନରେ ମା’ ପୌର୍ଣମାସୀଙ୍କୁ ଦୂରରୁ ଦେଖି କୃତାର୍ଥ ହୋଇଗଲେ । ବେଳେବେଳେ ଠାକୁରେ ଏହି ଖାଣ୍ଡବବନକୁ ଆସି ମା’ଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଯାହା କହିଥ୍‌, ତା’ କରୁଚି, ଆଗକୁ କଣ କରିବି ବୋଲି ପଚାରୁଥିଲେ । ମା’ଙ୍କ ନିର୍ଦ୍ଦେଶରେ ସେ ଚଳି ଆସୁଥିଲେ ସେଥର ଠାକୁରେ ଯାଇ ବସିଥିଲେ ତାଙ୍କ ନିର୍ଦ୍ଦିଷ୍ଟ ଆସନରେ । ବୈକୁଣ୍ଠ ଦୂରରୁ ଦେଖ‌ିଲେ, ଠାକୁରେ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଚନ୍ତି । ମଠରୁ ଆସିବା ବେଳେ ଠାକୁରଙ୍କ ସହିତ କେବଳ ସିଏ ଆସିଥିଲେ । ନିଘଞ୍ଚ ଅରଣ୍ୟ ଭିତରେ ଏ ସୁନ୍ଦରୀ ତରୁଣୀ କିଏ ? ଧୀରେ ଧୀରେ ଠାକୁରଙ୍କ ଆଡ଼କୁ ଅଗ୍ରସର ହେଲେ ବୈକୁଣ୍ଠ । କିନ୍ତୁ ଦେଖ‌ିଲେ ଠାକୁରୁ ଏକାକୀ । ଦେବୀ ଅନ୍ତର୍ଦ୍ଧାନ । ବୈକୁଣ୍ଠ ଠାକୁରଙ୍କୁ ପଚାରିଲେ, ସେ ମାଇପିଟି କିଏ ? ମୁଁ ଆସିବାମାତ୍ରେ ଚାଲିଗଲେ । ରହସ୍ୟ କଣ ?

 

ଠାକୁରେ କହିଲେ, ସିଏ ହିଁ ମୋର ପ୍ରଥମ ଗୁରୁମାତା । ପୌର୍ଣ୍ଣମାସୀ । ବନଦୁର୍ଗା । ତୋ’ର ଭାଗ୍ୟ ଭଲ ତାଙ୍କୁ ଦେଖି ପାରିଲୁ । ତୁ ଆସିବାରୁ ସେ ଚାଲିଗଲେ ।

 

ବୈକୁଣ୍ଠ ଭାବିଲେ, ଯିବ କୁଆଡେ ? ମୁଁ ତାକୁ ଧରି ଖୋବି । ଆଶ୍ରମରେ ପ୍ରତିଷ୍ଠିତ ହେଲା ବନଦୁର୍ଗାଙ୍କ ପ୍ରତିମୂର୍ତ୍ତି । ପୂଜା ଦାୟିତ୍ୱରେ ରହିଲେ ବୈକୁଣ୍ଠ ଗୋସେଇଁ । ଏହି ବନଦୁର୍ଗା ଏକାନ୍ତରେ ନିଜର ଅଲିଅଳ ସନ୍ତାନ ଠାକୁର ଅଭିରାମ ପରମହଂସଙ୍କ ପାଖକୁ ଆସନ୍ତି ସୂକ୍ଷ୍ମ ରୂପରେ । ବୈକୁଣ୍ଠ ବାବା ଏହି ସୂକ୍ଷ୍ମ ରୂପକୁ ପ୍ରତ୍ୟକ୍ଷ କରିଥିଲେ ବହୁବାର ।

 

ଠାକୁରେ ଶିଷ୍ୟ ବୈକୁଣ୍ଠଙ୍କ ମନରୁ ଗର୍ବ, ଅଭିମାନ, ହିଂସା, ଦ୍ୱେଷ ଆଦି ଷଡ଼ରିପୁକୁ ପୋଛିନେଇ ସାଫ୍ କରିଦେଇଥିଲେ । ନିଜର ସ୍ନେହାଧୀନ ଶିଶୁ ଭାବରେ ତାଙ୍କୁ ନିଜ କୋଳରେ ରଖୁ ଆସିଥିଲେ । ବୈକୁଣ୍ଠ ନିଜର ପରିଚୟ ଦେଇ କହୁଥିଲେ, ମୁଁ ଠାକୁରଙ୍କ ଜଣେ ଅଯୋଗ୍ୟ ଅଧମ ଶିଷ୍ୟ । କିନ୍ତୁ ଅନ୍ୟମାନେ କହୁଥିଲେ–ସେ ଠାକୁରଙ୍କ ଯୋଗ୍ୟତମ ଦାୟାଦ । ୧୯୬୩ ରେ ଠାକୁରଙ୍କ ଅପ୍ରକଟ ପରେ ଆଶ୍ରମର ସମସ୍ତ ଦାୟିତ୍ଵ ବୈକୁଣ୍ଠ ବାବାଙ୍କ ଉପରେ ପଡ଼ିଥିଲା । ସେ ଦାୟିତ୍ୱର ଅର୍ଥ କଣ ବୁଝି ନ ଥିଲେ । କହୁଥିଲେ ‘ହାକିମର ଦେଖା ନାହିଁ । ହୁକୁମରେ ଚାଲୁଚି ।’’ କୌଣସି ଚାଲାକି ଚତୁରତା ଦରକାର ହେଲା ନାହିଁ । ଶାନ୍ତିଧାମରେ ମଣିଷ ଗଢ଼ା କାରଖାନା ସୁରୁଖୁରୁରେ ଚାଲିଲା–ବହୁବର୍ଷ ଧରି । ଯନ୍ତ୍ରପାତିରେ କଳଙ୍କି ଲାଗିଲେ ବୈକୁଣ୍ଠବାବା ଝାଡ଼ିଝୁଡ଼ି ସଫାକରି ଦେଉଥିଲେ ।

Image

 

କାହାଠୁ ଗାଳି ତ କାହାଠୁ ମାଳି

 

‘‘ଠାକୁରଙ୍କ ପାଖରେ ଶାନ୍ତି ଧାମରେ ରହି ସେବା କରିବା ଏଡେ ସହଜ ନୁହେଁ : ଯିଏ ଲୁହାଚଣା ଚୋବେଇଥ ଦି’ ଦଶମାସିଆ ହୋଇଥବ, ସେ କେବଳ ପାରିବ ।’’ ଇଏ ଠାକୁର ଅଭିରାମପରମହଂସଙ୍କ କଥନ । ବୈକୁଣ୍ଠ ବାବା ବୋଧହୁଏ ଲୁହାଚଣା ଚୋବେଇ ଜୀର୍ଣ୍ଣ କରିଦେଇ ପାରୁଥିଲେ ବୋଲି ‘ସେ-ବକ’ ହୋଇ ପାରିଥିଲେ । ପାଣି ଭିତରେ ବକ ବା ବଗ କେବଳ ମାଛକୁ ଟାକି ରହିଥାଏ । ବୈକୁଣ୍ଠ ବାବାଙ୍କ ସମସ୍ତ ଇନ୍ଦ୍ରିୟ ଲାଖୁ ରହିଥିଲେ ଗୁରୁଙ୍କ ସେବାରେ I ଶିଷ୍ୟ କରିବା ପୁର୍ବରୁ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏ ପରୀକ୍ଷା କଠୋର ପରିଶ୍ରମ ସାଧ୍ୟ । ତୈଲଙ୍ଗ ସ୍ୱାମୀଙ୍କ ନିକଟକୁ ଯାଇଥିଲେ ଜଣେ ବଙ୍ଗାଳି ଭଦ୍ରଲୋକ । ଉଚ୍ଚଶିକ୍ଷିତ ସରକାରୀ ଚାକିରୀ କରୁଥିଲେ । ପ୍ରଥମେ ଯାଇଥିଲେ ସ୍ୱାମିଜୀଙ୍କ ଦର୍ଶନ ଲାଗି I ଦର୍ଶନ ପରେ ସ୍ପର୍ଶନ ଲାଭ କଲେ । ଭଦ୍ରଲୋକ ଭୁଲିଗଲେ ସେ ଚାକିରୀରୁ ଛୁଟିନେଇ ଆସିଛନ୍ତି ବୋଲି । ଭାବାନ୍ତର ଆସିଗଲା । ଇଚ୍ଛା ହେଲା ସ୍ୱାମିଜୀଙ୍କ ଶିଷ୍ୟ ହେବେ । ଯେକୌଣସି ତ୍ୟାଗପାଇଁ ସେ ତିଆର । ତୈଲଙ୍ଗ ସ୍ଵାମୀଙ୍କୁ ସମସ୍ତେ ଲଙ୍ଗୁଳିବାବା ବୋଲି ଡାକୁଥିଲେ । ଗୋରା ସାହେବମାନଙ୍କୁ ସେ ନାନାଭାବରେ ହଇରାଣ କରୁଥିଲେ । ବଙ୍ଗାଳି ଭଦ୍ରଲୋକ କହିଲେ,ଦୀକ୍ଷା ନେବେ ।

.

ତୈଲଙ୍ଗ ସ୍ଵାମୀ ହସିଲେ । କହିଲେ, ଆରେ ଦୀକ୍ଷା କଣ ମୁଁ ଜାଣେନା । ଶିକ୍ଷା କଣ ଜାଣେ ? ପୋଥରେ ଶିକ୍ଷା ନଥାଏ I ଶିକ୍ଷା ଥାଏ କଠୋର ପରିଶ୍ରମ ଭିତରେ । ଆତ୍ମ ନିର୍ଭରଶୀଳତାରେ ।

 

ବଙ୍ଗାଳୀ ଭଦ୍ରଲୋକ କହିଲେ, ଦୀକ୍ଷା ହେଉ ବା ଶିକ୍ଷା ହେଉ–ମୁଁ ସେଥୁରୁ ଗୋଟିଏ ପାଇବାକୁ ଚାହେଁ I ତୈଲଙ୍ଗ ସ୍ଵାମୀ ତାଙ୍କୁ ଧରେଇଦେଲେ ଏକ ଚନ୍ଦନପେଡ଼ି, ମୁଣ୍ଡାଏ ଚନ୍ଦନ କାଠ, ଗରାଏ ପାଣି । କହିଲେ, ଏ ପାଣି, ଏ ଚନ୍ଦନ କାଠ ସରିବା ପର୍ଯ୍ୟନ୍ତ, ଘୋରୁଥା । ଭଦ୍ରଲୋକ ଘୋରିବାରେ ଲାଗିଲେ । ଦିନରାତି ଘୋରା ଚାଲିଚି । ମାସାଧ୍ଵ କାଳ । ହାଣ୍ଡିଏ ହେବ ଚନ୍ଦନ । ସଜ, ବାସି, ସବୁ ମିଶାମିଶି । ଶିଷ୍ୟ କହିଲେ, ଘୋର । ସରିଲା । ସ୍ୱାମିଜୀ କହିଲେ, ଗୋଟିଏ କାଠି ଧର । ଚନ୍ଦନରେ କାନ୍ଥବାଡ଼ ରାମ, ରାମ ଲେଖୁ ଯାଆ । ସିଏବି ସରିଲା । ଶିଷ୍ୟ କହିଲେ, ଯାହା କହିଲ, କଲି । ଆଜ୍ଞା ଶିକ୍ଷା ? ସ୍ଵାମିଜୀ କହିଲେ, ଏଣିକି ଭିକ୍ଷା । ଘର ଘର ବୁଲି ଭିକ୍ଷା କର, ଆପେ ଆପେ ଶିକ୍ଷା ହୋଇଯିବ । ଲୋକଶିକ୍ଷା ହିଁ ଏକମାତ୍ର ଶିକ୍ଷା । ଭଳି ଭଳି ଲୋକଙ୍କ ସହିତ ସାକ୍ଷାତ । କାହାଠୁ ଗାଳି ମିଳିବ ତ କାହାଠୁ ମାଳି ମିଳିବ । କାହାଠୁ ଧ୍ୟାର, କାହାଠୁ ପୁରସ୍କାର । ଭିତରେ ଭିତରେ ଶିକ୍ଷା, ଦୀକ୍ଷା ସବୁ ହୋଇଯିବ ।

 

ସେହିଭଳି ଥିଲେ ବୈକୁଣ୍ଠ ବାବା । ସେ ରାମକୃଷ୍ଣ ପରମହଂସଙ୍କ ଭଳି ‘ଟଙ୍କା ମାଟି, ମାଟି ସୁନା’’ ହେବାରେ ଲାଗିଥିଲେ । ୧୯୬୩ରେ ଠାକୁରେ ଅପ୍ରକଟ ହେଲେ । ସ୍ଵଧାମକୁ ଚାଲିଗଲେ । ଆଶ୍ରମରେ ବୈକୁଣ୍ଠଙ୍କୁ ରଖିଦେଇ ବୈକୁଣ୍ଠପୁରୀକି ଫେରିଗଲେ । ବୈକୁଣ୍ଠ ମଠାଧୀଶ ହେଲେ ସତ ପୀଠାଧୀଶ ହୋଇପାରିଲେ ନାହିଁ । ରବି ବାବା ଲେଖୁଛନ୍ତି, “‘ତାଙ୍କୁ ସାଁତଥର ବିକି ଚଉଦଥର କିଣିବା ଛୋଟ ପିଲାଟିକୁ ମଧ୍ୟ ଅସୁବିଧା ହେବ ନାହିଁ ।’’ ‘ନିର୍ମୋହତ୍ୱରୁ ଜୀବନମୁକ୍ତି’ ତାଙ୍କର ଜୀବଦ୍ଦଶାରେ ହିଁ ହୋଇ ସାରିଥିଲା ।

 

‘‘ମିଥ୍ୟା ପ୍ରଦୀପ୍ତାୟାମ୍ ନମେ ଲାଭ ନମେ କ୍ଷତି ।’’ ଜନକ ମହାରାଜ ସତୀର୍ଥମାନଙ୍କ ସହ ଏକତ୍ର ବସି ଗୁରୁକୁଳାଶ୍ରମରେ ପଢୁଥିବାବେଳେ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦେବା ଲାଗି ଗୁରୁଦେବ ମାୟାପଟଳ ରଚନା କରିଥିଲେ । ମିଥୁଳା ନଗରୀ ଧୂ ଧୂ ଜଳି ଉଠିବା ଭଳି ଦେଖାଗଲା । ଅନ୍ୟ ବିଦ୍ୟାର୍ଥୀମାନେ ଦୌଡ଼ିଲେ । ଗୁରୁଦେବ ଜନକଙ୍କୁ ପଚାରିଲେ, କିହୋ ତୁମେ ଯାଉନ । ମିଥୁଳା ଧ୍ଵଂସ ହେବାରେ ଲାଗିଚି; ଅଥଚ ମିଥୁଳାଧୂପତି ନୀରବ, ନିଶ୍ଚଳ ! ଜନକ ମହାରାଜ ଉତ୍ତର ଦେଇଥିଲେ, ମିଥୁଳା ନଗରୀ ପୋଡ଼ିଗଲେ କି ରହିଲେ ସେଥ‌ିରେ ମୋର ଲାଭ ନାହିଁ କି କ୍ଷତି ନାହିଁ ।

 

ଏହାଙ୍କୁ କୁହାଯାଏ ‘ସ୍ଥିତପ୍ରଜ୍ଞ ‘ । ସେହି ଅବସ୍ଥା ଆସିଯାଇଥିଲା ବୈକୁଣ୍ଠ ବାବାଙ୍କର । ଠାକୁରଙ୍କ ଅପ୍ରକଟ ପରେ ବୈକୁଣ୍ଠ ବାବା ଖାଲି ଅଶାନ୍ତି ଅନୁଭବ କରୁଥିଲେ । କହୁଥିଲେ, ଠାକୁରେ ତୁମେତ ଗଲ । ମତେ ନେଲ ନାହିଁ କାହିଁକି ! ଠାକୁରେ ସ୍ୱପ୍ନରେ ଉତ୍ତର ଦେଲେ,’’ତୋ ଶରୀରଟା ତୋର ନୁହେଁ ମୋର । ମୋ ଶରୀରରେ ମୋ ଅଧିକାର । କାହିଁକି ଏ ଯାଏଁ ରଖୁ, ତୁ କହିବାକୁ କିଏ ?’’

 

ଧନରେ ମନ ଯାହାର ନାହିଁ, ତାକୁ କୁହାଯାଏ ନିଷ୍କୁମ ନିର୍ଜନ । ବୈକୁଣ୍ଡବାବା ଥିଲେ ସେଥ‌ିରୁ ଗୋଟିଏ ‘ନିର୍ଭୁମ’ ଅଧମ । ଠାକୁରଙ୍କ ସବୁ ପ୍ରକାରର ପ୍ରତିନିଧୁ ଥିଲେ ସେ । ଏଭଳି ଜଣେ ବୁଦ୍ଧି, ବୋକା, ଅଚତୁର, ମୂର୍ଖଟାକୁ ଠାକୁରେ କାହିଁକି ଯେ ନିଜର ଏଜେଣ୍ଟ କରି ରଖୁଥିଲେ, ଲୋକେ ବହୁ ଚେଷ୍ଟା, ଚିନ୍ତା କରି ମଧ୍ୟ ବୁଝି ପାରୁ ନ ଥିଲେ । ଭକ୍ତ ଆସି ଏହି ଏଜେଣ୍ଟଙ୍କ ପାଖରେ ଟଙ୍କା ପଇସା ଅଜାଡ଼ି ଦେଇ ଯାଆନ୍ତି । ବହୁ ରେଜା ପଇସା । ଚିଲରା । ଠାକୁରଙ୍କ ନିର୍ଭରଯୋଗ୍ୟ ବିଶ୍ୱସ୍ତ ଏଜେଣ୍ଟ ପଇସାଗୁଡାକୁ ଧୂପକାଠି ନଳି ଭିତରେ ଗଳେଇ ରଖି ଦିଅନ୍ତି । ବେଶୀ ହୋଇଗଲେ, ନଳିରେ ଧରୁନି, ଏଇ ନିଅ ରଖ ବୋଲି ଠାକୁରଙ୍କ ଗୋଡ଼ତଳେ ଅଜାଡ଼ି ଦେଇ ଆସନ୍ତି । ଠାକୁରେ ବୈକୁଣ୍ଠଙ୍କ ପ୍ରତ୍ୟକ କାରବାରକୁ ଦେଖି ହସନ୍ତି । ଉପସ୍ଥିତ ଅନ୍ୟମାନଙ୍କୁ ହସାନ୍ତି ।

 

ସେତେବେଳେ କରମଳା ଗାଁର ଡାକଘର ଥିଲା କଣାସ I ଆଶ୍ରମ ଠିକଣାରେ ଦୂରଦୂରାନ୍ତ ଭକ୍ତମାନଙ୍କ ପାଖରୁ ମନିଅର୍ଡର ଆସେ I ବୈକୁଣ୍ଠବାବା ଯାଆନ୍ତି ଡ଼ାକଘରକୁ । ଦିନେ ଡ଼ାକଘର ବରଣ୍ଡାରେ ବସି ଟଙ୍କା ଗଣୁଛନ୍ତି, ଜଣେ ଠାଉକିଆ ଚୋର ଆସିଲା । କହିଲା, ଦିଅ ଦିଅ ଗଣି ଦେବି । ଟଙ୍କାତକ ଚୋର ହାତକୁ ବଢେଇ ଦେଇ ବୈକୁଣ୍ଡବାବା ନିଶ୍ଚିନ୍ତ । ଗଣା ସରିଲେ ସିନା ସେ ଟଙ୍କା ଫେରେଇବ । ଚୋର ଚମ୍ପଟ । ଯାହାହେଉ ଆଉ ଜଣେ ଦେଖିଥିଲା ବୋଲି ରକ୍ଷା ହେଲା । ଚୋର ଧରା ପଡ଼ିଲା । ଟଙ୍କା ଫେରାଇଲା ଠାକୁରେ ଚିରବିଶ୍ରାମ ନେବାପରେ ବୈକୁଣ୍ଠଙ୍କ ଖାମଖୁଲି ଗୁଣର ଦୌଡ଼ ବଢି ବଢି ଚାଲିଲା । ତୁଣ୍ଡରେ କେବଳ ଗୋଟିଏ ଉଚ୍ଚାରଣ,’’ନାରାୟଣ ସ୍ୱାମୀ କି ଜୟ’’ । କିଏ କହେ ଜୟଗୁରୁ, କିଏ କହେ ସାଇରାମ, କିଏ କହେ ‘ହରି ଓଁ’ । ଶାନ୍ତିଆନନ୍ଦଧାମର ଶାନ୍ତିକାମୀ ଭକ୍ତମାନଙ୍କ ତୁଣ୍ଡରେ ସର୍ବଦା ‘ନାରାୟଣ ସ୍ୱାମୀ’ ନାମ ଉଚ୍ଚାରିତ ହୋଇଥାଏ । ଭକ୍ତମାନେ ପରସ୍ପରକୁ ଭେଟିଲେ ସମ୍ବୋଧନ କରନ୍ତି ଏହି ନାମରେ । ଏହି ନାମରେ ହିଁ ସେମାନଙ୍କ ‘ଗୋଷ୍ଠୀ’ର ଗଣ୍ଠି ଫିଟେ । ପଠନ, ସଂଗଠନ, ମନନ, ଚିନ୍ତନ, ମନ୍ଥନ, ଗ୍ରନ୍ଥନ ସବୁ ଭିତରେ ନାରାୟଣ ସ୍ଵାମୀ ବିଦ୍ୟମାନ । ବୈକୁଣ୍ଠବାବା ପ୍ରାୟ ଉଚ୍ଚାରଣ କରିଥାନ୍ତି–‘ହରେକୃଷ୍ଣ ହରେରାମ ସତ୍ୟନାରାୟଣ ଅଭିରାମ ।’’

 

ପ୍ରାୟ ଦଶବର୍ଷ ତଳେ ହଠାତ୍ ଚିରଦିନ ପାଇଁ ସେ ଆଖୁଜି ଦେଲେ । ବୟସ ଶତାତ୍ତ୍ଵିକ ବର୍ଷ । ତଥାପି ଶରୀର ସତେଜ ଥିଲା । ଦର୍ଶନ, ଶ୍ରବଣ, ସ୍ମରଣ–ସବୁ ଶକ୍ତି ସକ୍ରିୟ ଥିଲା । କୌଣସି ବ୍ୟାଧ ସ୍ପର୍ଶ କରି ପାରି ନଥ୍‌ଲା । ମନେ ହେଲା, ଯିବାକୁ ଚାହିଁଲେ, ଚାଲିଗଲେ । ତାଙ୍କଠି ଠାକୁରଙ୍କ ଯେତେ କାମ ଥିଲା, ସରିଲା । ଠାକୁରଙ୍କ ଭାଷାରେ

 

‘ନାରାୟଣ ସ୍ମରି କୋଇଲି ଆନନ୍ଦେ ଉଡ଼ିଗଲା ।’’

Image

 

କିନ୍ତୁ ଲୁଣ ପଡ଼ିନି

 

ଷଡ଼ରିପୁ । କାମ, କ୍ରୋଧ, ମୋହ, ମଦ, ଲୋଭ ଓ ମାସ୍‌ । ଥରେ ଡକ୍ଟର ହରେକୃଷ୍ଣ ମହତାବ ଏକ ସାଂସ୍କୃତିକ ସଭାରେ ଭାଷଣ ପ୍ରସଙ୍ଗରେ ଚିମୁଟିବା ଭଳି ଗୋଟିଏ କଥା କହିଲେ । ସମସ୍ତେ ହସିଲେ । ଏବେ ଠାକୁର ଅଭିରାମ ପରମହଂସଙ୍କ ପ୍ରସଙ୍ଗରେ ଲେଖୁବା ବେଳେ, ତାଙ୍କ କଥାଟି ମନେ ପଡ଼ିଲା । ସେ କହିଥିଲେ, ସୃଷ୍ଟିକର୍ତ୍ତା ଭାରତ ନାମକ ଭୂଖଣ୍ଡ ପ୍ରତିଷ୍ଠା କଲାବେଳେ ପ୍ରକୃତିର ନାନା ସମ୍ଭାର ଦେଲେ । ଖାଇବାକୁ ଖାଦ୍ୟ ଦେଲେ । ରହିବା ପାଇଁ ଘର ଦେଲେ । ଶୋଇବା ପାଇଁ ମଧ୍ୟ ବ୍ୟବସ୍ଥା କଲେ । ପିନ୍ଧିବା ପାଇଁ ଲୁଗାପଟା ଦେଲେ । ତା’ପରେ ମଣିଷ ମନ ଭିତରେ ଗୁଡ଼ିଏ ଗୁଣ, ଅବିଗୁଣ ମଧ୍ୟ ପୂରାଇଲେ । ଭାରତବର୍ଷକୁ ଷଡ଼ରିପୁ ଅନୁସାରେ ଛ’ ଭାଗ କରାଗଲା । କିଏ କଣ ନେବ, ଏଥିଲାଗି ଭିଡା ଓଟରା ଚାଲିଲା । ସମସ୍ତେ ଭାବିଲେ, ‘ରିପୁ’ ଗୁଡ଼ିକ ‘ପୁରି’ଭଳି ସ୍ୱାଦିଷ୍ଟ । ସୁଖାଦ୍ୟ ! କଳିଙ୍ଗ ଖଣ୍ଡର ଲୋକେ ଭିଡ଼ା ଓଟରାରେ ଅନ୍ୟମାନଙ୍କୁ ପାରିଲେ ନାହିଁ । ଯାହାହେଉ ଗଳିପଶି ସେମାନେ ‘ମାସ୍‌’ କୁ ଆଦରି ନେଲେ । ମାସ୍କ ଅର୍ଥାତ୍ ପରଶ୍ରୀକାତରତା । ଏହି ପୁରି ଖାଇ ସେମାନେ ଏତେ ବଳିଷ୍ଠ ହୋଇ ପଡ଼ିଲେ ଯେ ଯିଏ ଉପରକୁ ଉଠିଲା, ତାକୁ ତଳକୁ ଖସାଇବା ପାଇଁ ଗୋଡ଼କୁ ଭିଡ଼ିଲେ । ଏହି ‘ମାସ୍‌’ ର ବିଷ ସବୁ କ୍ଷେତ୍ରକୁ ସଂଚରିବାରେ ଲାଗିତି–ସେହି କାଳରୁ । ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ଏହାର ସଂଚାର । ଭକ୍ତ ତଥା ଶିଷ୍ୟଙ୍କ ମଧ୍ୟରେ ଏହି ‘ମାସ୍‌’ ର ମାତ୍ରା ଅଧ୍ଵଜ । ଗୁରୁଙ୍କ ସହିତ ନିଜର ସାନ୍ନିଧ, ଘନିଷ୍ଠତାର ଦ୍ୱାହି ଦେଇ ପରସ୍ପରର ‘ଅନୁଭୂତି' କୁ ଖଣ୍ଡନ କରିବାରେ ଏମାନଙ୍କର ଅପାର ଆନନ୍ଦ ! ଗୁରୁବଚନକୁ ନେଇ ଅର୍ବାଚୀନତା । କିଏ କହୁଚି, ମୁଁ ଯାହା କହୁଚି, ଯାହା ଲେଖୁଚି, ତାହାହିଁ ସତ । ଆଉସବୁ ଅସତ୍ ! ମିଥ୍ୟା ।

 

ଡ୍ରାଇଭର ପାଖରେ ବସିଛନ୍ତି ଗାଡ଼ିର ମାଲିକ । ଡ୍ରାଇଭରକୁ ସବୁ ରାସ୍ତାଘାଟ ମାଲୁମ । ମାଲିକ ଆଗରୁ କହିଛନ୍ତି, ତାଙ୍କୁ ନେଇ ରେଳଷ୍ଟେସନରେ ପହଞ୍ଚାଇବା ପାଇଁ । ଡ୍ରାଇଭର ହାତରେ ଷ୍ଟିୟରିଂ । ସେ ଶସ୍ତା ସୁବିଧା ବାଟରେ ଗାଡ଼ି ନେଉଚି । ମାଲିକ ଯଦି ମଝି ମଝିରେ କହନ୍ତି, ଏ ବାଟ ନୁହେଁ, ସେ ବାଟରେ ଚାଲ, ଡ୍ରାଇଭର ହଡ଼ବଡ଼େଇ ଯିବା ସ୍ଵାଭାବିକ । ତା’ ପରେ ଯଦି ଦୁର୍ଘଟଣା ଘଟେ ଦାୟୀ କିଏ ? ଜୀବନ ଗୋଟିଏ ଗାଡ଼ି । ନିଜ ଜୀବନର ମାଲିକ ସେ ନିଜେ ବୋଲି ମଣିଷ ଭାବିଥାଏ । କିନ୍ତୁ ସବୁ ଜୀବନର ଡ୍ରାଇଭର ଜଣେ–ଭଗବାନ । ଜୀବନ ଗାଡ଼ିର ଚାଳକ ସେ । ଭଗବାନଙ୍କୁ ମଣିଷ କହିଥାଏ–ମତେ ଏ ବାଟରେ ନ ନେଇ, ସେ ବାଟରେ ନିଅ । ଫଳରେ ଗାଡ଼ି ନାନା ପ୍ରକାରର ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ । ଦୁଃଖ ଦୁର୍ବିପାକ ଗୋଟିଏ ଗୋଟିଏ ଦୁର୍ଘଟଣା । ଯେଉଁମାନେ ନିଜ ଗୁରୁଙ୍କୁ ଭଗବାନ ବୋଲି ମାନି ଥାଆନ୍ତି–ସେମାନେ ଛଅଟି ରିପୁରୁ ଗୋଟିଏ ଗୋଟିଏ ନିଜ ମନ ଓ ହୃଦୟପେଡ଼ିରେ ପୋଷି ରଖୁଥ‌ିବା ମନେ ହୁଏ । ପେଡ଼ି ଖୋଲିଲା ମାତ୍ରେ ଏଗୁଡ଼ିକ ବିଷଧର ସର୍ପଭଳି ସେମାନଙ୍କୁ ଦଂଶନ କରିବାରେ ଲାଗିଥାନ୍ତି । କାହା କାହା ମେଡ଼ିରେ ଛଅଟି ଯାକ ଏକାଠି ରହିଥିବା ଲକ୍ଷ୍ୟ କରାଯାଏ ।

 

ରବି ବାବା । ଶ୍ରୀ ରବିନାରାୟଣ ଦାସ ବାବାଜୀ । ବହୁବର୍ଷ ଧରି ଠାକୁରଙ୍କ ପାଖେ ପାଖେ ରହିଥିଲେ । ତାଙ୍କରି ରଚନା ‘ଲୀଳାଚରିତ’ । ତିନୋଟି ଭାଗ । ତୃତୀୟ ଭାଗର ଲେଖା ‘ଚୁନା ଫୁଲ’ । ଏହି ‘ଚୁନା ଫୁଲ’ ର ମହକରେ ଯେକୌଣସି ପାଠକ ମୋହିତ ହୋଇ ପଡ଼ିବା ସ୍ୱଭାବିକ । ଏହି ଫୁଲଗୁଡ଼ିକ ଠାଏ ଠାଏ ଲୀଳାଭିତରେ କିଳା ଭଳି ଗୁନ୍ଥା ହୋଇଚି । ଏହି କିଳା ବା ସୂତ୍ର ହେଉଚି ବିଶ୍ଵାସ । ଶାସ୍ତ୍ର କହେ–‘ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର’ ଦୁଇହାତ ଛାଡ଼ିଦେଲେ, ଆଉ କୈଣସି ଭୟ ନାହିଁ । ଠାକୁରଙ୍କ ଭାଷାରେ ‘ସରଳ ବିଶ୍ୱାସ ହେଲେ ଯାଉ ତାଙ୍କୁ’ ଜାଣିହୁଏ । ଏଥିଲାଗି ମନକୁ ନିଃଶେଷ କରିବାକୁ ପଡ଼ିବ । ମୂଷଳ ସବୁ ଘଷି ଘଷି ସମାନ୍ୟ ଟିକିଏ ରହିଗଲା । ସେଇଥିରେ ହିଁ କୁଳନାଶ । ଯଦୁବଂଶ ଧ୍ୱଂସ ।

 

ଏହି ‘ବିଶ୍ଵାସ’କୁ ନେଇ ସର୍ବଦା ଚାଲିଚି ନିଃଶ୍ୱାସ, ପ୍ରଶ୍ଵାସ । ବିନା ‘ବିଶ୍ଵାସ’ରେ କେହି, ତିଷ୍ଠି ନପାରେ । ଏଥିଲାଗି ନାନା ଉଦାହରଣ । ନାନା କିମ୍ବଦନ୍ତୀ, ଆଖ୍ୟାୟିକା । ଚର୍ଚ୍ଚରେ ସେଦିନ ରାତିରେ ଉପାସନା କାର୍ଯ୍ୟକ୍ରମ । ଗୋଟିଏ ବାଳକ ଚାଲିଚି । ହାତରେ ତା’ର ଛତାଟିଏ । ଆକାଶ ନିର୍ମଳ । ମେଘର କୈଣସି ସୂଚନା ନାହିଁ । ଅନ୍ୟମାନେ ପିଲାଟିକୁ ବିଦୂପ କଲେ । କହିଲେ, ବୋକାଟେ ନା କଣ ? ଛତାଟେ ଧରି ଆସିବୁ ! ପିଲାଟି କହିଲା, ଆଜି ପରା ବର୍ଷା ପାଇଁ ପ୍ରାର୍ଥନା ହେବ । ବର୍ଷା ହେଲେ, ଘରକୁ ତିନି ତିନ୍ତି ଯିବି କାହିଁକି ? ସେଥ‌ିପାଇଁ ଏ ଛତା ।

 

ସମସ୍ତେ ହସିଲେ । ବିଦ୍ରୁପ କଲେ । ପରିହାସ କଲେ ! ପ୍ରାର୍ଥନା ନ ସରୁଣୁ ମାଡି ଆସିଲା ବର୍ଷା । ପ୍ରବଳ । ବିଦୁପକାରୀମାନେ ଚର୍ଚ୍ଚା ଭିତରେ, ବାରଣ୍ଡାରେ । ବର୍ଷା ଛାଡ଼ିଲେ ଘରକୁ ଯିବେ । ହୁଏତ ରାତିସାରା ବର୍ଷା ହୋଇପାରେ ! ପିଲାଟି ସମସ୍ତଙ୍କୁ କହିଲା, ତୁମେମାନେ ଥାଅ । ମୁଁ ଛତା ଫିଟାଇ ଚାଲିଲି !’’ ଛତାଟି ହିଁ ସରଳ ବିଶ୍ୱାସ ।

 

ଠାକୁର ଅଭିରାମ ପରମହଂସ ଭକ୍ତମାନଙ୍କୁ ଥରେ କହିଲେ, କରମଳାଠୁ ଅଳ୍ପ ଦୂରରେ ସେତେବେଳେ ରହୁଥିଲେ ଜଣେ ମହାତ୍ମା ମନେଇ ଦାସ । ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ‘ଭାଗବତ’ ରଚନା କଲେ । ଦିନେ ଭୋର ସକାଳୁ ସେ ପହଞ୍ଚିଲେ ମନେଇ ଦାସଙ୍କ ପାଖରେ । ପୋଥିଟିକୁ ତାଙ୍କ ଆଗରେ ଥୋଇଲେ । କହିଲେ, ଭାଗବତକୁ ମୁଁ ରଚନା କରିଚି କଥିତ ପ୍ରାକୃତ ଭାଷାରେ । ଆପଣ ଟିକିଏ ଆଖୁ ପକାଇ ଦେଲେ, କୃତାର୍ଥ ହେବି ।

 

ମନେଇ ଦାସ ପୋଥିକୁ ଦେଖ‌ିଲେ । କହିଲେ, ସଙ୍ଗେ ସଙ୍ଗେ ତ ଦେଖି ହେବନି । କେତେ ଦିନ ଛାଡ଼ି ଆସ । ଦେଖି ଦେଇଥିବି । କେତେଦିନ ପରେ ଅତିବଡ଼ୀ ଆସିଲେ । ପଚାରିଲେ, କଣ ଦେଖିଲ ? ମନେଇ ଦାସ କହିଲେ, ହଁ ଦେଖିଲି । ସବୁ ଭଲ ହୋଇଚି । କିନ୍ତୁ ଲୁଣ ପଡ଼ିନି । ଜଗନ୍ନାଥ ଦାସ କହିଲେ–ଆପଣ ପକେଇ ଦେଲେନି । ମନେଇ କହିଲେ, ଦେଇଚି । ଜଗନ୍ନାଥ ଦାସ ପୋଥି ଖେଦାଟି ଖୋଲି ଦେଖ‌ିଲେ । ସତକୁ ସତ ‘ଲୁଣ’ ପଡ଼ିଚି । ମନେଇ ଦାସ ସଂଶୋଧନ କରି ଜଗନ୍ନାଥ ଦାସେ ଲେଖିଲା ଭଳି ଲେଖୁଛନ୍ତି—

 

‘କହଇ ଜଗନ୍ନାଥ ଦାସ

ମୂଳଟି ଅଟଇ ‘ବିଶ୍ୱାସ’

।।

ବିଶ୍ୱାସ ବିନା କର୍ମ ଯେତେ

ଫଳ ନ ଫଳେ କଦାଚିତେ’

।।

Image

 

ସାରୀ କହିଲା ଯା’, ଯା’

 

ଶାନ୍ତି ଆନନ୍ଦାଶ୍ରମ । ଶାନ୍ତିଧାମ । ଠିକଣା କରମଳା ।’’ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ଵ ଦୁଃଖଭାଗ ଭବେତ–ଓଁ ଶାନ୍ତଃ, ଶାନ୍ତଃ, ଶାନ୍ତଃ ।’’ ଯନ୍ତ୍ର, ମନ୍ତ୍ର, ତନ୍ତ୍ର ଯାହାକୁ ଧର, କେବଳ ଶାନ୍ତି ପାଇବା ପାଇଁ । ତେଣୁ ସନ୍ଥ, ସାଧୁମାନେ ନିଜ ନିଜ ଆଶ୍ରମର ନାମକରଣରେ ‘ଶାନ୍ତି’ର ଆଶ୍ରୟ ନେଇଥାଆନ୍ତି । ଭଗବାନ ସତ୍ୟସାଇ ବାବାଙ୍କ ଆଶ୍ରମର ନାମ ‘ପ୍ରଶାନ୍ତ ନିଳୟମ୍କଢ଼ । ସେଠାର ବାତାବରଣ ସର୍ବଦା ଶାନ୍ତ । ଅଭିରାମ ପରମହଂସଙ୍କ ଶାନ୍ତିଧାମ ତାଙ୍କ ପ୍ରକଟିତ ଅବସ୍ଥାରେ ଥିଲା ଶାନ୍ତ । ‘ମଧୁବାତା ରତାୟତେ’ । ପାଣିପବନ, ଗଛଲତା, ପଶୁପକ୍ଷୀ, ସର୍ବତ୍ର ଶାନ୍ତି, ଶାନ୍ତି, ଶାନ୍ତି । ସବୁ ମଧୁମୟ I

 

ସାରୀଟିଏ । ପଞ୍ଜୁରୀ ଭିତରେ ଆବଦ୍ଧ । କିନ୍ତୁ ଇଏ ଶାନ୍ତିଧାମର, ଶାନ୍ତି ଆନନ୍ଦାଶ୍ରମର ସାରୀ । ପୂର୍ବଜନ୍ମରେ ହୁଏତ ଇଏ ଥିଲା ଜଣେ ମହାତ୍ମା । ଏ ଜନ୍ମରେ ସେ ସାରୀ । ପକ୍ଷୀ । ଠିକ୍ ଜାଗାରେ ସେ ଆଶ୍ରିତ । ହୁଏତ ସାମାନ୍ୟ ସ୍ଖଳନରୁ ସେ ଏ ଜନ୍ମରେ ପକ୍ଷୀ । କିନ୍ତୁ ସୁସ୍ଵରର ସାରୀ । ‘ଚକ୍ରଧର ! ପକ୍ଷୀଜନ୍ମରୁ ପାରିକର’ ବୋଲି ପ୍ରଭୁଙ୍କ ଠାରେ ତା’ର ପ୍ରାର୍ଥନା । କିନ୍ତୁ ଶାନ୍ତିଧାମର ସାରୀ ନାମ କରେ l କହେ–‘ନାରାୟଣ ! ନାରାୟଣ ! ନାରାୟଣର ସ୍ୱାମୀଙ୍କର ଜୟ’’ ।

 

ନୂଆ ହୋଇ ଯିଏ ଆଶ୍ରମ ଭିତରେ ପାଦ ଦିଏ–ପ୍ରଥମେ ତା’ କାନରେ ପଡ଼େ–ଏହି ସାରୀର ସ୍ଵର–‘କହ, ନାରାୟଣ ସ୍ୱାମୀଙ୍କର ଜୟ ।

 

ଚମକି ପଡ଼ନ୍ତି ନବାଗତ ଭକ୍ତ । ଏ ସ୍ୱର କାହାର ? ଠାକୁରଙ୍କର ? ନା କୌଣସି ସନ୍ନ୍ୟାସୀଙ୍କର ? ଭକ୍ତଙ୍କ ତୁଣ୍ଡରୁ ଆପେ ଆପେ ବାହାରି ଆସେ ‘ନାରାୟଣ ସ୍ଵାମୀଙ୍କର ଜୟ’ ।

 

କରମଳା । ଭୋଇପଡ଼ା । ବ୍ରହ୍ମଗିରି ଥାନା ଅନ୍ତର୍ଗତ । ଦିନେ ଥାନା ଅଫିସର ଆସିଥିଲେ ଆଶ୍ରମକ । ଠାକୁରଙ୍କ ସହିତ କିଛି ସମୟ ଆଳାପ କଲେ । ଭଗବତ ଚର୍ଚ୍ଚା । ତାଙ୍କ କାନରେ ପଡ଼ିଲା ସାରୀର ଦରୋଟି ସ୍ୱର । ସାରୀ କଣ୍ଠରୁ ନିଃସୃତ ହେଉଛି ନାମ ନାରାୟଣ, ନାରାୟଣ । ନାରାୟଣ ସ୍ୱାମୀ କି ଜୟ । କୌତୁହଳୀ ହୋଇ, ସେ ସାରୀକୁ ଦେଖିଚନ୍ତି । ତା’ ନାମ ଉଚ୍ଚାରଣ ଶୁଣୁଚନ୍ତି । ଧୀରେ ଧୀରେ ଲାଗି ଆସିଲେ ପଞ୍ଜୁରୀ ପାଖକୁ ।

 

ଆଶ୍ଚର୍ଯ୍ୟ ! ଇଏ କାହାର ଆଦେଶ ? ସାରୀ କଣ୍ଠରୁ ‘ନାରାୟଣ’ ନାମ ଉଚ୍ଚାରଣ ବନ୍ଦ ।’ ତା’ ବଦଳରେ ସାରୀ ଧମକେଇଲା ଭଳି କହିଲା, ‘ଯା ଯା, ଚଞ୍ଚଳ ଯା ।’

 

ବିଚଳିତ ହୋଇ ପଡ଼ିଲେ ଥାନା ଅଫିସର । କଥାରେ ଅଛି ମାଛ ଖାଇବ ଇଲିଶି, ଚାକିରୀ କରିବ ପୋଲିସି । ହାକିମ ସେ । କିରାଣୀ ନୁହଁନ୍ତି କି ପିଅନ ନୁହଁନ୍ତି । ପୋଲିସ ଅଫିସର ! ତାଙ୍କୁ କେହି କେବେ ଏପରି କଠୋର ଭାଷା କହିନି କି କହି ନପାରେ । ସାମାନ୍ୟ ଏକ ପକ୍ଷୀ ! ସେ କହୁଚି ଯା, ଯା ଚଞ୍ଚଳ ଯାଆ । ଆଶ୍ରମରୁ ତଡ଼ିବା ଭଳି ଏ ଭାଷା । ଏଇ ଟିକକ ପୂର୍ବେ, ସାରୀ ଗାଉଥିଲା–ନାରାୟଣ ନାରାୟଣ । ଏବେ ଯା, ଯା !

 

ଶାନ୍ତି ଆନନ୍ଦଧାମରୁ ଶାନ୍ତି ଓ ଆନନ୍ଦ ପାଇଁ ଆସିଥିଲେ ସେ । ଯା, ଯା, ଭାଷା ଶୁଣି ନାରାୟଣଙ୍କଠୁ ସେ ଯେଉଁ ଟୋପେ ଦି’ଟୋପା ଶାନ୍ତି ଆହରଣ କରିଥିଲେ, ସଦ୍‌ ଶିମିତି ‘ଅଶାନ୍ତି’ ରେ ପରିଣତ ହେଲା । ସେ ସିଧା ଗଲେ ଠାକୁରଙ୍କ ପାଖକୁ । ପଚାରିଲେ ସାରୀ ଯାହା କହିଲା, ତା’ର ଅର୍ଥ କଣ ? ତାତ୍ପର୍ଯ୍ୟ କ'ଣ ?

 

ଠାକୁରେ କହିଲେ, ସିଏ ତ ଏପରି କେବେ କହେ ନାହିଁ । ଯଦି ଯା, ଯା କହିଲାଣି, ଶୀଘ୍ର ଥାନାକୁ ଫେରି ଯାଅ । ବୋଧହୁଏ ଥାନାରେ କିଛି ଜରୁରୀ କାର୍ଯ୍ୟ ଅଛି I ଡ଼ାକରା ଆସିଥାଆନ୍ତା, ତା’ ପୂର୍ବରୁ ସାରୀ ଡ଼ାକରା ଦେଲାଣି ।

 

ଥାନା ଅଫିସର ସଙ୍ଗେ ସଙ୍ଗେ ଫେରିଗଲେ ଥାନାକୁ । ଦେଖେ, ତାଙ୍କ ବଦଳି କାଗଜ ପହଞ୍ଚି । ବଦଳି ପାଇଁ ସେ ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ । ହୁଏତ ସେହି ଉଦ୍ଦେଶ୍ୟରେ ସେ ଯାଇଥିଲେ ଶାନ୍ତଧାମକୁ । କିନ୍ତୁ ଥାନାରେ ‘ଶାନ୍ତି’ ତାଙ୍କୁ ଅପେକ୍ଷା କରିଛି । ଠାକୁରେ ସାରୀ ମୁହଁରେ ସାରକଥା ଜଣାଇବେଲେ ।

 

ଏହି ସାରୀଙ୍କୁ ନେଇ ଆଉ ଏକ ଘଟଣା ବର୍ଣ୍ଣନା କରିଛନ୍ତି ରବିବାବା ତାଙ୍କ ପ୍ରଥମ ‘ଚୂନାଫୁଲ’ରେ । ଜଣେ ବୁଢ଼ାଲୋକ ଆସିଥିଲେ ପାଖକୁ । ଦୂର ଗାଁର । ଠାକୁରଙ୍କ ପାଖରେ ବସିଚନ୍ତି । ସେ ଏକ ମକଦ୍ଦମା ବିଷୟ କହି ଚାଲିଚନ୍ତି । ଠାକୁରେ ଶୁଣିଲେ । ଆସନରୁ ଉଠିଲେ । କହିଲେ, ଯା’ ସେଇଠି ସେ ସାରୀକି କହ ।

 

ବୁଢ଼ୀଜଣକ ସରଳ ବିଶ୍ୱାସୀ । ଠାକୁରଙ୍କ କଥା ମାନି ସେ ଗଲା ସାରୀ ପାଖକୁ । ପଞ୍ଜୁରୀ ପାଖରେ ଠିଆ ହେଲା । ହାତଯୋଡ଼ି ଠାକୁରଙ୍କୁ ଯାହାସବୁ କହିଲା, ଗୋଟି ଗୋଟି ସବୁ କଥା ସାରୀକି କହିବାରେ ଲାଗିଲା । ତା’ ପାଖ ଦେଇ ଯିଏ ଯାଉଚି, ଭାବୁଛି, ଲୋକଟା ପାଗଳା ନା କଣ ? ସାରୀକି ଶୁଣାଉଚି ମାଲିମକଦ୍ଦମା ବିବରଣୀ !

 

ସାରୀ ନାରାୟଣ ଉଚ୍ଚାରଣ ଛାଡ଼ି କହିଲା, ଯା ଯା । ବୁଢ଼ା ଫେରି ଆସିଲା ଠାକୁରଙ୍କ ପାଖକୁ । ଠାକୁରେ ପଚାରିଲେ, କଣ, ସାରା କି ଜଣାଇଲୁ ତ ! ‘ହଁ’ କହିଲା ବୁଢ଼ା । ଠାକୁରେ ହସିଲେ । ପଚାରିଲେ, ସାରୀ କହିଲା କଣ ? ବୁଢ଼ା କହିଲା, ସାରୀ କହିଲା ଯା, ଯା । ଠାକୁର କହିଲେ, ତେବେ ମୋ ପାଖକୁ ପୁଣି ଆସିଲୁ କାହିଁକି ? ଯା, ସେ ତ କହିଚି, ହେବ ।

ବୁଢ଼ା ଫେରିଗଲା ନିଜ ଗାଁକୁ । କେତେଦିନ ପରେ ମକଦ୍ଦମାରେ ସେ ଜିଣିଲା । ମନ ଖୁସ୍ । ଭୋଗ ଧରି ଆସିଲା ଆଶ୍ରମକୁ । ଭୋଗ, ଠାକୁରଙ୍କ ପାଇଁ ନୁହେଁ, କି ଆଶ୍ରମର ଠାକୁର ଠାକୁରାଣୀଙ୍କ ପାଇଁ ନୁହେଁ ।’’ସାରୀ ମହାପ୍ରଭୁଙ୍କ ପାଇଁ’’ । ସାରୀକି ମୁଣ୍ଡିଆ ମାରିଲା । ଫେରିଗଲା ନିଜ ଘରକୁ । ଏହି ସେହି ସାରୀ ।

 

ସେ ଦିନ ଚନ୍ଦନ ଯାତ୍ରା ଉତ୍ସବ । ନାନା ବାଇଦ ବାଜଣାରେ ଖଣ୍ଡମଣ୍ଡଳ ମୁଖରିତ । ସମସ୍ତଙ୍କ ଦୃଷ୍ଟି ଠାକୁରଙ୍କ ଉପରେ । କିନ୍ତୁ ଠାକୁରଙ୍କ କାନରେ ପଡ଼ୁଚି ଜଣଙ୍କର କରୁଣ ସ୍ୱର । କୁମ୍ଭୀର ଆକ୍ରମଣରେ ଗଜ ଡ଼ାକ ଦେବା ଭଳି ଏ ଆର୍ତ୍ତନାଦ–ନାରାୟଣ, ନାରାୟଣ । ସାରୀ ଡ଼ାକୁଚି । ଆସନ୍ନ ମୃତ୍ୟୁ ମୁଖରେ ସେ । ଭକ୍ତମାନେ ପଞ୍ଜୁରୀଠୁ ମାତ୍ର ତିନିଫୁଟ ଦୂରରେ ବସିଛନ୍ତି । କାହା କାନରେ ପଡ଼ୁନି ସାରୀର ବୋବାଳି । ଠାକୁରେ ଚାଳିଶ ଫୁଟ ଦୂରରେ ଆରତି ମନ୍ଦିର ସିଂହାସନରେ । ପୂଜା ଅଧା ରହିଲା । ଝପଟି ଆସିଲେ । ଦେଖିଲେ, ଏକ ଢ଼ାମଣା ସାପ । ପଞ୍ଜୁରୀ ଫାଙ୍କରେ ମୁହଁକୁ ଗଳେଇ ସାରୀକି ଗିଳିବାରେ ଲାଗିଚି ! ତଥାପି ତା’ କ୍ଷୀଣ କଣ୍ଠରୁ ଉଚ୍ଚାରିତ ହେଉଛି ‘ନାରାୟଣ’, ନାରାୟଣ । ଠାକୁରେ ଟର୍ଚ୍ଚ ମାରିଦେଖିଲେ, ସାପଟା ସାରୀର ଲାଞ୍ଜ ଆଡୁ ଗିଳି ଗିଳି ବେକ ପାଖ ପର୍ଯ୍ୟନ୍ତ ଆସିଲାଣି । ଠାକୁରେ ନାରାୟଣ ନାମ ଶୁଣାଇ ସାରିକି ଅଭୟ ଦେଲେ । ଢ଼ାମଣାର ଲାଞ୍ଚକୁ ଧରି ଟାଣି ଆଣିଲେ । ସାରୀ ମୃତପ୍ରାୟ । କିନ୍ତୁ ବଞ୍ଚଗଲା । ବହୁ ସେବା ଯତ୍ନ ପରେ ସେ ସୁସ୍ଥ ହେଲା ।

 

ଆଶ୍ରମରେ କୋଡ଼ିଏ ବର୍ଷ ରହିଲା ଏ ସାରୀଟି । ସ୍ୱାଭାବିକ ଭାବରେ ତା’ର ମୃତ୍ୟୁ ହେଲା । ସାରୀର ବିରହରେ ଠାକୁରେ ଗୀତଟିଏ ଲେଖୁଥିଲେ । ସେ ଗୀତ ଏବେ ଦି ଜନପ୍ରିୟ ।

Image

 

ଆତ୍ମାରାମ-ଅଭିରାମ

ଅଭିରାମଙ୍କ ଷଣ୍ଢ ଲଢ଼େଇ

 

କେତେଦିନ ଗୁରୁଙ୍କ ନିର୍ଦ୍ଦେଶରେ ଶିଷ୍ୟ ହୋଇଥିଲେ ଗୁରୁଙ୍କ ଗୁରୁ । କଲିକତାର ସଂକ୍ରାଏଲି, ଚଟକଳରୁ ଅଭିରାମଙ୍କ ନାନା ନାଟକର ଆରମ୍ଭ । ଏହି ନାଟକରେ କଟକ ଜିଲ୍ଲା ଇଚ୍ଛାପୁର ଗ୍ରାମର ପ୍ରଭାକର, ଚକ୍ରଧର, କଣ୍ଡୁରୀ, ଜଗନ୍ନାଥ ଓ ଭରତ ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ଏହି ଗୁରୁଶିଷ୍ୟ ନାଟକ ମଞ୍ଚସ୍ଥ କରିବା ଲାଗି ଠାକୁର ଅଭିରାମ ପରମହଂସଙ୍କୁ ଅବଧୂତ ବେଶ ଧରିବାକୁ ପଡ଼ିଥିଲା । ପ୍ରଥମେ ସେ ଅଭିନୟ କରିଥିଲେ–ଓଡ଼ିଆ-ଶ୍ରମିକମାନଙ୍କ ନୈଶବିଦ୍ୟାଳୟର ‘ମାଷ୍ଟ୍ରେ’ ଭାବରେ ।

 

ତା’ ପରେ ସେହି ସଂକ୍ରାଏଲିରେ ‘ଅବଧୂତ’ ଭାବରେ । ପୁଣି କେତେଦିନ ପରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଭାବରେ । ଏଥିଲାଗି ତାଙ୍କୁ ସଂକ୍ରାଏଲିକୁ ତିନିଥର ଯିବାକୁ ପଡ଼ିଥିଲା । ପ୍ରଥମ ଦଫାରେ ବୈକୁଣ୍ଠ, ଭରତ ପ୍ରମୁଖଙ୍କୁ ଦୀକ୍ଷା ଦେଇଥିଲେ ।

 

ଶେଷଥର ସେ ସଂକ୍ରାଏଲି ଗଲାବେଳେ ବୈକୁଣ୍ଠବାବାଙ୍କୁ କରମଳା ଆଶ୍ରମର ସମସ୍ତ ଦାୟିତ୍ୱ ସମର୍ପଣ କରିଥିଲେ । ସେ ପର୍ଯ୍ୟନ୍ତ ଶିଷ୍ୟ ବୈଳୁଣ୍ଠ ଗୁରୁଙ୍କ ଗୁରୁ ଭାବରେ ଅଭିନୟ କରିବାକୁ ବାଧ୍ୟ ହୋଇଥିଲେ ।

 

ଶେଷଥର ସଂକ୍ରାଏଲ୍‌ରୁ ଫେରିବାବେଳେ ସେଠାକାର କେତେକ ଶିଷ୍ୟ ତାଙ୍କ ସହିତ କରମଳା ଆସିବା ପାଇଁ ଆତୁର ହୋଇପଡ଼ିଲେ । କିନ୍ତୁ ଠାକୁରେ କହିଲେ, ଯିବାର ସମୟ ହୋଇନାହିଁ । ସମୟ ହେଲେ, ହୃଦୟ ଭିତରେ ଆବାହନର ବୀଣା ବଜି ଉଠିବ । ଏହି ବାଜଣାକୁ ଅପେକ୍ଷା କରି ‘କର୍ମ’ କରୁଥାଅ । କିନ୍ତୁ ଜଗନ୍ନାଥ ନାମକ ଜଣେ ଭକ୍ତ ଧରି ବସିଲେ, ମୁଁ ତୁମ ସାଙ୍ଗରେ ଯିବି ହିଁ ଯିବି । ସନ୍ୟାସୀ ହେବି । କଲିକତାରୁ ଦୁହେଁ ପହଁଞ୍ଚିଲେ ପୁରୀରେ । ପୁରୀ ଜଗନ୍ନାଥ କ୍ଷେତ୍ରରେ ଶିଷ୍ୟ ଜଗନ୍ନାଥଙ୍କର ଠାକୁର ଅଭିରାମଙ୍କଠି ବିନୀତ ନିବେଦନ–ମତେ ସନ୍ନ୍ୟାସୀ କରାଅ । ଠାକୁରେ ଭକ୍ତର ନିବେଦନକୁ ଉପେକ୍ଷା ନ କରି ତାଙ୍କୁ ‘କଣ୍ଠୀ ଓ କୌପୀନ’ ପିନ୍ଧାଇଲେ । ଦୁହେଁ ଚାଲିଲେ କରମଳା ଅଭିମୁଖେ ।

 

ଅଭିନୟ ସରିଲା । ଏଣିକି କରମଳାରେ ଅଭିରାମ ସଦ୍‌ଗୁରୁ ଆସନରେ ଅଧ୍ଵଷ୍ଠିତ ହେଲେ । ତାଙ୍କ ଦର୍ଶନ ଲାଗି ଆଖପାଖ ଗାଁ ଲୋକଙ୍କ ଧାଡ଼ି ଲମ୍ବିଲା ଆଶ୍ରମକୁ । ଓଡ଼ିଶା ବାହାରୁ ମଧ୍ୟ ଲୋକ ଆସିଲେ । ବହୁ ଶିକ୍ଷିତ ପ୍ରତିଷ୍ଠିତ, କ୍ଷମତାଶାଳୀ ବ୍ୟକ୍ତି । ସପରିବାର ଆସିଲେ ଅଶ୍ରମକୁ–ଶାନ୍ତଧାମକୁ I ଶାନ୍ତି ପାଇବା ଲାଗି ।

 

ପୌର୍ଣମାସୀ ମା’ ଅନ୍ନପୂର୍ଣ୍ଣା, ଜଗଦମ୍ବାଙ୍କ ମାନସପୁତ୍ର ଅଭିରାମ । ଆଶ୍ରମରେ ସେ ପ୍ରତିଷ୍ଠିତ ‘ବନଦୁର୍ଗା’ ରୂପରେ । ରାମକୃଷ୍ଣ ପରମହଂସଙ୍କ ଭଳି ବନଦୁର୍ଗାଙ୍କ ସହିତ ଅଭିରାମଙ୍କର ମା’ ପୁଅର ସମ୍ପର୍କ । ଅଦୃଶ୍ୟ ଭାବରେ, କେତେବେଳେ ସୂକ୍ଷ୍ମ ତ କେତେବେଳେ ସ୍ଥୂଳ ଜୀବନ୍ତ ରୂପରେ ବନଦୁର୍ଗା ମା’ ପୂର୍ଣ୍ଣମାସୀଙ୍କ ସହିତ ଅଭିରାମଙ୍କ ଆଳାପ । ଏହି ଆଳାପର ସଂଳାପ କେବଳ ମା’ ପୁଅଙ୍କ ଭିତରେ ସୀମିତ । ମା’ଙ୍କ ନିର୍ଦ୍ଦେଶରେ ପୁତ୍ର ପରିଚାଳିତ । ଅଭିରାମଙ୍କ ମାନସିକ ଶକ୍ତିଦାୟିନୀ ବନଦୁର୍ଗା ।

 

ଠାକୁରଙ୍କ ଜନ୍ମସ୍ଥାନ କରମଳାର ଭୋଇପଡ଼ା । ଭୋଇପଡ଼ାର ଅଳ୍ପଦୂରରେ ବ୍ରହ୍ମପଡ଼ା ଗାଁ । ଏ ଗାଁରେ ମା’ ଭଗବତୀଙ୍କ ମନ୍ଦିର । ପୂଜା ପାଇଁ ଗାଁ ଲୋକେ ନିଯୁକ୍ତ କରିଚନ୍ତି ଜଣେ ବ୍ରାହ୍ମଣ ଗୋସେଇଁଙ୍କୁ । ଦିନେ ଠାକୁରେ ବୈକୁଣ୍ଠଙ୍କୁ କହିଲେ, ଭଗବତୀଙ୍କ ଦର୍ଶନ ଲାଗି ଯିବି, ଫେରିବି । ମୋ ସହିତ ଆଉ କେହି ଯିବା ଦରକାର ନାହିଁ ।

 

ଠାକୁରେ ପହଞ୍ଚିଲେ ମନ୍ଦିର ପ୍ରାଙ୍ଗଣରେ । ସକାଳ । ପୂଜକ ବ୍ରାହ୍ମଣଙ୍କ ଦେଖା ନାହିଁ । ମନ୍ଦିରକୁ ଲାଗି ଏକ ପ୍ରଶସ୍ତ ପଡ଼ିଆ । ପଡ଼ିଆରେ ଗୋଟିଏ ଷଣ୍ଢ ଚରୁଛି । ଲୋକବାକ କେହି ନାହାନ୍ତି । ମାରଣା ଷଣ୍ଢ । ଏ ଷଣ୍ଢର ପ୍ରକୃତି, କୌଣସି ଅଜଣା ଅପରିଚିତ ଲୋକକୁ ଦେଖ‌ିଲେ, ଗୋଡ଼େଇବ । ଗୋଡ଼େଇ ଗୋଡ଼େଇ ଶିଙ୍ଗରେ ଭୃଷି ପକାଇବ । ଅତୀତରେ ସେ ବହୁ ଲୋକଙ୍କୁ ଖଣ୍ଡିଆ ଖାବରା କରିବାର ରେକର୍ଡ଼ ରହିଚି ।

 

ପଡ଼ିଆରେ ଷଣ୍ଢ । ଅଳ୍ପଦୂରରେ ଠାକୁରେ । ଅଭିରାମ । ଷଣ୍ଢର ଆଖୁ ପଡ଼ିଲା ଠାକୁରଙ୍କ ଉପରେ । ପ୍ରଥମେ ଜୋରରେ ରଡ଼ି ଛାଡ଼ିଲା । ଓଁକାର । ବାଘ ଭଳି ହେଁଟାଳ । ତା’ପରେ ଖୁରାରେ ମାଟି ଖୋଳା । ଧୀରେ ଧୀରେ ମୁହଁକୁ ପୋତି ପୋତି ଅସିଲା ଠାକୁରଙ୍କ ଆଡ଼ିକି । ଠାକୁରେ ଜାଣିପାରିଲେ ଏଟା ମାରଣା ଷଣ୍ଢ । ସେ ମଧ୍ୟ ତା’ ସାମନା କରିବା ଲାଗି ପ୍ରସ୍ତୁତ । ଷଣ୍ଢଟା ତା ମୁନିଆ ଶିଙ୍ଗ ଦି’ଟାକୁ ତଳ ମୁହାଁ କରି ଠାକୁରଙ୍କୁ ଭୂଷିବା ପାଇଁ ଆସିବା ମାତ୍ରେ, ଠାକୁରେ ଶିଙ୍ଗ ଦି’ଟାକୁ ଦି’ ହାତ ମୁଠାରେ ଧରି ପକାଇଲେ । ଚାଲିଲା ଷଣ୍ଢ ସହିତ ମଣିଷର ଲଢ଼େଇ । ଲଢ଼େଇ ହୁଏ ଷଣ୍ଢ ଷଣ୍ଢ ଭିତରେ । ଷଣ୍ଢ ଲଢ଼େଇ ଦେଖିବା ଲାଗି ଲୋକଙ୍କ ଆଗ୍ରହ । କିନ୍ତୁ ଏ କ୍ଷେତ୍ରରେ ଷଣ୍ଢ ସହିତ ଠାକୁରଙ୍କ ଲଢ଼େଇ । ଷଣ୍ଢ ତା’ ଶକ୍ତି ଖଟେଇ ଠାକୁରଙ୍କୁ ପଛକୁ ଠେଲିବା ଲାଗି ଉଦ୍ୟତ । ଠାକୁରେ ତାକୁ ପଛକୁ ହଟେଇ ଦେବା ପାଇଁ ଚେଷ୍ଟିତ ।

 

ଆଖପାଖ ଗାଁ ଲୋକେ ଖବର ପାଇ ପଡ଼ିଆ ଚାରିପଟେ ରୁଣ୍ଡ । ଠାକୁରଙ୍କ ଯୁବକ ବୟସ । ଲୋକେ ଦେଖିଚନ୍ତି । ଟାହି ଟାପରା ମଧ୍ୟ କରିବାରେ ଲାଗିଚନ୍ତି । ଯେଉଁମାନଙ୍କ ପକ୍ଷରେ ଠାକୁରଙ୍କ ସୁନାମ, ସୁଖ୍ୟାତି, ଅସହ୍ୟ ସେମାନେ ଖୁସି । ଷଣ୍ଢ ଠାକୁରଙ୍କୁ ଭୂଷି କ୍ଷତବିକ୍ଷତ କରି ପକାଉ ବୋଲି ସେମାନେ ମନେ ମନେ ପାଞ୍ଝାରେ ଲାଗିଚନ୍ତି । କିନ୍ତୁ ଠାକୁରଙ୍କ ଭକ୍ତମାନେ ବିକଳ । ଦୁଃଖରେ ବିହ୍ଵଳ । ବିରୋଧୀମାନେ ଷଣ୍ଢକୁ ଉତ୍ସାହିତ କରି କହୁଚନ୍ତି–ଏ ଦଣ୍ଡ ଠିକ୍ ହେଇଚି । ମରୁ ଏ ଗୁରୁ ! ଏ ଗୋଟେ ପିଲା ଯେ ମା’ ପେଟରୁ ଜନ୍ମ ହେଉ ହେଉ ଗୁରୁ ସାଜିଚି । କେତେଟା ମୂର୍ଖ ୟାକୁ ଭଗବାନ ବୋଲି ମାନୁଚନ୍ତି । ପୂଜା କରୁଚନ୍ତି । ଭଗବାନ ସହନ୍ତେ କିପରି ? ଇଏ କେବଳ ଶିବଙ୍କ ଷଣ୍ଢ ନୁହଁ, ଭଗବତୀଙ୍କ ଷଣ୍ଢ ! ବୃଷଭ ! ଭଗବତୀ ଆଜି ସାବ୍ବାଡ଼ କରିଦେବେ ।

 

ଇଆଡ଼େ ଠାକୁରେ (ଅଭିରାମ) ବଳ ପ୍ରୟୋଗ ନ କରି ପଛେଇ ପଛେଇ ଚାଲିଚନ୍ତି । ଷଣ୍ଢ ଲଢି ଲଢ଼ି ହାଲିଆ । ତା’ ଦେହର ବଳ ଖସି ଆସିଲାଣି । ଠାକୁରେ ଷଣ୍ଢକୁ କୌଶଳକ୍ରମେ ନେଇଗଲେ ଗୋଟିଏ ଖାତ ପାଖକୁ I ତା’ ପରେ ହାତମୁଠା ଟାଣ କରି ତା’ ଶିଙ୍ଗକୁ ଧରି ଠେଲି ଦେଲେ ଖାତ ଆଡ଼ିକି । ଷଣ୍ଢର ପଛ ଗୋଡ଼ ଦି’ଟା ଖାତ ଭିତରେ । ଉଠି ପାରିଲାନି ଉପରକୁ l ଓଲଟି ପଡ଼ିଲା । ଖାତ ଭିତରେ ସେ ଛଟପଟ । କରତାଳି, ହରିବୋଲ ହୁଳହୁଳି ଧ୍ଵନିରେ ଖଣ୍ଡମଣ୍ଡଳ କମ୍ପି ଉଠିଲା । ବିରୋଧୀମାନେ ଆରେ ଏ ପିଲାଟା ମା’ଙ୍କ ଷଣ୍ଢଟାକୁ ମାରିଦେଲାରେ ଘୋର ପାପ ବୋଲି ପାଟିତୁଣ୍ଡ କଲେ । ୟା ଭିତରେ ଠାକୁରେ ଖାତ ଭିତରେ ପଶି ଷଣ୍ଢକୁ ଉପରକୁ ଉଠାଇ ସାରିଲେଣି । ଷଣ୍ଢ ସମ୍ପୂର୍ଣ୍ଣ ସୁସ୍ଥ । ଉପରେ ସେ କିଛି ସମୟ ଶୋଇଲା । ତା’ପରେ ଉଠି ସେଠୁ ଗଲା ଯେ ଗଲା । ତା’ର ମାରଣା-ଗୁଣ ମଧ୍ୟ ତୁଟିଲା । ସେଦିନଠୁ କୌଣସି ଲୋକକୁ ଦେଖିଲେ, ମାରିବା ପାଇଁ ଗୋଡ଼େଇଲାନି । ଧୀର ସ୍ଥିର । ସୁଧାରିଆ । ଠାକୁରଙ୍କ ସ୍ପର୍ଶ ପାଇବାପରେ ମାରଣାବୃଦ୍ଧି ଛାଡ଼ିଦେଲା । ଶିବ ଓ ଶିବାଙ୍କ ବୃଷଭ ସେ । ଯିଏ ଯାହା ଦେଲା ଠାକୁରଙ୍କ ପ୍ରସାଦ ଭାବି ଖାଇଲା ।

 

ଠାକୁରେ ଗଲେ ଭଗବତୀଙ୍କ ଦର୍ଶନ ଲାଗି । ମା’ଙ୍କୁ ପ୍ରାର୍ଥନା କରି କହିଲେ, ମନସ୍ଥ କରିଚି.... ଆସନ୍ତା କାଲିଠୁ ଏକୋଇଶ ଦିନ ଧ୍ୟାନସ୍ଥ ରହିବି । ଯିମିତି ସଫଳ ହୁଏ... । ଭଗବତୀ ଦର୍ଶନ ଦେଇ କହିଲେ, ଅଭୀଷ୍ଟ ପୂର୍ଣ୍ଣ ହେବ । ଭୋଇପଡ଼ାକୁ ଫେରିଆସିଲେ ଅଭିରାମ । ଆଶ୍ରମରେ ଏକ ଗୁମ୍ଫା ନିର୍ମାଣ କରାଗଲା । ତା’ ଭିତରେ ପଶି ଅଭିରାମ ଧ୍ୟାନସ୍ଥ ହେଲେ । ଏକୋଇଶ ଦିନ ପରେ ବାହାରିଲେ–ଜଣେ ଜ୍ୟୋତିର୍ମୟ ମହାପୁରୁଷ ରୂପରେ । ‘ନାମ’ ପ୍ରଚାର ହିଁ ହେଲା ତାଙ୍କର ଏକମାତ୍ର କର୍ମ ! ଅସଂଖ୍ୟ ଭଜନ, ଜଣାଣ, କବିତା ମାଧ୍ୟମରେ ଚାଲିଲା ତତ୍ତ୍ୱ ବଖାଣ ।

Image

 

ଏଇଟା କଣ ‘ଆଲାସ୍କା’ ?

 

ଭ୍ରମର ଓ ମଧୁପ ଏକା ଜାତିର । ଭ୍ରମର ଆକାରରେ ବଡ଼ । ମହୁମାଛି ଛୋଟ । ଉଭୟେ ମଧୁପ । ଏ ଫୁଲ ସେ ଫୁଲରେ ବସି ମଧୁପାନ କରନ୍ତି । ଭଅଁର ଆକାରରେ ବଡ଼ ହେତୁ ତା’ର ଆବାଜ ଅଧିକ । ଭାଁ ଭାଁ ହେବାରେ ସେ ଭଅଁର । ଅଧ‌ିକ ମଦ୍ୟ ପାନ କଲେ ମୁଣ୍ଡକୁ ନିଶା ଚଢ଼ିଯାଏ । ମନରେ ଭ୍ରମ ଜାତହୁଏ । ଅକଥ୍ୟ କଥା କହେ । ନାନାକାଣ୍ଡ କରି ବସେ । ବାଟ ଅବାଟରେ ପଡ଼େ । ସେହିଭଳି ପଦ୍ମକେଶରରୁ ଦିନବେଳେ ମଧୁପାନ କରୁକରୁ ଭଅଁର ଦିନ ରାତି ଜାଣି ପାରେନା । ସୂର୍ଯ୍ୟାସ୍ତ ମାତ୍ରେ ପଦ୍ମପାଖୁଡ଼ା ବୁଜିହୋଇ ଆସେ । ଭ୍ରମର ତା’ ଭିତରେ ରାତ୍ରିଯାପନ କରେ । କିନ୍ତୁ ମହୁମାଛି ମଧୁ ଆହରଣ କରି ତା’ ବସାକୁ ଫେରିଯାଏ । ଉଭୟଙ୍କ ପ୍ରକୃତି ଏକା । କବିମାନେ ଏ ଦୁଇଟିକୁ ଭଲ ପାଆନ୍ତି । ସେମାନଙ୍କୁ ‘ବାର୍ତ୍ତାବହ’ ଭାବରେ ନିଯୁକ୍ତ କରିଥାଆନ୍ତି । ନିଜର ମନ କଥାକୁ ନିଜ ନାୟକ ନାୟିକାଙ୍କୁ ଜଣ ! ନ୍ତି । କିନ୍ତୁ ପରେ ନେତାମାନେ ଭୁଲିଗଲା ଭଳି ଦାତାଙ୍କୁ ଭୁଲି ଯାଆନ୍ତି ।

 

ଏହିଭଳି ଜଣେ ‘ମଧୁପ’ ଙ୍କ ଆବିର୍ଭାବ–୧୯୮୭ ମସିହା ନଭେମ୍ବର ମାସରେ । ଠାକୁର ଅଭିରାମ ପରମହଂସଙ୍କ ଆଶ୍ରିତ ପରିବାର ପକ୍ଷରୁ ପ୍ରକାଶିତ ସ୍ମରଣିକାରେ । ପଞ୍ଚଶଠି ପୃଷ୍ଠାରେ । ‘ଅସରନ୍ତି’ ବିଷୟର ଲେଖକ ଏହି ‘ମଧୁପ’ । ସେ ଲେଖିଛନ୍ତି’’ଭାଇ ନୀଳମଣି ଷଡ଼ଙ୍ଗୀ । ଠାକୁରଙ୍କ ସଙ୍ଗରେ ଖେଳିଚନ୍ତି–ସାନ୍ନିଧ୍ୟ ଲାଭ କରିଛନ୍ତି ଦୀର୍ଘ ପନ୍ଦର ବର୍ଷ ଧରି । ୧୯୪୮ରୁ ୧୯୬୩ ଯାଏଁ । ଅଙ୍ଗେ ନିଭେଇଚନ୍ତି କେତେ ହସ କାନ୍ଦର ଅପାସୋରା ସ୍ମୃତି । ସେ ବେଳେବେଳେ ତାଙ୍କ (ଠାକୁରଙ୍କ) ଗୁଣ ଝୁରନ୍ତି । ନିଜେ ଲୁହ ଝରାନ୍ତି । ଝୁରାନ୍ତି ଅଗଣିତ ଶ୍ରୋତାଙ୍କୁ । କହନ୍ତି ସେ–ତାଙ୍କ ଅନୁଭୂତି ।

 

‘‘ସେଥର (୧୯୫୨) । ବ୍ରହ୍ମପୁର ସହର ବ୍ରହ୍ମପୁରରେ ରହୁଥିଲେ ବଡ଼ଖେମଣ୍ଡୀ ରାଜା । ଶ୍ରୀରାମଚନ୍ଦ୍ର ଦେବ । ଠାକୁର ଅଭିରାମ ପରମହଂସଙ୍କ ଅନ୍ୟତମ ଭକ୍ତ । ନୀଳମଣି ବାବୁଙ୍କୁ କହିଲେ, ଏଥର ଠାକୁରଙ୍କ ପାଇଁ ଗୋଟିଏ ନୂଆ ଜିନିଷ ନେବା । ଦେଖିଲେ ଚକିତ ହେବେ । ଖୁସି ହେବେ । ବ୍ରହ୍ମପୁର ବଜାରରୁ ରାଜା କିଣିଲେ ଗୋଟିଏ ଗ୍ଲୋବ । ଭୂମଣ୍ଡଳ । ଯିଏ ଅଖଣ୍ଡ ମଣ୍ଡଳାକାରଂ-ଯିଏ ସଚରାଚର ବ୍ୟାପ୍ତ–ତାଙ୍କ ପାଇଁ ଭୂମଣ୍ଡଳ ! ରାଜା ଓ ନୀଳମଣି ବାବୁ ଭୁଷଣ୍ଡପୁର ବାଟେ ନୌକାରେ ଚିଲିକା ପାରି ହେଲେ । ପହଞ୍ଚିଲେ କରମଳାରେ । ସେତେବେଳେ ମଠର ଉପର ମହଲା ଘର ତିଆର ହୋଇ ନଥାଏ । ଠାକୁର ରହୁଥିଲେ ତଳ ମହଲା ବୈଠକ ଘରେ । ଠାକୁରଙ୍କୁ ଦୁହେଁ ଦର୍ଶନ କଲେ । ଚରଣ ବନ୍ଦନା କଲେ । କାଗଜ ପ୍ୟାକେଟ ଖୋଲି ରାମଚନ୍ଦ୍ର ଦେବ ଠାକୁରଙ୍କ ହାତକୁ ବଢ଼ାଇଦେଲେ, ଅଭିନବ ଉପହାର ସାମଗ୍ରୀ ଗ୍ଲୋବଟିକୁ ।

 

ଠାକୁରେ କିଛି ନଜାଣିଲା ପରି ପଚାରିଲେ,’’କିରେ ଏଇଟି କଣ ?’’ ନୀଳମଣିବାବୁ ବୁଝାଇ ଦେଇ କହିଲେ, ଇଏ ହେଉଚି ଭୂମଣ୍ଡଳ ! ଠାକୁରେ ହସି ହସି କହିଲେ, ‘ତା’ ହେଲେ ଇଏ ଆମ ପୃଥ‌ିବୀ ! ନୀଳମଣି ବାବୁ ଗ୍ଲୋବର ନୀଳ ଅଂଶତକ ଦେଖାଇ ଦେଇ କହିଲେ, ଏସବୁ ସମୁଦ୍ର । ନୀଳ ଜଳରାଶି । ଅନ୍ୟ ଗୁଡ଼ିକ ସ୍ଥଳଭାଗ ।

 

ପୂର୍ବରୁ ଜଣେ ଭଦ୍ରବ୍ୟକ୍ତି ଆସି ଠାକୁରଙ୍କ ପାଖରେ ଠିଆ ହୋଇ ଥାଆନ୍ତି । ତାଙ୍କ ଆଖୁରେ ଘନ ପରଳ । ପ୍ରାୟ ଅନ୍ଧ କହିଲେ ଚଳେ । ସେ ଆସିଚନ୍ତି, ଠାକୁରଙ୍କ କରୁଣା ହେଲେ, ସେ ଦୃଷ୍ଟିଶକ୍ତି ଫେରି ପାଇବେ । ମଝିରେ ମଝିରେ ଠାକୁରେ ତାଙ୍କ ସହିତ କଥାବାର୍ତ୍ତା କରୁଥାଆନ୍ତି । ଇଆଡ଼େ ଗ୍ଲୋବଟିକୁ ଜୋର୍‌ରେ ବୁଲାଉଥାଆନ୍ତି । ହଠାତ୍ ଠାକୁରେ ଗ୍ଲୋବର ଗୋଟିଏ ଜାଗାରେ ଟିପ ମାରି କହିଲେ, ଦେଖିଲ ନୀଳମଣି, ଏ ଜାଗାଟା କଣ ‘ଆଲାସ୍କା’ । ନୀଳମଣି ଦେଖିଲେ, କହିଲେ ହଁ ତ ‘ଆଲାସ୍କା’ ।

 

ସମସ୍ତେ ଚକିତ । ବିସ୍ମିତ । ଠାକୁରେ ଗ୍ଲୋଦ୍ ବା ଭୂମଣ୍ଡଳ କଣ ଜାଣନ୍ତି ନାହିଁ । ତାଙ୍କର ସାଧାରଣ ଶିକ୍ଷାର ଦୌଡ଼ ଦେଶୀ ଦୂର ନୁହଁ । ବହୁତ କମ୍ । ଭୂଗୋଳ ପାଠରେ ତାଙ୍କର ଖଡ଼ିଛୁଆଁ ହୋଇନି । କଲିକତା ସାଂକ୍ରୋଏଲି ଓ ଓଡ଼ିଶାର କେତୋଟି ଜାଗା ସହିତ ସେ ପରିଚିତ । ନୀଳମଣିବାବୁ ଠାକୁରଙ୍କୁ ପଚାରିଲେ, ଗ୍ଲୋବ୍‌ ତ କ'ଣ ଜାଣି ନଥିଲେ, ସେଥ‌ିରେ ଉଲ୍ଲେଖ ଥିବା ‘ଆଲାସ୍କା’କୁ ଜାଣିଲେ କିମିତି ?

 

ଠାକୁରେ ପିଲାଙ୍କୁ ବାଆଁରେଇଲା ଭଳି କହିଲେ, ‘ହଁ ସେ ଗୋଟିକୁ ଜାଣିଥୁଲି । ଜାଣିବିନି କିମିତି ? ସେଇ ଜାଗାଟା ପରା ଗରୁଡ଼ଙ୍କ ବାସସ୍ଥାନ । ସେଇଟା ପରା ରମ୍ୟକ ଦ୍ୱୀପ ! ”

 

ବିସ୍ମୟବିମୂଢ଼ ଭକ୍ତମାନଙ୍କ ସହିତ ପୁଣି ଚାଲିଲା ଅନ୍ୟ ଆଲୋଚନା । । ମହାରାଜାଙ୍କ ଉପହାର ! କମ୍ କଥା ନୁହେଁ । ତା’ର ସଦୁପଯୋଗ ଆବଶ୍ୟକ । ତେଣୁ ଇଆଡ଼େ ଆଲୋଚନାର ପେଡ଼ି ପସରା, ସିଆଡ଼େ ଠାକୁରଙ୍କ ହାତ ଚାଲିଚି ଗ୍ଲୋବକୁ ବୁଲାଇବାରେ । ଗ୍ଲୋବ ଘୂରୁଚି । କ୍ଷିପ୍ରଗତିରେ । ପୁଣି ଠାକୁରେ ଗ୍ଲୋବରେ ଗୋଟିଏ ଜାଗାରେ ଟିପ ମାରି କହିଲେ, ଦେଖିଲ ନୀଳମଣି ! ଏହା ‘ଗ୍ରୀନଲାଣ୍ଡ’ ତ ?

 

ସତକୁ ତ ଜାଗାଟା ଗ୍ରୀନଲାଣ୍ଡ । ନୀଳମଣିବାବୁ କହିଲେ, ହଁ ଏଇଟା ଗ୍ରୀନଲାଣ୍ଡ । ସମସ୍ତେ ବିସ୍ମିତ । ଇଆଡ଼େ ଭକ୍ତମାନଙ୍କ ସହିତ ଗପସପ । ସିଆଡ଼େ ଠାକୁରଙ୍କ ହାତରେ ବୁଲୁଚି ଭୂମଣ୍ଡଳ । ଟିପମାରି ନିର୍ଦ୍ଦିଷ୍ଟ ସ୍ଥାନର ନାମ ଘୋଷଣା କରୁଚନ୍ତି । ନୀଳମଣିବାବୁ କହିଲେ, ଆପଣ ଆଲାସ୍କା ଜାଗାଟିକୁ ହିଁ ଜାଣିଥିଲେ ବୋଲି କହିଲେ । ପୁଣି ‘ଗ୍ରୀନଲାଣ୍ଡ’ ଉପରେ ଟିପ ମାରିଲେଣି । ଆଲାସ୍କା ରମ୍ୟକ ଦ୍ୱୀପ, ଗରୁଡ଼ଙ୍କ ବାସସ୍ଥାନ ବୋଲି ତ କହିଲେ ।

 

ଠାକୁରେ କହିଲେ, ‘କଣ କି ? ଗ୍ରୀନଲାଣ୍ଡଟିକୁ ଆଗରୁ ଜାଣିଥିଲି । ସେଇଟା ପରା ହନୁମାନଙ୍କ ବାସସ୍ଥାନ । ହନୁମାନ ଭୂମଣ୍ଡଳ ପରିକ୍ରମା କଲେ କଣ ହେଲା, ଏଇଠି ଆସି ରହନ୍ତି । ଏହାର ଗୋଟିଏ ଅଂଶ ଘନଜଙ୍ଗଲ I’’

 

ଇଆଡ଼େ ଦୃଷ୍ଟିହୀନ ଲୋକଟିକୁ ପଚାରିଲେ, ଏବେ ତୁମକୁ କିଛି ଦେଖାଗଲାଣି ନା ନାହିଁ ? ମତେ ଦେଖି ପାରୁଚ ତ ? ଭଦ୍ରବ୍ୟକ୍ତି କହିଲେ ଅନ୍ୟ କିଛି ଦେଖି ପାରୁନାହିଁ କିନ୍ତୁ ଠାକୁରଙ୍କୁ ଦେଖି ପାରୁଚି । ଭଲ ଭାବରେ ।

 

ଭୂମଣ୍ଡଳ ବୁଲୁଚି । ସେ ବୁଲିବା ଭିତରେ ଠାକୁରଙ୍କ ଦ୍ଵାରା ଆଖୁ ପରଳ କଢ଼ା କାମ ବି ଚାଲିଚି । କହୁଚନ୍ତି, ଗୁରୁଙ୍କ ବିନା ନିର୍ଦେଶରେ ଏଭଳି ‘ଯୋଗ’ ଭୋଗ କରିବ ନାହିଁ । କଲେ ତୁମ ଆଖି ଭଳି ସବୁ ଓଲଟ ପାଲଟ ହୋଇଯିବ । ଯୋଗ ଠିକ୍ ମାର୍ଗରେ ନକଲେ ନାନା ରୋଗ ହୁଏ ।

 

ଅଧଘଣ୍ଟା ଭିତରେ ଦୃଷ୍ଟିହୀନ ବ୍ୟକ୍ତି ଦୃଷ୍ଟି ଲାଭ କଲା । ଠାକୁରେ ତାଙ୍କୁ କହିଲେ, ଶୀର୍ଷାସନ ଅଭ୍ୟାସ ସଠିକ ଭାବରେ କରିପାରିନ । କୁମ୍ଭକ ଅବସ୍ଥାରେ ରେଚକ କରି ପକାଇଲ । ଫଳରେ ଆଖୁରେ ରକ୍ତ ଜମାଟ ବାନ୍ଧିଗଲା । ଡୋଳାରେ ପରଳ ଭଳି ଏକ ପରଦା ଢାଙ୍କି ପକାଇଲା ।

 

ଠାକୁରଙ୍କ ହାତରେ ରାଜାସାହେବ ଧରେଇ ଦେଇଚନ୍ତି ଗ୍ଲୋବ ଭଳି ଏକ ଖେଳନା । ଠାକୁରଙ୍କ ହାତ ଗ୍ଲୋବକୁ ସ୍ଥିରି ଘିରି ବୁଲାଇବାରେ ଲାଗିଚି । ଭକ୍ତମାନଙ୍କ ଅଭାବ ଅଭିଯୋଗ ମଧ୍ୟ ଶୁଣୁଚନ୍ତି । ପଦେ ଦି’ କଥା କହି, ପ୍ରତିକାର ବ୍ୟବସ୍ଥା କରିଦେଉଚନ୍ତି । ଯିଏ ପାଉଚି, ସେ ଫେରି ଯାଉଚି । ନୂଆ ନୂଆ ଲୋକ ଆସୁଚନ୍ତି । ଅଭିରାମଙ୍କ ବିରାମ ନାହିଁ । ପାଟି କଥା କହୁଚି, ହାତ ଗ୍ଲୋବ ବୁଲଉଚି ।

 

ପୁଣି ହାତର ଟିପ ଲାଗିଲା–ଗ୍ଲୋବର ଆଉ ଗୋଟିଏ ଜାଗାରେ । ନୀଳମଣିଙ୍କୁ ପଚାରିଲେ, ଏଇଟା କଣ ହାୱାଇ ଦ୍ୱୀପ ! ପ୍ରଶାନ୍ତ ମହାସାଗରର ଏହି ଦ୍ୱୀପରେ ଭଗବାନଙ୍କର ମତ୍ସ୍ୟଅବତାର ହୋଇଥିଲା ପରା ! ଶଂଖାସୁର ବେଦ ଚୋରି କଲା । ଲୁଚି ଛପି ଏଇ ଦ୍ୱୀପରେ ଆସି ରହିଥିଲା । ଭଗବାନ ତା’ଠୁ ବେଦୋଦ୍ଧାର କଲେ । ଏବେ ବି ଏହି ମତ୍ସ୍ୟଅବତାରର ସ୍ମୃତି ଚିହ୍ନ ଏଇଠି ରହିଛି । ମତ୍ସ୍ୟକନ୍ୟାମାନେ ଅଛନ୍ତି । ଅଣ୍ଟାରୁ ତଳଭାଗ ପର୍ଯ୍ୟନ୍ତ ମାଛ, ଉପରଭାଗ ଠିକ୍ ମଣିଷ ଦେହ ।

 

କଥା ପ୍ରସଙ୍ଗରେ ରାମଚନ୍ଦ୍ର ଦେବ କି ଅନ୍ୟ କୌଣସି ଭକ୍ତ ପ୍ରଶ୍ନ କଲେ, ‘ବାଡ଼ବାନଳ’ କଣ ? ଉତ୍ତର–ସମୁଦ୍ରର ଅନ୍ତଃସ୍ରୋତ । ଅଣ୍ଡରକରେଣ୍ଟ ଭଳି ।

 

ସ୍କୁଲ କଲେଜରେ ପାଠପଢ଼ା ଭଳି ଠାକୁରଙ୍କ ପାଠପଢ଼ାଇବା ଚାଲିଥାଏ ପ୍ରତିଦିନ । ସେ ସଶଶୀର ଥ‌ିବାବେଳେ ଏଠି କେତେ ନା କେତେ ଅବାଧ୍ୟ ଛାତ୍ର (ଛୋଟରୁ ବଡ଼ ଯାଏଁ) ନାନା ପାଠ ପଢ଼ି ଯାଉଥିଲେ । ଠାକୁରଙ୍କ ଶିକ୍ଷକତାର ବହୁ ତମସାଚ୍ଛନ୍ନ ଅନ୍ତଲୌକ ଉଜ୍ୱଳ ଆଲୋକରେ ଆଲୋକିତ, ଉଦ୍‌ଭାସିତ ହୋଇ ଉଠୁଥିଲା ।

 

(ଏହି ଲେଖା ଲେଖାଯିବାବେଳେ ଭକ୍ତ ନୀଳମଣି ଷଡ଼ଙ୍ଗୀ ବଞ୍ଚୁଥିଲେ । କିନ୍ତୁ ପୁସ୍ତକ ପ୍ରକାଶବେଳକୁ ତାଙ୍କର ଦେହାନ୍ତ ହୋଇଯାଇଥିଲା ।)

Image

 

କାଣିଚାଏ ମାତ୍ର...

 

ଦୁଇଟି ଶବ୍ଦ ‘ଅନ୍ଧବିଶ୍ଵାସ’ ଓ ‘ଦରିଦ୍ର ନାରାୟଣ’ । ରାମକୃଷ୍ଣ ପରମହଂସ କହୁଥଲେ, ବିଶ୍ୱାସ ତ ବିଶ୍ଵାସ, ବିଶ୍ୱାସରେ ଅନ୍ଧତ୍ୱ ଅସିଲା କୁଆଡୁ ? ଯିଏ ଶୋଷରେ ଆଉଟୁ ପାଉଟୁ, ସେ ଗୋଳିଆ ପାଣି ପାଇଲେ ମଧ୍ୟ ପିଇଯାଏ । ଭଲ ପାଣି ପିଇବା ପାଇଁ ତ ସେ ସଙ୍ଗେ ସଙ୍ଗେ କୂଅଟିଏ ଖୋଳି ପାରିବ ନାହିଁ । ଗାଡ଼ିଆ ହେଉ, ପୋଖରୀ ହେଉ, ନଈ ନାଳ ହେଉ, ଯେଉଁଠି ପାଣି ପାଏ ପିଇଯାଏ I ଜଳର ଭଲ ମନ୍ଦ ବିଚାର ନଥାଏ । ସେହିଭଳି ଧର୍ମ-ବିଶ୍ୱାସ । ଭଗବତ୍‌ତୃଷ୍ଣା ମେଣ୍ଟାଇବା ଲାଗି କିଏ କେଉଁ ଧର୍ମକୁ ଅବଲମ୍ବନ କରିଥାଏ । ଧର୍ମ ଶବ୍ଦର ନାନା କଦର୍ଥ କରାଯାଉଥିବାରୁ ନାନା ବିଭ୍ରାଟ, ଗଣ୍ଡଗୋଳ ଓ ବିପର୍ଯ୍ୟୟ । ସେହିଭଳି ‘ଦରିଦ୍ର ନାରାୟଣ’ । ନାରାୟଣ ସର୍ବମୟ କର୍ତ୍ତା । ସର୍ବ ଐଶ୍ୱର୍ଯ୍ୟର ଅଧିକାରୀ । ସେ ଦରିଦ୍ର ହୋଇ ନ ପାରନ୍ତି । ଦରିଦ୍ରଠି ଯେଉଁ ନାରାୟଣ, ଧନିକଠି ସେହି ନାରାୟଣ । କେବଳ ଦରିଦ୍ରମାନଙ୍କୁ ନାରାୟଣ ସ୍ୱରୂପ ବୋଲି କଳ୍ପନା କରି ଧନୀଠୁ ତାଙ୍କୁ ବାଦ୍ ଦେବା ଠିକ୍ ନୁହଁ । ତେଣୁ ‘ବିଶ୍ଵାସ’ ‘ଅନ୍ଧ’ ନୁହଁ । ନାରାୟଣ, ‘ଦରିଦ୍ର’ ନୁହଁନ୍ତି ।

 

ଏକଥା ଠାକୁର ଅଭିରାମ ପରମହଂସ ମଧ୍ୟ ତାଙ୍କ ବିଭିନ୍ନ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି । ଉକ୍ତ ସର୍ବଦା କହିଥାଏ–ମୁଁ ତ ଅମୃତସ୍ୟ ପୁତ୍ର । ମୃତ୍ୟୁକୁ ଡରିବି କାହିଁକି ? ମୋ ପରମ ପିତା ସର୍ବଦା ମୋ ପାଖେ ପାଖେ ।

 

ମୋର ପାଶେ ପାଶେ ଛନ୍ତି ନନ୍ଦନ

କିମ୍ପା ମୁଁ ବସି କରୁଚି କ୍ରନ୍ଦ ନ ?

 

ଏ ସମ୍ପର୍କରେ ଠାକୁରଙ୍କର ଜଣେ ପରମ ଭକ୍ତ ଅଙ୍ଗେ ନିଭାଇବା ଅନୁଭୂତି ପ୍ରକାଶ କରିଛନ୍ତି । ଡକ୍ଟର ହରିହର ପଟ୍ଟନାୟକ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୂଳପତି । ସେ ଲେଖୁଛନ୍ତି, ୧୯୬୩ ର ଅନୁଭୂତି । ଠିକ୍ ସେହି ବର୍ଷ ଠାକୁରେ ଇହଧାମ ତ୍ୟାଗ କଲେ । ସେହିବର୍ଷ କାର୍ତ୍ତିକ ଶୁକ୍ଳ ଏକାଦଶୀତିଥିରେ ।

 

କଲମ୍ବୋ ପ୍ଲାନ୍ ବୃଦ୍ଧି ପାଇ ଡକ୍ଟର ପଟ୍ଟନାୟକ ଲଣ୍ଡନ ବିଶ୍ୱବିଦ୍ୟାଳୟର ଔଷ୍ଟ ଫିଲଡ଼ ମହାବିଦ୍ୟାଳୟରେ ଗବେଷଣା କରୁଥିଲେ । ଲଣ୍ଡନ ଯିବା ପୂର୍ବରୁ ସେ ସପରିବାର କରମଳା ଆଶ୍ରମକୁ ଯାଇଥିଲେ । ଠାକୁର ଆଶୀର୍ବାଦ କରି କହିଥିଲେ, ‘ଯଶସ୍ୱୀ ହୋଇ ଫେରିବ’’ ।

 

ଡକ୍ଟର ପଟ୍ଟନାୟକ ଯାଇଥିଲେ କଲମ୍ବୋପ୍ଲାନ ଅନୁସାରେ ମାତ୍ର ଛ’ ମାସ ପାଇଁ । ଇଆଡେ ଠାକୁରଙ୍କ ଆଶୀର୍ବାଦ ‘ଯଶସ୍ୱୀ ହୁଅ’’ । ପି.ଏଚ.ଡ଼ି, କରିବା ପାଇଁ ଅନ୍ତତଃ ଦୁଇବର୍ଷ ଦରକାର । ବିନା ପି.ଏଚ୍.ଡ଼ି.ରେ ମାତ୍ର ଛ’ମାସିଆ ଗବେଷଣାରେ ‘ଯଶ’ ମିଳିବ କଣ ? ମନ ଭିତରେ ଏହି ପ୍ରଶ୍ନ । ପୁଣି ସେହି ମନ ଭିତରେ ହିଁ ଉତ୍ତର–ଠାକୁରେ ଯେତେବେଳେ କହିଚନ୍ତି, ତାଙ୍କ କଥା ନିଶ୍ଚୟ ସତ୍ୟ ହେବ । ପାଖେ ପାଖେ ତାଙ୍କର ‘ସତ୍ୟ’ ନାରାୟଣ । ଡକ୍ଟର ପଟ୍ଟନାୟକଙ୍କ ‘ଭାବନା’ର କୁହୁଡ଼ିକି ହଟେଇ ଠାକୁରେ ହସି ହସି କହିଲେ, ‘କିଛି ଭାବିବା ଦରକାର ନାହିଁ, ଠାକୁରେ ସବୁବେଳେ ପାଖେ ପାଖେ ଅଛନ୍ତି ।’’

 

ଏହି କେତେପଦ ଶୁଣିବା ମାତ୍ରେ ଡକ୍ଟର ପଟ୍ଟନାୟକଙ୍କ ଆଖି ଛଳଛଳ ହୋଇ ପଡ଼ିଲା । ଭକ୍ତି ଓ ଆନନ୍ଦରେ । ଲେଖୁଛନ୍ତି–

 

“୧୯୬୨ । ଫାଲ୍‌ଗୁନ୍ ମାସ । ସେହି ଯେ ବିଦାୟ ନେଇ ଆସିଲି, ଆଉ ସ୍ଥୂଳ ଶରୀରରେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲି ନାହିଁ । ଠାକୁରଙ୍କୁ ଧ୍ୟାନ କରି ବିଲାତ ଯାତ୍ରା କଲି । ବିଲାତରେ ପହଞ୍ଚି ଜାଣିଲି, ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପି.ଏଚ.ଡ଼ି କରିବା ପାଇଁ ସମୟ ସୀମା ତିନିବର୍ଷକୁ ବଢେଇ ଦେଇଚି । ତେଣୁ ଭାବିଲି କେଉଁ ଯଶ ନେଇ ଫେରିବି ? ଠାକୁରଙ୍କ ପାଖକୁ ପତ୍ର ଦେଉଥାଏ, ରୀତମତ ଉତ୍ତର ପାଉଥାଏ । ସବୁ ଚିଠିରେ ସେହି ଆଶୀର୍ବାଦ–‘ଯଶସ୍ୱୀ ହୋଇ ଫେର, ମୁଁ ପାଖେ ପାଖେ ଅଛି ।’’

 

ଆତ୍ମାରାମ-ଅଭିରାମ ଏତକ ହିଁ ଡକ୍ଟର ପଟ୍ଟନାୟକଙ୍କୁ ଆଶ୍ଵାସନା ଦେଉଥାଏ । ହଠାତ୍ ଠାକୁରେ କରମଳାରେ ଥାଇ କି ଯନ୍ତ୍ର ମୋଡିଲେ କେଜାଣି, ସେଠାର ଅଧ୍ୟାପକ, ତାଙ୍କୁ ଆଉ ଅନ୍ତତଃ ‘ଦୁଇବର୍ଷ’ ବିଲାତରେ ରହିବା ପାଇଁ ସୁପାରିଶ କରି ପଠାଇଲେ । ଛ’ମାସଟା ବଢ଼ି ଦୁଇବର୍ଷ ହେଲା । ମନେ ମନେ ଠାକୁରଙ୍କ ଆଶୀର୍ବାଦର ପ୍ରେରଣାକୁ ସ୍ମରଣ କରି ଡକ୍ଟର ପଟ୍ଟନାୟକ ତାଙ୍କ ଗବେଷଣା କାର୍ଯ୍ୟରେ ଅଗ୍ରସର ହେଲେ ।

 

୧୯୬୩ । କାର୍ତ୍ତିକ ଶୁକ୍ଳ ଏକାଦଶୀ । ସେଦିନ କାହିଁକି କେଜାଣି ଡକ୍ଟର ପଟ୍ଟନାୟକଙ୍କ ମନ ଭଲ ଲାଗୁ ନ ଥାଏ । ଠାକୁରଙ୍କ ଶରୀର ଅସୁସ୍ଥ ବୋଲି ସେ ଆଗରୁ ଖବର ପାଇଥିଲେ । ....‘‘ ସେଦିନ ଠାକୁରଙ୍କୁ ଧ୍ୟାନ କରି ସେ ବସାକୁ ଫେରି ଆସି ଶୋଇଲେ । ଅଧରାତି । ତାଙ୍କୁ ଜଣାଗଲା ଠାକୁରେ ତାଙ୍କ ଶେଯ ପାଖରେ ଠିଆ ହୋଇଚନ୍ତି । ଅଧରରେ ମନ୍ଦ ମନ୍ଦ ହାସ୍ୟ । ହସି ହସି କହିଲେ ‘ମୁଁ ତୋ ପାଖେ ପାଖେ ଅଛି ।

 

ଡକ୍ଟର ପଟ୍ଟନାୟକ ଲେଖିଛନ୍ତି, ‘ମୁଁ ହଠାତ୍ ଉଠି ପଡ଼ିଲି । ଠାକୁରଙ୍କୁ ପ୍ରଣାମ କରିବି ବୋଲି ଭାବିଲି । ଉଠି ଦେଖେ ତ ଠାକୁରେ ଦୁଆର ଆଡ଼କୁ ଚାଲି ଯାଉଚନ୍ତି । ମୁଁ ମଧ୍ୟ ତାଙ୍କ ପଛେ ପଛେ ଧାଇଁଲି । ରାତି ବୋଧହୁଏ ଗୋଟାଏ ହେବ । ସାରା ଘର ନିର୍ଜନ । ସମସ୍ତେ ନିଘୋଡ ନିଦରେ ଶୋଇଚନ୍ତି । ବାହାରେ ମଧ୍ୟ ସବୁ ଶୂନ୍‌ଶାନ୍ । କେବଳ ମଝି ମଝିରେ ପୋଲିସର ଭାରି ବୁଟ୍‌ର ନାଦ ଶୁଣାଯାଉଚି । ମୁଁ ଦୁଆର ପାଖକୁ ଯାଇ ଦେଖେ ତ ଦୁଆର ଖୋଲା । ମୋର ଠିକ୍ ମନେ ଥାଏ ଯେ ମୁଁ ଦୁଆରଟି ଭିତରପଟୁ ବନ୍ଦ କରିଥିଲି । ଖୋଲିଲା କିପରି ? ଦେଖିଲି ଠାକୁରେ ଅଦୃଶ୍ୟ ହୋଇଗଲେ । ବିକଳ ହୋଇ ମୁଁ ସିଡ଼ି ପାହାଚରେ ତିନିତାଲା ଉପରୁ ତଳକୁ ଓହ୍ଲାଇ ଆସି ପ୍ରଧାନ କବାଟ ଖୋଲିଲି । କେହି କୁଆଡେ ନାହିଁ । କେବଳ ଠାକୁରଙ୍କ ଫୁଲ,ଧୂପ ଓ କର୍ପୂର ବାସନା ଆସୁଚି । ମୁଁ ଆଶ୍ଚର୍ଯ୍ୟ ହୋଇ ନିସ୍ତବ୍ଧ ରାତିରେ ବାହାରକୁ ଅନେଇ ରହିଲି । ଆହୁରି ଆଶ୍ଚର୍ଯ୍ୟ ହେଲି । ଦେଖି ଦାଣ୍ଡ କବାଟଟି ବନ୍ଦ ନ ହୋଇ ଆଉଜା ହୋଇଚି । ଘରର ମାଲିକ ରାତିରେ ଘର ଭିତର ପଟୁ ତାଲା ବନ୍ଦ କରି ଦିଅନ୍ତି । କେହି ବେଶୀ ରାତିରେ ଫେରିବାକୁ ଥିଲେ, ତାଙ୍କୁ ଆଗରୁ କହି ଯାଆନ୍ତି । ସେ ଦିନ ମୁଁ ମୋ କୋଠରୀକୁ ଫେରି ଆସିଲି । ରାତି ଦୁଇଟା । ଆଉ ନିଦ ହେଲାନି । ତା’ ଆରଦିନ ସକାଳେ ଘର ମାଲିକଙ୍କୁ ପ୍ରଧାନ କବାଟ ରାତିରେ ବନ୍ଦ କରିଥିଲେ କି ନାହିଁ ପଚାରିଲି । ସେ ଆଶ୍ଚର୍ଯ୍ୟ ହେଲେ । କହିଲେ, ସବୁଦିନ ବନ୍ଦ ହୁଏ । ଏହାର ବ୍ୟତିକ୍ରମ ହୁଏନି । କହିଲି, ବନ୍ଦ ନଥୁଲା, ଆଉଜା ହୋଇଥିଲା । ସେ ହସିଲେ । ମୁଁ ମୋ ଅନୁଭୂତି କଥା କହିଲି ।

 

ତା’ ଆରଦିନ । ଠିକ୍ ସେହି ସମୟ । ଠାକୁରଙ୍କୁ ପୁଣି ସେ ଦେଖିଲେ । ସେ ବନ୍ଦ କରିଥିବା କବାଟଟି ମଧ୍ୟ ମେଲା । ସେହି ଧୂପ କର୍ପୂରର ସୁଗନ୍ଧ । ଡକ୍ଟର ପଟ୍ଟନାୟକ ଠାକୁରଙ୍କ ପଛେ ପଛେ ଦୌଡ଼ିଲେ ପ୍ରଧାନ ଫାଟକ ପର୍ଯ୍ୟନ୍ତ । ଦାଣ୍ଡ କବାଟ ଫିଟିଥିଲା । କିଏ ଜଣେ ଯେପରି ଆଉଜେଇ ଦେଇଗଲା । ଏପରି ଲାଗ ଲାଗ ତିନିରାତି । ଏକା ଅନୁଭୂତି ।

 

ସାତ ଦିନ ପରେ ନାହାଁନ୍ତି ।’’ ଶୁକ୍ଳ ଏକାଦଶୀ ଘରୁ ଚିଠି ପାଇଲି–‘‘ଠାକୁରେ ଆଉ ମର ଶରୀରରେ ତିଥ୍ୟରେ ହିଁ ସେ ଦେହତ୍ୟାଗ କରିଛନ୍ତି । ଅଥବା ଖବର ପାଇ ମୁଁ ବିଚଳିତ ହୋଇ ପଡ଼ିବି ସେଥ‌ିପାଇଁ ସେ ନିଜେ ଆସି କହିଦେଇଗଲେ,’’ସେ ପାଖେ ପାଖେ ଅଛନ୍ତି ।’’ ଡକ୍ଟର ପଟ୍ଟନାୟକ ଲେଖିଛନ୍ତି, ବହୁ ଅନୁଭୂତି ଭିତରୁ ଏହି’’କାଣିଚାଏ ମାତ୍ର ।’’

Image

 

ପତ୍ର ମିଳିଲା ପାତ୍ରୀକି

 

ଜଣେ ଯୁବକ । ସାଙ୍ଗରେ ନବବଧୂ । ଯୁବକ ଅଣ୍ଟାରେ ଝୁଲୁଚି ଏକ ଖଣ୍ଡା l ଖୋଳ ଭିତରେ । ଅନ୍ୟମାନଙ୍କ ସହିତ ଏମାନେ ସମୁଦ୍ର ଯାତ୍ରୀ । ସଂଧ୍ୟା ଉତ୍ତୀର୍ଣ୍ଣ । ଘନଘୋର ଅନ୍ଧକାର । ମାଡି ଆସିଲା ପ୍ରବଳ ତୋଫାନ । ଯାତ୍ରୀମାନେ ଭୟଭୀତ । ଜାହାଜ ଡୁବିବା ଅବସ୍ଥାରେ । ପ୍ରାଣ ସଙ୍କଟରେ ସମସ୍ତେ ଥରହର । ଗଭୀର ସମୁଦ୍ର । ଯୁବକ ନିର୍ଭୟ । ନିଶ୍ଚିନ୍ତ । ଆକୁଳ ବ୍ୟାକୁଳିତ ସ୍ୱରରେ ସ୍ତ୍ରୀ କହିଲା, ଯୁବକ ସ୍ୱାମୀଙ୍କୁ । ତୁମେ ନିଶ୍ଚିନ୍ତରେ ବସି ରହିଚ କିପରି ? ଜାହାଜ ସହିତ ସମସ୍ତେ ଡୁବିଯିବେ । ବଞ୍ଚିବାର ଆଶା କ୍ରମଶଃ କ୍ଷୀଣରୁ କ୍ଷୀଣତର ।

 

ଯୁବକ ଖୋଳରୁ ବାହାର କଲେ ତୀକ୍ଷ୍ଣ ତରବାରୀ । ସ୍ତ୍ରୀର ବେକରେ ଲଗାଇଲେ । ପଚାରିଲେ, ଡର ଲାଗୁଚି ? ମୁହୂର୍ତ୍ତକରେ ଏହି ତରବାରୀରେ ତୁମ ମୁଣ୍ଡ ଗଣ୍ଡି ଅଲଗା ହୋଇଯିବ । ଇଏ କଣ ପ୍ରାଣସଙ୍କଟ ନୁହଁ ?

 

ନବବଧୂ ହସିଲା, କହିଲା ଇଏ କି ଅଭିନୟ ! ତୁମ ହାତରେ ତରବାରୀ, କହିଁକି ? ପ୍ରେମ ହିଁ ଅଭୟ । ପ୍ରେମ ଯେଉଁଠି, ଭୟ ସେଠି ରହି ନପାରେ । ନିର୍ଭୟ ହେବାକୁ ହେଲେ, ପ୍ରେମକୁ ଧର ।

 

ଠାକୁର ଅଭିରାମ ପରମହଂସ କହିଲେ, ‘ପ୍ରେମ ଅମୂଲ୍ୟ ବସ୍ତୁ । ସାଧନାରେ ସବୁ ମିଳିପାରେ, ମାତ୍ର ପ୍ରେମ ମିଳେନି । ଠାକୁରଙ୍କ କୃପାରେ ତାହା ହୋଇପାରେ । କୃପା ପାଇବାକୁ ଭିକାରୀ ସାଜିବାକୁ ପଡ଼ିବ । ଆତୁର ହେବାକୁ ପଡ଼ିବ । ତେବେ ଯାଇ ସେ କୃପା ମିଳିବ ।’’

 

ଏପରି କୃପା ପାଇଚନ୍ତି ଅନେକ ଭକ୍ତ । ଭକ୍ତି ହାତ ବଢ଼େଇଲେ ମିଳେନା । ତାହା ମନକୁ ଆପଣାଛାଏଁ ଆସିଯାଏ । ଠାକୁରେ କହନ୍ତି, କୃପା ମାନେ ‘କର-ପା’’ । କର୍ମକରି ପାଅ । କର୍ମ ନ କରି କିଏ ଫଳ ପାଇଚି ଦେଖିଚ ? ଅନେକେ କହନ୍ତି, ଭଗବାନ ‘ଅକର୍ମା ଦାନୀ’ । ସେ ଅକର୍ମା ଦାନୀ ସତ, କିନ୍ତୁ କଣ ଦାନ କରନ୍ତି ?

 

ଅକର୍ମା ଜାଣ ସେ ବୋଲାନ୍ତି

କର୍ମେ ନ ଥିଲେ ଯାଚି ଦ୍ୟନ୍ତି ।

 

ବିଶ୍ଵାସ, ପ୍ରେମ ଓ ଭକ୍ତି–ଏ ତିନୋଟିଯାକ ତିନୋଟି ତ୍ରିଶାଖା ବେଲପତ୍ର । ଏହା ହିଁ ସର୍ବରୋଗର ମହୌଷଧ । ଭୁବନେଶ୍ୱର, ସାନପଡ଼ାର ପୁଷ୍ପଲତା ପରିଡ଼ା ଲେଖୁଛନ୍ତି ତାଙ୍କ ଅନୁଭୂତି ।

 

ବୈଶାଖ ମାସ । ପ୍ରଚଣ୍ଡ ଗ୍ରୀଷ୍ମ । ତାଙ୍କର ଭୀଷଣ ଲାଳଝାଡ଼ା ହେଉଥାଏ । ଘରେ ସମସ୍ତ ଜାଣୁଥାଆନ୍ତି । ଔଷଧ ଆଣି ଦେଉ ନ ଥା’ନ୍ତି । ଅପା ହିଁ ଔଷଧ ପତ୍ର ଆଣି ଦେଉଥାଆନ୍ତି । ବହୁତ ଔଷଧ ଖାଇଲେ । ଝାଡ଼ା ବନ୍ଦ ହେଲା ନାହିଁ । ମାସେ ଯାଏଁ ଲାଳଝାଡ଼ା ଲାଗି ରହିଲା । ଦିନେ ଦି’ପହର । ଉଦୁଉଦିଆ । ଘରେ ସମସ୍ତେ ଖାଇ ପିଇ ବିଶ୍ରାମରତ । ଚାରିଆଡ଼ ଶୁନ୍‌ଶାନ୍ । ଅପା କୁଆଡ଼େ ଯାଇଥାଆନ୍ତି । ଦେହ ଅବଶ । ତେଣୁ ଝାପ୍‌ସା ଝାପ୍‌ସା ନିଦ ମାଡୁଥାଏ । ବିଛଣା ଉପରେ ଗଡ଼ପଡ଼ ହେଉଥାଆନ୍ତି । ମନେ ମନେ ଭାବୁଥାଆନ୍ତି, ଠାକୁରେ ତାଙ୍କୁ ଏପରି ଦଣ୍ଡ ଦେଲେ କାହିଁକି ? ଦଣ୍ଡିବାକୁ ଯଦି ଚାହୁଁଚ, ଭଲ କରି ଦଣ୍ଡ ଦିଅ । ଏପରି ଦହଗଞ୍ଜ କରୁଚ କାହିଁକି ? ସବୁ ସହିବାକୁ ରାଜି, କିନ୍ତୁ ‘ତୁମେ ମୋ ମନରେ ସର୍ବଦା ରହିଥାଅ ।’’

 

ତା’ପରେ ପୁଷ୍ପଲତାଙ୍କ ଆଖରେ ନିଦ ଆସିଗଲା । ଗାଢ଼ ନିଦ । ତାଙ୍କୁ ଦେଖାଗଲା, ତାଙ୍କ ଗାଁର ଛଇଳ ମହାରଣାର ବୋ ଉ ଛଇଲକୁ କହୁଥାଏ, ଆରେ ପୁଅ ! ପୁଷ୍ପର ଦେହ କଣ ହୋଇଚି, ଏ ପତ୍ର ତାଙ୍କୁ ଦେଇ ଦେଇଆ, (ଏକ ଶାଖାରେ ଚାରୋଟି ପତ୍ରକୁ ଦେଖାଇ) । ଛଇଳ ଧରି ଆସିଲା । ପିନ୍ଧିଥାଏ ଖଣ୍ଡିଏ ମସିଆ ଗାମୁଛା । ଧାଇଁ ଧାଇଁ ଆସି ଧଇଁ ସଇଁ ହୋଇ ପତ୍ରଟିକୁ ପୁଷ୍ପଲତାଙ୍କ ପାଟିରେ ଗୁଞ୍ଜିଦେଲା । ପୁଷ୍ପଲତା ପତ୍ର ଚରୋଟିକି ଚୋବାଇ ସାରିଲେ । ମୁଣ୍ଡ ପାଖରେ ଥିବା ଗ୍ଲାସେ ପାଣି ପିଇଲେ । ଏସବୁ କାମ ସରିବା ପରେ ଅପା ପହଞ୍ଚିଲେ । ପୁଷ୍ପଲତା ବିରକ୍ତ ହୋଇ କହିଲେ, ମୋ ଦେହ ପା’ କଥା ତୁ ବଢ଼େଇ ସାହିରେ କହିଲୁ କାହିଁକି ? ଅପା କହିଲେ, କିଲୋ, ମୁଁ ତ କାହାକୁ କିଛି କହି ନାହିଁ । ଅପାକୁ କହିଲେ, ତା’ହେଲେ ଛଇଳ ମହାରଣା ମୋତେ ପତ୍ର ଖୁଆଇଲା କିମିତି ? ପରେ ଛଇଳକୁ ପଚାରାଗଲା । ଛଇଳ କହିଲା, ମୁଁ ତ କାହାକୁ ପତ୍ର ଖାଇବାକୁ ଦେଇନି ।

 

ପୁଷ୍ପଲତାଙ୍କର ଝାଡ଼ା ବନ୍ଦ । ସମ୍ପୂର୍ଣ୍ଣ ସୁସ୍ଥ । ମାସ ମାସ ଧରି ଲାଳଝାଡ଼ା, ପତ୍ର ଖୁଆରେ ଭଲ ହୋଇଗଲା । ପତ୍ର ମିଳିଲା ଉପଯୁକ୍ତ ପାତ୍ରୀକି । ଲେଖିଛନ୍ତି–

 

‘‘ମନେ ମନେ କହିଲି, ହେ ଇଚ୍ଛାମୟ ଠାକୁରେ, ସବୁ ତୁମର ଇଚ୍ଛା । ଜନ୍ମଜନ୍ମାନ୍ତର ପାଇଁ ମୁଁ ତୁମର ଶ୍ରୀପାଦ କମଳରେ ଆଶ୍ରିତ ହେଉଥୁବି, ଏତିକି ମୋର ନିବେଦନ । ମନେ ମନେ ଗାଇ ଉଠିଲି–

 

ହୃହୟ ବେଦନା କେ ବନ୍ଧୁ ଜାଣିବ

ପ୍ରାଣ ବନ୍ଧୁ ଛଡ଼ା କିଏ କାହାର ?

ଜୀବନର ବନ୍ଧୁ, ହେ ପରମବନ୍ଧୁ

ଯୋଗ୍ୟ ହେବି ସତେ ପଦକୁ ତୋର ?

 

–(ଖଣ୍ଡଗିରି ଲୀଳା, ୧୯୯୬)

 

ବନ୍ଧୁ ପାଇବା ସହଜ । ସେବା ବଳରେ ଅର୍ଥ ବଳରେ । ଛଳନା ବଳରେ ବନ୍ଧୁ କରାଯାଇପାରେ । ଏମାନେ ନଈବଢ଼ିରେ ଦୁଇଟି କାଠି ଏକାଠି ହେବା ଭଳି । କିଛି ସମୟ ପାଇଁ ମିଳନ । ତା’ ପରେ ବିଚ୍ଛେଦ । ଆଜି ବନ୍ଧୁ ତ କାଲି ଶତ୍ରୁ । ଏ ସବୁ ତଥାକଥିତ ବନ୍ଧୁ । ବନ୍ଧନ ଯେତେ ଟାଣ ବନ୍ଧୁତା ସେତିକି ସ୍ଥାୟୀ । କିନ୍ତୁ ପରମ ବନ୍ଧୁ ପାଇବା ସହଜ ନୁହଁ । କାରଣ ସତ୍ୟଠୁ ଭଳି ପରମ ବନ୍ଧୁ କେହି ହୋଇ ନପାରେ । ସତ୍ୟ ହିଁ ଠାକୁର । ସତ୍ୟ ନାରାୟଣ ସ୍ୱାମୀ I

 

ଜଣେ ରାଜା ଚାହିଁଲେ ଭଗବାନ ଅଛନ୍ତି କେଉଁଠି ଖୋଜ ଖବର ନେବାପାଇଁ । ମନେ ମନେ ସ୍ଥିରକଲେ–ଈଶ୍ୱରଙ୍କୁ ଜାଣିବାକୁ ହେଲେ ତାଙ୍କୁ ସର୍ବତ୍ୟାଗୀ ସନ୍ୟାସୀ ହେବାକୁ ପଡ଼ିବ । ଦିନେ ସେ ସନ୍ନ୍ୟାସୀ ହେବି କି ନାହିଁ, ସେହି ଚିନ୍ତା କରୁଚନ୍ତି । ଚିନ୍ତା ବଢ଼ିଲେ, ଆଖୁକି' ନିଦ ଆସେନା । ରାଜାଙ୍କର ସେହି ଅବସ୍ଥା । ତୁଳିତରେ ଗଡ଼ପଡ଼ ହେଉଚନ୍ତି । ହଠାତ୍‌ ଜଣେ ସିଡ଼ି ଦେଇ ଛାତ ଉପରକୁ ଚଢ଼ିଲା ଭଳି ଶବ୍ଦ ହେଲା । ରାଜା ପଚାରିଲେ, କିଏ ତୁମେ ? ଛାତ ଉପରକୁ ଉଠୁଥ‌ିବା ବ୍ୟକ୍ତି କହିଲା, ମୁଁ ଯାଉଚି । ପ୍ରଶ୍ନ–କାହିଁକି ? ଉତ୍ତର ମୋ ଓଟଟା ହଜି ଯାଇଚି, ଖୋଜିବା ପାଇଁ । ରାଜା କହିଲେ, ବଡ଼ ବିଚିତ୍ର କଥା । କିହୋ, ଓଟ ଖୋଜିବ, ଛାତ ଉପରେ । ତୁମ ମୁଣ୍ଡ ଠିକ୍ ଅଛି ତ ? ନିର୍ବୋଧ !

 

ଅଜ୍ଞାତ ବ୍ୟକ୍ତି ହସିଲେ । କହିଲେ, ମୁଁ ନିର୍ବୋଧ ନା ତୁମେ ? ତୁମେ ମନେ ମନେ ଯେପରି ଈଶ୍ଵରଙ୍କୁ ଖୋଜୁଚ, ଛାତ ଉପରେ ଓଟକୁ ଖୋଜିବା ତା’ଠୁ ଅଧିକ ବିଚିତ୍ର ହୋଇ ନପାରେ ! ଈଶ୍ଵର କୌଣସି ବାହ୍ୟସତ୍ୟ ନୁହଁନ୍ତି । ଏହି ସତ୍ୟକୁ ପାଇବା ଅର୍ଥ ନିଜକୁ ନିଜେ ପାଇବା ।

Image

 

ଭକ୍ତ, ଭଗବାନ ଟଣାଟଣି

 

ଭକ୍ତି ସମ୍ପର୍କରେ ନାନା ଉକ୍ତ । ମନରୁ ‘ବିଭକ୍ତି’ ସରିଲେ ଯାଇ ଆସେ ଭକ୍ତି । ଭକ୍ତିକୁ କେନ୍ଦ୍ରକରି ବିଭିନ୍ନ ଭକ୍ତସମିତି । ସ୍କୁଲ ପିଲାଙ୍କ ଲାଗି ୟୁନିଫର୍ମ ପୋଷାକ ଭଳି ବିଭିନ୍ନ ସଂପ୍ରଦାୟର ଭକ୍ତଙ୍କ ଲାଗି ଭିନ୍ନ ଭିନ୍ନ ପୋଷାକ । ପୋଷାକକୁ ଦେଖି ପ୍ରଶ୍ନ କରାଯାଏ’’ତୁମେ କଣ ଅନୁକୁଳୀୟ ? ତୁମେ କଣ ନିଗମାନନ୍ଦୀୟ ?’’ ଇତ୍ୟାଦି ଇତ୍ୟାଦି । ଯାହା ହେଉ ପଛକେ ‘ଭକ୍ତି ‘ ଅସଂପ୍ରଦାୟିକ । ଭକ୍ତର ସଂଯୋଗ କେବଳ ଭଗବାନଙ୍କ ସହିତ । କୌଣସି ସାଂପ୍ରଦାୟିକ ସୀମା ଭିତରେ ଭକ୍ତି ଆବଦ୍ଧ ହୋଇ ନପାରେ । ଭକ୍ତ ଭଗବାନଙ୍କର ସବୁଠାରୁ ପ୍ରିୟପାତ୍ର । ଗୀତାରେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ କହିଛନ୍ତି, ମୁଁ ଭକ୍ତିରେ ଏପରି ବିଭୋର ହୋଇପଡ଼େ ଯେ, ଭକ୍ତ ଯାହା ଦେଉ ପଛକେ, ଆନନ୍ଦରେ ଗ୍ରହଣ କରିନିଏ । ପତ୍ର, ପୁଷ୍ପ, ଫଳ ଏପରିକି ଟୋପାଏ ପାଣି ଦେଲେ, ମୁଁ ତାକୁ ଅମୃତତୁଲ୍ୟ ମନେ କରିଥାଏ । ପଦ୍ମପୁରାଣରେ କୁହାଯାଇଛି–

 

ମଦ୍ ଭକ୍ତାନାଂ ବିନୋଦାର୍ଥ କରୋମି ବିବିଧ କ୍ରିୟାଃ ।

 

ଭଗବାନ ଆପ୍ତକାମ । ତାଙ୍କର ଅଭାବ ବୋଲି କିଛି ନାହିଁ । ଅଥଚ ଭକ୍ତ ପ୍ରତି କୃପା କରିବା ଲାଗି,ସେ ସର୍ବଦା ଲାଳାୟିତ । ବ୍ୟାକୁଳିତ । ସତ୍ୟଯୁଗରେ ଧ୍ୟାନ, ତ୍ରେତାରେ ଯଜ୍ଞ, ଦ୍ୱାପରରେ ପରିଚର୍ଯ୍ୟା ଏବଂ କଳିଯୁଗରେ ନାମ ସଂକୀର୍ତନ ମାଧ୍ୟମରେ ଭକ୍ତିପଦ୍ମକୁ ପ୍ରସ୍ଫୁଟିତ କରାଯାଇଚି । ଦ୍ଵାପର ଯୁଗରେ ଭଗବାନ ଏଥିଲାଗି ଭକ୍ତର ପଦାଘାତକୁ ସହ୍ୟ କରିଛନ୍ତି । ତାଙ୍କ ପକ୍ଷରେ ନିଜ ନିନ୍ଦା ସହନୀୟ କିନ୍ତୁ ଭକ୍ତର ନିନ୍ଦା ଅସହ୍ୟ । ସେ ନିଜେ କହିଛନ୍ତି–‘ମଦ୍‌ଭକ୍ତା ପୂଜ୍ୟରାଧିକା ।’ ମୋ ଭକ୍ତ ମୋ ଠାରୁ ଅଧ‌ିକ ପୂଜ୍ୟ । ଭକ୍ତର ମନୋବାଞ୍ଛା ପୂରଣ ତଥା ଚିତ୍ତବିନୋଦନ ଲାଗି ହିଁ ଭଗବାନ ନାନା ଲୀଳା ବିଗ୍ରହ ଧାରଣା କରି ଥାଆନ୍ତି । ଭାଗବତରେ ଭଗବାନ କହିଛନ୍ତି–‘ଅହଂ ଭକ୍ତ ପରାଧୀନୋ’ । ମୁଁ ଭକ୍ତର ଅଧୀନସ୍ଥ କିଂଙ୍କର ମାତ୍ର ।

 

ବଡ଼ ଅଡୁଆ କଥା । ଭକ୍ତ କହୁଚି,ମୁଁ ତୁମ ଅଧୀନ,ଭଗବାନ କହୁଛନ୍ତି, ମୁଁ ତୁମର ଅଧୀନ । କିଏ କାହାର ଅଧୀନ–ଏ ବିବାଦ ଲାଗି ରହିଛି ସର୍ବୋଚ୍ଚ ଅଦାଲତ (ସୁପ୍ରିମ କୋର୍ଟ)ରେ, ସୃଷ୍ଟିର ଆରମ୍ଭରୁ । ଏ ବିବାଦରେ ସମାଧାନ ଏ ପର୍ଯ୍ୟନ୍ତ କେହି କରି ପାରି ନାହାଁନ୍ତି କିମ୍ବା କରି ନପାରେ । ଭକ୍ତ କହେ, ଭଗବାନଙ୍କ ଇଚ୍ଛା ହିଁ ଏକମାତ୍ର ଇଚ୍ଛା । ଭଗବାନ କହନ୍ତି, ଭକ୍ତର ଇଛା ହିଁ ମୋ ଇଚ୍ଛା । ଭଗବାନଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ଭକ୍ତି ଧରିରଖେ । ତାଙ୍କୁ ନେଇଯିବାକୁ ଭକ୍ତ ଭଗବାନଙ୍କୁ କହେ I ତା’ ନ କରି ଭକ୍ତ ସହିତ ଭଗବାନ କଳି କଲେ, ପରିଶେଷରେ ଭଗବାନ ଙ୍କ ପରାଜୟ ହୁଏ । ଠାକୁରେ ଅଭିରାମ ପରମହଂସ ଭକ୍ତଭାବରେ ଭଗବାନଙ୍କୁ ଚାଲେଞ୍ଜ (ଆହ୍ଵାନ କରି) ଦେଇ କହିଛନ୍ତି–ଯଦି ଲଢ଼ିବା ପାଇଁ ଚାହୁଁଚ, ଫୁଲକା ଉପରକୁ ମାଡ଼ିଆସ । ଲୋକେ ଦେଖନ୍ତୁ, ତୁମର କେତେ ଶକ୍ତି–ମୋର ( ଭକ୍ତର) କେତେ ଶକ୍ତି । କେତେ ଭକ୍ତି ।

 

ଯଦି ସମରକୁ ଇଚ୍ଛା କରି ପ୍ରଭୁ

ହାରିବ ଅଭିରାମକୁ,

ଏହା ଭକ୍ତିଶସ୍ତ୍ର ଧରିଥ‌ିବି ଯେବେ

ବାନ୍ଧିଦେବି ମୁଁ ତୁମ୍ଭଙ୍କୁ ।

ତୁମ୍ଭେ ଯେତେ ଶସ୍ତ୍ର ପ୍ରହାରିବ ମତେ

ସବୁ ମୂର୍ତି ଅଛି ଜାଣି,

ମୋ ଶସ୍ତ୍ରକୁ ତୁମ୍ଭେ ଆହେ ବାସୁଦେବ

ସମ୍ଭାଳି ନପାର ପୁଣି ।

ଏକା ମନ-ଶୁଦ୍ଧ– ଭକ୍ତି ଶସ୍ତ୍ର ଯେବେ

ତୁମ୍ଭଙ୍କୁ ବିନ୍ଧିବି ଜାଣି,

କାମର ମନ୍ଦିର କମ୍ପାଇ ବୈକୁଣ୍ଠ

ତୁମ୍ଭଙ୍କୁ ଆଣିବି ଟାଣି !

 

ଏହା ହେଉଛି ଭକ୍ତ ଓ ଭଗବାନଙ୍କ ସଂଯୋଗର ସମର-ବିଜ୍ଞାନ । ପରସ୍ପର ମଧ୍ୟରେ ଟାଣାଟଣିର ଠାଣି ଅପୂର୍ବ । ଏହା ଯେପରି ସାଡ଼ମ୍ବର, ସେହିଭଳି ନିରାଡମ୍ବର । ସୁନାର ମୁକୁଟ, ନାନା ପୁଷର ସଂଭାର । ଷୋଡ଼ଶ ଉପଚାରର ମହାତ୍ମ୍ୟ ସାମଗ୍ରୀ, ହଜାର ହଜାର ଲୋକଙ୍କ ପାଇଁ ମହାପ୍ରସାଦ, ଭୁରିଭୋଜନ ସବୁ ହୁଏ ‘ଭକ୍ତ’ ଆଗରେ ନିରର୍ଥକ । ଟୋପାଏ ଅଶ୍ରୁଜଳରେ, ପଦେ ଦି’ ପଦ ପ୍ରାର୍ଥନା,ଭଜନରେ ଭଗବାନ ଟାଣି ହୋଇ ଆସନ୍ତି ଭକ୍ତର ହୃଦୟକୁ । ଯୁଦ୍ଧ ଶେଷ ହୁଏ । ସଂଗ୍ରାମ ସରିଯାଏ । ଭକ୍ତପ୍ରବର ପରମହଂସଙ୍କ ତୁଣ୍ଡରେ ଉଚ୍ଚାରିତ ହୁଏ

 

ତୁମର ଇଚ୍ଛାରେ ଯାହା କରିଯିବ

ସେହି ମାତ୍ର ମୋର ‘ସତ୍ୟ’

ମୋର ଇଚ୍ଛା ବୋଲି ଯେତେକ ବିଷୟ

ଅଟଇ ସବୁ ଅସତ୍ୟ ।

 

ଫୁଲ ଫୁଟେ, ମଉଳେ । ସୁଖ ଆସେ, ଚାଲିଯାଏ । ଦୁଃଖ ଆସେ, ଯାଏ । ଜଗତରେ ଏହି ଯିବା, ଆସିବା ଭଳି ଶାଶ୍ୱତ, ଚିରନ୍ତନ ରୀତିକୁ ଯିଏ ଜାଣିପାରେ, ତା’ଜୀବନ କ୍ରମଶଃ ବନ୍ଧନମୁକ୍ତ ହୋଇଥାଏ ।

 

ରାତ୍ରିର ଅନ୍ଧାର । ଉଛୁଳା ନଈ । ଜଣେ ବ୍ୟକ୍ତି ନଈ କୂଳରେ ବସି ଭାବୁଚି, ଆତ୍ମହତ୍ୟା କରିବି କି ନାହିଁ । ମେଘାଚ୍ଛନ୍ନ ଆକାଶ । ବିଜୁଳିର ଝଲକ । ବ୍ୟକ୍ତିଜଣଙ୍କ ସେ ଅଞ୍ଚଳରେ ସବୁଠୁ ଧନୀ ଥିଲା । ସବୁ ପ୍ରକାରର ବ୍ୟବସାୟରେ ଅର୍ଥ ଲଗେଇଥିଲା । କିନ୍ତୁ କିଛି ରହିଲା ନାହିଁ । ସବୁ ବ୍ୟବସାୟ ମାନ୍ଦା ପଡ଼ି ଆସିଲା । ଦେବାଳିଆ ହୋଇଗଲା ।

 

ଭାଗ୍ୟସୂର୍ଯ୍ୟ ଡୁବିଗଲା । ଅତୀତ ଗଲା,ବର୍ତ୍ତମାନ ଗଲା, ଭବିଷ୍ୟତ ମଧ୍ୟ ଅନ୍ଧକାରମୟ । ତେଣୁ ଆତ୍ମହତ୍ୟାକୁ ଶ୍ରେୟ ମନେ କଲା । ନଈ ଭିତରକୁ ଡେଇଁବାକୁ ପାଦ ଉଠାଇଲା । କିନ୍ତୁ ଜଣେ ବୃଦ୍ଧବ୍ୟକ୍ତି ତାକୁ ପଛକୁ ଧରି ପକାଇଲେ । ପଚାରିଲେ, ଏ ହୀନ ଉଦ୍ୟମ କରୁଚ କାହିଁକି ? ଧନୀ ବ୍ୟକ୍ତିଜଣକ ତା’ ଜୀବନରେ କଣ ଥିଲା, ଏବେ ହୋଇଚି କଣ, ସବୁ କଥା କହିଗଲା । ବୃଦ୍ଧ ବ୍ୟକ୍ତି ହସିଲେ । କହିଲେ, ତା’ ହେଲେ ତୁମେ ସ୍ୱୀକାର କରୁଟ ଯେ ଦିନେ ତୁମେ ସୁଖୀ ଥିଲା, ଏବେ ଦୁଃଖୀ ହୋଇ ପଡ଼ିବ । କିନ୍ତୁ ଏକଥା ମଧ୍ୟ ତୁମେ ଜାଣ ଯେ ଦିନ ପରେ ରାତି ଆସେ । ସବୁବେଳେ ଦିନ ରହେନା କି ରାତି ରହେନା । ପରିବର୍ତ୍ତନ ପ୍ରକୃତିର ନିୟମ । ଯେଉଁ ବ୍ୟକ୍ତି ଏହି ‘ସତ୍ୟ’ଟିକକୁ ଜାଣିପାରେ, ସେ ସୁଖରେ ସୁଖୀ ନୁହଁ କି ଦୁଃଖରେ ଦୁଃଖୀ ହୁଏନା । ଠିକ୍ ତୁମେ ଯେଉଁଠି ବସିଚ–ସେହି ସମତଳ ଭୂମି ଭଳି ସେ ଜୀବନକୁ ବୋଧ କରିଥାଏ । ସୁଖ ଦୁଃଖ ତ ଆସେ,ଯାଏ କିନ୍ତୁ ଯାହା ଯାଏନା କି ଆସେନା, ତାହା ହେଉଚି ନିଜର ଅସ୍ତିତ୍ୱ । ସମତ୍ଵ ଭାବ । ତାହାହିଁ ସତ୍ୟ ।

 

ଠାକୁରଙ୍କ ଭାଷାରେ ‘ମୁଁ’ ‘ତୁମ’କୁ ଭୁଲିଯିବା, ‘ମୁଁ’ ଭାବରୁ ଉପରକୁ ଉଠି ଯିବା ହିଁ ସବୁଠୁ ବଡ଼ କଳା । ଜୀବନର ବଡ଼ କଳାକୌଶଳ । ‘ମୁଁ’ କୁ ଅତିକ୍ରମ କଲେ ଯାଇ ମନୁଷ୍ୟ ନିଜର ମନୁଷ୍ୟତାକୁ ପାର କରି ଦିବ୍ୟଜୀବନ ଲାଭ କରିଥାଏ ।

Image

 

ବାହାରେ ଷଣ୍ଢ, ଭିତରେ ସାପ !

 

ଭକ୍ତ ଯେତେବେଳେ ଭଗବାନଙ୍କ ଦର୍ଶନରେ ଯାଏ, ସୁଦର୍ଶନ ତାଙ୍କ ଭକ୍ତର ପଛେ ପଛେ ଥାଏ’’ । ଠାକୁର ଅଭିରାମ ପରମହଂସଙ୍କ ଶ୍ରୀମୁଖ ନିଃସୃତ ବାଣୀ ଏତକ । ସୁଦର୍ଶନ ଶକ୍ତି ଓ ଶାନ୍ତିର ପ୍ରତୀକ । ଶାନ୍ତି ଓ ଶକ୍ତି ସେହି ଏକମାତ୍ର ‘ସତ୍ୟ’ର ଦୁଇଟି ନାମ । ସେ ନାରାୟଣ । ସେ ସ୍ୱାମୀ । ଯୋଗକ୍ଷମ ବାହାମ୍ୟହଂ । ସିଏ ଖାଲି ଦିଏ ନାହିଁ । ତା’ ଦତ୍ତଧନକୁ ମଧ୍ୟ ଜଗି ରହିଥାଏ–ଯେପରି ଏହି ଧନର ବିନିର୍ବୀୟ କିମ୍ବା ଚୋରି ଚପଟ ନ ହୁଏ । ସୁଦର୍ଶନ ତା’ର ବଳଶାଳୀ ଜଗୁଆଳୀ । ନିରାପତ୍ତା ବାହିନୀର ସେନାଧ୍ୟକ୍ଷ, କମାଣ୍ଡର ଇନ୍ ଚିଫ୍ । ତା’ର ସତର୍କ ଦୃଷ୍ଟି ଚତୁର୍ଦିଗରେ । ବିପଦ ଆପଦ ବେଳେ ନାନା ଆବଶ୍ୟକ ବସ୍ତୁ ଭାବରେ ସେ ଆସେ । କେତେବେଳେ ଲାଠି, ଠେଙ୍ଗା, ଶାଦଳ କିମ୍ବା ବନ୍ଧୁକ ରୂପରେ । ଯାହା ଯେତେବେଳେ ଘଟିବା ପାଇଁ ନିର୍ଦ୍ଦିଷ୍ଟ, ନିଶ୍ଚୟ ଘଟିବ, କିନ୍ତୁ ବିପଦରୁ ତ୍ରାହି ପାଇବାପାଇଁ ଭକ୍ତ ଆନ୍ତରିକ, କାତର ଭାବରେ ଡ଼ାଳିଲେ, ସେ ଉପସ୍ଥିତ ହୁଅନ୍ତି । ଦିନେ ଠାକୁରଙ୍କ ଉପସ୍ଥିତି ଘଟିଥିଲା–ଶାବଳ ରୂପରେ ।

 

ମା’ ନଳିନୀପ୍ରଭାଙ୍କ ଅନୁଭୂତି (୧୯୯୧, ଖଣ୍ଡଗିରି ଲୀଳା) ।’’ବାପାଙ୍କ ସାଙ୍ଗରେ ଡେଲାଙ୍ଗ ବାଟ ଦେଇ କରମଳା ଯାଉଥାଉ । ଷ୍ଟେସନରୁ ଶଗଡ଼ ଯୋଗେ ମୁନିଦାଘାଟ । ତା’ପରେ ଆଠଘଣ୍ଟାର ନୌକାରେ (ଚିଲିକାରେ ) ଯିବା ସେତବେଳକାର ଏକମାତ୍ର ରାସ୍ତା । ମୁନି ଦାଘାଟରେ ପହଞ୍ଚିଲା ବେଳକୁ ଡଙ୍ଗା ନାହିଁ । ଘୋର ବର୍ଷା ମାଡ଼ି ଆସୁଚି । ରହିବାର ସ୍ଥାନ ନାହିଁ । ଆମଦଳରେ, ବାପା, ବୋଉ, ଦାଦା, ଖୁଡ଼ି, ଭାଇ ଭଉଣୀ ମିଶି ଆଠଜଣ ।’’

 

ବିଲମାଳ ଭିତରେ ଗୋଟିଏ ଭଙ୍ଗା ସ୍କୁଲ ଘର ! କୁହାପୋଛା କରି ସେଠି ରାତିଟି କଟେଇବା ବ୍ୟବସ୍ଥା ହେଲା । ପାଖ ଗାଁର ମହାଦେବ ମନ୍ଦିର ପୁଜକ ରାତିରେ ପ୍ରସାଦ ଦେବାର ଯୋଗାଡ଼ କରିଗଲା । ରାତି ନ’ଟା ସରିକି ଗଣ୍ଡିଏ ଗଣ୍ଡିଏ ପ୍ରସାଦ ପାଇଲୁ । ବିଶ୍ରାମ ନେବା ପାଇଁ ସ୍କୁଲରେ ଜାଗା ନାହିଁ । ଚାରିଆଡ଼େ ବର୍ଷା ପାଣିର ସୁଅ ଛୁଟୁଛି । ଟେବୁଲ୍ ଡେସ୍କ ଉପରେ ଜିନିଷ ଥୋଇଲୁ । ଠିଆହୋଇ ରହିଲୁ । ମନ୍ଦିରର ପୂଜାରୀ ଆଗରୁ ତାଗିଦ୍ କରିଦେଇଗଲେ–ରାତିରେ ଗୋଟିଏ ମାରଣା ଷଣ୍ଢ ଏ ଘର ଭିତରେ ଶୋଇବାକୁ ଆସେ । କବାଟ ଖୋଲିବ ନାହିଁ । ଆମେ କବାଟ ବନ୍ଦ କରିଦେଲୁ । ବାହାରେ ବର୍ଷା ଯୋଗୁ ଷଣ୍ଢଟି ଆଶ୍ରୟ ନେବା ଆଶାରେ କବାଟ ଉପରେ ପ୍ରବଳ ଆକ୍ରମଣ ଆରମ୍ଭ କରିଛି । ଲଣ୍ଡନରେ ତେଲ ସରିବା ଉପରେ । ଏଣେ ପୁଣି ଘର ଭିତରେ ଗୋଟିଏ କଣ ମୁଁ ମୁଁ ଶବ୍ଦ । ଟର୍ଚ୍ଚ ପକାଇ ଦେଖିଲୁ, ଏକ ବିରାଟ ସାପ ନୀଳବର୍ଣ୍ଣର ଗରଳ କାଢି ଗର୍ଜନ କରୁଚି ।’’

 

‘ଘର ଭିତରେ ସର୍ପାଘାତ ଭୟ । କବାଟ ଖୋଲିଲେ ମାରଣା ଷଣ୍ଢ ମାଡ଼ି ଆସିବ । ରକ୍ଷା କରିବ କିଏ ?’’ ଦୈବାତ୍ ଘର କଣରେ ଦେଖାଗଲା ଗୋଟିଏ ଶାବଳ । ଡେସ୍କ ଉପରେ ଠିଆ ହୋଇ ଆମେ ସମସ୍ତେ ଭୟରେ କମ୍ପୁଚୁ । ଟର୍ଚ୍ଚର ମିଞ୍ଜି ମିଞ୍ଜି ଆଲୁଅରେ ଶାବଳ ସାହାଯ୍ୟରେ ଦାଦା ଆମର ସାପଟିର ମୁଣ୍ଡକୁ ଲକ୍ଷ୍ୟ କରି ଶକତ ଗୋଟିଏ ନାଦ ପକାଇଲେ । ଛଟପଟ ହୋଇ ଗରଳ ଛାଡ଼ିବାରେ ସାପର ପ୍ରାଣବାୟୁ ଶେଷ ହୋଇଗଲା । ମାତ୍ର ସକାଳ ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ଠିଆ ହୋଇ ରହିଲୁ ।’’

 

‘‘ସୂର୍ଯ୍ୟୋଦୟ ପୂର୍ବରୁ ବର୍ଷା କମିଯାଇଛି । ମାରଣା ଷଣ୍ଢଟି ସ୍ଥାନ ପରିତ୍ୟାଗ କରି ଚାଲିଯାଇଛି । ମୁନିଦାଘାଟରେ ମଧ୍ୟ ଗୋଟିଏ ଡଙ୍ଗା ପହଁଚି ଯାଇଛି । ଭୂଇଁରେ ମଞ୍ଜି ପୋତାଯାଏ । କେତେଦିନ ପରେ ସେ ତାର ସମସ୍ତ ଶକ୍ତି ଏକାଠି କରି ଭୂଇଁ ଫଟେଇ ଉପରକୁ ଉଠେ । ସୂର୍ଯ୍ୟଦର୍ଶନର ପିପାସା ହିଁ ତାଙ୍କୁ ‘ଅଙ୍କୁର’ କରେ । ତା’ ମନର ପ୍ରବଳ ଇଛା ହିଁ, ତାକୁ ଫଟାଇ ଦିଏ । କ୍ଷୁଦ୍ର ଅଙ୍କୁର ରୂପରେ ବାହାରକୁ ଆସେ ।

 

ଠାକୁରେ କହନ୍ତି, ବୀଜଉଳି ସୂର୍ଯ୍ୟମୁଖୀ ହୁଅ । ତେଜକୁ ହେଜ । ମନରେ ବିରାଟ, ମହାନ୍ ହେବା ଲାଗି ଅଭିଳାଷକୁ ଅଭିଷିକ୍ତ କରାଅ । ଉପରକୁ ଉଠ । ଏହି ଉଠିବା ଧାରାରେ ଦିନ ଆସିବ, ସ୍ଵୟଂକୁ ତାଡ଼ି ସୋଽହଂକୁ ପାଇ ପାଇବ । କ୍ଷୁଦ୍ରରେ ତୃପ୍ତ ହେବା ମହତ୍ତ୍ବାକାଂକ୍ଷା ନୁହେଁ । ବିରାଟକୁ ଇଚ୍ଛା କରିବା ହେଉଚି ଉଚ୍ଚାକାଂକ୍ଷା, ମହତାକାଂକ୍ଷା ।

 

ନଳିନୀପ୍ରଭା ଏହି ମହତ୍ଵକୁ ଜାଣିବା ଲାଗି ଜୀବନରେ ଉଦ୍ୟମ କରିଛନ୍ତି ବାର ବାର । ଚୋରିକରି ଧରାପଡ଼ିଛନ୍ତି । କିନ୍ତୁ କଥାଟା ପ୍ରଘଟ ନ ହୋଇ, ଚୋର ଓ ଠାକୁରଙ୍କ ମଧ୍ୟରେ ଆବଦ୍ଧ ହୋଇ ରହିଯାଇଚି । ବାବା ଉପସ୍ଥିତ ଥିବା ଘର ଭିତରକୁ ପଶି ଆସିଛନ୍ତି ନଳିନୀପ୍ରଭା । ଠାକୁରେ ତାଙ୍କୁ କିଛି ନ କହଣୁ ନଳିନୀ କହିଛନ୍ତି–ସେ ନାମ ନେବେ । ଘରେ ବସିଲେ ନଳିନୀ । ତାଙ୍କୁ ଦେଖି ଠାକୁରେ ମୁରୁକି ମୁରୁକି ହସିବାରେ ଲାଗିଛନ୍ତି । ଚୋର ମନ ଚୋର ଗଣ୍ଠିରେ । ନଳିନୀ ତାଙ୍କ ଲୁଗା କାନିରେ ବାନ୍ଧିଚନ୍ତି କିଛିଟା ଅଇଁଠା କାଜୁବାଦାମ, ଖୁସ୍‌ମିସ୍ । ଠାକୁରଙ୍କ ଅମଣିଆରୁ ତାଙ୍କ ଘରକୁ ଯାହା ଯାଇଥାଏ, ସେଥି କିଛିଟା ଚୋରି କରି ଆଣିଛନ୍ତି । ଲୁଗାକାନିରେ ବନ୍ଧା ହୋଇଛି ସେସବୁ । ନାମ ନେବେ ନଳିନୀ । କିନ୍ତୁ ମନ ଭିତରେ ପାପ ! କହିଲେ, ବାବା ଟିକିଏ ରହନ୍ତୁ, ମୁଁ ଟିକିଏ ବାହାରକୁ ଯାଇ ଆସୁଚି । ନଳିନୀ ବାହାରକୁ ଯାଇ କାନିରୁ ଗଣ୍ଠି ଖୋଲି ଅଇଁଠା କାଜୁ ବାଦାମ, ଖୁସ୍‌ମିସ୍ ତକ ଫିଙ୍ଗି ଦେଇ ଆସିଲେ । ବାବାଙ୍କ ପାଖରେ ବସିଲେ ।’’ଠାକୁରେ କେତେ ଯେ ହସିଲେ, ସେ କଥା ଅନୁଭବୀ ହିଁ ଜାଣେ । କିନ୍ତୁ ଆଶ୍ଚର୍ଯ୍ୟ ହେଲି ଠାକୁରେ ଚୋରକୁ ଧରା ନ ପକାଇ ଉପଦେଶ ପର୍ବ ଆରମ୍ଭ କଲେ ।’’

 

ଠାକୁର ଅଭିରାମ ପରମହଂସଙ୍କ ରାଜ୍ୟରେ ‘ଦୀକ୍ଷା’ ଶବ୍ଦର ଶବ୍ଦ ପ୍ରାୟ ଶୁଣାଯାଏନା । କିନ୍ତୁ ‘ଶିକ୍ଷା’ ଶବ୍ଦର ପ୍ରଚାର ଅଧୂକ । ମୁଁ ବନମାଳୀ ମହାପାତ୍ରଙ୍କ ନାଆଁ ଶୁଣିଥିଲି । କାରଣ ୧୯୩୯ ରେ ସେ ଯେଉଁ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ ମୁଁ ସେହି ସ୍କୁଲରୁ ୧୯୪୮ରେ ମାଟ୍ରିକ ପାସ୍‌ କରିଥିଲି । ବାଣପୁର ହାଇସ୍କୁଲ ଥିଲା ସେତେବେଳେ ସତ୍ୟବାଦୀ ସ୍କୁଲ ଭଳି ଏକ ବନବିଦ୍ୟାଳୟ । ଏ ପର୍ଯ୍ୟନ୍ତ ମୋର ମନରେ ଏକ ବନ୍ଧଧାରଣା ରହିଆସିଚି ଯେ ଏହି ସ୍କୁଲର ଛାତ୍ରମାତ୍ରେ ଚରିତ୍ରବାନ । ସେମାନଙ୍କ ଗୁରୁଭକ୍ତି ପ୍ରଗାଢ଼ । ବନମାଳିବାବୁ ୧୯୯୧ ‘ଖଣ୍ଡଗିରିଲୀଳା’ର ଏକ ପ୍ରବନ୍ଧରେ ପ୍ରଥମରୁ ଲେଖୁଛନ୍ତି–

 

ଗୁରୁଙ୍କୁ ନ ମଣିବ ନର

ଗୁରୁ ସ୍ଵୟଂ ପରମେଶ୍ଵର

 

ବନମାଳୀବାବୁଙ୍କ ସମସ୍ତ ସ୍କୁଲ ଶିକ୍ଷାଗୁରୁ ଓ ସ୍କୁଲର ପ୍ରତିଷ୍ଠାତା ଇହଲୀଳା ସମ୍ବରଣ କରି ସାରିଲେଣି । ବାକିଥିଲେ ପ୍ରଧାନଶିକ୍ଷକ ବି. ରଙ୍ଗନାଥନ୍ । ସିଏ ବି ୧୯୯୮ ସଂସାରରୁ ବିଦାୟ ନେଇଗଲେ । ସେମାନେ କ ପ୍ରକାରର ଗୁରୁ ଥିଲେ କେଜାଣି, ଦେଖିବାମାତ୍ରେ ଆପେ ଆପେ ମୁଣ୍ଡ ନଇ ଆସେ । ଭକ୍ତିରେ ଚକ୍ଷୁ ସଜଳ ହୋଇପଡ଼େ । ସମସ୍ତେ ଥିଲେ ଛାତ୍ରବତ୍ସଳ । ସେହିଭଳି ଅଭିରାମ ପରମହଂସ ଥିଲେ ଭକ୍ତବତ୍ସଳ । ବନମାଳୀବାବୁ ଲେଖୁଛନ୍ତି,’’୧୯୩୩ । ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ । ବୟସ ୧୩ବର୍ଷ । ଠାକୁରେ ନାନା ସ୍ଥାନରେ ଶିକ୍ଷାଦାନ କରୁଥାଆନ୍ତି । ଆମ ଘରପାଖ ଉପର ଧର୍ମାଗତପୁର ମୌଜାରୁ ବିପୁଳ ହରିବୋଲ ଧ୍ୱନି ମଧ୍ୟରେ କେନାଲ ପାର ହୋଇ ଆସିବା ପୂର୍ବରୁ କାଙ୍ଗାଳି ଗୋଚ୍ଛାୟତର ଅନ୍ତରବେଦନା ବୁଝିପାରି ଠାକୁରେ ଅଯାଚିତ ଭାବରେ ତାକୁ ଏକାକ୍ଷର ମନ୍ତ୍ର ଶିକ୍ଷା ଦେଇ ଶିଷ୍ୟମାନଙ୍କ ଗହଣରେ ଆଖପାଖ ଗାଁ ଗହଳିରେ ପଶି ଭକ୍ତମାନଙ୍କୁ’’ଖୋଜି ବୁଲୁଥାନ୍ତି ।’’ ଏ ଦୃଶ୍ୟ ସବୁ ଦେଖି ମୁଁ ଖୁବ୍ ଆନନ୍ଦ ଅନୁଭବ କଲି ଏବଂ ମୋ ମନ କ୍ରମଶଃ ଠାକୁରଙ୍କ ଆଡ଼କୁ ଢ଼ଳିପଡ଼ିଲା ।

 

ଏହି ‘ଢଳିପଡ଼ିବା’ଟା ଗୋଟିଏ ମୁହୂର୍ତ୍ତକୁ ଅପେକ୍ଷା କରିଥାଏ । ଏହାକୁ ଭାବପ୍ରବଣତା କୁହାଯାଇପାରେ କିମ୍ବା ସ୍ୱତଃ ସ୍ପନ୍ଦନର ସୌରଭ କୁହାଯାଇ ପାରେ ।

Image

 

ତୁମେ କଣ ମନୁଷ୍ୟ ?

 

ମୁକୁଣ୍ଡୁ ପୁତ୍ର ମାର୍କେଣ୍ଡୟ । ତାଙ୍କର ଆୟୁଷ ଥିଲା ମାତ୍ର ଷୋଳ ବର୍ଷ । ଏକଥା ତାଙ୍କ ପିତାମାତା ଜାଣିଥିଲେ । ଏତେ କମ୍ ବୟସରେ ସେମାନେ ପୁତ୍ରହରା ହୋଇ ପଡ଼ିବେ । ଏହି ଚିନ୍ତା ମୁକୁଣ୍ଡୁଙ୍କୁ ସବୁବେଳେ ଘାରୁଥିଲା । ସର୍ବଦା ବିଷଣ୍ଣ । ଏଡ଼େ ସୁନ୍ଦର ପୁଅ, ଅଳ୍ପ ବୟସରେ ବିଦ୍ୱାନ, ସର୍ବବିଧ ବିଦ୍ୟାର ଆଧାର ମାର୍କଣ୍ଡେୟ । ମାତ୍ର ଷୋଳଟା ବର୍ଷ ବଞ୍ଚିବ ! ପିତାମାତାଙ୍କୁ ଶୋକ ସାଗରରେ ଭସେଇ ଦେଇ ଚାଲିଯିବ ? କେଉଁ ବାପା ମାଆ ଧୈର୍ଯ୍ୟ ଧରିବ ? ଦିନେ ମାର୍କଣ୍ଡେୟ ବାପା ମାଆଙ୍କୁ ପଚାରିଲେ, ଇମିତି ସବୁବେଳେ ମୁହଁ ଶୁଖେଇ, ଆଖୁରୁ ଲୁହ ଗଡ଼େଇ ବସି ରହୁଚ କାହିଁକି ? ଭଲକରି ଗଣ୍ଡେବି ଖାଉନ ।

 

ପିତା ଅସଲ ରହସ୍ୟ ନ ଫିଟାଇ ରହି ପାରିଲେ ନାହିଁ । ସେତେବେଳକୁ ପୁଅକୁ ଷୋଳ ବର୍ଷ ପାଖେଇ ଆସିଥାଏ । ମାର୍କଣ୍ଡେୟ ସବୁ କଥା ଶୁଣିଲେ । ବାପା ମାଆଙ୍କୁ କହିଲେ, ଦୁଃଖ କରନି, ମୋ ମୃତ୍ୟୁ ର ପ୍ରତିକାର ମୋ ହାତରେ । ମୁଁ ଚାଲିଲି । ମାର୍କଣ୍ଡେୟ ଗଲେ ସ୍ଥାନୀୟ ଶିବ ମନ୍ଦିରକୁ । ସେ ଦି’ହାତରେ କୁଣ୍ଡେଇ ଧଇଲେ ଶିବ ଲିଙ୍ଗକୁ I ତାଙ୍କ ମୁହଁରୁ ଅବିଶ୍ରାନ୍ତ ଭାବରେ ଉଚ୍ଚାରିତ ହେଲା ଶିବ ସ୍ତୁତି ।’’ଓଁ ନମଃ ଶିବାୟ । ଓଁ ନମଃ ଶିବାୟ ।’’ ମୃତ୍ୟୁରାଜ ଯମ ଆସିଲେ କାଳପାଶ ଧରି ମାର୍କଣ୍ଡେୟଙ୍କୁ ବାନ୍ଧି ନେବା ପାଇଁ । ମାର୍କଣ୍ଡେୟ ତ ଶିବ ଲିଙ୍ଗକୁ ଜାବୁଡ଼ି ଧରିଛନ୍ତି । ଫାଶରେ ବନ୍ଧା ହେଲେ ଭକ୍ତ ଓ ଭଗବାନ ଉଭୟ । ଈଶ୍ୱର ଆବିର୍ଭୂତ ହେଲେ । ତାଙ୍କ ଚକ୍ଷୁର କାଳାଗ୍ନିରେ ଯମ ପୋଡ଼ିଜଳି ପାଉଁଶ ହୋଇଗଲେ ।

 

ଠାକୁରେ କହନ୍ତି, ଯିମିତି ହେଉ, ଥରେ ଯଦି ତାଙ୍କ ସହିତ ମିଶିଯିବ ଆଉ ବିଚ୍ଛେଦର ପ୍ରଶ୍ନ ଉଠିବନି । ଏ ମିଳନ ଲାଗି ପ୍ରେମ ହିଁ ଆଧାର । ସାଧନା କୁହ ବା ଆରାଧନା କୁହ... ଭଗବାନ ସହିତ ଏକାକାର ହୋଇଯାଅ । ଠିକ୍ ରାଧା ଓ ଗୋପାଙ୍ଗନାଙ୍କ ଭଳି ସମ୍ପୂର୍ଣ୍ଣ ଆତ୍ମସମର୍ପଣ । ଜୟପ୍ରକାଶଙ୍କ ଭାଷାରେ ଏହାହିଁ ସମ୍ପୁର୍ଣବିପ୍ଳବ । ବିଦ୍ଵାନ୍, ବିଦ୍ୟାଧର, ବିଦୂଷୀ ଅନେକ । ରାବଣ ଚଉଷଠି ବିଦ୍ୟାରେ ଥିଲା ପାରଦର୍ଶୀ I ଏ ସବୁ ବିଦ୍ୟା ବଳରେ ସେ କଠୋର ତପସ୍ୟା କଲା । ଯାଗଯଜ୍ଞ କଲା । ଦାନଧର୍ମ କଲା । କିନ୍ତୁ ଯାହାକୁ ‘ବିଦ୍ୟା’ କୁହାଯାଏ ଅର୍ଥାତ୍ ନିଜର ଆତ୍ମପରିଚୟ, ସେତକ ସେ ହାସଲ କରି ନ ଥିଲା I କହୁଥିଲା ଯାହା, ତାହା କରୁ ନ ଥିଲା । ତଥାକଥା ବିଦ୍ୟା ଭକ୍ଷଣ କରି କରି ତା’ର ଅଜୀର୍ଣ୍ଣ ହୋଇ ପଡ଼ିଲା । ଫଳରେ ଇନ୍ଦ୍ରିୟଗୁଡ଼ିକଦ୍ୱାରା ବଶୀଭୂତ ହୋଇ ନାନା ଅକର୍ମ କରିବାରେ ଲାଗିଲା । ଶ୍ରୀରାମଙ୍କଠି ମଧ୍ୟ ଥିଲା ଚଉଷଠି ବଦ୍ୟା । କିନ୍ତୁ ସେ ତାଙ୍କର ବିଦ୍ୟାକୁ ଭଲ ଦିଗରେ ପ୍ରୟୋଗ କରୁଥିଲେ । ଏହାହିଁ ଥିଲା ରାମ ରାବଣଙ୍କ ମଧ୍ୟରେ ପାର୍ଥକ୍ୟ ।

 

ଥରେ ଗୋପୀକାମାନେ ଶ୍ରୀକୃଷ୍ଣଙ୍କୁ କହିଲେ, ତୁମର ଦୁଷ୍ଟାମି ଯୋଗୁଁ, ଯଶୋଦା ତୁମକୁ ଦୌଡ଼ିରେ ବାନ୍ଧି ପକାଉଚନ୍ତି, ତୁମେ ଦଉଡ଼ି ଛିଣ୍ଡାଇ ଏଠିକି ସେଠିକି ଦଉଡ଼ୁଚ, ଲୁଚିବା ପାଇଁ । ଆମେମାନେ ତୁମ ପାଇଁ ଇମିତି ଗୋଟିଏ ଜାଗା ବାଛିବୁ–ସେ ଜାଗାକୁ ନନ୍ଦ ଯଶୋଦା କଣ କେହି ଯାଇ ପାରିବେ ନାହିଁ । ସେ ଜାଗାଟି ହେଉଚି ଆମମାନଙ୍କ ‘ହୃଦୟ’ । ଅତି ପରିଷ୍କାର । ତୁମ ଦେହରେ ଧୂଳିମଳି ଲାଗିବ ନାହିଁ । ଲଜ୍ଜା ବୋଲି ଯେଉଁ ଧୂଳି କଣିକା ଟିକକ ଥୁଲା, ବସ୍ତ୍ରହରଣ ବେଳେ ସେ ଟିକକ ମଧ୍ୟ ପୋଛି ହୋଇ ଯାଇଚି । ସେତକ ମଧ୍ୟ ତୁମକୁ ଦେଇ ଦେଉଚୁ ।

 

 

ଠାକୁର ଅଭିରାମ ପରମହଂସଙ୍କ ‘ପ୍ରେମ କଲ୍ଲୋଳ’ର ବିଭିନ୍ନ କବିତାରେ ଏହି ଭାବ ପ୍ରକଟିତ । ଜନୌକାବାବା ବାବା ବୈକୁଣ୍ଠ ନାଥ, ଠାକୁରଙ୍କ ବାଣୀ ଅଧିକ ପ୍ରାଞ୍ଜଳ କରି କହିଛନ୍ତି–

 

‘କର୍ମ କ୍ଷେତ୍ରକୁ ଯିବା ପୂର୍ବରୁ ଭଗବାନଙ୍କୁ ଜଣାଇ କାର୍ଯ୍ୟ ଆରମ୍ଭ କର । ପ୍ରାର୍ଥନାରେ ବସି ତରତର ହୋଇ କାମ ସାରିଦେବା ଭଳି ଉଦ୍ୱେଗ ସୃଷ୍ଟି କର ନାହିଁ । ଶୀଘ୍ର ଘରକୁ ଯିବି, ଗାଈ ଖାଇନି, ଷଣ୍ଢ ବିଲରେ ପଶି ଧାନ ଖାଇଯିବଣି, ଏସବୁ ଚିନ୍ତାକୁ ମନରେ ସ୍ଥାନ ଦିଅନି । ମନରୁ ମଇଳା କୁଭାବନାଗୁଡ଼ାକୁ ପଦାରେ ପକାଇ ପ୍ରାର୍ଥନା କର ଯେପରି ତାଙ୍କ ଭାବନାରେ ଭାବିତ ହୋଇ ଘଟ ଚୂନା ହୋଇଯିବ । ପାତ୍ର ଫୁଟା ଥଲେ ଯେପରି ଛିଦ୍ରବାଟେ ଜଳ ବାହାରି ଆସି ଶୂନ୍ୟ ହୋଇଯାଏ, ମନ ଭିତରେ କୁଭାବନା ରୂପକ ଛିଦ୍ର ବାଟେ ସବୁ ସାଧନା ହୃଦୟ ମଧ୍ୟରୁ ବାହାରିଯିବ । ଦୋମୁହାଁ ଛୁଞ୍ଚିରେ ଯେପରି ଲୁଗା ସିଲେଇ ହୁଏନି, ସେହିପରି ମନରେ ଅନ୍ୟ ଭାବନା ରଖି ପ୍ରାର୍ଥନା କଲେ ଲୟ ସ୍ଥିର ହୁଏନା । ତେଣୁ ଯାହା ସୁସ୍ଥ ମନ ଏବଂ ସ୍ଥିର ଚିତ୍ତରେ ଶପଥ ନେବ, ତାହାକୁ କାର୍ଯ୍ୟରେ ପରିଣତ କଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ।’’

 

ଗୋପଲଳନା ମାନେ ଶ୍ରୀକୃଷ୍ଣଙ୍କୁ ଯେଉଁ ‘ହୃଦୟ’ ଭିତରେ ଲୁଚି ରହିବାକୁ କହିଛନ୍ତି, ସେହି ‘ହୃଦୟାସନ’ ସମ୍ପର୍କରେ ବହୁ ସାଧୁ ସନ୍ଥ ଓ କବି ନାନା ବର୍ଣ୍ଣନା କରିଛନ୍ତି ଆବହମାନ କାଳରୁ । ଠାକୁର ଅଭିରାମ ପରମହଂସ ମଧ୍ୟ ‘ଭକ୍ତି କଲ୍ଲୋଳ’ରେ କହିଛନ୍ତି–

 

ମୋ ହୃଦ କନ୍ଦରେ ଖେଳୁଚ ଯେପରି ।

ଜଗତର ଜୀବ ହୃଦେ ସେହିପରି ॥

କାହାକୁ କରିବି, ପର ଆପଣାର ।

ସବୁଠାରେ ତୁମ୍ଭେ ମୋ ହୃଦୟ-ହାର ॥

ଭୟ ମୁଁ କରିବି ମୁଁ କାହାଠାରେ ।

ହୃଦ ବିଧାତା ତୁ ନାହୁଁକି ସେଠାରେ ?

 

ଥରେ ଜଣେ ଭକ୍ତ ତୈଲଙ୍ଗ ସ୍ୱାମୀଙ୍କୁ ପ୍ରଶ୍ନ କଲେ, ଦରିଦ୍ର କିଏ ? ସ୍ୱାମିଜୀ ଉତ୍ତର ଦେଲେ, ଯାହାର ହୃଦୟରେ ଭଗବାନ ମୁହୂର୍ବେ ସୁଦ୍ଧା ରହିବାକୁ ଚାହିଁ ନଥାଆନ୍ତି, ସେହି ଲୋକହିଁ ଦରିଦ୍ର । କାରଣ ଏପରି ଲୋକର ହୃଦୟରେ ‘ପ୍ରେମ’ ନ ଥାଏ । ମନୁଷ୍ୟ ଅନବରତ ଖୋଜିବାରେ ଲାଗିଥାଏ, ଧନସମ୍ପଦ । ଧନସମ୍ପରେ ଘର ଭରପୂର ହୋଇ ଯିବାପରେ, ଏହି ସଂମ୍ପଦ ହିଁ ତାକୁ ପ୍ରଶ୍ନ କରିଥାଏ’’ତୁ କଣ ମନୁଷ୍ୟ ! ”‘ କାରଣ ମୁଁ ତୋ ପାଖକୁ ଆସିଚି କେବଳ ଏହି ପ୍ରଶ୍ନଟି ପଚାରିବା ପାଇଁ ? ଅଳ୍ପ ସମୟ ରହି ଦେଖିଲି, ତୁ ମନୁଷ୍ୟ ନୁହଁ, ଅମନୁଷ୍ୟ । ତେଣୁ ମୁଁ ଚାଲିଯାଉଚି । ତୁ ମନୁଷ୍ୟ ହେବାଲାଗି ଯୋଗ୍ୟ ବିବେଚିତ ହେଲେ, ଫେରିଆସିବି । ତୁ ମନୁଷ୍ୟ ଭଳି ଅନ୍ୟ ସବୁ କାର୍ଯ୍ୟ କରୁଥିଲେ ମଧ୍ୟ ତୋ’ ଆଚରଣ ମନୁଷ୍ୟ ସୁଲଭ ନୁହଁ । ଆଗରୁ ଥଲୁ, ଏବେ ନାହୁଁ ।

 

ଗୋଟିଏ ରାଜ୍ୟର ରାଣୀ ମରିବା ପୂର୍ବରୁ ତାଙ୍କ ରାଜାଙ୍କୁ କହିଥିଲେ, ମୁଁ ମରିବା ପରେ ମୋ କବର ଉପରେ ଆଙ୍କିଦେବ–‘ଏ କବର ଭିତରେ ଅସୁମାରି ଧନରତ୍ନ ପୋତା ହୋଇଚି, ଯିଏ ଦୁର୍ବଳ, ଦରିଦ୍ର ସେ କେବଳ କବର ଖୋଲିଲେ ପାଇ ପାରିବ ।’’ ରାଣୀଙ୍କୁ ସମାଧି ଦିଆଗଲା । ପରେ ହଜାର ହଜାର ଦରିଦ୍ର ନରନାରୀ ଏଠାକୁ ଆସିଲେ । ସମସ୍ତେ ରାଣୀଙ୍କୁ ଭଲ ପାଉଥିଲେ । କବରକୁ ଯାଇ ସମସ୍ତେ ଶ୍ରଦ୍ଧାସୁମନ ଅର୍ପଣ କଲେ । କିନ୍ତୁ କେହି ହେଲେ ଭୁଲ୍ କିମ୍ବା ଲୋଭରେ ଇଚ୍ଛା କଲେ ନାହିଁ, କବର ଖୋଳିବା ପାଇଁ, ଖୋଲାଖୋଲି ଭାବରେ କିମ୍ବା ଗୋପନରେ । ଇମିତି ବର୍ଷ ପରେ ବର୍ଷ ଗଡ଼ି ଚାଲିଲା । ଲୋକେ ରାଣୀଙ୍କୁ ଭୁଲିଗଲେ । କିନ୍ତୁ ସାଇନବୋର୍ଡର ଲେଖାକୁ ଭୁଲି ପାରିଲେ ନାହିଁ । ସାଇବୋର୍ଡର ଲେଖା ମଧ୍ୟ କ୍ରମଶଃ ଅସ୍ପଷ୍ଟ ହୋଇ ପଡ଼ିଲା । ଦିନେ ଗୋଟିଏ ବୁଢ଼ା ଭିକାରୀ ଆସିଲା । ସେ ବର୍ଷ ବର୍ଷ ଧରି କବର ପାଖରେ ଗୋଟିଏ ପିଣ୍ଡି କରି ବସିରହିଲା । ତା’ର କାର୍ଯ୍ୟ ହେଲା, ସେ ବାଟରେ ଯିଏ ଯାଉଥିଲା, ତାକୁ ସାଇନବୋର୍ଡ଼କୁ ଦେଖାଇବା । କଣ ଲେଖା ହୋଇଚି, ଭଲଭାବରେ ବୁଝାଇବା । କିନ୍ତୁ କେହି ହେଲେ କବର ଖୋଳିବା ପାଇଁ ଆଗ୍ରହୀ ହେଲେ ନାହିଁ । ଦିନେ ଏପରି ଜଣେ ବ୍ୟକ୍ତି ଆସିଲେ, ଯିଏ ଥୁଲେ ଅତ୍ୟନ୍ତ ଧନୀ ! ସେ ଲୋଭ ସମ୍ଭାଳି ପାରିଲେ ନାହିଁ । କବର ଖୋଳିବା ପାଇଁ ବ୍ୟାକୁଳ ହେଲେ । ଏ ବ୍ୟକ୍ତି ଜଣକ ଥିଲେ ଏକ ବିରାଟ ରାଜ୍ୟର ସମ୍ରାଟ । କବର ଖୋଳିଲେ । ଧନରତ୍ନ ତ ପାଇଲେ ନାହିଁ, ପାଇଲେ ଏକ ପଥର । ଏ ପଥର ଉପରେ ମାତ୍ର ଆଠଟି ଅକ୍ଷର ଖୋଦେଇ ହୋଇଥିଲା । ‘ବନ୍ଧୁ ! ତୁମେ କଣ ମନୁଷ୍ୟ ?’’ ସମ୍ରାଟ ଏତକ ପଢ଼ିଲେ, କେବଳ ନିରାଶ ହେଲେନି, ଅପମାନିତ ହେଲେ, ଲଜିତ ହେଲେ ।

 

ବର୍ଷ ବର୍ଷ ଧରି ସେଠି ରହୁଥ‌ିବା ଭିକାରୀ ବୁଢ଼ା ଠୋ ଠୋ ହସିଲା । ଉପସ୍ଥିତ ଲୋକଙ୍କୁ କହିଲା–‘ମୁଁ ବର୍ଷ ବର୍ଷ ଧରି ଏଠି ଅପେକ୍ଷା କରି ରହିଥିଲି... ପୃଥ‌ିବୀର ଦରିଦ୍ରତମ, ନିର୍ଜନକୁ ଦର୍ଶନ କରିବି ବୋଲି । ଆଜି ଦେଖିଲି । ମୋ ଜୀବନ ସାର୍ଥକ ହେଲା ।’’

Image

 

ଭାଗ୍ୟବତୀ ହୃଦୟବତୀ

 

ରାଜମହଲ । ପ୍ରଜାଙ୍କ ଲାଗି ସାହାଣ ମେଲା l ଅଭାବ, ଅଭିଯୋଗ ଜଣାଇବା ଲାଗି ଲୋକଙ୍କ ଧାଡ଼ି ଲମ୍ବିଛି । ଲୋକଙ୍କ ଭିତରେ ଅଛନ୍ତି ଜଣେ ଫକୀର । ହାତରେ ଭିକ୍ଷାପାତ୍ର । ରାଜାଙ୍କ ପାଖରେ ପହଞ୍ଚିଲେ I ରାଜା କହିଲେ, ଯାହା ମାଗୁଛ ମାଗ । ଦେବାକୁ ପ୍ରସ୍ତୁତ । ଆଜି ଏ ପର୍ଯ୍ୟନ୍ତ କେହି ଭିକ୍ଷା ମାଗି ନଥୁଲେ, ତୁମେ ପ୍ରଥମ । ଫକୀର କହିଲେ, ଏ ପାତ୍ରରେ ସ୍ଵର୍ଣ୍ଣମୁଦ୍ରା ଭର୍ତ୍ତି କରିଦିଅ । ଛୋଟ ପାତ୍ରଟିଏ । ରାଜା ଭାବିଲେ, ଅଳ୍ପ ସୁନାରେ ଭର୍ଜି ହୋଇଯିବ । କିନ୍ତୁ ଯେତେ ସ୍ଵର୍ଣ୍ଣ ମୁଦ୍ରା ଢ଼ାଳିଲେ ମଧ୍ୟ ପାତ୍ର ଖାଲି । ରାଜା ଭାବିଲେ, ଏ ପାତ୍ର ପଛରେ ନିଶ୍ଚୟ କିଛି ଜାଦୁ ବା କୁହୁକ ରହିଛି । ଫକୀର କହିଲେ, କୌଣସି କୁହୁକ ନାହିଁ ମହାରାଜ ! ଖାଲି ଏତିକି କହିଦିଅ, ‘ଭିକ୍ଷାପାତ୍ରକୁ ଭର୍ତ୍ତି କରିବା ଲାଗି ମୁଁ ଅକ୍ଷମ ।’’ ଏତିକି କହିଦେଲେ, ମୁଁ ଫେରିଯିବି । ଅନ୍ତତଃ ଲୋକେ ଏତିକି ତ ଜାଣିବେ, ମହାରାଜ ନିଜ ପ୍ରତିଶ୍ରୁତି ରକ୍ଷା କରିପାରିଲେ ନାହିଁ । ମହାରାଜା ବ୍ୟସ୍ତ, ବିଚଳିତ । ତାଙ୍କର ସ୍ଵର୍ଣ୍ଣଭଣ୍ଡାର ଶେଷ; କିନ୍ତୁ ଫକୀରଙ୍କ ପାତ୍ର ଖାଲି ।

 

ଶେଷରେ ରାଜା ନିଜର ଅକ୍ଷମତା, ଦୀନତା ପ୍ରକାଶ କଲେ । କହିଲେ, ଏ ଏକ ଅଦ୍ଭୁତ ପାତ୍ର । ଅସାଧାରଣ । ଅସାଧାରଣର ରହସ୍ୟ କଣ ?

 

ଫକୀର ହସିଲେ । କହିଲେ, ବିଶେଷ କୌଣସି ରହସ୍ୟ ନାହିଁ । ଏ ପାତ୍ରଟି ମନୁଷ୍ୟର ହୃଦୟରେ ତିଆରି । ଏତିକି ମାତ୍ର ରହସ୍ୟ ହେଉଛି ମଣିଷର ହୃଦୟକୁ କେହି କେବେ ଭର୍ତ୍ତିକରି ନପାରେ । ଧନ, ପଦପଦବୀ, ଜ୍ଞାନ ଯାହା ଯେତେ ରହିଛି ସବୁ ଆଣି ଭରିଲେ ମଧ୍ୟ ଖାଲି କି ଖାଲି । ଏହି ଟିକକ ସତ୍ୟକୁ ନ ଜାଣି ପାରୁଥିବାରୁ ମଣିଷ ଯେତେ ପାଏ, ସେତିକି ସେ ଦୀନ ଦରିଦ୍ର । ଭଗବାନ ‘ହୃଦୟ’ ବୋଲି ଯେଉଁ ଜିନିଷଟିକି ତିଆରି କରିଛନ୍ତି, ତାକୁ କାମନା, ବାସନାରେ ଭରପୂର କରିବା ପାଇଁ ନୁହଁ, ପରମାତ୍ମାଙ୍କୁ ବସେଇ ରଖିବା ପାଇଁ ।

 

ତେଣୁ କୁମାରୀ ଭାଗ୍ୟବତୀ ଠାକୁର ଅଭିରାମ ପରମହଂସଙ୍କ ରଚନାରୁ ଉଦ୍ଧାର କରି ତଥାକଥି ବ୍ରାହ୍ମଣ ପଣ୍ଡିତମାନଙ୍କୁ ପଚାରିଥିଲା, ଚାରିବେଦର ଘର କେଉଁଠି ?

 

କହ ହେ ବ୍ରାହ୍ମଣ ପଣ୍ଡା ପଚାରୁଚୁ ଆମ୍ଭେ

ଚାରି ବେଦ ଘର ଜାଣଟିକି ତୁମ୍ଭେ ?

ତ୍ରିସନ୍ଧ୍ୟା ଗାୟତ୍ରୀ ତୁମ୍ଭ କେଉଁଠାରେ ସ୍ଥିତି ?

‘ବ୍ରାହ୍ମଣ’ ଶବ୍ଦ ତୁମ୍ଭର କାହୁଁ ଉତ୍ପରି ?

କାହିଁ ତୁମ୍ଭ ପିତାମାତା କାହିଁ ତୁମ୍ଭ ଘର ?

କେବଳ ଦେବତା ଦ୍ୱିଜ ! ପୂଜ ନିରନ୍ତର ?

 

ଏ ଭାଗ୍ୟବତିଟି କିଏ ? ବାବାଜୀ ଶ୍ରୀରବିନାରାୟଣ ବାସ ‘ଭାଗ୍ୟବତୀର ଭାଗ୍ୟ’ ଶୀର୍ଷକ ଲେଖାରେ (ଶରଣଦ, ଦ୍ୱାଦଶ ବର୍ଷ, ଦ୍ୱିତୀୟ ସଂଖ୍ୟା, ୧୯୮୦) ଉଲ୍ଲେଖ କରିଛନ୍ତି–

 

‘‘ଭାଗ୍ୟବତୀ (ସେତେବେଳେ) ମାତ୍ର ଛଅବର୍ଷର ବାଳିକା । କିନ୍ତୁ ଜ୍ଞାନରେ ପ୍ରବୀଣା । ବୁଦ୍ଧିରେ ବିଚକ୍ଷଣା । ସୁଠାମ ତନୁ । ସ୍ଥିର ଅପଲକ ଦୃଷ୍ଟି । ସୁସଂଯତ ଆଚରଣ । ସତେ କି ଜଣେ ବହୁକାଳର ସାଧିକା ‘ଓଲକଣାର ସାଧୁବାବାଜୀ ଓ ସଖୀମାତା ଯେତେବେଳେ ସନ୍ନ୍ୟାସ ନିଅନ୍ତି, ଏକମାତ୍ର କନ୍ୟା ଭାଗ୍ୟବତୀ ସେଠାରେ ଥିଲା । ଏ ଦୁହିଁଙ୍କ ଗୃହତ୍ୟାଗ ପୂର୍ବରୁ ଠାକୁରଙ୍କ ଭ୍ରମଣ ବେଳରେ ସେ ମିଶିଗଲା । ପିତାମାତାଙ୍କୁ କହିଲା, ମତେ ଯଦି ନଛାଡ଼, ମୁଁ କୂଅକୁ ଡେଇଁ ପଡ଼ିବି । ଏଥରେ ସନ୍ଦେହ ନାହିଁ । ତେଣୁ ତିନିହିଁଙ୍କ ମଧ୍ୟରୁ ପ୍ରଥମେ ଠାକୁରଙ୍କ ଗହଣକୁ ଆସିଥିଲା ଭାଗ୍ୟବତୀ ।’’

 

‘‘କଟକ ଜିଲ୍ଲା ଭ୍ରମଣବେଳେ ପ୍ରତିସଂଧ୍ୟାରେ ଧର୍ମସଭା ହୁଏ । ଠାକୁରେ ଅଧ୍ୟାତ୍ମ ଆଲୋଚନା କରନ୍ତି । ଭାଗ୍ୟବତୀ ଖାଲି ଏଥ‌ିରେ ଭାଗ ନିଏ ନାହିଁ, ବ୍ରାହ୍ମଣମାନଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରି ପକାଏ । ସ୍ମୃତି ତା’ର ପ୍ରଖର । ଠାକୁରଙ୍କ ମୁଖରୁ ଥରେ ଶୁଣିବାମାତ୍ରେ ସବୁ ମନେ ରହିଯାଏ ଭାଗ୍ୟବତୀର ।

 

ଭାଗ୍ୟବତୀ କେବଳ ପ୍ରଶ୍ନ କରେ ନାହିଁ, ତାର ଉତ୍ତର ମଧ୍ୟ ଦିଏ । ସୂକ୍ଷ୍ମ, ସରଳ ଭାବରେ । ମାତ୍ର ଛଅବର୍ଷ ବୟସର ଏଇ ସାମାନ୍ୟ ବାଳିକା । ତା’ଠି ଭକ୍ତି ଓ ଶକ୍ତି–ଅସାମାନ୍ୟ ପ୍ରତିଭାର ସ୍ଫୁରଣ । ସନ୍ନ୍ୟାସୀମାନେ ଚକିତ, ଆଚମ୍ବିତ । ଭାବନ୍ତି, ଭାଗ୍ୟବତୀ ଐଶୀଶକ୍ତି ନେଇ ଆସିଚି ଠାକୁରଙ୍କ ସେବା କରିବା ପାଇଁ ।

 

ଭାଗ୍ୟବତୀ ଦିନେ ଠାକୁରଙ୍କୁ ଜଣାଇଲା, ମୁଁ ଅତି ଛୋଟ । ଆପଣଙ୍କ ସହିତ ଗାଁକୁ ଗାଁ ବାଟ ଚାଲି ପାରୁନାହିଁ । ତେଣୁ ଏ ଘଟ ବଦଳାଇ ଅନ୍ୟ ଏକ ଘଟ ଧରି ଆସିବି–ଅନ୍ତତଃ ଷୋଳ ସତର ବର୍ଷର ବାଳିକା ରୂପରେ ।

 

ଠାକୁରଙ୍କ ଓଠରେ ସ୍ମିତ ହାସ୍ୟ । ନୀରବ ରହିଲେ ସେ । ଗମ୍ଭୀର ହୋଇ ଉଠିଲା, ସେ ଦିନର ବାତାବରଣ । ସନ୍ନ୍ୟାସୀମାନେ ଭାବିଲେ, ସତରେ ଭାଗ୍ୟବତୀ କଣ ଏ ଦେହ ଛାଡ଼ି ଚାଲିଯିବାକୁ କହୁଚି ? ଅଳ୍ପ କେତେଦିନ ପରେ... । ଠାକୁରେ ଏ ଗାଁରୁ ସେ ଗାଁକୁ ବୁଲୁଛନ୍ତି । ଧର୍ମୋପଦେଶ ଦେଉଚନ୍ତି । ଗୋବରୀ ନଦୀ କୂଳରେ ସେ ଦିନ ସେ ଗୋଟିଏ ଗାଁରେ ରହିଲେ । ଭାଗ୍ୟବତୀକୁ ଜର ହୋଇଗଲା । ଶଯ୍ୟାଶାୟୀ ହୋଇ ପଡ଼ିଚି । ଠାକୁରଙ୍କ ସହିତ ଯା’ଆସ କରୁଚି । ସେଦିନ ସଂଧ୍ୟା ଆରତି । ବାବାଜୀଙ୍କ ଭିତରେ ବସିଚି ଭାଗ୍ୟବତୀ । ଚାହିଁ ରହିଛି ଠାକୁରଙ୍କ ମୁହଁକୁ । ଆଖୁର ପଲକ ପଡ଼ୁନି । ଭାଗ୍ୟବତୀ ହଠାତ୍‌ ଢଳି ପଡ଼ିଲା । ବାବାଜୀମାନେ ଭାବିଲେ, ଜର ଟିକିଏ ହୋଇଥଲା, ବୋଧହୁଏ ବେହୋସ ହୋଇଗଲା । ମଞ୍ଚ ଉପରୁ ଠାକୁରେ କହିଉଠିଲେ, ଭାଗ୍ୟବତୀ ଆଉ ନାହିଁ ।’’

 

ପରିବେଶ ଶୋକାଚ୍ଛନ୍ନ ହୋଇ ପଡ଼ିଲା । ଠାକୁରେ କହିଲେ, ଭାଗ୍ୟବତୀକି ଦାହ କରନି । ଗୋବରୀ ନଦୀରେ ଭସେଇ ଦେଇ ଆସ । ବାବାଜୀମାନେ ସେୟା କଲେ । ଦିନେ ଗଲା, ଦୁଇଦିନ ଗଲା I ତିନିଦିନ ଗଲା I ଭାଗ୍ୟବତୀ ଯେଉଁଠି ଭାସୁଥିଲା, ସେଇଠି । ଦେହ ସଢ଼ିପଚି ଯାଇନି । ଗାଁ ଲୋକେ ଠାକୁରଙ୍କୁ ପଚାରିଲେ, ଭାଗ୍ୟବତୀ ଭାସି ନ ଯାଇ, ଯେଉଁଠି ଥିଲା, ସେଠି ପଡ଼ିରହିଛି କିପରି ଓ କାହିଁକି ? ଠାକୁରେ କହିଲେ, ତା’ ଜନକ ଜନନୀ(ମା ବାପା) ଆସି ନାହାଁନ୍ତି । ସେମାନେ ଆସିବା ପର୍ଯ୍ୟନ୍ତ, ସେ ସେଇଠି ଅକ୍ଷତ ଅବସ୍ଥାରେ ଅପେକ୍ଷା କରି ରହିଥ‌ିବ ।

 

ଠାକୁରେ ଥାଆନ୍ତି ଛୋଟିପଡ଼ାରେ । ଭାଗ୍ୟବତୀର ମା, ବାପା (ସାଧୁବାବାଜୀ ଓ ସଖୀମାତା) ସ୍ଵପ୍ନାଦେଶ ପାଇ ଆସିଲେ । ଠାକୁରେ କହିଲେ, ଅତି ଶୀଘ୍ର ଯାଇ ତୁମ ଝିଅଟିକୁ ମୋ ପାଖକୁ ନେଇଆସ । ମା’ ବାପା କହିଲେ, ଆମେତ ଠାକୁରଙ୍କୁ ଦେଇଛୁ, ସେଥିରେ ଆମର ଅଧିକାର ନାହିଁ । ଠାକୁରେ କହିଲେ, ଝିଅଠି ଯଦି ଶ୍ରଦ୍ଧା ଅଛି, ଯାଅ, ଦେଖି ଆସ । ତୁମ ଅପେକ୍ଷାରେ ପାଞ୍ଚଦିନ ହେଲାଣି ଗୋବରୀ ନଈ ଭିତରେ ସେ ରହିଛି । ଝିଅର ବାପା ସାଧୁବାବା ଗଲେନି । ପରଦିନ ଦେଖାଗଲା, ଭାଗ୍ୟବତୀ ଆଉ ନାହିଁ । ଲୋକେ ବହୁତ ଖୋଜିଲେ, ଚିହ୍ନବର୍ଷ ସୁଦ୍ଧା ପାଇଲେ ନାହିଁ । ଠାକୁରେ କହିଲେ, ଭାଗ୍ୟବତୀ ତା’ମା ବାପାଙ୍କୁ ଅପେକ୍ଷା କରି ରହିଥିଲା ଏମାନେ ଆସିଲେ, ସେ ଚାଲିଗଲା । ଯେତେ ଖୋଜିଲେ ବି ତା’ର ଅସ୍ଥି ଟିକିଏ ସୁଦ୍ଧା କେହି ପାଇବ ନାହିଁ । ବାସ୍ତବରେ ଭାଗ୍ୟବତୀ । ଥିଲା ହୃଦୟବତୀ ! ତା’ ହୃଦୟରେ କେବଳ ଥିଲେ ଠାକୁରେ ! ପରମାତ୍ମା !

Image

 

ସାତପଦ ପରମ ସମ୍ପଦ

 

ନାଆଁଟି ସିନା ‘ଖଣ୍ଡଗିରି’ । ଇଏ ଅଖଣ୍ଡଗିରି । ଅଖଣ୍ଡମଣ୍ଡଳାକାରଙ୍କ ପୀଠ । ଚରାଚର ବ୍ୟାପ୍ତ । ସର୍ବଧର୍ମର ସମନ୍ବୟ ଏଇଠି । ବହୁ ସାଧୁ ସନ୍ଥ ମହାପୁରୁଷଙ୍କ ଆସ୍ଥାନ ଯୁଗଯୁଗ ଧରି । ଇତିହାସ ମଧ୍ୟ ଏହାକୁ ମାପି ପାରେନା । ଅମାପ । ଅପ୍ରମେୟ । ଧ୍ୟାନ, ଯୋଗ, ଯାଗ, ଯଜ୍ଞ, ତପସ୍ୟା, ସାଧନା, ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ଶାସ୍ତ୍ର, ବେଦ, ଉପନିଷଦ,ଗୀତା, ଭାଗବତ, ବ୍ରହ୍ମଜ୍ଞାନ ଆଦି ସମସ୍ତ ଆଧ୍ୟାତ୍ମିକ ଶବ୍ଦରେ ଏ ପୀଠ ସତତ ନିନାଦିତ । ସାଧାରଣ ଭିତରେ ଅସାଧାରଣ, ବିଶେଷ ଭିତରେ ସବିଶେଷ, ସୀମା ଭିତରେ ଅସୀମ । ନାନା କିମ୍ବଦନ୍ତୀକୁ ବହନ କରି ଖଣ୍ଡଗିରି ସର୍ବଦା ଆନନ୍ଦମୁଖର ।

 

ଠାକୁର ଅଭିରାମ ପରମହଂସ ତାଙ୍କର ନାନା ରଚନାରେ ଏହି ଖଣ୍ଡଗିରିର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି । ଏ ବର୍ଣନା ଯେପରି ତାତ୍ତ୍ଵିକ, ସେହିଭଳି ହୃହୟସ୍ପର୍ଶୀ । ସନାତନ ଗୀତା, ଅମୃତ ଗୀତା, ଦୁର୍ଗାମାଧବ ସ୍ତବ, ସାର ନବବୋଲି, ଗୀତ ଗୋଲକ ଆଦି କବିତାରେ ‘ଖଣ୍ଡଗିରି’କୁ ସେ ବହୁ ଉଚ୍ଚସ୍ଥାନ ଦେଇଛନ୍ତି । ‘ଖଣ୍ଡଗିରି’ ମାହାତ୍ମ୍ୟ ମାଧ୍ୟମରେ ସେ କେତେକ ଭବିଷ୍ୟତବାଣୀ ମଧ୍ୟ ଶୁଣାଇଛନ୍ତି ।

 

ଭକ୍ତ ଲକ୍ଷ୍ୟ ଦେଇ ବୁଝାଇବା ତୋତେ

ଯେପରି ଯିବୁ ପରତେ,

ଭକ୍ତ ଲକ୍ଷ୍ୟ ଦେଇ ନିକଟ ଯେ ସ୍ଥାନ

ଖଣ୍ଡଗିରି ପରବତେ ।

ସିଦ୍ଧ ସାଧୁଙ୍କର ଆଶ୍ରମ ସେଠାରେ

ଶୁଣ ବିନତା ନନ୍ଦନ,

ଭକ୍ତମାନେ ତହିଁ ଗୋଷ୍ଠୀ ହୋଇ କରି

କରନ୍ତି ନାମ କୀର୍ତ୍ତନ ।

 

(ଅମୃତରୀତା)

 

ଖଣ୍ଡଗିରି-ଆନନ୍ଦଗିରି । ଶାନ୍ତଗିରି । ଠାକୁରେ ଏଇଠି ତାଙ୍କର ଆନନ୍ଦ ଧାମ, ଶାନ୍ତିଧାମ ପ୍ରତିଷ୍ଠା କରିବା ଲାଗି ପରିକଳ୍ପନା କରିଥିଲେ । କିନ୍ତୁ ମା’ ରାଧାଦେବୀ ପୁଅକୁ ହାତଛଡା କରିବାକୁ ଚାହିଁଲେ ନାହିଁ । କହିଲେ ‘ବିନୋରି ! ( ଅଭିରାମଙ୍କ ଡାକ ନାଆଁ) ତୁ ସବୁବେଳେ ମୋ ପାଖରେ ରହିବୁ ।’’ ତେଣୁ ସେ ନିଜ ଗାଁ କରମଳାରେ ହିଁ ଆଶ୍ରମ କରି ରହିଥିଲେ । କିନ୍ତୁ ଜଣେ ଭକ୍ତକୁ କହିଥିଲେ, ମୋର ଇଚ୍ଛା ଥିଲା ଖଣ୍ଡଗିରିରେ ଆଶ୍ରମ କରି ସେହି ପୁରାଣ ପ୍ରସିଦ୍ଧ ଦେବସ୍ଥଳୀ ତଥା ସାଧୁସନ୍ଥମାନଙ୍କ ଲୀଳାସ୍ଥଳୀରେ ତୁମ୍ଭମାନଙ୍କ ଗହଣରେ ଦିନ କାଟିବି । କିନ୍ତୁ ମାଆଙ୍କ ଇଚ୍ଛାକୁ ଲଂଘନ କରିପାରିଲି ନାହିଁ ।

 

‘‘ସନାତନ ଗୀତା’’ରେ ଠାକୁରେ ଯେଉଁ ସାତପଦ ଗାଇ ଯାଇଚନ୍ତି, ତାହା ଅମୃତମୟୀ । ଆନନ୍ଦମୟୀ । ପ୍ରଥମ ପଦ–

 

ସେହି କ୍ଷେତ୍ରଜ୍ଞଟି ଜୀବ ଆତ୍ମା ବୋଲି

ନାମ ତା’ର ଅଭିରାମ ।

ଶ୍ୟାମ, ଦାମ, ଆଦି ବହୁ ନାମ ତା’ର

ନୁହେଁ ସେ ପୁରୁଷୋତ୍ତମ ॥ (୧)

 

ସେ ପୁରୁଷୋତ୍ତମ ନୁହଁନ୍ତି ତ ଆଉ କ’'ଣ ? ନାମ ତା’ର ଅଭିରାମ ।

 

ଅଷ୍ଟଧା ଅପରା ପ୍ରକୃତି ବୋଲାନ୍ତି

ପରା ପ୍ରକୃତିଟି ମୁହିଁ ।

ଏଥ‌ିରେ ପୁରୁଷ ତୁମ୍ଭଛଡା କିଏ

ଅନ୍ୟ ମୋ ବିଶ୍ଵାସ ନାହିଁ । (୨)

ବହୁ ଯୋଗୀ ଋଷି ଭାଗ୍ୟ ଲେଖନ୍ତି

ଯାହାର ରୁଚି ଯେପରି ।

ବଡ଼ ଲୋକଙ୍କୁ ତ ଉତ୍ତର ଦେବାକୁ

ଶକ୍ତି ମୋ ନାହିଁ ସେପରି ॥ (୩)

ମୁହଁ ଅଟେ ପରା ତୁମ୍ଭ ଦାସୀ ପରା,

ଅପରା ମୋର ସଜନୀ ।

ଅପରାଙ୍କୁ ସଙ୍ଗେ ଧରି ତୁମ୍ଭ ସଙ୍ଗେ

ଖେଳିବି ଦିବା ରଜନୀ ।। (୪)

ଏ କ୍ଷେତ୍ରରେ ଆୟେ ସମସ୍ତେ ସ୍ତ୍ରୀଲିଙ୍ଗ

ତୁମ୍ଭେ କେବଳ ପୁରୁଷ ।

ତୋ ଛଡ଼ା କ୍ଷେତ୍ରଜ୍ଞ ଅନ୍ୟ କେହି ନାହିଁ

ଗୋରାଚାନ୍ଦ ମିଶ୍ର

ବିଚାର କରନ୍ତି ଈଶ୍ଵ ।। (୫)

ମୁଁ ଯେଣେ ତୁମର ଅଟେ ନିତ୍ୟଦାସୀ

କେତେକାଂଶ ମୁଁ କ୍ଷେତ୍ରଜ୍ଞ ।

ତୁମ୍ଭ ସେବାପାଇଁ କିଛି ମୁଁ ଅଳ୍ପଜ୍ଞ

ତୁମ୍ଭେ ପ୍ରଭୃ ମୋ ସର୍ବଜ୍ଞ ।। (୬)

ତୁ ବିଭୁ ଚୈତନ୍ୟ ମୁଁ ଅଣୁ ଚୈତନ୍ୟ

ମୁଁ ଶକ୍ତି ତୁ ଶକ୍ତିବାନ ।

ଏହି ଭାବେ ଦୟା ରଖିଥିବ ପ୍ରଭୋ

ମୋହର ଜୀବ ଜୀବନ ।। ୭ ।

ଏହି ସାତ ପଦ ପରମ ସମ୍ପଦ

‘ଖଣ୍ଡଗିରି’ ପରୀକ୍ଷାରେ ।

ସିଦ୍ଧ ସାଧୁମାନେ ସଭା କରୁଥିବେ

ପୂଜା ପାଇବ ସେଠାରେ ।।

ବହୁ ମତମାନ ଖଣ୍ଡନ ହୋଇବ

ସାର ବଛା ହେବ ଏହି ।

ଏହି ଭାବେ ଯେତେ ଭକ୍ତମାନେ ଥିବେ

ରାହାସ ଦେ ଖୁବେ ସେହି ॥

ଫୁଲିଙ୍ଗରେ ରାସ ନୁହଁଇ ଦର୍ଶନ

ସ୍ତ୍ରୀ ଅଙ୍ଗ ତହିଁକି ଲୋଡ଼ା ।

ମହାମାୟା ଭକ୍ତି ପରୀକ୍ଷା କରିବେ

ପହରା ସେଠାରେ କଡ଼ା ।।

ନୈମିଷା ଅରଣ୍ୟ ମୀମାଂସା ହୋଇବ

ସାତଗୋଟି ପଦ ଅର୍ଥ ।

ଅନୁମୋଦନ କରିବେ ଭଗବାନ

ଶୁଣ ମନ ନରନାଥ ।

 

ଭକ୍ତ ପ୍ରବର ଶ୍ରୀଯୁକ୍ତ ରାଧାରାଥ କର ଲେଖିଛନ୍ତି-ଠାକୁରେ ଯାହା ଚାହୁଁଥିଲେ ତାହାହିଁ ହେଲା । ଯାହା ପ୍ରକଟ କାଳରେ ହୋଇ ପାରି ନ ଥିଲା, ଠାକୁରେ ଅପ୍ରକଟରେ ତାହା ପ୍ରକଟିତ କରିଦେଲେ । ଠାକୁରଙ୍କ ଭକ୍ତମାନେ ଠାକୁରଙ୍କ ଅପ୍ରକଟ କରି ନ ଥାଆନ୍ତି । କାରଣ ସେମାନଙ୍କ ଦୃଢ଼ ବିଶ୍ୱାସ ଠାକୁରେ ସଦା ପ୍ରକଟିତ । ଠାକୁରେ ଭକ୍ତମାନଙ୍କୁ ସୂଚାଇ ଦେଇ ଯାଇଥିଲେ, ଖଣ୍ଡଗିରିରେ ଠାକୁରଙ୍କ ଲୀଳା ପ୍ରକଟ ହେବ । ସେଇଠି ଭକ୍ତ ଅଭକ୍ତ ବଛାବଛି ହେବ । ଲକ୍ଷ୍ମୀନାରାୟଣଙ୍କ ଭେଟ ହେବ । ଖଣ୍ଡଗିରି ହେବ ପରୀକ୍ଷା ସ୍ଥଳୀ । ସେଠି ସବୁ ସମସ୍ୟାର ସମାଧାନ ହେବ । ମୀମାଂସା ହେବ ।

 

୧୯୮୩ ସେପ୍ଟେମ୍ବର ମାସ । ଦଶ ତାରିଖ । ଠାକୁରଙ୍କ ଆଶ୍ରମର ପ୍ରତିଷ୍ଠାର ଶୁଭ ଦିଆଗଲା । ଖଣ୍ଡଗିରିରେ । ଏଇଠି ଖଣ୍ଡନ ହେବ ବହୁ ମତବାଦ । ସମୁଦ୍ର ମନ୍ଥନରୁଅମୃତ ବାହାରିବା ପରି ଏଇଠି ‘ସାର’ ବଛା ହେବ । ଆଶ୍ରମ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତରେ ଖଣ୍ଡଗିରି ଶିଖରରୁ ଶୁଣାଗଲା ତିନୋଟି ଶଙ୍ଖଧ୍ୱନି । ଏହି ଧ୍ଵନିରେ ଖଣ୍ଡମଣ୍ଡଳ ମୁଖରିତ ହୋଇ ଉଠିଲା । ଉପସ୍ଥିତ ଭକ୍ତମାନେ ଚକିତ । ବିସ୍ମିତ । ସେତେବେଳକୁ ଅପରାହ୍ନ ପାଞ୍ଚଟା । ଠାକୁରଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ୫.୫.୧୯୯୨ ଅକ୍ଷୟ ତୃତୀୟା ଦିନ । ଶୁଭ ଦିଆଯିବ । ସ୍ଥାନ ଖୋଳାଗଲା । ସେ ପୁଣି ଅନ୍ୟ ଏକ ବିସ୍ମୟ । ମାଟି ଭିତରୁ ୨୦ଫୁଟ ଲମ୍ବ, ୨୦ଫୁଟ ପ୍ରସ୍ଥର ଏକ ଗମ୍ବୁଜ ଦେଖାଗଲା । ସତେ ଯେପରି ବିଶ୍ୱକର୍ମା ଆଗରୁ ଏହି ମନ୍ଦିର ପାଇଁ ଭିରି ସ୍ଥାପନ କରି ଯାଇଚନ୍ତି । ଶ୍ରୀଯୁକ୍ତ କର‘ଖଣ୍ଡଗିରି ଲୀଳା’ ପତ୍ରିକା (୧୯୯୬)ରେ’’ତପୋବନରୁ ପଦେ’’ ଲେଖାରେ ଲେଖିଛନ୍ତି, ଗତ ୧୧ବର୍ଷ ମଧ୍ୟରେ ଏପରି ବହୁ ଘଟଣା ଘଟିଯାଇଛି ।

Image

 

ଦୋଷରୁ ଶୋଷ

 

ଠାକୁରେ ‘ସାର ନବବୋଲି’ରେ ଲେଖୁଛନ୍ତି–‘ମୁଁ ସିନା ଦେବ, ମୁହିଁ ସିନା ଦୈତ୍ୟ, ମୁଁ ମୋର ଖେଳ ଖେଳେଇ ।’’ ସେ ଦେବତାର କାର୍ଯ୍ୟ କରନ୍ତି, ସେ ପୁଣି ରାକ୍ଷସର କାମ ମଧ୍ୟ କରନ୍ତି । ଚୋରି କରନ୍ତି-ଚୋରକୁ ମଧ୍ୟ ଧରାନ୍ତି । ବାଟ ଅଲଗା ଅଲଗା । ଠିକ୍ ଶ୍ରୀକୃଷ୍ଣଙ୍କ ଭଳି ।

 

ଖଣ୍ଡଗିରିରେ ଠାକୁରଙ୍କ ମନ୍ଦିର ହେବା ୧୩/୧୪ ବର୍ଷ ହୋଇଗଲା । ‘ଖଣ୍ଡଗିରି ଲୀଳା’( ୧୯୯୬) ପତ୍ରିକାର ସମ୍ପାଦକ ଶ୍ରୀ ରାଧାନାଥ କର । ଠାକୁରଙ୍କ ଲୀଳା କିପରି ଲୀଳାୟିତ ହୋଇ ଆସେ,ସେ ସମ୍ପର୍କରେ କର ମହାଶୟଙ୍କ ଅଙ୍ଗେ ନିଭାଇବା ଘଟଣା ଅନେକ । ଠାକୁରେ କେବଳ ଦିଅନ୍ତି ନାହିଁ, ଯାହା ଦିଅନ୍ତି, ଯାହା କରାନ୍ତି, ତା’ର ରକ୍ଷଣାବେକ୍ଷଣ ସେ ନିଜେ କରିଥାଆନ୍ତି । ଲୋକେ ଭାବନ୍ତି ଆମେ କଲୁ । ଆମେ ତ ଇଟା ଆଣିଲୁ, ସିମେଣ୍ଟ ଆଣିଲୁ, ମିସ୍ତ୍ରୀ ମୂଲିଆ ଲଗେଇଲୁ, ସେମାନଙ୍କୁ ମଜୁରି ଦେଲୁ, ଠାକୁରେ ସବୁ କଲେ ବୋଲି କହିବା ମୂଢ଼ତା ନୁହଁ, ଆଉ କଣ ? ଠାକୁରଙ୍କୁ ବାହାଦୂରୀ ଦେବା ପାଇଁ ଭକ୍ତମାନଙ୍କର ଇଏ ଏକ ଫିସାଦି । ଚାନ୍ଦା ସଂଗ୍ରହ ଲାଗି ଇଏ ଏକ ଚନ୍ଦେଇବା କାମ । ସ୍ଥୂଳ ଦୃଷ୍ଟିରେ ଏ ଭାବ ଆସିବା ସ୍ଵାଭାବିକ । କିନ୍ତୁ ସୂକ୍ଷ୍ମଦୃଷ୍ଟିରେ ଭାବର ସ୍ୱଭାବ ଅଲଗା । ଯାହା ଆଲୌକିକ ତାକୁ ବୁଝେଇବା ସହଜ ନୁହଁ । ତେଣୁ ଠାକୁରେ କହିଚନ୍ତି–‘ଅନୁଭବକୁ ସତ୍ୟ କହି’ ।

 

କରବାବୁଙ୍କ ଗଣନା ଅନୁସାରେ ଇଏ ୧୯୯୩ର ଘଟଣା । ସ୍ଥିର ହେଲା ଖଣ୍ଡିଗିରି ବିଶେଷ ଆଶ୍ରମରେ ଏକ ଛାପାଖାନା ପ୍ରତିଷ୍ଠା କରାଯିବ । ଠାକୁରଙ୍କ ବହି ଛପାଯିବ, ଲାଭ ନ ରଖି ଶସ୍ତାରେ ବିକ୍ରୀ କରାଯିବ । ଠାକୁରଙ୍କ ବାଣୀର ପ୍ରଚାର ହେବ । ପ୍ରେସ୍‌ରେ ଠାକୁରଙ୍କ ଆଶ୍ରିତ ବେକାର ଯୁବକମାନଙ୍କ ମଧ୍ୟରୁ କେତେଜଣଙ୍କୁ ନିଯୁକ୍ତ କରାଯିବ । ପ୍ରେସ୍ ପରିଚାଳନାର ସମସ୍ତ ଦାୟିତ୍ୱ ଦିଆଗଲା ଜଣେ ଭକ୍ତଙ୍କୁ । ତାଙ୍କୁ ବେଶୀ ନ ହେଲେ ମଧ୍ୟ ଯଥା ସମ୍ଭବ ପାରିଶ୍ରମିକ ମଧ ଦିଆଗଲା । ପ୍ରେସ କାର୍ଯ୍ୟ ସେ ସୁରୁଖୁରୁରେ ଛ’ମାସ କାଳ ଚଳାଇଲେ । ଦିନେ ଆସି କହିଲେ, ଦରମା ବଢ଼ାଅ । ଶ୍ରମିକ ନିୟମାନୁଯାଯୀ ସମସ୍ତ ଦାବୀ ପୂରଣ କର, ନଚେତ୍ ଲେବର କୋର୍ଟରେ ମକଦ୍ଦମା କରିବି ।

 

ଭଲ ଉଦ୍ଦେଶ୍ୟରେ ପ୍ରେସ୍ କରାଯାଇଥିଲା–ଭକ୍ତମାନଙ୍କ ଦାନଧନରେ । ସତକୁ ସତ ମକଦ୍ଦମା ଦାୟର ହୋଇଗଲା । କର ଏବେ ମର । କରିବାବୁ ବଡ଼ ଅସୁବିଧାରେ ପଡ଼ିଗଲେ । ମକଦ୍ଦମା କରାଗଲା ତାଙ୍କ ନାଆଁରେ । ବାଦୀ ନାନା ମିଛ ଖଚ ଯୋଚି ମକଦ୍ଦମା ଯେପରି ତାଙ୍କ ସପକ୍ଷରେ ଯିବ ସେ ବ୍ୟବସ୍ଥା କରିବାକୁ ଲାଗିଲେ । ବହି ଛାପି ଶସ୍ତାରେ ବିକି ଠାକୁରଙ୍କ ବାଣୀ ପ୍ରସାରର ଉଦ୍ଦେଶ୍ୟ ପଣ୍ଡ ହେବାକୁ ବସିଲା । ଛାପାଖାନା କରବାବୁଙ୍କୁ ପକ୍ଷରେ ଏକ କଣ୍ଟକ ହୋଇ ପଡ଼ିଲା । ଏ କଣ୍ଟା ଉପୁଡ଼ିବ କିପରି କରବାବୁଙ୍କ ସେହି ଚିନ୍ତା ଘାରିବାକୁ ଲାଗିଲା । ମନେ ମନେ ଭାବିଲେ, ଆମେ ଇଚ୍ଛା କଲେ କଣ ହେବ, ଠାକୁରେ ତ ଚାହୁଁ ନାହଁନ୍ତି । ଚାହୁଁଥିଲେ ଏତେ ନାଟ ଲଗାନ୍ତେ ନାହିଁ । ସବୁ ନାଟର ଗୋବର୍ଦ୍ଧନ ସେ ।

 

କରବାବୁଙ୍କ ମନରେ ଚିନ୍ତାର ଗୋବର୍ଦ୍ଧନ ଗିରି । କେବେ ମନସ୍ତାପ ତ କେତେବେଳେ କ୍ରୋଧ । କ୍ରୋଧାଗ୍ନି ଜଳିଲେ ସବୁ ପୋଡ଼ି ପାଉଁଶ କରିଦିଏ । କୌଣସି ବସ୍ତୁର ଚିହ୍ନବର୍ଣ୍ଣ ରହେନା ।

 

କ୍ରୋଧରୁ ହିଁ କରବାବୁଙ୍କ ମନରେ ସୃଷ୍ଟି ହେଲା ଫ୍ରେସ୍‌ ବିକ୍ରି କରିଦେବା ଭାବ । ମୂଳୁ ମାରିଲେ ଯିବ ସରି, ଖଳଙ୍କ ସହ କିମ୍ପା କଳି ! ମୂଳ ଯେ ପ୍ରେସ୍ ତାକୁ ଉପାଡି ଫୋପାଡି ଦେବେ । ମୂଳଧନ ମିଳୁ ନ ମିଳୁ ମନରୁ ମକୁ ଯାଉ । ବନ୍ଧୁ ଗ୍ରାହକ ଆସିଲେ । କାରଣ ନୂଆ ପ୍ରେସ୍, ନୂଆ ଅକ୍ଷର । ସବୁ ନୂଆ । ନେବା ପାଇଁ ସମସ୍ତେ ଇଚ୍ଛୁକ । ପ୍ରେସ୍ ବିକ୍ରୀ ହୋଇଗଲା । ରାଧାନାଥବାବୁ ଲେଖୁନନ୍ତି’’ସେହିଦିନ ସଂଧ୍ୟା ସମୟକୁ ପ୍ରେସ୍‌ ଖୋଲାଖୋଲି କରାଗଲା । ଟ୍ରକରେ ଲୋଡ଼ ହେଲା । ଲୋଡ଼ କାମ ସରିଲା । ଟ୍ରକଟି ଷ୍ଟାର୍ଟ କରି ଠିକ୍ ଆଶ୍ରମ ଗେଟ୍ ପାଖକୁ ଯାଇଚି, ଜଣେ କୁଲି ପାଟିକଲା ଗାଡ଼ି ରୋକ ରୋକ ।’’

 

କାରଣ କଣ ? ଅନ୍ୟ କୁଲିମାନେ କହିଲେ, ତାଙ୍କ କୁଲି ଭାଇଙ୍କ ମଧ୍ୟରୁ ଜଣଙ୍କର ତଣ୍ଟି ଶୁଖୁ ଯାଉଚି । ଭୀଷଣ ଶୋଷ । ଯେପରି କି ହଂସା ଉଡ଼ିଯିବ । ଅନ୍ୟ କୁଲିମାନେ ପଟାପଟ ତଳକୁ ଓହ୍ଲାଇ ଆସିଲେ । ପାଣି ପାଇଁ ଧାଁ ଧପଡ଼ । ଆଶ୍ରମର ବ୍ରହ୍ମଚାରୀଙ୍କ ପାଖକୁ ଯାଇ ପାଣି ମାଗିଲେ । ବ୍ରହ୍ମଚାରୀ ଗୋଟିଏ କୁମ୍ଭରେ ପିଇବା ପାଣି ରଖୁଥାଆନ୍ତି । ସେ ଯାଇ ଦେଖ‌ିଲେ କୁମ୍ଭରେ ଟୋପେ ହେଲେ ପାଣି ନାହିଁ ।

 

ବ୍ରହ୍ମଚାରୀ ଆଶ୍ଚର୍ଯ୍ୟ । କହିଲେ, ଏହି ଟିକକ ତଳେ ସେ କୁମ୍ଭରେ କୁମ୍ଭେ ପାଣି ରଖୁଥିଲେ । କୁମ୍ଭ ଫଟା କି କଣା ନୁହଁ । ପାଣି ଯାଇଥିଲେ ବାହାର ଜାଗା ତ ଓଦା ହୋଇଥାଆନ୍ତା । କିନ୍ତୁ ଭିତର ବାହାର ଶୁଖୁଲା । ଅନ୍ୟ କେହି ତ ପାଣି ପିଇବାକୁ ଆସି ନାହାଁନ୍ତି । ପାଣି ଗଲା କୁଆଡ଼େ ? ସେ ଦୌଡ଼ିଲେ କୂଅ ପାଖକୁ । କୂଅରୁ ଉପରକୁ ପାଣି ଉଠେଇବା ପାଇଁ ଇଲେକ୍‌ଟ୍ରୀ ବ୍ୟବସ୍ଥା ରହିଛି । ସୁଇଚ ମାରି ଦେଖିଲେ ପାଣି ଉଠୁନି । କଥା କଣ ? ବ୍ରହ୍ମଚାରୀ ଦେଖ‌ିଲେ ଯେଉଁ ସିକ୍ସ ଏମ୍.ଏମ୍ ସର୍ଭିସ ତାରଟି ଥୁଲା, ତାକୁ କିଏ କାଟି ନେଇଯାଇଚି । ତାର ଗଲା କୁଆଡ଼େ ? ଆଖ ପାଖରେ ତ ପଡ଼ି ନାହିଁ ! ଆଶ୍ରମ ଭିତରରୁ ଚୋର ଆସି ଅନ୍ୟ ଜିନିଷ ନ ନେଇ ତାରଟି ନିଅନ୍ତା କାହିଁକି ? ସେ ପୁଣି ସଂଧ୍ୟାବେଳେ ! ବେଶୀରାତି ହୋଇନି ।

 

ଦୁଇଘଣ୍ଟା ପୂର୍ବରୁ କୂଅରୁ ପାଣି ଉଠା ଯାଇଚି । ସମସ୍ତେ ସନ୍ଦେହ ଘେରରେ ଘାରି ହେବାରେ ଲାଗିଲେ । ଟ୍ରକକୁ ଅଟକାଗଲା । ଖୋଳତାଡ଼ ହେଲା । ତାର ଗଲା କୁଆଡ଼େ ? ନେଲା କିଏ ? ଜଣାଗଲା ଯେଉଁ କଲି ଜଣଙ୍କ ଶୋଷ ଶୋଷ ବୋଲି ରଡ଼ି ଛାଡ଼ୁଥିଲା, ସିଏ ହିଁ ତାରଚୋର ! ତାରକୁ କାଟି ନେଇ ଟ୍ରକରେ ଲୋଡ଼ କରିଛି । ଧରାପଡ଼ିଲା । ମାନିଲା । ଠାକୁରଙ୍କ ଜିନିଷ ଚୋରି କରିଥିବାରୁ ଦୋଷ ସ୍ୱୀକାର କଲା । ଜୀବନରେ ଆଉ କେବେ କେଉଁଠି ଚୋରି କରିବନି ବୋଲି ମୁଣ୍ଡ କଚାଡ଼ି ହେଲା । ତା’ର ଦୋଷ ହିଁ ଥିଲା ଶୋଷର କାରଣ ।

 

ସେହିଭଳି ଖଣ୍ଡଗିରି ମନ୍ଦିରରେ କାମ କରୁଥିବା ଜଣେ ମିସ୍ତ୍ରୀ ଦିନେ ଉପରୁ ଖସି ତଳେ ପଡ଼ିଯିବାରେ ତା’ର ଅଣ୍ଟାଠୁ ଗୋଡ଼ ପର୍ଯ୍ୟନ୍ତ ଅଚଳ ହୋଇ ପଡ଼ିଗଲା । ପୂରା ପାରାଲିସିସ୍ । କଟକ ବଡ଼ ଡାକ୍ତରଖାନାକୁ ଅଣାଗଲା । ଡାକ୍ତରମାନେ ବହୁ ପରୀକ୍ଷା ନିରୀକ୍ଷା କଲେ । ରୋଗର ଉପଶମ ହେଲା ନାହିଁ । ତାକୁ ତା’ ଗାଁକୁ ନିଆଗଲା । ଠାକୁରେ ସୂକ୍ଷ୍ମଶରୀରରେ ତା’ ପାଖକୁ ଯାଇ ତାକୁ ସମ୍ପୂଣ୍ଣ ଭାବରେ ଭଲ କରିଦେଲେ । ଠାକୁରେ କେତେବେଳେ ଦୈତ୍ୟ ତ କେତେବେଳେ ବୈଦ୍ୟ । ଲୋକ ସଂଗ୍ରହ ବା ଲୋକଙ୍କୁ ଶିକ୍ଷା ଦେବା ଲାଗି ସେ ନାନା ରୂପ ଧରିଥାଆନ୍ତି । କେତେବେଳେ ଦୃଶ୍ୟ ଓ କେତେବେଳେ ଅଦୃଶ୍ୟ ।

Image

 

ଚିନ୍ତନର ମନ୍ଥନରୁ ‘ବିଶ୍ୱମ୍ଭର’

 

ସମୁଦ୍ରର ଅନ୍ୟନାମ ରତ୍ନାକର । ଏହାର ଅତଳ ଗର୍ଭରେ କେତେ ନା କଣ ଋତୁ । ସେହିଭଳି ମହାପୁରୁଷ ଜଣେ ଜଣେ ରତ୍ନାକର । ସେମାନଙ୍କ ଲୀଳା ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ । ପ୍ରଜାତନ୍ତ୍ର ‘ସାପ୍ତାହିକୀ’ର ‘ଧର୍ମ’ସ୍ତମ୍ଭ ପାଇଁ ମୁଁ ଲେଖୁବାକୁ କଲମ ଧରିବା ମାତ୍ରେ ଭାବେ ୟା ପରେ କଣ ? କେବଳ ଠାକୁର ଅଭିରାମ ପରମହଂସ ନୁହନ୍ତି, ଏ ପର୍ଯ୍ୟନ୍ତ ପୃଥ‌ିବୀରେ ଜନ୍ମ ଗ୍ରହଣ କରି ଆସିଥିବା ପ୍ରତ୍ୟେକ ମହାପୁରୁଷଙ୍କ ଲୀଳା ଅକଳନୀୟ । ଅବର୍ଣ୍ଣନୀୟ । ଅଚିନ୍ତନୀୟ । ପ୍ରତ୍ୟେକ ମହାପୁରୁଷଙ୍କର ଲକ୍ଷ ଲକ୍ଷ ଭକ୍ତ । ସେମାନଙ୍କ ପ୍ରକଟ କାଳରେ କିଏ ତାଙ୍କ ସାନ୍ନିଧ୍ୟ ପାଇ ଭକ୍ତ ତ କିଏ ପ୍ରକଟ ଓ ଅପ୍ରକଟ କାଳରେ ତାଙ୍କୁ ନ ଦେଖି, ତାଙ୍କ ସାନ୍ନିଧ ନ ପାଇ ମଧ୍ୟ ଭକ୍ତ । କେହି କେହି ସ୍ୱପ୍ନରେ ସେମାନଙ୍କଠାରୁ ଆଶୀର୍ବାଦ ପାଇଚନ୍ତି । ଏହି ଆଶୀର୍ବାଦ ଅଶାନ୍ତ ମନକୁ ଶାନ୍ତ କରିଛି । ଅଶକ୍ତ ଶରୀରକୁ ଶକ୍ତ କରିଛି । ସ୍ୱପ୍ନ ଅବଶ୍ୟ ସତ୍ୟ ନୁହେଁ । ସ୍ୱପ୍ନରେ ମହାପୁରୁଷଙ୍କ ସହିତ ସାକ୍ଷାତକାର ନିଜର ଭକ୍ତି, ନିଷ୍ଠା ଦ୍ଵାରା ସମ୍ଭବ ହୋଇଥାଏ । ଏ ସୁଯୋଗ କୋଚିତ୍ ଲୋକଙ୍କ ଭାଗ୍ୟରେ ଜୁଟିଥାଏ ।

 

ମୋ ମନରେ ଏଭଳି ଚିନ୍ତନର ମନ୍ଥନ ଚାଲିଥିବାବେଳେ ଏକ ପତ୍ର ପାଇଲି । ଯାହାର ଘର ପାରାଦ୍ୱୀପରେ, ଯିଏ ରହି ଆସିଚନ୍ତି ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ୧୯୬୪ ମସିହାରୁ । ତାଙ୍କଠୁ ଚିଠି ପାଇଲି ଜଟଣୀରୁ । ଚିଠିର ପିଠି ଓସାରିଆ । ବନ୍ଧୁ ବିଶ୍ୱମ୍ଭର ସାମନ୍ତଙ୍କ ଚିଠି । ବେଳେବେଳେ ମନୋଜ ଦାସ ଓ ବିଶ୍ୱମ୍ଭର ସାମନ୍ତଙ୍କଠୁ ଚିଠି ପତ୍ର ପାଏ । ଦୁହେଁ ସାଧକ । ଦୁହେଁ ଥିଲେ ବାମପନ୍ଥୀ, ଏବେ ବାମ ନୁହନ୍ତି କି ଦକ୍ଷିଣ ନୁହନ୍ତି...ସର୍ବଦିଗପନ୍ଥୀ । ବିଶ୍ୱମ୍ଭର ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଶ୍ରୀଯୁକ୍ତ ନାରାୟଣ ବୀରବର ସାମନ୍ତଙ୍କ ସୁଯୋଗ୍ୟ ପୁତ୍ର । ପିତାଙ୍କ ଦେହ ଖରାପ । ବାପା ରହୁଥିଲେ ଝିଅ ଡାକ୍ତର ବାଣୀ ସାମନ୍ତଙ୍କ ଘରେ I ବାଣୀ ଜଟଣୀ ରେଲବାଇ ହସ୍‌ପିଟାଲ୍‌ ଡାକ୍ତର । ବିଶ୍ୱମ୍ଭର ବାପାଙ୍କ ସେବା ଲାଗି ଭଉଣୀ ଘରେ ରହୁଥିଲେ । (ବାପା ପରେ ପରଲୋକ ଗମନ କଲେ ।)

 

ବିଶ୍ୱମ୍ଭରବାବୁ ଲେଖୁଥ‌ିବା ପତ୍ରଟି ଏଠାରେ ଅବିକଳ ଉଦ୍ଧାର କରିବା ମୋର କର୍ତ୍ତବ୍ୟ ମନେ କରୁଛି । କାରଣ ମୁଁ ଯାହାଙ୍କ ସମ୍ପର୍କରେ ଏବେ ଲେଖୁ ଆସୁଛି–ପତ୍ରର ଭିଭି ହେଉଚନ୍ତି ସେଇ ଠାକୁରେ । ବିଶ୍ୱମ୍ଭର ଲେଖଚନ୍ତି–‘କେତେକ ସାପ୍ତାହିକ ‘ପ୍ରଜାତନ୍ତ୍ର’ରେ ଶ୍ରୀଶ୍ରୀ ଅଭିରାମ ପରମହଂସଙ୍କ ଉପରେ ଆପଣଙ୍କ ଲେଖାଗୁଡ଼ିକ ପଢ଼ିଲି । ବେଶ୍ ସୁନ୍ଦର ହୋଇଛି ।

 

‘‘ଯଦିଓ ମୁଁ ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କୁ ଦେଖିନାହିଁ, ତେବେ ତାଙ୍କ ସମ୍ପର୍କରେ ମୋର କେତେକ ଅନୁଭୂତି ଆପଣଙ୍କୁ ଜଣାଇ ଏ ପତ୍ରଟି ଲେଖୁଚି । ଆପଣ ତ ଜାଣନ୍ତି ମୁଁ କିପରି ନାସ୍ତିକ ଓ ବସ୍ତୁବାଦୀ ଦର୍ଶନରେ ବିଶ୍ଵାସୀ ଥୁଲି । କିନ୍ତୁ ଯେତେବେଳେ ଦେଖିଲି, ସତ୍ୟ ସନ୍ଧାନ ଓ ଜୀବନ ଜିଜ୍ଞାସା କ୍ଷେତ୍ରରେ ବା ସୃଷ୍ଟିର ରହସ୍ୟ ଭେଦ କ୍ଷେତ୍ରରେ ଏହି ବସ୍ତୁବାଦୀ ଦର୍ଶନ ତମକୁ ବେଶୀ ଦୂର ନେଇ ପାରିବ ନାହିଁ, ସେତେବେଳେ ସ୍ଵାଭାବିକ ଭାବରେ ମୋର ବିଭିନ୍ନ ଆଧ୍ୟାତ୍ମିକ ସାଧନା ଓ ତତ୍ତ୍ୱ ସମ୍ପର୍କରେ ଗଭୀର ଆବେଗ ଉଦ୍ରେକ ହେଲା । ସତ୍ୟର ପ୍ରତ୍ୟକ୍ଷ ଦର୍ଶନ ପାଇଁ ଏକ ତୀବ୍ର ପିପାସା ଜାଗ୍ରତ ହେଲା । ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ପନ୍ଥା ବା ଗୁରୁ ଗ୍ରହଣ କରିବା କଥା ସେତେବେଳେ ଭାବିନାହିଁ ।’’

 

‘‘ସେହି ସମୟରେ ପ୍ରାୟ ୧୯୫୯ ୧୯୬୦ ମସିହାରେ ଦିନେ ରାତ୍ରିରେ ସ୍ଵପ୍ନ ଦେଖିଲି ଦୁଇଜଣ ବ୍ୟକ୍ତି, ସେମାନଙ୍କ ଦେହ କିଛିଟା ଆଲୋକିତ ଓ ମୁଁହରୁ ଅଗ୍ନିଶିଖା ନିର୍ଗତ ହେଉଚି କଥା କହିଲାବେଳେ, ସେମାନେ ଅତି ଶୁଦ୍ଧ ଓ ସ୍ପଷ୍ଟ ଇଂରାଜୀ ଭାଷାରେ କହିଲେ, ଅଭିରାମ ପରମହଂସଙ୍କ ମାର୍ଗ ହିଁ ସବୁଠାରୁ ପ୍ରଶସ୍ତ ଓ ଫଳପ୍ରଦ ସାଧନାର ମାର୍ଗ । ନିଦ ଭାଙ୍ଗିବା ପରେ କିଛିଟା ବିସ୍ମିତ ହୋଇ ଭାବିଲି ମୁଁ କେବଳ ଅଭିରାମ ପରମହଂସଙ୍କ ନାମ ଶୁଣିଚି, ତାଙ୍କ କଥା ତ କେବେ କିଛି ଭାବିନାହି, ତେବେ ଏପରି ସ୍ୱପ୍ନ ଦେଖି କିପରି ? ତା’ପରେ ମଧ୍ୟ ଲାଗ ଲାଗ ନେଇଥର ସ୍ୱପ୍ନ ଦେଖିଲି ଶ୍ରୀ ଅଭିରାମ ପରମହଂସଙ୍କୁ ତାଙ୍କ ଭକ୍ତମାନଙ୍କ ସହ । ଥରେ ଦେଖିଲି ( ସ୍ୱପ୍ନରେ )ସେ ବଡ଼ ବଡ଼ ସ୍ତମ୍ଭଥ‌ିବା ଏକ ବିରାଟ ହଲ୍‌ରେ ଭକ୍ତମାନଙ୍କ ସହ ମିଳି କୀର୍ତ୍ତନ କରୁଛନ୍ତି ଓ ସେହି ଖମ୍ବ ଓ ପ୍ରାଚୀରରେ ବହୁ ସଂଖ୍ୟାରେ ଦେବୀ ଚିତ୍ରପଟ ସବୁ ଝୁଲୁଚି । ବିଶେଷ କରି ଦଶଭୂଜା ଦୁର୍ଗାଙ୍କ ଚିତ୍ର ।

 

‘‘ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଆକର୍ଷଣ ଅନୁଭବ କଲେ ବି ସେହି ସମୟରେ ତାଙ୍କ ଦର୍ଶନ ପାଇଁ କରମଳା ଗଲି ନାହିଁ । ସେହି ସମୟରେ ତାଙ୍କର ଜଣେ ଭକ୍ତ ବନ୍ଧୁ ବ୍ରହ୍ମାନନ୍ଦ ପଣ୍ଡା (ପରେ ଏମ୍.ପି. ହୋଇଥିଲେ) ମତେ କରମଳା ଯିବା ପାଇଁ ବରମ୍ବାର କହୁଥିଲେ ମଧ୍ୟ ମୋ ଭିତରେ ଏକ ପିଲାଳିଆ ଜିଦ୍ ଥିଲା । ମୁଁ ନିଜେ ମୋ ଚେଷ୍ଟାରେ ସତ୍ୟର ପ୍ରତ୍ୟକ୍ଷ ଦର୍ଶନ କରିବି, ଅନ୍ୟ କାହାର ଅଲୌକିକ ପ୍ରଭାବ ବଳରେ ନୁହେଁ ।

 

‘‘ସେଇ କେଇମାସ ଭିତରେ ସ୍ଵପ୍ନରେ ପୁଣି ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କୁ ମତେ ଏକ ମନ୍ତ୍ର କହୁଥିବାର ଦେଖିଥୁଲି । ତା’ପରେ ଆଉ କେତେଥର ମଧ୍ୟ ତାଙ୍କୁ ସ୍ୱପ୍ନରେ ଦର୍ଶନ କରିଥିଲି । ତା’ପରେ ସେହି ସମୟରେ ସ୍ୱପ୍ନରେ ଶେଷଥର ପାଇଁ ମୋ ସଙ୍ଗେ କଥାବାର୍ତ୍ତା ହେଉଥ‌ିବାର ଦେଖିଲି । ସେ ମୋତେ ପଚାରିଲେ, ମୁଁ କୌଣସି ଦୀକ୍ଷା ନେବାକୁ ଚାହେଁ କି ? ସେତେବେଳେ ମୁଁ ଶ୍ରୀ ଅରବିନ୍ଦଙ୍କୁ ମନରେ ଗୁରୁ ରୂପରେ ଗ୍ରହଣ କରିଥାଏ । ତାଙ୍କର ବହୁ ଗ୍ରନ୍ଥ ପଢ଼ି ତାଙ୍କ ଦର୍ଶନ ଓ ସାଧନା ମାର୍ଗ ସମ୍ପର୍କରେ ଅନୁପ୍ରାଣିତ ହେଲି । ତେଣୁ ମୁଁ ନମ୍ର ଭାବରେ ସେହି ସ୍ଵପ୍ନରେ ଶ୍ରୀ ଶ୍ରୀ ଅଭିରାମଙ୍କୁ କହିଲି, ଜଣେ ମହାପୁରୁଷ ଭାବରେ ମୁଁ ଆପଣଙ୍କୁ ଭକ୍ତି ଓ ସମ୍ମାନ କରେ । କିନ୍ତୁ ମୁଁ ଅରବିନ୍ଦଙ୍କୁ ଗୁରୁ ଭାବରେ ଗ୍ରହଣ କରି ସାରିଛି ।

 

‘ମୋ ଉତ୍ତରରେ ଦେଖିଲି ଶ୍ରୀ ଅଭିରାମ ବେଶ୍ ପ୍ରସନ୍ନ ହେଲେ ଏବଂ ହସି ହସି କହିଲେ, ଠିକ୍ ଅଛି, ତା’ପରେ ସେ ମତେ ପ୍ରତିକାତ୍ମକ ଭାବରେ ଏପରି କିଛି କହିଲେ ଯାହାର ଅର୍ଥ ବ୍ରହ୍ମାନନ୍ଦ ଲାଭ ଦିଗରେ ମୁଁ ପ୍ରଯତ୍ନ କରିବା ଉଚିତ । ଏହି ସ୍ୱପ୍ନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ବଦନମଣ୍ଡଳ ଖୁବ୍ ଆଲୋକିତ,ପ୍ରସନ୍ନ ଓ ସହାସ୍ୟ ଥିଲା । ହଁ, ଏହି ସ୍ୱପ୍ନରେ ମତେ, ଏହା ପୂର୍ବରୁ ଦେଖିଥ‌ିବା ତାଙ୍କ ସମ୍ପର୍କରେ ସ୍ଵପ୍ନ ଗୁଡ଼ିକର କଥା ମଧ୍ୟ କହିଥିଲେ–ଅତି ବିସ୍ତୃତ ଭାବରେ, ଏପରିକି ଅମକଦିନ ଅମକ ସ୍ୱପ୍ନ ଦେଖିଥିଲୁ ଓ ଅମକ ଦିନ ସ୍ୱପ୍ନରେ ତତେ ଏହି ମନ୍ତ୍ର ଦେଇଥିଲି... ଇତ୍ୟାଦି ।

 

ଏହାପରେ ମୁଁ ପଣ୍ଡିଚେରୀ ଆଶ୍ରମକୁ ଚାଲି ଯାଇଥୁଲି ଓ ୧୯୬୪ରୁ ସ୍ଥାୟୀ ଭାବରେ ସେଠି ରହୁଚି । ଅଭିରାମ ପରମହଂସଙ୍କ ଦେହତ୍ୟାଗର ଅନେକ ଦିନ ପରେ ଥରେ ପଣ୍ଡିଚେରୀରେ ସ୍ୱପ୍ନ ଦେଖିଲି ସେ ଆଶ୍ରମର ଉପର ମହଲାକୁ ଯାଉଛନ୍ତି, ଶ୍ରୀମା’ଙ୍କ ଦର୍ଶନ ଲାଭ ଲାଗି । ଗଲାବେଳକୁ ତଳେ ତାଙ୍କ ଦୁଇ ପାଖରେ ଅନେକ ଲୋକ ଭିଡ଼ କରିଛନ୍ତି । ସେହି ଭିଡ଼ ଭିତରୁ କେତେକ ଲୋକ (ଆଶ୍ରମବାସୀ ନୁହନ୍ତି) ତାଙ୍କ ସମ୍ପର୍କରେ କିଛି ନିନ୍ଦାସୂଚକ ମନ୍ତବ୍ୟ ମଧ୍ୟ କରୁଛନ୍ତି ଯେଉଁଥ‌ିରେ ମୁଁ ଖୁବ୍ ରାଗି ଯାଉଚି । ଏହି ସ୍ୱପ୍ନର ଠିକ୍ ପରଦିନ ଆମ ‘ନବଜ୍ୟୋତି’ କାର୍ଯ୍ୟାଳୟକୁ ଏକ ‘ଶରଣଦ’ ପତ୍ରିକା ଆସିଥିଲା । ପରବର୍ତ୍ତୀ ‘ଶରଣଦ’ ସଂଖ୍ୟାରେ ମୁଁ ମଧ୍ୟ ଶ୍ରୀ ଅଭିରାମଙ୍କ ରଚିତ’’ଜୀବ ବ୍ରହ୍ମ ଜଣାଉଛି ପରବ୍ରହ୍ମ ପଦେ’’ କବିତା ଉପରେ ଏକ ଆଲୋଚନା ଲେଖୁଥଲି । ତାଙ୍କ ସମ୍ପର୍କରେ ପଣ୍ଡିଚେରିରେ ଥ‌ିବା ସମୟରେ ଆଉ ଏକ ସ୍ଵପ୍ନ ଦେଖିଲି ଯେ ଶ୍ରୀ ଅରବିନ୍ଦଙ୍କ ସମାଧି ଚାରିପଟେ ତାଙ୍କ ଭକ୍ତମାନଙ୍କ ଗହଣରେ ସେ ଧ୍ୟାନାବିଷ୍ଟ । ତା’ ପରଦିନ ସତକୁ ସତ ଦେଖିଲି ଶ୍ରୀଯୁକ୍ତ ଗିରିଜା ଶଙ୍କର ବହିଦାରଙ୍କ ସମେତ କେତେକ ତାଙ୍କର ଭକ୍ତ ଶ୍ରୀ ଅରବିନ୍ଦଙ୍କ ସମାଧି ଚାରିପଟେ ବସି ଧାନ କରୁଛନ୍ତି । ଯଦିଓ ଆଗରୁ ଗିରିଜାଶଙ୍କର ବାବୁ ଓ ଅନ୍ୟ ଭକ୍ତମାନଙ୍କ ଆସିବା ସମ୍ପର୍କରେ ମୁଁ କିଛି ଜାଣି ନଥୁଲି ।

 

ଏହି ସ୍ୱପ୍ନଗୁଡ଼ିକର ତାତ୍ପର୍ଯ୍ୟ ବା ବ୍ୟାଖ୍ୟା ଦେବା ମୋର ସାଧାତୀତ । କେବଳ ଯାହା ଘଟିଥିଲା ଜଣାଇ ଦେଲି । ମୁଁ ଏପର୍ଯ୍ୟନ୍ତ କରମଳା ଯାଇନାହିଁ । ଆଶା କରୁଚି, କେବେ ଯାଇ ସେଠାରେ ରାତ୍ରୀ ଯାପନ କରିବି । ଯଦି ସେଠାରେ ଶ୍ରୀ ଅଭିରାମଙ୍କୁ ସ୍ୱପ୍ନରେ ଦର୍ଶନ କରିବାର ସୌଭାଗ୍ୟ ଘଟେ ତେବେ କୃତାର୍ଥ ହେବି ।’

Image

 

‘ବାୟା ମତେ କାଲି କହିଥିଲା

 

ବୃନ୍ଦାବନ ଠାରୁ ଶହଶହ ମାଇଲ ଦୂରରେ ଏକ ଆଶ୍ରମ । ଆଶ୍ରମରେ ରହୁଥିଲେ ଜଣେ ମହାପୁରୁଷ । ଥରେ ସେ ଧ୍ୟାନସ୍ଥ ଥ‌ିବାବେଳେ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ପହଞ୍ଚିଲେ ତାଙ୍କ ପାଖରେ । ସେ ପହଞ୍ଚୁ ପହଞ୍ଚୁ ମହାପୁରୁଷଙ୍କ ମୁହଁରୁ ବାହାରି ପଡ଼ିଲା-‘କିଏ ଅଛରେ ତାକୁ ହଟାଅ ।’’ ବ୍ୟକ୍ତି ଜଣଙ୍କ ମନରେ ସୃଷ୍ଟି ହେଲା ତୀବ୍ର ପ୍ରତିକ୍ରିୟା । ମନେ ମନେ ଭାବିଲେ, ଏପରି ଆଚରଣ ତ ଏ ମହାତ୍ମାଙ୍କଠୁ ଆଶା କରି ନଥୁଲି । କଥା ନାହିଁ, ବାର୍ତ୍ତା ନାହିଁ–ଆସୁ ଆସୁ ଏପରି କଟୁଛି ! ଏପରି ଆଚରଣ ତାଙ୍କ ପ୍ରତି କାହିଁକି କରାଗଲା, ବୁଝିବା ପାଇଁ ସେ ଅପେକ୍ଷା କଲେ । ମହାତ୍ମାଙ୍କ ଧ୍ୟାନଭଙ୍ଗ ହେଲା l ସାମନାରେ ପ୍ରତିଷ୍ଠିତ ଭଦ୍ରବ୍ୟକ୍ତି । ସେ ସଙ୍ଗେ ସଙ୍ଗେ ପ୍ରଶ୍ନ କଲେ, ମତେ ହଟିଯିବା ପାଇଁ ଆପଣ କହିଲେ କହିଁକି ? ଆଶ୍ଚର୍ଯ୍ୟ ହେଲେ ସିଦ୍ଧ ସାଧକ । କହିଲେ, ମୁଁ ତୁମକୁ ହଟେଇବା କଥା କହିନି । କହୁଥିଲି ବୃନ୍ଦାବନ ଶ୍ରୀ ରଙ୍ଗସ୍ଵାମୀ ମନ୍ଦିରର ମାଳିକୁ । ସେଠି ଥ‌ିବା ତୁଳସୀ ଗଛ ଗୋଟିଏ ଛେଳି ଖାଇଯାଉଥଲା ।

 

ମହାତ୍ମାଙ୍କ କଥା କେତେଦୂର ସତ୍ୟ ଜାଣିବା ପାଇଁ ପରବର୍ତ୍ତୀ କାଳରେ ଉଦ୍ୟମ କରିଥିଲେ ଭଦ୍ରବ୍ୟକ୍ତି । ବୃନ୍ଦାବନକୁ ଯାଇ ଉକ୍ତ ମାଳିଠୁ ବୁଝିଥିଲି, ଅମକ ଦିନ, ଅମକ ସମୟରେ, ଏ ସ୍ଥାନରେ ସାଧୁ ମହାତ୍ମା, ଛେଳିକୁ ହଟେଇବାକୁ କହିଥିଲେ କି ? ମାଳି ବିନମ୍ର ଭାବରେ ଘଟଣାର ସତ୍ୟତାକୁ ସ୍ୱୀକାର କରିଥିଲା । ଏକଥା ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଜୀବନୀ ସମ୍ବଳିତ ‘ଚରିତସୁଧା’ ପୁସ୍ତକରେ ଉଲ୍ଲେଖ ଅଛି ।

 

ଏହି ଉଦାହରଣର ତାତ୍ପର୍ଯ୍ୟ ହେଉଚି–ଏବେ ସିନା ଟେଲିଫୋନ୍ ଆଦି ନାନା ବେତାର ଯନ୍ତ୍ର ବାହାରିଲାଣି । ଏହିସବୁ ଯନ୍ତ୍ର ସାହାଯ୍ୟରେ ସାଧୁ,. ଅସାଧୁ ସମସ୍ତେ ସମସ୍ତଙ୍କ ସହିତ, ଯିଏ ଯେତେ ଦୂରରେ ଥାଆନ୍ତୁ ନା କାହିଁକି, କଥାବାର୍ତ୍ତା କରିବା ସମ୍ଭବ ହୋଇପାରୁଚି । କିନ୍ତୁ ମହାପୁରୁଷମାନଙ୍କ ପାଖରେ ଏସବୁ ଯନ୍ତ୍ରର କୌଣସି ଆବଶ୍ୟକତା ନଥାଏ । ଅଲୌକିକ, ଅତିବୈଜ୍ଞାନିକ, ଅତିମାନସିକ, ଅଚିନ୍ତନୀୟ ମାର୍ଗରେ ସେମାନେ ପରସ୍ପର ସହିତ କଥାବାର୍ତ୍ତା କରିଥାଆନ୍ତି । ସେମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ଏବଂ ଅବିକଳ ସ୍ଵରୂପରେ ଆବିର୍ଭୁତ ହୋଇ ଭକ୍ତମାନଙ୍କୁ ଉପକୃତ କରିଥାଆନ୍ତି । ଏସବୁ ମହାପୁରୁଷୀୟ ରହସ୍ୟ । ଏହାକୁ ଭେଦ କରିବା ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ ।

 

ସେହିଭଳି ଏକ ଘଟଣାର ଉଲ୍ଲେଖ କରିଛନ୍ତି ଶ୍ରୀଯୁକ୍ତ ଜଗଦୀଶ ମହାନ୍ତି । ଜଗଦୀଶବାବୁ ଜଣେ ସୁସାହିତ୍ୟକ । ଉଚ୍ଚ ଚାକିରୀରେ ଥିଲେ । ତାଙ୍କ ସହିତ ମୋର ପରିଚୟ ବହୁ ଆଗରୁ ।

 

ଶ୍ରୀମଦ୍ ବାୟାବାବା ଓ ଠାକୁର ଅଭିରାମ ପରମହଂସ ଫଟୋଚିତ୍ର ଦେଖିଲେ, କିଏ ବାୟା, କିଏ ଅଭିରାମ ସହଜେ ବାରି ହୁଏନା । ମନେହୁଏ ଯେପରି ଦୁଇ ଜାଆଁଳା ଭାଇ । ସେମିତି ଗୋଲଗାଲ ମୁହଁ । ମୁହଁରୁ ଛାତିଯାଏଁ ଗୋଛାଏ ଗୋଛାଏ ଧୋବଫରଫର ଧଳା ଦାଢ଼ି । ସାଂପୋ କରାଯାଇଥିବା ଭଳି ସ୍ୱଛ ନିର୍ମଳ ।

 

ଜଣେ ରହୁଥିଲେ କରମଳାରେ, ଆଉ ଜଣେ କେନ୍ଦ୍ରାପଡ଼ାରେ । ଜଗଦୀଶ ବାବୁ ଥିଲେ ବାୟାବାବାଙ୍କ ଶରଣାଶ୍ରିତ I ବାୟାଠୁ ଶୁଣିଥିଲେ ‘ମନକା କହନା, କଭି ନେହିଁ କରନା । ମନ ତମର ନା ତମେ ମନର ?’’ ବାବା ବୁଝେଇ କହନ୍ତି,‘ତୁମେ ମନର ବଶ ହୋଇଯାଇଚ, ମନ ତୁମର ବଶ ହେବା ପରିବର୍ତ୍ତେ । ସେଇଥି ସକାଶେ ଯେତେ ଗଣ୍ଡଗୋଳ ।’’

 

‘ମନ’ ଠୁ ବଳି ଅବୁଝା କେହି ନାହିଁ । ଯେତେ ବୁଝେଇଲେ ବି ବୁଝେ ନାହିଁ । ଶ୍ରୀକୃଷ୍ଣ ଭଗବାନ ହେଲେ କଣ ହେଲା, ସେ ମଣିଷ ରୂପ ନେଇ ଧରାଧାମକୁ ଆସିଥିଲେ । ପ୍ରକୃତ ଗୁରୁ କିଏ ବୋଲି ସଖା ତଥା ଶିଷ୍ୟ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ତୁହାଇ ତୁହାଇ ପଚାରିବାରେ ଲାଗିଚନ୍ତି । ଉଦ୍ଧବଙ୍କ ବାରମ୍ବାର ପ୍ରଶ୍ନବାଣରେ ଭଗବାନ ଶ୍ରୀକୃଷ୍ଣ ଶେଷରେ ବିରକ୍ତ ହୋଇ ହେଉ ବା ଭକ୍ତର ଶୋଷ ମେଣ୍ଟାଇବାକୁ ହେଉ, କହିଚନ୍ତି–‘‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ।” ‘‘କେତେ ତୁ ପଚାରୁ’’ଏତକ ନିଶ୍ଚୟ ବିରକ୍ତିସୂଚକ ।

 

ଜଗଦୀଶବାବୁ ବାୟାର ଭକ୍ତ ହେଲେ କଣ ହେଲା, କଡ଼ ଲେଉଟାଇବାରେ ଲାଗିଚନ୍ତି । ରୋଗୀ କଷ୍ଟରୁ ତ୍ରାହି ପାଇବା ଲାଗି ଏ ଡ଼ାକ୍ତର ସେ ଡ଼ାକ୍ତର ପାଖକୁ ଦୌଡ଼େ । ଏଲୋପ୍ୟାଥ୍‌କ ନହେଲେ, କବିରାଜି । ସେହିଭଳି ଜଗଦୀଶ ବାବୁ ବାୟାଠୁ ଡିଆଁ ମାରି ଠାକୁର ଅଭିରାମ ପରମହଂସଙ୍କ ପାଦତଳେ ପଡ଼ିଛନ୍ତି ।

 

ଲେଖିଛନ୍ତି,’’ଠାକୁରେ ବସିଚନ୍ତି ଚୌକି ଉପରେ । ସାଷ୍ଟାଙ୍ଗ ପ୍ରଣାମ କରି ତାଙ୍କ ଶ୍ରୀପଦ ଛୁଇଁଲି । ଅଜସ୍ର ହସ ଉକୁଟି ଉଠୁଥାଏ ତାଙ୍କ ମୁହଁରୁ । ବଳିଷ୍ଠ ଦୀର୍ଘ ଗୋରା ତକତକ ଦେହରୁ ବିଛାଡ଼ି ହୋଇ ପଡ଼ୁଚି ଅଜସ୍ର ତେଜ । ଠାକୁରେ ଚୌକିରୁ ଉଠି ଠିଆ ହେଲେ । ହାତରେ ଗୋଟାଏ ଲାଲ ସଦ୍ୟ ଫୁଟନ୍ତା ଗୋଲାପ ଫୁଲ । କରେଇ ଠିଆ ହୋଇ କହିଲି, ‘ଠାକୁରେ ! ମୋ ସରକାରୀ ଚାକିରୀରେ ବଡ଼ ହଇରାଣରେ ପଡ଼ି ଆପଣଙ୍କ ପାଖକୁ ଆସିଚି । ମତେ ରକ୍ଷା କରନ୍ତୁ ।’’ ତାଙ୍କ ଓଠରେ ସ୍ମିତହାସ୍ୟ । କହିଲେ, ‘ତୁ ଆଜି ମୋ ପୋଖକୁ ଆସିବୁ ବୋଲି ମୁଁ ଜାଣିଚି । ବାୟା ମତେ କାଲି କହିଥିଲା ।’’

 

‘‘ଠାକୁରଙ୍କ କଥା ଶୁଣି ମୁଣ୍ଡ ଓଲଟ ପାଲଟ ହେଇଗଲା । ତିନି ଚାରି ବର୍ଷ ତଳେ ବାୟାବାବାଙ୍କର ଶରଣାପନ୍ନ ହୋଇଥୁଲି । ତା’ ପରଠାରୁ ତ ବାବାଙ୍କ ପାଖକୁ ଯାଇନାହିଁ । ଅଥଚ ଠାକୁରେ ! ଇମିତି କଣ କହୁଚନ୍ତି ! ସନ୍ତର୍ପଣରେ ପଚାରିଲି’’ଠାକୁରେ ! ଆପଣ ତ ଏଠି, ବାୟାବାବାଙ୍କ ସହିତ ଦେଖା ହେଲା କେମିତି କେତେବେଳେ ?’’

 

ଠାକୁରେ କହିଲେ, ‘ଆମର ସବୁଦିନ ଦେଖା ହୁଏ ।’’ ହାତରେ ଧରିଥିବା ଗୋଲାପ ଫୁଲଟିକୁ ଦୁଇ ଆଙ୍ଗୁଳିରେ ବାରମ୍ବାର ଘୂରେଇବା ଭିତରେ ଠାକୁରେ କହିଲେ, ‘ତୋର କେହି କିଛି କରି ପାରିବେ ନାହିଁ । ବଳେ ବେଳେ ଡାକି ହାକି ବ୍ୟବସ୍ଥା କରିବେ । ବ୍ୟସ୍ତ ହେବାର କିଛି ନାହିଁ ।’’

 

ଠାକୁରଙ୍କଠୁ ବିଦାୟ ନେବାକୁ ଅନୁମତି ଭିକ୍ଷା କଲେ ଜଗଦୀଶବାବୁ । ଠାକୁରେ କହିଲେ, ଏଠୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ (କଟକ) ଫେରିବୁ ।’’

 

ଜଗଦୀଶ ବାବୁ ବିବ୍ରତ ହୋଇ ପଚାରିଲେ,’’ଠାକୁରେ ! ଆପଣଙ୍କ ଦର୍ଶନ ପାଇଁ ତ ଆସିଥଲି, ଦର୍ଶନ କରି କୃତାର୍ଥ ହେଲି, ମୋ ପାଇଁ ଆପଣ ତ ଜଗନ୍ନାଥ, ଆଉ ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ ଆଦେଶ କରୁଚନ୍ତି କାହିଁକି ?

 

ଠାକୁରେ କହିଲେ,’’ମୁଁ ଜଗନ୍ନାଥଙ୍କୁ ଦର୍ଶନ ନ କଲେ ପାଣି ଛୁଏଁ ନା ହିଁ । ନିଜେ ଜଗନ୍ନାଥ ହେବି କେମିତି ?’’ ଠାକୁରଙ୍କ ଏପରି କଥାରେ ଭରସି ଆଉ କିଛି ପଚାରି ନପାରିଲେ ମଧ୍ୟ ମନେ ମନେ ଭାବିଲି, ‘ଏଠି ରହି, ବାୟାବାବାଙ୍କୁ ନିତି ଦେଖି କଥାବାର୍ତ୍ତା କରିବା ଏବଂ ଜଗନ୍ନାଥଙ୍କୁ ନିତି ଦର୍ଶନ କରିବା ସମାନ ରହସ୍ୟ । ତାଙ୍କର ଏ ରାଜ୍ୟ କଥା ବୁଝିବାକୁ ମୋର ବା’’ୟୁ କାହିଁ ।”

Image

 

‘ତେଣୁ ମୁଁ ସଦାନନ୍ଦ ବ୍ରତ !'

 

ଏବେ କଣ, ସବୁବେଳେ ପୃଥ‌ିବୀରେ କଥା କୁହାଳିଆଙ୍କ ସଂଖ୍ୟା ଅଧିକ । ବଡ଼ ବଡ଼ କଥା କହିଥାଆନ୍ତି । ଏଇସା କରେ ଘେ, ତୈସା କରେଇ ବୋଲି ଲମ୍ବା ଚୌଡ଼ା ଭାଷଣ ଦେଇଥାଆନ୍ତି, କିନ୍ତୁ କାମ କିଛି ନାହିଁ I ରାବଣ ଥିଲା ସେହିଭଳି ଚରିତ୍ରର ଲୋକ । ସେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କୁ କହିଲେ, ଏକ ମହାତପସ୍ଵୀ, ପ୍ରଚଣ୍ଡ ଜ୍ଞାନୀଙ୍କର ଦେହାବସାନ ଘଟିବାକୁ ଯାଉଚି । ତୁମେ ତାଙ୍କ ପାଖକୁ ଯାଅ । ତୁମକୁ ଦେଖି ସେ କଣ କହୁଚନ୍ତି ମନ ଦେଇ ଶୁଣ ।

 

ଲକ୍ଷ୍ମଣ ଭାଇଙ୍କ ଆଦେଶ ପାଳନ କଲେ । ରାବଣ ପାଖରେ ଯାଇ ବସିଲେ । ରାବଣ ତା’ ମନକଥା କହିବା ଲାଗି ଲକ୍ଷ୍ମଣ ଭଳି ଜଣେ ଆଚରଣସିଦ୍ଧ ବ୍ୟକ୍ତିଙ୍କୁ ମନେ ମନେ ଖୋଜୁଥିଲା । ପାଖରେ ପାଇଲା । ରାବଣ ଲକ୍ଷ୍ମଣଙ୍କୁ କହିଲା, ‘ମୁଁ ଯାହା ଯେତେବେଳେ ଚାହିଁଚି, ପାଇଚି । କିନ୍ତୁ ତିନୋଟି ଇଚ୍ଛା ବା ପ୍ରତିଶ୍ରୁତି ପୂରଣ କରିପାରିଲି ନାହିଁ । ପ୍ରଥମତଃ ଲଙ୍କା ଚାରିପଟେ ଘେରି ରହିଥ‌ିବା ସମୁଦ୍ରର କୁଣିଆ ପାଣିକୁ ମିଠା କରିଦେବାକୁ ଚାହୁଁଥୁଲି । ଦ୍ୱିତୀୟତଃ ଯେଉଁମାନେ ପୃଥ‌ିବୀରେ ରହି ନର୍କଦଶା ଭୋଗୁଚନ୍ତି–ସମସ୍ତେ ଯେମିତି ସ୍ୱର୍ଗସୁଖ ଭୋଗ କରିପାରିବେ । ତୃତୀୟରେ ନର୍କରୁ ସ୍ୱର୍ଗ ପର୍ଯ୍ୟନ୍ତ ଏକ ସିଡ଼ି ବା ନିଶୁଣି ପକାଇବାକୁ ଇଛା ଥିଲା–କରି ପାରିଲି ନାହିଁ । ପ୍ରଜାମାନଙ୍କୁ ପ୍ରତିଶ୍ରୁତି ଦେଇଥୁଲି, ପାଳନ କରି ପାରିଲି ନାହିଁ ।

 

ରାବଣ ମୁହଁରୁ ଯାହା ଶୁଣିଥିଲେ, ଲକ୍ଷ୍ମଣ ଫେରିଆସି ଶ୍ରୀରାମଙ୍କୁ କହିଲେ । ଶ୍ରୀରାମ ହସିଲେ । କହିଲେ ଅନ୍ତିମ କାଳରେ ପଶ୍ଚାତାପ କରି କି ଲାଭ ? ରାବଣ ଯଦି ଭଲ କାମ କରିବାକୁ ଚାହୁଁଥିଲା ସଙ୍ଗେ ସଙ୍ଗେ କରିଦେବା ଉଚିତଥିଲା । ଆଜି ଥାଉ କାଲି କରିବି କରିବି ଭାବି ଭାବି ତା’ର ଦିନ ସରିଗଲା । ଭଲ କାମକୁ ପଛେ କରିବି ବୋଲି ଭାବି କେବଳ ଖରାପ କାମ ଗୁଡ଼ିକୁ ସଙ୍ଗେ ସଙ୍ଗେ ତରବରରେ କରିବାରେ ଲାଗିଲା ।

 

ଜିଭ ଖାଲି ‘ଖାଇବା’ କାମଟି କରେ ନାହିଁ, ‘କହିବା’କାମଟି ମଧ୍ୟ କରିଥାଏ । ସେ ବାଚକ । ଖାଦକ । ମିଠା କଥାରୁ ମିଠା ଫଳ ମିଳିଥାଏ । ଏଥୁ ଧନ, ସମ୍ମାନ, ସବୁ ଆସିଥାଏ ।

 

ଠାକୁର ଅଭିରାମ ପରମହଂସ–ଜିଭକୁ ଆହ୍ୱାନ କରି ଗାଇଚନ୍ତି–

 

ହେ ରସ ସାରଜ୍ଞ ଜିହ୍ୱା ମୋହର,

(ତୋତେ) ଦଧି-ଦୁଗ୍ଧ ଲାଞ୍ଚ ଦେଲି ଅପାର ।

ମରିବ । ପୂର୍ବରୁ ଥରେ ଯେଉଁପରି,

କହିବୁ କୃଷ୍ଣ ହେ ମୋତେ ଉଦ୍ଧର !

 

ସଂସ୍କୃତ ଶ୍ଳୋକରେ ମଧ୍ୟ ସେହିକଥା ଅନ୍ୟମାନେ କହି ଆସିଚନ୍ତି–

 

ଅୟି ତେ ରସନେ ପ୍ରଜୀୟତେ

ମରଣାବସରେ ବହିଷ୍ୟସି

ଦଧ ଦୁଗ୍ଧ ଚ ସିତା ମୁହୂର୍ମୁହଃ

କ୍ଷଣମିନ୍ଦୀବର ଲୋଚନଂ ହରି ।

 

‘‘ରେ ଜିହ୍ୱା ! ତୋ ପାଖରେ ମୋର ଗୋଟିଏ ଅଳି । ବେଶି ନାହିଁ, ପ୍ରାଣ ପ୍ରୟାଣ କାଳରେ ମାତ୍ର ଥରଟିଏ ତୁ କୃଷ୍ଣ ବା ହରିଙ୍କ ନାମ ଉଚ୍ଚାରଣ କରିବୁ । କେବଳ ଏହି ଗୋଟିକ କାମ କରିବା ପାଇଁ ମୁଁ ସାରା ଜୀବନ ତୋତେ ଦୁଧ ଦହି ଆଦି ଭଲ ଭଲ ଭୁଚିକର ସ୍ଵାଦିଷ୍ଟ ଖାଦ୍ୟ ଲାଞ୍ଚ ଦେଇ ଆସିଛି । ମୋର ଦୃଢ଼ ବିଶ୍ୱାସ, ତୁ ଯଦି ଏହି ଟିକକ କାମ କରି ପାରିବୁ, ମୁଁ ନିଶ୍ଚୟ ଭବ ସାଗର ପାର ହୋଇ ପାରିବି ।’’

 

ନାମ କୀର୍ତ୍ତନ, ନାମ ସ୍ମରଣ, ହରିନାମ ଭଜନ, ଜପ ତପ ଆଦି ହେଉଚି ଅନ୍ତିମକାଳରେ ତାଙ୍କୁ ‘ହେତୁ’ ରଖୁବା । ଠାକୁରଙ୍କ ଭାଷାରେ–

 

ଅନ୍ତ କାଳରେ ହେତୁ ସତ୍ୟ

ସକଳ ମିଥ୍ୟାର ଚରିତ

।।

 

ରାବଣର ଜିହ୍ୱା କେବଳ ଅହଂକାରର ଭାଷା ଭାଷିବାରେ ଲାଗିଥିଲା । ସେ ଥିଲା ତଥାକଥ୍‌ତ ଜ୍ଞାନୀ । ଜ୍ଞାନ, ପାଣ୍ଡିତ୍ୟର ଅହଂକାର ହିଁ ତାକୁ ଅଜ୍ଞାନ ଅନ୍ଧକାର ଭିତରକୁ ଠେଲି ଠେଲି ନେଉଥିଲା । ଭାଇ ବିଭୀଷଣ ତାକୁ ରାମଙ୍କ ମହିମା କହିବା ମାତ୍ରେ, ତା’ର ଗାତ୍ରଦାହ ହେଉଥିଲା । ନାନା ତର୍କ କରୁଥିଲା । ଶାସ୍ତ୍ରରେ କୁହାଯାଇଚି–ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଠାକୁର ଅଭିରାମ ପରମହଂସ ରାବଣ ଭଳି ଆଚରଣ କରୁଥିବା ସମସ୍ତଙ୍କୁ ଉପଦେଶ ଦେଇ କହିଚନ୍ତି–

 

ତର୍କ ପଥେ ଯଦି ଚଳିବ ପୂରି ଅଛଇ ନର୍କ

ବ୍ୟାଧୂଗ୍ରସ୍ତ ଯଦି ହୋଇବ ତେବେ ଖୋଜିବା ସର୍କ ।

 

ଭଗବତ୍ ଚେତନାର ମୂଳତତ୍ତ୍ୱ ହେଉଚି ବିଶ୍ୱାସ । ବିଶ୍ଵାସ ପ୍ରଗାଢ଼ ହେଲେ ସେଥିରୁ ଜାତ ହୁଏ ‘ଭାବ’ । ଠାକୁରେ ଗାଇଛନ୍ତ

 

“ହଂସ ପରି ନାମ ଉଡ଼ୁଚି

ତାକୁ ‘ଭାବ’ରେ ଧର

।।’’

 

ଯିଏ ପ୍ରଭୁଙ୍କୁ ‘ଭାବରେ କୋଳାଗ୍ରତ କରିନିଏ, କେବଳ ତା’ ମୁହଁରୁ ଉଚ୍ଚାରିତ ହୁଏ—

 

କାହାକୁ କରିବି ଶତ୍ରୁ ମିତ୍ର ଏବେ ?

ହୃଦୟ-ଈଶ ମୋ ଅଛ ସର୍ବ ଠାବେ ।

କପଟ କାହାକୁ କରିବି କାହିଁକି,

ପରାଣ ବନ୍ଧୁ ତୁ ସେ ସ୍ଥାନେ ନାହଁକି ?

ଭୟ ମୁଁ କରିବି କାହାଠାରେ ?

ହୃଦବିଧାତା ତୁ ନାହୁଁ କି ସେଠାରେ ?

 

ଜଣେ ବନ୍ଧୁ ମୋ ପାଖକୁ ଚିଠି ଲେଖିଛନ୍ତି–ଠାକୁର ଅଭିରାମ ପରମହଂସଙ୍କ ‘ବାଦ’ କଣ ? ଅର୍ଥାତ୍ ସେ ଦ୍ୱୈତବାଦୀ, ଅଦ୍ୱୈତବାଦୀ, ଦ୍ୱୈତାଦ୍ୱୈତବାଦୀ, ବିଶିଷ୍ଟ ଦ୍ୱୈତବାଦୀ ନା ଅନ୍ୟ କଣ ?

 

ମୁଁ ତାଙ୍କୁ ଉତ୍ତର ଦେଇଚି, ଠାକୁରେ ସମସ୍ତ ବାଦର ଉର୍ଦୁରେ । ତାଙ୍କ ପ୍ରତି କୌଣସି ‘ବାଦ’ ଶବ୍ଦ ପ୍ରୟୋଗ କରିବା ଅନୁଚିତ I ସେ ତ ସ୍ପଷ୍ଟ ଭାବରେ କହିଚନ୍ତି

 

କାହା ସଂଙ୍ଗେ ମୋର କିସ ପ୍ରୟୋଜନ

ତୁମ୍ଭ ଯୋଗୁଁ ସିନା ସବୁ ମୋ ସମାନ ।

 

ସେ ତାଙ୍କର ବହୁ କବିତାରେ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ଚରିତ୍ରର ଉଲ୍ଲେଖ ନାନା ଭାବରେ କରିଥିଲେ ମଧ୍ୟ ନିର୍ଭିକ ଭାବରେ ପ୍ରଶ୍ନ କରିଚନ୍ତି–ତୁମେ ବହୁ ପାଷଣ୍ଡଙ୍କୁ ଉଦ୍ଧାରକଲ, ହରେ ରାମ, ହରେ କୃଷ୍ଣର ପ୍ରଚାର କଲ, ମାଳା ତିଳକର ବିଧାନ କରିଲ କିନ୍ତୁ ଅନ୍ତରର ଜୀବ ପରମ ତତ୍ତ୍ୱ କଥା ତ କିଛି କହିଲ ନାହିଁ ।

 

ନିର୍ଜୋର ବେଳ କଥା ଯେହି । ତାକୁ ନ କହିଲ କିପାଇଁ ?

 

ମାଳା ତିଳକ, କଠୋଉ, କୌପୁନୀ ଆଦି ରକ୍ଷଣଶୀଳ ନୀତି ନିୟମାଦିର ଠାକୁରେ ଥିଲେ ବିରୋଧୀ । ସେ ଅନୁଭବୀ ସନ୍ଥ ଶିରୋମଣି । ଯାହା ଯେତେବେଳେ ଅନୁଭବ କରିଚନ୍ତି, ଲେଖୁ ଯାଇଚନ୍ତି କବିତା ଆକାରରେ, ସରଳ ବୋଧଗମ୍ୟ ଭାଷାରେ । ତେଣୁ ସେ କୌଣସି ‘ବାଦ’ ର ପ୍ରଚାରକ ନୁହଁନ୍ତି । ‘ଏକାକ୍ଷର’ ନାମ ଉପରେ ଗୁରୁତ୍ଵ ଦେଇ କହିଚନ୍ତି–

 

ସଂସାର ମୋହର ଅଦ୍ଵୈତ

ତେଣୁ ମୁଁ ସଦାନନ୍ଦ ବ୍ରତ

।।

Image

 

ଟଙ୍କା ପାଞ୍ଚ ହଜାର, ସିମେଣ୍ଟ ପଚିଶ ବସ୍ତା !

 

ପୃଥ‌ିବୀରେ ଲକ୍ଷ ଲକ୍ଷ ଉପାସନାପୀଠ । ମନ୍ଦିର, ଗୀର୍ଜା, ମସ୍‌ଦ, ଗୁରୁଦ୍ୱାର, ଆଶ୍ରମ, ମଠ । ବିରାଟ ବିରାଟ । ସ୍ଵର୍ଣ୍ଣ ଓ ରୌପ୍ୟ ଖଚିତ । ଏସବୁ ନିର୍ମିତ ହୋଇଛି ଅସୁମାରୀ ଅର୍ଥରେ । ଭାଙ୍ଗୁଛି, ଗଡ଼ୁଛି, I ଲୋକେ ଭାଙ୍ଗୁଚନ୍ତି, ସେହି ଲୋକେ ହିଁ ଗଡ଼ୁଛନ୍ତି । ଶିରିଡ଼ି ସାଇବାବା ଧନବୃଦ୍ଧିକୁ ପୂଜଭର୍ତି ଘା’ ସହିତ ତୁଳନା କରିଛନ୍ତି । ତାଙ୍କ ପାଖକୁ କୌଣସି ବିତ୍ତଶାଳୀ ଭକ୍ତ ଯିବାମାତ୍ରେ ସେ ଦଣ୍ଡା ବା ଠେଙ୍ଗା ଉଠାନ୍ତି । ତଳକୁ ଜୋରରେ ବାଡ଼ାନ୍ତି । ଜୋର ଆବାଜ ହୁଏ । ସେ ଆବାଜରେ ଭକ୍ତ ଡ଼ରିଯାଏ । ବାବା କହନ୍ତି, ପୂଜରୁ କିଛି କିଛି ଦରିଦ୍ର ଲୋକଙ୍କୁ ଦେଇଦେ, ନଚେତ୍ ଟନ୍ ଟକ୍ ହେଉଥୁବ । କଷ୍ଟ ପାଉଥବୁ । ମନ୍ଦିର, ମସଜିଦ୍ ସବୁ ଏହି ପୂଜରେ ଗଢ଼ା । ଏସବୁ ପାଇଁ ଅର୍ଥାଗମ କିପରି ହୁଏ, ସେ ରହସ୍ୟଭେଦ କରିବା, ଆମଭଳି ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ । ଏ ଅର୍ଥକୁ . ଏକ ଅଦୃଶ୍ୟ ଶକ୍ତି ଚୁମ୍ବକ ଭଳି ଟାଣି ଆଣେ ।

 

ଏ ସମ୍ପର୍କରେ କୋଟି କୋଟି ଉଦାହରଣ । ଗିରି, ପୁରୀ ଆଦି ଭଳି ମଦର ଟେର୍‌ସା ଏକ କ୍ୟାଥଲିକ୍ ସଂମ୍ପ୍ରଦାୟର । ଶିଷ୍ୟା, ପ୍ରଶିଷ୍ୟା ହୋଇ ଏହି ଧାଡ଼ି ଲମ୍ବି ଆସିଚି ବହୁ କାଳରୁ । ମୂଳ ମଦର ଟେର୍‌ସାଙ୍କୁ ଥରେ ସ୍ଵପ୍ନାଦେଶ ହେଲା ତୁମେ ଏବେ ଯେଉଁଠି ଅଛ, ସେଠି ଏକ ଗୀର୍ଜା ନିର୍ମାଣ କରିବାକୁ ପଡ଼ିବ–ଯାହା କି ପୃଥ‌ିବୀରେ ହେବ ସର୍ବୋଚ୍ଚ ଟେର୍‌ସା ନିଦରୁ ଉଠିଲେ । ମନରେ ତାଙ୍କର ସ୍ୱପ୍ନାଦେଶ ଘାରିବାରେ ଲାଗିଲା । ସଂକଳ୍ପ କଲେ ଗୀର୍ଜା ନିର୍ମାଣ ହେବ । ଇଟାଲିର ସେ ଯେଉଁଠି ରହୁଥିଲେ, ସେତେବେଳେ ସେଠି କେବଳ ଚାରୋଟି ପରିବାର ବାସ କରୁଥିଲେ । ଟେର୍‌ସା ସେଠା ଲୋକଙ୍କୁ ସ୍ୱପ୍ନାଦେଶ କଥା କହିଲେ । ଲୋକେ କହିଲେ, ହେବ କିପରି ? ଆମର ଏଠି ମାତ୍ର ଚାରୋଟି ଦରିଦ୍ର ପରିବାର । ଅର୍ଥ ଆସିବ କୁଆଡ଼ୁ ? ଆମେମାନେ ଚାହିଁଲେ ଅତିବେଶୀ ହେଲେ ସାଞ୍ଚ ଦଶଟଙ୍କା ଦେଇ ପାରିବୁ । ସେଥରେ ତ ହାତେ ଉଚ୍ଚର ଗିର୍ଜାଟିଏ ହୋଇ ପାରିବ ନାହିଁ । ପୃଥ‌ିବୀର ସର୍ବୋଚ୍ଚ ଗିର୍ଜାର ପରିକଳ୍ପନା ! ଅସମ୍ଭବ !

 

ମଦର ଟେର୍‌ସା କହିଲେ, ନିଶ୍ଚୟ ସମ୍ଭବ । ସେ ଟିକିଏ ଦୂରରେ ଏକ ପଡ଼ିଆ ମଝିରେ ଦୁଇଖଣ୍ଡ ପଥର ରଖିଲେ l ପଥର ଦେହରେ ଲେଖୁଦେଲେ–ଏଠି ହେବ ସର୍ବୋଚ୍ଚ ଗୀର୍ଜା । ବେଶ୍, ତାଙ୍କ କାମ ଶେଷ । ସେ ଚାଲିଗଲେ ଦୂର ଦୂରାନ୍ତକୁ ସେବା କାର୍ଯ୍ୟରେ । ଦଶବର୍ଷ ପରେ ଫେରିଲେ ତାଙ୍କ ମୂଳପୀଠକୁ I ଦେଖୁଲେ ବିରାଟ ଗୀର୍ଜା ଠିଆ ହୋଇଛି । ଆଖି ପାଉନି । ସେଠାକାର ଚାରୋଟି ପରିବାରର ଲୋକଙ୍କୁ ସେ ଖୋଜିଲେ l ସେମାନେ ରହିଥିଲେ ସେଠୁ ଯାଇ ଦଶମାଇଲ ଦୂରରେ । ଟେର୍‌ସା ପଚାରିଲେ, ଗୀର୍ଜା କଲା କିଏ ? ଲୋକେ କହିଲେ, ‘ସମସ୍ତେ’ । ସମସ୍ତଙ୍କ ସ୍ୱତଃପ୍ରବୃତ୍ତ ଦାନରେ ଏ ଅବଦାନର ଆବିର୍ଭାବ ! କିଏ କଣ ଦେଲା, କିଏ କଣ କଲା ସେମାନେ ଜଣାଇଲେ ମଦର ଟେର୍‌ସାଙ୍କୁ ।

 

ମହତ୍ ସଂକଳ୍ପରୁ ମହତ୍ କାର୍ଯ୍ୟର ସମ୍ପାଦନ ଆପେ ଆପେ ହୋଇଯାଏ । ଭଗବତ୍ ଶକ୍ତି ହିଁ ଅଦୃଶ୍ୟ ଅନ୍ତଃସ୍ରୋତ ଭଳି କାର୍ଯ୍ୟ କରିଥାଏ ।

 

ଖଣ୍ଡଗିରିରେ ଠାକୁର ଅଭିରାମ ପରମହଂସଙ୍କ ଆଶ୍ରମର ନାମ ତପୋବନ । ତପୋବନ ସର୍ବଦା ‘ଜୟ ଶ୍ରୀ ସତ୍ୟନାରାୟଣ ସ୍ଵାମୀଙ୍କ ଜୟ ଧ୍ୱନିରେ ମୁଖରିତ । କେବେ କେବେ ବାହାରେ ଏହି ଧ୍ୱନି, କିନ୍ତୁ ସତତ ଏହି ଧ୍ୱନିର ସ୍ପନ୍ଦନ ଅନ୍ତର ଭିତରେ । ଭକ୍ତଙ୍କ ମିଳନରେ ଏହି ଧ୍ୱନି ସ୍ୱତଃପ୍ରବୃତ୍ତ ଭାବରେ ଉଚ୍ଚାରିତ ହୋଇଥାଏ । ଶ୍ରୀଯୁକ୍ତ ରାଧାନାଥ କର ୧୯୯୩ ର ‘ଖଣ୍ଡଗିରି ଲୀଳା’ ପତ୍ରିକାରେ ଯାହା ଉଲ୍ଲେଖ କରିଛନ୍ତି, ତା’ର ସାରାଂଶ–‘‘କରି କରାଉଥାଏ ମୁହିଁ, ତୁଚ୍ଛାକୁ କିଆଁ ହୋଇପାଇଁ’’ ।

 

ତପୋବନରେ ମନ୍ଦିର ନିର୍ମାଣର ଇତିହାସ ଅତ୍ୟନ୍ତ କୌତୁହଳପ୍ରଦ ଓ ରହସ୍ୟମୟ । ପଞ୍ଚାବନ ଫୁଟ ଉଚ୍ଚର ମନ୍ଦିର । ଠାକୁରଙ୍କ ମନ୍ଦିର । ପାଣୁ ଓ ଦଣ୍ଡପାଣି ମିସ୍ତ୍ରୀ ପ୍ରଧାନ ଶିଳ୍ପୀ । ଡ଼ିଜାଇନ କଣ ହେବ–ସ୍ଥିର କରିବ କିଏ ? ଜଟିଳ ସମସ୍ୟା । ସମସ୍ୟାର ସମାଧାନ ଦାୟିତ୍ୱ ଲଦି ଦିଆଗଲା କରବାବୁଙ୍କ ଉପରେ । ବିତରା କରବାବୁ ଅସହାୟ । ନିରୁପାୟ । ମନ୍ଦିର କାର୍ଯ୍ୟ ବନ୍ଦ ହେବା ଉପରେ । ଶେଷରେ ଠାକୁରଙ୍କୁ ସମର୍ପଣ କରି ଦିଆଗଲା । ତାଙ୍କ ମନ୍ଦିର ସେ ଗଢ଼ନ୍ତୁ । ଠାକୁରେ ତାଙ୍କ କାମ ପାଣୁ ମିସ୍ତ୍ରୀ ଜରିଆରେ କରାଇଲେ । ଗର୍ଭମୁଦ ପଡ଼ିଲା । ବାକି ରହିଲା ରତ୍ନମୁଦ । ଏଥିଲାଗି ୨୪.୩.୯୩କୁ ଦିନ ସ୍ଥିର ହେଲା । ଆଉ ୬/୭ ଦିନ ବାକି । ପୁଣି ଦେଖାଦେଲା ଅର୍ଥ ସମସ୍ୟା । ମିସ୍ତ୍ରୀମାନେ ଅଡ଼ି ବସିଲେ–ମଜୁରୀ ଦିଅ । ମଜୁରୀ ପାଇଲେ ସେମାନେ ନିଜ ଘରକୁ ପଠାଇବେ ।

 

‘ଶୂନ୍ୟ’ ମନ୍ଦିରରେ ଶୂନ୍ଯ ପୂଜାରୀ ପରି ଆଶ୍ରମର ଅର୍ଥ ସବୁବେଳେ ଶୂନ୍ୟଥାଏ । ବାକି ମଜୁରୀ ଦେବା ପାଇଁ ଅନ୍ତତଃ ପାଞ୍ଚହଜାର ଟଙ୍କା ଦରକାର । ହାତରେ ମାତ୍ର ଦି’ଦିନ ବାକି । ମୁଁ ସ୍ତ୍ରୀମାନେ କାମ ବନ୍ଦ କରିଦେଲେ ନିର୍ଦ୍ଦିଷ୍ଟ ସମୟରେ ରତ୍ନମୁଦ ଦିଆଯାଇ ପାରିବନି ।

 

କରବାବୁ ଚିନ୍ତିତ । ବହୁ ଭକ୍ତଙ୍କ ସମାଗମ ହେବ । ମୁଦରେ ଦେବା ପାଇଁ କିଏ ଶସ୍ୟ ତ କିଏ ନାନା ଧାତବ ଦ୍ରବ୍ୟ ଧରି ଆସିବେ । ନିରାଶ ହେବେ । ରାଧାନାଥ କର ମହାଶୟ ଆଶ୍ରମଠାରୁ ଦୂରରେ । କିନ୍ତୁ ତାଙ୍କ ମନ ରତ୍ନମୁଦଠି । ହଠାତ୍ ଆଶ୍ରମରୁ ଫୋନ୍ ଆସିଲା–‘‘ବର୍ତ୍ତମାନ ଠାକୁରଙ୍କ ଜଣେ ଆଶ୍ରିତ ଭକ୍ତ ପାଞ୍ଚହଜାର ଟଙ୍କା ଧରି ଆସି ଦେଇଗଲେ । ସେ ବହୁଦିନରୁ ଠାକୁରଙ୍କ ମନ୍ଦିର ପାଇଁ ଏତକ ସଂଚୟ କରି ରଖୁଥିଲେ । ଆଜି ଦିନ ଦୁଇଟା ବେଳୁ ସେ ଅତି ବ୍ୟସ୍ତ ହେଉଥିଲେ–କିପରି ଯାଇ ଆଶ୍ରମରେ ଦେଇ ଆସିବେ ।’’

 

ମିସ୍ତ୍ରୀମାନେ ଟଙ୍କା ପାଇଲା ପରେ କାମ ଆଗେଇ ଚାଲିଲା । ପୁଣି ସମସ୍ୟା ଦେଖାଦେଲା । ମିସ୍ତ୍ରୀ ଆସି କହିଲା, ସିମେଣ୍ଟ ସରିଗଲା । ଯାହାଠୁ ସିମେଣ୍ଟ ଆସେ ସେ ମନା କରି ଦେଇଚି, ବାକି ପଇସା ପଇଠ ନକଲେ, ଆଉ ସେ ସିମେଣ୍ଟ ଦେବନି । କରବାବୁଙ୍କ ମନରେ ବିରକ୍ତିର ଝଞ୍ଜା । ମଜୁରୀ-ସମସ୍ୟା ତୁଟିବାର ଦିନୁଟେ ଯାଇନି ଆଜି ପୁଣି ସିମେଣ୍ଟ ସମସ୍ୟା ! ମନ ଛି ହୋଇଗଲା । ଭାବିଲେ, ମନ୍ଦିର ହେଲେ କେତେ ନହେଲେ କତେ, ରତ୍ନମୁଦ ପଡ଼ୁ ନ ପଡ଼ୁ ! ରାଗରେ ସେ ଠାକୁରଙ୍କୁ ଗାଳି ଦେବାରେ ଲାଗିଲେ । ପୁଣି ମନକୁ ବୁଝାଇବାକୁ ଲାଗିଲେ । ଠାକୁରଙ୍କୁ ପ୍ରାର୍ଥନା କଲେ, ପାଞ୍ଚହଜାର ଟଙ୍କା ତ ଦେଲୁ, ଏବେ ସିମେଣ୍ଟ ଦେ ।’’

 

ଘରେ ପହଞ୍ଚିଲେ କରବାବୁ । ସଂଧ୍ୟା । ଘରେ ପଶୁ ପଶୁ ଆଶ୍ରମରୁ ଟେଲିଫୋନ୍ । ରତ୍ନାକର ବ୍ରହ୍ମଚାରୀ କହିଲେ, ‘ଏହି ବର୍ତ୍ତମାନ ଏକ ସିମେଣ୍ଟ ଟ୍ରକ ଆସି ପହଞ୍ଚିଲା । ଜଣେ ଭକ୍ତ ୨୫ ବସ୍ତା ସିମେଣ୍ଟ ପଠାଇଛନ୍ତି । କାଲି ପାଇଁ ଓ ରତ୍ନମୁଦ ପର୍ଯ୍ୟନ୍ତ ଆମର ସିମେଣ୍ଟ ପାଇଯିବ । ”

Image

 

ଆତ୍ମାରାମ-ଅଭିରାମ

‘ମୁକ୍ତିରେ ନବଳେ ମୋ ମତି ?

 

ବୈଷ୍ଣବକବି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ହେ ହରି ! ମୁଁ ମୁକ୍ତି ଚାହେଁନା । ତୁମେ ଥରକୁ ଥର ଧରାଧାମକୁ ଆସୁଥି, ମୁଁ ବି ତୁମ ସହିତ ଆସୁଥି, ତୁମର ଚରଣ ସେବା କରିବା ଲାଗି । ଠାକୁର ଅଭିରାମ ପରମହଂସ ମଧ୍ୟ ଗାଇଚନ୍ତି–ମୋର କୌଣସି କାମ ଆକାଂକ୍ଷା ନାହିଁ, ତେଣୁ ତୁମକୁ ମୁଁ ବର ମାଗୁନି–

 

ମୁକ୍ତିରେ ନ ବଳେ ମୋ ମତି । ତୁ କି ନ ଜାଣୁ ଦାଶରଥି !

 

ଯାହାର ହୃଦୟ ପ୍ରେମ ଓ ଭକ୍ତିରେ ପରିପୂର୍ଣ୍ଣ, ସେ ଇନ୍ଦ୍ରପଦ ଲୋଡ଼ିବ କାହିଁକି ? “‘ପ୍ରେମ ଭକତି ଯାର ହୃଦ । ସେ କି କରିବ ଇନ୍ଦ୍ରପଦ । ଯାହାର ହୁଏ ପ୍ରେମଭର୍ତ୍ତି । ସେ କିମ୍ପା ମାଗିବ ମୁକତି ?’’

 

ଭକ୍ତ ସହିତ ଭଗବାନଙ୍କ ଖେଳ ଲାଗି ରହିଛି ନିରନ୍ତର । ଠାକୁରେ ଠାକୁର (ଭଗବାନ) ଙ୍କୁ କହିଛନ୍ତି–

 

ମୁଁ ଥ‌ିବାରୁ ସିନା ତୁମେ ରହିଅଛ

ମୁହିଁ ନାହିଁ ତୁହି ନାହିଁ ।

ତୁହିରେ ମୁହିଁରେ କି ଭିନ୍ନ ରହିଛି

ମୁହିଁ ଜାଣି ପାରୁ ନାହିଁ ।

 

ମୁଁ ଅଛି, ମୁଁ ପ୍ରକାଶ ପାଇଚି, ତୁମେ ଅଛ, ତୁମେ ପ୍ରକାଶ ପାଇଚ, ସେ ଅଛନ୍ତି, ସେ ପ୍ରକାଶ ପାଇଛନ୍ତି । ପିତାମାତା, ପୁତ୍ରକନ୍ୟା, ସ୍ଵାମୀ ସ୍ତ୍ରୀ, ଘରଦ୍ୱାର, ବିଷୟ, ଆଶୟ, ଧନ ଦୌଲତ, ପଞ୍ଚଭୂତ ଅଛନ୍ତି ଏବଂ ପ୍ରକାଶ ପାଇଛନ୍ତି । ନାମ ରୂପାତ୍ମକ ଏହି ବିଶ୍ୱ ଅଛି ଓ ପ୍ରକାଶ ପାଇଚି । ମୋର ଦେହ, ପ୍ରାଣ, ଇନ୍ଦ୍ରିୟ, ମନ, ବୃଦ୍ଧି, ଚିତ୍ତ, ଅହଂକାର ଓ ଅଜ୍ଞାନ ରହିଛି ଏବଂ ପ୍ରକାଶିତ ହୋଇଛି । ଏ ଯେଉଁ ‘ଅଛି’ ଓ ପ୍ରକାଶ ପାଉଛି–ଏ ଯେଉଁ ସତ୍ତା ଓ ପ୍ରକାଶ–ଏହି ଦୁଇଟିଯାକ ସତ୍ ସ୍ୱରୂପ ସ୍ଵପ୍ରକାଶ ଚୈତନ୍ୟ ସ୍ୱରୂପ ଭଗବାନଙ୍କ ସତ୍ତା ଓ ପ୍ରକାଶ ।

ଋଷି କହିଛନ୍ତି–‘‘ତମେବ ଭାନ୍ତ ଅନୁଭାତି ସର୍ବଂ ତଥ୍ୟ ଜାଖା ସର୍ବଂ ଇଦଂ ବିଭାତି ।’’ ସେହି ପ୍ରକାଶମାନ ଅନ୍ତରାତ୍ମା ଭଗବାନଙ୍କ ପ୍ରକାଶରେ ପ୍ରକାଶିତ ହୋଇ ପରିଦୃଶ୍ୟମାନ ଜଗତ ରୂପରେ ପ୍ରକାଶିତ ! ତରଙ୍ଗର ସତ୍ତା ଯେପରି ଜଳର ସତ୍ତା, ସୁବର୍ଣ୍ଣର ସତ୍ତା ଯେପରି ସ୍ୱର୍ଣ୍ଣହାରର ସତ୍ତା, ମୃଣ୍ମୟ କଳସର ସତ୍ତା ଯେପରି ମୂଭିକା, ସେହିଭଳି ସଚ୍ଚିଦାନନ୍ଦ ଶ୍ରୀକୃଷ୍ଣ ଭଗବାନଙ୍କର ସତ୍ତା ଓ ପ୍ରକାଶ ହିଁ ଚରାଚର ବିଶ୍ୱର ସତ୍ତା ଓ ପ୍ରକାଶ । ଚରାଚର ବିଶ୍ଵ କୃଷ୍ଣମୟ । ଶ୍ୟାମମୟ ।

 

ଠାକୁର ଅଭିରାମ ପରମହଂସ ଅତି ସୁନ୍ଦର ସରଳ ସାବଲୀଳ କୋମଳ ଭାଷାରେ ଏହି ସଭା ଓ ପ୍ରକାଶକୁ ପ୍ରକାଶିତ କରିଛନ୍ତି–‘ଶ୍ୟାମ କି ନ କଲାରେ । କୁହୁକ ମନ୍ତ୍ରରେ ମତେ ବାଇ କଲାରେ ।’’

 

ଶ୍ୟାମ ପ୍ରୀତି ବଡ଼ ‘ସୁଖ’ ରେ ସଂଗୀତ ।

ଶ୍ୟାମ ପ୍ରେମ ବଡ଼ ‘ମିଠା’ରେ ସଂଗାତ ।

ଶ୍ୟାମ ପ୍ରେମ ବଡ଼ ‘ଥଣ୍ଡା’ ରେ ସଂଗୀତ ।

ଶ୍ୟାମ ପ୍ରେମ ବଡ଼ ‘ମଜା’ ରେ ସଂଗାତ ।

ଶ୍ୟାମ ପ୍ରେମ ବଡ଼ ‘ଦମ୍ଭ’ ରେ ସଂଗାତ ।

ସେ ରସସ୍ୱାଦନ ସୂତ୍ର ସେ ଜାଣଇ ।

ସଂସାରେ ସେ ମେରୁ ‘ଖମ୍ବ’ରେ ସଂଗାତ ।

 

ସୁଖ, ମିଠା, ଥଣ୍ଡା, ମଜା, ଦମ୍ଭ, ଖମ୍ବ ଇତ୍ୟାଦି ସେହି ‘ଏକ’ ସୂତ୍ରରେ ଗୁନ୍ଥା । ଏହି ସୂତ୍ରଟି ଶ୍ୟାମଘନ, ସଦ୍‌ଘନ, ଚିଦ୍‌ଘନ ଏବଂ ଆନନ୍ଦଘନ । ଘନୀଭୂତ ରସ । ଉକ୍ତ ରସସ୍ୱରୂପ ଭଗବାନଙ୍କୁ ନିଜର ସର୍ବସ୍ଵ ଦେଇ ଏହି ସର୍ବସ୍ଵ ମଧ୍ୟ ଦେଇ ତାଙ୍କୁ ଉପଲବ୍ଧି କରିବା ହିଁ ନିଜର ପରମ କର୍ତ୍ତବ୍ୟ ବୋଲି ମନେ କରିଥାଏ । ସେ ସେତେବେଳେ କହିଥାଏ–‘ସଂତ୍ୟଜ୍ୟ ସର୍ବବିଷୟାନ୍ ତବପାଦମୂଳଂ ।’’

 

ମୁଁ ସମସ୍ତ ବିଷୟ ସମ୍ୟକ୍ ରୂପେ ତ୍ୟାଗ କରି କେବଳ ତୁମର ପାଦପଦ୍ମକୁ ଆଶ୍ରୟ କରିଛି ।’’ଶ୍ରେଷ୍ଠ ଭବାନ୍ ତନୁ ଭୂତାଂ କିଳ ବନ୍ଧୁରାତ୍ମା ।’’ ଶରୀରଧାରୀ ସମସ୍ତଙ୍କର ତୁମେ ପ୍ରିୟତମ,ବନ୍ଧୁ ଏବଂ ଆତ୍ମା । ତେଣୁ ଆମ୍ବ ସ୍ଵରୂପ ପ୍ରିୟତମ ତୁମକୁ ତ୍ୟାଗ କରିବ କିପରି ?

 

ଏହିଭଳି ଶରଣାଗତି ଭାବରେ ହୃଦୟ ଉଛୁଳି ଉଠିଲେ–ସେ ଭଗବାନଙ୍କୁ ପ୍ରଶ୍ନ କରିବାର ବିପୁଳ ଶକ୍ତି ଆହରଣ କରିପାରେ । ଠାକୁରେ ଭଗବାନଙ୍କୁ କହିଛନ୍ତି–ତୁମ ଉପରେ ମୁଁ ନିର୍ଭର କରିବି କଣ, ତୁମେ ମୋ ଉପରେ ନିର୍ଭର କର । ତୁମେ ମୋତେ ନଚେଇବ କଣ ମୁଁ ତୁମକୁ ନଚେଇବି । ତୁମେ ମତେ ଦେବ କଣ, ମୁଁ ତୁମକୁ ଦେବି । ତୁମର ଯାହା ଦରକାର ମତେ ମାଗ ।’’ତୁମ୍ଭେ ଯେଣୁ ମୋର ଧନ ହୋଇ ଅଛ, ତୁମ ଧନ ଅଛି କାହିଁ ? ଏଣୁ ମୁହିଁ ଧନୀ, ଆପଣ ନିର୍ଜନ, ତୋତେ କି ମାଗିବି ମୁହିଁ ? ତୁମ୍ଭର ଦୁଃଖ କହିଲେ ନସରଇ, ତୁମେ ମତେ କିସ ଦେବ ? ତୋର ଯେତେବେଳେ ଯାହା ଦରକାର, ମୋହଠାରୁ ମାଗିନେବ । ମୋର ଗୁରୁ ଯେଣୁ ଆପଣ ହୋଇଚ, ତୁମ୍ଭର ତ ଗୁରୁ ନାହିଁ । ତେଣୁ ତୁମେ ଅଣଗୁରୁଆ ହୋଇଚ, ଏକଥା ମିଥ୍ୟା ଯେଣୁ ଆପଣ ହୋଇଚ, ତୁମ ସ୍ୱାମୀ ଆହେ ମୋର ପ୍ରାଣପତି । ତୁମ୍ଭ ସ୍ୱାମୀ କାହିଛନ୍ତି ? ତୁମ୍ଭ ସ୍ୱାମୀ ନାହିଁ ମତେ ଆଶାକର ମୁଁ ନୁହଁଇ । ମୋର ସ୍ଵାମୀ କାହିଁଛନ୍ତି ଭଲା, ଡ଼ାକ ଯେଣୁ ତୋର ଗୃହିଣୀ । କହେ ଅଭିରାମ ମତେ ଛାଡ଼ି, ଖେଳି ପାରିବକି ଚକ୍ରପାଣି ।’’

 

ଶାସ୍ତ୍ରକାରମାନେ ସ୍ଥିର କରିଛନ୍ତି, ମୁଣ୍ଡି ପାଞ୍ଚ ପ୍ରକାରର–ସାଲୋକ୍ୟ, ସାରୂପ୍ୟ, ସାନ୍ନିଧ୍ୟ, ସାଦୃଜ୍ୟ, ଓ ସାଷ୍ଟି । ରୁଚି ଓ କର୍ମ ଅନୁସାରେ ମୁକ୍ତି I ମୁକ୍ତି ଅର୍ଥାତ ଜନ୍ମ-ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା, ମୁକ୍ତ ହେବା । କର୍ମ ନ ସରିଲେ, ମୁକ୍ତି ଅସମ୍ଭବ । ମୁକ୍ତିର ଅବିକଳ ଶବ୍ଦ ମୋକ୍ଷ । ମୋହର କ୍ଷୟ ହେଲେ ମୋକ୍ଷ । ତେଣୁ ଠାକୁର ଅଭିରାମ ପରମହଂସଙ୍କ ଉପଦେଶ ହେଉଚି, ମୁକ୍ତି ବା ମୋକ୍ଷ ଚିନ୍ତା କର ନାହିଁ । ଏପରି ଚିନ୍ତା । ଏକ ପ୍ରକାରର ଆସନ୍ତା I କାମକୁ ନା କରିଦିଅ, ଅର୍ଥାତ୍ କାମନାର ମାତ୍ରା ଧୀରେ ଧୀରେ କମ୍(ଇବା ପାଇଁ ଚେଷ୍ଟାକର । ସିଲିଂ ଅନ୍ ଡିଜାଏର । କାମନାକୁ ସୀମିତ କର । ଗୀତାରେ ମଧ୍ୟ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଏହି ଉପଦେଶ ଦେଇଚନ୍ତି । ନିଷ୍କାମ ହୁଅ । ଅହଂ ଭାବ ଛାଡ଼ । ଯେଉଁ ମୁହୂର୍ତ୍ତରୁ ତୁମେ କର୍ମ ଓ ଫଳ ଭଗବାନଙ୍କୁ ଅର୍ପଣ କରିବା ଆରମ୍ଭ କରିବ, ଜାଣିବ ତୁମେ ମୁକ୍ତ ହୋଇଗଲ । ତୁମେ ହେଲ ଶୁଦ୍ଧ, ବୃଦ୍ଧ । ତୁମ ମନର ଶିରା ପ୍ରଶିରାରେ କେବଳ ପ୍ରବାହିତ ହେବ ପ୍ରେମର ସ୍ରୋତ । ଠାକୁରେ କହନ୍ତି–

 

ପ୍ରେମ ଯୋଗ କରହେ ମନ

ଭକ୍ତି ଯୋଗେ ପାଅ ନନ୍ଦନନ୍ଦନ

କର୍ମ ଜ୍ଞାନ ଯୋଗ ସମ୍ପୂର୍ଣ୍ଣ ହୋଇଲେ

ପ୍ରେମ ଭକ୍ତି ସ୍ରୋତ କରିବୁ ସ୍ନାନ ।

 

ସାଧାରଣତଃ ମଣିଷ ମନର ପ୍ରବୃତ୍ତି ସର୍ବଦା ଖଣ୍ଡଖଣ୍ଡ ହୋଇଥାଏ । ମନ କେତେବେଳେ ସ୍ତ୍ରୀଠି, କେତେବେଳେ ସ୍ଵାମୀଠି, ପୁତ୍ର, କନ୍ୟା, ଧନଦୌଲତଠି ଲାଖି ରହିଥାଏ । ଗୋଟିଏ ନାମରୂପରୁ ଅନ୍ୟଏକ ନାମରୂପକୁ ମନ ଦୌଡ଼ିଥାଏ । ମନ କେତେବେଳେ କାମମୟ, କେତେବେଳେ କ୍ରୋଧମୟ, ଲୋଭମୟ, ଇର୍ଷାମୟ, କେତେବେଳେ ଦୟାମୟ, ସ୍ନେହମୟ, କେତେବେଳେ ନିର୍ମମ ତ କେତେବେଳେ ନରମ । ଏହିଭଳି ଭାବରେ ମନର ପରିଧି ବା ମଣ୍ଡଳ ଖଣ୍ଡ ବିଖଣ୍ଡିତ । କିନ୍ତୁ ସମ୍ପୂର୍ଣ୍ଣ ଶରଣାଗତ, ଶ୍ରଦ୍ଧାଶୀଳ ଭକ୍ତ ସାଧକର ମନ ଅବିରତ ଭଗବାନଙ୍କଠି ନିରତ ଥରେ ସେ ମନ କେବେହେଲେ ଖଣ୍ଡିତ ହୋଇପଡ଼େନା । ଠାକୁର ଅଭିରାମ ପରମହଂସଙ୍କ ମନ ଥିଲା ଅଖଣ୍ଡ । ପ୍ରେମ, ଭକ୍ତି, କର୍ମ ଓ ଜ୍ଞାନ ଯୋଗଦ୍ୱାରା ସେ କେବଳ ନନ୍ଦନନ୍ଦନଙ୍କୁ ପାଇ ନଥଲେ, ସେ ନିଜେ ନନ୍ଦନନ୍ଦନ ହୋଇ ପଡ଼ିଥିଲେ । ତାଙ୍କର ମନ ଭଗବତ୍ ଆନନ୍ଦରେ ଆନନ୍ଦମୟ ହୋଇ ଆନନ୍ଦଧାମରେ ବିଚରଣ କରୁଥିଲା । କରୁଚି ମଧ୍ୟ ।

Image

 

ନାହୁଁ କି ତୋ ତାଲିକାରେ ?

 

‘‘ଯିଏ କିଛି ଚାହେଁନା, ତାକୁ ନେଇ ଭଗବାନ ବଡ଼ ଅଡ଼ୁଆରେ ପଡ଼ନ୍ତି । ତା’ ନିକଟରେ ନିଜକୁ ଦାନ କରିବା ଛଡ଼ା ଅନ୍ୟ ଉପାୟ ନଥାଏ । । ଜ୍ଞାନୀ କିଛି ଚାହେଁନା । କାରଣ ସେ ସବୁକିଛି ବ୍ରହ୍ମମୟ ଦେଖେ । କାର୍ଯ୍ୟତଃ ତା’ର ଚାହିଁବାର କିଛି ନଥାଏ । ଭକ୍ତ ମଧ୍ୟ କିଛି ଚାହେଁନା । କାରଣ ସେ ଭଗବାନଙ୍କୁ ସବୁ କିଛି ଦେଇ ଦେଇଛି । ନିଜ ପାଇଁ କିଛି ରଖୁ ନାହିଁ । ତେଣୁ ତା’ର ବା କଣ ଚାହିଁବାର ଅଛି ! ଭଗବାନ ବ୍ରହ୍ମତ୍ୱ, ଇନ୍ଦ୍ରତ୍ୱ ଯାଚି ମଧ୍ୟ ତାକୁ ଭୁଲାଇ ପାରନ୍ତି ନାହିଁ । ଶେଷରେ ଭଗବାନ ନିଜକୁ ହିଁ ଦେବାକୁ ପଡ଼େ ।’’

 

ଏ ବାଣୀ କେବଳ ଠାକୁର ନିଗମାନନ୍ଦଙ୍କର ନୁହେଁ–ସବୁ ଠାକୁରଙ୍କର–ଯିଏ ମାନବ ଜନ୍ମରେ ମାଧବର କାର୍ଯ୍ୟ କରି ଆସିଚନ୍ତି–ଏ ବାଣୀ ସେହିମାନଙ୍କ ମୁଖ ନିଃସୃତ । ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରି ଅରବିନ୍ଦ ବନ୍ଦୀ ହେଲେ । ଅଦାଲତ କାଠଗଡ଼ାରେ ଠିଆ ହେଲେ । ଶୁଣାଣୀ ଚାଲିଲା । ସପକ୍ଷ ବିପକ୍ଷ ଓକିଲଙ୍କ ଜେରା ଚାଲିଲା । ଓକିଲମାନଙ୍କ ନାନା ପ୍ରଶ୍ନର ଏକମାତ୍ର ଉତ୍ତରଦେଇ ଶ୍ରୀ ଅରବିନ୍ଦ କହିଲେ, ବାସୁଦେବ ସର୍ବମିଦମ୍ । ବିଚାରକ ବାସୁଦେବ । ଓକିଲ ବାସୁଦେବ । ଉପସ୍ଥିତ ଜୁରି ବାସୁଦେବ । ଏଠାରେ ଉପସ୍ଥିତ ଚେତନ, ଅଚେତନ ସର୍ବତ୍ର ବାସୁଦେବ । ଅଦାଲତ ସ୍ତବ୍ଧ । ଏହାହିଁ ଜ୍ଞାନ ବା ସଦ୍‌ଜ୍ଞାନର ଲକ୍ଷଣ । ଏହାହିଁ ସତ୍ୟ । ଏହାହିଁ ଆତ୍ମପରିଚୟ । ଆତ୍ମସାକ୍ଷାତକାର । ଆତ୍ମୋପଲବ୍ଧି ।

 

ରାଧାରମଣ ଦେବ ଯେପରି ନାମ ସଂକୀର୍ତ୍ତନ ମାଧ୍ୟମରେ ନାନା ଲୀଳାଖେଳା କରିଥିଲେ, ଠାକୁର ଅଭିରାମ ପରମହଂସ ସେହିପରି କବିତା ମଧ୍ୟମରେ ନାନା ଲୀଳା କରୁଥିଲେ । ବାବାଜୀ ଶ୍ରୀ ରବି ନାରାୟଣ ଦାସ ମହାରାଜ ତାଙ୍କ ‘ଲୀଳା ଚରିତ’ ପୁସ୍ତକରେ ଏପରି ଏକ ଲୀଳାର ଅବତାରଣା କରିଛନ୍ତି । ଠାକୁରଙ୍କ ରଚିତ ‘କଳିଭାଗବତ’ ବିଶ୍ଵ ବିଖ୍ୟାତ । ଏଥ‌ିରେ ତାତ୍ତ୍ଵିକ ଆଧ୍ୟାତ୍ମିକ ଆଲୋଚନା କରାଯାଇଥିଲେ ମଧ୍ୟ କେତେକାଂଶ ଦ୍ୱିଅର୍ଥ ବୋଧକ । ତତ୍କାଳୀନ ସ୍ୱାଧୀନତା ସଂଗ୍ରାମ ତଥା ବ୍ରିଟିଶ ସରକାରଙ୍କ ରାଜୁତି ସମ୍ପର୍କରେ ଏହି ପୁସ୍ତକର ଠାଏ ଠାଏ ଚର୍ଚ୍ଚା କରାଯାଇଚି । ଏହି ପୁସ୍ତକ ଲେଖା ଚାଲିଥିବାବେଳେ ଠାକୁରେ ଭକ୍ତମାନଙ୍କୁ କହିଥିଲେ, ‘ଏ ଲେଖା ସରିଗଲେ ମତେ ହୁଏତ ମାମୁଁଘର (ଜେଲ)କୁ ଯିବାକୁ ପଡ଼ିପାରେ ।’’

 

ଜେଲ ଯିବା ପାଇଁ ପ୍ରସ୍ତୁତ ହୋଇ ସେ କଳିଭାଗବତ ଲେଖୁ ଚାଲିଥିଲେ । ତାଙ୍କ ଦୃଷ୍ଟିରୁ ତାଙ୍କର ଜେଲଯିବାଟା ମଧ୍ୟ ସେତେବେଳେ ଦରକାର ଥିଲା । କାରଣ ସେତେବେଳେ ଭାରତର ପ୍ରତ୍ୟେକ ଜେଲରେ ଚୋର ଡ଼କାୟତ, ହତ୍ୟାକାରୀ ପ୍ରମୁଖଙ୍କ ତୁଳନାରେ ରହୁଥିଲେ ଅଧିକ ସ୍ୱାଧୀନତା ସଂଗ୍ରାମୀ । ସେମାନଙ୍କ ନୈତିକ ଶକ୍ତି ବୃଦ୍ଧି କରିବା ଦାୟିତ୍ଵ ଭଗବାନ ନିଜେ ଗ୍ରହଣ କରିଥିଲେ ଠାକୁର ଅଭିରାମ ପରମହଂସଙ୍କ ରୂପରେ I ଜେଲକୁ ଯିବା ପାଇଁ ସେ ବାଟ ପରିଷ୍କାର କରିଥିଲେ’’କଳି ଭାଗନତ’’ ପୁସ୍ତକ ରଚନା ମାଧ୍ୟମରେ । ବହି ଲେଖୁବାବେଳେ ଠାକୁରେ ଜାଣିଥିଲେ ଯେ ବ୍ରିଟିଶ ସରକାର କବିତାଗୁଡ଼ିକର ଅର୍ଥକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର ନ କରି ସରକାର ବିରୁଦ୍ଧରେ ବିଦ୍ରୋହ ବୋଲି ସାବ୍ୟସ୍ତ କରିବେ । ବିଚାରକ ତାହାହିଁ ସାବ୍ୟସ୍ତ କଲେ । ଠାକୁରଙ୍କ ବିଚାର ସମୟରେ ଓ ପରେ ଛତ୍ରପୁର ଓ ମାଡ୍ରାସ ଜେଲରେ ଥିବାବେଳେ ସମସ୍ତ କୟେଦି ଓ ଜେଲ କର୍ମଚାଉ ତାଙ୍କର ଦିବ୍ୟବାଣୀ ଶୁଶି ଶୁଣି ତାଙ୍କର ଭକ୍ତ ପାଲଟିଗଲେ ।

 

ସେହି ‘କଳି ଭାଗବତ’ ମକଦ୍ଦମା ସମୟର ଏକ ଘଟଣା । ଛତ୍ରପୁରରେ ବସାଘରଟିଏ ଭଡ଼ା ନିଆଯାଇଥାଏ । ମକଦ୍ଦମା ତାରିଖ ସମୟରେ ଠାକୁରେ ଓ ସନ୍ନ୍ୟାସୀମାନେ ଛତ୍ରପୁର ଯାଇ ସେଇଠି ରହିଥାଆନ୍ତି I ତାରିଖ ପରେ ଅନ୍ୟ ତାରିଖ ପର୍ଯ୍ୟନ୍ତ ଅଧ୍ୟକ ସମୟ ମିଳିଲେ ସମସ୍ତେ କରମଳା ଆଶ୍ରମକୁ ଫେରି ଆସିଛି ।

 

ସେପରି ଦିନେ ଠାକୁରେ ସନ୍ନ୍ୟାସୀମାନଙ୍କ ସହିତ କରମଳା ଆସିବାକୁ ସ୍ଥିର କଲେ । କରମାଳା ଆସିବାକୁ ଚିଲିକା ପାରିହେବାକୁ ପଡ଼େ । ଠିକ୍ ହେଲା ଡଙ୍ଗାରେ କାଳୁପଡ଼ା ଯିବାକୁ । ରାତିରେ ସମସ୍ତେ ଡଙ୍ଗାରେ ଉଠିଲେ । ନାଉରୀ ଗୁଆଡ଼ିଆର ସାହୁ ବୁଢ଼ା । ଡଙ୍ଗାରେ ଘୋଡିଆ ଘୋଡି ହୋଇ ସମସ୍ତେ ଶୋଇଲେ । ଅଳ୍ପ ଅଳ୍ପ ଉତ୍ତରାଂ ପବନ ବହୁଚି । ନାଆ ଉପରେ ବାଉଁଶ ପାତିଆର ଛାଉଣୀ । ତଲାରୀ । ଅନୁକୂଳ ପବନରେ ନାଆ ଧୀରେ ଧୀରେ ଚାଲିଚି । ଦୟା, ଭାର୍ଗବୀ, ନୁଣା–ଏହି ତିନୋଟିଯାକ ନଈ ଏକାଠି ହୋଇ ଚିଲିକାରେ ଯେଉଁଠି ପଡ଼ିଚି, ସେ ଜାଗାଟି ନଈମୁହଁ । କେତେବେଳେ ସେଠି ପାଣି ଛ’ ଇଞ୍ଚ ତ କେତେବେଳେ ଛ’ ଫୁଟ । ପାଣି କମ୍ ବା ବେଶୀ ହେବା ପବନ ଉପରେ ନିର୍ଭର କରେ । ଉତ୍ତରା ପବନ ବହିଲେ ଜାଗାଟି ଶୁଖୁଲା, ଦକ୍ଷିଣା ଅଧୂକ । ନାଉରିଆଙ୍କ ପାଇଁ ଏ ଜାଗାଟି ଏକ ଗଣ୍ଠି । ବିଶେଷତଃ କହିଲେ ନସରେ । ସମୟେ ସମୟେ ଡଙ୍ଗା ନଇମୁହଁରେ ୨/୩ ଦିନ ଧରି ପଡ଼ିରହେ । ଅନୁକୂଳ ଦକ୍ଷିଣା ପବନ ହେଲେ ଯାଇ ଡ଼ଙ୍ଗା ଚାଲେ... ।

 

ଠାକୁରେ ଓ ସନ୍ନ୍ୟାସୀମାନେ ନାଆ ଭିତରେ । ନାଆ ଅଟକିଲା–ନଇ ମୁହଁରେ । ରାତି ପାହିବାକୁ ଆଉ ଦି’ଘଣ୍ଟା ବାକି । ଡ଼ଙ୍ଗା ଲାଗୁଚି ସଙ୍କରେ । ୩୦|୪୦ ହାତ ଗହୀରର ପଙ୍କ । ପାହାନ୍ତା ହୋଇ ଆସିଲା I ସମସ୍ତଙ୍କ ନିଦ ଭାଙ୍ଗିଲା I ଝାଡ଼ା ପରିସ୍ରା ପାଇଁ ସମସ୍ତେ ବିକଳ । ନାଆଁ ତଳକୁ ପାଦ ପକାଇଲେ ମଲ । ପଙ୍କ ଯେ ପଙ୍କ । କୁଳ କିନର ନାହିଁ । ଅକୂଳରେ ସମସ୍ତେ ଆକୁଳ । ଚାରିଆଡ଼େ ଲୁଣି ପାଣି । ଡ଼ଙ୍ଗାରେ ଥିବା ମାଠିଆରେ ଯେଉଁ ମନ୍ଦାକ ପାଣିଥୁଲା, ସେତକ ଠାକୁରଙ୍କ ମୁହଁ ଧୁଆରେ ଲାଗିଲା ।

 

ଜଣେ ବାବାଜୀ ପେଟଟାକୁ ଜାକି ଧରି ଦେଲି କରିବାରେ ଲାଗିଲେ । ଠାକୁରଙ୍କୁ ଆଜ୍ଞା, ଆଜ୍ଞା କରି ପୋଖରୀପାଣି ଦେଖାଇଲାଣି–ଉଁ ହୁଁ ହେବାରେ ବ୍ୟସ୍ତ । ଠାକୁରେ ମଧ୍ୟ କମ ବେଲିଆ ନୁହଁନ୍ତି । ହସି ହସି କହୁଚନ୍ତି–ଆରେ ସତେ ଲାଗିଲାଣି ନା... । ଖାଲିଟାରେ ଉଁ ହୁଁ ? କରାଯିବ କ'ଣ–ପବନ ଦେବ ତାକୁ ଡାକ ଉତ୍ତରା ପବନରେ ସିନା ଆସିଗଲେ–ଏବେ ତ ଦକ୍ଷିଣା ପଚନ ହେଲେ ସିନା ।

 

ସନ୍ନ୍ୟାସୀମାନେ ହାତଯୋଡ଼ି ଠାକୁରଙ୍କ ପାଖରେ ନେହୁରା ହେଲେ । ରକ୍ଷା କରନ୍ତୁ, ରକ୍ଷା କରନ୍ତୁ–ଡାକ ଛାଡ଼ିଲେ । ଠାକୁରେ ଡଙ୍ଗା ଭିତରେ ବସି ଲେଖୁଲେ ଗୀତଟିଏ ? ବାବାଜୀଙ୍କୁ କହିଲେ–ନିଅ–ୟାକୁ ପଢ଼ି ପ୍ରଭୁଙ୍କୁ ଡାକ—

 

ପାରିକର ପରଂବ୍ରହ୍ମ ପଡ଼ିଅଛୁ ଚିଲିକାରେ

ଆହେ ନାଥ ଆମ୍ଭେମାନେ

ନାହୁଁ କି ତୋ ତାଲିକାରେ ?

 

ଚାରିପଦର ଗୀତ । ଆରମ୍ଭ ଏତିକି । ଶେଷ ପଦକ–

 

କହେ ଅଭିରାମ ବାଇ

ବିଳମ୍ବରେ କାର୍ଯ୍ୟ ନାହିଁ

ପାରିକର କୃଷ୍ଣ ଆସ !

ମୁଁ ଦାସ ତୁମ୍ଭ ଲେଖାରେ ।

 

ବାବାଜୀମାନେ ଗୀତଟି ଗାଉଚନ୍ତି, ଖଞ୍ଜଣୀମାଡ଼ ଚାଲିଚି । ୨/୪ ଥର ଭଳନଟି ପଡ଼ିଛନ୍ତି–ଆରମ୍ଭ ହୋଇଗଲା ଦକ୍ଷିଣା ପବନ । ନାଆ ଚାଲିଲା ।

 

ବାବାଜୀମାନେ ଠାକୁରଙ୍କୁ କହିଲେ–ଆଗରୁ ଗୀତଟି ଲେଖି ଦେଇଥିଲେ କଣ ହୋଇ ନ ଥା’ନ୍ତା । ଠାକୁରେ କହିଲେ–ମୁଁ କଣ କଲି ? ପବନ ଦେବତା କଲେ ନା ।

Image

 

କଙ୍କାଳରେ ନନ୍ଦପିଟା ଛାଟ

 

ମାହାଙ୍ଗାର ଲଳିତଗିରି । ପ୍ରସିଦ୍ଧ ବୌଦ୍ଧପୀଠ । ନିକଟରେ ଶୁଖୁଆପଡ଼ା ପର୍ବତ । ତା’ ତଳେ ଘଞ୍ଚ ବେଲବଣ । କୁଆଡୁ କେଜାଣି ବୁଲି ବୁଲି ଏଠାକୁ ଆସିଥିଲେ ଜଣେ ସନ୍ନ୍ୟାସୀ । ବନବିହାରୀ ବାବା । ବହୁଲୋକ ତାଙ୍କ ପ୍ରତି ଆକୃଷ୍ଟ ହେଲେ । ତାଙ୍କ ପାଇଁ ଗୋଟିଏ ଛୋଟ ଆଶ୍ରମ ଚଟି ଘର ଗଢ଼ିଦେଲେ । ବହୁ ଲୋକ ତାଙ୍କଦ୍ୱାରା ନାନା ଭାବରେ ଉପକୃତ ହେଲେ । ଥରେ ସ୍ଥାନୀୟ ଜଣେ ଭଦ୍ରବ୍ୟକ୍ତି ରାମଚନ୍ଦ୍ର ତ୍ରିପାଠୀ ସସ୍ତ୍ରୀକ ଯାଇଥିଲେ ଏହି ବାବାଙ୍କ ପାଖକୁ । କଥା ପ୍ରସଙ୍ଗରେ ବାବା ସେମାନଙ୍କୁ କହିଲେ, ‘ଓଡ଼ିଶାରେ ସ୍ୱୟଂ ନାରାୟଣ ଅବତାର ଗ୍ରହଣ କରିବେ । ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ରାମଚନ୍ଦ୍ରଙ୍କର ନାହିଁ, ତାଙ୍କ ଧର୍ମପତ୍ନୀଙ୍କର ଅଛି ।’’ ଅବତାର ପୁରୁଷଙ୍କୁ ଚିହ୍ନିବ କିପରି ବୋଲି ପଚାରିବାରେ ବାବା କହିଥିଲେ–ଏହି କେତୋଟି ଚିହ୍ନରୁ ତାଙ୍କୁ ଚିହ୍ନିହେବ ।

 

‘‘କେଶ କୁଞ୍ଚ୍ କୁଞ୍ଚ୍ ତା’ର ପୃଥୁଳ ଶରୀର,

ଆଜାନୁଲମ୍ବିତ ବାହୁ ଦ୍ଵିଭୁଜ ସୁନ୍ଦର ।

ପାଦରେ ପାତାଳରେ, ବୈକୁଣ୍ଠକୁ ବାଟ,

କଙ୍କାଳ ବଇଠି ପରେ ନନ୍ଦପିଟା ଛାଟ ॥’’

 

ଅଳ୍ପ କେତେବର୍ଷ ପରେ, ସନ୍ନ୍ୟାସୀ ବନବିହାରୀ ବାବା ଦେହତ୍ୟାଗ କଲେ । ବେଲବଣରେ ତାଙ୍କୁ ସମାଧି ଦିଆଗଲା । ଇତିମଧ୍ୟରେ ରାମଚନ୍ଦ୍ର ତ୍ରିପାଠୀଙ୍କର ମଧ୍ୟ ଦେହାବସାନ ଘଟିଲା । ତାଙ୍କ କନିଷ୍ଠାକନ୍ୟା, ବିବାହର ଦୁଇ ବର୍ଷ ପରେ ମାତ୍ର ଷୋଳ ବର୍ଷ ବୟସରେ ବିଧବା ହେଲେ । ସେତେବେଳକୁ ଠାକୁର ଅଭିରାମଙ୍କ ବୟସ ପଚିଶବର୍ଷ । ଜ୍ୟୋତିର୍ମୟ ଯୁବକ । ଲୋକଗୁରୁ | ଲୋକଶିକ୍ଷା ଦେବାଲାଗି ଠାକୁରେ ବିଭିନ୍ନ ଅଞ୍ଚଳ ବୁଲୁଥାନ୍ତି । ରାମଚନ୍ଦ୍ରଙ୍କ ବିଧବା କନ୍ୟା ତାଙ୍କଠୁ ଦୀକ୍ଷା ନେଲେ । କଣ୍ଠି କୌପୀନ ଗ୍ରହଣ କରି ସନ୍ୟାସିନୀ ହେଲେ । ଠାକୁର ତାଙ୍କ ନାଆଁ ରଖୁ ଭଗିନୀ ଶତରୂପା । ଠାକୁରଙ୍କ ଆଦେଶକ୍ରମେ ଶତରୂପା ରହିଲେ ଶାଶୁଘରେ । ନିଜ ମା’ଙ୍କର ମଧ୍ୟ ସେବାଶ୍ମଶ୍ରୂଷା କରୁଥିଲେ । ମାଆଙ୍କ ମନରେ ବହୁ ଦୁଃଖ–ସ୍ୱାମୀ ତ ଗଲେ, ଝିଅ ଅଳ୍ପ ବୟସରେ ବିଧବା । ସେଥିରେ ପୁଣି ସେ ସନ୍ୟାସିନୀ । ଜୀବନରେ ସୁଖ କଣ ଜାଣିଲା ନାହିଁ । କିନ୍ତୁ ଝିଅ ଦୀକ୍ଷା ନେବାପରେ ଆନ୍ତରିକ ଭାବରେ ପରମସୁଖୀ । ଏ ସୁଖ ପ୍ରଭୁଦତ୍ତ I ଶତରୂପା ବୋଉକୁ ବୁଝାଏ, ଅଭିରାମ ସ୍ଵୟଂ ନାରାୟଣ । ତାଙ୍କୁ ଯିଏ ଗୁରୁ ରୂପେ ପାଇଚି, ସେ କେବେ ଦୁଃଖୀ ହୋଇ ନପାରେ । ତୁ ଥରେ ମୋ ସାଙ୍ଗରେ ଚାଲ ତାଙ୍କୁ ଦର୍ଶନ କରିବୁ ।’’

 

ଏ କଥା ଝିଅ କହିବାବେଳେ ମାଆଙ୍କର ମନେପଡ଼େ ବନବିହାରୀ ବାବାଙ୍କ କଥା । ୧୯୫୧ । ଶତରୂପାଙ୍କ ସହିତ ମାଆ ଗଲେ କରମଳା ଶାନ୍ତିଧାମକୁ । ସାଙ୍ଗରେ ତାଙ୍କର ସମଗ୍ର ପରିବାରର ଲୋକ ଓ ଲଳିତଗିରି ଅଞ୍ଚଳର କେତେଜଣ ସ୍ତ୍ରୀ ପୁରୁଷ । ପ୍ରାୟ ଛତିଶ ଜଣ । ସତରୂପାଙ୍କ ବ୍ୟତୀତ ଅନ୍ୟମାନଙ୍କ ମନରେ ନାନା ପ୍ରଶ୍ନ । କିଛି ନମିଳୁ ପଛକେ ସାଧୁ ଦର୍ଶନ ତ ହେବ । ସେ ଭଗବାନ ହୁଅନ୍ତୁ ବା ଯାହା କିଛି ହୁଅନ୍ତୁ–ପରୀକ୍ଷା କରିବାରେ କିଛି କ୍ଷତି ନାହିଁ ।

 

ଧାରାଶ୍ରାବଣ । ସେତେବେଳେ ଚିଲିକା ଦେଇ କରମଳା ଯିବାକୁ ପଡ଼ୁଥାଏ । ଶତରୂପାଙ୍କ ଦଳ ଭୂଷଣ୍ଡପୁରରୁ ଡଙ୍ଗାରେ ଗଲେ କରମଳା । ସଂଧ୍ୟା ଆଳତିବେଳେ ଠାକୁରଙ୍କ ସହିତ ପ୍ରଥମ ଦର୍ଶନ । ତା’ ଆରଦିନ ସକାଳ । ଠାକୁରେ ଶତରୂପାଙ୍କୁ ତାଙ୍କ ସାଥିରେ ଆସିଥିବା ଅତିଥିମାନଙ୍କ ପରିଚୟ ପଚାରିଲେ । ସମସ୍ତଙ୍କ ସହିତ ଠାକୁରେ ଖୁସିଗପ କଲେ । ବାଟରେ କେଉଁଠି କିଛି ଅସୁବିଧା ହେଲା କି ପଚାରିଲେ । ଠାକୁରଙ୍କ ସହିତ ଆଳାପରେ ସମସ୍ତେ ବିଭୋର । କିନ୍ତୁ ଶତରୂପାଙ୍କ ବୋଉ ଠାକୁରଙ୍କ ଆପାଦ ମସ୍ତକ ନିରୀକ୍ଷଣ କରିବାରେ ବ୍ୟସ୍ତ । ତାଙ୍କ ମନରେ ରହିଥାଏ ବନବିହାରୀ ବାବା ଯେଉଁ ଚିହ୍ନ ସବୁ କହିଥିଲେ, ଠାକୁରଙ୍କଠି ସେ ସବୁ ଚିହ୍ନ ଅଛି କି ନାହିଁ । କୁଞ୍ଚେତ କେଶଦାମ, ଆଜାନୁ ଲମ୍ବିତ ବାହୁଯୁଗଳ, ପୃଥୁଳ ଶରୀର, କମନୀୟ ପଦାରବିନ୍ଦ–ସବୁ ଠିକ୍ ଅଛି–କିନ୍ତୁ କଙ୍କାଳରେ ନନ୍ଦ ପିଟା ଛାଟର ଚିହ୍ନ ତ ଦିଶୁନି । ଠାକୁରଙ୍କ ଦେହରେ କ୍ଷୀରୋଦରୀ ପାଟ । ପାଟରେ ଘୋଡ଼େଇ ହୋଇଯାଇଚି ଅଣ୍ଟା ବା କଟିତଟ ।

 

ହଠାତ୍ ଠାକୁର ଶ୍ରୀ ଅଭିରାମ ଶତରୂପାଙ୍କ ମାଆଙ୍କୁ ଡାକିଲେ ତାଙ୍କ ପାଖକୁ ଲାଗି ଆସିବା ଲାଗି । ଠାକୁରେ ବସିଥିଲେ ଚାରିପଟକୁ ଘୂରୁଥ‌ିବା ଏକ ଚୌକି ଉପରେ । ବୁଢ଼ୀ ଗଲେ ଠାକୁରଙ୍କ ପାଖକୁ । ଠାକୁରେ ପିନ୍ଧିଥିବା ପାଟଲୁଗାକୁ ଅଣ୍ଟାରୁ ଟିକିଏ ତଳକୁ ଖସାଇ ଆଣିଲେ । ବୁଢ଼ୀକୁ କହିଲେ, ଦେଖ ମା’ ଦେଖ । ତୁ ତ ମୋର ମାଆ ଯଶୋମତୀ । ଠାକୁରେ କହିଲେ, ପିଲାଦିନେ ନନ୍ଦବାବାଙ୍କ ଘରେ ଥିଲି । ଦିନେ ଅଝଟ କରି ମାଆ ଯଶୋଦାଙ୍କୁ କାମ କରେଇ ଦେଲି ନାହିଁ । ବାପା ନନ୍ଦ ତେନ୍ତୁଳି ଛାଟରେ ମତେ ପିଟି ପକାଇଲେ । ମାଡ଼ର ଚିହ୍ନଟା ରହିଯାଇଚି । ତୁ ଦେଖ୍ବୁ ବୋଲି ଚାହୁଁଥିଲୁ । ଭଲ କରି ଦେଖ ।

 

ନିଜ ଆଙ୍ଗୁଠିରେ ଠାକୁରେ ଦେଖାଇଦେଲେ ଚିହ୍ନଟିକୁ । କଙ୍କାଳରେ ତିନି ପାହାରର ଚିହ୍ନ ଅଣ୍ଟା ତଳକୁ ଲମ୍ବି ଆସିଚି ।

 

ବୁଢ଼ୀ ନିଜକୁ ସମ୍ଭାଳି ପାରିଲେ ନାହିଁ । ଭାବରେ ସତେ ଯେମିତି ସେ ଯଶୋଦା ପାଲଟି ଗଲେ । କୁଣ୍ଢେଇ ପକାଇଲେ ଠାକୁରଙ୍କୁ । ଆଖରେ ଲୋତକର ଧାରା । କହିଲେ, ତୁ ସ୍ଵୟଂ ନାରାୟଣ ହୋଇ ନଥିଲେ, ମୋ ମନକଥା ଜାଣନ୍ତୁ କିପରି ? ସେ ଯୁଗର ଚିହ୍ନ, ଏ ଯୁଗରେ ରହିଥା’ନ୍ତା କିପରି ? ପୂର୍ବ ଜନ୍ମର ପୂଣ୍ୟରୁ ଏ ଯୁଗରେ ଭାଗ୍ୟ ଥିବାରୁ ମୁଁ ତୋ ଦର୍ଶନ ପାଇଲି । ବନବିହାରୀ ବାବାଙ୍କ କଥା ସତ ହେଲା ।

 

ଠାକୁରେ ବୁଢ଼ୀଙ୍କୁ ସାନ୍ତନା ଦେଲେ । ଶିତରୂପାଙ୍କ ମାଆ ସେହିଦିନ ଠାକୁରଙ୍କ ଶ୍ରୀମୁଖରୁ ନାମ ଉପଦେଶ ପାଇଲେ । ଲଳିତଗିରିରୁ ଯାଇଥବା ଲୋକେ କରମଳା ଆନନ୍ଦାଶ୍ରମରେ ତିନିଦିନ ରହିଲେ । ଫେରିବା ଦିନ ଶତରୂପାଙ୍କ ବଡ଼ଭାଇ ବନମାଳୀ ତ୍ରିପାଠୀ ଠାକୁରଙ୍କୁ ହାତଯୋଡ଼ି ନିବେଦନ କଲେ, ଆସିବାବେଳେ ବହୃତ ବର୍ଷାମାଡ଼ ଖାଇଲୁ । ପିଲାମାନଙ୍କୁ ଧରି ବଡ଼ ହଇରାଣରେ ଆସିଲୁ । ଗଲାବେଳକୁ ଯିମିତି ଭଲରେ ଭଲରେ ଯାଇ ଘରେ ପହଁଚିବୁ, ଠାକୁରଙ୍କ ପାଖରେ ସେତିକି ଅଳି ।

 

ସେତେବେଳକୁ ଆକାଶ ମେଘାଛନ୍ନ । ଠାକୁରେ ଚୌକିରୁ ଉଠି ଆକାଶକୁ ଚାହିଁଲେ । କହିଲେ–ଯାଅ,ବର୍ଷାକୁ ମନାକରି ଦିଆଗଲାଣି, ବାଟରେ ସେ ହଇରାଣ କରିବନି ତୁମେମାନେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବ ।’’

 

ସତକୁ ସତ ଅପେକ୍ଷା କଲା ବର୍ଷା । କିନ୍ତୁ ପବନ ? ଠାକୁରଙ୍କ ଆଦେଶକୁ ସମ୍ବଳ କରି ଡ଼ଙ୍ଗାରେ ବସିଲେ ଭକ୍ତମାନେ ! ଡ଼ଙ୍ଗା ଚାଲିଲା ଭୂଷଣ୍ଡପୁର ଅଭିମୁଖେ । ଘଣ୍ଟାକ ପରେ ଆରମ୍ଭ ହୋଇଗଲା ପ୍ରବଳ ପବନ । ଡ଼ଙ୍ଗା ପଡ଼ିଲା, ଉଠିଲା । ଚିଲିକାରେ ଭୀଷଣ ଢ଼େଉ । ନାଆ ଭିତରେ ପାଣି ପଶିଲା । ଦୁଇଜଣ ପାଣି କାଢ଼ିବାକୁ ଲାଗିଲେ । ସ୍ତ୍ରୀଲୋକେ ଓ ପିଲାମାନେ ଆତଙ୍କିତ । ଭୋ ଭୋ ରଡ଼ି ଛାଡ଼ିଲେ । ବନମାଳୀବାବୁ ମୁଣ୍ଡରେ ହାତ ଦେଇ ବସିଲେ । ଦୁଇଜଣ ନାଉରିଆ । ବୁଢ଼ା ନାଉରିଆର ନାଆଁ ମଧ୍ୟ ବନମାଳୀ । ପିଲାଟି ଦିନୁ ନାଆ ବାହିଆସିଚି ସେ । ଇମିତି କେତେ ବିପଦକୁ ଅତିକ୍ରମ କରିଛି । ସେ ବନମାଳୀବାବୁଙ୍କୁ କହିଲା–ମଇତ୍ରେ ଇମିତି ହେବା ନୂଆ ନୁହଁ । ଏହାଠୁ ବଳି ମେଘ ଅନ୍ଧାର ରାତିରେ ମୁଁ ଠାକୁରଙ୍କ ପାଖକୁ ନାଆ ଆଣିଛି । କେବେ କିଛି ହେଇନି । ଠାକୁରଙ୍କ ଉପରେ ଭରସା ରଖ । ଭଜନ ଗାଅ । ଆରମ୍ଭ ହୋଇଗଲା ଭଜନ ।

 

ପାରିକର ପରଂବ୍ରହ୍ମ

ପଡ଼ିଅଛୁ ଚିଲିକାରେ

ଆହେ ନାଥ ! ଆମ୍ଭେମାନେ ।

ନାହୁଁ କି ତୋ ତାଲିକାରେ ?

ସମସ୍ତଙ୍କ କଣ୍ଠରେ ଏ ଭଜନ ।

 

ଭଜନ ବୋଲା ନ ସରୁଣୁ-ପବନ ବନ୍ଦ । ଭକ୍ତମାନେ ନିର୍ବିଘ୍ନରେ ଘରେ ପହଞ୍ଚିଲେ ।

 

(ଶ୍ରୀ ଶରତ ଚନ୍ଦ୍ର ତ୍ରିପାଠୀଙ୍କ ଲେଖାରୁ ସଂଗୃହୀତ)

Image

 

ମୁହୁର୍ତ୍ତକର ଉଦବେଳନ

 

ଠାଏ ମୁଁ ଲେଖୁଥିଲି–‘ଆଉ କେବେ ଯିବି କରମଳାକୁ ।’’ ୧୯୫୪ ରୁ ୧୯୯୯ ଦୀର୍ଘ ୪୫ ବର୍ଷ ଅତିବାହିତ । ଅବୁଝା ମନ ଭିତରେ ବୋଝେ କୌତୁହଳ, ସନ୍ଦେହ ଓ ଅବିଶ୍ୱାସ ନେଇ ଯାଇଥୁଲି ୧୯୫୪ ରେ କରମଳା । ମତେ ଯେଉଁମାନେ ଠେଲିପେଲି ସାଙ୍ଗରେ ନେଇ ଯାଇଥିଲେ ସେ ତିନିଜଣ ଆଉ ଇହଧାମରେ ନାହାଁନ୍ତି । ଜଣେ ବନମାଳୀ ପଟ୍ଟନାୟକ, ଆଉ ଦୁଇଜଣ ବ୍ରହ୍ମାନନ୍ଦ ଭାଇନା (ପଣ୍ଡା) ଓ ଫଟୋଗ୍ରାଫର୍ ଗୋପାଳ ନାଇଡୁ । ମତେ ୨୪ ବର୍ଷ ବୟସ । ପୁରୀ ଜିଲ୍ଲା ଭୁଷୁଣ୍ଡପୁରରୁ ଡ଼ଙ୍ଗାରେ ନୀଳାମ୍ବୁ ଚିଲିକା ଦେଇ ପହଞ୍ଚୁ କରମଳାରେ । ସେତେବେଳେ କରମାଳା ଆଶ୍ରମ ଯିମିତି ଚିଲିକାକୁ ଚୁମ୍ବିଲା ଭଳି ରହିଥିଲା । ବେଳ ରତରତ ସମୟ । ଜଣେ ଶ୍ମଶ୍ରୁଳ ବପ୍ଲବନ୍ତ ପୁରୁଷ ଆମକୁ ଅପେକ୍ଷା କରି ରହିଥିଲେ–ଦୁଇ ଆଜାନୁଲମ୍ବିତ ବାହୁ ପ୍ରସାରି ଆମ ସମସ୍ତକୁ ଯେପରି କୋଳାଗ୍ରତ କରିନେଲେ । ଏକାମୁଠାରେ ଯେପରି ଆମକୁ ସେ ଧରିନେଲେ । ସତେ ଯେପରି କି ଆମେ ଚାରି ଚାରିଟା ମଣିଷ ତାଙ୍କୁ ଦର୍ଶନ କରିବା ମାତ୍ରେ ପିପିଲିକାଠୁ ମଧ୍ୟ ଅତି କ୍ଷୁଦ୍ର ହୋଇ ପଡ଼ିଲୁ । ମୁହୂର୍ତ୍ତକ ପାଇଁ ଏହି ବିରାଟ ପୁରୁଷର ମହାଗର୍ଭରେ ଲୀନ ହୋଇଗଲୁ ।

 

ସେଦିନର ଅନୁଭୁତି ମନେ ପଡ଼ିଲେ ଦିହ ଶୀତେଇ ଉଠୁଛି । କମ୍ପନ, ସ୍ପନ୍ଦନର ସମସ୍ତ ଉପାଦାନରେ ପ୍ରସ୍ତୁତ ଚନ୍ଦନ ଯେପରି ମନକୁ ପ୍ରଲେପିତ କରି ପକାଉଛି । କିନ୍ତୁ ଏସବୁ ଥିଲା ପ୍ରଥମ ଦର୍ଶନର ଏକମାତ୍ର ମୁହୂର୍ତ୍ତକର ଉଦ୍ୱେଳନ । ତା’ ପରବର୍ତୀ ଘଟଣାବଳୀର ଉପଭୋକ୍ତା ଥିଲେ ମୋ ବ୍ୟତୀତ ଅନ୍ୟ ତିନିଜଣ । କାରଣ ସେମାନେ ଏଠାରେ ଉକ୍ତ-ସୋପାନକୁ ଉନ୍ନୀତ ହୋଇ ସାରିଥିଲେ । ମତେ କେବଳ ଖଡ଼ିଛୁଆଇଁବା ପାଇଁ ନେଇଥିଲେ–ସେମାନଙ୍କ ଗୁରୁକୁଳାଶ୍ରମକୁ । ମୁଁ ସେଠୁ ଯାହା ପାଇଥିଲି-ତା’ର ପରବର୍ତ୍ତୀ ଜୀବନରେ ମୋ ପକ୍ଷରେ ଥିଲା ନିର୍ମାଲ୍ୟ ପ୍ରସାଦଠୁ ବଳି ପବିତ୍ର । ଅମୂଲ୍ୟ ।

 

ଦୀର୍ଘ ୪୫ବର୍ଷ ପରେ ଠାକୁରେ ଶ୍ରୀ ଶ୍ରୀ ଅଭିରାମ ପରମଂହସ ଆସିଲେ ମୋ ଲେଖନୀ ମୂଳକୁ । ମୁଁ ତାଙ୍କୁ ହଜେଇ ଦେଇଥୁଲି କି ସେ ମତେ ହଜେଇ ଦେଇଥିଲେ ତାହା ତାଙ୍କୁ ହିଁ ଜଣା । ଯାହା ହେଉ, ‘ଆଉ କେବେ ଯିବି କରମଳାକୁ’’ ବୋଲି ମୁଁ ବାହୁନିବାରେ ସେ କରମଳା ‘ଶାନ୍ତି ଆନନ୍ଦଧାମ’ର ଦୁଇଜଣ ବ୍ରହ୍ମଚାରୀ ସନ୍ନ୍ୟାସୀ ଶ୍ରୀ ଦୋଳଗୋବିନ୍ଦ ବାବା ଓ ଶ୍ରୀ ହରେକୃଷ୍ଣ ବାବାଙ୍କୁ ଲଗେଇଲେ ମତେ ପୁଣି ଟାଣି ନେବା କାର୍ଯ୍ୟରେ ।

 

୧୯୯୯ ଫେବୃୟାରୀ ଛଅ । ମୁଁ ସପରିବାର ଗଲି କରମଳା—ଜଳପଥରେ ନୁହଁ ସ୍ଥଳ ପଥରେ । ଜଳଯାନରେ ନୁହଁ, ଡ଼ିଜେଲ ଜାନରେ—ଟାକ୍ସିରେ ।

 

ଲୁଣା, ଦୟା, ଭାର୍ଗବୀ ଏକତ୍ର ଯେଉଁଠି ପଡ଼ିଛନ୍ତି ଚିଲିକାରେ, ଠିକ୍ ସେହି ସଂଗମ ସ୍ଥଳର ସନ୍ନିକଟରେ କରମଳାର ଶାନ୍ତି ଆନନ୍ଦାଶ୍ରମ ତଥା ଶାନ୍ତିଧାମ । ଜଗନ୍ନାଥ ସଡ଼କର ବିଜିପୁର ଛକଠାରୁ ମାତ୍ର ନଅ କିଲୋମିଟର ଦୂର । ବହୁକାଳ ପର୍ଯ୍ୟନ୍ତ ସ୍ଥଳପଥରେ ଯାତାୟାତ ସମ୍ଭବ ହେଉ ନଥିଲା । ଏବେ ହେଉଛି । ପୂର୍ବେ ଜଳପଥରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଧାଡ଼ି ଲମ୍ବୁଥିଲା କରମଳାକୁ–ମହାପୁରୁଷଙ୍କ ଅମୋଘ ଆକର୍ଷଣରେ ବହୁ ନରନାରୀ ଆବାଳ ବୃଦ୍ଧି ବନିତା ଏହି ନିକଂଚନ ପୀଠକୁ ଟାଣି ହୋଇ ଯାଉଥିଲେ । କାହିଁକି, କିପରି ଏହି ପୀଠ ଚୁମ୍ବକ ଭଳି ଟାଣୁଥିଲା, ତାହାଥ୍‌ଲା ଅନୁଭବ-ସଂପଦ ମାତ୍ର । ନିକାଞ୍ଚନରେ ଅକିଞ୍ଚନର କାଞ୍ଚନ ।

 

ଆମ ଗାଡ଼ି ସିଧା ପ୍ରବେଶକଲା ଆଶ୍ରମ ପରିସର ଭିତରେ । ଗୋପବନ୍ଧୁଙ୍କ କବିତା ମୋ ମନରେ ଉଦ୍ରେକ ହେଲା–‘ରହ ରହ ବାରେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ।’ ଆଶ୍ରମର ଦ୍ୱାରଦେଶରେ ରହି ମୋ ମନ ଭିତରେ ଅତୀତର ସ୍କୃତିକୁ ମନ୍ଥିଲି । ମନ୍ଥନରୁ ପ୍ରକଟିତ ହେଲା ଅପୂର୍ବ ସୁଗନ୍ଧ । ଅବଶ୍ୟ ନାହିଁ ସେ ପର୍ଣ୍ଣକୁଟୀର, ନାହିଁ ଜଳ ସମ୍ଭାର, ନାହିଁ ସେ ଆନନ୍ଦ । ଧାମ ରହିଛି କେବଳ ନାମରେ ସୌଧରେ, ମାର୍ବଲ ଓ ମୋଜାଇକ୍‌ରେ । ଶାନ୍ତି ଓ ଆନନ୍ଦ ଚାଲିଯାଇଚି ୧୯୬୩ ମସିହାରୁ–ଠାକୁରଙ୍କ ଅପ୍ରକଟ କାଳରୁ । ଠାକୁରେ ଅଛନ୍ତି ମୂର୍ତ୍ତିରେ । ତାଙ୍କର ଗୁରୁ ପୌର୍ଣମାସୀ ମଧ୍ୟ ମୂର୍ତ୍ତିରେ ମୂର୍ତିମତୀ । ଐଶ୍ୱର୍ଯ୍ୟ ସହିତ ସତ୍ଵଈଶ୍ୱର ଲୀଳା ମଧ୍ୟ ଚାଲିଚି–ଅବିରାମ ଗତିରେ ।

 

କିନ୍ତୁ ଠାକୁରେ ଶାନ୍ତି, ଆନନ୍ଦ ଓ ଶୃଙ୍ଖଳାକୁ ବାନ୍ଧି ରଖୁଛନ୍ତି କର୍ମପ୍ରବଣ, ସେବାପ୍ରବଣ ଜର୍ମୀ ତଥା ସନ୍ନ୍ୟାସୀ ଓ ସନ୍ୟାସିନୀମାନଙ୍କ ଆଚରଣରେ, ଚରିତ୍ରରେ ଏବଂ ପ୍ରତିଦିନର ନିୟମିତ ବିଧ୍ୱସେବାରେ । ପରୋପକାରରେ । ଅତିଥ୍ୟ ସତ୍‌କାରରେ । ଠାକୁରେ ଯେଉଁ ଶୁଆଶାରୀମାନଙ୍କ ମାଧ୍ୟମରେ ନାନା ଲୀଳା ଲୀଳାୟିତ କରି ଆସୁଥିଲେ, ସେମାନେ ନଥୁଲେ ମଧ୍ୟ ପାରମ୍ପରିକ ଭାବରେ ଏଠାରେ ପ୍ରତିପାଳିତ ଏହି ପକ୍ଷୀଗୁଡ଼ିକ କଣ୍ଠରୁ ଏବେ ବି ଉଚ୍ଚାରିତ ହୋଇ ଚାଲିଛି–‘ହରେକୃଷ୍ଣ ହରେରାମ’, ସତ୍ୟନାରାୟଣ ସ୍ୱାମୀ କି ଜୟ ।’’ ଠାକୁରଙ୍କ ପ୍ରକଟ କାଳରେ ଯେଉଁ ଅଲୌକିତ ଲୀଳା ପ୍ରକଟିତ ହେଉଥୁଲା, ଅପ୍ରକଟରେ ମଧ୍ୟ ସେହି ଆଲୌକିକତାର ଅନୁଭୂତି ଅନେକ ଭକ୍ତଙ୍କ ତୁଣ୍ଡରୁ ଶୁଣାଯାଏ ।

 

ବର୍ତ୍ତମାନ ଆଶ୍ରମର ପ୍ରଧାନଚାର୍ଯ୍ୟ ବୃଦ୍ଧ ପ୍ରଭାକର ବାବାଙ୍କ ଦର୍ଶନ ଓ ସ୍ପର୍ଶନ ପାଇ କୃତାର୍ଥ ହେଲି । ଶ୍ଵାସରୋଗୀ । ଶତକ ବାଡ଼େଇବା ଭଳି ବୟସ । ଅର୍ଜୁନବାବା ହଠାତ୍ ଅସୁସ୍ଥ ହୋଇପଡ଼ିବାରେ କଟକରେ ଚିକିତ୍ସାଧୀନ ଥିଲେ । ସାତ ଆଠଜଣ ସନ୍ନ୍ୟାସୀଙ୍କ ସହିତ ସାକ୍ଷାତ ଓ ଆଳାପର ସୁଯୋଗ ମିଳିଲା । ଠାକୁରଙ୍କ ପରେ ଆଶ୍ରମର ପ୍ରଥମ ଆଚାର୍ଯ୍ୟ ବୈକୁଣ୍ଠବାବା ଏବେ ବୈକୁଣ୍ଠରେ । କେବଳ ତାଙ୍କର ସମାଧି ପୀଠରେ ସେ ଚିତ୍ରପଟରେ ରହିଛନ୍ତି ଏକ ମନୋରମ କକ୍ଷରେ ।

 

ଏଠାରେ ସ୍ଥାୟୀ ଭାବରେ ରହି ସେବାକାର୍ଯ୍ୟ କାରୁଥ‌ିବା ସନ୍ନ୍ୟାସୀମାନଙ୍କର ଅନୁଭୂତି ଗୋଟିଏ ଗୋଟିଏ ପୋଥି । ଏହି ପୋଥର ଗୋଟିଏ ପୃଷ୍ଠା ଶ୍ରୀ ଶେଷଦେବ । ମନେହେଲା ତୁଙ୍ଗ ଶିଖରୀ ଚୂଳରୁ ସେ କୁଞ୍ଜକାନନ ମାଳକୁ ଖସି ଆସିଚନ୍ତି ! କିନ୍ତୁ ତାଙ୍କ ଜୀବନ ଗ୍ରନ୍ଥକୁ ପାଠ କରିବା ପରେ ଭାବିଲି–ସେ ରସାତଳରୁ ଉଠି ଆସିଛନ୍ତି–ସର୍ବୋଚ୍ଚ ଶିଖରକୁ । ଏହି ଶୀର୍ଷ ଦେଶର ନାମ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ !

Image

 

ଶେଷୁଦେବଙ୍କ ମାଆ ନୀଳାମ୍ମା

 

ଥରେ ଶେଖୁଦେବ କରମଳା ଆନନ୍ଦଧାମର ଜଣେ ସନ୍ନ୍ୟାସୀଙ୍କ ସହିତ ଆମ ଘରକୁ ଆସିଥିଲେ । ସନ୍ନ୍ୟାସୀଙ୍କ ଭଳି ଦେଖା ଯାଆନ୍ତି ନାହିଁ, କିନ୍ତୁ ସନ୍ନ୍ୟାସୀ ଜୀବନଯାପନ କରନ୍ତି । ପରିଧାନ ଧଳା ଧୋତି । ଦେହରେ ଧଳା ଧୋତିର ଚାଦର । ଶତକଡ଼ା ନବେ ଓଡ଼ିଆ କହି ପାରନ୍ତି । ଓଡ଼ିଆ ପଢ଼ି ପାରନ୍ତି । ଧୀର ସ୍ଥିର । ଶାନ୍ତ । ଅମାୟିକ । ବୈରାଗ୍ୟ ତାଙ୍କଠି ପୋଷା ମାନିଥ‌ିବା ଭଳି ମନେହୁଏ । ଏତେବଡ଼ ପଦପଦବୀରେ ଥିଲେ ବୋଲି ତାଙ୍କୁ ଦେଖ‌ିଲେ ବିଶ୍ଵାସ ହୁଏନି । କଥାବାର୍ତ୍ତାରେ ପାମର, ଅପାମର ସମସ୍ତଙ୍କୁ କିଣି ନେଇ ପାରିବା ଭଳି ଅପାର ଶକ୍ତି ତାଙ୍କଠି । ଆମ ଘରେ ତାଙ୍କ ସହିତ ଅଳ୍ପ ସମୟ କଥାବାର୍ତ୍ତା ହୋଇଥିଲା । କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ପାଇ ନ ଥୁଲି ।

 

୧୯୯୯ ଫେବୃଆର । ଛ’ ତାରିଖରେ ସେହି ବ୍ୟକ୍ତି ଓ ତାଙ୍କ ବ୍ୟକ୍ତିତ୍ୱ ସହିତ ପରିଚିତ ହେଲି । ନିଜେ ସେଠି ଘର ଖଣ୍ଡିଏ କରି ରହି ଆସିଛନ୍ତି । ୟା’ ଭିତରେ ସେ ଇଂରାଜୀ, ତେଲୁଗୁ ଭାଷାରେ ଗୁଡ଼ିଏ ବହି ଲେଖୁ ସାରିଲେଣି । ବହି ଗୁଡ଼ିକର ଉପାଦାନ ଠାକୁର ଅଭିରାମ ପରମହଂସ–ତାଙ୍କ ଜୀବନ ଓ ତାଙ୍କ ଜୀବନ ସଂଙ୍ଗୀତ ।

 

ତାଙ୍କ ପରିବାର ବହୁବର୍ଷ ପୂର୍ବେ ରହୁଥିଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରରେ । ପିତା ଶ୍ରୀ ସୁବନବିସ ଭେଙ୍କଟପତି ଥିଲେ ଜିଲ୍ଲାବୋର୍ଡ଼ର ସେକ୍ରେଟେରୀ । ସମ୍ଭବତଃ ଏହି ଜିଲ୍ଲାର ବିଶିଷ୍ଠ ଜନନାୟକ ଶ୍ରୀ ଦିବାକର ପଟ୍ଟନାୟକ ଜିଲ୍ଲା ବୋର୍ଡ଼ର ଚେୟାରମ୍ୟାନ ଥିବାବେଳେ । ଭେଙ୍କଟପତିଙ୍କ ଦୁଇ ପୁଅ ମଧ୍ୟରୁ ଜଣେ ଏହି ଜଣକ, ଯାହା ସହିତ ସାକ୍ଷାତ କରମଳାରେ । ଠାକୁରଙ୍କ ଲୀଳା ବର୍ଣନା କରିବାବେଳେ ତାଙ୍କ ଚକ୍ଷୁ ଛଳଛଳ ହୋଇ ଉଠେ । ତାଙ୍କର ନାମ ଭି.ଆର୍.ସୁବନବିସ । କିନ୍ତୁ ଠାକୁରେ ତାଙ୍କୁ ଡାକୁଥିଲେ ‘ଶେଷୁଦେବ’ । ପୈତୃକ ନାମ ଲୋପ ପାଇ ସେ ରହି ଆସିଚନ୍ତି ଏହି ଶେଷଦେବରେ ।

 

ଭି.ଆର. ସୁବନବିସ (ଶେଷୁଦେବ) ୧୯୫୭-୧୯୯୦ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଥିଲେ ବମ୍ବେରେ ଏୟାରପୋର୍ଟ ସର୍ଭିସେସ୍ ଡ଼ିପାର୍ଟମେଣ୍ଟ ଡ଼ାଇରେକ୍ଟର । ଚାକିରୀରୁ ଅବସର ଗ୍ରହଣ କରିବା ପରେ ୧୯୯୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିଲେ ଏୟାରଇଣ୍ଡିଆ ମାନେଜିଂ ଡାଇରେକ୍ଟରଙ୍କ ପରାମର୍ଶଦାତା । ସମଗ୍ର ପୃଥ‌ିବୀ ପରିଭ୍ରମଣ କରି ପାରିବା ଭଳି ସୁଯୋଗ ତାଙ୍କୁ ଦିଆଯାଇଚି । ଯେତେବେଳେ ଯୁଆଡ଼େ ଯିବାକୁ ଚାହିଁବେ ବିମାନରେ ଯାଇ ପାରିବେ । ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଏବେ ସିଙ୍ଗାପୁରରେ ଆଉ ଜଣେ ଆମେରିକାରେ ନିଜ ନିଜର ପରିବାର ସହିତ । ଝିଅମାନେ ମଝି ମଝିରେ ବାପାଙ୍କୁ ଦେଖୁବା ଲାଗି କରମଳା ଆସିଥାଆନ୍ତି ।

 

ଶେଷୁଦେବ ଦାଣ୍ଡ ଘରେ ସଉପ ମଶିଣା ବିଛାଇ ଆମକୁ ବସାଇଲେ । ସାମନାରେ ବସି ସେ କହିଚାଲିଲେ–ତାଙ୍କର ଅତୀତ ଜୀବନର କିୟଦଂଶ । ମନେହେଲା ଯେପରି ଗୁଡ଼ିଏ ଗପ କହି ଚାଲିଚନ୍ତି । ଶୁଣି ଶୁଣି ଆମେମାନେ ବିଭୋର, ଅଭିଭୂତ । ଇଚ୍ଛା ହେଲାନି ତାଙ୍କ ପାଖ ଛାଡ଼ିବାକୁ । ସାଇତି ରଖୁଚନ୍ତି ତାଙ୍କ ପିତାମାତାଙ୍କ ସ୍ମୃତି । ଠାକୁରଙ୍କ ସହିତ ଜଡ଼ିତ ସେ ସ୍ମୃତି ସମ୍ଭାରକୁ ।

 

ବିଭିନ୍ନ ଘଟଣାରେ ଲହଡ଼ିପରେ ଲହଡ଼ି । ଉତ୍ତାଳ ତରଙ୍ଗ । ୧୯୪୫ ମସିହା । ଅସୁସ୍ଥା ହୋଇ ପଡ଼ିଲେ ମାଆ ନୀଳାମ୍ମା । ଅଜ୍ଞାତ ବ୍ୟାଧିରେ ପୀଡ଼ିତା । ପିତା ଭେଙ୍କଟପତି ପତ୍ନୀଙ୍କୁ ସୁସ୍ଥ କରିବା ପାଇଁ ବହୁ ଉଦ୍ୟମ କଲେ । ବହୁ ବଡ଼ ବଡ଼ ଡାକ୍ତର ଚିକିତ୍ସା କଲେ । ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ଗୁଣି ଗାରେଡ଼ି, ଝଡ଼ା ଫୁଙ୍କା ସାଙ୍ଗକୁ ସବୁ ‘ପ୍ୟାଥ୍କଢ଼ ସରିଲା I କୌଣସି ଚିକିସ୍ କାମ ଦେଲା ନାହିଁ । ରୋଗ ବଢ଼ିଲା ସିନା କମିଲା ନାହିଁ ।

 

ଭଗବାନ ଉକ୍ତକୁ ନିଜ ଆଡ଼କୁ ଟାଣି ଆଣିବା ପାଇଁ ବହୁ ବଙ୍କାଟଙ୍କା ବାଟ ଫିଟାଇଥାଆନ୍ତି । ନୀଳାତ୍ମାଙ୍କ ଅଜ୍ଞାତ ବ୍ୟାଧର ଉପଶମ ଲାଗି ବ୍ୟବସ୍ଥାପତ୍ର ଜଣଙ୍କ ହାତରେ । ଅବ୍ୟବସ୍ଥା, ଅଘଟଣ ଘଟାଇ ଠିକଣା ବାଟକୁ ଆଣିବା ତାଙ୍କର ଏକ ବକ୍ରଲୀଳା । ଏଥିଲାଗି ମାଧ୍ୟମ ହେଲେ ଭେଙ୍କଟପତିଙ୍କ ପଡ଼ିଶା ଘରର ଜଣେ ବନ୍ଧୁ ଭେଙ୍କୟାଶର୍ମା । ସେ ଥିଲେ ଠାକୁର ଅଭିରାମ ପରମହଂସଙ୍କ ଜଣେ ଆଶ୍ରିତ ଭକ୍ତ । ତାଙ୍କରି ପରାମର୍ଶ କ୍ରମେ ୧୯୫୦ରେ ଭେଙ୍କଟପତି ଆସିଲେ କରମଳା । କରୁଣାମୟ ଠାକୁର ଅଭିରାମ ପରମହଂସଙ୍କ ନିକଟକୁ । ସଙ୍ଗରେ ରୁଗ୍ନା ପତ୍ନୀ ନୀଳାମ୍ମା । ଠାକୁରଙ୍କ କୋମଳ ଶୀତଳ କରକମଳର ସ୍ପର୍ଶରେ ନୀଳାମ୍ମା ସମ୍ପର୍ଣ୍ଣ ସୁସ୍ଥ ହେଲେ । କିନ୍ତୁ ସେ ସ୍ପର୍ଶ ଭିତରେ କି ସ୍ପନ୍ଦନ ଥିଲା କେଜାଣି ନୀଳାମ୍ମା ହୋଇ ଉଠିଲେ କବୟତ୍ରୀ । ତାଙ୍କ ମୁଖରୁ ସ୍ଫୁରିତ ହେଲା ନାନା ଭଜନ, କୀର୍ତ୍ତନ-ଜ୍ଞାନଗର୍ଭକ ବହୁ ଆଧ୍ୟାତ୍ମିକ ନିଗୁଢ଼ ତତ୍ତ୍ୱର ଉତ୍ସ । ଯିଏ ଯାହା ପ୍ରଶ୍ନ କଲା–ତାଙ୍କ ମୁହଁରୁ ତା’ର ସଠିକ ଉତ୍ତର ମିଳିଲା–ସାଙ୍ଗୀତିକ ସ୍ୱର ଲହରୀରେ । ଏସବୁ କଥା ଲିପିବଦ୍ଧ କରିଯାଇଛନ୍ତି–ନୀଳାମାଙ୍କ ସ୍ଵାମୀ ତଥା ଶେଷୁଦେବଙ୍କ ପିତା ଭେଙ୍କଟପତି ତାଙ୍କ ଦିନଲିପିରେ ।

 

ଈର୍ଷା କାତର ସନ୍ଦେହୀ ମଣିଷଙ୍କ ମନରେ ସବୁବେଳେ ପ୍ରଶ୍ନ–ସତେ କଣ ଠାକୁର ଅଭିରାମ ପରମହଂସ ନୀଳାମାଙ୍କ ଦେହରେ ପ୍ରବେଶ କରି ତାଙ୍କ ମୁହଁ ଦେଇ ଗାଇ ଯାଉଚନ୍ତି–ଭଜନ କୀର୍ତ୍ତନ । ସୁନ୍ଦର ସୁଲଳିତ କଣ୍ଠ । ଅପୂର୍ବ ପ୍ରକାଶଭଙ୍ଗୀ ଗାଇବାବେଳେ ନୀଳାମ୍ମାଙ୍କ ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି । ଅନର୍ଗଳ ଗାୟନ ଶୈଳୀ । ଏହାକୁ ସେତେବେଳେ କୁହାଯାଉଥିଲା ‘ ଆବେଶଲୀଳା’ । ନୀଳାମ୍ମା ଯେଉଁଠି ଥାଆନ୍ତୁ ନା କାହିଁକି ସେ ଆବେଗରେ ରହି ଗାଇବାବେଳେ ବହୁ ଲୋକଙ୍କ ସମାଗମ ଘଟୁଥିଲା । କେବେ କେବେ ଅଭିରାମ ଭାବରେ ଅର୍ବ ରାମ ନୀଳାର୍ତ୍ତାଙ୍କ କଣ୍ଠ ଦେଇ ନିଜର ଭଜନ ଜଣାଣ ବୋଲି ଯାଉଥି ଘଣ୍ଟେ ଦୁଇ ଘଣ୍ଟା ଧରି । ଠାକୁରଙ୍କ ପ୍ରକଟ ବେଳେ ଯାହା ହେଉଥିଲା, ତା’ଠୁ ଅଧ୍ଵ ହେଲା ଅପ୍ରକଟ ପରେ । ଠାକୁରେ ୧୯୬୩ ନଭେମ୍ବର ୨୭ ତାରିଖରେ ମହାସମାଧି ଗ୍ରହଣ କଲେ । ସେତେବେଳେ ଭେଙ୍କଟପତି ରହୁଥିଲେ ଆନ୍ଧ୍ରର ବିଜୟନଗରମ୍ଭରେ । ଠାକୁରଙ୍କ ମହାସମାଧି ତିନିଦିନ ପରେ ଭେଙ୍କଟପତିଙ୍କ ତୃତୀୟ ଜାମାତା ନାଗେଶ୍ୱର ରାଓ ତାଙ୍କ ଘରେ ଶାଶୁ ଶ୍ଵଶୁରଙ୍କ ଉପସ୍ଥିତିରେ ଆୟୋଜନ କଲେ ଏକ ଭଜନ ସମାରୋହ । ନୀଳାମ୍ମାଙ୍କ ମୁଖରେ ଆଜି ହୁଏତ ଠାକୁରେ ପ୍ରସନ୍ନ ହୋଇ ନପାରନ୍ତି ବୋଲି ଅନେକଙ୍କ ସନ୍ଦେହ ଥିଲା । କାରଣ ଠାକୁରେ ସ୍ଥୂଳ ଶରୀର ଛାଡ଼ି ସୂକ୍ଷ୍ମକୁ ଚାଲିଗଲେଣି ।

 

ଭକ୍ତଙ୍କ ମନରେ ଏଇଭଳି କେତେ କୌତୂହଳ । ରାତି ସାଢ଼େ ଆଠଟାବେଳେ ନୀଳାମ୍ମା ଧୀରେ ଧୀରେ ଆବିଷ୍ଟ ହୋଇ ପଡ଼ିଲେ । ତାଙ୍କ ମୁହଁରୁ ପ୍ରକାଶ ପାଇଲା, ଉଚ୍ଚାରିତ ହେଲା ଠାକୁରଙ୍କ ବାଣୀ ‘ତୁମେ ମାନେ ନୀଳାତ୍ମାଙ୍କ ମାଧ୍ୟମରେ ପ୍ରସନ୍ନ ବାଣୀର ସଂଭାବନା ବିଷୟରେ ଚିନ୍ତାକୁଳ ହୋଇ ପଡ଼ିଛ । ମନେରଖ, ମୁଁ କେବଳ ସ୍ଥୂଳ ଶରୀର ତ୍ୟାଗ କରିଛି–ଯାହା ତୁମମାନଙ୍କ ଦୃଷ୍ଟି ଗୋଚର ହେଉ ନାହିଁ । କିନ୍ତୁ ମୁଁ ଶାଶ୍ଵତ । ସୂକ୍ଷ୍ମଶରୀରରେ ସମାଧିରେ ସର୍ବଦା ବିଦ୍ୟମାନ I ମୁଁ ପୂର୍ବପରି ନୀଳାମ୍ମା ଶରୀର ମାଧ୍ୟମରେ ତୁମମାନଙ୍କୁ ଉପଦେଶ ପ୍ରଦାନ କରିବି I ତୁମେମାନେ ବିଚଳିତ ହେବା ଉଚିତ ନୁହେଁ । ମୁଁ ସ୍ୱୟଂ ଆତ୍ମପୁରୁଷ ଓ ଚିରନ୍ତନ । ଯେତେବେଳେ ନୀଳାମ୍ମା ଶରୀର ତ୍ୟାଗ କରିଯିବ, ସେତିକିବେଳକୁ ପ୍ରସନ୍ନବାଣୀ ପ୍ରକ୍ରିୟା ବନ୍ଦ ହୋଇଯିବ ।

 

୧୯୭୫ ଜାନୁଆରୀ ୨୮ ତାରିଖରେ ନୀଳାମ୍ମା ଦେହତ୍ୟାଗ କଲେ । ୦-ଦୁରଙ୍କ ବାଣୀ ଅଖଣ୍ଡ ସମାଧିରେ ଲୀନ ହୋଇଗଲା । ସେହି ସମାଧି ଏବେବି କରି ଚାଲିଚି–ଶ୍ରୀ ଶ୍ରୀ ସତ୍ୟନାରାୟଣ ସ୍ଵାମୀଙ୍କ ଜୟ ହେଉ । ସନାତନ ଧର୍ମର ଜୟ ହେଉ । ଏକାକ୍ଷରୀ ମନ୍ତ୍ରରେ ସମସ୍ତେ ଦୀକ୍ଷିତ ହୋଇ ସତ୍ୟଧର୍ମରେ ପ୍ରତିଷ୍ଠିତ ହୁଅନ୍ତୁ ।

 

ଏବେ ବି ଠାକୁରଙ୍କ ସ୍ଵହସ୍ତ ଅଙ୍କିତ ବହୁ ପତ୍ର ଭେଙ୍କଟପତିଙ୍କ ସୁପୁତ୍ର ଶେଷୁଦେବ ସାଇତି ରଖୁଛନ୍ତି–ଅତି ଯତ୍ନରେ ।

Image

 

‘ପଳା ପଛକୁ ନ ଚାହିଁ’

 

ମନରେ ଯେତେବେଳେ ଭକ୍ତିଭାବ ତୀବ୍ର ହୋଇ ଉଠେ, ସେତେବେଳେ ସଂସାରର ମାୟା ବନ୍ଧନ ଆପେ ଆପେ ଛିନ୍ନ ହୋଇ ପଡ଼େ, ଯାହା ହୋଇଥିଲା ବୃନ୍ଦାବନର ଗୋପୀମାନଙ୍କର । ଭକ୍ତିର ସବୁଠୁ ଉଚ୍ଚ ପାହାଚ ‘ଗୋପୀଭାବ’ । ଚୈତନ୍ୟ ଉଦୟ ହେଲେ ‘ନିତ୍ୟାନନ୍ଦ’ ମିଳେ ।

 

ଭକ୍ତି କୌଣସି ତଥାକଥି ଶିକ୍ଷା, ଦୀକ୍ଷାକୁ ଅପେକ୍ଷା କରେନା । ମନ ପ୍ରଭୁଙ୍କ ପାଦପଦ୍ମରେ ଢ଼ାଳି ଦେଇ ହୃଦୟର ପୁଷ୍ପକୁ ସମର୍ପଣ କରିଦେଲେ କାମ ଶେଷ । ତା’ ପରେ ପ୍ରଭୁଙ୍କ କାମ ଆରମ୍ଭ ହୁଏ । ସେ ସୁଖ ଦୁଃଖକୁ ଏକାକାର କରି ଏପରି ମାଦକ ମୋଦକ ଖୁଆନ୍ତି ଯେ ଭକ୍ତ ଭୋଳ ହୋଇପଡ଼େ । କେବଳ ଭଗବତ୍ ଚିନ୍ତାରେ ସେ ନିମଗ୍ନ ହୋଇପଡ଼େ । ସ୍ତ୍ରୀ, ପୁତ୍ର,ମାତା, ପିତା ଚିନ୍ତା ଅପସରି ଯାଏ ।

 

ସେ ଦିନ କରମଳା ଆନନ୍ଦାଶ୍ରମର ଉପର ମହଲାରେ ଠାକୁରେ ବିରାଜମାନ । ତାଙ୍କ ସାମନାରେ ଭକ୍ତମାନଙ୍କ ସମାରୋହ । ଠାକୁରଙ୍କ ସ୍ମିତମୁଖକୁ ଅପଲକ ନେତ୍ରରେ ଚାହିଁ ରହିଛନ୍ତି ଚାତକ ଭଳି । କୃପାକରି ବର୍ଷଣରୁ ଟୋପାଏ ପାଇବେ । ଠାକୁର ଅଭିରାମ ପରମହଂସ କହିଲେ, ‘ଆଜି ଜଣେ ଭକ୍ତ ଆସୁଚନ୍ତି–ଅଳ୍ପ ସମୟ ପରେ ଶାନ୍ତିଧାମରେ ପହଞ୍ଚେ ।’’ ଏହି ନୂତନ ଆଗନ୍ତୁକଙ୍କ ପ୍ରସ୍ତୁତି ଶେଷ ହୋଇଚି । ଏହି ପ୍ରସ୍ତୁତି ଲାଗି ତାଙ୍କୁ ଦୀର୍ଘ ନଅବର୍ଷ ଲାଗିଥିଲା ।

 

ନାନା ବାଧାବିଘ୍ନ । ଘାତ ପ୍ରତିଘାତ । କରମାଳା ଆଶ୍ରମକୁ ଆସିବା ପାଇଁ ପାଦ ବଢ଼ାଇବା ମାତ୍ରେ ପଛକୁ ସତେ ଯେପରି କେହି ଜଣେ ଟାଣି ନେଉଚି । କହୁଚି, ଆରେ ବାପ ! ଏତେ ଶୀଘ୍ର ହୋଇଯିବନି । ପରୀକ୍ଷା ପରେ ପରୀକ୍ଷା । ଫେଲ୍ ଫେଲ୍ ଫେଲ୍ । ଜଣଙ୍କୁ ସେହି ଶ୍ରେଣୀରେ ବାରମ୍ବାର ରହିବାକୁ ପଡ଼ିଥାଏ । ଶହେରୁ ତିରିଶ ରଖିଲେ ପାସ । ତୁ ଯଦି ପାଞ୍ଚ ଦଶ ରଖୁ, ଫେଲ ହେବା ନିଶ୍ଚିତ । ଗ୍ରେସ୍ ନମ୍ବର ଚାରି ପାଞ୍ଚ ଦିଆଯାଇପାରେ, ତା’ଠୁ ଅଧିକ ଦେଲେ, ଭଗବାନଙ୍କ ବିରୁଦ୍ଧରେ ମଧ୍ୟ ମଣିଷ ଦୁର୍ନୀତି ଅଭିଯୋଗ କରିପାରେ । ତାଙ୍କୁ କାଠଗଡ଼ାରେ ଠିଆ କରାଇ ଦେଇପାରେ ।

 

ସେହିଭଳି ଏ ଭକ୍ତ । ନଅ ବର୍ଷର କଠୋର ପରିଶ୍ରମ ପରେ ଏଥର ସେ ଦୃଢ଼ ନିଶ୍ଚିତ । ମନରେ ଦୃଢ଼ ସଂକଳ୍ପ । ନିଶ୍ଚୟ କରମାଳା ଯିବେ । ଠାକୁରଙ୍କୁ ଅତି ନିକଟରୁ ଦର୍ଶନ କରିବେ । ତାଙ୍କ କୃପା ଭିକ୍ଷା କରିବେ । ତାଙ୍କର ଅଧରାମୃତ ପାଇବେ । ପଦାରବିନ୍ଦ ସ୍ପର୍ଶ କରି କୃତାର୍ଥ ହେବେ । ତାଙ୍କ ମନ ଭିତରେ ଠାକୁରଙ୍କ ଭଜନର ଗୁଞ୍ଜରଣ । ମୂହଁନାରେ ତାଙ୍କ ହୃଦୟ ମୂର୍ତ୍ତିତା । ଅମୃତୋପମ ପଦାବଳୀ–

 

କି ଚିନ୍ତା କରୁ ନିଶିବାସ....ରେ ମାନସ ।

ଛାଡ଼ି ଚିନ୍ତାମଣି ପ୍ରେମରସ ।

ପଳା ପଛକୁ ନ ଚାହିଁ, ଚିନ୍ତାମଣିଛନ୍ତି ଯହିଁ,

ସେହିପରି ଜୀବନ ସର୍ବସ୍ୱ...ରେ ମାନସ ।’’ ( ଇତ୍ୟାଦି)

 

ଭଜନରେ ନିମଜ୍ଜନ । ତନ୍ମୟ । ଭକ୍ତର ହୃଦୟ କନ୍ଦର ଦେଇ ମୁଖରୁ ନିସୃତ ହେଲା–ଏକମାତ୍ର ପ୍ରାର୍ଥନା । ‘ହେ ପରମ କାରୁଣିକ ଠାକୁରେ ! ହେ ଅଭିନ୍ନ ସୁନ୍ଦର ! ହେ ରାଧା ମାତାଙ୍କ ଅଲିଅଳ ସନ୍ତାନ ବିନୋରି ! ତୁମେ ହିଁ ଜୀବନର ଜ୍ୟୋତି । ଏତେ ଦିନ ଧରି ସଂସାର ମୋହରେ ପଡ଼ି ମୁଁ ମୁହ୍ୟମାନ । ମତେ ଆପଣାର କରିନିଅ । କୃପା କର । କଲ୍ୟାଣ କର ।’’

 

ସକାଳ ପାହିଲା । ଭକ୍ତଙ୍କ ମନଶ୍ଚକ୍ଷୁ ସମ୍ମୁଖରେ କେବଳ ଆଭାମୟ ଅଭିରାମଙ୍କ ମୁଖମଣ୍ଡଳ । ଚକ୍ଷୁଯୁଗଳରେ ପ୍ରେମାଶ୍ମ । ହୃଦୟରେ ପ୍ରେମାନନ୍ଦ । ଭଗବତ୍ ଦର୍ଶନର ଦୁର୍ବାର ଲାଳସା । କରମଳା ଅଭିମୁଖେ ଯାତ୍ରାରମ୍ଭର ପ୍ରସ୍ତୁତି ସଂପୂର୍ଣ୍ଣ ! ମନ ଭିତରେ ଭଜନର ସେହି ଦୁଇଟି ପଦ–‘ପଳା ପଛକୁ ନ ଚାହିଁ, ଚିନ୍ତାମଣି ଛନ୍ତି ଯହିଁ....’’

 

କିନ୍ତୁ ଯିବେ କିପରି ? ଦଉଡ଼ି ତାଙ୍କ ହାତରେ । ଭକ୍ତ ଜଣର ହସ୍ତପଦ ବନ୍ଧା ସେ ଦଉଡ଼ିରେ । ଯେଣିକି ଟାଣିବେ, ସେଣିକି ଯାଇ । ଅନୁକୂଳ ହଠାତ୍‌ ପ୍ରତିକୂଳ ହୋଇ ପଡ଼ିଲା । ଦାଣ୍ଡ ଦ୍ୱାରରେ ଭକ୍ତର ଆଗ ପାଦ । ଘର ଭିତରେ ଶୋକାକୁଳ ମର୍ମଭେଦୀ କ୍ରନ୍ଦନ । ଭକ୍ତର ପାଦ ଅଟକିଗଲା । ଦାରୁଣ ସଂବାଦ । ଏକ ବିଷଧର ସର୍ପ ଦଂଶନରେ କିଶୋର ପୁତ୍ର ମୂର୍ତ୍ତିତ । ବିଷର ସଂଚାର ଫଳରେ ଦେହ ନୀଳବର୍ଣ୍ଣ । ନାଡ଼ି ଦେଖା ଚାଲିଚି । ପ୍ରାଣହୀନ ।

 

ଏକଦା ମହାପ୍ରଭୁ ଶ୍ରୀଚୈତନ୍ୟ ନିଜର ପରମ ପାର୍ଷଦ ଶ୍ରୀବାସଙ୍କ ଘରେ କୀର୍ତନ କଲାବେଳେ ଏହିଭଳି ଘଟିଥିଲା ଅଘଟଣା । ଶ୍ରୀବାସଙ୍କ କିଶୋର ପୁତ୍ର-ମୃତ । ଶ୍ରୀବାସ ଜାଣି ସୁଦ୍ଧା ନ ଜାଣିଲା ଭଳି ରହିଥିଲେ–ମନର ସଂତାପକୁ ସେ ଚାପି ରଖୁଥିଲେ–କାରଣ ସମ୍ବାଦ ପ୍ରକଟ ହେଲେ ନାମ ସଂକୀର୍ତନ ବ୍ୟାହତ ହୋଇଯାଇ ପାରେ । କୀର୍ତନ ପରେ ମହାପ୍ରଭୁ କିଛିକ୍ଷଣ ପାଇଁ ପୁତ୍ର ଦେହରେ ଜୀବନ ସଂଚାର କରାଇଥିଲେ ଏବଂ ପୁତ୍ର ମୁହଁରେ ସଂସାରର ଅସାରତାକୁ ପ୍ରଚାରିତ, ପ୍ରସାରିତ କରାଇଥିଲେ ।

 

ସିଏ ବି ଥିଲା ଏକ ଲୀଳା କଲ୍ଲୋଳ । ଅବତାର ମହାପୁରୁଷମାନେ ଲୋକ ଶିକ୍ଷାଲାଗି ଏହିଭଳି ନାନା ଲୀଳା କରିଥାଆନ୍ତି... ଏଗୁଡ଼ିକୁ ଅବାଞ୍ଚ ‘ମିରାକଲ’ ବୋଲି ତଥାକଥ ହେତୁବାଦୀ ଉଚ୍ଚ ଶିକ୍ଷିତ ଲୋକେ ହେୟଜ୍ଞାନ କରିଥାଆନ୍ତି । ବାଇବେଲ ପୃଷ୍ଠା ଲେଉଟେଇବା ମାତ୍ରେ ଏହି ମିରାକେଲ ହିଁ ପଢ଼ିବାକୁ ମିଳେ ।

 

ଘର ଭିତରେ ମାୟା । ଦ୍ୱାରଦେଶରେ ଭକ୍ତ ଜଣଙ୍କର କାୟା ଯେପରି ଜଡ଼ ପାଲଟିଚି । କିଶୋର ପୁତ୍ର ସଂଜ୍ଞାହୀନ । ଅଚେତ । ନିଷ୍ପନ୍ଦ । ଘରେ ସ୍ତ୍ରୀର ରୋଦନ । ସମଗ୍ର ପରିବେଶ ଶୋକାଚ୍ଛନ୍ନ । ମନ ଭିତରେ ଠାକୁରଙ୍କ ଆହ୍ୱାନ–ଆ, ଚାଲିଆ । ପଛକୁ ନ ଚାହିଁ ଚାଲିଆ । ମୁଁ ପରା ତୋର ସର୍ବସ୍ଵ । ତୋ ପଛରେ, ଘର ଭିତରେ ଯେଉଁମାନେ କାନ୍ଦବୋବାଳି କରୁଛନ୍ତି, ସେମାନେ ତୁଚ୍ଛ । ନିରର୍ଥକ । କ୍ଷଣ ଭଙ୍ଗୁର । ଯିଏ ଚିର,ତାକୁ ଧର ।

 

ଭକ୍ତ ଭଗବାନଙ୍କ ଆହ୍ୱାନକୁ ହିଁ ଆଦରି ନେଲା । ପଛକୁ ନ ଚାହିଁ, ଆଗକୁ ଚାଲିଲା ସେ । ଠାକୁରଙ୍କୁ ପାଇଲେ ତ ସବୁ ପାଇବି, ଏଗୁଡ଼ାକୁ ଧରିଲେ ଲାଭ କଣ ? ‘ଠାକୁରେ ହିଁ ଭରସା’ । ଏକମାତ୍ର ଲକ୍ଷ୍ୟ କରମଳା । ଶାନ୍ତିଧାମ । ଆନନ୍ଦଧାମ ।

 

ବହୁ ଦୂରପଥ । ମନେ ମନେ ଅତି ନିକଟ । ସତେ ଯେପରି ପ୍ରଭୁ ତାଙ୍କୁ ମୁଣ୍ଡରେ ମୁଣ୍ଡେଇ ନେଇ ଆସିଲେ ତାଙ୍କ ପାଦତଳକୁ ।

 

ଏହି ସେଇ କରମଳା । ନିଜ ଆସନରେ ଆସୀନ ଠାକୁରେ । ଭକ୍ତଜଣଙ୍କ ତାଙ୍କ ପଦକମଳକୁ ସ୍ପର୍ଶ କରେ । କଲେ ସାଷ୍ଟାଙ୍ଗ ପ୍ରଣିପାତ । ନିଜର କୋମଳ କର ଯୁଗଳରେ ଭକ୍ତକୁ ଉଠେଇନେଲେ ଠାକୁରେ । କହିଲେ, ଘରେ ଏଡ଼େ ବିପଦ ! ଅଥଚ ତୁ କେଉଁ ବିବେକରେ ଘରଛାଡ଼ି ଏଠାକୁ ଚାଲି ଆସିଲୁ ? ପୁଅ ତୋର କିପରି ଅଛି ?’’

 

ଭକ୍ତର ଆଖି ଛଳ ଛଳ । କ୍ଷୀଣ ସ୍ୱର ! କହିଲେ–ସାପ କାମୁଡ଼ାରେ ପୁଅ ଚାଲି ଯାଇଚି ଆରପୁରକୁ ।

 

ଠାକୁରେ ହସିଲେ । ସ୍ମିତ ସ୍ନେହାର୍ଦ୍ର କଣ୍ଠରେ କହିଲେ, ‘ଆରେ ବାଇଆ, ଯିଏ ଯାଇଥୁଲା, ସେ ଫେରି ଆସିଚି, ପୁଅ ତୋର ଏବେ ସାଙ୍ଗଙ୍କ ସହିତ ଖେଳୁଚି ଦାଣ୍ଡରେ ।’’

 

ଭକ୍ତଟିର ଆଖ୍ରେ ଲୁହର ସାଗର ଯେପରି ଉଛୁଳି ଉଠିଲା । ସେତେବେଳକୁ ବାଜି ଉଠିଲା–ମନ୍ଦିରରେ ଆରତିର ଘଣ୍ଟା, କାହାଳୀ । ଚୌଦିଗ ମୁଖରିତ–‘‘ଜୟ ସତ୍ୟନାରାୟଣ ସ୍ୱାମୀ ଅଭିନ୍ନ ସୁନ୍ଦର ଅଭିରାମ କି ଜୟ ।’’

Image

 

ସବୁ ଚାଖି ଚାଖି ‘ଚଖା’

 

ଜନକ ମହାରାଜଙ୍କ ଦରବାର । ବହୁ ଜ୍ଞାନୀ, ଗୁଣୀ ପଣ୍ଡିତଙ୍କ ସମାବେଶ । ‘ବ୍ରହ୍ମ’ ସମ୍ପର୍କରେ ଚାଲିଚି ଚର୍ଚ୍ଚା, ଆଲୋଚନା । ଜଣଙ୍କ ପରେ ଜଣେ କହି ଚାଲିଛନ୍ତି, ବ୍ରହ୍ମ ୟା ନୁହେଁ, ତାହା । ଅମକ ଶାସ୍ତ୍ର କହେ ସେୟା । ବେଦ, ଉପନିଷଦ, ଗୀତା, ଭାଗବତ, ପାତଞ୍ଜଳିଙ୍କ ଯୋଗ, ମନୁଙ୍କର ସଂହିତା ଇତ୍ୟାଦି ଇତ୍ୟାଦିର ବ୍ୟାଖ୍ୟା, ତର୍ଜମା ସତ୍ତ୍ୱେ ‘ବ୍ରହ୍ମ’ ର ସଠିକ ନିରୂପଣ ସମ୍ଭବ ହୋଇ ପାରୁ ନାହିଁ । ଏତେ ପଣ୍ଡିତ, ଏତେ ଋଷି, ମହର୍ଷି, ବେଦ୍ୱିଦ୍, ତନ୍ତ୍ରମନ୍ତ୍ରବିତ୍‌ଙ୍କ ଉପସ୍ଥିତି ସତ୍ତ୍ଵେ ଦୁଇଟି ମାତ୍ର ଅକ୍ଷରର ସମଷ୍ଟି ଗୋଟିଏ ମାତ୍ର ଶବ୍ଦ ‘ବ୍ରହ୍ମ’ର ଅର୍ଥ କରାଯାଇ ପାରୁ ନାହିଁ । ଯିଏ ଯାହା କହୁଚନ୍ତି, ସେଥିରେ ଜନକ ମହାରାଜଙ୍କ ମନଃପୂତ ହୋଇ ପାରୁନି । ବାସ୍ତବରେ ବଡ଼ ଅଡୁଆ ଶବ୍ଦଟାଏ । ଅଛିଣ୍ଡା ଅଙ୍କ ଭଳି । ବ୍ରହ୍ମଗଣ୍ଠି ଫିଟି ପାରୁନି । ଘୋରି ଘୋରି ଖଡ଼ି ସରିଗଲାଣି । ଅଥଚ....

 

ହଠାତ୍ ପହଞ୍ଚିଗଲେ ଅଷ୍ଟାବକ୍ର । ଦେହର ଆଠଟି ଅଙ୍ଗ ବକ୍ର I ବଙ୍କା । ରୂପ ମଧ୍ୟ କଦାକାର । କୁରୂପ । ଅଷ୍ଟାବକ୍ର ଲକ୍ଷ୍ୟ କଲେ, କାହା ମୁହଁରେ ପ୍ରସନ୍ନତା ନାହିଁ । ଶୁଖୁଲା, ଶୁଖୁଲା । ଟୋପେ ବି ହସ ନାହିଁ I ପ୍ରଫୁଲ୍ଲତା ନାହିଁ । ବିଷଣ୍ଣ । ଋଷି ଅଷ୍ଟାବକ୍ର ଜନକଙ୍କୁ ପ୍ରଶ୍ନ କଲେ, ସମସ୍ୟା କଣ ? ଚିନ୍ତା କାହିଁକି ? ପ୍ରଶ୍ନ କଣ ?

 

ଜନକ କହିଲେ, ‘ବ୍ରହ୍ମ’ । ବ୍ରହ୍ମ ବୋଇଲେ କଣ ? ଇଏ କି ଜିନିଷ ? ଦୃଶ୍ୟ ନା ଅଦୃଶ୍ୟ ? ମୋଟା ନା ପତଳା ? ସ୍ଥୂଳ ନା ସୂକ୍ଷ୍ମ ? ସାକାର ନା ନିରାକାର ? ଏହାର ଅସ୍ତିତ୍ୱ ଅଛି କି ନାହିଁ ?

 

ହସିଲେ ଅଷ୍ଟାବକ୍ର । ଠୋ ଠୋ ହସ । ଉପସ୍ଥିତ ବିଦ୍ୱାନ, ପଣ୍ଡିତ, ଋଷି, ସନ୍ଥମାନେ ଲଜ୍ଜିତ । କ୍ଷୁବ୍ଧ । କୃଦ୍ଧ । ଭୀତତ୍ରସ୍ତ । ଠାକୁର ଅଭିରାମ ପରମହଂସଙ୍କ ଭାଷାରେ

 

ଜୀବ ଅଜ୍ଞାନରେ ଥ‌ିବାରୁ

ଅଛଇ ସବୁ ଭୟ ଭୟ

ପଦାର୍ଥକୁ ଧରିଲେ

ନିଶ୍ଚେ ଭୟ ପାଇବ ।

 

‘ବ୍ରହ୍ମ ପ୍ରତି ପୁଣି ଏତେ ଭୟ ? ‘ଅଭୟ’ ର ନିର୍ଣ୍ଣୟ ପାଇଁ ଭୟ ? ଲୟ ଥିଲେ ଭୟ ଆସିବ କୁଆଡୁ ? ‘ଲୟ’ କୁ ଦେଖି ଭ୍ର ତ ଆପେ ଆପେ ହଟିଯିବ ।

 

ଅଷ୍ଟାବକ୍ର କହିଲେ, ହେ ମହାରାଜ ! ମୁଁ ଜଣେ ସାଧାରଣ ମଣିଷ । ଜ୍ଞାନ କଣ ଜାଣେନା । ସମ୍ପୂଣ୍ଡି ଅଜ୍ଞାନ । କିନ୍ତୁ ତମେ ଯେଉଁ ‘ବ୍ରହ୍ମ’ କଥା କହୁଚ, ମୁଁ ତାକୁ ଦେଖିଚି । ଏଇତ ବାଟରେ ଆସିଲା ବେଳେ ତା’ ସହିତ ଭେଟ ହୋଇଥିଲା । ଆଳାପ ବି କରୁଥିଲୁ । ତାକୁ କହିଲି, ତୋ ସମ୍ପର୍କରେ ରାଜ ଦରବାରରେ ଆଲୋଚନା ଚାଲିଚି I ଆ’ ମୋ ଆସିବାକୁ ସହିତ । ଆସିଲାନି । ମନାକଲା । ସେ ପଣ୍ଡିତ ଓ ରାଜା ମହାରାଜାଙ୍କ ପାଖକୁ ନାରାଜ ! କହିଲା, ଯେଉଁଠି ତର୍କ, ସେଠି ନର୍କ ! ଯାହାହେଉ ତାକୁ ଦେଖିଚି ଯେତେବେଳେ କହି ଦେଇ ପାରିବି ସିଏ କିଏ ? କିନ୍ତୁ ଗୋଟିଏ ସର୍ତ୍ତ । ମୁଁ ଚାହେଁ ଗୋଟିଏ ମାତ୍ର ଦେଇ ପାରିବ ? ଜିନିଷ ଜନକ କହିଲେ ମୁଁ ମିଥ୍ୟାର ରାଜା । ଇମିତି କଣ ଜିନିଷ ଅଛି, ମୁଁ ନଦେଇ ପାରିବି ? ଜିନିଷଟି କଣ କହିବା ହୁଅନ୍ତୁ ।

 

ଅଷ୍ଟାବକ୍ର କହିଲେ, ‘ବ୍ରହ୍ମ’ ଯେପରି ଦୁଇଟି ଅକ୍ଷର ମୋ ମାଗିବା ଜିନିଷଟି ମଧ୍ୟ ଦୁଇଟି ଅକ୍ଷର । ତୁମ ପାଖରେ ‘ମନ’ ନାମକ ଯେଉଁ ଜିନିଷଟି ଅଛି, ଦେଇ ଦିଅ । ଆପେ ଆପେ, ସଙ୍ଗେ ସଙ୍ଗେ ‘ବ୍ରହ୍ମ’ ସାକ୍ଷାତ ହୋଇ ପାରିବ । ମନ ଥ‌ିବାଯାଏ ବ୍ରହ୍ମ, ବ୍ରହ୍ମ, ବ୍ରହ୍ମ । ସେତକ ଗଲେ, ସବୁ ବ୍ରହ୍ମମୟ I ବ୍ରହ୍ମସାକ୍ଷାତ । ମନ ହିଁ ‘ବ୍ରହ୍ମାପଲବ୍ଧି’ର ପ୍ରତିବନ୍ଧକ । ସବୁ ଜଞ୍ଜାଳର କାରଣ । ସବୁ ବିଭ୍ରାଟ ।

 

ଠାକୁର ଅଭିରାମ ପରମହଂସଙ୍କ ରଚନାବଳୀର ପ୍ରତ୍ୟେକ ଭଜନ, ଜଣାଣ ବ୍ରହ୍ମମୟ । ତାଙ୍କଦ୍ୱାରା ରଚିତ ‘ସନାତନ ଧର୍ମାର୍ଥ ଗୀତା ପ୍ରଥମ କୋଇଲି କହିଚି–

 

ବ୍ରହ୍ମ ଯେଣୁ ସର୍ବଠାବରେ

ସମଦର୍ଶୀ ଜାଣଇ

ନାରାୟଣ, ଆଲ୍ଲା,

ଶ୍ରୀକୃଷ୍ଣ ଭିନ୍ନ ନ କର କେହି ।

 

ମତେ ଜଣେ ପାଠକ ଚିଠି ଲେଖୁ ପ୍ରଶ୍ନ କରିଛନ୍ତି–ଆପଣ ଯେଉଁ ଅଭିରାମଙ୍କ ବିଷୟରେ ଲେଖୁଛନ୍ତି–ସେ ଭିନ୍ନ ନା ଅଭିନ୍ନ ? ତାଙ୍କ ସମ୍ପ୍ରଦାୟ କଣ ? ସେ କେଉଁ ଗୋଷ୍ଠୀର ? କେଉଁ ମତର ? ସେ ବୈଷ୍ଣବ ନା ଶୈବ, ଶାକ୍ତ ନା ଗାଣପତ୍ୟ ?

 

ମୁଁ ତାଙ୍କ ଚିଠିର ଉତ୍ତରରେ ଲେଖୁଚି,’’ଅଭିରାମଙ୍କ ରଚନାବଳୀ ପାଠ କରିବା ପରେ ମୋର ମନେ ହେଲା ସେ ସ୍ଵୟଂ ବ୍ରହ୍ମ । ସମସ୍ତ ପ୍ରଶ୍ନ ଓ ଉତ୍ତର ତାଙ୍କଠି ଏକାକାର । ସେ ଠାକୁର । ଅଭିରାମ । ପରମହଂସ । ଅଦିରାମ ଅଭିରାମ । ନିତ୍ୟଲୀଳାର କଲ୍ଲୋଳ । ତରଙ୍ଗ ଯେପରି ସାଗରର । ସାଗର ଯେପରି ତରଙ୍ଗର । ଠିକ୍ ସେହିଭଳି ସେ ।

 

ରାମକୃଷ୍ଣ ପରମହଂସଙ୍କ ଭଳି ଏହି ପରମହଂସ ଜଣକ ‘ଚଖାଟିଏ’ । ସର୍ବ ଧର୍ମାବଲମ୍ବୀ । ତୁମେ କଣ ହିନ୍ଦୁ ? ଉତ୍ତର ହଁ । ତୁମେ ମୁସଲମାନ ? ଉତ୍ତର ହଁ । ତୁମେ ଖ୍ରୀଷ୍ଟିୟାନ ? ଉତ୍ତର ଅବଶ୍ୟ । ସବୁ ଧର୍ମ, ସଂମ୍ପ୍ରଦାୟ, ଗୋଷ୍ଠୀ, ଦଳ, ନିର୍ଦ୍ଦଳର ପ୍ରିୟକନ ଯିଏ ସେ ଅଭିନ୍ନ । ଅଭିରାମ । ଗୀତାରେ ଭଗବାନ କହିଚନ୍ତି ଯିଏ ସମଦର୍ଶୀ–ସିଏ ହିଁ ‘ପଣ୍ଡିତ’ ପଦବାଚ୍ୟ । କେବଳ ଗୋଟିଏ ଠାବରେ ନୁହଁ, ସର୍ବଠାଦରେ । ତେଣୁ ଅଭିରାମ ସବୁ ଚାଖି ଚାଖି ‘ଚଖା’ । ସବୁ ଲେଖୁ ଲେଖୁ ‘ଅଲେଖା’ ।

 

ଶ୍ରୀରାମକୃଷ୍ଣ ପରମହଂସ କହୁଥିଲେ, ଖାଲି ମାଠିଆ ଭିତରେ ପାଣି ଭର୍ତ୍ତି ହେଉଥୁବା ଯାଏଁ ଗବ୍ ଗବ୍, ଡବ୍ ଡବ୍ ଶବ୍ଦ । ଭର୍ତ୍ତି ହୋଇସାରିଲେ, ଆଉ ଗବ୍ ନାହିଁ କି ଡବ୍ ନାହିଁ । କଡ଼େଇରେ ତେଲ ତାତିଲା ପରେ କଞ୍ଚା ବରା ପଡ଼େ । ବରା ତେଲ ପିଉଥିବା ଯାଏ ଚେଁ ଚେଁ । ପିଇ ସାରିବା ପରେ ଚେଁ ଚାଁ ଶେଷ । ତେଲରେ ଭାସେ । ସତ୍ୟସାଇବାବା କହନ୍ତି, ଉଡ଼ାଜାହାଜ ଉପରକୁ ଉଠିବା ପୂର୍ବରୁ ତା’ ଚକାଗୁଡ଼ାକ କ୍ଷିପ୍ର ଗତିରେ ଘୂରେ । ତା’ ପରେ ରନ୍ ୱେରେ ଧାଏଁ । ଧାଇଁ ଧାଇଁ ଉପରକୁ ଉଠେ । ତା’ପରେ ଚକାଗୁଡ଼ିକର କାମ ଶେଷ । କଇଁଛ ତା ଗୋଡ଼ଗୁଡ଼ିକୁ ଲୁଚେଇ ଦେବାଭଳି ଚକାଗୁଡ଼ିକ ଲୁଚିଯାଏ । ଉଡ଼ାଜାହାଜର ଚକ ଅଛି କି ନାହିଁ ଉଡ଼ିବାବେଳେ ଜଣାପଡ଼େନି । ଉପରକୁ ଦେଖାଯାଏନି । ସେହିଭଳି ମନର ଲୁଚକାଳି ଖେଳ । ମନ ସବୁ କାର୍ଯ୍ୟ କରେ । ଯେତେବେଳେ ପ୍ରଭୁଙ୍କଠି ଲୀନ ହୋଇଯାଏ–ସେତେବେଳେ ମନର ସମସ୍ତ ସାଂସାରିକ କାର୍ଯ୍ୟ ବନ୍ଦ ହୋଇଯାଏ । ସେ ଅବସ୍ଥାକୁ କୁହାଯାଏ ‘ବ୍ରହ୍ମଲୀନ’ ।

Image

 

‘ନେତି’ର ଇତି ହେଲେ ‘ପ୍ରୀତି’

 

ବିବାହ ସରିଲା I ନିମନ୍ତ୍ରିତ ଅତିଥ୍ୟାମାନେ ଭୋଜି ଖାଇଲେ । ବରକନ୍ୟାଙ୍କୁ ଦେଖ‌ିଲେ । ସମସ୍ତେ କହିଲେ ବଢ଼ିଆ ଯୋଡ଼ି । ରାଜାପୁଅ ଭଳି ବର । ରାଜକୁମାରୀଠୁ ବଳି କନ୍ୟା ! ତା’ ଆରଦିନ ବରକନ୍ୟା ବିଦା ହେଲେ । ଝିଅ ଗଲା ଶାଶୁଘରକୁ । ମାସକ ପରେ ଵାଇଁ ଡ଼ାକରା । ସ୍ତ୍ରୀ ସହିତ ବର ଆସିଛି ଶ୍ଵଶୁର ଘରକୁ । ସ୍ତ୍ରୀର ବାପଘରକୁ । ବର ସହିତ ଆସିଚନ୍ତି ଶାଶୁଘର ଆଡ଼ର କେତେଜଣ ସାଙ୍ଗସାଥି l ସମସ୍ତେ ସୁଦର୍ଶନ ଯୁବକ । ସୁନ୍ଦର | ବିପ୍ଳବନ୍ତ । ଘର ସାମନାରେ ଓସାରିଆ ବାରଣ୍ଡା । ବର ସେଠି ବସିଚି । ମାତିଚି ସାଙ୍ଗସାଥୀଙ୍କ ସହିତ ଗପସପରେ । କନ୍ୟାର ସମବୟସୀ ସଖୀମାନେ ଘରକୁ ଆସିଚନ୍ତି–ସାଗର ବରକୁ ଦେଖିବାକୁ । ବିବାହଦିନ ସେମାନେ ନ ଥିଲେ । କିଏ କୁଆଡ଼େ ଯାଇଥିଲେ । ଘରର ଝରକା ପାଖରେ ସଖୀମାନଙ୍କ ସମାବେଶ । ଆଙ୍ଗୁଠି ଦେଖାଇ ନବବିବାହିତାଙ୍କୁ ପଚାରୁଚନ୍ତି, ଆଲୋ ଇଏ ଟିକି ? କନ୍ୟା ମୁଣ୍ଡ ହଲାଇ ଜଣାଉଚି,ନା ସିଏ ନୁହଁନ୍ତ । ସିଏ ନୁହଁନ୍ତି, ସିଏ ନୁହଁନ୍ତି–ଇମିତି କେତୋଟି ନା, ନା ପରେ ଠିକ୍ ବର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ମାତ୍ରେ କନ୍ୟା ଚୁପ୍ । ମୁଣ୍ଡ ଟୁଙ୍ଗାରି ଜଣାଇ ଦେଉଚି ହଁ ସିଏ । ତା’ ମୁହଁରେ ଅପୂର୍ବ ଉଲ୍ଲାସର ଝଲକ । ବିପୁଳାନନ୍ଦ । ଏ ଯେଉଁ ଝଲକ ତା’ ନାଆଁ ବ୍ରହ୍ମାନନ୍ଦ ।

 

ବ୍ରହ୍ମାନନ୍ଦ ପରମ ସୁଖଦଂ କେବଳଂ ଜ୍ଞାନମୂର୍ତ୍ତି

ଦ୍ୱନ୍ଦ୍ୱତୀତଂ ଗଗନସଦୃଶ୍ୟ ତତ୍ତମସ୍ୟାଦି ଲକ୍ଷ୍ୟମ୍

ଏକଂ ନିତ୍ୟ ବିମଳମଚଳଂ ସର୍ବଧୀସାକ୍ଷୀ ଭୂତମ୍

ଭାବାତୀତଂ ତ୍ରିଗୁଣ ରହିତଂ ସଦ୍‌ଗୁରୁ ତଂ ନମାମି ।

 

ବ୍ରହ୍ମାନନ୍ଦଠୁ ବଳି ଆନନ୍ଦ କିଛି ନାହିଁ । ଏହି ଆନନ୍ଦର ଅନୁଭବ କେବଳ ହୃଦୟରେ । ଆନ୍ତରିକ । ଏହି ଆନନ୍ଦର ଉଦୟ ମାତ୍ରେ ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି, ଦୁର୍ଲ୍ଲଭ ଆଭା ପ୍ରତିଭାତ ହୁଏ । ତେଣୁ ଅଭିରାମ ପରମହଂସଙ୍କ ଶାନ୍ତିଧାମର ଭକ୍ତ ତଥା ଶିଷ୍ୟ, ପ୍ରଶିଷ୍ୟମାନେ ନିଜ ପତ୍ରିକାର ନାମ ରଖୁଚନ୍ତି ‘ବ୍ରହ୍ମଝଲକ’ । ପ୍ରଥମେ ଏହାର ନାମ ଥିଲା‘ଶରଣଦ’ । ଏହି ଶବ୍ଦଟି ଠାକୁରଙ୍କ ବହୁ ଭଜନରେ ପଢ଼ିବାକୁ ମିଳେ । ‘ଶରଣଦ’ ମୁଁ ଆତ୍ମାରାମ-ଅଭିରାମ ପରେ ନାମ ରହିଲା ‘ଅଭିନ୍ନ ସୁନ୍ଦର’ । ଏବେ ‘ବ୍ରହ୍ମଝଲକ’ । ଅପ୍ରକଟରେ ଥାଇ ଠାକୁରେ ଏହି ‘ଝଲକ’ ଦେଇ ସର୍ବଦା ପ୍ରକଟିତ । ଶାଶ୍ୱତ, ସନାତନ ସେ I ନାମକରଣର ପରିବର୍ତ୍ତନ ଘଟିଲେ ମଧ୍ୟ ସେ ଅପରିବର୍ତିତ ।

 

ବହୁ ନାହିଁ, ନାହିଁ ପରେ ହଁ । ଇଂରାଜୀ ଭାଷାରେ ‘ପ୍ରସେସ୍ ଅଫ ଏଲିମିନେସନ୍କଢ଼ । ନେତି ନେତି । ଇଏ ନୁହେଁ, ସେ ନୁହେଁ ପରେ ଯେଉଁ ସ୍ଥିତି ଆସେ, ଯେଉଁ ପ୍ରୀତିର ଉଦ୍ରେକ ହୁଏ, ତାହା ଅନିର୍ବଚନୀୟ । ଭାଷାରେ କହି ହୁଏ ନାହିଁ କି ଦେଖି ହୁଏ ନାହିଁ କାରଣ ଏହା ମହତତ୍ତ୍ଵ । ଠାକୁରେ ତାଙ୍କର ଅନେକ ଭଜନରେ ବୁଝେଇ କହିଛନ୍ତି-ବିଷୟାନନ୍ଦ, ଭଜନାନନ୍ଦ ପରେ ବ୍ରହ୍ମାନନ୍ଦ । ବାଲ୍ୟ ଦଶା, ଅନ୍ଧବାଲ୍ୟଦଶା ପରେ ଅନ୍ତର୍ଦ୍ଦଶା l ମନର ଲୟ ହେଲେ ଯାଇ ସମାଧି ।

 

ଠାକୁର ଅଭିରାମ ପରମହଂସ ‘ସନାତନ ଧର୍ମାର୍ଥ ଗୀତା’ ବା କୋଇଲି ଶିକ୍ଷାର ପ୍ରଥମ କୋଇଲିରେ ‘ଶାନ୍ତିଭାବ’ର ବାଟ ବତେଇଛନ୍ତି । ସେଥ‌ିରେ ଅଶାନ୍ତ ମନକୁ ଶାନ୍ତ କରିବା ଲାଗି ପରିବେଷଣ କରିଛନ୍ତି କେବଳ ବ୍ରହ୍ମାନନ୍ଦ । ଏହି ବ୍ରହ୍ମାନନ୍ଦ ହିଁ ପ୍ରସାଦ୍‌ଯାକରେ ମହାନ୍ । ମହାପ୍ରସାଦ । ଏଥ‌ିରେ ଭୋଜନାନନ୍ଦ ପାଇଁ ଭଜନ ଆକାରରେ ଲେମ୍ବୁ, ଲୁଣ, ଲଙ୍କାମରିଚଠାରୁ ଆରମ୍ଭ କରି ନାନା ସ୍ଵାଦିଷ୍ଟ ବ୍ୟଞ୍ଜନ ପରିବେଷିତ ହୋଇଛି । କିଏ କହୁଚି ବେଶରଟା ରାଗ ହୋଇଗଲା, ସୋରିଷବଟା ବେଶି ଦିଆଯାଇଚି, କିଏ କହୁଚି ଲୁଣି ହୋଇଗଲା । କିଏ କହୁଚି, ସବୁ ଠିକ୍ ଅଛି । ‘ଅନୁରାଗ’ ଅଭାବରୁ ହିଁ ‘ବିତରାଗ’ର ଅନୁଭବ । ତେଣୁ ଆଧୁନିକ ଯୁଗୋପଯୋଗୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୂରଦର୍ଶନ, ଅଣୁବୀକ୍ଷଣ ସାହାଯ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ ଦର୍ଶନଲାଗି ଠାକୁରେ କହିଛନ୍ତି–

 

ରାତ୍ରିରେ ତାରକା ଗଗନେ କି ଶୋଭା ପାଉଚନ୍ତି

ସୂର୍ଯ୍ୟ ଆଲୋକରେ ତାରକା ଦୃଶ୍ୟ ନୁହଁନ୍ତ ।

ଦୂରବୀକ୍ଷଣ ଯନ୍ତ୍ରଧରି ଦେଖ ତାରା ଦିଶନ୍ତି

ଦୂରବୀକ୍ଷଣ ଯନ୍ତ୍ର ବିନା ସିନା ଜୀବ ଅଶାନ୍ତି ।

ତାରକା ପରି ‘ହରି’ ଦେଖ ଉଦେ ହୋଇଅଛନ୍ତି

‘ଅଜ୍ଞାନ’ ସୂର୍ଯ୍ୟ ପରି ଉଦେହେବାରୁ ନ ଦିଶନ୍ତି ।

 

ପରମ କାରୁଣିକ ଠାକୁରଙ୍କ ରଚନାର ପ୍ରତିଶବ୍ଦରେ ନାଦବ୍ରହ୍ମର ଝଙ୍କାର । ମଧୁର ମୂର୍ଛିନା । ଏହି ମୂହଁନାର ଅର୍ଜନା ଲାଗି ଆବଶ୍ୟକ ସମଦର୍ଶନ । ସାମ୍ୟଭାବ ।

 

ମହାପୁରୁଷଙ୍କ ତୁଣ୍ଡରୁ ଥରେ ଯାହା ବାହାରି ଆସେ, ତାହା ସତ୍ୟ ହୋଇଥାଏ । କାରଣ ସେମାନେ ସପୁରୁଷ । ସଦ୍‌ଗୁରୁ । ସମଗ୍ର ଜଗତର ସମସ୍ତ ଲୋକ ସେମାନଙ୍କ ଶିଷ୍ୟ । ଏହି ଶିଷ୍ୟତ୍ୱ ଲାଗି ସାମ୍ପ୍ରଦାୟିକତାର ପ୍ରଶ୍ନ ନଥାଏ । ସଙ୍କୋଚ ନଥାଏ । ସଂକୀର୍ଣ୍ଣତା ନ ଥାଏ ।

 

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାର ଭବିଷ୍ୟବାଣୀ ଯେପରି ସତ୍ୟ, ଅଭିରାମ ପରମହଂସଙ୍କ ବାଣୀ ସେହିଭଳି ସତ୍ୟ । ଅବଶ୍ୟ ମାଳିକାର ମୂଳକୁ ଉପାଡ଼ି କେହି କେହି ଏହାର ମୌଳିକତାକୁ ଛିନ୍ନ ଭିନ୍ନ କରିବା ଲକ୍ଷ୍ୟ କରାଯାଉଛି, ତଥାପି ମାଳିକା ଚିରବାଳିକା ହୋଇ ରହିଛି, ରହିବ ମଧ୍ୟ । କାରଣ ଏଥ‌ିରେ ରହିଛି ଅଚ୍ୟୁତ ଓ ଆନନ୍ଦ । ଏହା ଚ୍ୟୁତ, ବିଚ୍ୟୁତ ହୋଇ ନ ପାରେ ।

 

ଅଭିରାମ ପରମହଂସ ‘ଭକ୍ତି-କଲ୍ଲୋଳ’ରେ କହିଛନ୍ତି–

 

“ଦେଖି ସିନା ତୁ ନ ପାରିବୁ କହି

ଜ୍ଞାନ ଯାଇଥବ ସେ ବେଳେ ଗାଧୋଇ ।’’

 

ସେ ‘ଅଶୂଳ ବ୍ରହ୍ମାଣ୍ଡକର୍ତ୍ତା ମୋ ଜୀବନ ସ୍ୱାମୀ’’ ସ୍ତବ କରି ତନ୍ମୟ ହୋଇ ମାର୍ଗ ନିର୍ଦ୍ଦେଶ କରି କହିଛନ୍ତି ଯେ, ପ୍ରାଣାୟମ ଅପରିହାର୍ଯ୍ୟ । ପ୍ରାଣାୟମ ଲାଗି ରେଚକ, ପୂରକ, କୁମ୍ଭକ, ଆବଶ୍ୟକ । ଏହି ତିନୋଟିକୁ ସେ ‘ରାହାସ’ରେ ପକାଇଛନ୍ତି । କହିଛନ୍ତି, ‘ଭଗବାନଙ୍କର ‘ପୂରକ ନ ଥାଇ’’ । ଅର୍ଥାତ୍‌ ଯେତେବେଳେ ଭଗବାନ ରେଚକ ବା ଏକା ନିଃଶ୍ୱାସକେ ସମଗ୍ର ସୃଷ୍ଟିକୁ ଟାଣିନେବେ, ସେତେବେଳେ ସଂସାରର ସତ୍ତା ରହିବ ନାହିଁ । ଏହା ହିଁ ବ୍ରହ୍ମମୟ । କୁମ୍ଭକ ଲୀଳା ବର୍ଣ୍ଣନାବେଳେ ସେ ଲେଖୁଛନ୍ତି–

 

ପର୍ବତ ଶିଖରେ କମଳ ଫୁଟିବ

ଏକାଥରେ ଅଙ୍ଗ ପାଲଟିଣ ଯିବ ।

ହୋଇବ ଦ୍ୱାଦଶ ଯୋଜନ ଶ୍ମଶାନ

କାଳୀ ସଙ୍ଗେ କେଳି କରିବେ ଇଶାନ ।

Image

 

ଠାକୁରଙ୍କ ‘ସେବାନନ୍ଦ’ ପ୍ରସାଦ

 

“‘ସୂର୍ଯ୍ୟୋଦୟ ହେଲେ କାହାକୁ ଜଣାଇବାକୁ ପଡ଼େ ନାହିଁ । ଫୁଲର ସୁରଭି, ଆସ ମତେ ଆଘ୍ରାଣ କର ବୋଲି କହେ ନାହିଁ କି କାହାର ଆମନ୍ତ୍ରଣକୁ ଅପେକ୍ଷା କରେ ନାହିଁ । ? ? ସେହିଭଳି ଠାକୁର ଅଭିରାମ ପରମହଂସ । ମାତ୍ର ୧୯ ବର୍ଷ ବୟସରେ ମହାସିଦ୍ଧି ଲାଭ କଲେ । ପରମହଂସ ହେଲେ । ଦୁଧରୁ ଜଳକୁ ଅଲଗା କରିବା କାମରେ ଲାଗିଲେ ସମାଜର ବଡ଼ ଆବର୍ଜନା ପରିଷ୍କାର କଲେ ।

 

ଭଗବାନ ବିଭିନ୍ନ ସମୟରେ ଧରାଧାମରେ ଆବିର୍ଭୂତ ହୋଇ ଆସୁଛନ୍ତି–ନିଜର ପ୍ରତିଶ୍ରୁତି ପାଳନ କରିବା ଲାଗି । ଦ୍ୱାପର ଯୁଗରେ ସେ ଅର୍ଜୁନଙ୍କ ମାଧ୍ୟମରେ ଜନସମାଜକୁ ପ୍ରତିଶ୍ରୁତି ଦେଇଥିଲେ–ପୃଥ‌ିବୀରେ ଗ୍ଳାନିର ପରିମାଣ ଆଶାତୀତ ଭାବରେ ବଢ଼ିଗଲେ, ମୁଁ ଝାଡ଼ୁଦାର ଭୂମିକା ଗ୍ରହଣ କରେ । ଗ୍ଳାନି ଦୂର କରେ । ଅନ୍ଧକାର ରହିବ ହିଁ ରହିବ । ଆଲୋକକୁ ଅନୁଭବ କରିବା ପାଇଁ ଅନ୍ଧକାରର ଅନୁଭୂତି ଦରକାର । ଉଭୟର ଭାରସାମ୍ୟ ରକ୍ଷା କରିବା ସୃଷ୍ଟିପାଳକର ଦାୟିତ୍ଵ । ଭଗବାନ ନିଜର ଦାୟିତ୍ଵ ତୁଲାଇ ଆସୁଛନ୍ତି ସ୍ଥଳ ଓ ସୂକ୍ଷ୍ମ ଉଭୟ ରୂପରେ । ଏକା ସମୟରେ ସେ ବହୁ ରୂପରେ ପୃଥ‌ିବୀର ବିଭିନ୍ନ ସ୍ଥାନରେ ଆବର୍ଭୂତ ହୋଇ ପାରନ୍ତି । କେହି ତାଙ୍କୁ ଚିହ୍ନନ୍ତୁ ନ ଚିହ୍ନନ୍ତୁ, ପୂଜା କରନ୍ତୁ କିମ୍ବା ସ୍ଵାକ୍କାର କରନ୍ତୁ, ସମାଲୋଚନା କରନ୍ତୁ, ପ୍ରଶଂସା କରନ୍ତୁ ସେଥ‌ିରେ ତାଙ୍କର କିଛି ଯାଏ ଆସେନା । କିନ୍ତୁ ସାଧାରଣ ମଣିଷ ଯାହା କରି ପାରେନା ସେ ତା’ହା କରିଥାନ୍ତି । ତାଙ୍କୁ ନେ ଇ ମୂଢ଼ ମଣିଷ ନାନା ସଂମ୍ପ୍ରଦାୟ ସୃଷ୍ଟି କରେ । ସଂକୀର୍ଣ୍ଣ ଗଣ୍ଠି ଭିତରେ ତାଙ୍କୁ ବାନ୍ଧି ରଖୁବାକୁ ଉଦ୍ୟମ କରେ । କିନ୍ତୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଭଗବାନ ନିଜ କର୍ତ୍ତବ୍ୟ କରିଯାଆନ୍ତି । ଯିଏ ଯାହାର ଭକ୍ତ, ସିଏ କହେ, ମୋ ଠାକୁର ହିଁ ଅବତାର ପୁରୁଷ । ସେ ସ୍ୱୟଂ ଭଗବାନ । ଏକରୁ ଅନେକ ହୋଇ ସମସ୍ତଙ୍କ ହୃଦୟରେ ରହି ଭଗବାନ ହସନ୍ତି । କାରଣ ସେ ଅଖଣ୍ଡମଣ୍ଡଳାକାରଂ–ବ୍ୟାପ୍ତ ଯେନ ଚରାଚର । ସେ ଦେଶ, ପ୍ରଦେଶ, ଅଞ୍ଚଳ, ଭାଷା, ସଂସ୍କୃତିର ଊର୍ଦ୍ଧ୍ୱରେ ।

 

ଠାକୁର ଅଭିରାମ ପରମହଂସ ଗାଇଚନ୍ତି–

 

‘ଅନ୍ତରଙ୍ଗ’ ଭକ୍ତି କରେ ଭଜନ କୀର୍ତ୍ତନ

‘ଅନ୍ତରଙ୍ଗ’ ଭକ୍ତକରେ ରସ ଆସ୍ୱାଦନ ।

 

ତାଙ୍କୁ ଜାଣିବାକୁ, ପାଇବାକୁ ହେଲେ ଅନ୍ତରଙ୍ଗ ଭକ୍ତି ଆବଶ୍ୟକ । ତା’ହେଲେ ଯାଇ ରସ–ଆସ୍ୱାଦନ ସମ୍ଭବ ।

 

ତଥାପି ଭକ୍ତମାନଙ୍କର କ୍ଷୋଭ, ଦୁଃଖ । ‘ମୋର ଏଡ଼େ ବଡ଼ ଠାକୁର । ଲୀଳା ପୁରୁଷ । ପୁରୁଷୋତ୍ତମ । ଏତେ କାମ କଲେ, ଏତେ କଥା କହିଲେ । ପାପୀ, ତାପୀ, ପତିତ ଅଧମଙ୍କୁ ଉଦ୍ଧାର କଲେ । ତଥାପି ତାଙ୍କୁ କେହି ଚିହ୍ନିଲେ ନାହିଁ ।’

 

ଏହାହିଁ କ୍ଷୋଭର ଭାଷା । ଏହି କ୍ଷୋଭ ଅଯଥାର୍ଥ ନୁହଁ । ହୃଦୟରେ ଜଣଙ୍କ ପ୍ରତି ପ୍ରେମ ବା ଉକ୍ତ ଉଛୁଳି ଉଠିଲେ, ଏପ୍ରକାର କ୍ଷୋଭକ୍ତି ପ୍ରକାଶ ପାଇଥାଏ । ଭକ୍ତ ରବିଦାସ । ଜଣେ ଆର୍ଟିଷ୍ଟ । ପୁରୀ ସର୍ବୋଦୟ ନଗରର । ସେ’’ଚିନ୍ମୟ ପୁରୁଷର ଧରାବତରଣ’’ ଲେଖାରେ କ୍ଷୋଭକ୍ତି ପ୍ରକାଶ କରି ଲେଖୁଛନ୍ତି–

 

‘ଠାକୁର ଶ୍ରୀ ଅଭିରାମ ପରମହଂସ ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଗ୍ରହଣ କରି ବଶ୍ୱ କଲ୍ୟାଣ ନିମନ୍ତେ ଯେଉଁ ମହାର୍ଘ ଜ୍ଞାନର ଆକଣ୍ଠ ବିତରଣ କରିଛନ୍ତି, ସେଥି ନିମନ୍ତେ ସେ ଆର୍ଯ୍ୟାବର୍ତ୍ତେ ଭାରତର ଜଣେ କ୍ରାନ୍ତିକାରୀ ସତ୍ୟକାମ ପୁରୁଷ । କିନ୍ତୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କର ଧର୍ମଧାରା, କୀର୍ତ୍ତି କିରୀଟି ସାମଗ୍ରିକ ଭାବରେ ଓଡ଼ିଶାରେ ମଧ୍ୟ ପ୍ରଚାରିତ ହୋଇପାରି ନାହିଁ । ଭାରତର ସାଧକମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ମଧ୍ୟ ଠାକୁର ଅଭିରାମଙ୍କ ନାମ ସନ୍ନିହିତ ହୋଇନାହିଁ । ଯେହେତୁ ସେ ଓଡ଼ିଶାର ସାଧକ । ଓଡ଼ିଶା ସରକାରଙ୍କ ପକ୍ଷରୁ, ଭାରତର ଅନ୍ୟ ପ୍ରାନ୍ତର ସାଧକମାନଙ୍କ ଜୟନ୍ତୀ, ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ ହେଉଥିଲେ ମଧ୍ୟ ଓଡ଼ିଶାର ଜଣେ ମହାଶକ୍ତିଧର, ବିଶ୍ଵପ୍ରେମୀ ମହାତ୍ମାଙ୍କର ସ୍ମୃତିରକ୍ଷା କରିବା ପାଇଁ ସାମାନ୍ୟତମ ପ୍ରଚେଷ୍ଟାହୀନତା ଏ ଜାତିର ପୂଜ୍ୟପୂଜା ପରମ୍ପରାର ଏକ ବିଡ଼ମ୍ବନା ।’’

 

ଠାକୁର ଅଭିରାମ ପରମହଂସ ସମୟର ଆହ୍ୱାନରେ ଆସିଥିଲେ । ସମୟର ଆବଶ୍ୟକତା ମେଣ୍ଟାଇଥିଲେ । ସେ ଚାହିଁଥିଲେ–ଅଧ୍ଵ ବର୍ଷ ଦେହ ଧରି ରହି ପାରିଥାଆନ୍ତେ । ୧୯୦୪ ରେ ଆବିର୍ଭୂତ ହୋଇ ୧୯୬୩ ରେ ତିରୋହିତ ହୋଇଗଲେ । ମାତ୍ର ୫୯ବର୍ଷରୁ ଶୈଶବକୁ ବାଦ ଦେଲେ କିଶୋର ବୟସରୁ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏ କାମ ଥିଲା ଜନମାନସକୁ ପରିମାର୍ଜିତ କରିବା । ନୈତିକତା ପ୍ରତିଷ୍ଠିତ, କରିବା । ନାନା ଲୀଳା ମାଧ୍ୟମରେ ବହୁ ଲୋକଙ୍କ ହୃଦୟ ପରିବର୍ତ୍ତନ କରିଥିଲେ । ସୁନାମ, ଦୁର୍ନାମକୁ ଭୃକ୍ଷେପ ନକରି ସେ ସର୍ବଧର୍ମ ସମନ୍ଵୟ ମନ୍ତ୍ରରେ ଶହ ଶହ ଲୋକଙ୍କୁ ଦୀକ୍ଷିତ କରିଥିଲେ ।

 

ସେ ସମୟରେ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ମଧ୍ୟରେ ଈର୍ଷା, ବିଦ୍ୱେଷ, ପରଶ୍ରୀ–କାତରରତା, ଅହଂକାରର ଉଦ୍‌ଗୀରଣ ଲାଗି ରହିଥିଲା । ଏହି ସମୟର ଆଗ୍ନେୟଗିରିର ଲାଭା ସମଗ୍ର ମାନବ ସମାଜକୁ ଆଛନ୍ନ କରି ପକାଇଥିଲା । ଭାରତ ଥିଲା ପରାଧୀନ । ବ୍ରିଟିଶ ଶାସନର ଅତ୍ୟାଚାର, ଉତ୍ପଡ଼ନ ଜନଜୀବନକୁ ଛାରଖାର କରି ପକାଇଥିଲା । ଏଥିଲାଗି ଠାକୁର ଅଭିରାମ ପରମହଂସଙ୍କୁ ବିପ୍ଳବୀ, ସଂଗ୍ରାମୀ ଭୂମିକା ଗ୍ରହଣ କରିବାକୁ ‘ସମୟ’ ହିଁ ପ୍ରଣୋଦିତ କରିଥିଲା ।

 

ସେ ଲେଖୁଥିଲେ–‘ଏକ ବ୍ରହ୍ମ ଦୁଇ ନାହିଁ, କଳି ଲାଗେ କାହିଁକି ?’’ ତାଙ୍କ ଦ୍ୱାରା ରଚିତ ‘କଳି ଭାଗବତ’’ ଯେତିକି ତାରିକ, ସେତିକି ବୈପ୍ଳବିକ । ସଂପ୍ରଦାୟିକ ସଂକୀର୍ଣ୍ଣତାକୁ ପଦାଘାତ କରି ସେ କହିଥିଲେ–

 

ଗୁଡ଼ରେ ଗୋଟିଏ ପ୍ରତିମା ତିଆରି କରିଦେବ,

କେ କଣ୍ଠକୁ ଖାଇ କେ ଅବା ନେତ୍ରକୁ ଖାଇଯିବ ।

କେ ଅବା ମୁଖକୁ ଭୁଜଇ କେହୁ ଦୁଃଜଇ ନାସା,

ସର୍ବଠାରେ ମିଠା ସମାନ କେହି ନୁହଇ କଷା ।

 

ଠାକୁର ଅଭିରାମଙ୍କ ନାନା ଭୂମିକା ମଧ୍ୟରୁ ‘ସଂସ୍କାରକ’ଭୂମିକା ସବୁଠାରୁ ଉଲ୍ଲେଖନୀୟ । ନିର୍ଯ୍ୟାତିତ ମଣିଷ ପ୍ରତି ତାଙ୍କର ମାନବିକ ଦୃଷ୍ଟିଭଙ୍ଗୀ ଅନେକଙ୍କୁ ଅଭିଭୂତ କରୁଥିଲା । ବର୍ତମାନ ସମଗ୍ର ପୃଥ‌ିବୀରେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଉଭୟ ନାରୀ ଓ ପୁରୁଷ ଖଡ଼ଗ ଉତ୍ତୋଳନ କରିବା ଲକ୍ଷ୍ୟ କରାଯାଏ । ସେତେବେଳେ ବାଲ୍ୟ ବିଧବାଙ୍କ ମୁହଁ କେହି ଚାହୁଁ ନଥିଲେ । ସମାଜ ତାଙ୍କୁ ନର୍କକୁଣ୍ଡକୁ ଫିଙ୍ଗି ଦେଉଥ‌ିବାବେଳେ ଠାକୁର ଅଭିରାମ ସେମାନଙ୍କୁ ନିଜ ହାତରେ ଉଠେଇ ଆଣି ନିଜ ଶାନ୍ତି ଧାମରେ ଶାନ୍ତି ପ୍ରଦାନ କରିଥିଲେ । ସେମାନଙ୍କୁ ସନ୍ୟାସିନୀ ସମ୍ମାନ ଦେଇଥିଲେ । ଏବେ ବି କେତେଜଣ କରମଳା ଶାନ୍ତି ଆନନ୍ଦଧାମରେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି’‘ସମର୍ପିତା’ ଭାବରେ ଆନନ୍ଦଲାଭ କରି ଆସୁଚନ୍ତି । ସେମାନଙ୍କ ବୟସ ପ୍ରାୟ ଅଶି, ନବେ । କିଏ ଧାନ ଉଷଉଁଚନ୍ତି ତ କିଏ ଲିପାପୋଛା କରି ଠାକୁରଙ୍କ ପ୍ରସାଦ ଭାବରେ ସେବାନନ୍ଦ ପାଉଚନ୍ତି ।

Image

 

‘ମଜୁରୀ ମତେ ଦିଅ

 

‘ତୁଳସୀର ନାମକରଣ କାହିଁକି ତୁଳସୀ ହେଲା, ସେ ସମ୍ପର୍କରେ ନାନା ପୁରାଣରେ ନାନା ମତ । ବ୍ରହ୍ମବୈବର୍ତ୍ତ ପୁରାଣ ଓ ପଦ୍ମ ପୁରାଣ ତୁଳସୀ ଚରିତ୍ରର ବର୍ଣ୍ଣନା ରହିଛି । ତୁଳସୀ ଲୋକମୁଖରେ କୃଷ୍ଣପ୍ରିୟା ରାଧ୍ୟାଙ୍କ ସହଚରୀ ଥିଲେ । ବ୍ରହ୍ମଚାରିଣୀ ଭାବରେ ଜୀବନ ଯାପନ କରୁଥିଲେ । ଦିନେ ଶ୍ରୀରାଧକା ଦେଖିଲେ ଯେ ତୁଳସୀ ଶ୍ରୀକୃଷ୍ଣଙ୍କ ସହିତ କ୍ରୀଡ଼ାରତ । ଶ୍ରୀରାଧା ତାଙ୍କୁ ଅଭିଶାପ ଦେଲେ ‘ତୁ ମନୁଷ୍ୟ ଜନ୍ମ ଲାଭ କର ।’ ତୁଳସୀ ଏଥିଲାଗି ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେଲେ । ଶ୍ରୀକୃଷ୍ଣ କହିଲେ, ତୁ ମାନବୀ ହେଲେ ମଧ୍ୟ ତପସ୍ୟା ବଳରେ ମୋର ଅଂଶପ୍ରାପ୍ତ ହେବୁ । ରାଧୁକାଙ୍କ ଅଭିଶାପରେ ତୁଳସୀ ଧର୍ମଧ୍ଵଜ ରାଜାଙ୍କ ଔରସରେ ରାଣୀ ମାଧବୀଙ୍କ ଗର୍ଭରୁ ଜାତ ହେଲେ । ଏହି କନ୍ୟାର ରୂପ ଲାବଣ୍ୟ ଦେଖି ସମସ୍ତେ ଏହାଙ୍କୁ ଅନ୍ୟମାନଙ୍କ ସହିତ ‘ତୁଳନା’ କରିବାକୁ ଅସମର୍ଥ ହେବାରୁ ଏହାଙ୍କ ନାମ ରଖାଗଲା ‘ତୁଳସୀ’ । ବ୍ରହ୍ମବୈବର୍ତ୍ତ ପୁରାଣର ପ୍ରକୃତିଖଣ୍ଡରେ ଏ ପ୍ରକାରର ବର୍ଣ୍ଣନା କରାଯାଇଛି । ପଦ୍ମପୁରାଣ ମତରେ ତୁଳସୀଙ୍କ ନାମ ବୃନ୍ଦାବତୀ । ସେ ଜଳନ୍ଧର ନାମକ ଜଣେ ଅସୁର ରାଜାଙ୍କ ପତ୍ନୀ ଥିଲେ । କାଳନେମୀ ନାମକ ଆଉ ଜଣେ ଅସୁରର କନ୍ୟା ସେ ।

 

ଯାହା ହେଉ ‘ତୁଳସୀ’ ଶବ୍ଦଟି ଆସିଚି ‘ତୁଳନା’, ତୁଳିବା ବା ଓଜନ କରିବା ଆଦି ଶବ୍ଦରୁ I ଶ୍ରୀକୃଷ୍ଣଙ୍କ ଆଠରାଣୀ ବା ଅଷ୍ଟପାଟବଂଶୀଙ୍କ ମଧ୍ୟରୁ ରୁକ୍ମିଣୀ ସମସ୍ତଙ୍କଠୁ ବଡ଼ । ଜ୍ୟେଷ୍ଠ ପାଟବଂଶୀ । ଭକ୍ତିମତୀ । ପତିବ୍ରତା । ଗୁଣରେ ମଧ୍ୟ ସେ ଥିଲେ ବଡ଼ । ଦ୍ଵିତୀୟ ପାଟବଂଶୀ ସତ୍ୟଭାମାଙ୍କ ଗର୍ବ ଥିଲା ଯେ ସେ ସମସ୍ତଙ୍କଠୁ ଅଧ୍ଵ ସୁନ୍ଦରୀ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ ଅର୍ଧ ଭଲପାଆନ୍ତି । ତାଙ୍କର ଗର୍ବ ଗଞ୍ଜନ କରିବା ଲାଗି ଶ୍ରୀକୃଷ୍ଣ ଲୀଳା କଲେ । ପ୍ରଭୁଙ୍କୁ ଭଲପାଇବା ନେଇ ନାନା ପ୍ରକାରର ଦ୍ୱନ୍ଦ୍ୱ ଚାଲିଲା । ଶେଷରେ ଶ୍ରୀକୃଷ୍ଣଙ୍କୁ ତୂଳାଦଣ୍ଡରେ ବସିବାକୁ ପଡ଼ିଲା । ନାରଦ ମଧ୍ୟସ୍ଥି ହେଲେ । ଦ୍ଵାରକାପୁରର ରତ୍ନ ଭଣ୍ଡାର ଖାଲି ହୋଇଗଲା । ସମସ୍ତ ଧନଦୌଲତ ଠାରୁ ଶ୍ରୀକୃଷ୍ଣଙ୍କ ଓଜନ ଅଧିକ ହେଲା । ସତ୍ୟଭାମା ନିରୂପାୟ ହୋଇ ପଡ଼ିଲେ । ଅମାପକୁ ମାପିବା ପାଇଁ ଅହଂକାର ରୂପକ ଧନଦୌଲତ ତୁଚ୍ଛ ପ୍ରମାଣିତ ହେଲା । ଶେଷରେ ରୁକ୍ମିଣୀଙ୍କ ଭକ୍ତିର ପରାକାଷ୍ଠା ଏକ ତୁଳସୀ ପତ୍ର ଦ୍ୱାରା ପ୍ରମାଣିତ ହୋଇଗଲା । ତାଙ୍କର ଭକ୍ତର ଉପଚାର ଥିଲା ଗୋଟିଏ ମାତ୍ର ତୁଳସୀପତ୍ର । ଆରପଟ ପଲାରେ ରୁକ୍ମିଣୀ ତୁଳସୀପତ୍ରଟିଏ ଥୋଇଦେବା ମାତ୍ରେ ପ୍ରଭୁଙ୍କ ତୁଳନା ସମାନ ରହିଲା । ତେଣୁ ଠାକୁର ଅଭିରାମ ପରମହଂସ ଲେଖୁଲେ

 

‘ଏ ସଂସାରେ ଯେତେ ଧନ, ନୁହେଁ ‘ତୁଳସୀ’ ସମାନ

ଓଜନେ ବୃନ୍ଦା ହେବେ ବେଶୀରେ ମଦାଳସୀ

‘ତୁଳ’ ରେ ହୁଅନ୍ତେ ବେଶୀ ତେଣୁ ନା’ ନାମ ‘ତୁଳସୀ’

କୃଷ୍ଣ କହନ୍ତି ହସି ହସିରେ ମଦାଳସୀ ।

 

ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି–

 

ପତ୍ର ପୃଶଂ ଫଳ ତୋୟଂ ଯୋଗେ ଭକ୍ତ ପ୍ରଯଚ୍ଛତି

ତଦ୍‌ ଭଲ୍ୟୁପହୃତ, ମଶାମି ଜୟତାତ୍ମନଃ ।

 

ଅର୍ଥାତ୍ ଯେଉଁ ବ୍ୟକ୍ତି ଭକ୍ତି ସହିତ ଶୁଦ୍ଧ ଚିତ୍ତରେ ନିଷ୍କାମ ଭାବରେ ଯେକୌଣସି ପତ୍ର ହେଉ, ପୁଷ୍ପ ହେଉ ବା ଫଳ ହେଉ ବା ଟୋପାଏ ଜଳ ହେଉ ମତେ ଅର୍ପଣ କରି ଥାଆନ୍ତି, ମୁଁ ତାହା ଆନନ୍ଦରେ ଗ୍ରହଣ କରିଥାଏ । ଭଗବାନ ଭକ୍ତର ‘ଭାବ’କୁ ହିଁ ଦେଖନ୍ତି ।

 

ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ ଯେଉଁ ଲୀଳା କରିଥିଲେ, କଳିଯୁଗରେ ସେହି ଶ୍ରୀକୃଷ୍ଣ ହିଁ ଅଭିରାମ ରୂପରେ ସେହି ପତ୍ର, ପୁଷ୍ପ, ଫଳ,ଜଳ ଆଦି ଗ୍ରହଣ କରିଥିବାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଉଲ୍ଲେଖ କରିଛନ୍ତ ବାବାଜୀ ଶ୍ରୀ ସଦାନନ୍ଦ ଦାସ । ଇଏ ଠାକୁରଙ୍କ ପ୍ରକଟ କାଳର ଘଟଣା ।

 

‘ଦିନେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡିର ରାଜା ପାଖକୁ । ସାଙ୍ଗରେ ଥିଲେ ରାଣୀ ଅନଙ୍ଗ ମଞ୍ଜରୀ ଆସନ୍ତା କଣ ନା କଣ ନୂଆ ନୂଆଜିନିଷ ଠାକୁରଙ୍କୁ ଉପହାର ଦେଇ ଯାଆନ୍ତି । କିନ୍ତୁ ସବୁବେଳେ ଆଣନ୍ତି ଗୁଡ଼ିଏ ସୁବାସିତ ଫୁଲ ଓ ‘ମରୁଆ’ ପତ୍ର । ଠାକୁରେ ଫୁଲ ଓ ପତ୍ରଗୁଡ଼ିକୁ ଶ୍ରଦ୍ଧାର ସହିତ ଗ୍ରହଣ କରନ୍ତି । ବେଳେବେଳେ ମା’ ଅନଙ୍ଗ ମଞ୍ଜରୀଙ୍କୁ ସେହି ମରୁଆ ପତ୍ର କଥା କହିଥାଆନ୍ତି । ଅନଙ୍ଗ ମଞ୍ଜରୀଙ୍କ ବିଶ୍ଵାସ ହୋଇଯାଇଥିଲା ଯେ ଠାକୁରେ ଏହି ମରୁଆ ପତ୍ରର ବାସନାକୁ ବେଶୀ ଭଲ ପାଆନ୍ତି । ବଡ଼ଖେମଣ୍ଡିର ରାଜଉଆସର ଠାକୁର ଘରେ ଠାକୁରଙ୍କ ଚିତ୍ର ରଖି ରାଜାରାଣୀ ଦୁହେଁ ପୂଜା କରିଥାଆନ୍ତି । ଠାକୁରେ କରମଳା ଆଶ୍ରମରେ ରହୁଥିଲେ ମଧ୍ୟ ରାଜ ଦମ୍ପତି ନିଜ ଉଆସରେ ଠାକୁରଙ୍କ ଉପସ୍ଥିତିକୁ ଅନୁଭବ କରିଥାଆନ୍ତି । ଠାକୁରଙ୍କ ସେବା କାର୍ଯ୍ୟରେ ସେମାନେ ତିଳେହେଲେ ଅବହେଳା କରି ନ ଥା’ନ୍ତି । ଠାକୁରଙ୍କୁ ପହଡ଼ ଦେବାବେଳେ ରାଣୀ ଅନଙ୍ଗମଞ୍ଜରୀ କେତୋଟି ମରୁଆପତ୍ର ଶେଯରେ ବିଛେଇ ଦିଅନ୍ତି ।

 

ଦିନେ ଦେଖାଗଲା, କରମଳା ଶାନ୍ତି ଆନନ୍ଦଧାମ ଆଶ୍ରମରେ ଠାକୁରେ ବିଶ୍ରାମ ନେଉଥ‌ିବା ଅନନ୍ତ ଶୟନରେ ଗୁଡ଼ିଏ ମରୁଆପତ୍ର ବିଛେଇ ହୋଇ ପଡ଼ିଛି । ସେବକ ସନ୍ନ୍ୟାସୀ, ସନ୍ୟାସିନୀ ମାନେ ଏ ପତ୍ରଗୁଡ଼ିକ ଦେଖି ବିସ୍ମିତ ହୋଇ ପଡ଼ିଲେ । ମନେମନେ ଭାବିଲେ, ଆମମାନଙ୍କ ମଧ୍ୟରୁ କେହି ହେଲେ ତ ଏ ପତ୍ର ଆଣି ବିଛେଇ ନଥୁଲୁ । ତା’ଛଡ଼ା ମରୁଆ ପତ୍ର ଏ ଅଞ୍ଚଳରେ ତ ବିରଳ । ଏଗୁଡ଼ିକୁ ଆଣିଲା କିଏ, ବିଛେଇଲା କିଏ ?

 

ଠାକୁରେ ସେବକମାନଙ୍କ ବିସ୍ମୟ ଭାବକୁ ଲକ୍ଷ୍ୟ କରୁଥିଲେ । ଜଣେ ସେବକ ସାହସ କରି ଠାକୁରଙ୍କୁ ଏ ସମ୍ପର୍କରେ ପଚାରିବାରେ ଠାକୁରେ ହସି ହସି କହିଲେ, ମୋ ମା’ ଅନଙ୍ଗମଞ୍ଜରୀ ବିଜେଇଛି । ସେ ତା’ ବଡ଼ଖେମୁଣ୍ଡି ଘରେ ବିଛଉଚି, ମୁଁ ଏଠି କରମଳାରେ ପାଉଚି । ଏଥରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଯିଏ ଯେଉଁଠି ଦେଉ, ଭର୍ତ୍ତିର ସହିତ ଦେଲେ, ମୁଁ ଏଠି ତତ୍‌କ୍ଷଣାତ୍‌ ପାଇଥାଏ ।

 

ମୟୂରଭଞ୍ଜ ଜିଲ୍ଲା କୁକୁରା ଗାଁର ଜଣେ କନେଷ୍ଟବଳ ନିରଞ୍ଜନ ପାତ୍ର । ଠାକୁରଙ୍କ ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ୱାସ । ପ୍ରତ୍ୟେକ ପର୍ବ ପର୍ବଣୀରେ ସେ ଠାକୁରଙ୍କ ପାଖକୁ ଆସନ୍ତି । କିନ୍ତୁ ଛୁଟି ନ ପାଇବାରେ ଥରେ ଜନ୍ମୋତ୍ସବ ବେଳକୁ ସେ କରମଳା ଆସି ପାରିଲେ ନାହିଁ । ସେ ବନଫୁଲରୁ କେତୋଟି ଠାକୁରଙ୍କୁ ନିଜ ଘରେ ସମର୍ପଣ କରିଥିଲେ । ଠାକୁରେ କରମଳା ଆଶ୍ରମରେ ଥାଇ ସେ ଫୁଲକୁ ଭକ୍ତର ଉପହାର ସ୍ୱରୂପ ଗ୍ରହଣ କରିଥିଲେ । କେତେଦିନ ପରେ ନିରଞ୍ଜନ ଆସିଲେ ଠାକୁରଙ୍କ ପାଖକୁ । ଠାକୁରେ ସେ ସମର୍ପଣ କରିଥିବା ଫୁଲକୁ ଟେବୁଲ୍ ଡ୍ରୟାରରୁ ବାହାର କରି କହିଲେ, ନରିଞ୍ଜନ ଏହି ତୁମର ସମର୍ପିତ ଭକ୍ତିପୁଷ୍ପ । କେବଳ ନିରଞ୍ଜନ ନୁହଁନ୍ତି,ଉପସ୍ଥିତ ସମସ୍ତ ଭକ୍ତ ଅବାକ୍ ହୋଇ ପଡ଼ିଥିଲେ ।

 

ସେହିପରି କଟକ ଜିଲ୍ଲା ଠିଆପୁରର ସହଦେବ କାନୁନ୍‌ଗୋଙ୍କ ପାଚିଲା ଅମ୍ବ ବୋଝ ମୁଣ୍ଡେଇ ମୁଣ୍ଡେଇ ଆଣିଥିଲେ ଠାକୁରେ ନିଜେ–ଅନ୍ୟ ରୂପରେ, ଜଣେ ଭାରବାହୀ ଭାବରେ ପୁରୀଠୁ କରମଳା ଆସିବା ବାଟରେ । ପୁରୀଠୁ ଯେଉଁ ମଜୁରିଆକୁ ଆଣିଥଲେ, ସେ ହାଲିଆ ହୋଇ ପଡ଼ିବାରେ ସହଦେବବାବୁ ହତୋତ୍ସାହ ହୋଇ ପଡ଼ିଥିଲେ । ହଠାତ୍ ଜଣେ ବୁଢ଼ା ସହିତ ଦେଖା ହେଲା । ବୁଢ଼ାକୁ ସାହାଯ୍ୟ କରିବାକୁ କହିବାରେ ବୁଢ଼ା କହିଲା–କରମଳାର ଅଭିରାମଟା ଗୋଟାଏ ଠକ, ଭଣ୍ଡ ବାବାଜୀ, ତାନ୍ତ୍ରିକ । ତା’ ପାଖକୁ ଯାଉଚ କାହିଁକି ? କିନ୍ତୁ ସେହି ବୁଢ଼ା ବୋଝ ବୋହି ଏତେ କ୍ଷିପ୍ରଗତିରେ ଚାଲିଲା ଯେ ସେ ବହୁତ ଦୂର ଆଗେଇଗଲା । ସହଦେବବାବୁ ଓ ତାଙ୍କ ସ୍ତ୍ରୀ ପ୍ରାୟ ଏକମାଇଲ ପଛରେ ପଡ଼ି ରହିଲେ । ଆଶ୍ରମକୁ ଆସି ଦେଖିଲେ ସବୁ ଜିନିଷ ବାରଣ୍ଡାରେ ଥୁଆ ହୋଇଛି । ସହଦେବବାବୁ ମଜୁରୀ ଦେବା ପାଇଁ ବହୁତ ଖେଳିଲେ । ଠାକୁରେ ଉପର ମହଲାରୁ ତଳକୁ ଓହ୍ଲାଇଆସି କହିଲେ,ଖୋଜୁଚ କାହାକୁ ? ମଜୁରୀ ଦେବ ତ ମତେ ଦିଅ ।

 

ସତେ ଠାକୁର ! କଣ ନ କର !

 

‘ମୁଁ ସେତେବେଳେ କଟକ ଶୈଳବାଳା ମହିଳା କଲେଜରେ ପଢୁଥାଏ । ହଷ୍ଟେଲରେ ଥାଏ । ସବୁବେଳେ ପାଖରେ ଠାକୁରଙ୍କ ଫଟୋଟିଏ ରଖୁଥାଏ । କ୍ଲାସକୁ ଗଲାବେଳେ ବି । ମୋ ସାଙ୍ଗସାଥୀମାନେ ଥଟ୍ଟା କରି କହନ୍ତି, ନିର୍ମଳା ଦିନେ ମାତାଜୀ ହୋଇଯିବ ।

 

‘ହଷ୍ଟେଲ ନିକଟରେ ଆମ୍ବଗଛଟିଏ ଥାଏ । ସେ ବର୍ଷ ଗଛରେ ବହୁତ ଆମ୍ବ ଫଳିଥାଏ । ଦିନେ ମେ ! ସାଙ୍ଗମାନେ କହିଲେ, ନିର୍ମଳା ! ତୁ ତ ସବୁବେଳେ ଅଭିରାମ, ଅଭିରାମ ହେଉଚୁ । ସେ କୁଆଡ଼େ ଠାକୁର–ସବୁ କରିପାରନ୍ତି । କାହିଁ ତୋ ଅଭିରାମକୁ ଡ଼ାକେ ନା ସେ ଆସି ଆମ୍ବ ତୋଳିଦେବେ । ଆମେ ସବୁ ଖାଇବୁ ।

 

‘ମୋ ମନ ଭାରି ଖରାପ ହେଲା–ସାଙ୍ଗସାଥିମାନଙ୍କ ଏପରି ଥଟ୍ଟା ପରିହାସରେ । ମୁଦୁ ପ୍ରତିବାଦ କରି କହିଲି, ତୁମେ ସବୁ ଶିକ୍ଷିତା, କଲେଜକୁ ଆସି ଏତେ ପାଠ ପଢ଼ିଲଣି । ଏପରି ଥଟ୍ଟା କରିବା ତୁମମାନଙ୍କର କଣ ଉଚିତ ? ତୁମେ ତାଙ୍କୁ ଠାକୁରେ ବୋଲି ମାନି ନପାର କିନ୍ତୁ ମୋ ବିଶ୍ୱାସକୁ ଏପରି ବିଦ୍ରୁପ କରିବା ଅନୁଚିତ । ମୋ ଠାକୁର କଣ ଏମିତି ଯେ ତୁମମାନଙ୍କ ପାଇଁ ଆମ୍ବ ପାରିବାକୁ ଆସିବେ ?’’

 

‘ହଷ୍ଟେଲ ଚାରିପାଖେ ମେଘନ୍ମାଦ ପାଚେରୀ । ପୁରୁଷର ଛାଇ ପଡ଼ିବା ସାତ ସପନ । ଗେଟ୍ ପାଖରେ ଜଣେ ଜଗୁଆଳି ସର୍ବଦା ଜାଗତିଆର । ଏପରିକି ଝିଅମାନଙ୍କ ବାପା କିମ୍ବା ଭାଇଙ୍କି ବି ଛାଡ଼ିବାର ଅନୁମତି ମିଳିବା କଷ୍ଟକର । ସେଇ ଗେଟ୍ ଦେଇ ବୁଢ଼ାଟିଏ ଆମ ପାଖରେ ପହଞ୍ଚିଲା । ଆମେ ସମସ୍ତେ ଆଶ୍ଚର୍ଯ୍ୟ । ସାଙ୍ଗମାନେ ପଚାରିଲେ, ତୁମେ କିମିତି ଗେଟ୍ ପାରି ହୋଇ ଆସିଲ ?

 

‘ହସ ହସ ମୁହଁରେ ବୁଢ଼ା କହିଲା, ମା’ ମାନେ ଆମ୍ବ ଖାଇବାକୁ ଇଚ୍ଛା କରିଚ, ସେଇପାଇଁ ମୁଁ ଆମ୍ବ ନେଇ ଆସିଚି । ଯାହାର ଯାହା ମନ,, ଆମ୍ବ ନେଇ ଖାଅ । ସେ ଗଛ ଆମ୍ବଗୁଡ଼ାକ କଞ୍ଚା । ଖଟା ଲାଗିବ । ମୁଁ ମିଠା ପାଚିଲା ଆମ୍ବ ଆଣି ତୁମମାନଙ୍କ ପାଖକୁ ଆସିଚି । ମା’ମାନେ ଖାଅ । ଯେତେ ଝିଅ ଥୁଲୁ, ବୁଢ଼ା ସମସ୍ତଙ୍କୁ ତା' ଝୁଲାରୁ କାଢ଼ି ଆମ୍ବ ଦେଲା ।

 

‘‘ଝିଅମାନେ ଆମ୍ବ ଖାଇ ଖୁସି ହେଲେ । ନିଜ ନିଜ ରୁମକୁ ଦୌଡ଼ିଲୁ ଆମ୍ବର ଦାମ୍ ଆଣି ବଢ଼ାକୁ ଦେବା ପାଇଁ । ପଇସା ଆଣି ଦେଖି ତ ବୁଢ଼ା ସେଠାରେ ନାହିଁ । ସମସ୍ତେ ଏକ ସଙ୍ଗରେ ଦୌଡ଼ିଲୁ ଗେଟ୍ ଜଗୁଆଳି ପାଖକୁ I ଜଗୁଆଳକୁ ପଚାରିଲୁ, ଜଣେ ବୁଢ଼ା ଏବେ ଏବେ ଏ ବାଟରେ ଗଲେ ନା କଣ ?

 

‘‘ଗେଟ୍ ଜଗୁଆଳି ଆଶ୍ଚର୍ଯ୍ୟ । କହିଲା, ‘ନା ତ, ମୁଁ କାହାକୁ ଭିତରକୁ ଛାଡ଼ିନାହିଁ । କି ଭିତରୁ ଗେଟ ଦେଇ ବାହାରକୁ ଯିବାର ଦେଖି ନାହିଁ । ମୋର ଆଉ ବୁଝିବାର କିଛି ବାକି ରହିଲା ନାହିଁ । ମୋ ସାଙ୍ଗମାନେ ଥଟ୍ଟା କରିବାରୁ ଠାକୁରେ କେତେ କଷ୍ଟ କରି, ଆଶ୍ରିତର ମାନ ରଞ୍ଝା ଲାଗି ଏ ଖରାରେ ଏତେ କଷ୍ଟ ସହି ଆସିଲେ । ସାଙ୍ଗମାନେ ଚକିତ ହେଲେ । ମୁଁ ଲୋତକମଖା ଆଖ୍ୟାରେ ହଷ୍ଟେଲକୁ ଗଲି । ଠାକୁରଙ୍କ ଉଦ୍ଦେଶ୍ୟରେ ଭକ୍ତି ପ୍ରଣତି ନିବେଦନ କଲି ।

 

ତା’ ପରେ ମୋ ସାଙ୍ଗସାଥିଙ୍କୁ କହିଲି, ତୁମେମାନେ ଠାକୁର କଣ, ସେ କେତେ ଅସୀମ ଶକ୍ତିଧର, ଜାଣିନା । ଚାଲ, ଖରାଛୁଟିରେ କରମଳାକୁ ଯିବା । ସମସ୍ତେ ଏକମତ ହେଲେ । ମୋ ସହିତ ସେମାନେ ଖରାଛୁଟିରେ କରମଳା ଗଲେ । କଥା ପ୍ରସଙ୍ଗରେ ଆମ୍ବ ଖୁଆ କଥା ପଡ଼ିଲା । ଠାକୁରେ ହସି ହସି କହିଲେ, କଣ କରିବି–ମୋ ନିର୍ମଳାକୁ ସମସ୍ତେ ଥଟ୍ଟା କଲ ଆମ୍ବ ଖାଇବାକୁ-ତୁମମାନଙ୍କର ଇଚ୍ଛା ପୂରଣ ହେଲା ।

 

“‘ସମସ୍ତେ ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ ଦିନେ ଦି’ ଦିନ ରହି ଫେରିଲୁ । ସତେ ଠାକୁର, ଭକ୍ତ ପାଇଁ ତୁମେ କଣ ନ କର !’

 

ନିର୍ମଳା । ବଡ଼ ଭଉଣୀ ଉର୍ମିଳା । ମା’ ଆଉ ବାପା ଗୋକୁଳାନନ୍ଦ କାନୁନ୍‌ଗୋ–ସମସ୍ତେ ଠାକୁରଙ୍କ ଆଶ୍ରିତ । ଏମାନେ ବହୁତ ସାନିଧ୍ୟ ଲାଭ କରିଛନ୍ତି । ଅନୁଭୂତି ବହୁତ । ବହୁତ ମଧ୍ୟରୁ କେବଳ ନିର୍ମଳାଙ୍କର ଇଏ ଗୋଟିଏ ।

 

ନିର୍ମଳା ଭକ୍ତି ବିହ୍ଵଳା ହୋଇ ମନେମନେ କହି ପକାଇଲେ, ସତେ’’ଠାକୁର, ଭକ୍ତଙ୍କ ପାଇଁ ତୁମେ କଣ ନକର ?’’ ଭଉଣୀ ନିର୍ମଳା ବୁଝିବା ଉଚିତ ଠାକୁରଙ୍କ ‘ଏ କରିବା ନୂଆ ନୁହଁ କି ପ୍ରଥମ ନୁହଁ । ପୁରାଣ ଯୁଗରୁ ସେ ଭକ୍ତଙ୍କ ପାଇଁ ଅଇଁଠା ଖଲିପତ୍ର ଗୋଟେଇଛନ୍ତି । ପାଣ୍ଢେଇ (ଜୋତା) କାନ୍ଧେଇଛନ୍ତି ।

 

‘ରାତି ପାହିଲେ, ଯୁଦ୍ଧ ହେବ । କୌରଦମାନଙ୍କ ସେନାପତି ଭୀଷ୍ମ ପିତାମହ । କୌରବଙ୍କ ଦାନା ଖାଉଥ‌ିବାରୁ ଦୁର୍ଯ୍ୟୋଧନଙ୍କୁ କଥା ଦେଇଚନ୍ତି–ପାଣ୍ଡବକୁଳ କୁ ଧ୍ୱଂସ କରିଦେବେ । ଭୀଷ୍ମପ୍ରତିଜ୍ଞା ଅଟଳ । କେବଳ ଟାଳିବାବାଲା ଜଣେ–ଶ୍ରୀକୃଷ୍ଣ । ପାଣ୍ଡବଙ୍କୁ ସ୍ନେହ କରନ୍ତି-ଭୀଷ୍ମ । ଅନିଚ୍ଛା ସତ୍ତ୍ଵେ ପାଣ୍ଡବଖଣ୍ଡନ କାର୍ଯ୍ୟ କରିବାକୁ ପଡ଼ିବ । ନିଜ ଶିବର ଭିତରେ ଭୀଷ୍ମ ଅସ୍ଥିର । ବିଚଳିତ । ଆସ୍‌ରେ ନିଦ ନାହିଁ । ନିଶା ଗଳୁଚି । ଅର୍ଦ୍ଧରାତ୍ରି । ସମସ୍ତଙ୍କ ଅଜ୍ଞାତ, ଅଗୋଚରରେ ଦ୍ରୌପଦୀଙ୍କୁ ଶେଯରୁ ଉଠେଇ ଆଣିଲେ ଶ୍ରୀକୃଷ୍ଣ । ଦୌପଦୀଙ୍କ ପାଦରେ ପାଣ୍ଡୋଇ । ମଚ ମଚ ଶଦ୍ଦ ! ସବୁ ତରବରିଆ କାର୍ଯ୍ୟ । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ବାଟ କଢ଼େଇ ନେଲେ ଭୀଷ୍ମଙ୍କ ଶିବିରକୁ I ପାଣ୍ଢେଇ ଶବ୍ଦ ଭୀଷ୍ମଙ୍କ କାନରେ ପଡ଼ିଗଲେ, ସବୁ କୌଶଳ ଫସର ଫାଟିଯିବ । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଶିଦିର ଭିତରେ ପଶିବା ଆଗରୁ କହିଲେ, ପାଥୋଇ ହଳକ ମତେ ଦିଅ । ମୁଁ କାନ୍ଧରେ ଧରିଥବି । ଫେରିଲେ, ଫେରେଇଦେବି । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ କାନରେ ମନ୍ତ୍ର ଫୁଙ୍କିଥିଲେ I ଭୀଷ୍ମଙ୍କ ଶିବିରରେ ଦୀପଟିଏ କଳଚି ମିଞ୍ଜି ମିଞ୍ଜି ହୋଇ । ଦ୍ରୌପଦୀ ପହଞ୍ଚିଲେ ଭୀଷ୍ମଙ୍କ ପାଖରେ । ଚମକି ପଡ଼ିଲେ ଭୀଷ୍ମ । ଏତେ ଛାତିରେ ତାଙ୍କ ଶିବିର ଭିତରେ ଜଣେ ଯୁବତୀ କୂଳବଧୂ । ମୁଣ୍ଡିଆ ମାରିଲେ ଦ୍ରୌପଦୀ ! ଭ । ଷ୍ମଙ୍କ ତୁଣ୍ଡରୁ ବାହାରି ପଡ଼ିଲା ଆଶୀର୍ବତନ ପୁତ୍ରବତୀ ହୁଅ ।

 

ଦ୍ରୌପଦୀ ମୂହଁରୁ ଓଢ଼ଣା ଖୋଲିଦେଲେ । କହିଲେ, ଆସନ୍ତା କାଲି ତ ଆପଣ ମୋର ପଞ୍ଚସ୍ଵାମୀଙ୍କୁ ମାରିଦେବେ । ମୁଁ ପୁତ୍ରବତୀ ହେବି କିପରି ? ଭୀଷ୍ମଙ୍କ ପଥ ଟଳିଲା । ସେ ଜାଣି ପାରିଲେ, କୂଟନୀତି କାହାର ? ସେ ଦ୍ରୌପଦୀଙ୍କ ପଛେ ପଛେ ଆସିଲେ ଶିବିର ଫାଟକ ପର୍ଯ୍ୟନ୍ତ ! ଦେଖ‌ିଲେ, ତଳେ ପାଇ କାନ୍ଧରେ ଧରି ଭଗବାନ ଏପଟ ସେପଟ ହେଉଚନ୍ତି । ସତେ ଯେମିତି କିଛି ଜାଣନ୍ତିନି ସେ । ଭୀଷ୍ମ ତାଙ୍କ ପାତତଳେ ସାଷ୍ଟାଙ୍ଗ ପ୍ରଣାମ ଜଣାଇ କହିଲେ, ଯାହା ତ କଲ କଲ ମୋର ଏତିକିମାତ୍ର ମିନତି, ମରଣ କାଳରେ ଯିମିତି ଟିକିଏ ଦର୍ଶନ ପାଇବି !

Image

 

ପ୍ରମାଦରୁ ପ୍ରମୋଦ

 

ଠାକୁର ଅଭିରାମ ପରମହଂସ ୩୫ଟି ପୁସ୍ତକର ରଚୟିତା । ଏହି ରଚନାଗୁଡ଼ିକ ଏକ ଶାସ୍ତ୍ର ହେଇଗଲାଣି । ଶାସ୍ତ୍ରର ଅର୍ଥ ହୋଉଚି ଯିଏ ଅନୁଶାସନ ଦ୍ଵାରା ଶାସନ କରେ–‘ଶାସ୍ନାତି ଇତି ଶାସ୍ତ୍ରମ୍ ।’ ଶାସ୍ତ୍ର ମାନବଜୀବନକୁ ଅନୁଶାସିତ କରିପାରୁଥିବା ବିଦ୍ୟା । ଆଦେଶ, ବ୍ୟବସ୍ଥା, ନିର୍ଦ୍ଦେଶ, ସିଦ୍ଧାନ୍ତ, କ୍ରମବର୍ଦ୍ଧମାନ ଜ୍ଞାନ ଅର୍ଥାତ୍‌ ବିଜ୍ଞାନ, ପବିତ୍ର, ଧାର୍ମିକ ଗ୍ରନ୍ଥ ଆଦିକୁ ମଧ୍ୟ ଶାସ୍ତ୍ର କୁହାଯାଏ ।

 

ଗୋସ୍ୱାମୀ ତୁଳସୀ ଦାସ, ଶ୍ରୀ ରାମକୃଷ୍ଣ, ସନ୍ଥ କବୀର ଠାରୁ ଆରମ୍ଭ କରି ଠାକୁର ଅଭିରାମଙ୍କ ପର୍ଯ୍ୟନ୍ତ ଭକ୍ତ ତଥା ମହାପୁରୁଷମାନେ ସମସ୍ୱରରେ କହିଛନ୍ତି–ଶାସ୍ତ୍ର ଯେତେ ପଢ଼ନା କାହିଁକି, ଆତ୍ମ ବିଶ୍ୱାସ ଜାଗ୍ରତ ହୋଇ ନଥାଏ । ଅଧିକାରୀ ଓ ଜ୍ଞାତାର ‘ଭାବ’ ଆସି ନଥାଏ । ଯେତେ ପଢ଼ ଯେତେ ପ୍ରବଚନ ଦିଅ ନା କାହିଁକି ଏହାର ଇତି ହୋଇ ନଥାଏ । ପ୍ରତ୍ୟକ ଆବୃତ୍ତିରେ ଅଭିନବ ରହସ୍ୟର ଅନାବରଣ ହୋଇଥାଏ ।

 

ଠାକୁରଙ୍କ ଭଜନ, ଜଣାଣ ଆଦି ସଙ୍ଗୀତମୟ କବିତାଗୁଡ଼ିକୁ ଯେତେ ବୋଲିବ, ସେଥୁରୁ ସେତିକି ଖୁଅ ବାହାରିବ । ନୂଆ ନୂଆ ରସ । ଏହି ରସ ନବ ବା ନଅ ରସରେ ସୀମିତ ନୁହଁ । ‘ନବ’ ଅର୍ଥାତ ଅଭିନବ । ନୂଆ ନୂଆ । ତେଣୁ ଠାକୁରଙ୍କ ଭକ୍ତମାନେ ତାଙ୍କ ରଚନାଚଳୀକୁ ସଙ୍ଗୀତ ରୂପ ଦେଇ ସୁଲଳିତ କଣ୍ଠରେ ଗାଇ ଆନନ୍ଦ ପାଆନ୍ତି । ତାଙ୍କର ପ୍ରତ୍ୟକ ଗୋଷ୍ଠୀ ବା ଉକ୍ତ ମେଳାରେ ‘କହିବା’ ଅପେକ୍ଷା ‘ଗାଇବା’ ଅଧ୍ଵ । ଏଥ‌ିରେ ପୁନର ! ବୃତ୍ତି ‘ପ୍ରମାଦ’ ଧୀରେ ଧୀରେ ‘ପ୍ରମୋଦ’ରେ ପରିଣତ ହୋଇଯାଏ । ଗୋସ୍ଵାମୀ ତୁଳସୀ ଦାସ କହିଛନ୍ତି–

 

‘ଶାସ୍ତ୍ର ସୁଚିନ୍ତିତ ପୁନି ପୁନି ଦେଖିଅ ।’

 

ଅର୍ଥାତ୍ ପୁନଃ ପୁନଃ ଦେଖ‌ିଲେ, ଗାଇଲେ, ପଢ଼ିଲେ ଜ୍ଞାନର ନୂଆ ନୂଆ ସୂତ୍ର ମିଳିଥାଏ । ଯଦି ନିୟମିତ ପାଠ କରିବା ଛାଡ଼ିଦିଆଯାଏ, ତା’ହେଲେ ଅବିଳମ୍ବେ ବିସ୍ମରଣ ହୋଇଯାଏ ।

 

ଏବେ ହେଉଚି କି ନାହିଁ କହି ପାରିବି ନାହିଁ–ଆଗେ ହେଉଥିଲା । ବ୍ରାହ୍ମଣ ଶାସନମାନଙ୍କରେ ରାତିରେ ପିଣ୍ଡାରେ ବସି ପଣ୍ଡିତମାନେ ସେମାନଙ୍କର ବୀଣାଳିଣା କଣ୍ଠରେ ଶ୍ଳୋକ ଆବୃତ୍ତି କରିଥାନ୍ତି । ନିର୍ଜନ କୋଳାହଳ ଶୂନ୍ୟ ବାତାବରଣ ଶ୍ଳୋକଧ୍ଵନିରେ ମୁଖରିତ ହୋଇଉଠେ । ଥରେ ମୁଁ ମୋର ଜଣେ ଅଜାଲେଖା ପଣ୍ଡିତ ପ୍ରବରଙ୍କୁ ପଚାରିଥିଲି, ଅଜା ! ସମସ୍ତେ ତ ନିଘୋଡ଼ନିଦରେ ଶୋଇ ପଡ଼ିଲେଣି । ଇମିତି ଏତେ ରାତିରେ କୁକୁରଙ୍କ ଭଳି ଭୁକୁଚ କାହିଁକି ? ସିଏ ମୋତେ ନାନା କଥା ବୁଝାଥିଲେ–ମୁଁ ବୁଝିପାରି ନଥୁଲି, କିନ୍ତୁ ଗୋଟିଏ କଥା ବୁଝିଥିଲି, ଅଜା କହିଲେ, ଯାହା ଶିଖୁଚି, ଯାହା ପଢ଼ିଚି, ଇମିତି ବାରମ୍ବାର ନ ବୋଲିଲେ ପାସୋରି ଦେବି । ତେଣୁ ମୁଖସ୍ଥ ଜିନିଷକୁ ମନସ୍ଥ କରିବା ପାଇଁ–ଏହି ପୁଣି ପୁଣି ଗାଇବା ଓ କହିବା । ଇଏ ଏକ ଅଭ୍ୟାସ ଯୋଗ ।

 

ଠାକୁରଙ୍କ କେତୋଟି ଗୋଷ୍ଠୀସମାବେଶରେ ଯୋଗ ଦେବାପରେ ମୋର ହୃଦୟଙ୍ଗମ ହୋଇଛି ଯେ ଠାକୁରଙ୍କ ଭଜନ, ଜଣାଣ ଆଦି କବିତାଗୁଡ଼ିକର ବାରମ୍ବାର ଆବୃତ୍ତି ପ୍ରୟୋଜନୀୟ । ଭବରୋଗରେ ପୀଡ଼ିତ କଳିହତ ଜୀବ ଲାଗି ଠାକୁରଙ୍କ ପଦେ ପଦେ ପଦ୍ୟ ମୃତ ସଂଜୀବନୀ ଭଳି ମହୌଷଧି । ଭକ୍ତି ରସରେ ରଂଜିତ ତାଙ୍କର ପ୍ରତ୍ୟେକ କବିତା ବାରମ୍ବାର ପାଠ କରିବାରେ ହୃଦୟକନ୍ଦରରେ ଏକ ନୂତନ ସନ୍ଦନ ସୃଷ୍ଟି ହୋଇଥାଏ–ଏହା ଠିକ୍ କାଠକୁ କାଠର ଘର୍ଷଣ ଏବଂ ପଥର ଦେହରେ ପଥର ଆଘାତରେ ଅଗ୍ନି ସ୍କୁଲିଙ୍ଗର ସ୍ଫୁରଣ ଭଳି । ଠାକୁରଙ୍କ ମୂର୍ତ୍ତି ଓ ଚିତ୍ରାଦି ପୂଜା କରିବାରେ ଯାହା ମିଳେ ତା’ଠୁ ଶତାଧ୍ଵ ଗୁଣ ଅଧ୍ଵ ମିଳିଥାଏ ତାଙ୍କ ରଚନା ପାଠ କରିବାରେ, ବଡ଼ପାଟିରେ ବୋଲିବାରେ ।

 

ମନୁଷ୍ୟଠି ଅଠରପ୍ରକାରର ଦୋଷ ରହିଥାଏ । ଯଥା–ମୋହ, ତନ୍ଦ୍ରା, ଭ୍ରମ, ରୁକ୍ଷରସତା, କାମ, ଲୋଳତା, ମଦ, ମାସର୍ଯ୍ୟ, ହିଂସା, ଖେଦ, ପରିଶ୍ରମ, ଅସତ୍ୟ, କ୍ରୋଧ, ଆକାଂକ୍ଷା, ଆଶଙ୍କା, ଚିତ୍ତବିଭ୍ରମ, ବିଷମତ୍ଵ ଓ ପରାପେକ୍ଷା ଭଜନ, କୀର୍ତ୍ତନ, ଧ୍ୟାନ, ଧାରଣା ଆଦି ଦ୍ୱାରା ଏଥୁରୁ ଗୋଟିଏ ଗୋଟିଏ ଦୋଷର ତୀବ୍ରତା ଧୀରେ ଧୀରେ ହ୍ରାସ ପାଇଥାଏ । ଶାସ୍ତ୍ର, ପୁରାଣ, ବେଦ ବେଦାନ୍ତ, ଗୀତା ଉପନିଷଦ ଆଦିର ପ୍ରଣୟନ ଏହି ଦୋଷର କ୍ଷୟ ଲାଗି । ଦୋଷଗୁଡ଼ିକ ମଧ୍ୟରୁ ପ୍ରଥମ ଆସନ ଲାଭ କରିଛି ‘ମୋହ’ । ଏହାର ଶାଖା ପ୍ରଶାଖା ବହୁତ; ଯଥା–ମାୟା, ମମତା, କାମନା, ବାସନା ଇତ୍ୟାଦି । ତେଣୁ ଠାକୁରଙ୍କ ଭାଷାରେ, ଏସବୁକୁ ହଟେଇବା ଲାଗି ଆବଶ୍ୟକ–ପାପଭୀତି, ଈଶ୍ୱରପ୍ରୀତି ।

 

ତୁମ୍ଭେ ଯେଉଁଥରେ ହେଉଥବ ପ୍ରୀତି

ସେହି ଅନୁକମ୍ପା ହେଉ ପାଣପତ ।

ପ୍ରବୃତ୍ତି ଯାଉଚି ଫଳ ଭୋଗିବାକୁ

ନିବୃତ୍ତି ଧାଉଁଚି ହରି ଚରଣକୁ ।

X X X

କହେ ଅଭିରାମ ଦୁଷ୍ଟ ଲୋକଙ୍କୁ ମୋ ଡର

ପ୍ରଣାମ ପୟରେ ତା’ର ସସ୍ରବାର ।

 

ସବୁ ଗୁରୁଙ୍କ ଶିକ୍ଷାଦାନ ପନ୍ଥା ସମାନ ନୁହେଁ । କିଏ ସାମାନ୍ୟ ସ୍ପର୍ଶ ଦ୍ୱାରା ଶିଷ୍ୟକୁ ଜ୍ଞାନସମୃଦ୍ଧ କରିଦେଇପାରେ । କେହି କେହି ସେବା ମାଧ୍ୟମରେ, କେହି କେହି କେବଳ କଥା ଦ୍ୱାରା, କିଏ ବା ନିଜ କୃତକର୍ମ ଦ୍ୱାରା ଶିକ୍ଷାଦାନ କରିଥାଆନ୍ତି । ଠାକୁର ଅଭିରାମ ପରମହଂସ କଥା, କାମ, ଭଜନ, କୀର୍ତ୍ତନ ଆଦି ନାନାଦି ପନ୍ଥା ଦ୍ୱାରା ବହୁ ଲୋକଙ୍କୁ ନିଜ ପାଖକୁ ଆକୃଷ୍ଟ କରୁଥିଲେ । ସେମାନଙ୍କୁ ନିଜର ଜନ୍ମିତ ଅଲିଅଳ ସନ୍ତାନ ଭଳି ଗେଲ କରୁଥିଲେ । ଲାଳନ ପାଳନ କରୁଥିଲେ । ଏହି କାର୍ଯ୍ୟ ଚାଲିଥିବାବେଳେ ଭକ୍ତ ଅନୁଭବ କରୁଥିଲା ସତେ ଯେମିତି ସେ ନିଜ ପତିମାତାଙ୍କ ସ୍ନେହ ପାଉଚି ! ‘ପରମ ପ୍ରେମମୟ, ପରମ ଜ୍ଞାନମୟ, ପରମଚୈତନ୍ୟମୟ, ପରମ ସତ୍ୟମୟ ଭଗବାନଙ୍କୁ ପାଇବାପରେ ତା’ର ଆଉ କିଛି ପାଇବାର ବାକି ରହେ ନାହିଁ ।’’

Image

 

ମଣିଷ, କାମନା ଯୋଗୁ ବି ମନ

 

ଯାହା ଚିରନ୍ତନ, ତାହାହିଁ ସନାତନ । ସନାତନ ସହିତ ‘ଧର୍ମ’ ଶବ୍ଦଟିକୁ ଯୋଡ଼ାଯାଇଚି । ସନାତନ ଧର୍ମର ଉଦାତ୍ତ-ଆହ୍ୱାନ–‘ଲୋକାଂ ସମସ୍ତ ସୁଖୀ ଭବନ୍ତୁ । ‘ବସୁଧୈବ କୁଟୁମ୍ବକମ୍ । ”‘’ସର୍ବେ ଭବନ୍ତୁ ସୁଖୀନଃ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଣ୍ଠିତ୍ଵ ଦୁଃଖଭାଗ ଭବେତ୍ ।’’ ଇତ୍ୟାଦି ଇତ୍ୟାଦି । ହିନ୍ଦୁଧର୍ମ ବୋଲି ଯାହାକୁ କୁହାଯାଏ, ତାହା ସନାତନ ଧର୍ମର ଏକ ଧାରା ମାତ୍ର । ସମସ୍ତ ଧର୍ମ, ସମ୍ପ୍ରଦାୟର ଜନକ ବା ମୂଳାଧାର ଏହି ସନାତନ ଧର୍ମ । ସମସ୍ତ ଲୋକ ସୁଖରେ ରୁହନ୍ତୁ । ସମଗ୍ର ବସୁଧାବାସୀ ଗୋଟିଏ ପରିବାର । ଏକ କୁଟୁମ୍ବର । ସମସ୍ତେ ସୁସ୍ଥ, ସବଳ, ନିରୋଗ ରହନ୍ତୁ । ଭଲ ଦେଖନ୍ତୁ, ଭଲ କଥା ଶୁଣନ୍ତୁ, ଭଲ କଥା କହନ୍ତୁ । କେହି କେବେ ଦୁଃଖରେ ରହନ୍ତୁ ନାହିଁ । କର୍ତ୍ତା ଏକ I କିଏ ତାଙ୍କୁ ଇଶ୍ୱର, ପ୍ରଭୁ, ଆଚ୍ଛା, ସିଗ୍ନି, କହନ୍ତୁ ନ କହନ୍ତୁ, ସେଥିରେ କର୍ତ୍ତାର କିଛି ଯାଏ ଆସେ ନାହିଁ ।

 

ଧର୍ମ ବୋଇଲେ ‘ରେଲିଜନ’ ନୁହେଁ । ଧର୍ମକୁ ରେଲିଜନ, କମ୍ୟୁନାଲିଜମ୍, ସମ୍ପ୍ରଦାୟ, ମୌଳବାଦ ଆଦି ଶବ୍ଦ ଭିତରେ ଆବଦ୍ଧ ରଖୁ ତାଙ୍କୁ ସଙ୍କୁଚିତ, ସଂକୀର୍ଣ୍ଣ କରାନଯାଉ । ଯାହା ପବିତ୍ର, ପୁଣ୍ୟ, ଯାହା ସତ୍ୟ, ଶିବ ସୁନ୍ଦର–ତାହାହିଁ ଧର୍ମ । ଯାହା ଅବ୍ୟୟ, ଅଯୟ, ଅନନ୍ତ, ଅନିର୍ବତନୀୟ, ଅକଳନୀୟ, ଶାଶ୍ୱତ, ଚିରନ୍ତନ ତାହାହିଁ ସନାତନ । ଯୁଗେ ଯୁଗେ ଅବତାରୀ ଯୁଗପୁରୁଷ, ମହାତ୍ମା, ଋଷି. ମହର୍ଷି, ସନ୍ଥ, ସନ୍ୟାସୀମାନେ ଯେଉଁ ଅମୃତବାଣୀ ଶୁଣାଇ ଆସିଚନ୍ତି ଓ ଆସୁତନ୍ତି ତାହାହି ସନାତନ ।

 

ଠାକୁର ଅଭିରାମ ପରମହଂସଙ୍କ ଗଦ୍ୟକଥନ ସ୍ୱକ । ସେ ସମସ୍ତ ତତ୍ତ୍ୱ-ବିତ୍ତ ପରିବେଷଣ କରିଛନ୍ତି ଗୀତ ଆକାରରେ । କାରଣ ଗୀତ ମାତ୍ରେ ସ୍ମୃତିସିଦ୍ଧ । ମନ ଭିତରେ କାଳ କାଳ ଧରି ଏହାକୁ ପୋଷଣ କରାଯାଇପାରେ । ସଙ୍ଗୀତର ଚାନ୍ଦନିକ ଲେପନ ଯୋଗୁ ଗୀତର ସୌରଭ ମନକୁ ଆକୃଷ୍ଟ କରିଥାଏ । ପାଠ ନକରାଗଲେ ମଧ୍ୟ ଶୁଣି ଶୁଣି ଏହା ମନେ ରଖାଯାଇପାରେ । ତେଣୁ ବେଦର ଅନ୍ୟନାମ ଶ୍ରୁତି । ଶ୍ରୁତିର ଉନ୍ନତ ସୋପାନ ସ୍ମୃତି । ଗଦ୍ୟକୁ କେହି କେହି ପରିହାସରେ ଗଧ ସହିତ ତୁଳନା କରିଥାଆନ୍ତି । ଗଧରଡ଼ି କର୍ଣ୍ଣକଟୁ । ବିରକ୍ତିକର । ବେଦ ଗଦ୍ୟ ନୁହେଁ କି ପଦ୍ୟ ନୁହେଁ । ଏହା ଆଦି ଗ୍ରନ୍ଥ । ଅପୌରୁଷେୟ । ପଣ୍ଡିତମାନେ ଏହାର ପ୍ରତ୍ୟକ ଶବ୍ଦକୁ ନାନ ଭାବରେ ତର୍ଜମା କରିଥାଆନ୍ତି ।

 

ଠାକୁର ଅଭିରାମ ପରମହଂସଙ୍କ ‘ମୌଳିକ ନିତ୍ୟାବଳୀ–ଏକମାତ୍ର ଗଦ୍ୟ ସାହିତ୍ୟ । ହୁଏତ ସେ ଉପଦେଶ ଛଳରେ ଭକ୍ତମାନଙ୍କୁ କହି ଯାଇଛନ୍ତି, ଭକ୍ତଙ୍କ ମଧ୍ୟରୁ କେହି ଏହାର ଅନୁଲିଖନ କରିଛନ୍ତି । ପ୍ରଥମେ ସେ ଉଲ୍ଲେଖ କରିଛନ୍ତି–ସଦା + ଜାତି = ସନାତନ, ଅର୍ଥାତ୍ ଯାହାର ଧାରା ନିରନ୍ତର ଲାଗି ରହିଛି । ତତ୍‌ସତ୍ ଶବ୍ଦ ଯାହା ସନାତନ ଶବ୍ଦ ତାହା । ସେ ଚେତନ, ଅଚେତନ ସମସ୍ତ ପଦାର୍ଥରେ ପରିପୂର୍ଣ । କାଳକ୍ରମେ ପଦାର୍ଥ ନଷ୍ଟ ହେଲେ ସୁଦ୍ଧା ସୂକ୍ଷ୍ମରେ ଐଶୀଶକ୍ତି ବିଦ୍ୟମାନ ଥାଆନ୍ତି । ତେଣୁ ସେ ଅନନ୍ତ, ଅବିନାଶୀ । ସେ ଅତୀତରେ ଥିଲେ, ବର୍ତ୍ତମାନ ରହିଅଛନ୍ତି, ଭବିଷ୍ୟତରେ ମଧ୍ୟ ରହିବେ । ଅପରିବର୍ତ୍ତନୀୟ । ସମସ୍ତ ଜଗତ ତାଙ୍କରି ଠାରୁ ଉଦ୍‌ଭୂତ ଏବଂ ତାଙ୍କରି ଠାରେ ଲୟପ୍ରାପ୍ତ ।

 

ଠାକୁରେ ଏହି ‘ସନାତନ’ ଧର୍ମର ତେଇଶଟି ନୀତି ନିର୍ଦ୍ଧାରଣ କରିଛନ୍ତି । ଏହି ନୀତି ନିର୍ଦ୍ଧାରଣ ଗଦ୍ୟରେ ପ୍ରାଞ୍ଜଳ ନ ହେବାରେ ସାଧାରଣ ଲୋକଙ୍କ ବୋଧଗମ୍ୟ କରିବା ପାଇଁ ରଚନା କରିଛନ୍ତି ‘ସନାତନ ଧର୍ମାର୍ଥ ଗୀତା’ ବା ‘କୋଇଲି ଶିକ୍ଷା’ । ଓଡ଼ିଆ ଭାଷାରେ ବହୁ କାବ୍ୟ କବିତା, ଚଉତିଶା, ପୁରାଣରେ ‘କୋଇଲି’କି ମାଧମ କରାଯାଇଚି । କୋଇଲିକି ସମ୍ବୋଧନ କରାଯାଇ ତା’ ଜରିଆରେ ସମଗ୍ର ମାନବ ସମାଜକୁ ନାନା ସଦୁପଦେଶ ଦିଆଯାଇଚି । ହୃଦୟର ଭାବପ୍ରକାଶ ଲାଗି କୋଇଲିର ‘କୁହୁତାନ’ ମନୁଷ୍ୟର ଚିରାକାଶକୁ ଶାନ୍ତ, ସୁଶୀତଳ, ନିର୍ମଳ ଓ ମଧୁମୟ କରିଥାଏ । ଠାକୁରଙ୍କ ଭାଷାରେ’’ଅନୁଭବକୁ ସତ୍ୟ କହି, ‘ଚାଖ’ ତୁ ଅନୁଭବୀ ହୋଇ ।’ ନଚାଖ‌ିଲେ, ଅନୁଭବର କୌଣସି ମୂଲ୍ୟ ନାହିଁ । ନିରର୍ଥକ ।

 

ଠାକୁରେ କୋଇଲି କି କହିଛନ୍ତି, ତୋର କହୁତାନ ସବୁବେଳ ପାଇଁ ନୁହଁ । ଠାକୁରଙ୍କ ପାଖକୁ ବହୁ ‘ଭକ୍ତ’ ଭକ୍ତିର ଅହମିକା ନେଇ ଆସିଥାଆନ୍ତି । ମନ ଭିତରେ କୁଢ଼ କୁଢ଼ କାମନା, ବାସନା । ସେଥୁରୁ ଗୋଟିଏ ହେଲେ ପୂର୍ବ ନ ହେଲେ ଭାଗେ । ଆଉ କଡ଼ ଲେଉଟାରି ନାହିଁ । ମନେ ମନେ ‘କର’କୁ ମଳି କହିହୁଅନ୍ତି, ବହୁତ ‘କର’ ଦେଲି, ଗୋଟିଏ ଦି ‘ଦର’ ପାଇଲି ନାହିଁ, କରମଳାକୁ ଆସିବା ଏଇଠୁ ଶେଷ । ସେଦିନ ଜାରକାର ଜେମାଶୁଣୀ ପବିତ୍ର ପୀଠସ୍ଥଳ । ଯାଜପୁର ଜିଲ୍ଲା ଭକ୍ତ ସମ୍ମିଳନୀରେ ଜଣେ ଭକ୍ତ କହିଲେ, ଅଭିରାମ ପରମହଂସଙ୍କ ଭକ୍ତଙ୍କ ସଂଖ୍ୟା ତିନିଲକ୍ଷ ଷାଠିଏ ହଜାରକୁ ଟପିଗଲାଣି । ଏବେ ଏହି ସଂଖ୍ୟା ଠାକୁରଙ୍କ ଅପ୍ରକଟ ପରେ ବଢ଼ିଚି କି କମିଚି, ସେହି ଭକ୍ତଙ୍କୁ ହିଁ ଜଣା, ଯିଏ ପ୍ରବଚନ ମାଧ୍ୟମରେ ଏହି ସଂଖ୍ୟା କଥା କହିଥାଆନ୍ତି । ଦଳବଦଳ ଭଳି ଏ ଠାକୁରଠୁ ସେ ଠାକୁର ପାଖକୁ ଯିବା କାମ ଚାଲିଚି । ଆଜି ତାରିଣୀ ତ କାଲି ଗୋଜବାୟାଣୀ, ଆଜି ଆଖଣ୍ଡଳମଣି ତ କାଲି ଅନ୍ୟ କୌଣସି ମଣି । ତେଣୁ ଜନଗଣନା ଭଳି ଭକ୍ତ ଗଣନା କେହି କରି ନଥାଏ । ଭାରତରେ ଠାକୁର ଓ ସାଧୁସନ୍ଥ ଅସଂଖ୍ୟ । ସମସ୍ତଙ୍କ ସଙ୍ଗଠନ, ମଠ, ଆଶ୍ରମ ଆଦି ରହିଛି । ଯେଉଁମାନେ ଯାହାର ଆଶ୍ରିତ, ସେମାନେ ଦାବୀ କରନ୍ତି–ଆମ ଭକ୍ତଙ୍କ ସଂଖ୍ୟା ଲକ୍ଷଲକ୍ଷ, କୋଟିକୋଟି । ସବୁ ଭକ୍ତଙ୍କୁ ଯଦି ଏକ ତାଲିକାଭୁକ୍ତ କରାଯାଏ, ତା’ହେଲେ ମୋଟ ଯୋଗଫଳ ବର୍ତ୍ତମାନ ସୁଦ୍ଧା ଦେଶର ଜନସଂଖ୍ୟାକୁ ଟପିଯିବ । ସମସ୍ତେ ତ ଭକ୍ତ, ଧର୍ମପରାୟଣ; ତା’ହେଲେ ଏତେ ଗ୍ଳାନି କାହିଁକି ? ହିଂସା, ଦ୍ୱେଷ, ବିଦ୍ୱେଷ, ପରଶ୍ରୀକାତରତା, ହାଣ ମାରକାଟ ଆଦି ଷଡ଼ରିପୁର ସାମ୍ରାଜ୍ୟ ବିସ୍ତାର କାହିଁକି ?

 

କୋଇଲି ମାଧ୍ୟମରେ ଠାକୁର ଅଭିରାମ ପରମହଂସ କହିଛନ୍ତି–ମନୁଷ୍ୟର ମନ ସର୍ବଦା କାମନାମୟ । ତା’ ମନରେ କାମନା ପରେ କାମନାର ଲହଡ଼ି । କାମନା ଯୋଗୁଁ ମଣିଷ ବିମନା । କିନ୍ତୁ ସେ ଭାବେ ତା'ଠୁ ବଳି ଚତୁର, ବିଚକ୍ଷଣ ବୁଦ୍ଧିମାନ କେହି ନାହିଁ । ଆତ୍ମଜ୍ଞାନ ଅଭାବରୁ ହିଁ ଏହି ଭାବନା ।

Image

 

ସଭା ସାଙ୍ଗ ହେଲା

 

କ୍ଷୀର ଛିଣ୍ଡିଗଲେ ଛେନା ହୋଇଯାଏ । ତାକୁ ପୁଣି କ୍ଷୀରରେ ପରିଣତ କରାଯାଇ ନପାରେ । ସେହିଭଳି ମନ । ମନ ସମ୍ପର୍କରେ ବହୁ ମନସ୍ୱୀ, ମନୀଷୀ ବହୁ ଚର୍ଚ୍ଚା କରିଛନ୍ତି ଚର୍ଚ୍ଚା ଚାଲିଛି । ମନୋବିଜ୍ଞାନ ବିଜ୍ଞାନମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ପାଗଳା ମନକୁ ଠିକ୍ ବାଟକୁ ଆଣିବା ଲାଗି ବହୁ ବିଶେଷଜ୍ଞ ଡାକ୍ତର ରହିଛନ୍ତି । ସେମାନଙ୍କୁ ଇଂରାଜୀ ଭାଷାରେ ସାଇକ୍ୟାଟ୍ରିଷ୍ଟ କୁହାଯାଏ । ପାଗଳଙ୍କ ଚିକିତ୍ସା କରି କରି କେତେକ ଡାକ୍ତର ମଧ୍ୟ ପାଗଳା ହୋଇଯାଇଥିବା ଜଣାଯାଏ । ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଚନ୍ତି, ମନର ଗତି ସବୁଠାରୁ କ୍ଷିପ୍ର । ଏହି କ୍ଷିପ୍ରତାକୁ କାଳର ମାପକାଠି ଦ୍ୱାରା ନିର୍ଣ୍ଣୟ କରାଯାଇ ନପାରେ । ମନର କ୍ଷିପ୍ରତାକୁ ଧୀରେ ଧୀରେ ମନ୍ଥର ଓ ସ୍ଥିର କରିବା ଲାଗି ଭଗବାନ ଏକ ବିଧାନ ନିର୍ଣ୍ଣୟ କରିଛନ୍ତି–ତା’ ହେଉଛି ‘ଅଭ୍ୟାସଯୋଗ’ ।

 

ମନକୁ ଅମନ କରିବା ଲାଗି ନାନା ଉପାୟ ରହିଛି । ଉପାୟଗୁଡ଼ିକ ସାଧନା ସାପେକ୍ଷ । ମନ ମଣିଷକୁ ବାନ୍ଧି ରଖେ, ସେହି ମନହିଁ ସେହିମଣିଷକୁ ମୁକ୍ତ କରିଦେଇ ପାରେ । ମୁକ୍ତିର ଅନ୍ୟ ନାମ ମୋକ୍ଷ l ମୋହର କ୍ଷୟ ହେଲେ ମୋକ୍ଷ । ମନର ପ୍ରସନ୍ନତା ଓ ଅପ୍ରସନ୍ନତା ଉପରେ ସ୍ୱର୍ଗ ଓ ନର୍କ ଦଶା ଭୋଗ କରିବାକୁ ପଡ଼ିଥାଏ ।

 

ଏହି ମନକୁ ବଶୀଭୂତ କରିବା ଲାଗି ସବୁଠାରୁ ଆକର୍ଷଣୀୟ ଜିନିଷଟି ହେଉଛି ‘ପ୍ରଶଂସା’ । ଏହାର ଅନ୍ୟନାମ ତୋଷାମଦ । ଏହା ମାଧ୍ୟମରେ ଯିଏ ଯେତେ ଧନୀ, ମାନୀ,ଗୁଣୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ତାଙ୍କଠାରୁ ବହୁ ସ୍ଵାର୍ଥ ସାଧନ କରାଯାଇପାରେ । ସବଳ ତଥା କ୍ଷମତାବାନ୍‌କୁ ମୁହୂର୍ଣକରେ ଦୁର୍ବଳ, ଅକ୍ଷମ କରିଦେବା ପାଇଁ ପ୍ରଶଂସା ବା ତୋଷାମଦ ଗଦ ଭଳି କାମ କରେ । କ୍ରୋଧ, ପ୍ରତିଶୋଧପରାୟଣତା, ପରଶ୍ରୀକାତରତା, ସାଂପ୍ରଦାୟିକ ସଂକୀର୍ଣ୍ଣତା, ଜାତିଆଣଭାବଏହାଦ୍ୱାରା ପ୍ରଶମିତ, ଶିଥୁଳ ହୋଇ ପଡ଼ିଥାଏ । ମଣିଷ ପରେ ପସ୍ତାଏ, ପଶ୍ଚାତାପ କରେ, ଆଉ କେବେ ହେଲେ ପ୍ରଶଂସା 'ଜାଲରେ ପଡ଼ିବ ନାହିଁ ବୋଲି ଶପଥ କରେ, କିନ୍ତୁ ଅଳ୍ପ କେତେଦିନ ପରେ ପୁଣି ସେହି ‘ତୋଷାମଦ’ ଆସି କବାଟ ବାଡ଼ାଏ । ମନ କବାଟ ଖୋଲେ । ତୋଷାମଦର ହସ ହସ ମୁହଁ ଓ ସମ୍ଭାଷଣରେ ମନ ପ୍ରସନ୍ନ ହୁଏ । ନମସ୍କାର କରେ । ଘରକୁ ପାଛୋଟି ନିଏ । ପ୍ରଶଂସା ବା ତୋଷାମଦ ନିଜର କୋମଳ ଶୀତଳ କାନ୍ତ ପଦାବଳୀ ଗାନ କରି ‘ଶପଥ’ର କାନମୋଡ଼ି ତାକୁ ବସ ଉଠ କରାଏ ।

 

ଗୁଡ଼ିଏ ଆପ୍ତ ବାକ୍ୟ ନାନା ଖରାପ କାର୍ଯ୍ୟ କରିବା ଲାଗି ମନର ସହାୟକ ହୋଇଥାଏ–ଯଥା’’କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ”‘ ‘ଈଶ୍ୱର ଯାହା କରନ୍ତି ମଙ୍ଗଳ ସକାଶେ’’, ଯଥା–‘ନିଯୁକ୍ରୋସ୍ତି ତଥା କରୋମି’’ । ଏଗୁଡ଼ିକର ଆଶ୍ରୟ ନେଇ ମନୁଷ୍ୟ ନାନା ପାପାଚରଣ କରିଥାଏ । ଏଥିଲାଗି ଅନୁତାପ ଦରକାର ହୁଏ ନାହିଁ । ‘କ୍ଷମା ପ୍ରାର୍ଥନା’ ଦୁଃଖ ପ୍ରକାଶ ତ ଅନାବଶ୍ୟକ । ଉପରୋକ୍ତ ପଦରୁ ଗୋଟିଏ ଦୁଇଟି ଉଦ୍ଧାର କରିଦେଲେ ସବୁଥୁରୁ ମୁକ୍ତି । ବୈଷ୍ଣବ କବିମାନେ କହିଚନ୍ତି କେବଳ ‘କୃଷ୍ଣ’ ନାମ ଉଚ୍ଚାରଣରେ ସୀମାତୀତ ପାପରୁ ମୁକ୍ତି ମିଳି ଥାଏ ।

 

ସବୁ ମୂଳରେ ରହିଛି ଆଚରଣ । ସବୁ ଧର୍ମ, ସବୁ ସଂପ୍ରଦାୟ, ସବୁ ଶାସ୍ତ୍ର, ପୁରାଣ, ବେଦ, ଉପନିଷଦ, ଗୀତା, ଭାଗବତ, ବାଇବେଲ, କୋରାନ ମଣିଷକୁ କହି ଆସିଚି, ଉପଦେଶ ଦେଇ ଆସୁଚି–ଭଲ ଆଚରଣ କର । ଆଚରଣ ନିର୍ମଳ ନ ହେଲେ ଚିତା, ଚଇତନ, ଜପ, ତପ, କୁଚ୍ଛ୍ରସାଧନ, ଯୋଗ, ବୈରାଗ୍ୟ, ଭଜନ, ପ୍ରାର୍ଥନା, ନାମ, ସଂକୀର୍ତ୍ତନ, ଗୈରିକ ବସ୍ତ୍ର ପରିଧାନ ଇତ୍ୟାଦି ଇତ୍ୟାଦି ନିରର୍ଥକ । ଏସବୁ ଛଳନାର ଛଦ୍ମବେଶ ମାତ୍ର । ଶ୍ରୀ ମନ୍ଦିରରେ ତିନି ଠାକୁର ତାଙ୍କ ନୀତି, ନିୟମ, ଖାଦ୍ୟପେୟ ଆଦିରେ ଆଚରଣ ସିଦ୍ଧ । ସେ ସମଗ୍ର ମାନବ ସମାଜକୁ କହି ଆସୁଛନ୍ତି–ମୁଁ ଦାରୁବ୍ରହ୍ମରେ ରହିଥିଲେ ମଧ୍ୟ ମୋର ଆଚରଣକୁ ଗ୍ରହଣ କର । ଅନୁସରଣ କର । ତା’ହେଲେ ମନରେ ଶାନ୍ତି ପାଇବ । ଆନନ୍ଦ ପାଇବ । ଏ ମନ୍ଦିରର ଦ୍ଵାରପାଳ, ଚାକର ବାକର ସମସ୍ତେ ଖାଇସାରିବା ପରେ ଯାଇ ସେ ଖାଆନ୍ତି । ସେବକର ସେବକ ସେ । ସଙ୍କଳ୍ପ ମନ୍ତ୍ରରେ ବାହ୍ୟ ଓ ଅଭ୍ୟନ୍ତର ଉଭୟର ‘ଶୁଚି’ କଥା ଉଲ୍ଲେଖ ଅଛି । ବାହାର ବାରଣ୍ଡାଟା ସଫା ଅଥଚ ଭିତର ଘର ସବୁ ଅଳନ୍ଧୁମୟ !

 

ପରମପୁରୁଷ ପରମହଂସ ଠାକୁର ଶ୍ରୀ ଶ୍ରୀ ଅଭିରାମଙ୍କୁ କୋଟି କୋଟି ନମସ୍କାର ଜଣାଇ ତାଙ୍କ ପ୍ରସଙ୍ଗ, ତାଙ୍କର ଲୀଳା ଖେଳା, ତାଙ୍କ ତତ୍ତ୍ୱମେଖଳା, ତାଙ୍କର ହୃଦୟସ୍ପର୍ଶୀ ପଦାବଳିର ଆଲୋଚନା ଏହିଠି ସରିଲା, ସଭା ସାଙ୍ଗ ହେଲା ବୋଲି ଘୋଷାଣା କରୁଚି । ତାଙ୍କ ଅସରନ୍ତି ଭଣ୍ଡାରକୁ ଖୋଲିବାର ଧୃଷ୍ଟତା ଲାଗି ତାଙ୍କଠୁ କ୍ଷମାଭିକ୍ଷା କରୁଛି ।

 

ଏହି ଧର୍ମ ଧାଡ଼ିରେ, ତାଙ୍କ ପ୍ରସଙ୍ଗରେ ମୋ ଲେଖାର ପ୍ରଥମ ଶୀର୍ଷକ ଥିଲା । ‘ଅନୁଭବକୁ ସତ୍ୟ କହି’ । ସେହି ସତ୍ୟର ଅନୁସନ୍ଧାନ ଲାଗି ମତେ ବହୁ ପୁସ୍ତକ, ପତ୍ରପତ୍ରିକା, ବହୁ ଭକ୍ତଙ୍କ ଅନୁଭୂତି ସମ୍ପନ୍ନ ଲେଖା ଘାଣ୍ଟିବାକୁ ପଡ଼ିଲା । ଠାକୁରେ ମତେ ଯେତେ ପର୍ଯ୍ୟନ୍ତ ବାଟ କଢ଼େଇ ମୋ ହାତ ଧରି ଚଲେଇ ଚଲେଇ ନେଲେ, ତାଙ୍କ ସହିତ ସେ ପର୍ଯ୍ୟନ୍ତ ଚାଲିପାରିଲି । ତା’ପରେ ସେ ହାତ ଛାଡ଼ିଦେଲେ । କହିଲେ, ଏଇଠୁ ଫେରିଯାଆ । ଆଗକୁ ଗଲେ ବହୁ ବିପଦ । ବହୁ କଣ୍ଟା ଖୁଞ୍ଚ ଲାଗିବ, ବହୁ ଖଦୁଆ ଯୁଟିବେ । ଅବାଟରେ ନେଇ ଏପରି ଖାଲକୁ ଠେଲି ଦେବେ ଯେ ଥରେ ପଡ଼ିଲେ, ଆଉ ଉଠି ପାରିବୁ ନାହିଁ ।

 

ମଝି ମଝିରେ ସ୍ୱପ୍ନରେ ଠାକୁରେ ମଧ୍ୟ ବହୁବାର ମତେ ସାବଧାନ କରି ଦେଇଛନ୍ତି । କିନ୍ତୁ ଆଗରୁ କହିଚି–ତୋଷାମଦ, ପ୍ରଶଂସା ଆଦିର ହାବୁଡ଼ରେ ପଡ଼ି ଠାକୁରଙ୍କ କଥାକୁ ଭୁଲି ଯାଇଚି । ତାଙ୍କ ପୀଠ ଦେଖିଲି, ତୁଠ ଦେଖିଲି, ତାଙ୍କ ଓଠରୁ ଝରିଥ‌ିବା ଅମୃତ ପାଇଲି, କେତେକ ଶଠଙ୍କ ହାବୁଡ଼ରେ ମଧ୍ୟ ପଡ଼ିଲି । ଅହଂକାରର ତୁଙ୍ଗ ଶିଖରୀ ଚୂଳରୁ କେତେକ ହୂଙ୍କାର ମଧ୍ୟ ଶୁଣିଲି । ଏହାହିଁ ମୋ ଅନୁଭବର ‘ସତ୍ୟ’ । ଜୟ ସତ୍ୟନାରାୟଣ ସ୍ଵାମୀ କି ଜୟ ।

 

ଗୋରାଚାନ୍ଦ ମିଶ୍ର । ନିଜ ଗାଁ ଗଞ୍ଜାମ ଜିଲ୍ଲା, କୁଲାଡ଼ ନିକଟ ଗେରଡ଼ା । ଜନ୍ମ ୧୯୩୦, ଏପ୍ରିଲ ପହିଲା । ଚୈତ୍ର କୃଷ୍ଣ ଦ୍ଵାଦଶୀ । କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି ସେ ‘ବାଣପୁରିଆ’ । ପୁରୀ ଜିଲ୍ଲା ବାଣପୁର, କୁମାରାଙ୍ଗ ଶାସନ ତାଙ୍କ ମାମୁଁ ଘର । ନଅ ବର୍ଷ ବୟସରୁ ସେ ଥିଲେ ମାମୁଁ ଘରେ । ପାଠପଢ଼ା ବାଣପୁର ହାଇସ୍କୁଲ ଓ ପୁରୀ ସାମନ୍ତଚନ୍ଦ୍ରଶେଖର କଲେଜରେ । ୧୯୫୦ରୁ କଟକର ବାସିନ୍ଦା, ଏ ପର୍ଯ୍ୟନ୍ତ । ସାମ୍ବାଦିକତା ମଧ୍ୟ ସେହି ସମୟରୁ । ସାତବର୍ଷ ଧରି ସାପ୍ତାହିକ ‘କୃଷକ’ର ସହସମ୍ପାଦକ ଓ ଯୁଗ୍ମ ସମ୍ପାଦକ । ୧୯୫୭ରୁ ୧୯୯୧ ପର୍ଯ୍ୟନ୍ତ ଦୈନିକ ପ୍ରଜାତନ୍ତ୍ରର ସହସମ୍ପାଦକ, ବାର୍ତ୍ତା । ସମ୍ପାଦକ ଏବଂ ପ୍ରଜାତନ୍ତ୍ରର ସାହିତ୍ୟ, ସଂସ୍କୃତି ଆଧ୍ୟାୟିକତାର ପରି ବାହକ ମାସିକ ପତ୍ରିକା ‘ପ୍ରତିଭା’ର ସମ୍ପାଦକ । ପ୍ରାୟ ଏକବର୍ଷ ଧରି ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ବ୍ୟକ୍ତିଗତ ସଚିବ । ୧୯୯୦ ଅଗଷ୍ଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଦିଲ୍ଲୀରେ ସନ୍ଥ ଜ୍ଞାନଦେବ ବିରଚିତ ଗୀତାଭାବାର୍ଥ–ଦୀପିକା ‘ଜ୍ଞାନେଶ୍ଵରୀ’ ସମ୍ପର୍କରେ ଅନୁଷ୍ଠିତ ଐତିହାସିକ ସେମିନାରରେ ଅଧ୍ୟକ୍ଷତା କରି ଉଚ୍ଚ ପ୍ରଶଂସିତ । ଶିଶୁ ସାହିତ୍ୟ, ପାଠ୍ୟ ପୁସ୍ତକ, ନାଟକ, ଏକାଙ୍କିକା, ଗଳ୍ପ, କବିତା, ଉପନ୍ୟାସ, ଭ୍ରମଣ କାହାଣୀ, ଜୀବନୀ, ଆଧ୍ୟାତ୍ମିକ ଆଦି ଶତାଧ୍ଵ ପୁସ୍ତକର ରଚୟିତା ତଥା ଅନୁବାଦକ ଭାବରେ ସେ ଓଡ଼ିଶାର ଘରେ ଘରେ ସୁପରିଚିତ । ଏ ସବୁ ଦିଗରେ ତାଙ୍କର ସହଯୋଗିନୀ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା (ଡାକ ନାଁ ଚାରୁଲତା) । ସେ ବହୁ ସାଂସ୍କୃତିକ, ସାମ୍ବାଦିକ, ସାହିତ୍ୟ, ରାଜନୀତିକ, ସାମାଜିକ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ, ପୁରସ୍କୃତ, ଅଭିନନ୍ଦିତ । ରାମାୟଣ, ମହାଭାରତ, ଭାଗବତ ଆଦି ବହୁ ସାଇ ସାହିତ୍ୟର ପ୍ରଣେତା । ବିଶେଷତଃ ‘ଗୀତା ଜ୍ଞାନେଶ୍ୱରୀ’ର ଅନୁବାଦକ ଶ୍ରୀ ମିଶ୍ର ଜଣେ ନୀରବ ସାଧକ ।

Image